Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ପାଇଁ ଓଡିଶା ଟଙ୍କା ଖର୍ଚ୍ଚ କରିପାରି ନାହିଁ

ନୂଆଦିଲ୍ଲୀ,  ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଂଗ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ ଏବଂ ହରିଆନା ନିଜ ନିଜ ରାଜ୍ୟରେ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନ ଖୋଲିବା ପାଇଁ ଜାଗା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ।  ଓଡିଶା, ହରିଆନା ଓ କର୍ଣ୍ଣାଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ଇତିମଧ୍ୟରେ ପାଣ୍ଠି ଯୋଗାଣ ଆରମ୍ଭ କରିଛନ୍ତି।

ଆଜି ରାଜ୍ୟସଭାରେ ଏ ସଂପର୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ୩ଟି ରାଜ୍ୟକୁ ୧୨୧ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି । ହରିୟାଣାକୁ ଦିଆଯାଇଥିବା ୫୯.୨୧ କୋଟି ଟଙ୍କା ମଧ୍ୟରୁ ୫୬.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ସେହିଭଳି କର୍ଣ୍ଣାଟକକୁ ଦିଆଯାଇଥିବା ୫୯.୬୭ କୋଟି ଟଙ୍କା ମଧ୍ୟରୁ ୫୬.୩୫ କୋଟି ଟଙ୍କା ବିନିଯୋଗ ହୋଇଛି।

ଓଡ଼ିଶା ସରକାରଙ୍କୁ ଏହି କେନ୍ଦ୍ର ସ୍ଥାପନ ପାଇଁ ଯୋଗାଇ ଦିଆଯାଇଥିବା ୧.୫୮ କୋଟି ଟଙ୍କା ମଧ୍ୟରୁ ମାତ୍ର ୯ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ସମଗ୍ର ଦେଶରେ ଯୋଗ ଓ ନେଚରପ୍ୟାଥିକୁ ପ୍ରୋତ୍ସାହିତ କରିବା ସହ ବିଦେଶରେ ଏହାକୁ ପହଞ୍ଚାଇବା ଲକ୍ଷ୍ୟରେ ଏସବୁ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟ ୬ଟି ରାଜ୍ୟ ସରକାର ଏଥିପାଇଁ ଜମି ଏବଂ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ପର୍ଯ୍ୟାୟ କ୍ରମେ ସେସବୁ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।