Categories
ଆଜିର ଖବର ରାଜ୍ୟ ଖବର

ସମନ୍ବିତ ଯୋଜନାରେ ଧଉଳି ସମେତ ସବୁ ଐତିହ୍ୟ ସ୍ଥଳର ବିକାଶ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ ସାଧାରଣ ପାହାଡ ନୁହେଁ, ଧଉଳି ପାହାଡ ଓଡିଶା ଇତିହାସର ଏକ ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି। କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ ଏହି ଧଉଳି। ଓଡିଆ ବୀର ସନ୍ତାନଙ୍କ ଲୁହ ଆଉ ରକ୍ତରେ ଏକାକାର ହୋଇଥିବା ତ୍ୟାଗର ତୀର୍ଥସ୍ଥଳୀ ଏହି ଧଉଳି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧଉଳି ଶାନ୍ତି ସ୍ତୁପର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ କହିଛନ୍ତି।

ଏହି ଅବସରରେ ଧଉଳି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖ୍ରୀଷ୍ଟପୂର୍ବ ୨୬୧ରେ ଲୋମହର୍ଷଣକାରୀ କଳିଙ୍ଗ ଯୁଦ୍ଧ ପରେ ଏହିଠାରୁ ଶାନ୍ତିକୁ ଜୀବନର ବ୍ରତ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ସମ୍ରାଟ ଅଶୋକ। ଆଜିକୁ ୫୨ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ଶାନ୍ତିର ସ୍ତୁପ। ସେବେଠାରୁ ଆଜି ପର୍ଯ୍ୟନ୍ତ ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସାଜିଛି ଏହି ଧଉଳି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ବୌଦ୍ଧ ଧର୍ମ ସମ୍ପର୍କରେ ଯେବେ ଆଲୋଚନା କରାଯାଏ ସେତେବେଳେ ଓଡିଶାର ନା ସବୁଠାରୁ ଆଗରେ ଆସିଥାଏ। ଓଡିଶାରେ ବୌଦ୍ଧ ଧର୍ମର ଯେତେ ପ୍ରଚାର ପ୍ରସାର ହୋଇଥିଲା ଏବଂ ଯେତେ ବୌଦ୍ଧ ବିହାର ଓଡିଶାରେ ଦେଖିବାକୁ ମିଳେ ତାହା ଭାରତବର୍ଷର ଅନ୍ୟ କୌଣସି ପ୍ରଦେଶରେ ଦେଖିବାକୁ ମିଳେ ନାହିଁ। ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀଠାରୁ ଓଡିଶାରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା। ଧଉଳି ପାଦ ଦେଶରେ ଦୟାନଦୀ କୂଳରେ ଭାରତ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ ଆସିଥିଲା। ମଗଧର ସମ୍ରାଟ ଅଶୋକଙ୍କୁ କଳିଙ୍ଗ ଯୁଦ୍ଧର ବିଭୀଷିକା ଧର୍ମାଶୋକରେ ପରିଣତ କରିଥିଲା। ସମ୍ରାଟ ଅଶୋକ ଦେଶ ବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ନିଜ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଙ୍ଘମିତ୍ରାଙ୍କୁ ସିଂହଳ ଦେଶକୁ ଏହି ଓଡିଶାରୁ ପଠାଇଥିବା ବିଶ୍ବାସ କରାଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅତୀତର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେତେବେଳେ ନୌବାଣିଜ୍ୟ ପରମ୍ପରାରେ ଓଡିଶା ସାଧବ ପୁଅ ମାନେ ସିଦ୍ଧହସ୍ତ ଥିଲେ। ବୋଇତରେ ସେମାନେ ସାତ ସମୁଦ୍ର ପାର ହୋଇ ବାଣିଜ୍ୟ କାରବାର କରିବାକୁ ଯାଉଥିଲେ। ଭାରତର ଅନ୍ୟ କୌଣସି ରାଜ୍ୟର ଲୋକମାନେ ସେତେବେଳେ ବୋଇତରେ ସମୁଦ୍ରଯାତ୍ରା ବିଷୟରେ ଜାଣି ନଥିଲେ। ତେଣୁ ବୌଦ୍ଧ ଧର୍ମର ପ୍ରଚାର ପାଇଁ ଯାଉଥିବା ବୌଦ୍ଧ ସନ୍ୟାସୀ ମାନେ ଓଡିଶାରୁ ବିଦେଶକୁ ଯାଉଥିଲେ। ସେଥିପାଇଁ ଓଡିଶାରେ ବୌଦ୍ଧ ଧର୍ମର ବହୁଳ ପ୍ରସାର ଘଟିଥିଲା। ଯାହାର ଐତିହାସିକ ମୁକସାକ୍ଷୀ ଭାବେ ରତ୍ନଗିରି, ଲଳିତଗିରି, ଉଦୟଗିରି ଓ ଖଣ୍ଡଗିରି ଆଦିରେ ବୌଦ୍ଧ ବିହାର, ଗୁମ୍ଫା ଓ ଭଗ୍ନାବଶେଷ ଆଜି ମଧ୍ୟ ଦେଖିବାକୁ ମିଳୁଛି।

ସେ ପୁଣି କହିଥିଲେ ଧଉଳି ଗିରିରେ ଆଜି ଯେଉଁ ଶାନ୍ତିସ୍ତୁପ ନିର୍ମାଣ କରାଯାଇଛି ତାହା ସାରା ପୃଥିବୀକୁ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଛି। ଲୋକମାନଙ୍କ ମଧ୍ୟରେ ଶାନ୍ତିର ବାର୍ତ୍ତା ପ୍ରସାର ପାଇଁ ସମ୍ରାଟ ଅଶୋକ ଏଠାରେ ଅନେକ ଗୁଡିଏ ସ୍ତୁପ ଏବଂ ଶିଳାସ୍ତମ୍ବ ନିର୍ମାଣ କରିଥିଲେ। ଆଜିର ଏହି ଆଧୁନିକ ଶାନ୍ତିସ୍ତୁପ ଜାପାନ ବୁଦ୍ଧ ସଂଘ ଏବଂ କଳିଙ୍ଗ ନିପନ ବୁଦ୍ଧ ସଂଘ ଦ୍ବାରା ୭୦ଦଶକରେ ନିର୍ମାଣ କରାଯାଇଥିଲା। ଦେଶ ବିଦେଶରୁ ଏଠାକୁ ଯେଉଁ ପର୍ଯ୍ୟଟକମାନେ ଆସନ୍ତି ସେମାନେ ନିଶ୍ଚୟ ଧଉଳିର ଏହି ଶାନ୍ତି ସ୍ତୁପରୁ ଅହିଂସା, ଶାନ୍ତି ଓ ଦିବ୍ୟତ୍ବର ଅନୁଭବ ନେଇ ଫେରନ୍ତି। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ପ୍ରସିଦ୍ଧି ଅର୍ଜନ କରିଛି। ଧଉଳି ସ୍ତୁପ ଏହି ଶାନ୍ତିପ୍ରିୟ ମନୋଭାବର ପ୍ରତୀକ। ଧଉଳି ହୁଏତ ବୌଦ୍ଧ ଧର୍ମର ଏକ କୀର୍ତ୍ତିରାଜି ହୋଇପାରେ କିନ୍ତୁ ଏହା ଓଡିଆ ଭାଷା, ସଂସ୍କୃତି ଓ ପରମ୍ପରା ସହିତ ଏପରି ଭାବେ ସମ୍ମିଳିତ ହୋଇଯାଇଛି ଯେ ରାଜ୍ୟବାସୀ ଏହାକୁ ନିଜ ସଂସ୍କୃତିର ଏକ ଅଙ୍ଗଭାବେ ମାନି ନେଇଛନ୍ତି। ଧଉଳି ଶାନ୍ତି ସ୍ତୁପର ଆହୁରି ବିକାଶ କରାଯିବ ଏବଂ ଆଖପାଖ ଅଞ୍ଚଳର ବ୍ୟାପକ ଉନ୍ନତିକରଣ କରାଯିବ। ଧଉଳି ସମେତ ଆମର ସବୁ ଐତିହ୍ୟ ସ୍ଥଳୀ ଗୁଡିକର ବିକାଶ ପାଇଁ ସମନ୍ବିତ ଯୋଜନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆମ ସନାତନ ଧର୍ମ ଭଳି ବୌଦ୍ଧ ଧର୍ମର ଆଧାର ହେଉଛି ଅହିଂସା ପରୋମ ଧର୍ମ। ଯେତେବଡ ସମସ୍ୟା ଆସିଲେ ମଧ୍ୟ ତା’ର ସମାଧାନ ହିଂସା ନୁହେଁ ବରଂ ତାର ସମାଧାନ ଆପୋଷ କଥାବାର୍ତ୍ତା ମାଧ୍ୟମରେ ମଧ୍ୟ ହୋଇପାରିବ। ଏହାକୁ ଆଧାର କରି ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ୠଷିଆ-ୟୁକ୍ରେନ ତଥା ଇସ୍ରାଏଲ- ଆରବ ଯୁଦ୍ଧର ଶାନ୍ତି ପୂର୍ଣ୍ଣ ସମାଧାନ ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି। କଥାବାର୍ତ୍ତା ମାଧ୍ୟମରେ ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦର ମଧ୍ୟ ସମାଧାନ ହୋଇପାରିଛି। ଆଜି ମୋଦୀଜୀଙ୍କ ନେତୃତ୍ବରେ ଭାରତ ବିଶ୍ବ ବନ୍ଧୁଭାବେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ବିଶିଷ୍ଟ ବୌଦ୍ଧ ସନ୍ୟାସୀ ଶ୍ରୀ ଟି ଓକଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଧଉଳି ଶାନ୍ତି ସ୍ତୁପର ଏକ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ ଧଉଳି ଏକ ଐତିହ୍ୟ ସମ୍ପନ୍ନ ମାଟି। ଭଗବାନ ବୁଦ୍ଧଙ୍କ ବାଣୀକୁ ପ୍ରଚାର କରିବା ସହିତ ଓଡିଆ ଜାତିର ବୀରତ୍ବର ପ୍ରତୀକ ହେଉଛି ଏହି ଧଉଳି ମାଟି। ସମ୍ରାଟ ଅଶୋକଙ୍କ ଦ୍ବାରା ବୁଦ୍ଧଙ୍କର ଅହିଂସା ଓ ସତ୍ୟର ବାର୍ତ୍ତା ଏହି ଧଉଳି ମାଟିରୁ ପରିବ୍ୟାପ୍ତ ହୋଇଛି। ବୌଦ୍ଧଧର୍ମର ପ୍ରଚାର ପ୍ରସାରରେ ଓଡିଶାର ଯୋଗଦାନ ବିଷୟରେ ଇତିହାସରେ ଲିପିବଦ୍ଧ ହୋଇରହିଛି ବୋଲି ସେ କହିଥିଲେ।

ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂହ କହିଥିଲେ ଯେ କେବଳ ଓଡିଶାକୁ ନୁହେଁ ଭାରତବର୍ଷ ତଥା ସାରା ପୃଥିବୀକୁ ଶାନ୍ତିର ବାର୍ତ୍ତା ଦେଉଛି ଏହି ଧଉଳି। ଏ ମାଟି କେବଳ ଯୁଦ୍ଧ ଶିଖାଇ ନାହିଁ ଶାନ୍ତିର ବାର୍ତ୍ତା ମଧ୍ୟ ଦେଇଛି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ କଳିଙ୍ଗ ନିପନ ବୁଦ୍ଧ ସଂଘର କୋର୍ଡିନେଟର ଶ୍ରୀ ରବି ମହାରଣା ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଉପସଭାପତି ଶ୍ରୀ ହରି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଲାଙ୍ଗିର ଦିନ୍ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଏଠାରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି

