ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଅକ୍ଟୋବର ୨୬ ତାରିଖରେ ୟୁନିଟ–୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଗଲା । ଯେଉଁମାନେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଅନଲାଇନ ଯୋଗେ ପଞ୍ଜୀକରଣ କରିଥିଲେ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ପାଇଁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ସେମାନଙ୍କ ପାଇଁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।


