Categories
ଆଜିର ଖବର ରାଜ୍ୟ ଖବର

ମାଲ୍ୟବନ୍ତ ମହୋତ୍ସବ -୨୦୨୪ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମାଲ୍ୟବନ୍ତ ମହୋତ୍ସବ -୨୦୨୪ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବରେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବା ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ଭୁବନେଶ୍ୱର ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ସ୍ଥାନୀୟ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଉପସ୍ଥିତ ଥିଲେ। ସେହିପରି ଉପ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମଧ୍ୟ ମହୋତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥି ନିମନ୍ତେ ବିଭାଗ ପକ୍ଷରୁ ବିଧିବଧ ସମ୍ମତି ନିମନ୍ତେ ଅପେକ୍ଷା କରାଯାଇଛି।

ସୂଚନା ଥାଉ କି ମାଲ୍ୟବନ୍ତ ମହୋତ୍ସବ ଡ଼ିସେମ୍ବର ୧୩ ରୁ ୧୫ ଓ ପଲ୍ଲୀଶ୍ରୀ ମେଳା ଡ଼ିସେମ୍ବର ୧୩ ରୁ ୧୭ ପର୍ଯ୍ୟନ୍ତ ସ୍ଥାନୀୟ ଡିଏନକେ ପଡିଆ ଠାରେ ଆୟୋଜନ କରାଯିବ। ତତ୍ ସହିତ ସେହି ସମୟରେ ଆଦିବାସୀ ପଡିଆ ଠାରେ କୃଷି ମେଳା ଆୟୋଜନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମଣ୍ଡେଇ ପର୍ବରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆମନ୍ତ୍ରଣ

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପରିଚୟ “ମଣ୍ଡେଇ” ପର୍ବ। ଜିଲ୍ଲାର ସାଂସ୍କୃତିକ ଏବଂ ସାମାଜିକ ପରମ୍ପରାର ଗୁରୁତ୍ଵକୁ ବହନ କରେ ମଣ୍ଡେଇ। ଆସନ୍ତା ୦୬/୧୨/୨୪ ରୁ ୧୦/୧୨/୨୪ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ମହୋତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଆମନ୍ତ୍ରଣ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ।

ଏହି ଅବସରରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଏବଂ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଉପସ୍ଥିତ ଥିଲେ। ମଣ୍ଡେଇ ପର୍ବ ନବରଙ୍ଗପୁର ଜିଲ୍ଲାର ସମୃଦ୍ଧ ଲୋକ ସଂସ୍କୃତି ଓ ଅନ୍ୟାନ୍ୟ ବିଭବ ଗୁଡ଼ିକୁ ରାଜ୍ଯ ଏବଂ ଜାତୀୟ ସ୍ତରରେ ଲୋକଲୋଚନକୁ ଆଣିବାର ଏକ ପ୍ରୟାସ।

Categories
ବିଶେଷ ଖବର ରାଜ୍ୟ ଖବର

ବଡ ହେବା ପାଇଁ ବଡ ସ୍ବପ୍ନ ଦେଖ, ସ୍ବପ୍ନର କାନ୍‌ଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ ସେତେ ବଡ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିଲାମାନେ ତୁମ ମାନଙ୍କର ଭରପୁର ପ୍ରତିଭା ଅଛି। ବଡ ହେବା ପାଇଁ ହେଲେ ସ୍ବପ୍ନ ମଧ୍ୟ ବଡ ହେବା ଆବଶ୍ୟକ। ଯଦି ସୂର୍ଯ୍ୟରେ ପହଞ୍ଚିବାପାଇଁ ସ୍ବପ୍ନ ଦେଖି କାର୍ଯ୍ୟ କରିବା ଅତି କମ୍‌ରେ ଚନ୍ଦ୍ରରେ ପହଞ୍ଚିପାରିବା। ସ୍ବପ୍ନର କାନ୍‌ଭାସ ଯେତେ ବଡ ହେବ, ଚିତ୍ରର ଆକାର ମଧ୍ୟ ସେତେ ବଡ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଉତ୍ସାହ କାର୍ଯ୍ୟକ୍ରମ ଉଦ୍‌ଘାଟନ ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୬୫ଟି ଶିଶୁ ଯତ୍ନ କେନ୍ଦ୍ରର ପ୍ରାୟ ୫୮୦ ପିଲା ଯୋଗଦେଇଛନ୍ତି। ଏହି ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ଗତ ୨୬ ଓ ୨୭ ତାରିଖରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ପିଲା ମାନଙ୍କର କ୍ରୀଡା ମହୋତ୍ସବ ‘ଉତ୍ସାହ’ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି।

ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇ କହିଥିଲେ ବଡ ସ୍ବପ୍ନ ଦେଖିବା ସହିତ ତାକୁ ସାକାର କରିବା ପାଇଁ ଉଦ୍ୟମ ମଧ୍ୟ ଜାରି ରଖିବା ଆବଶ୍ୟକ। ତାହେଲେ ଯାଇ ସ୍ବପ୍ନ ଚରିତାର୍ଥ ହେବ। ଜଙ୍ଗଲର ରାଜା ସିଂହକୁ ମଧ୍ୟ ଶିକାର ପାଇଁ ପରିଶ୍ରମ କରିବାକୁ ପଡିଥାଏ। ତେଣୁ ସ୍ବପ୍ନ ଦେଖିବା ସହିତ କଠୋର ପରିଶ୍ରମ କରିବାକୁ ପଡିବ। ତାହେଲେ ଯାଇ ତୁମେ ମାନେ ନିଜ ନିଜ କ୍ଷେତ୍ରରେ ସଫଳତା ପାଇବ। ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ହେଉଛି ତୁମ ମାନଙ୍କୁ ଆଗକୁ ବଢିବା ପାଇଁ ଗୋଟିଏ ଗୋଟିଏ ପାହାଚ। ତୁମ ମାନଙ୍କ ପ୍ରତିଭା ଓ ସୃଜନଶୀଳତାର ସଠିକ୍ ଉପଯୋଗକର। ଆମ ଦେଶର ପ୍ରତ୍ୟେକ କୁନି କୁନି ପିଲାଙ୍କ ମଧ୍ୟରେ ରହିଛି ଏକଲବ୍ୟଙ୍କ କୌଶଳ, ଅଭିମନ୍ୟୁଙ୍କ ଦୁଃସାହସ, ପ୍ରହଲ୍ଲାଦଙ୍କ ଭକ୍ତି ଓ ଅଷ୍ଟବକ୍ରଙ୍କ ପାଣ୍ଡିତ୍ୟ। ଅଲମ୍ପିକ୍ ବିଜେତା ନିରୋଜ ଚୋପ୍ରାଙ୍କ ଠାରୁ ଆରମ୍ଭ କରି କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ କଠିନ ପରିଶ୍ରମ ଓ ସେମାନଙ୍କ ସଫଳତାକୁ ଉଦାହରଣ ଭାବେ ନେବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ସେ ପୁଣି କହିଥିଲେ ଯେ କ୍ରୀଡାର ବିକାଶ ପାଇଁ କେବଳ ଅର୍ଥର ବ୍ୟବସ୍ଥା ଯଥେଷ୍ଟ ନୁହେଁ ଏଥିପାଇଁ ଆନ୍ତରିକତାର ଆବଶ୍ୟକତା ରହିଛି। କଳିଙ୍ଗ ଷ୍ଟାଡିୟମ ସହିତ ବିଭିନ୍ନ ଜିଲ୍ଲାରେ ସ୍ପୋର୍ଟସ ହଷ୍ଟେଲ୍ ଜରିଆରେ ଆମେ ଗ୍ରାମାଞ୍ଚଳ ପ୍ରତିଭା ମାନଙ୍କର ପାଠାପଢା ସହିତ କ୍ରୀଡାର ବିକାଶ ମଧ୍ୟ କରୁଛୁ। ଆମ ରାଜ୍ୟର ବହୁ ଅନ୍ତର୍ଜାତୀୟ କ୍ରୀଡାବିତ୍ ମାନେ ଏହି ସ୍ପୋର୍ଟସ ହଷ୍ଟେଲରେ ଅନ୍ତେବାସୀ ଭାବେ ରହି ତାଙ୍କ କ୍ୟାରିଅର ଗଢିଛନ୍ତି। ତେଣୁ ତୁମ ମାନଙ୍କୁ ମୋର ଅନୁରୋଧ ଗଭୀର ଆତ୍ମ ବିଶ୍ବାସର ସହ ଆଗକୁ ବଢ। ଯାହାର ଯେଉଁ କ୍ଷେତ୍ର ପ୍ରତି ଆଗ୍ରହ ରହିଛି ସେଥିରେ ଆତ୍ମ ବିଶ୍ବାସର ସହ ମନୋନିବେଶ କର। କଠିନ ପରିଶ୍ରମ କର ଦେଖିବ ସଫଳତା ତୁମ ପଛରେ ପଡିବ। ଆଗାମୀ ଦିନରେ ତୁମ ମାନଙ୍କୁ ନେଇ ଆମେ ଲକ୍ଷ୍ୟ ରଖିଛୁ ଓଡିଶାକୁ କ୍ରୀଡାର ପାୱାର ହାଉସ କରିବା ପାଇଁ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ରାଜ୍ୟର ଶିଶୁ ଯତ୍ନ କେନ୍ଦ୍ରରେ ରହୁଥିବା ପିଲାମାନଙ୍କ ବାପା ମାଆ ହେଉଛନ୍ତି ସରକାର। ସରକାରଙ୍କ ହାତ ସବୁବେଳେ ସେମାନଙ୍କ ମୁଣ୍ଡ ଉପରେ ଅଛି ଓ ରହିବ।

ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲା ଶିଶୁଯତ୍ନ କେନ୍ଦ୍ରର ପିଲାମାନଙ୍କ ମଧ୍ୟରେ ଏକ ଫୁଟବଲ ମ୍ୟାଚ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ।

ଏହି ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ପଞ୍ଚାୟତି ରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, କ୍ରୀଡା ଓ ଯୁବସେବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହ: 826 ଜଣ ଆଗ୍ନିକ, 115 ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତି

ଭୁବନେଶ୍ବର: ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଏହାଫଳରେ ମହିଳାମାନେ ମଧ୍ୟ ଏଥିରେ ନିଯୁକ୍ତିର ସୁଯୋଗ ପାଇ ପାରିବେ ବୋଲି ଆଜି ରାଜ୍ୟ ସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଏହି ଅବସରରେ ଭୁବନେଶ୍ୱର ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଗ୍ନିଯୋଦ୍ଧା ମାନଙ୍କୁ ନୂତନ ଦାୟିତ୍ୱ ନେଇଥିବାରୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଜନସାଧାରଣଙ୍କ ସେବା କରିବା ପାଇଁ ଓ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆପଣମାନଙ୍କୁ ଆଜି ସୁଯୋଗ ମିଳିଛି। ମଣିଷ ଜୀବନ ବଞ୍ଚାଇବା ଏକ ମହାପୂଣ୍ୟ। ଦରମା ତ ପ୍ରତ୍ୟେକ କର୍ମଚାରୀ ପାଉଛନ୍ତି, କିନ୍ତୁ ଜୀବନ ରକ୍ଷାକରି ପୂଣ୍ୟ ଅର୍ଜନ କରିବାର ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ । ସମାଜର ପ୍ରଶଂସା ଓ ସମ୍ମାନ ଆପଣଙ୍କ ଜୀବନର ସବୁଠାରୁ ବଡ ସଫଳତା ହେବ। ଆପଣମାନଙ୍କର କାର୍ଯ୍ୟ କ୍ଷେତ୍ରରେ ସୁନାମ ରାଜ୍ୟକୁ ସୁରକ୍ଷିତ କରି ରଖିବ।

ସେ ପୁଣି କହିଥିଲେ ଯେ, ରାଜ୍ୟରେ ମୋଟ ୩୮୩୨ଟି ଆଗ୍ନିକ ଓ ୩୮୭ଟି ପଦବୀ ରହିଛି। ଆଜି ଖାଲି ଥିବା ୮୨୬ଟି ଆଗ୍ନିକ ଓ ୧୧୫ଟି ଆଗ୍ନିକ ଗାଡିଚାଳକ ପଦବୀ ପୂରଣ ହେଲା। ଗୋଟିଏ ଦିନରେ ସମ୍ପୂର୍ଣ୍ଣ ପଦବୀ ସଂଖ୍ୟାର ୨୨ ଭାଗ ପଦବୀ ପୂରଣ କରାଗଲା। ରାଜ୍ୟରେ ସରକାରୀ ପଦବୀ ଖାଲି ରହିଲେ, ଏହାର ପ୍ରଭାବ ବିଭାଗ ଉପରେ ପଡେ। ଅଗ୍ନିଶମ ବିଭାଗ ପରି ଏକ ଜରୁରୀକାଳୀନ ସଂସ୍ଥାରେ ପଦବୀ ଖାଲି ରହିବା ଗ୍ରହଣୀୟ ନୁହେଁ। ୯୪୧ ଜଣ ନୂଆ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ବିଭାଗକୁ ସୁଦୃଢ କରିବ ଏବଂ ବିଭାଗ ଲୋକଙ୍କ ଧନଜୀବନ ସୁରକ୍ଷା କରିବା ପାଇଁ ଅଧିକ ସକ୍ଷମ ହେବ।

ଆହୁରି ମଧ୍ୟ ଗୃହ ବିଭାଗରେ ଖାଲିଥିବା ପଦବୀ ଓ ନୂଆ ପଦବୀ ମିଶି ପ୍ରାୟ ୧୦,୦୦୦ ପଦବୀ ଖୁବ୍ ଶୀଘ୍ର ପୂରଣ ହେବ। ସେହିପରି ୨୦୨୦ ଠାରୁ ଗୃହରକ୍ଷୀ ନିଯୁକ୍ତି ବନ୍ଦ ଅଛି। ଏବେ ପ୍ରାୟ ୨୪୧୬ଟି ପଦବୀ ଖାଲି ଅଛି। ଖୁବ୍ ଶୀଘ୍ର ଏ ଗୁଡିକ ମଧ୍ୟ ପୂରଣ ହେବ। ଆଗାମୀ ୫ ବର୍ଷ ମଧ୍ୟରେ ଆମ ସରକାର ୧.୫ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ସ୍ଥିର କରିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଦିନରାତି ଏକ କରି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି। ମେକ ଇନ ଓଡିଶା- ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାରେ ବ୍ୟାପକ ଶିଳ୍ପାୟନର ସମ୍ଭାବନା ଅଛି । ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ମଧ୍ୟ ଆହୁରି ନିଯୁକ୍ତି ମିଳିବ।

ଅଗ୍ନିଶମ ବାହିନୀର କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ଅଗ୍ନିଶମ ବିଭାଗକୁ ଆମ ଦେଶରେ ଏକ ମଡେଲ ସଂଗଠନ ଭାବେ ବିବେଚନା କରାଯାଉଛି। ରାଜ୍ୟ ସରକାର ଅଗ୍ନିଶମ ବାହିନୀକୁ ବିପର୍ଯ୍ୟୟ ପରିଚାଳନା ଆଇନ- ୨୦୦୫ ଅନୁଯାୟୀ First responder ଭାବେ ଘୋଷଣା କରିଛନ୍ତି।

ଯେ କୌଣସି ପ୍ରକାର ବିପର୍ଯ୍ୟୟ ଅଥବା ଦୁର୍ଘଟଣା ସମୟରେ ଜନସାଧାରଣଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ଅଗ୍ନିଶମ ବାହିନୀ କାର୍ଯ୍ୟ କରୁଛି। ପ୍ରତ୍ୟେକ ଦିନ ସେମାନେ ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ଜୀବନ ବଞ୍ଚାଉଛନ୍ତି। ବାହାନଗା ରେଳ ଦୁର୍ଘଟଣା ସମୟରେ ଆମ ଅଗ୍ନିଯୋଦ୍ଧା ମାନେ ଦୁଃସାହସିକତାର ପରିଚୟ ଦେଇଥିଲେ।

ଆମ ରାଜ୍ୟରେ ବର୍ତ୍ତମାନ ୩୪୬ଟି ଦମକଳ କେନ୍ଦ୍ର ଅଛି। ଅଗ୍ନିଶମ କେନ୍ଦ୍ର ଗୁଡିକ ତୃଣମୂଳ ସ୍ତରରେ ଜୀବନ ରକ୍ଷା ପାଇଁ ସଦା ପ୍ରସ୍ତୁତ ରହି ତ୍ୱରିତ ସହାୟତା ଯୋଗାଇ ଦେଉଛନ୍ତି। ଅଗ୍ନିଶମ ବାହିନୀକୁ ସୁଦୃଢ କରିବା ପାଇଁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୩୯୪ କୋଟି ଟଙ୍କା ଏବଂ ପଞ୍ଚଦଶ ଅର୍ଥ କମିଶନରୁ ୨୦୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଅଗ୍ନିଶମ ବାହିନୀକୁ ଅଧିକ ସକ୍ଷମ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ଅନ୍ୟତମ ଅତଥି ଭାବେ, ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍‌ବୋଧନ ଦେଇ କହିଥିଲେ ଯେ, ସାହସ, ଦୟାଳୁ ମନୋଭାବ ଏବଂ ପ୍ରତିବଦ୍ଧତା ହେଉଛି ଏକ କାର୍ଯ୍ୟ ସମ୍ପାଦନ ପାଇଁ ସଠିକ ଉପାଦାନ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ଅଗ୍ନିଶମ ବାହିନୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଜି ଆମ ରାଜ୍ୟ ଜାତୀୟ ସ୍ତରରେ ପ୍ରଶଂସିତ। ସହରାଞ୍ଚଳରେ ସୁରକ୍ଷା ପାଇଁ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣରେ ଥିବା ନିୟମର ସଂଶୋଧନ କରିବାର ଆବଶ୍ୟକତା ରହିଛ। ନବ ନିଯୁକ୍ତ ଅଗ୍ନିଯୋଦ୍ଧାମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, ଆଜି ଆପଣମାନେ ସରକାରଙ୍କ ପକ୍ଷରୁ ପ୍ରଥମ ପତ୍ର ପାଇଲେ। ପ୍ରତି ବର୍ଷ ଯେପରି ପ୍ରଶଂସାପତ୍ର ପାଇବେ ସେଥିପ୍ରତି ଚେଷ୍ଟା ଜାରି ରଖନ୍ତୁ ବୋଲି ସେ କହିଥିଲେ।

ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଲେ ଯେ, ଆମ ରାଜ୍ୟରେ ପୋଲିସ ଅପେକ୍ଷା ଅଗ୍ନିଶମ ଯୋଦ୍ଧା ଉପରେ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ରହିଛି। ଏହି ବାହିନୀରେ ଝିଅମାନଙ୍କୁ ସୁଯୋଗ ଦେବା ପାଇଁ ସେ ପ୍ରସ୍ତାବ ରଖିଥିଲେ।