ଭୁବନେଶ୍ବର: ବଲାଙ୍ଗିର ଦିନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବଲାଙ୍ଗିର ଦିନ୍‌ କମିଟି ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରେ ଆୟୋଜିତ ମହୋତ୍ସବରେ ଯୋଗଦେଇ କହିଛନ୍ତି ଯେ ବଲାଙ୍ଗିରକୁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାଷା, ସାହିତ୍ୟ, ରାଜନୀତି, ସଂସ୍କୃତି ଆଦି ପ୍ରତି କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାର ଅବଦାନ ଅତୁଳନୀୟ। ଦଳମତ ନିର୍ବିଶେଷରେ ଏହି ମାଟି ଅନେକ ଆଗଧାଡିର ନେତୃତ୍ଵକୁ ଜନ୍ମ ଦେଇଛି। ଏହି ନେତୃବୃନ୍ଦ ଗଣ ଏ ଅଞ୍ଚଳ ତଥା ରାଜ୍ୟର ବିକାଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ୧୯୪୯ ମସିହା ନଭେମ୍ବର ପହିଲାରେ ଗଠିତ ହୋଇଥିଲା। ସେଥିପାଇଁ ପ୍ରତିବର୍ଷ ନଭେମ୍ବର ପହିଲାରେ ବଲାଙ୍ଗିର ଦିନ୍‌ ଉତ୍ସବ ପାଳନ କରାଯାଏ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବଲାଙ୍ଗିରର କଳା ଓ ସଂସ୍କୃତି ମହାନ୍। କିନ୍ତୁ, ଏକ ସମୃଦ୍ଧ ସଂସ୍କୃତିର ପ୍ରଥମ ସର୍ତ୍ତ ହେଉଛି ଏକ ସମୃଦ୍ଧ ସମାଜ। ଗତ ଚାରିମାସ ତଳେ ଆପଣମାନେ ଯେଉଁ ଆଶା ଓ ଭରଷାରେ ଏକ ନୂତନ ସରକାରଙ୍କୁ ନିର୍ବାଚିତ କରିଛନ୍ତି, “ମୁଁ କଥା ଦେଉଛି ଆପଣମାନଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବି। ଏହି ଦିଗରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଅଛି। ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ନେତୃତ୍ବରେ ଓଡିଶା ବିକାଶର ନୂତନ ଶିଖରକୁ ଛୁଇଁବା ଆରମ୍ଭ କରିଛି। ବଲାଙ୍ଗିରରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। କେନ୍ଦ୍ର, ରାଜ୍ୟ ସହିତ ଜନପ୍ରତିନିଧି ମଧ୍ୟ ସମାନ ସରକାରର ଅଂଶ ବିଶେଷ । ତେଣୁ ବିକାଶର ରାଜରାସ୍ତାରେ ଟ୍ରିପଲ ସ୍ପିଡରେ ବିକାଶର ଧାରା ଜାରି ରହିବ।

ଆଜି ଗୋଟିଏ ଦିନରେ ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି ବୋଲି ପ୍ରକାଶ କରି ଆଜି ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ।

ସେ କହିଥିଲେ ଯେ “ମୁଖ୍ୟମନ୍ତ୍ରୀ ଭାବେ ଏହା ମୋର ପ୍ରଥମ ଗସ୍ତ ହୋଇପାରେ, କିନ୍ତୁ ମୁଁ ବଲାଙ୍ଗୀରବାସୀଙ୍କୁ କଥା ଦେଉଛି ଯେ ଏହା ମୋର ଶେଷ ଗସ୍ତ ନୁହେଁ, ଏହା ତ ଆୟମାରମ୍ଭ ମାତ୍ର। ଭବିଷ୍ୟତରେ ବଲାଙ୍ଗିରର ବିକାଶ ଯାତ୍ରାରେ ସାମିଲ ହେବାକୁ ମୁଁ ବାରମ୍ବାର ଆପଣଙ୍କ ସହିତ ସାମିଲ ହେବି।”

ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୧୯୪୦ ମସିହାରେ ପାଟନା ରାଜ୍ୟର ଶାସକ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦ୍ୱାରା ଐତିହାସିକ ଏହି କୋଶଳ କଳାମଣ୍ଡଳ ପ୍ରତିଷ୍ଠା କରାଯାଇଥିଲା। ଆଜି ଏହି କୋଶଳ କଲା ମଣ୍ଡଲ ପଡିଆ ବଲାଙ୍ଗୀର ଜିଲ୍ଲାର ଐତିହ, ସଂସ୍କୃତି ଓ ପରମ୍ପରାର ପ୍ରାଣକେନ୍ଦ୍ର ପାଲଟି ଯାଇଛି ବୋଲି ସେ କହିଥିଲେ।

ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ଶୋଭା, ପର୍ଯ୍ୟଟନ ସ୍ଥାନ, ପ୍ରସିଦ୍ଧ ମନ୍ଦିର ଇତ୍ୟାଦି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଣୀପୁର-ଝରିଆଲରେ ଥିବା ଇନ୍ଦ୍ରଲାଠ ମନ୍ଦିର ବୋଧହୁଏ ଦେଶର ଏକମାତ୍ର ଇଟାରେ ନିର୍ମିତ ମନ୍ଦିର ଯାହା ପୂର୍ଣାଙ୍ଗ ଭାବେ ଆଜି ଗର୍ବର ସହିତ ଛିଡା ହୋଇଛି। ଗୋଟିଏ ସ୍ଥାନରେ ଶୈବ, ଶାକ୍ୟ, ବୈଷ୍ଣବ ଏବଂ ଶକ୍ତି ଉପାସନାର ଏକ ବିରଳ ଓ ଅଦ୍ଭୁତ ସମ୍ମିଶ୍ରଣ ଦେଖିବାକୁ ମିଳେ ଏଠି। କିନ୍ତୁ, ଏହାର ପର୍ଯ୍ୟଟନ ସ୍ଥଳୀ ଭାବେ ଯେତେ ସୁଯୋଗ ଅଛି, ତାହାକୁ ସଂପୂର୍ଣ୍ଣ ଭାବେ ଉପଯୋଗ କରିବାରେ ପୂର୍ବବର୍ତ୍ତୀ ସରକାରମାନେ ବିଫଳ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଆମ ସରକାର ଓଡିଶାର ସମସ୍ତ ମହତ୍ବପୂର୍ଣ୍ଣ ଓ ଐତିହାସିକ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ କରି ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି। ବଲାଙ୍ଗୀର ଜିଲ୍ଲାର ଶ୍ରୀ ହରିଶଙ୍କର ଓ ରାଣିପୁର-ଝରିଆଲକୁ ପ୍ରାଥମିକତା ଦେଇ ଉନ୍ନତି କରଣ କରାଯିବ ବୋଲି ସେ କହିଥିଲେ।

ନୂଆ ସରକାର ଆସିବା ପରେ ଓଡିଶା ବିକାଶର ରାଜରାସ୍ତାରେ ଦୌଡିବା ଆରମ୍ଭ କରିଦେଇଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନା, ଧାନ କ୍ୟୁଣ୍ଟାଲ ପିଛା ୩୧୦୦ଟଙ୍କା, ଡ୍ରପ ଆଉଟ ରୋକିବା ପାଇଁ ମାଧୋ ସିଂ ଛାତ୍ରବୃତ୍ତି, ଶ୍ରୀମନ୍ଦିରର ଚାରି ଦ୍ଵାରା ଖୋଲାଯିବା, ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲି ଗଣତି ମଣତି କରିବା ପରି କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ସେ କହିଲେ ଯେ ଆମ ସରକାର ଲୋକଙ୍କ ସରକାର। ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାହା ୧୩ ବର୍ଷ ଧରି ବନ୍ଦ ପଡି ରହିଥିଲା, ଆଜି ସର୍ବ ସାଧାରଣଙ୍କ ପାଇଁ ଉନ୍ମୁକ୍ତ । ସେ କହିଲେ, “ମୋ ସହ ମୋର ସହଯୋଗୀ ମନ୍ତ୍ରୀଗଣ ଲୋକଙ୍କ ଦୁଃଖ ସୁଖ ବୁଝି ସେ ସବୁର ନିରାକରଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଗରୁ ଆପଣମାନେ କେବେ ଦେଖିଥିଲେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମାନେ ବାତ୍ୟା ସମୟରେ ନିଜେ ବାତ୍ୟା ଆଶ୍ରୟ ସ୍ଥଳୀ ବୁଲି, ଲୋକଙ୍କ ଦୁଃଖ ସୁଖ ପଚାରି ବୁଝି ସେ ସବୁର ସମାଧାନ କରିବା ? ମୁଁ ମୁକ୍ତ କଣ୍ଠରେ ଆଜି କହିପାରିବି ମୁଁ ଏବଂ ମୋ ମନ୍ତ୍ରୀଗଣ ଲୋକଙ୍କ ସୁଖ ଦୁଃଖରେ ସବୁବେଳେ, ସବୁ ସମୟରେ ଛିଡା ହୋଇଛନ୍ତି, ଏବ ଭବିଷ୍ୟତରେ ମଧ୍ୟ ଛିଡା ହୋଇଥିବେ।”

ବଲାଙ୍ଗୀର ଜିଲ୍ଲାର ବଳିଷ୍ଠ ଏବଂ ସୁନ୍ଦର ସଂସ୍କୃତି ଓ ପରମ୍ପରାକୁ ନିକଟରୁ ଦେଖିବାକୁ ମୋତେ ସୁଯୋଗ ମିଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଆଜି ଏହି ମହାନ ମାଟି କୁ ଆସି ମୁଁ ନିଜକୁ ଧନ୍ୟ ମଣୁଛି ଏବଂ ଏହାର ସେବା ରେ ନିଜକୁ ସାମିଲ କରାଇପାରିଥିବାରୁ ଖୁସି ଅନୁଭୂତ କରୁଛି ।

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗଦେଇ ଜିଲ୍ଲାର କଳା ଓ ସଂସ୍କୃତି ଉପରେ ଆଲୋକପାତ କରିବା ସହିତ ନୂଆ ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ଶ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହ ଦେଓ, କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ଟିଟିଲାଗ଼ଡ ବିଧାୟକ ଶ୍ରୀ ନବୀନ ଜୈନ ମହୋଦୟ; ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ଦେବକି ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଗଣ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ, ଜିଲ୍ଲାରେ ୮୯୦ କୋଟି ଟଙ୍କାର ୮୩ଟି ପ୍ରକଳ୍ପର କଲେ ଶୁଭାରମ୍ଭ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ କରିଛନ୍ତି। ଜଳ ସେଚନ, ସ୍ବାସ୍ଥ୍ୟ ଭିତ୍ତିଭୂମି, ପାଇପ ଜଳ ଯୋଗାଣ ପ୍ରକଳ୍ପ, ସେତୁ ନିର୍ମାଣ ପ୍ରକଳ୍ପ, ସଡକ ନିର୍ମାଣ ପ୍ରକଳ୍ପ ଭଳି ସମୁଦାୟ ୮୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବେଲପଡା ଓ ପାଟଣାଗଡରେ ଏଥି ପାଇଁ ଆୟୋଜିତ ଦୁଇଟି ଜନସଭାରେ ଉଦ୍‌ବୋଧନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପ୍ରଥମେ ତୁଷୁରା ଏୟାରଷ୍ଟ୍ରିପ ଠାରେ ୬୫ କୋଟି ଟଙ୍କା ବ୍ୟୟରେ ୧୩୩୦ ମିଟର ଏୟାରଷ୍ଟ୍ରିପ ରନୱେର ଉନ୍ନତି କରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉନ୍ନତି କରଣ ପରେ ଏହି ଏୟାରଷ୍ଟ୍ରିପ 2-B ବର୍ଗରେ ଅନ୍ତର୍ଭୁକ୍ତ ହେବ ଏବଂ ଏହା ଦ୍ବାରା ବଲାଙ୍ଗିର ଓ ଭୁବନେଶ୍ବର ମଧ୍ୟରେ ସିଧାସଳଖ ବିମାନ ଯାତ୍ରା ସମ୍ଭବ ହୋଇ ପାରିବ ଏବଂ ଏହା ଜିଲ୍ଲାର ବିକାଶକୁ ଆହୁରି ଗତିଶୀଳ କରିବ।