ଭୁବନେଶ୍ଵର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ଆପଣମାନେ ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ଜଣେ ଜଣେ ଶ୍ରେଷ୍ଠ ଯୋଦ୍ଧା । ପ୍ରକୃତିକ ବିପର୍ଯ୍ୟୟ ସମୟରେ ଆପଣମାନେ ବିପନ୍ନଙ୍କ ପାଇଁ ସାଜିଥାନ୍ତି ଦେବଦୂତ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ବାତ୍ୟା ଦାନା ପରବର୍ତ୍ତୀ ସମୟରେ ଆମର ସର୍ବାଧିକ ପୁନରୁଦ୍ଧାର କାର୍ଯ୍ୟ ଅଗ୍ନିଶମ ବାହିନୀ ଦ୍ୱାରା କରାଯାଇଥାଏ । ଆମ ଅଗ୍ନିଶମ ବାହିନୀଙ୍କ ଏହି କାର୍ଯ୍ୟ ଦକ୍ଷତା ଯୋଗୁ ଆମ ରାଜ୍ୟ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି। ବାହାର ରାଜ୍ୟର ଲୋକ ଆସୁଛନ୍ତି ଆମର ଏହି ଦକ୍ଷତାକୁ ଶିଖିବା ପାଇଁ।

କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବିଧାନ ଦିବସରେ ‘ମୋ ସମ୍ବିଧାନ ମୋ ଗୌରବ’ ପଦଯାତ୍ରା

ଭୁବନେଶ୍ବର: ସମ୍ବିଧାନ ଦିବସ ଅବସରରେ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ମାଇଁ ଭାରତ (ଏନୱାଇକେଏସ ଓ ଏନଏସଏସ) ପକ୍ଷରୁ ଆଜି ଭୁବନେଶ୍ୱର ଏଜି ଛକରେ ‘ସମ୍ବିଧାନ ଦିବସ ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଯୁବ ସେବା ଓ କ୍ରୀଡ଼ା, ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୁରଜ,  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ, ପ୍ରଦୀପ ବଳ ସାମନ୍ତ,  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ, ପୃଥ୍ୱୀରାଜ ହରିଚନ୍ଦନ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ  ବିଭୂତି ଭୂଷଣ ଜେନା, ଏନୱାଇକେଏସର ଆଞ୍ଚଳିକ ନିର୍ଦ୍ଦେଶକ ଶିବାଜୀ ଖରାଟ; ଏନଏସଏସର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ ପ୍ରମୁଖ ଯୋଗ ଦେଇଥିଲେ।

ଅତିଥିଙ୍କ ଦ୍ୱାରା ଡ. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।  ଏହି ଅବସରରେ ସମ୍ବିଧାନ ପ୍ରସ୍ତାବନା ପାଠ କରାଯାଇଥିଲା। ପଦଯାତ୍ରା ଏଜି ଛକଠାରୁ ଆରମ୍ଭ ହୋଇ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ଯାଇଥିଲା। ପଦଯାତ୍ରାରେ ପାଖାପାଖି ୧୫୦୦ ଯୁବକ (ମାଇଁ ଭାରତ ସ୍ୱେଚ୍ଛାସେବୀ) ଉପସ୍ଥିତ ଥିଲେ। ମାଇଁ ଭାରତ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମାରୋହକୁ ଜୀବନ୍ତ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସୁନ୍ଦରଗଡ଼ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ପ୍ରଦାନ ସମାରୋହରେ ଆଜି ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଡିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି। ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ହିତାଧୀକାରୀଙ୍କୁ ଆଜି ଏହି ଅନୁଦାନ ପ୍ରଦାନ କରିଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉପ ମୂଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଆଦିବାସୀ ଜନଜାତି ଉନ୍ନୟନ ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ, ରଘୁନାଥ ପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା, ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଯୋଗଦେଇଥିଲେ। ମାତ୍ର ପାଞ୍ଚ ମାସ ରେ ରାଜ୍ୟ ସରକାର ୮୦ ଲକ୍ଷ ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଶୁଭଦ୍ରା ଯୋଜନା ଅର୍ଥରାଶି ପ୍ରଦାନ କରିଛନ୍ତି।

ଆଜି ୨୦ ଲକ୍ଷ ମହିଳା ଙ୍କୁ ପ୍ରଦାନ କରା ଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ୯୦ ହାଜର ରୁ ଉର୍ଦ୍ଧ୍ବ ମହିଳା ଉପକୃତ ହୋଇଛନ୍ତି। ମହିଳାଙ୍କ ବିକାଶ ପାଇଁ ପ୍ରତିବଦ୍ଧତା ରହିଛି। ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବିଭାଗ ଶୁଭଦ୍ରା ଯୋଜନା ସଫଳତା ପାଇଁ ଲାଗି ପଡ଼ିଛନ୍ତି। ୧,୬୦,୦୦,୦୦୦ ଫର୍ମ ବଣ୍ଟା ଯାଇଥିଲା। କୋଟିଏ ରୁ ଉର୍ଦ୍ଧ୍ବ ମହିଳା ଯୋଗ୍ୟ ହୋଇଛନ୍ତି। ଉତ୍କର୍ଷ ଓଡିଶାର ମୂଳପିଣ୍ଡ ଶୁଭଦ୍ରା ଯୋଜନା ହେବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି: ବିଶ୍ବବିଦ୍ୟାଳୟ ଆଇନ, ଶିଳ୍ପ ନୀତି ସଂଶୋଧନକୁ ମଞ୍ଜୁରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। କ୍ୟାବିନେଟ ବହୁଚର୍ଚ୍ଚିତ ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛି। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି।

ବିଶ୍ବବିଦ୍ୟାଳୟଗୁଡ଼ିକୁ ଅଧିକ ସ୍ବାୟତ୍ତ ଏବଂ ସଶକ୍ତ କରିବା ଏହାର ଲକ୍ଷ୍ୟ। ସଂଶୋଧନ ପରେ ଏଣିକି କୁଳପତି ଚୟନରେ ଶିକ୍ଷାବିତ୍ ମାନଙ୍କୁ ଜଡ଼ିତ କରାଯିବ। ଶିଳ୍ପ ନୀତି ୨୦୧୫ରେ ୨ଟି ସଂଶୋଧନକୁ ମଧ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁର କରାଯାଇଛି। ପ୍ରୋତ୍ସାହନ ସହାୟତା ପାଇଁ ଆବେଦନ ଦାଖଲ କରିବାର ସମୟସୀମାକୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ମଧ୍ୟ ସଂଶୋଧନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର: ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ।

କଟକ ସାଂସଦ ତଥା ଡ. ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ ମଧ୍ୟ ଓଡ଼ିଶାର ଏହି ଗୌରବଙ୍କ ପ୍ରଭାବ ଓ ପରମ୍ପରାକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ଅନୁଷ୍ଠାନ ସାହିତ୍ୟ ଏକାଡେମୀ ଆସନ୍ତାକାଲିର କାର୍ଯ୍ୟକ୍ରମରେ ଉନ୍ମୋଚନ ପାଇଁ ଓଡ଼ିଆରେ ମୋନୋଗ୍ରାଫ୍, ଗାଁ ମଜଲିସର ଇଂରାଜୀ ଅନୁବାଦ ଏବଂ ଗାଁ ମଜଲିସର ହିନ୍ଦୀ ଅନୁବାଦ ପ୍ରସ୍ତୁତ କରିଛି।

ଏହାବ୍ୟତୀତ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ତାଙ୍କ ଜୀବନ ଓ ପରମ୍ପରା ଉପରେ ଏକ ପ୍ରଦର୍ଶନୀ ରଖାଯାଇଛି । ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ଅନୁଷ୍ଠାନ ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ଜାତୀୟ ଚିତ୍ରକଳା ଶିବିରରେ ଅଂଶଗ୍ରହଣ କରି ଗତ କିଛି ଦିନ ହେବ ଦିଲ୍ଲୀରେ ରହିଥିବା ଓଡ଼ିଆ କଳାକାରଙ୍କ କୃତିକୁ ମଧ୍ୟ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯିବ।

ଶ୍ରୀମତୀ ସୁସ୍ମିତା ଦାସ ଏକ ସଙ୍ଗୀତ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଇତିହାସ ଓ ସଂସ୍କୃତିପ୍ରତି ସମ୍ମାନ ଅର୍ପଣ କରିବେ।

“ଉତ୍କଳ କେଶରୀ” ନାମରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବରେ ପରିଚିତ ଥିଲେ। ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। କଲେଜ ଜୀବନରୁ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଇତ୍ୟାଦି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସ୍ଵାଧୀନତା ଆନ୍ଦୋଳନରେ ସକ୍ରିୟତା ପାଇଁ ସେ ଏକାଧିକ ଥର ଗିରଫ ହୋଇଥିଲେ ଏବଂ ଓଡ଼ିଶାକୁ ଭାରତରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଡକ୍ଟର ହରେକୃଷ୍ଣ ମହତାବ ଗଡ଼ଜାତ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତର ମୁଖ୍ୟମନ୍ତ୍ରୀ ଭାବରେ ସେ ଓଡ଼ିଶାର ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଆର୍ଥିକ ବିକାଶ ପାଇଁ ପରାମର୍ଶ ଦେଇଥିଲେ। ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବ୍ୟାପକ ଭାବରେ ଲେଖିଥିଲେ। ରାଜ୍ଯର ଐତିହାସିକ ବିବରଣୀ ‘ଓଡ଼ିଶାର ଇତିହାସ’ ସମେତ ତାଙ୍କର ଅନ୍ୟନ୍ୟ କୃତି ପାଇଁ ସେ ପ୍ରଶଂସିତ ହୋଇଥିଲେ ଏବଂ ୧୯୮୩ ମସିହାରେ ‘ଗାଁ ମଜଲିସ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୬୨ ରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଡକ୍ଟର ହରେକୃଷ୍ଣ ମହତାବ ତାଙ୍କ ଦୃଢ଼ ଇଚ୍ଛାଶକ୍ତି, ସଂକଳ୍ପ ଓ ପ୍ରଭାବ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି। ରାଜ୍ୟର ଅନ୍ୟତମ ଅଗ୍ରଣୀ ନେତା ଭାବରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ: ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ପାରାଦୀପ: ପାରାଦ୍ୱୀପ ଠାରେ ଆରମ୍ଭ ହୋଇସାରିଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ। ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି।