ଏହା ପରେ ମୁଖ୍ୟମନ୍ତ୍ରୀ ୩୦୦ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପ ମୂଲ୍ୟରେ ବେଲପଡା ବ୍ଲକର ଅପର ଲାନ୍ଥ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଓଡିଶାର ଯେଉଁ ବ୍ଲକରେ ଜଳସେଚନ ହାର କମ୍ ଅଛି ସେ ସବୁ ବ୍ଲକରେ ଅଧିକରୁ ଅଧିକ ଜଳସେଚନ ସୁବିଧା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅପର ଲାନ୍ଥ ପ୍ରକଳ୍ପ ଏହି ପଦକ୍ଷେପର ଅଂଶ ବିଶେଷ। ଆଜିଠାରୁ ଆରମ୍ଭ ହେଲା ବଲାଙ୍ଗିର ବିକାଶର ଧାରା।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ଉଭୟ ଖରିଫ ଏବଂ ରବି ୠତୁରେ ୧୫ ହଜାର ଏକରରୁ ଅଧିକ ଜମି ଜଳସେଚିତ ହେବ ଏବଂ ଏହା ଦ୍ବାରା ବେଲପଡା ବ୍ଲକର ୨୫ ଟି ଗାଁର ୩୮ ହଜାରରୁ ଅଧିକ ଚାଷୀ ଉପକୃତ ହେବେ। କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏଣିକି ଚାଷୀମାନେ ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ଟଙ୍କା ପାଇବେ। ଧାନ ବିକ୍ରିରେ କଟନୀ ଛଟନି ରହିବ ନାହିଁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବେଲପଡା ବ୍ଲକ ତଥା ବଲାଙ୍ଗିର ଜିଲ୍ଲାର ପାଣି ସମସ୍ୟାର ସମାଧନ ଲାଗି ଏହି ପ୍ରକଳ୍ପ ଗୋଟିଏ ବଳିଷ୍ଠ ପଦକ୍ଷେପ ଏବଂ ଏହାକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରାଯିବ।

ଲୋୟର ସୁକତେଲ ପ୍ରକଳ୍ପର ଟଙ୍କା ବାଟମାରଣା ଭଳି ଭୁଲ ଆମ ସରକାରରେ ହେବ ନାହିଁ। ଅପର ଲାନ୍ଥ ଜଳସେଚନ ପ୍ରକଳ୍ପ ବେଲପଡା ତଥା ବଲାଙ୍ଗିର ଜିଲ୍ଲାରେ ସେଚ ବିପ୍ଳବ ଆଣିବ। ଲାନ୍ଥ ନଦୀ ଉପରେ ୨୪୯୫ ମିଟର ଲମ୍ବା ଡ୍ୟାମରେ ଜଳ ବିଦ୍ୟୁତ ଶକ୍ତି ୟୁନିଟ୍ ଦ୍ବାରା ୨୧୦ କିଲୋ ୱାଟ୍ ବିଜୁଳୀ ଉତ୍ପାଦନ ପାଇଁ ବ୍ୟବସ୍ଥା ମଧ୍ୟ ହେବ। ଏହି ପ୍ରକଳ୍ପ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ।

ମୁଖ୍ୟମନ୍ତ୍ରୀ ଜିଲ୍ଲା ବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ବଲାଙ୍ଗିର ଜିଲ୍ଲା ହେଉଛି ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର। ଗତ ୭୫ ବର୍ଷରେ ହୋଇଥିବା ଅନ୍ୟାୟ ଓ ବିକାଶର ଅସମାନତାକୁ ଦୂର କରିବା ପାଇଁ ଆମ ସରକାର ବଦ୍ଧପରିକର।

ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପାଟଣାଗଡ ଉପଖଣ୍ଡ ମେଡିକାଲ ଓ ଡାଏଲିସିସ୍ କେନ୍ଦ୍ର ଏବଂ ଟିଟଲାଗଡରେ ଏକ ଡାଏଲିସିସ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ। ଏଥି ସହିତ ପାଟଣାଗଡର ବହୁ ପ୍ରତିକ୍ଷିତ ବାଇପାସ୍ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୧୮ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ଏହି ବାଇପାସ୍ ରୋଡରେ ୪ଲେନ୍ ବଶିଷ୍ଟ ରାସ୍ତା, ସୁବର୍ଣ୍ଣରେଖା ଓ ମାୟାବତୀ ନାଳ ଉପରେ ଦୁଇଟା ସେତୁ, ୨୮ଟି ନ୍ୟୁ ବକ୍ସ ସେଲ୍ କଲଭର୍ଟ ନିର୍ମାଣ ହେବ। ଏହି ବାଇପାସ ରୋଡ ଦ୍ବାରା ପାଟଣାଗଡର ଟ୍ରାଫିକ୍ ସମସ୍ୟା ଦୂର ହେବ।

ଖୋର୍ଦ୍ଧା–ବଲାଙ୍ଗିର ରେଳ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ବ ନେବା ପରେ ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଦୃତ ବେଗରେ ଆଗେଇ ଚାଲିଛି। ଉଭୟ ପଟୁ ୧୫୨ କିଲୋମିଟରରୁ ଅଧିକ କାମ ସରିଯାଇଛି। ଖୁବ୍ ଶୀଘ୍ର ସୋନପୁରରୁ ପୁରୁଣା କଟକ ପର୍ଯ୍ୟନ୍ତ ୭୩ କିଲୋମିଟର ରେଳ ଲାଇନ୍ କାମ ସମ୍ପୂର୍ଣ୍ଣ ହେବ ଏବଂ ବହୁ ପ୍ରତିକ୍ଷିତ ଖୋର୍ଦ୍ଧା – ବଲାଙ୍ଗିର ମଧ୍ୟରେ ରେଳ ଚାଲିବ। ଓଡିଶା ପ୍ରତି ଏହା ମୋଦୀଜୀଙ୍କ ଭଲପାଇବାର ନିଦର୍ଶନ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବାରୁ ବଲାଙ୍ଗିର ଜିଲ୍ଲାରେ ବିକାଶର ଗତି ଏକ୍ସେପ୍ରେସ୍ ସ୍ପିଡ୍‌ରେ ଚାଲିଛି। ରାଜ୍ୟରେ ଡବଲ ଇଞ୍ଜିନ ଓ ବଲାଙ୍ଗିରରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। କାରଣ ଏହି ଜିଲ୍ଲାର ଦୁଇଜଣ ଜନପ୍ରତିନିଧି ଓଡିଶା ସରକାରରେ ପ୍ରତିନିଧିତ୍ବ କରୁଛନ୍ତି। ଏଥି ସହିତ ଅନେକ ସାଂସଦ ଓ ବିଧାୟକ ମଧ୍ୟ ଜିଲ୍ଲାରୁ ସରକାରୀ ଦଳକୁ ପ୍ରତିନିଧିତ୍ବ କରୁଛନ୍ତି। ଡବଲ ଇଞ୍ଜିନ ସରକାର ଓଡିଶାରେ ବିକାଶର ନୂଆ ଇତିହାସ ଲେଖିବା ପାଇଁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନ ପାଇଁ ପ୍ରସ୍ତୁତ ହେବାକୁ ଥିବା ଭିଜନ ଡକୁମେଣ୍ଟ ପାଇଁ ନିଜର ସୁଚିନ୍ତିତ ମତାମତ ଦେବା ପାଇଁ ଅନୁରୋଧ କରି କହିଥିଲେ ଆପଣ ମାନଙ୍କ ମତ ଓ ଆପଣ ମାନଙ୍କ ଭାଗିଦାରୀରେ ଆମେ ଗଢିବୁ ଆମ ସ୍ବପ୍ନର ଓଡିଶା- ସମୃଦ୍ଧ ଓଡିଶା, ବିକଶିତ ଓଡିଶା।

ବଲାଙ୍ଗିରରେ ୮ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନୂତନ ସର୍କିଟ ହାଉସକୁ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ ଏହି ଅପର ଲାନ୍ଥ ପ୍ରକଳ୍ପରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ମୋ ବିଭାଗର ସମ୍ପୃକ୍ତି ରହିଛି ତେଣୁ ଏହି ପ୍ରକଳ୍ପ କାମ ଖୁବ୍ ଶୀଘ୍ର ସମ୍ପନ୍ନ ହେବ। ଆମ ସରକାର କ୍ଷମତାକୁ ଆସିବା ପରେ ଏହି ସବୁ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ଏବଂ ଏଗୁଡିକର ଉଦ୍‌ଘାଟନ ମଧ୍ୟ ଆମ ସରକାର କରିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହ ଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ଏବଂ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସଲବାର ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନିଜ ଗାଁରେ ଦୀପାବଳୀ ପାଳିଲେ ମୁଖ୍ୟମନ୍ତ୍ରୀ: ସୋହରାଇ ପୂଜାରେ ବଜାଇଲେ ପାରମ୍ପରିକ ବାଦ୍ୟ ମାଦଳ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ଆଜି ଗାଁରେ ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ଦିପାବଳି ପାଳନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଜନ୍ମମାଟିରେ ଦୀପାବଳୀ ପାଳନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ମା’ କାଳୀଙ୍କ ଆରାଧନା ନିମନ୍ତେ ନିଜ ଜନ୍ମମାଟି ରାଇକଳାଠାରେ ସୋହରାଇ ପୂଜାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କ ସହ ମିଶି ପାରମ୍ପରିକ ବାଦ୍ୟ ମାଦଳ ବଜାଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ, ସୋହରାଇ ପୂଜାରେ ହେବେ ସାମିଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ଗାଁରେ ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ଦିପାବଳି ପାଳନ କରିବେ।

ଆଦିବାସୀ ମନଙ୍କ ସ୍ଵତନ୍ତ୍ର ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦୀପାବଳି ପାଳନ କରିବେ। ଦୀପାବଳିରେ ସୋହରାଇ ପୂଜା କରିଥାନ୍ତି ଆଦିବାସୀ ମାନେ । ମୁଖ୍ୟମନ୍ତ୍ରୀ ନିଜେ ଗାଁରେ ଏହି ପୂଜାରେ ସାମିଲ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ଥାନୀୟ ଉତ୍ପାଦ କିଣିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ: ଏକ ନମ୍ବର ହାଟ ଫୁଟପାଥରୁ କିଣିଲେ ପୂଜା ସାମଗ୍ରୀ

ଭୁବନେଶ୍ୱର: ଭୁବନେଶ୍ବରର ଏକ ନମ୍ବର ହାଟ ପାଖରେ ଥିବା ରାଜ ରାସ୍ତାର ଫୁଟ ପାଥରେ ଅନେକ ଦୋକାନୀ ସେମାନଙ୍କ ଜିନିଷ ବିକନ୍ତି। ପୂଜା ପାର୍ବଣରେ ବହୁ ପରିମାଣରେ ପୂଜା ସାମଗ୍ରୀ ମଧ୍ୟ ବିକ୍ରି ହୁଏ।

କିନ୍ତୁ, ଆଜି ସେହି ଦୋକାନୀ ମାନଙ୍କ ପାଇଁ ଥିଲା ଏକ ଅଭୂତପୂର୍ବ ଆନନ୍ଦର ଦିନ। ଆଜି ଥିଲା ଦିପାବଳି। ଲୋକଙ୍କ ଗହଣରେ ଜିନିଷ ବିକୁଥିବା ବେଳେ ହଠାତ୍ ଆସି ପହଞ୍ଚି ଗଲେ ମୁଖ୍ୟମନ୍ତ୍ରୀ ନିଜେ। ଦୀପାବଳି ସାମଗ୍ରୀ ବିକ୍ରି କରୁଥିବା ମାଉସୀ ତ୍ରିବେଣୀ ସାହୁ ହୋଇ ଯାଇଥିଲେ ଆଶ୍ଚର୍ଯ୍ୟ ଚକିତ।

ମୁଖ୍ୟମନ୍ତ୍ରୀ ସପତ୍ନିକ ଯାଇଥିଲେ। ଦିପ, ସଲିତା, ତେଲ, ନଡ଼ିଆ, ମାଟିର ଦୀପ ଦାନି ଆଦି ଅନେକ ଜିନିଷ ଦେଖିଲେ। ପଚାରିଲେ ଦୀପ ସବୁ ଆମ ଓଡ଼ିଶାରେ ତିଆରି ହୋଇଛି ନା ନାହିଁ। ସେମାନେ କହିଲେ, ହଁ, ସବୁ ଆମ ଓଡ଼ିଶାର କାରିଗର ତିଆରି କରିଛନ୍ତି। ତା ପରେ, ମୁଖ୍ୟମନ୍ତ୍ରୀ ସବୁ ଜିନିଷ କିଣିଲେ। ଆଉ କିଛି ଦୋକାନୀ ରଘୁନାଥ ବାରିକ, ମନୋରଞ୍ଜନ ରାଉତଙ୍କ ଠାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୂଜା ସାମଗ୍ରୀ କିଣିଥିଲେ।

ମୁଖ୍ୟମନ୍ତ୍ରୀ ଏହା ପରେ ସେଠାରେ ପହଞ୍ଚିଥିବା ଗଣ ମାଧ୍ୟମକୁ ବକ୍ତବ୍ୟ ଦେଇ କହିଲେ ଯେ ଆଗରୁ ବିଧାୟକ ଥିବା ବେଳେ ମୁଁ ଏହି ପାଖରେ ରହୁଥିଲି। ଏହି ବ୍ୟବସାୟୀ ମାଉସୀ ଓ ମଉସା ମାନଙ୍କ ଠାରୁ ଜିନିଷ କିଣୁ ଥିଲି। ଆଜି ମଧ୍ୟ କିଛି ପରିବର୍ତ୍ତନ ହୋଇ ନାହିଁ।

ଆମର ଏହି ଓଡ଼ିଆ ମା ମାଉସୀ ମାନେ ଛୋଟ ଦୋକାନୀ। ସ୍ଥାନୀୟ ଉତ୍ପାଦ ବିକ୍ରି କରୁଛନ୍ତି। ତେଣୁ, ସେମାନଙ୍କ ଠାରୁ ଜିନିଷ କିଣିଲେ ସ୍ଥାନୀୟ କାରିଗର ଓ ବ୍ୟବସାୟୀ ମାନଙ୍କର ବ୍ୟବସାୟ ଚାଲିବ ଓ ସେମାନଙ୍କୁ ପ୍ରୋତ୍ସାହନ ମିଳିବ। ଏହା ଆମ ଓଡ଼ିଆ ଅସ୍ମିତାକୁ ଆଗକୁ ନେବ। ଓଡ଼ିଆ ଭାବରେ ଏହା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ସେ କହିଥିଲେ।

ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ସେଠାରୁ କେନ୍ଦୁଝର ଗସ୍ତରେ ବାହାରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଫାର୍ମାସୀ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମଙ୍ଗଳବାର ସାରା ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ନିମନ୍ତେ ୧୨ ହଜାର ୮୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଉପକଣ୍ଠ ଗୋଠପାଟଣା ଠାରେ ଥିବା ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟେରୀ ସେଣ୍ଟରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ମୁକେଶ ମହାଲିଙ୍ଗ।

ଏହି ଅବସରରେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲର ଫର୍ମାସୀ ବିଭାଗର କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଆଇଏମ୍ ଏସ ଆଣ୍ଡ ସମ୍ ହସ୍ପିଟାଲ ଫାର୍ମାସୀ କର୍ମଚାରୀ ଓ ଛାତ୍ରାଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଲୋଚନା କରିବାବେଳେ ଫାର୍ମାସୀ ଟେଷ୍ଟିଙ୍ଗ ବିଷୟରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟାରୀ ସେଣ୍ଟର ସେମାନଙ୍କୁ ଅନେକ ସାହାଯ୍ୟ କରିବ ବୋଲି ମଧ୍ୟ କହିବା ସହ ସମ୍ ଫାର୍ମାସୀ କର୍ମଚାରୀ ଓ ଛାତ୍ରାଛାତ୍ରୀଙ୍କ ସହ ବେଶ୍ ଆନନ୍ଦିତ ଭାବେ ଫଟୋ ଉଠାଇଥିଲେ ମୁଖ୍ଯମନ୍ତ୍ରୀ ଶ୍ରୀ ମାଝୀ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୋତେ କେହି ହେୟ ଜ୍ଞାନ କରନ୍ତୁ ନାହିଁ, ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ମୋତେ କେହି ହେୟ ଜ୍ଞାନ କରନ୍ତୁ ନାହିଁ, ଏବେ ଟ୍ରେଲର ଚାଲିଛି.. ଆଗକୁ ପୁରା ସିନେମା ବାକି ଅଛି ବୋଲି ଆଜି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଦୁର୍ନିତି ନିବାରଣ ସପ୍ତାହ ପାଳନ ଅବସରରେ ବରିଷ୍ଠ ଅଧିକାରୀଙ୍କୁ ଏହା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଥିଲା। ଯେଉଁମାନେ ଦୁର୍ନିତି କରୁଛନ୍ତି ସେମାନଙ୍କୁ ଖୁବ ଶିଘ୍ର ବନ୍ଧାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ତାଙ୍କୁ କେହି ହେୟ ଜ୍ଞାନ କରନ୍ତୁ ନାହିଁ ବୋଲି କହିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ତାହା ହେଲା ଯେ, ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କୁ କିଏ ହେୟଜ୍ଞାନ କରୁଛି କି ? ତେବେ ସେମାନେ ଅଧିକାରୀ ନା ମନ୍ତ୍ରୀ ନା ବିଜେପି ନେତା। କାରଣ ଓଡିଶା ପରି ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି କିଏ ହେୟଜ୍ଞାନ କରିବ ସେ ନେଇ ସନ୍ଦେହ ରହିଛି। ତେବେ କଣ ମୁଖ୍ୟମନ୍ତ୍ରୀଙ୍କ ଏହା ନିଜ ଅନୁଭବ କି ବୋଲି ସାଧାରଣ ଆଲୋଚନା ହେବାରେ ଲାଗିଛି।

ତେବେ ଏହି ସଭାରେ କେଉଁମାନେ ହେୟଜ୍ଞାନ କରୁଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀ କାହା ନାମ ବା କେଉଁ ବର୍ଗ ବୋଲି ତାହା ସ୍ପଷ୍ଟ କରି ନାହାଁନ୍ତି। କେବଳ ଏତିକି କହିଲେ ଯେ, ମୋ କଥାକୁ କେହି ହେୟଜ୍ଞାନ ନ କରି ପୁରା ଫିଲ୍ମକୁ ଅପେକ୍ଷା କରନ୍ତୁ। ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ ଏହି ଭାଷଣ ସେଠାରେ ଉପସ୍ଥିତ ଥିବା ସରକାରୀ ଅଧିକାରୀଙ୍କୁ ପରୋକ୍ଷରେ ଦୁର୍ନିତି ନ କରିବା ପାଇଁ ଏକ ଧମକ ସଦୃଶ୍ୟ ଥିଲା। ହେଲେ ରାଜ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ଅନ୍ୟମାନେ ତାଙ୍କୁ ହେୟଜ୍ଞାନ କରୁଛନ୍ତି ବୋଲି କହିବା ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ମୁଖ୍ୟମନ୍ତ୍ରୀ ଏହି ସଭାରେ କହିଛନ୍ତି ଯେ, ନୂଆ ସରକାର ଆସିବା ପରେ ୬ ମୁଖ୍ୟଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସେମାନଙ୍କଠାରୁ ୨୩୩ ଟି ପ୍ଲଟ, ୩୨ କୋଠା, ପ୍ରାୟ ୬ କେଜି ସୁନା ଜବତ ହୋଇଛି। ୧୦ କୋଟି ବ୍ୟାଙ୍କ ଡିପୋଜିଟ୍ ଓ ୨୧ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଅନେକ ବଡ଼ବଡ଼ ଅଧିକାରୀ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏସବୁ ସାଧାରଣ ଲୋକଙ୍କ ଟଙ୍କା, ଯାହା ଏମାନଙ୍କ ପାଖରେ ଥିଲା। ଖାଲି ଏମାନେ ନୁହଁନ୍ତି ଯିଏ ଯିଏ ଦୁର୍ନୀତିରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।

ସେ ଆହୁରି କହିଥିଲେ ଯେ, ଅନେକ ଦୁର୍ନୀତିଖୋର ଭିଜିଲାନ୍ସ ଜାଲରେ ପଡ଼ନ୍ତିନି। ତେଣୁ ସେଭଳି ଅଧିକାରୀଙ୍କ ନିଦ ହଜାଇ ଦେବାକୁ ହେବ। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ମନରେ ଗିରଫଦାରୀ ଭୟ ବସା ବାନ୍ଧି ରହିବା ଉଚିତ। ଏପରିକି, ସେମାନେ ବାଥରୁମରେ ଥିବା ବେଳେ, ଘରେ ରହୁଥିବା ବେଳେ ଗିରଫଦାରୀର ଭୟ ଯେମିତି ଘାରିବ ସେଭଳି କାର୍ଯ୍ୟ ଭିଜିଲାନ୍ସ କରୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ଓ ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଦୁଇ ଥର ସମୀକ୍ଷା କରି ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ପରେ ସନ୍ଧ୍ୟାରେ ଗଣ ମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟରେ ବାତ୍ୟା ଆଶ୍ରୟସ୍ଥଳକୁ ସମୁଦାୟ ୮ ଲକ୍ଷ ୯ ହଜାର ୫୧୩ ଲୋକମାନଙ୍କୁ ଅଣାଯାଇଥିଲା। ସ୍ଥିତି ସ୍ୱାଭାବିକ ହେବାପରେ ଲୋକମାନେ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ମାତ୍ର ୧ ଲକ୍ଷ ୧୦ ହଜାର ୭୭୦ ଜଣ ଆଶ୍ରୟସ୍ଥଳୀରେ ଅଛନ୍ତି। ଯେଉଁ ଅଞ୍ଚଳରେ ପାଣି ଜମି ରହିଛି, ସେଠାରେ ଲୋକମାନେ ଏ ପର୍ଯ୍ୟନ୍ତ ଅଛନ୍ତି। ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସେମାନେ ରହି ପାରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବାତ୍ୟା ଯୋଗୁ ସମୁଦାୟ ୨୨.୮୪ ଲକ୍ଷ ପରିବାରକୁ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଥିଲା। ତନ୍ମଧ୍ୟରୁ ଆଜି ସନ୍ଧ୍ୟା ୭ ଟା ୩୦ ସୁଦ୍ଧା ୯୨ ପ୍ରତିଶତରୁ ଅଧିକ ପରିବାରକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା “ଦାନା” ଦ୍ୱାରା କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା।

ଏହିସବୁ ଜିଲ୍ଲା ଗୁଡିକରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିଥିଲା।

କେନ୍ଦ୍ରାପଡାରେ ବର୍ତ୍ତମାନ ସ୍ଥିତି ପ୍ରାୟତ ସ୍ବାଭାବିକ ଅଛି। ବର୍ତ୍ତମାନ ସୁଦ୍ଧା ବାତ୍ୟା ଦ୍ୱାରା ପ୍ରଭାବିତ ୯୫ ପ୍ରତିଶତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି। ପ୍ରାୟ ୧୫ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି। ସେମାନଙ୍କୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ବର୍ତ୍ତମାନ ମଧ୍ୟ କାମ ଜାରି ରହିଛି।

ଭଦ୍ରକରେ Water logging ସମସ୍ୟା ଯୋଗୁଁ Power Restoration କାମ ବିଳମ୍ବ ହେଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୭ ପ୍ରତିଶତ Restoration ହୋଇଛି। ପ୍ରାୟ ୭୦ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି। ଅଧିକ ଟିମ୍ ନିୟୋଜିତ କରି ବର୍ତ୍ତମାନ ମଧ୍ୟ କାମ ଜାରି ରହିଛି। ଖୁବ୍ ଶୀଘ୍ର ପରିସ୍ଥିତି ସ୍ବଭାବିକ ହୋଇଯିବ ବୋଲି ସେ କହିଛନ୍ତି।