କଳିଙ୍ଗ ନୌବାଣିଜ୍ୟର ପରମ୍ପରା ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆ ଯାଇଛି। କଟକ ଐତିହାସିକ ବାଲିଯାତ୍ରା ଓ ଗୋପାଳପୁର ମହୋତ୍ସବ ଭଳି ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରାକୁ ସେହିଭଳି ଢଙ୍ଗରେ ପାଳିତ ହେଉଛି। ବାଲିଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ସନ୍ଧ୍ୟାରେ ବଲିଉଡ ଓ ଓଲିଉଡ଼ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କଳାକାରଙ୍କୁ ଆମନ୍ତ୍ରଣ ମଧ୍ୟ କରାଯାଇଛି। ଲୋକନୃତ୍ୟ, ସହିତ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଳିଙ୍ଗାୟନ ତୌର୍ୟତ୍ରିକମର ଓଡ଼ିଶୀ ନୃତ୍ୟାଙ୍ଗନା ମାନେ ନିଜ ନିଜର ନୃତ୍ୟ ପରିବେଷଣ କରିଥିଲେ। କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟରେ ଝୁମିଥିଲେ ଦର୍ଶକ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନର ପ୍ରିନ୍ସିପାଲ୍ ଗୁରୁ ମିତା ଦାସଙ୍କ ନିର୍ଦ୍ଦେଶନାରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଜନଜାତୀୟ ଗୌରବ ଦିବସ, ୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇ ଠାରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରର ଜନତା ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନଜାତି ମାନଙ୍କ ବିକାଶ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିର୍ସା ମୁଣ୍ଡା ଆମ ସ୍ବାଧୀନତା ସଂଗ୍ରାମର ଏକ ଅନନ୍ୟ ଯୋଦ୍ଧା। ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ ବୋଲି ସେ କହିଥିଲେ। ଆଦିବାସୀ ମାନଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ଆମ ଜନଜାତି ସମ୍ପ୍ରଦାୟଙ୍କ ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇବାର ଦିବସ। ଏହି ଅବସରରେ ସେ ମହାନ୍ ସଂଗ୍ରାମୀ ଶହୀଦ୍ ଲକ୍ଷ୍ମଣ ନାୟକ, ରତ୍ନା ନାୟକ, ଚକରା ବିଷୋଇ, ଦୋରା ବିଷୋଇ, ରେଣ୍ଡୋ ମାଝୀଙ୍କ ପରି ଦେଶ ଭକ୍ତଙ୍କ ବଳୀଦାନ ଓ ତ୍ୟାଗକୁ ମଧ୍ୟ ସ୍ମରଣ କରିଥିଲେ। ଏହି ମହାନ୍ ସଂଗ୍ରାମୀ ମାନେ ଆମ ଦେଶର ଇତିହାସ ଓ ସଂସ୍କୃତିକୁ ନୂତନ ରୂପ ଦେବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ବୋଲି ସେ କହିଥିଲେ।

ବିର୍ସା ମୁଣ୍ଡାଙ୍କ ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ଜନଜାତୀୟ ଗୌରବ ଦିବସର ପବିତ୍ର ଅବସରରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ବିହାରର ଜାମୁଇଠାରେ ଉପସ୍ଥିତ ରହି ‘ଧର୍‌ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା’ ଅଧୀନରେ ଅନେକ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି।

ଏହି ଅଭିଯାନର ମୂଳ ଲକ୍ଷ୍ୟ ରହିଛି ଜନଜାତି ସମ୍ପ୍ରଦାୟଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଜୀବିକା ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂରକରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା। ଓଡିଶାର ୨୭ଟି ଜିଲ୍ଲାର ୭ ହଜାର ୬ ଶହ ୬୭ଟି ଗ୍ରାମକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଅଭିଯାନର ସଫଳ ରୂପାୟନ ପାଇଁ ଆମେ ସକ୍ରିୟଭାବେ କାମ କରୁଛୁ। ଏହି ସମସ୍ତ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏଥିରେ ୧୬ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲକୁ ଉନ୍ନୀତ କରାଯିବ। ପ୍ରତ୍ୟେକ ସ୍କୁଲ ପିଛା ୧୫କୋଟି ଟଙ୍କା ଭାବରେ ସମୁଦାୟ ୨୪୦ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ୧୩ଟି ମାଧ୍ୟମିକ ବିଦ୍ୟାଳୟକୁ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍କୁଲ ପିଛା ୨୨ କୋଟି ଟଙ୍କା ହିସାବରେ ୨୮୬ କୋଟି ଟଙ୍କା ବିନିଯୋଗ ହେବ।

୪୨୬ଟି ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ନିର୍ମାଣ ପାଇଁ ୮୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଭୁବନେଶ୍ବରର ଗୋଠପାଟଣା ଠାରେ ଜନଜାତି ସଂସ୍କୃତି ଓ ଐତିହ୍ୟ ଭବନ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଗୋଠପାଟଣା ଠାରେ ଜନଜାତି ଭାଷା ପ୍ରତିଷ୍ଠାନ ନିର୍ମାଣ ପାଇଁ ୫୦ କୋଟି ଟଙ୍କା ଓ ଜନଜାତି ଅସ୍ମିତା ଭବନ ନିର୍ମାଣ ପାଇଁ ୪ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ୫ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ୩ କୋଟି ଟଙ୍କା ବିନିଯୋଗ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଜନଜାତି ସମ୍ପ୍ରଦାୟଙ୍କ ଉଚ୍ଚ ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛନ୍ତି। ଜନଜାତି ସମ୍ପ୍ରଦାୟଙ୍କ ସର୍ବାଙ୍ଗୀନ ବିକାଶ ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସେମାନଙ୍କୁ ସଶକ୍ତ କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଙ୍ଗଲ ଜମି ଅଧିକାର ଆଇନ୍ ବଳରେ ରାଜ୍ୟର ୮ଟି ବିଶେଷ ଅନୁନ୍ନତ ଜନଜାତି ବା PVTG ବର୍ଗଙ୍କୁ ବସବାସର ଅଧିକାର ବା Habitat Rights ପ୍ରଦାନ କରିଥିଲେ। PVTG ବର୍ଗଙ୍କୁ ହାବିଟାଟ୍ ରାଇଟ୍‌ସ ପ୍ରଦାନ କରିବାରେ ଓଡିଶା ଉଲ୍ଲେଖନୀୟ କୃତିତ୍ବ ହାସଲ କରି ସର୍ବ ଭାରତୀୟ ସ୍ତରରେ ରେକର୍ଡ କରିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ଆମ ସରକାର ଗୁରୁତ୍ବ ଦେଉଛନ୍ତି। ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଆମ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ପ୍ରଣୟନ କରିବାକୁ ଯାଉଛନ୍ତି। ଏହା ସହିତ ଆଦିବାସୀ ଅଞ୍ଚଳରେ ପିଲାଙ୍କ ପାଇଁ ହଷ୍ଟେଲ ନିର୍ମାଣ, ସିଡୁଲ୍ ଅଞ୍ଚଳରେ ପେସା ଆଇନ କାର୍ଯ୍ୟକାରୀ କରିବା, ଗ୍ରାମ ସଭା ଗୁଡ଼ିକୁ ସକ୍ରିୟ କରିବା ପାଇଁ ମଧ୍ୟ ଆମ ସରକାର ପଦକ୍ଷେପ ନେଉଛି।

ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ବ୍ରିଟିଶ ସରକାରଙ୍କ ଉତ୍ପୀଡନ ବିରୋଧରେ ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଓ ବଳିଦାନ ସଦା ସର୍ବଦା ପ୍ରେରଣାଦାୟୀ ହୋଇ ରହିବ। ବିର୍ସା ମୁଣ୍ଡାଙ୍କ ତ୍ୟାଗକୁ ପୂର୍ବ ସରକାରମାନେ ଅବହେଳା କରୁଥିଲେ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ବିର୍ସାଙ୍କ ସ୍ମୃତିକୁ ଉଜ୍ଜିବୀତ ରଖିବା ପାଇଁ ତାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରାଯିବା ସହିତ ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେ କହିଥିଲେ ଯେ ପି.ଏମ୍ ଜନମନ୍ ଯୋଜନାରେ ୧୮ଟି ରାଜ୍ୟରେ ଆଦିବାସୀ ଅଞ୍ଚଳରେ ସୌରଶକ୍ତି ମାଧ୍ୟମରେ ବିଜୁଳି ଯୋଗାଇ ଦିଆଯାଉଛି।

ଅନ୍ୟତମ ଅତିଥି ଭାବେ କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ନାଏକ କହିଲେ ଯେ ଭଗବାନ ବିର୍ସା ମୁଣ୍ଡା ଜନଜାତି ସମାଜର ବନ୍ଧନକୁ ସୁଦୃଢ କରିବା ସହିତ ସେମାନଙ୍କ ଉନ୍ନତି ପାଇଁ ଯେଉଁ ଉଦ୍ୟମ କରିଯାଇଛନ୍ତି ତା’ର ତୁଳନା ନାହିଁ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ପ୍ରମୁଖ ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍ମରଣ କରିବା ସହିତ ଆଦିବାସୀ ମାନଙ୍କ ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୭୧ତମ ନିଖିଳ ଭାରତ ସମବାୟ ସପ୍ତାହ କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ କରାଯାଉଛି।

ଏହି ଅବସରରେ ଉପସ୍ଥିତ ବିଭିନ୍ନ ସମବାୟ ୟୁନିୟନର ସଦସ୍ୟ, ସମବାୟବିତ୍ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ୨୬୦୦ରୁ ଅଧିକ ପ୍ରାଥମିକ ସମବାୟ ସଂସ୍ଥା ସରକାର ଓ ଚାଷୀଙ୍କ ମଧ୍ୟରେ ସେତୁ ସଦୃଶ କାମ କରୁଛନ୍ତି। ଫସଲ ୠଣ, ଫସଲ ବୀମା, ସାର, ବିହନ, କୀଟନାଶକ ଇତ୍ୟାଦି ସେମାନଙ୍କ ମାଧ୍ୟମରେ ଚାଷୀଙ୍କ ପାଖକୁ ଯାଇଥାଏ। ତେଣୁ ଏହି ସବୁ ସଂସ୍ଥା ଗୁଡିକୁ ସଶକ୍ତ କରିବାର ଆବଶ୍ୟକତା ରହିଛି।

ଏହି ସବୁ ଅନୁଷ୍ଠାନ ଗୁଡିକ ହେଉଛି ସମାଜର ତଳ ସ୍ତରରେ ରହିଥିବା ଗରିବ ଓ ନିଷ୍ପେଷିତଙ୍କ ଆଶା ଓ ଭରସା। ଆଜି ଓଡିଶାର ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ପରିବାର ସମବାୟ ଆନ୍ଦୋଳନ ସହ ଅଙ୍ଗାଙ୍ଗୀଭାବେ ଜଡିତ। ସେମାନ ସମସ୍ତେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଅନୁଷ୍ଠାନମାନଙ୍କ ଉପରେ ନିର୍ଭରଶୀଳ। ମୁଖ୍ୟତଃ ଚାଷୀ, କାରିଗର, ହସ୍ତଶିଳ୍ପୀ, ବୁଣାକାର, ମତ୍ସ୍ୟଜୀବୀ, ଦୁଗ୍ଧ ଉତ୍ପାଦକ ପ୍ରଭୃତି ପ୍ରାଥମିକ ଅର୍ଥନୀତି ସହ ଜଡିତ ସମସ୍ତ ନାଗରିକ ଏହି ସମବାୟ ଆନ୍ଦୋଳନରେ ସାମିଲ ଅଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମବାୟ ଅନୁଷ୍ଠାନର ସୁଦୂର ପ୍ରସାରୀ ଭୂମିକାକୁ ଉପଲବ୍ଧ କରି ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରଥମେ ଆମ ଓଡିଶାରେ ସମବାୟର ମୂଳଦୁଆ ପକାଇଥିଲେ। ୧୮୯୮ ମସିହାରେ କଟକ ଠାରେ ଏକ ସମବାୟ ଷ୍ଟୋର ପ୍ରତିଷ୍ଠା ହୋଇଥିଲା ଏବଂ ପରେ ୧୯୦୪ ମସିହାରେ ସମବାୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ପ୍ରଥମ ଆଇନ୍‌ ପ୍ରଣୟନ ହେଲା। କଟକ ଜିଲ୍ଲା ବାଙ୍କୀରେ ସମବାୟ ଅନୁଷ୍ଠାନର ବିଧିବଦ୍ଧ ଭାବେ ଗଠନ ଆରମ୍ଭ ହୋଇଥିଲା।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆଉ ସପ୍ତାହେ ପରେ ଧାନ କିଣା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାର ସମ୍ପୂର୍ଣ୍ଣ ଦାୟିତ୍ବ ସମବାୟ ବିଭାଗ ଉପରେ ନ୍ୟସ୍ତ। ଚଳିତ ବର୍ଷ ବିଭାଗ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ବୃହତ୍ତ ଆଦିବାସୀ ବହୁମୁଖୀ ସମବାୟ ସମିତି(LAMPCS) ଗୁଡିକ ରାଜ୍ୟରେ ୪୦୦୦ରୁ ଉର୍ଦ୍ଧ୍ବ ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରିବେ।

ଚାଷୀମାନେ ଯେପରି ସ୍ବଚ୍ଛ, ସରଳ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ସେମାନଙ୍କର ଧାନ ବିନା କଟନୀ ଛଟନୀରେ ସରକାରଙ୍କୁ ବିକ୍ରୟ କରିପାରିବେ ଏବଂ ସେମାନଙ୍କ ପ୍ରାପ୍ୟ ୪୮ ଘଣ୍ଟା ମଧ୍ୟରେ ଯେପରି ସେମାନେ ପାଇବେ ସେଥି ପ୍ରତି ଯତ୍ନର ସହ ନିୟମ ମାନି କାର୍ଯ୍ୟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ନଚେତ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

ଓଡିଶାରେ ମୋଟ୍ ଫସଲ ୠଣର ୬୦ ପ୍ରତିଶତରୁ ଅଧିକ ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ। ପୂର୍ବରୁ ଅଭିଯୋଗ ରହିଛି ଯେ ପ୍ରାଥମିକ ସମବାୟ ସଂସ୍ଥା ଗୁଡିକ ଚାଷୀଙ୍କ ୠଣକୁ Ever Greening କରାଇଥାନ୍ତି। ଏହାକୁ ବନ୍ଦ କରିବାକୁ ହେଲେ ସମିତି ଗୁଡିକର ଖାତାପତ୍ର ଏବଂ ଆକାଉଣ୍ଟ୍‌ସକୁ ଅପଟୁଡେଟ୍‌ କରିବାକୁ ପଡିବ। ସେଥିପ୍ରତି ନିବନ୍ଧକ ମାନେ ଦୃଷ୍ଟି ଦେବା ସହିତ ସମସ୍ତ ପ୍ରକ୍ରିୟାକୁ କମ୍ପ୍ୟୁଟରୀକରଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମବାୟ ଭବନ ପରିସରରେ ସମବାୟ ପତାକା ଉତ୍ତୋଳନ କରିଥିଲେ ଏବଂ ମାର୍ଗଦର୍ଶିକା ପୁସ୍ତିକା ଉନ୍ମୋଚନ କରିଥିଲେ।

ଅନ୍ୟତମ ଅତିଥି ଭାବେ ରାଜ୍ୟ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ ସମବାୟ ହେଉଛି ଗ୍ରାମ୍ୟ ବିକାଶର ଏକ ବଳିଷ୍ଠ ମାଧ୍ୟମ। ରାଜ୍ୟ କୃଷି ଅର୍ଥନୀତିକୁ ସମୃଦ୍ଧ କରିବାରେ ଏହାର କ୍ରାନ୍ତିକାରୀ ଭୂମିକା ରହିଛି। ସମବାୟ ବ୍ୟକ୍ତିଙ୍କୁ ସ୍ବାବଲମ୍ବୀ କରାଇବା ସହ ସାମାଜିକ, ସାଂସ୍କୃତିକ ଓ ଅର୍ଥନୀତିକ ବିକାଶ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସମବାୟ ଆନ୍ଦୋଳନ ଦ୍ବାରା ସମାଜର ଦରିଦ୍ରତମ ଲୋକଙ୍କ ନିକଟରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କ ନେତୃତ୍ବରେ ସମବାୟ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଥିବା ନୂତନ ଜାତୀୟ ସମବାୟ ନୀତିର ବିଭିନ୍ନ ଦିଗ ଉପରେ ସେ ଆଲୋକପାତ କରିଥିଲେ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ରାଜ୍ୟରେ ଚାଷୀ ଓ ଚାଷର ଉନ୍ନତି କ୍ଷେତ୍ରରେ ସମବାୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ ଏବଂ ନୂଆ ସରକାର ଆସିବା ପରେ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ସମବାୟ ୟୁନିୟନ ସଭାପତି ଶ୍ରୀମତୀ ପ୍ରବାସିନୀ ଷଡଙ୍ଗୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସମବାୟ ସମିତି ସମୂହ ନିବନ୍ଧକ ଶ୍ରୀ ପଭୁ କଲ୍ୟାଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ୮ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଚାଷୀ ସମାବେଶ, ଚାଷୀମାନେ ପାଇବେ ଅତିରିକ୍ତ ୮୦୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନାରୁ ଜଣାଯାଇଛି ଯେ, ତ୍ରୁଟିଶୁନ୍ୟ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳ ମାନେ ସମସ୍ତ ପ୍ରସ୍ତୁତି କରିଛନ୍ତି।

ବୈଠକରୁ ଜଣାଯାଇଛି ଯେ, ଆସନ୍ତା ୨୦ ତାରିଖରେ ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ  ଆରମ୍ଭ ହେବ।  ୨୨ ତାରିଖରେ ସମ୍ବଲପୁର ଏବଂ  ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ।  ନଭେମ୍ବର ୨୦ ତାରିଖରୁ  ଡିସେମ୍ବର ୭ ତାରିଖ ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ପ୍ରଦାନ କରାଯିବ।

ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ। ଡିସେମ୍ବର ୮ ତାରିଖ ଠାରୁ ୨୩୦୦ ଟଙ୍କା ସହିତ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରଦାନ କରାଯିବ।

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥା ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପ ସମ୍ପର୍କରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି।

ମୁଖ୍ୟମନ୍ତ୍ରୀ ଏଥିପାଇଁ ଜିଲ୍ଲାପାଳମାନେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଧାନ ମଣ୍ଡିରେ ଗ୍ରେନ ଆନାଲାଇଜର, Quality Analyst, ମଣ୍ଡି ସୁପରଭାଇଜର ଆଦି ମୁତୟନ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଚାଷୀମାନଙ୍କୁ ଟୋକେନ ପ୍ରଦାନ ୧୫ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ଜିଲ୍ଲାପାଳମାନେ ଚାହିଁଲେ ଟୋକେନର ସମୟସୀମାକୁ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ।