ବାଲେଶ୍ୱରର ସ୍ଥିତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବାଲେଶ୍ୱର ଜିଲ୍ଲାରେ ଆଜି ସନ୍ଧ୍ୟା ସୁଦ୍ଧା ବାକିଥିବା ସବୁ ରାସ୍ତା ଅବରୋଧ ହଟାଯାଇଛି। ପ୍ରାୟ ୮୧ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି। Power Restoration କାମ ଜାରି ରହିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିମିଳିପାଳରେ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବୁଢାବଳଙ୍ଗ ନଦୀରେ ଜଳସ୍ତରରେ ବୃଦ୍ଧି ଘଟୁଛି। ତେବେ ବର୍ତ୍ତମାନ ଶେଷ ରିପୋର୍ଟ ଅନୁଯାୟୀ ଜଳ ସ୍ତର ସ୍ଥିର ଅଛି। ବର୍ଷା ବନ୍ଦ ହୋଇଥିବାରୁ ଆହୁରି କମିବାର ସଂଭାବନା ଅଛି।

ବାଲେଶ୍ୱର ଜିଲ୍ଲାରେ ୬ ଟି ଗ୍ରାମ ପଞ୍ଚାୟତର ୨୦ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଅଛି। ରେମୁଣା ବ୍ଲକର ୨୫୦୦ ଓ ବାଲେଶ୍ୱର ସଦର ବ୍ଲକର ୮ ହଜାର ଲୋକଙ୍କୁ ପ୍ରଶାସନ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଆଣିଛି। ସେଠାରେ ପ୍ରଶାସନ, ODRAF ଓ Fire Services ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି।

ମୟୂରଭଞ୍ଜର ସ୍ଥିତି ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ଓ ଯୋଗା ଯୋଗ ବ୍ୟବସ୍ଥା ସ୍ୱାଭାବିକ ହୋଇଛି। ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ସେଠାରେ ମଧ୍ୟ ପ୍ରଶାସନ, ODRAF ଓ Fire Services ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି।

ବନ୍ୟା ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାକୁ ଅତିରିକ୍ତ ୧୧ ଗୋଟି power boat ଏବଂ ବାଲେଶ୍ୱର ଜିଲ୍ଲାକୁ ଅତିରିକ୍ତ ୧୦ ଗୋଟି power boat ପଠେଇବାକୁ ମୁଁ ନିର୍ଦ୍ଦେଶ ଦେଇଛି।

ବାଲେଶ୍ୱରର ଗୋବିନ୍ଦପୁର ସେତୁ ଠାରେ ବର୍ତ୍ତମାନ ଜଳସ୍ତର ୭.୮୪ ମିଟର ରେ ପ୍ରବାହିତ ହେଉଅଛି, ଯାହାକି ବିପଦ ସଂକେତଠାରୁ ତଳେ ଅଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଏପର୍ଯ୍ୟନ୍ତ ସର୍ପାଘାତରେ ୨୮ ଜଣ ବ୍ୟକ୍ତି ଆହାତ ହୋଇ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ ପୁରୁଷ ଓ ୧୩ ଜଣ ମହିଳା ଅଟନ୍ତି।

ଫସଲହାନୀ ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି ଯେ, ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି। ପାଣି ଛାଡିଲା ପରେ ଏହାର ସଠିକ୍ ଆକଳନ କରାଯାଇ ଚାଷୀମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବାତ୍ୟା ‘ଦାନା’ ଏବଂ ଏହାର ପ୍ରଭାବ ସମ୍ବନ୍ଧରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ବାତ୍ୟା ମୁକାବିଲାରେ ନିୟୋଜିତ ସମସ୍ତ କର୍ମାଚାରୀ, ବିଧାୟକ, ସାଂସଦ, ସମାଜସେବୀମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ”ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟିଗଲା।

ବାତ୍ୟା ‘ଦାନା’ ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ। ସରକାରଙ୍କ ‘ଜିରୋ କାଜୁଆଲଟି’ ନୀତିକୁ , ସଫଳତାର ସହିତ, କାର୍ଯ୍ୟକାରୀ କରିଥିବାରୁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ, ମୁଁ ଆନ୍ତରିକତାର ସହିତ ଧନ୍ୟବାଦ ଜ୍ଞାପନ କରୁଅଛି।

ଲୋକଙ୍କୁ ସୁରକ୍ଷିତ କରି, ସେମାନଙ୍କୁ ଆବଶ୍ୟକୀୟ, ସେବା ପ୍ରଦାନ କରିବା ପାଇଁ, ସମସ୍ତେ ଦିନ ରାତି ଏକ କରିଦେଇଥିଲେ।

ବାତ୍ୟା ପରବର୍ତ୍ତୀ ଥଇଥାନ, ଏବଂ କ୍ଷୟକ୍ଷତିର ଆକଳନ କରି, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆ ଯାଇଅଛି।

ଏ ସରକାର ଆପଣ ମାନଙ୍କର ( ଜନସାଧାରଣଙ୍କର), ଆପଣଙ୍କ ସେବା ଓ ସ‌ହଯୋଗ କରିବା, ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ।

ଶାନ୍ତି ଶୃଙ୍ଖଳା, ଏବଂ ଧୈର୍ଯ୍ୟର ସହିତ, ବାତ୍ୟାକୁ ସଫଳତାର ସହିତ ମୁକାବିଲା କରି, ସରକାରଙ୍କ ନିୟମାବଳୀକୁ ମାନି, ନିଜ ଏବଂ ନିଜ ପରିବାରର, ସୁରକ୍ଷା କରିଥିବାରୁ ଆପଣମାନେ ସମସ୍ତେ ପ୍ରଶଂସାର ପାତ୍ର।

ସମଗ୍ର ଓଡିଶାବାସୀଙ୍କୁ, ମୁଁ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଉଛି।

ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ।”

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ସଂପୂର୍ଣ୍ଣ ଦୁର୍ବଳ ହୋଇ ସାରିଛି, ଓଡ଼ିଶା ଏବେ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି।

ସମୀକ୍ଷା ପରେ ଗଣ ମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସହଯୋଗ ପାଇଁ ଆମେ ବାତ୍ୟା ମୁକାବିଲାରେ ସଫଳ ହୋଇଛୁ। ଆମେ ଆମର ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରି ପାରିଛୁ। ସେଥିପାଇଁ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ଗଣମାଧ୍ୟମ ମଧ୍ୟ ପ୍ରତି ମୁହୂର୍ତ୍ତରେ ଖବର ଦେଇ ଜନ ସାଧାରଣଙ୍କୁ ସତର୍କ ଓ ସରକାରଙ୍କୁ ପଦକ୍ଷେପ ନେବାକୁ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ଗଣ ମାଧ୍ୟମକୁ ମଧ୍ୟ ଧନ୍ୟବାଦ୍ ଦେଇଥିଲେ।

କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ସେମାନେ କଠିନ ପରିଶ୍ରମ କରି ମୁକାବିଲା କାର୍ଯ୍ୟକୁ ସଫଳ କରିଛନ୍ତି। ଆଉ ୨୪ ରୁ ୪୮ ଘଣ୍ଟା ପରିଶ୍ରମ କଲେ ଆମର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ସଫଳ ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଗତ କାଲି ସନ୍ଧ୍ୟା ସୁଦ୍ଧା ଆମର ଆଶ୍ରୟ ସ୍ଥଳୀଗୁଡିକୁ ପ୍ରାୟ ୮ ଲକ୍ଷ ଲୋକ ଆସି ସୁରକ୍ଷିତ ଭାବରେ ରହିଥିଲେ।

ପୁନରୁଦ୍ଧାର କାର୍ଯ୍ୟ ଉପରେ ସୂଚନା ଦେଇ ସେ କହିଲେ ଯେ, ତଥ୍ୟ ଅନୁଯାୟୀ ସବୁ ପ୍ରମୁଖ ରାସ୍ତା ଗୁଡିକ ଅବରୋଧ ହଟାଯାଇ ଗମନାଗମନ ଉପଯୋଗୀ କରାଯାଇଅଛି।

ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପ୍ରକ୍ରିୟା ଜାରି ରହିଛି। ସମୁଦାୟ ୨୨.୪୩ ଲକ୍ଷ ଘରେ ବିଜୁଳି ବାଧାପ୍ରାପାପ୍ତ ହୋଇଥିଲା। ତନ୍ମଧ୍ୟରୁ ୧୪.୮୦ ଲକ୍ଷ ଘରକୁ ଆଜି ସନ୍ଧ୍ୟା ୬ ଟା ସୁଦ୍ଧା ବିଜୁଳି ଯୋଗାଣ କରାଯାଇସାରିଛି।

ଏବେ ମଧ୍ୟ ବିଦ୍ୟୁତ୍ ବ୍ୟବସ୍ଥା ପୁନକ୍ଷମ କାର୍ଯ୍ୟ ଚାଲୁରହିଛି। ଯେଉଁ ଅଞ୍ଚଳରେ ବର୍ଷା ଲାଗି ରହିଛି ସେଠାରେ restoration କରିବା ପାଇଁ ଆଉ କିଛି ସମୟ ଲାଗିବ । ଶକ୍ତି ବିଭାଗ ପ୍ରମୁଖ ସଚିବ କେନ୍ଦ୍ରାପଡ଼ା ଓ ଭଦ୍ରକରେ ଉପସ୍ଥିତ ରହି restoration କାମ ତଦାରଖ କରି କାମ ତ୍ୱରାନ୍ୱିତ କରୁଛନ୍ତି ବୋଲି ସେ କହିଥିଲେ। ଆସନ୍ତା କାଲି ଅପରାହ୍ନ ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହେଇଯିବ ବୋଲି ସେ କହିଥିଲେ।

କୃଷି କ୍ଷେତ୍ରରେ ପ୍ରାରମ୍ଭିକ ଆକଳନରୁ (Eye estimate) ଜଣାଯାଇଛି ଯେ, ୧.୭୫ ଲକ୍ଷ ଏକର ଚାଷ ଜମିରେ ଫସଲ କ୍ଷୟକ୍ଷତି ହୋଇଛି। ସଂପୂର୍ଣ୍ଣ ତଥ୍ୟ ମିଳିବା ପରେ କ୍ଷତିପୂରଣ ମଧ୍ୟ ଦିଆଯିବ। ଘରଭଙ୍ଗା ରିପୋର୍ଟ ମଧ୍ୟ ଖୁବ୍ ଶୀଘ୍ର ଆସିଯିବ। ଫସଲ କ୍ଷତି ଏବଂ ଘରଭଙ୍ଗା ପାଇଁ ଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଗୁଡିକ ଠିକ୍ ଚାଲିଛି ସବୁ ଆଶ୍ରୟସ୍ଥଳରେ ମେଡିକାଲ୍ ଟିମ୍ ଯାଇ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଡାକ୍ତରଖାନା ଓ ମା ଗୃହ ଗୁଡିକରେ ପ୍ରାୟ ୨୨୦୦ ନବଜାତ ଶିଶୁ ଜନ୍ମ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଟି ହେଉଛନ୍ତି ଜାଆଁଳା ଶିଶୁ। ସବୁ ସ୍ଥାନରେ ମା ଓ ଶିଶୁମାନେ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି।

ଯେଉଁ ଜାଗାରେ ପାଣି ଜମି ରହିଛି, ଲୋକଙ୍କ ଘର ଭାଙ୍ଗିଛି, ସେଠାରେ ଲୋକମାନେ ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଆଶ୍ରୟ ସ୍ଥଳରେ ରହିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆବଶ୍ୟକତା ଅନୁଯାୟୀ ଆଶ୍ରୟସ୍ଥଳୀ ଗୁଡିକରେ ସାତ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି ବୋଲି ସେ କହିଥିଲେ।

ପୋଲିସ୍ ଫୋର୍ସ ମଧ୍ୟ ସବୁ ଜାଗାରେ ମୁତୟନ ଅଛନ୍ତି। ସମୁଦାୟ ୧୫୮ ପ୍ଲାଟୁନ୍ ଫୋର୍ସ ନିୟୋଜିତ ଅଛନ୍ତି। ଲୋକଙ୍କୁ ନେବା ଆଣିବାରେ ପୋଲିସ୍ ସହାୟତା ଯୋଗାଇଦେଉଛି। ଆଶ୍ରୟସ୍ଥଳୀ ଗୁଡିକୁ ସୁରକ୍ଷା ଯୋଗାଇଦେଉଛନ୍ତି। ପୋଲିସ ବାହିନୀର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନେ ଭଲ କାମ କରିଛନ୍ତି। ସହାନୁଭୂତିଶିଳ ହୋଇ କାମ କରୁଛନ୍ତି। ଲୋକ ମାନେ ପୋଲିସର ମାନବୀୟ ରୂପ ଦେଖିବାକୁ ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାତ୍ୟା ଦାନା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି।

ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହା ସହିତ ଲୋକଙ୍କ ସୁରକ୍ଷା ପାଇଁ ନିଆ ଯାଇଥିବା ସୁରକ୍ଷା ବଳ, NDRF, ODRAF  ଆଦି ମୁତୟନ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ।

ଆଲୋଚନା ପରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସୂଚନା ଯୋଗ୍ୟ ଯେ ଆଜି ଅପରାହ୍ନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହା ମଧ୍ୟ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ, ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ: ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତ୍ତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ‘You are in Safe Hands’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିପଦ ଟଳିବା ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ଓ ସତର୍କ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ପରିସ୍ଥିତିକୁ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ସମସ୍ତେ କ୍ୟାବିନେଟ ବୈଠକ ପରେ ଜିଲ୍ଲାଗସ୍ତରେ ଯାଇଛନ୍ତି। ଏହା ସହିତ ଅଭିଜ୍ଞତା ସମ୍ପନ୍ନ ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଯେଉଁ ସବୁ ଜିଲ୍ଲାରେ ବାତ୍ୟାର ସମ୍ଭାବନା ଅଛି, ସେ ସବୁ ଜିଲ୍ଲାରେ ବିପଦଶଙ୍କୁଳ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିପଦଶଙ୍କୁଳ ଅଞ୍ଚଳରୁ ୩୦ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି। ରାତି ସାରା ସ୍ଥାନାନ୍ତର କାର୍ଯ୍ୟ ଚାଲିବ ଏବଂ ଆସନ୍ତା କାଲି ସକାଳ ୧୧ଟା ସୁଦ୍ଧା ୯୦ ପ୍ରତିଶତ ସ୍ଥାନାନ୍ତର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ଯଦି ଗତିପଥ ବଦଳେ, ତେବେ ଅନ୍ୟାନ୍ୟ ଜିଲ୍ଲା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେଥିପାଇଁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ। ବାତ୍ୟା ସମ୍ଭାବନା ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ (Emergency Control Room) ପରିଦର୍ଶନ କରି ସେଠାରେ ବିଭିନ୍ନ ସାଟେଲାଇଟ ସୂଚନା ସମ୍ପର୍କରେ ଅବଗତ ହୋଇଥିଲେ ଏବଂ ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମହିଳା କର୍ମଚାରୀଙ୍କୁ ମିଳିବ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ୧୨ ଦିନକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (CL) ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି ( Special CL) ସହିତ ପାଇ ପାରିବେ।

ଏହି ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ସେମାନେ ମାସକୁ ଗୋଟିଏ ଦିନ ଲାଭ କରି ପାରିବେ। ମହିଳା ମାନଙ୍କ ମାସିକ ଧର୍ମ ଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି।

ସୂଚନା ଯୋଗ୍ୟ ଯେ ଏହି ଅତିରିକ୍ତ ସାମୟିକ ଛୁଟି ପୂର୍ବରୁ ୧୦ ଦିନ ପାଇଁ ମିଳୁଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Cyclone Review Meeting: ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମ୍ପର୍କିତ ପ୍ରସ୍ତୁତି ବୈଠକ, ଦେଲେ ଏହି କଡା ନିର୍ଦ୍ଦେଶ

Cyclone Review Meeting:: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରି ବିପଦଶଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଶତପ୍ରତିଶତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଅକ୍ଟୋବର ୨୪ ତାରିଖ ସକାଳ ସୁଦ୍ଧା ପୁରୀ ଓ ସାଗାରଦ୍ବୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଅଛି। ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି।

ବୈଠକ ପରେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାତ୍ୟା ପାଇଁ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ । ବାତ୍ୟାପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ଅଗ୍ନୀଶମ ବାହିନୀ, ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ସମସ୍ତେ ପ୍ରସ୍ତୁତ ଅଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ, ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଆବଶ୍ୟକୀୟ ଖାଦ୍ୟ ପଦାର୍ଥ, ପିଇବା ପାଣି, ଆବଶ୍ୟକୀୟ ଔଷଧ, ଶିଶୁ ଖାଦ୍ୟ ତୁରନ୍ତ ମହଜୁଦ ରଖିବା ସହିତ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବାତ୍ୟାର ତୁରନ୍ତ ପରେ ବିଭିନ୍ନ ରାସ୍ତା ଘାଟରେ ଅବରୋଧ ଦୂର କରି ଯେପରି ବିଦ୍ୟୁତ, ପାଣି ଓ ଟେଲି ଯୋଗାଯୋଗ ପରି ମୌଳିକ ସେବା ତୁରନ୍ତ କାର୍ଯ୍ୟକ୍ଷମ ହେବ, ସେଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଥିଲେ। ଡାକ୍ତରଖାନା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଗୁଡିକରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ବାତ୍ୟା ସମୟରେ ଏବଂ ପରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଦର ବୃଦ୍ଧି ନହୁଏ, ସେଥିପାଇଁ କଳାବଜାରୀଙ୍କ ଉପରେ ନଜର ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବିଭିନ୍ନ ଜିଲ୍ଲା ମଧ୍ୟରେ ସମନ୍ୱୟ ରଖି ପ୍ରଭାବିତ ନ ହୋଇଥିବା ଅଞ୍ଚଳରୁ ଯେପରି ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆସିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।

କୃଷି ବିଭାଗକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବାତ୍ୟା ପରେ କ୍ଷୟକ୍ଷତିର ଆଗୁଆ ଆକଳନ କରିବା ଆବଶ୍ୟକ। ଏହା ସହିତ ବିଭାଗର ‘Contingency Plan’ କୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ସେହିପରି ଆଗୁଆ ରବି ଚାଷ ପାଇଁ ସମସ୍ତ ପ୍ରକାର inputs ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଚାଷୀଙ୍କୁ ପ୍ରଦାନ କରାଯିବା ଉଚିତ ବୋଲି ସେ କହିଥିଲେ।

ବାତ୍ୟା ସମୟରେ କୌଣସି ପ୍ରକାର ଗୁଜବ ଏବଂ ମିଥ୍ୟା ସୂଚନା (misinformation) କୁ ରୋକିବା ପାଇଁ SRCଙ୍କ ତରଫରୁ ନିୟମିତ ଭାବେ ଗଣମାଧ୍ୟମରେ ସୂଚନା ଦେବା ଆବଶ୍ୟକ ବୋଲି ସେ କହିଥିଲେ। ଏହା ସହିତ SRC, OSDMA, I&PR, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ବିଭାଗ, ଗୃହ ବିଭାଗର social media handleରେ ନିୟମିତଭାବେ ଅଧିକୃତ ସୂଚନା posting ହେବା ଆବଶ୍ୟକ ବୋଲି ସେ କହିଥିଲେ।

ସବୁଠାରୁ ଅଧିକ ପ୍ରଭାବିତ ସ୍ଥାନକୁ ଚିହ୍ନିଟ କରି ଗୋଖାଦ୍ୟ ଓ କୁକୁଡା ଖାଦ୍ୟ ମହଜୁଦ ରଖିବା ବୋଲି ସେ କହିଥିଲେ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଗତ ଦିନମାନଙ୍କରେ ଯଦିଓ ପବନ ଯୋଗୁ କେହି ମୃତାହତ ହୋଇନାହାନ୍ତି, ଅନ୍ୟାନ୍ୟ କାରଣରୁ ମଧ୍ୟ ଜୀବନ ହାନି ଘଟିଥାଏ। ଯେପରିକି ମାଟି କାନ୍ଥ ପଡି ମୃତ୍ୟୁ ହେବା। ଏସବୁକୁ ରୋକିବା ପାଇଁ ସମସ୍ତ ଦୁର୍ବଳ ଘରକୁ ଚିହ୍ନଟ କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ଉଚିତ।

ସେହିପରି ସହରାଞ୍ଚଳରେ Billboard କିମ୍ବା Signboard ଉପୁଡି ଲୋକେ ମୃତାହତ ହୁଅନ୍ତି।ତେଣୁ ସବୁ ସହରାଞ୍ଚଳ ବିଶେଷ ଭାବେ ଭୁବନେଶ୍ଵର, କଟକ, ପୁରୀ ଏବଂ ବ୍ରହ୍ମପୁର ସହରରୁ ସବୁ ଦୁର୍ବଳ Billboard କୁ ତୁରନ୍ତ ଚିହ୍ନଟ କରି ସେସବୁକୁ ହଟାଯିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଅଗ୍ନିଶମ ମହାନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଷଡଙ୍ଗୀ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀରେ ଦୁଇ ଦିନିଆ ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ ଉଦ୍‌ଯାପନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ ହୋଇଛି। ଭାରତରେ ଲାଇଟହାଉସ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ମଧ୍ୟରେ ବତୀଘର ଗୁଡିକ ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଗୋଆରେ ପ୍ରଥମ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏ ବର୍ଷ ଓଡିଶାରେ ଦ୍ୱିତୀୟ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହେଉଛି। ବତୀଘର ପର୍ଯ୍ୟଟନରେ ଓଡିଶାକୁ ଯେଉଁ ଗୁରୁତ୍ୱ ଦିଆଯାଇଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।

ସ୍ୱାଧୀନତାର ୭୫ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଦେଶର ୭୫ଟି ଲାଇଟହାଉସର ବିକାଶ କରାଯାଇଛି। ଏଥିରେ ଓଡିଶାର ୫ଟି ଲାଇଟହାଉସ ସ୍ଥାନ ପାଇଛି। ଏଗୁଡିକ ହେଲା- ଗୋପାଳପୁର, ପୁରୀ, ଚନ୍ଦ୍ରଭାଗା, ଫଲ୍‌ସ ପଏଣ୍ଟ ଓ ପାରାଦୀପ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବତୀଘରକୁ ଯେ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ, ଏହା ସାମାନ୍ୟ ଚିନ୍ତାଧାରାର ବାହାରେ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଚିନ୍ତାଧାରା ଓ ଦୂରଦୃଷ୍ଟି ଯୋଗୁ ଆଜି ଆମର ବତୀଘର ଗୁଡିକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବା ସହିତ ଆମର ନୌବାଣିଜ୍ୟ ଐତିହ୍ୟର ପ୍ରସାର କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଲାଇଟହାଉସ ଗୁଡିକୁ ବିକଶିତ କରାଯାଇ ଏଥିରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ସୁବିଧାର ବିକାଶ ମଧ୍ୟ କରାଯାଇଛି। ଏଥିରେ ଦର୍ଶକଙ୍କ ବସିବା ପାଇଁ ସେଡ୍, ଝରଣା, ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା, ପଥର କାରୁକାର୍ଯ୍ୟ ଓ ଅନ୍ୟାନ୍ୟ ସୁବିଧାର ବିକାଶ ମଧ୍ୟ କରାଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସ୍ୟାଣ୍ଡ ଆର୍ଟ, ବୋର୍ଟ ଆର୍ଟ, ବିଚ୍ କ୍ଲିନ୍-ଅପ୍ ଡ୍ରାଇଭ୍, ଯୋଗ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ୍ ଫେଷ୍ଟିଭାଲ୍ ଆଦିର ଆୟୋଜନ ମଧ୍ୟ କରାଯାଉଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏସବୁ କାର୍ଯ୍ୟକ୍ରମ ଜରିଆରେ ପୁରୀର ବିଭିନ୍ନ ଆକର୍ଷଣୀୟ ସ୍ଥାନ ମଧ୍ୟରେ ବତୀଘର ମଧ୍ୟ ଯୋଡି ହୋଇଯିବ। ମୁଁ ଆଶା କରୁଛି କେନ୍ଦ୍ର ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ଯୋଗୁ ଦେଶର ପର୍ଯ୍ୟଟନ ମ୍ୟାପରେ ଓଡିଶାର ଅବସ୍ଥିତ ବତୀଘରଗୁଡିକ ଏକ ପ୍ରମୁଖ ସ୍ଥାନ ଭାବରେ ବିବେଚିତ ହେବ। ଏହା ନିଶ୍ଚିତ ଭାବରେ ଏକ ଅତ୍ୟନ୍ତ ଦୂରଦର୍ଶୀ ସମ୍ପନ୍ନ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ।