ପଡୋଶୀ ରାଜ୍ୟ ସହିତ ଲାଗି ରହିଥିବା ଜିଲ୍ଲା ଗୁଡିକରେ ଯେପରି ବାହାର ରାଜ୍ୟର ଧାନ ନ ପଶିବ, ସେଥିପ୍ରତି ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମେରା ସଂଯୁକ୍ତ ଥିବା ଯାନ ମାଧ୍ୟମରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏବଂ  ମଣ୍ଡିମାନଙ୍କରେ ସିସିଟିଭି ଲଗାଇବା ଓ କଟନି-ଛଟନି କୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ନିଜ ନିଜ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଳମାନେ ମଧ୍ୟ ଜିଲ୍ଲା ସ୍ତରରେ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଆଲୋଚନାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର ସବୁ ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି

ଭୁବନେଶ୍ବର: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ( Inter Ministerial Committee ) ଗଠନ କରାଯିବ। ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ବୈଠକରେ ବିଭିନ୍ନ ଆନ୍ତଃ ରାଜ୍ୟ ବିବାଦ ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା। ପୋଲାଭରମ, ବଂଶଧାରା, ମହାନଦୀ, କୋଟିଆ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

ଆଲୋଚନାରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଆଇନ ବିଭାଗ ପ୍ରମୁଖ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ବୈଠକ: ୮ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ଵର: ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ଏକ ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଥିଲେ।

କ୍ୟାବିନେଟ୍ ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ଏବଂ ସମସ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତନ୍ମଧ୍ୟରେ ୫ ଟି ପ୍ରସ୍ତାବ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ, ଗୋଟିଏ ଜଳସଂପଦ ବିଭାଗ, ଗୋଟିଏ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଅନ୍ୟଟି ସପ୍ତଦଶ ବିଧାନ ସଭାର ଆଗାମୀ ୨ୟ ଅଧିବେଶନ ଅନୁଷ୍ଠିତ ହେବା ସଂପର୍କିତ ପ୍ରସ୍ତାବ ଥିଲା।

ଏହି ପ୍ରେସ ବିବୃତ୍ତି ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର
ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅତ୍ୟାଧୁନିକ କ୍ୟାନ୍‌ସର ଚିକିତ୍ସା ସମ୍ପର୍କରେ ମିୟୋ କ୍ଲିନିକର ପ୍ରତିନିଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଲୋଚନାରୁ ଜଣା ଯାଇଛି ଯେ, କ୍ୟାନ୍‌ସର ଚିକିତ୍ସା ଅତ୍ୟଧିକ ବ୍ୟୟ ସାପେକ୍ଷ ଓ ଅନିଶ୍ଚିତ। ଡି.ଏନ୍.ଏ ଟେଷ୍ଟ ଜରିଆରେ ତୁରନ୍ତ ରୋଗ ନିରୂପଣ ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଫଳପ୍ରଦ ହେଉଛି ବା ନାହିଁ ତାହା ମଧ୍ୟ ଖୁବ୍ ଶୀଘ୍ର ଜଣାପଡି ପାରିବ। ତେଣୁ ଓଡିଶାରେ ଏହି ନୂତନ ପଦ୍ଧତିର ପ୍ରୟୋଗ ସପକ୍ଷରେ ପ୍ରତିନିଧିମାନେ ମତ ରଖିଥିଲେ। ଏହା ଦ୍ୱାରା ରୋଗ ନିରୂପଣ ଖୁବ୍‌ ଶୀଘ୍ର ସୂଚନା ମିଳିବା ସହିତ ଫଳପ୍ରଦ ଚିକିତ୍ସା ପ୍ରଦାନ କରାଯାଇ ପାରିବ।

ସ୍ୱାସ୍ଥ୍ୟସେବା, ବିଶେଷ କରି କ୍ୟାନ୍‌ସର ଚିକିତ୍ସାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମତ ଦେଇ ଏ ସମ୍ପର୍କରେ ବିଧିବଦ୍ଧ ପ୍ରସ୍ତାବ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍. ଉପସ୍ଥିତ ଥିଲେ।

ମିୟୋ କ୍ଲିନିକ ପକ୍ଷରୁ ପ୍ରଫେସର ଦେବ ମୁଖାର୍ଜୀ, ଆମେରିକାସ୍ଥିତ ଏଲିଫାସ୍ ବାୟୋ ସାଇନ୍‌ସେସ୍  ପକ୍ଷରୁ ମିଷ୍ଟର ଚାର୍ଲସ୍ ମିଲର (Mr. Charles Miller from Elephes Bio-Sciences), ଇନ-ଡି.ଏନ୍.ଏ ଲାଇଫ୍ ସାଇନ୍‌ସର (inDNA Life Sciences) ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡ. ବିରେନ୍ ବାନାର୍ଜୀ ଓ  ଏହାର ପ୍ରତିନିଧି ଦେବୀ ପ୍ରସାଦ ରଥ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ

ନୂଆଦିଲ୍ଲୀ/ଭୁବନେଶ୍ଵର: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ମିଳିତ ଭାବେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ୱେବସାଇଟ୍ (pbdindia.gov.in)କୁ ଉନ୍ମୋଚନ କରିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ। ବିଦେଶରେ ରହୁଥିବା ଭାରତୀୟ ପ୍ରବାସୀଙ୍କ ସହ ଯୋଗାଯୋଗ ଏବଂ ସମ୍ପର୍କ ସ୍ଥାପନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ। ଓଡ଼ିଶା ସରକାରଙ୍କ ସହଯୋଗରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆସନ୍ତା ୨୦୨୫ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ।

୨୦୨୫ ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ବିଷୟବସ୍ତୁ ହେଉଛି ‘‘ଏକ ବିକଶିତ ଭାରତରେ ପ୍ରବାସୀଙ୍କ ଅବଦାନ’’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ମିଳିତ ସହଯୋଗରେ ପ୍ରବାସୀ ଭାରତୀୟ ଦିବସର ଏକ ଯୁବ ସଂସ୍କରଣ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବା ସହ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ।

ୱେବସାଇଟର ଉନ୍ମୋଚନ ସହ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ୱେବସାଇଟ ଓଡ଼ିଶାରେ ରହିବା ପାଇଁ ରିଜର୍ଭେସନ ସୁବିଧା ପ୍ରଦାନ କରିବ ଏବଂ ପ୍ରବାସୀ ଭାରତୀୟ ଦିବସ ୨୦୨୫ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବ।

ୱେବସାଇଟକୁ ଉନ୍ମୋଚନ କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଭାରତ ସରକାର ୩୫ ନିୟୁତରୁ ଅଧିକ ପ୍ରଭାବଶାଳୀ ଭାରତୀୟ ପ୍ରବାସୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ବିଦେଶ ଗସ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ବାର୍ତ୍ତାଳାପ କରିଛନ୍ତି। ଭାରତର ବିକାଶ ଧାରା ପ୍ରତି ପ୍ରବାସୀଙ୍କ ଅତୁଟ ସମର୍ଥନ ଭାରତ ଏବଂ ଏହାର ବିଶ୍ୱ ସମୁଦାୟ ମଧ୍ୟରେ ଥିବା ଦୃଢ଼ ସମ୍ପର୍କର ପ୍ରମାଣ। ଭାରତୀୟ ପ୍ରବାସୀ ମାନେ ଏକ ବିକଶିତ ଭାରତ ଅଭିମୁଖେ ଭାରତର ଅଗ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଓଡ଼ିଶା ଗସ୍ତରେ ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ପ୍ରବାସୀମାନେ ଓଡ଼ିଶାର ସମୃଦ୍ଧ ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ କରିବା ପାଇଁ ମା’ମାନଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’କୁ ଉଦ୍‌ଘାଟନ କରି ରାଜ୍ୟରେ ମିଲେଟ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ଭାରତର ମିଲେଟ ହବ୍ ରେ ପରିଣତ କରାଯିବ । ଏଥିପାଇଁ ଚଳିତ ବର୍ଷ ବଜେଟରେ ୬୪୯ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ।

ଏହା ସହିତ ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ, ବିସ୍ମୃତ ଖାଦ୍ୟଶସ୍ୟର ପୁନରୁଦ୍ଧାର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ମିଳିତ ଜାତିସଂଘର ପ୍ରତିନିଧି, କୃଷି ବିଜ୍ଞାନୀ, ଗବେଷକ, ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ଜିଲ୍ଲାର କୃଷକ ଓ ଅଗ୍ରଣୀ ମହିଳା ଚାଷୀମାନେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ପୁଷ୍ଟିଶସ୍ୟ ଓ ଚାଷ ପ୍ରଣାଳୀ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ପୁଷ୍ଟିଶସ୍ୟର ପ୍ରାଚୀନତା ଏବଂ ଆମ ସଂସ୍କୃତି ଓ ଐତିହ୍ୟ ସହିତ ଏହାର ନିବିଡତାକୁ ଦୃଷ୍ଟିରେ ରଖି ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ‘ଶ୍ରୀଅନ୍ନ’ ଭାବେ ନାମିତ କରିଛନ୍ତି।

ପୁଷ୍ଟିଶସ୍ୟ ବା ଶ୍ରୀ ଅନ୍ନ ଜାତୀୟ ଫସଲ ଆମ ରାଜ୍ୟ କୃଷିର ଏକ ଅଭିନ୍ନ ଅଂଶବିଶେଷ। ଜଳବାୟୁ ସହିଷ୍ଣୁତା ଗୁଣ ସହ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଗୁଡିକ ପୁଷ୍ଟି ଏବଂ ଖାଦ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ଗରୁତ୍ୱପୂର୍ଣ୍ଣ ଅଟେ। ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଶ୍ରୀଅନ୍ନ ଚାଷ ଆଜି ସାରା ଦେଶରେ ଏକ ବିପ୍ଳବର ରୂପ ନେଇଛି, ଏବଂ ଆଜି ସାରା ଓଡିଶାରେ ଶ୍ରୀଅନ୍ନ ଚାଷ ହେଉଛି। ପ୍ରାୟ ୧୭୭ ବ୍ଲକରେ ଏହି ଚାଷକୁ ସମ୍ପ୍ରସାରଣ କରାଯାଇଛି।

ପୁଷ୍ଟିଶସ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତରେ ପ୍ରାୟ ୧୪ ପ୍ରକାର ପୁଷ୍ଟିଶସ୍ୟ ଶ୍ରୀଅନ୍ନ ଭାବେ ମାନ୍ୟତା ପାଇଛି। ସେଥି ମଧ୍ୟରୁ ବାଜରା, ଜୱାର, ମାଣ୍ଡିଆ ସବୁଠାରୁ ଅଧିକ ଆଦୃତ। ଓଡିଶାରେ ମାଣ୍ଡିଆ ସବୁଠାରୁ ଅଧିକ ଉତ୍ପାଦନ ହେଉଥିବା ବେଳେ ସୁଆଁ, କାଙ୍ଗୁ, କୋଦ, ଜହ୍ନା ପରି ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଫସଲ ମଧ୍ୟ ବହୁଳ ଭାବେ ଚାଷ କରାଯାଉଛି।

ଏହିସବୁ ପୁଷ୍ଟିଶସ୍ୟ ଗ୍ଲୁଟେନମୁକ୍ତ, ଅଧିକ ସ୍ନେହସାର, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ବହୁତ କମ୍ ଗ୍ଲାଇସେମିକ୍ ସୂଚକାଙ୍କ ଧାରକ ହୋଇଥିବା ଯୋଗୁ ଏହା ମଧୁମେହ ରୋଗ ପ୍ରତିରୋଧ କରିବା ସହିତ ରକ୍ତ ଶର୍କରା ପରିଚାଳନାରେ ମଧ୍ୟ ସାହଯ୍ୟ କରିଥାଏ। ଶ୍ରୀଅନ୍ନ ଗୁଡିକ କର୍କଟ ରୋଗ, ରକ୍ତହୀନତା, ଭିଟାମିନ ‘ବି’ର ଅଭାବ ଦୂର କରିବା ଦିଗରେ ପ୍ରତିଷେଧକ ଭାବେ କାମ କରିଥାଏ। ଏହିସବୁ ଉତ୍କୃଷ୍ଟ ଗୁଣ ଯୋଗୁ ଶ୍ରୀଅନ୍ନ ଏକ ସୁପରଫୁଡର ମାନ୍ୟତା ପାଇଛି।

ବର୍ତ୍ତମାନ ଆମ ସରକାର ଶ୍ରୀଅନ୍ନ ର ଅଧିକ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି। ଆମକୁ ଏହାକୁ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପଡିବ। ମାଣ୍ଡିଆକୁ ସ୍ୱାଦିଷ୍ଟ କରିବା ପାଇଁ ନୂଆ ନୂଆ ପ୍ରକାର ବ୍ୟଞ୍ଜନ ଓ ନୂଆ ପ୍ରକାର ବ୍ୟଞ୍ଜନ ଶୈଳୀକୁ ଘରେ ଘରେ ପହଞ୍ଚାଇବା ପାଇଁ ଫୁଡ୍ ବ୍ଲଗରମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଓଡିଶାରେ ମାଣ୍ଡିଆ ଚାଷକୁ ଆମ ମହିଳା ଚାଷୀମାନେ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି। ଓଡିଶା ମାଣ୍ଡିଆ ଆନ୍ଦୋଳନର ଦୁଇ ପ୍ରମୁଖ ମହିଳା ଚାଷୀ ହେଉଛନ୍ତି, କୋରାପୁଟ ଜିଲ୍ଲାର ରାଇମତୀ ଘୁରିଆ ଏବଂ ମୟୁରଭଞ୍ଜ ଜିଲ୍ଲାର ସୁବାଷା ମହନ୍ତ। ସେମାନେ ନିଜ ନିଜ ପ୍ରଚେଷ୍ଟାରେ ଏହାର ଅଭିବୃଦ୍ଧି କରିବା ସହିତ ମାଣ୍ଡିଆ କିପରି ଏକ ଚାଷୀର ଆର୍ଥିକ ଅବସ୍ଥାକୁ ବଦଳେଇ ଦେଇପାରେ ତାକୁ ପ୍ରମାଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ଦୁଇ ମହିଳାଙ୍କୁ ଜି-୨୦ ସମ୍ମିଳନୀରେ ଶ୍ରୀଅନ୍ନ ଚାଷର ବ୍ରାଣ୍ଡ ଆମ୍ବାସଡର କରିଥିଲେ। ପୋଷକତତ୍ତ୍ୱରେ ଭରପୁର ଏହି ବିଲୁପ୍ତପ୍ରାୟ ଖାଦ୍ୟର ପୁନରୁଦ୍ଧାର କରିବା ଦିଗରେ ଆମ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହେବା ସହିତ ମିଲେଟ ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା କୋରାପୁଟ, ସୁନ୍ଦରଗଡ ଏବଂ ରାୟଗଡା ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯାଇଥିଲା।

ଏଥି ସହିତ Best Millet Farmer ଭାବେ କଳାହାଣ୍ଡିର ସିତାରାମ କରକର୍ଲା, ଗଜପତିର ସାରଙ୍ଗ ସବର, ବଲାଙ୍ଗୀରର ଗୋଲାପ ବିଶି, Best Custodian Farmer ଭାବେ ନୂଆପଡାର ଲିଳାମ୍ବର ମାଝୀ, ସୁନ୍ଦରଗଡର ଜାକ୍ରିଆସ କଣ୍ଡୁଲନା ଓ ସମ୍ବଲପୁରର ଦେବବ୍ରତ ପ୍ରଧାନ, Best Forgotten Food Champion ଭାବେ କଳାହାଣ୍ଡିର କୌଶଲ୍ୟା ଗୌଡ, ବରଗଡର ରେଣୁକା ଦଂଶନ, ମୟୁରଭଞ୍ଜର ମଞ୍ଜୁଲତା ମହନ୍ତ ଏବଂ Special Awardee ଭାବେ କୋରାପୁଟର ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ଏହି ଅବସର ରେ ବିଲୁପ୍ତ ପ୍ରାୟ ଖାଦ୍ୟ ଶସ୍ୟ ଓ ବିଭିନ୍ନ ପ୍ରକାର ପୁଷ୍ଟି ଶସ୍ୟ ଉପରେ ଆୟୋଜିତ ଏକ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ଆମ ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିସ୍ମୃତ ଶସ୍ୟର ଉତ୍ପାଦନ କରି ଏହାକୁ ଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି। ଆମେ ଖାଉଥିବା ଖାଦ୍ୟ ଠାରୁ ଏହା ଅଧିକ ପୋଷକ ଓ ଭିଟାମିନଯୁକ୍ତ। ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ମିଲେଟ ଜାତୀୟ ଶସ୍ୟର ପୁନରୁଦ୍ଧାର ହୋଇଛି। ଆମ ସମସ୍ତଙ୍କୁ ଏହି ପୋଷକଯୁକ୍ତ ଖାଦ୍ୟକୁ ଆମ ଖାଦ୍ୟ ଶୃଙ୍ଖଳରେ ସାମିଲ କରିବାକୁ ପଡିବ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ବିବିଧକରଣର ଆବଶ୍ୟକତା ବଢିଛି। ଶ୍ରୀଅନ୍ନକୁ ଭବିଷ୍ୟତର ଖାଦ୍ୟ ରୂପେ ଉଲ୍ଲେଖ କରି ଆଗାମୀ ଦିନରେ ଏହାର ବହୁଳ ବ୍ୟବହାର ଦୃଷ୍ଟିରୁ ପାରମ୍ପରିକ ପଦ୍ଧତି ସହ ବୈଜ୍ଞାନିକ ଜ୍ଞାନକୈଶଳ ଉପଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ତଥା ଏମ୍‌ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ସୌମ୍ୟା ସ୍ୱାମୀନାଥନ କହିଥିଲେ ଯେ, ବିସ୍ମୃତ ଏବଂ କ୍ଷୁଦ୍ର ଶସ୍ୟ ପୁନରୁଦ୍ଧାର ପାଇଁ ଏହି ସମ୍ମିଳନୀ ଏକ ସମୟପଯୋଗୀ ପଦକ୍ଷେପ। ଓଡିଶାରେ ବିବିଧ ଖାଦ୍ୟ ରୁଚି ରହିଛି। ଯାହାର ଉଦାହରଣ ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ଛପନଭୋଗ।

ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଦେଶର ଦୁଇଟି କୃଷି ଐତିହ୍ୟସ୍ଥଳ ମଧ୍ୟରେ ଓଡିଶାର କୋରାପୁଟ ସ୍ଥାନିତ ହୋଇଛି। ଅନ୍ୟଟି କେରଳ। ଓଡିଶାରେ ଶ୍ରୀଅନ୍ନର ଚାଷ ଓ ସଂରକ୍ଷଣ ପାଇଁ ମହିଳା ଚାଷୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବହୁ ଖାଦ୍ୟଗୁଣ, ଭିଟାମିନଯୁକ୍ତ ଏହି କ୍ଷୁଦ୍ର ଶସ୍ୟ ଗୁଡିକର ପ୍ରଚାର ପ୍ରସାର ଏବଂ ବହୁଳ ବ୍ୟବହାର ପାଇଁ ସମସ୍ତେ ଶ୍ରୀଅନ୍ନ ଅଭିଯାନରେ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିଲେ।

ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ କହିଥିଲେ ଯେ, ଗ୍ରିନ ରିଭୋଲ୍ୟୁସନ ଆସିବା ଦ୍ୱାରା ସାରା ବିଶ୍ୱରେ ଖାଦ୍ୟ ପଦାର୍ଥ ଉପରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଜୈବିକ କୃଷିକୁ ପ୍ରାଧାନ୍ୟ ଦିଆଯାଉଛି। ସମଗ୍ର ବିଶ୍ୱ ଆଜି ପୋଷଣକୁ ନେଇ ଚିନ୍ତିତ ଅଛି। ମିଲେଟ ଜାତୀୟ ଫସଲ ପ୍ରତି ଲୋକଙ୍କ ଆଗ୍ରହ ବଢିଛି। ମିଲେଟ ଉଭୟ ଭାରତ ଓ ଆଫ୍ରିକାରେ ଚାଷ ହୋଇଥାଏ। ଓଡିଶାରେ ମାଇନର ମିଲେଟର ଅଭିବୃଦ୍ଧି ପାଇଁ ଯାହାସବୁ ଆବଶ୍ୟକ ତାହା ରହିଛି। ଆମକୁ ଏହି ଚାଷକୁ ଆଗେଇ ନେବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଚଳିତ ଶିକ୍ଷା ବର୍ଷରୁ ପ୍ରଚଳନ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ।

ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ  ସାର୍ଟିଫିକେଟ୍ , ଡିପ୍ଲୋମା , ଡିଗ୍ରି , ଏବଂ ଡିଗ୍ରି ଅନର୍ସ୍  ପ୍ରଦାନ କରା ଯିବ। ୟୂ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ଆଧାରରେ  ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ପ୍ରସ୍ତୁତ ହୋଇଅଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି। କମ୍ୟୁନିଟି ସର୍ଭିସ୍ ଓ extra curricular activities, ଏନ.ସି.ସି. ଏନ.ଏସ.ଏସ. ଇତ୍ୟାଦି  ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ। ଏତଦ୍ୱାରା ଛାତ୍ର ଛାତ୍ରୀ ମାନେ ନିଜ ସ୍ୱେଛା ରେ ତାଙ୍କର ବିଷୟ ଗୁଡିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସ କୁ ପୂର୍ଣ୍ଣ କରିପାରିବେ।

ନୂତନ ଶିକ୍ଷା ନୀତି 2020 ଅନୁସାରେ ଓଡିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି। ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷାକୁ ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ କରାଯାଉଛି। ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ।

ଏଥିପାଇଁ ବର୍ତମାନ ରେ  ୪୦ଟି ସ୍ନାତକ  ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ୍ ସିଲାବସ୍ ସହିତ ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି multi disciplinary ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି।

ଏହା ଦ୍ୱାରା  ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱ ବିଦ୍ୟାଳୟ ଗୁଡିକ ନୂତନ ସିଲାବସ୍ ଓ କ୍ରେଡିଟ୍ ଫ୍ରେମ୍‌ୱର୍କ୍  ଅନୁଯାୟୀ ଜାତୀୟ ଶିକ୍ଷାନୀତି ଲାଗୁ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ହୋମ ଗାର୍ଡଙ୍କ ନିଯୁକ୍ତି ରହିତାଦେଶ ପ୍ରତ୍ୟାହୃତ, ଖୁବ୍ ଶୀଘ୍ର ଖାଲି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶ ପ୍ରତ୍ୟାହୃତ ହୋଇଛି।

ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ।

ସୂଚନା ଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବା ବେଳେ ୧୫,୩୦୬ ଜଣ ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି। ୨୩୬୯ ପଦବୀ ଖାଲି ଅଛି। ଏହି ନିଷ୍ପତ୍ତି ଦ୍ବାରା ଖାଲି ଥିବା ପଦବୀ ଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପୂରଣ କରାଯାଇ ପାରିବ।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମ ବିଜେତାଙ୍କ ପାଇଁ ସମ୍ମାନ ସୂଚକ ସହାୟକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ମିଳିବ ମାସିକ ୩୦ ହଜାର

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ ପାଇଁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇ ପାରିବେ।

ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’

ଭୁବନେଶ୍ୱର: ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଇ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅବସରରେ କହିଛନ୍ତି।

ଭୁବନେଶ୍ବର ଜୟଦେବ ଭବନ ଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀଧନ ନିରୀକ୍ଷକ ଓ ବିଭାଗୀୟ ଅନ୍ୟ କର୍ମଚାରୀ ମାନେ ନିରନ୍ତର ଭାବେ ପ୍ରାଣୀ ସେବା ଯୋଗାଇଥାନ୍ତି। ଆମ ଏହି ବିଭାଗର କର୍ମଚାରୀ ମାନଙ୍କ ବୈଷୟିକ ଜ୍ଞାନ ଚାଷୀ ଭାଇ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଖୁବ୍ ସହାୟକ ହୋଇଥାଏ। ପ୍ରାଣୀ ପାଳନ ମନୁଷ୍ୟ ସମାଜର ସବୁଠାରୁ ପୁରାତନ ଜୀବିକା। ଆଜି ସମୟ ବଦଳି ଯାଇଛି, ମଣିଷ ସମାଜ ବର୍ତ୍ତମାନ ବିଭିନ୍ନ ପ୍ରକାର ବୃତ୍ତିଗତ ବ୍ୟବସାୟରେ ଜଡିତ ହୋଇ ଆଗକୁ ବଢୁଛି। କୃଷି ଓ ପଶୁ ପାଳନ କ୍ଷେତ୍ରରେ ଯୁବବର୍ଗଙ୍କ ମଧ୍ୟରେ ଫାର୍ମ ହାଉସ କରିବାର ଆଗ୍ରହ ବୃଦ୍ଧି ପାଉଛି। ଯଦି ଯୁବ ସମାଜ କୃଷି ଓ ପଶୁ ପାଳନ କ୍ଷେତ୍ରକୁ ବ୍ୟାପକ ଭାବେ ଆସିବେ ଏବଂ ଏହାକୁ ନିଜର ମୁଖ୍ୟ ବୃତ୍ତି ଭାବେ ଗ୍ରହଣ କରିବେ ତେବେ କୃଷି ଓ କୃଷକଙ୍କ ଆର୍ଥିକ ସ୍ଥିତିରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ କର୍ମଚାରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଆପଣ ମାନେ ଆପଣଙ୍କ ବୃତ୍ତିକୁ ଏକ ସାଧାରଣ ଚାକିରୀ ବୋଲି ଭାବନ୍ତୁ ନାହିଁ। ଆପଣ ମାନଙ୍କ ଜ୍ଞାନ ଯେପରି ଲୋକଙ୍କ ଉପକାରରେ ଆସିବ, ସେମାନେ ଯେପରି ପଶୁ ପାଳନ ବୃତ୍ତିକୁ ଏକ ଲାଭ ଜନକ ତଥା ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରିବେ ସେଥିପାଇଁ ଉଦ୍ୟମ କରନ୍ତୁ। ଆପଣ ମାନେ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖେ ପହଞ୍ଚାନ୍ତୁ ଏବଂ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ପାଳନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନେକ ସହାୟତା ଓ ରିହାତିର ବ୍ୟବସ୍ଥା କରାଯାଇଛି। ଆମ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେଲେ ସାଧାରଣ ଲୋକ ଓ ଯୁବବର୍ଗ ଏ କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ ହେବେ।

ପ୍ରାଣୀ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷ ବଜେଟ୍‌ରେ ୬୯୭ କୋଟି ଟଙ୍କା ରଖାଯାଇଛି। ଆମ ନୂଆ ସରକାରଙ୍କ ଦ୍ବାରା ନୂତନ ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏବଂ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ କରାଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣ ମାନେ ଡବଲ ଇଞ୍ଜିନ ସରକାର ଦେଇଛନ୍ତି। ଆମକୁ ମଧ୍ୟ ବିକାଶକୁ ଡବଲ ସ୍ପିଡ୍‌ରେ କରିବାକୁ ପଡିବ। ଏ ବିଭାଗକୁ ଆହୁରି ସଶକ୍ତ କରିବାକୁ ପଡିବ। ଚାଷୀ ମାନଙ୍କୁ ଆଗକୁ ନେବାକୁ ପଡିବ। ଏଥିପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଉଦ୍‌ବୋଧନ ଦେଇ କହିଥିଲେ ଯେ ଆପଣ ମାନେ ଜଣେ ଜଣେ ପ୍ରାଣୀ ସେବକ ଭାବେ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। କୃଷି ପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରାଜ୍ୟର ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି। ଗ୍ରାମାଞ୍ଚଳର ଗରିବ କୃଷକଙ୍କ ଅର୍ଥନୈତିକ ଅଭିବୃଦ୍ଧି ସହିତ ସମାଜର ଶେଷ ଧାଡିରେ ରହିଥିବା ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାରେ ଆପଣମାନଙ୍କର ବଳିଷ୍ଠ ଯୋଗଦାନ ରହିଛି। ୨୦୩୬ ବିକଶିତ ଓଡିଶା ଗଠନର ମୁଖ୍ୟ ବିନ୍ଧାଣୀ ହେବେ ଆପଣ ମାନେ। ଆମର ଏହି ବିକଶିତ ଓଡିଶା ଗଠନ ଲକ୍ଷ୍ୟ ପୂରଣ ପାଇଁ ଆସନ୍ତୁ ଆମେ ସମସ୍ତେ ମିଳି ମିଶି କାମ କରିବା ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୪ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ମାନିତ କରିଥିଲେ।

ବିଧାୟକ ତଥା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ଶ୍ରୀ ବସନ୍ତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ସଭାପତି ଶ୍ରୀ ଉପେନ୍ଦ୍ର ନାଥ ରଣା ଧନ୍ୟବାଦ ଅର୍ପଣ କରିଥିଲେ।