ବତୀଘର ବା ଲାଇଟହାଉସ ଆମ ଐତିହାସିକ ବୈଭବର ପରିଚୟ ଦିଏ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଇତିହାସରୁ ଜଣାଯାଏ ଯେ ପ୍ରାଚୀନ ସିନ୍ଧୁ ସଭ୍ୟତାରେ ଏକ ଦୃଢ ନୌବାଣିଜ୍ୟ ପରମ୍ପରା ରହିଥିଲା। ସେ ସମୟରେ ସେଠାରେ ବତୀଘର ପରମ୍ପରା ଥିବାର ଅନୁମାନ ମଧ୍ୟ କରାଯାଏ। ପ୍ରାଚୀନ ଭାରତରେ ତାମିଲନାଡୁର ମହାବଳିପୁରମ ଠାରେ ଥିବା ଓଲାକାନେଶ୍ୱର ମନ୍ଦିର ଏକ ଲାଇଟହାଉସ ବା ବତୀଘର ଭାବେ ବ୍ୟବହୃତ ହେଉଥିବାର ପ୍ରମାଣ ମିଳେ। ତେଣୁ, ଭାରତର ନୌବାଣିଜ୍ୟ ପରମ୍ପରା ଓ ବତୀଘରର ପ୍ରଚଳନ ଯେ ବହୁ ପୁରାତନ, ଏଥିରେ ସନ୍ଦେହ ନାହିଁ।

ଓଡିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଓଡିଆ ସାଧବ ପୁଅମାନେ ଜାଭା, ସୁମାତ୍ରା ଓ ବାଲି ଦ୍ୱୀପ ସହିତ ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ। ଆମର ଏହି ନୌବାଣିଜ୍ୟ ପରମ୍ପରା ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିଥିଲା। ସେହି ପରମ୍ପରାର ସ୍ମୃତି ସ୍ୱରୂପ ଆଜି ଓଡିଶାର ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଉତ୍ସବ ପାଳନ କରାଯାଉଛି। ବର୍ତ୍ତମାନ ବାଲିଯାତ୍ରା ସହିତ ବତୀଘର ମହୋତ୍ସବ ଯୋଡି ହୋଇ ଓଡିଶାର ପ୍ରାଚୁର୍ଯ୍ୟମୟ ଐତିହ୍ୟର ସ୍ମୃତିଚାରଣ କରିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ମଧ୍ୟ ଆଣିବ।

ପୁରୀ ସମୁଦ୍ରକୁଳର ଆକର୍ଷଣ ଉପରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁରୀ ହେଉଛି ଏକମାତ୍ର ବେଳାଭୂମି ଯେଉଁଠି ବର୍ଷସାରା ଏକ ପ୍ରକାର ଉତ୍ସବମୁଖର ବାତାବରଣ ଦେଖିବାକୁ ମିଳିଥାଏ। ଏହି ଉତ୍ସବର ମାହୋଲ ପୁରୀ ବେଳାଭୂମିକୁ ଦେଶର ଅନ୍ୟାନ୍ୟ ବେଳାଭୂମିଠାରୁ ଅଲଗା ପରିଚୟ ଦେଇଥାଏ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଦ୍ୱାର ଗୁଡିକୁ ବନ୍ଦ କରାଯାଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୃତ୍ରିମ ପ୍ରାଚୀର ସୃଷ୍ଟି କରାଯାଇଥିଲା। ବର୍ତ୍ତମାନ ଆମ ସରକାର ଚାରି ଦ୍ୱାର ଖୋଲି ସେ ପ୍ରାଚୀରକୁ ଦୂରକରି ଜଗନ୍ନାଥ ଦର୍ଶନକୁ ଏକ ଆନନ୍ଦମୟ ମୂହୁର୍ତ୍ତ କରିବା ପାଇଁ ଉଦ୍ୟମ କରିଛନ୍ତି। ଏହା ସହିତ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୫୦୦ କୋଟ ଟଙ୍କାର ଏକ କର୍ପସ ପାଣ୍ଠି ମଧ୍ୟ ଗଠନ କରାଯାଇଛି। ନୀତିକାନ୍ତିକୁ ସମୟାନୁବର୍ତ୍ତିତା କରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଛି। ଏଥିସହିତ ଶୃଙ୍ଖଳିତ ତଥା ସୁରକ୍ଷିତ ଦର୍ଶନ କରିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ଅବସରରେ ପାରାଦୀପ ବନ୍ଦରରେ ଦୁଇଟି ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରାଗଲା । ପାରାଦୀପ ବନ୍ଦରରେ ମାଲ ପରିବହନର ସୁବିଧା ପାଇଁ ଗୋଟିଏ ଫ୍ଲାଇ-ଓଭର ଏବଂ ଚାରି ଲେନ୍ ବିଶିଷ୍ଟ ଏକ ସଡକ ମଧ୍ୟ ନିର୍ମାଣ କରାଯାଇଛି। ଏହା ସହିତ କାର୍ଗୋ ହାଣ୍ଡଲିଙ୍ଗରେ ସୁବିଧା ପାଇଁ ଏହାର ଆଧୁନିକୀକରଣ ମଧ୍ୟ କରାଗଲା। ଏହା ଦ୍ୱାରା ଘଣ୍ଟାକୁ ୩୦ ହଜାର ଟନ ଲୁହା ପଥର କାରବାର କରାଯାଇପାରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ପାରାଦୀପ ବନ୍ଦରର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ।

କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ କହିଥିଲେ ଯେ ପାରାଦୀପ ବନ୍ଦରର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ପାରାଦୀପ ବନ୍ଦରରେ ଜାହାଜ ନିର୍ମାଣ ଓ ମରାମତି ପାଇଁ ଏକ କ୍ଲଷ୍ଟର ର ବିକାଶ କରାଯିବ ବୋଲି ସେ ଘୋଷଣା କରିଥିଲେ। ଓଡ଼ିଶାର ୪୮୦ କିଲୋମିଟର ଉପକୂଳ ଅଞ୍ଚଳର ସମନ୍ୱିତ ବିକାଶ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ସେ କହିଥିଲେ ଯେ ବ୍ରାହ୍ମଣୀ ଓ ମହାନଦୀରେ କାର୍ଗୋ ପରିବହନ ପାଇଁ କେନ୍ଦ୍ର ସରକାର ସହଯୋଗ ଯୋଗାଇ ଦେବେ।

ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍‌ ପ୍ରକାଶ ମିଶ୍ର, ପୁରୀ ବିଧାୟକ ଶ୍ରୀ ସୁନିଲ କୁମାର ମହାନ୍ତି, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ବିଭାଗର ସଚିବ ଶ୍ରୀଟି.କେ. ରାମଚନ୍ଦ୍ରନ୍ ସ୍ବାଗତ ଭାଷଣ ଦେଇଥିଲେ। ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ହବିଷ୍ୟାଳୀ ମା’ମାନଙ୍କୁ ଦଣ୍ଡବତ ହୋଇ ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ: ପ୍ରଦାନ କଲେ ବ୍ରତ ସରଞ୍ଜାମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ପ୍ରଭୃତି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା’ ମାନଙ୍କୁ ଦଣ୍ଡବତ ହୋଇ ଆଶୀର୍ବାଦ କାମନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ‘ଏସବୁ ପ୍ରଦାନ କରି ଏହା ମୋ ନିଜର ମା’ଙ୍କୁ ଦେବା ପରି ଅନୁଭବ କରୁଛି’। ସେ କହିଛନ୍ତି ଯେ, ଆପଣ ମାନେ ସମସ୍ତେ ଏହାକୁ ବ୍ରତ ପାଳନ ବେଳେ ବ୍ୟବହାର କରିବେ।

ଏ ମାସ ସାରା ଆପଣ ମାନେ ଯେପରି ଖୁବ୍ ଭଲ ଭାବରେ ହବିଷ କରିବେ, ମହାପ୍ରଭୁଙ୍କ ଦର୍ଶନ କରିବେ, ମହାପ୍ରସାଦ ସେବନ କରିବେ, ଭଜନ କୀର୍ତ୍ତନ ଶୁଣିବେ ଓ ଖୁସି ମନରେ ଘରକୁ ଫେରିବେ, ସେଥିପ୍ରତି ଯତ୍ନବାନ ହେବାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଥିଲେ। ମା’ ମାନଙ୍କୁ  ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଡାକ୍ତର ବ୍ୟବସ୍ଥା ମଧ୍ୟ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଭଲରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ। ନିଜ ପରିବାର ତଥା ରାଜ୍ୟର ସମୃଦ୍ଧି ଓ ବିକାଶ ପାଇଁ  ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ।

ଓଡିଶା ବାହାରେ ଥିବା ସମୟରେ କିଛି ହବିଷ୍ୟାଳୀ ମା’ ମାନଙ୍କ ଅସୁବିଧା ସମ୍ପର୍କରେ ସୂଚନା ପାଇବା ପରେ ସେ  ତୁରନ୍ତ ଏହାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ। ସେ ସବୁର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି। ତେଣୁ ଏହିସବୁକୁ ଦୃଷ୍ଟିରେ ରଖି ଅନେକ ସଂସ୍କାର ଆଣିବାକୁ ପଡିବ। ସବୁଠାରୁ ବଡ ସୁଧାର ହେଉଛି କିପରି ଭାବେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିହେବ। ଏହି ସଂସ୍କାର ପାଇଁ ଆମ ସେବାୟତମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କାର୍ଯ୍ୟରତ ଅଛନ୍ତି। କିନ୍ତୁ, ମୁଁ ଯେପରିଭାବେ କହିଛି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନନ୍ୟ। ପୁରା ବର୍ଷରେ ବୋଧହୁଏ କାର୍ତ୍ତିକ ମାସରେ ସବୁଠାରୁ ଅଧିକ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। କାର୍ତ୍ତିକ ପୂର୍ଣ୍ଣମୀରେ ଅନୁଷ୍ଠିତ ହେଉଥିବା ସୁନା ବେଶ ଦିନ ବୋଧହୁଏ ମନ୍ଦିର ଭିତରେ ସବୁଠାରୁ ଅଧିକ ଭିଡ ହୋଇଥାଏ। ପ୍ରଭୁଙ୍କ କରୁଣାରୁ ସମସ୍ତ ଭକ୍ତ ଦର୍ଶନ କରନ୍ତି, ଏବଂ ଏଇଥର ମଧ୍ୟ ଆପଣମାନେ ସମସ୍ତେ ଶ୍ରୀ ଜୀଉଙ୍କ ଭଲଭାବେ ଦର୍ଶନ କରିବେ ବୋଲି ମୋର ଆଶା ବୋଲି ସେ କହିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ କାର୍ତ୍ତିକ ବ୍ରତର ମହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ବିଶ୍ବାସ ଅଛି, କାଳିଆର ଡୋରୀ ନ ଲାଗିଲେ ଶ୍ରୀକ୍ଷେତ୍ର ଆସିବାର ସୁଯୋଗ ମିଳେନାହିଁ। ପବିତ୍ର କାର୍ତ୍ତିକ ମାସରେ ପବିତ୍ର ଜଗନ୍ନାଥ ଧାମରେ ଆଜି ଆସିବାର ସୁଯୋଗ ମିଳିଥିବାରୁ ମୁଁ ପ୍ରଭୁଙ୍କ ପାଖରେ କୃତକୃତ୍ୟ। ଆମ ଓଡିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସ ଏକ ପବିତ୍ର ଓ ଧାର୍ମିକ ମାସ ଭାବେ ଗଣା ଯାଏ। କାର୍ତ୍ତିକ ମାସ ପୂଣ୍ୟ ଅର୍ଜନର ମାସ। କାର୍ତ୍ତିକ ବ୍ରତର ମହାତ୍ମ୍ୟ ସମ୍ପର୍କରେ କୁହାଯାଇଛି ଯେ ଯେତେ ଦର୍ଶନ, ଯେତେ ତୀର୍ଥ, ଯେତେ ଯାଗ ଯଜ୍ଞ ଇତ୍ୟାଦି ଅଛି ସେସବୁର ଧର୍ମକୁ ଠୁଳ କଲେ କାର୍ତ୍ତିକ ବ୍ରତ ସହିତ ସମାନ ହେବ ନାହିଁ । ଭଗବତ୍ ଗୀତାରେ ମଧ୍ୟ ଏ ବିଷୟରେ ବର୍ଣ୍ଣନା ଅଛି। ଶ୍ରୀକ୍ଷେତ୍ରରେ ଏହାର ସ୍ବତନ୍ତ୍ର ପାଳନ ବିଧି ରହିଛି।  ଏହି ମାସରେ ଆମ ମା ଓ ମାଉସୀ ମାନେ ନିଷ୍ଠାର ସହ ପ୍ରତ୍ୟୁଷରୁ ସ୍ନାନ କରି ବ୍ରତ ପାଳନ ଓ ପୂଜା କରିଥାନ୍ତି। କାର୍ତ୍ତିକ ମାସ ସାରା ସେମାନେ ରାଇ ଦାମୋଦରଙ୍କ ପୂଜା, ତୁଳସୀ ଚଉରା ପୂଜା ସହ ହବିଷ ପାଳନ କରିଥାନ୍ତି। କାର୍ତ୍ତକ ମାସରେ ବିଷ୍ଣୁଙ୍କର ପ୍ରଧାନ ଆରାଧନା ହେଉଛି ରାଇ ଦାମୋଦର ବ୍ରତ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ଭାବେ ବୃନ୍ଦାବତୀ ନିବାସ ନାମରେ ଏକ ହବିଷ୍ୟାଳୀ ଭବନ କରାଯାଇଛି। ଚଳିତ ବର୍ଷ ବୃନ୍ଦାବତୀ ଭବନ ସହିତ ଅନ୍ୟ ତିନୋଟି କେନ୍ଦ୍ର ଯଥା – ଅକ୍ଷୟ ପାତ୍ର ପାଉଣ୍ଡେସନ, ବଗଲା ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ ମାନଙ୍କୁ ରଖାଯାଇଛି। ପୁରୀ ଜିଲ୍ଲା ପ୍ରଶାସନକୁ ମା’ ମାନଙ୍କର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି।

ଜଗନ୍ନାଥଙ୍କ କୃପାରୁ ଆମ ସରକାର ରାଜ୍ୟର ସମସ୍ତ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟକରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା, ଚାଷୀମାନଙ୍କ ପାଇଁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଏବଂ ଲୋକଙ୍କ ସୁଖଦୁଃଖ ବୁଝିବା ପାଇଁ ନିୟମିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।

ସେ କହିଥିଲେ ଯେ, ଏ ସରକାର ଲୋକଙ୍କ ସରକାର, ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କର ସେବକ। ଏହି ସେବା ମନୋଭାବକୁ ଆପଣମାନେ ଆଶୀର୍ବାଦ ଦେବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ପୁରୀ ସାଂସଦ ଡ. ସମ୍ବିତ ପାତ୍ର କହିଲେ ଯେ, ନାରୀର ଜୀବନ ସାଧାରଣ ନୁହେଁ। ନାରୀମାନେ ତାଙ୍କ ଜୀବନ କାଳ ମଧ୍ୟରେ ପରିବାର ପାଇଁ, ସମାଜ ପାଇଁ ଅନେକ ତ୍ୟାଗ କରିଥାନ୍ତି। ମହାପ୍ରଭୁଙ୍କ ନିକଟରେ ଆପଣମାନେ ରାଜ୍ୟବାସୀଙ୍କ କଲ୍ୟାଣ କାମନା କରନ୍ତୁ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ପୁରୀ ବିଧାୟକ ସୁନିଲ ମହାନ୍ତି ଯୋଗଦେଇଥିଲେ। ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡି.ଆଇ.ଜି. ଚରଣ ସିଂ ମୀନା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ: ଉପକୃତ ହେବେ ସାଢ଼େ ୩ କୋଟି ଲୋକ

ଭୁବନେଶ୍ଵର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ନୂଆ ସରକାର ଆମ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଘୋଷଣା କରିସାରିଛନ୍ତି। କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟର ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ।

ଆକଳନ ଅନୁସାରେ ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ଆମ ରାଜ୍ୟର ୭୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ମଧ୍ୟ ଏହି କାର୍ଡରେ ସ୍ବାସ୍ଥ୍ୟ ବୀମାର ସୁବିଧା ପାଇବେ। ଏବେ ରାସନ୍ କାର୍ଡ ଇ-କେୱାଇସି ଚାଲିଛି। ଏହା ସରିବା ପରେ ରାଜ୍ୟର କେତେ ସଂଖ୍ୟକ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଏହି ସ୍ବାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ ତାହା ସ୍ପଷ୍ଟ ହେବ। ଏହି କାର୍ଡଧାରି ବ୍ୟକ୍ତି ସାରା ଦେଶରେ ପ୍ରାୟ ୨୭ ହଜାର ଅନୁବନ୍ଧିତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସେବା ପାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରରେ ବ୍ୟାପକ ଭାବରେ ପାଳନ କରାଯିବ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ

ଭୁବନେଶ୍ୱର: ବିଶିଷ୍ଟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ରାଜ୍ୟ ସ୍ତରରେ ବ୍ୟାପକ ଭାବରେ ପାଳନ କରାଯିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ଏହାକୁ ଚତୁର୍ଥ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ। ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ସ୍ତରରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ୨୦୨୧ରୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳିତ ହୋଇ ଆସୁଅଛି।

ଏହି ନିଷ୍ପତ୍ତି ଅନୁଯାୟୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ୨୦୨୫ ନଭେମ୍ବର ୧୫ ପର୍ଯ୍ୟନ୍ତ ବର୍ଷ ବ୍ୟାପୀ ପାଳନ କରାଯିବ। ଆଦିବାସୀ କଳା, ସଂସ୍କୃତି, ଐତିହ୍ୟ, ଇତିହାସର ପ୍ରଚାର ପ୍ରସାର, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସଚେତନତା ସଂପର୍କିତ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ସେମାନଙ୍କ ଜୀବିକାର ସୁରକ୍ଷା ଓ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନିଆଯିବ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୨୪ ନଭେମ୍ବର ୧୫ରେ ବର୍ଷ ବ୍ୟାପୀ ଏହି ସମାରୋହର ଉଦ୍‌ଘାଟନୀ ଉତ୍ସବ ରାଉରକେଲାରେ ଅନୁଷ୍ଠିତ ହେବ।

ଉଦ୍‌ଘାଟନୀ ଉତ୍ସବରେ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏଥିରେ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ସଫଳ ଆଦିବାସୀ ବ୍ୟକ୍ତିତ୍ବ ମାନଙ୍କୁ ସମ୍ମାନିତ କରାଯିବ। ଏହାସହିତ ଜଙ୍ଗଲ ଅଧିକାର ଆଇନ ୱେବ୍‌ ପୋର୍ଟାଲର ଶୁଭାରମ୍ଭ କରାଯାଇ ପଟ୍ଟା ଆବଣ୍ଟନ କରାଯିବ। ଏହାସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ବର୍ଷ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଆଦିବାସୀ ହସ୍ତତନ୍ତ ଓ ହସ୍ତଶିଳ୍ପର ସମ୍ବଳିତ ବିଭିନ୍ନ କାର୍ଯ୍ୟକ୍ରମ, ଆଦିବାସୀ ହସ୍ତଶିଳ୍ପୀ ମାନଙ୍କ ବିଭିନ୍ନ ଉତ୍ପାଦର ପ୍ରସାର ଓ ମାର୍କେଟିଂ ପାଇଁ କାର୍ଯ୍ୟକ୍ରମ, ସିକିଲ ସେଲ୍‌ ଆନାମିଆ ରୋଗ ସଂପର୍କରେ ସଚେତନତା, ଆଦିବାସୀ କବି ଓ ଲେଖକ ମାନଙ୍କ ସମ୍ମିଳନୀ, ଜଙ୍ଗଲ ଅଧିକାର ଆଇନ ଉପରେ ୱାର୍କସପ୍‌, ଆଦିବାସୀ ମାନଙ୍କ ପାରମ୍ପରିକ ସ୍ବାସ୍ଥ୍ୟସେବା ଜ୍ଞାନର ପ୍ରଚାର ପାଇଁ ସମ୍ମିଳନୀ ଇତ୍ୟାଦିର ଆୟୋଜନ କରାଯିବ। ଏହାସହିତ ବିଭିନ୍ନ ବିଭାଗ ପକ୍ଷରୁ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ମଧ୍ୟ ପ୍ରସ୍ତୁତ କରାଯିବ। ରାଜଧାନୀ ଭୁବନେଶ୍ବର ସହିତ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

ଚଳିତ ବର୍ଷ ଭୁବନେଶ୍ବରର ଆଦିବାସୀ ମେଳାକୁ ବ୍ୟାପକ ଆକାରରେ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ଆଦିବାସୀ ମାନଙ୍କ କଳା, ସଂସ୍କୃତି ଓ ଶିକ୍ଷା ଉପରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସହିତ ସେମାନଙ୍କ ଆର୍ଥିକ ପ୍ରଗତି ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ବ ଆରୋପ କରିଥିଲେ। ବିଭିନ୍ନ ବିଭାଗର ସମନ୍ବୟରେ (Convergence) ସେମାନଙ୍କର ଜୀବିକାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ତଥା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅନୁସୂଚିତ ଜନଜାତି, ଜାତି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ସରକାରୀ କର୍ମଚାରୀମାନଙ୍କୁ ପୂଜା ଉପହାର: ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହେଲା ଗ୍ରାଚୁଇଟି ସୀମା

ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟି (DCRG)କୁ 15 ଲକ୍ଷ ରୁ 20 ଲକ୍ଷ ଟଙ୍କାକୁ ତା 01.01.2024 ରୁ ପିଛିଲା ଭାବରେ ଲାଗୁ କରାଗଲା। ରାଜ୍ୟର ବିଭିନ୍ନ ସେବା ସଙ୍ଗଠନ ଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର 01.01.2024ରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନ୍ସନ୍) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟିକୁ ବୃଦ୍ଧି କରିଛନ୍ତି।

Categories
ବିଶେଷ ଖବର

୧ କୋଟି ଛୁଇଁଲା ସୁଭଦ୍ରା ଯୋଜନାରେ ପଞ୍ଜୀକରଣ: ବାରିପଦାରେ ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ କରାଯାଇଥିବା ଯୁଗାନ୍ତକାରୀ “ସୁଭଦ୍ରା” ଯୋଜନାରେ ଏକ କୋଟିରୁ ଅଧିକା ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ ଉପଲବ୍ଧି ହେବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ। ଆଜି ଏହା ପ୍ରମାଣିତ ହୋଇଛି।

ଆସନ୍ତା ଅକ୍ଟୋବର ୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ।

ଏହା ସହ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ଵଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟ ନିମନ୍ତେ ଏପରି କିଛି ବ୍ୟବସ୍ଥା ଏଯାବତ ଆରମ୍ଭ କରାଯାଇନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୋସିଆଲ ମିଡିଆରେ ଚାଲୁଥିବା ଏହି ମିଥ୍ୟା ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଉଛି।

“ସୁଭଦ୍ରା” ଯୋଜନା ସମ୍ବନ୍ଧୀୟ ସମସ୍ତ ଅପଡେଟ ଖବର ପାଇଁ “ସୁଭଦ୍ରା”ର ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ ଅବା ଟୋଲ ଫ୍ରୀ ନମ୍ବର (୧୪୬୭୮) କୁ କଲ କରନ୍ତୁ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଉଛି।