Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ‘ଶ୍ରୀମଦ୍‍ ଭଗବଦ୍‍ ଗୀତା’ର ନୂତନ ସଂସ୍କରଣ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ବର: ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଦ୍ୱାରା ଇଂରାଜୀରେ ଅନୂଦିତ ‘ଶ୍ରୀମଦ‍ ଭଗବଦ୍‍ ଗୀତା’ର ନୂତନ ସଂସ୍କରଣକୁ ରାଜ୍ୟପାଳ ପ୍ରଫେସର‍ ଗଣେଶୀ ଲାଲ ଲୋକାର୍ପଣ କରିଛନ୍ତି।

ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ଗୀତାର କାବ୍ୟିକ ଅନୁବାଦ ଏକ କଠିନ ବ୍ୟାପାର ଏବଂ ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀ ଏପରି ଏକ ସଫଳ ପ୍ରୟାସ କରିଥିବାରୁ ଖୁସି ବ୍ୟକ୍ତ କରିବା ସହ ସ୍ୱର୍ଗତ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗୀତା ହେଉଛି  ସଭ୍ୟତାର ସର୍ବଶ୍ରେଷ୍ଠ ଗ୍ରନ୍ଥ। ଏଥିରେ ସକଳ ପ୍ରଶ୍ନର ଉତ୍ତର ଅଛି। ଗୀତାର ବିକଳ୍ପ ନାହିଁ। ଶ୍ରୀମଦଭଗବଦ୍‍‍ଗୀତାର ବାଣୀର ପ୍ରସାରରେ ହିଁ ପୃଥିବୀରେ ଶାନ୍ତି ଆସିପାରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଥିଲେ।

ଉନ୍ମୋଚନ ଉତ୍ସବରେ ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ, ନ୍ୟାୟମୂର୍ତ୍ତି ଆର. ଏନ୍‍. ବିଶ୍ୱାଳ, ବିନ୍ଧ୍ୟବାଳା ପାଣିଗ୍ରାହୀ, ବୈବସ୍ୱତ ପାଣିଗ୍ରାହୀ, ରାମନାଥ ପଣ୍ଡା, ଗୀତା ମହାଂତି ,ସ୍ୱାମୀ ଶିବ ଚିଦାନନ୍ଦ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ ନିନ୍ଦା, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲା ଶାଳିଆ ପ୍ରେସ କ୍ଲବ

ବାଣପୁର: ଘରୋଇ ଟିଭି ଚ୍ୟାନେଲ ବଡ଼ ଖବରର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିକଟରେ ଇଓଡବ୍ଲୁ ଗିରଫ କରିଛି। କିନ୍ତୁ ଏହି ଗିରଫଦାରୀକୁ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଶାଳିଆ ପ୍ରେସ କ୍ଲବ ନିନ୍ଦା କରିଛି। ଅର୍ଦ୍ଧେନ୍ଦୁଙ୍କୁ ଜାଣିଶୁଣି ଷଡଯନ୍ତ୍ର କରି ଗିରଫ କରାଯାଇଛି ବୋଲି ପ୍ରେସ କ୍ଲବର କର୍ମକର୍ତ୍ତାମାନେ କହିଛନ୍ତି।

ଏକ ଚୁକ୍ତିଭିତିକ ଟଙ୍କା ନେଣ ଦେଣ ବ୍ୟବସାୟକୁ ଅପରାଧର ରଙ୍ଗ ଦିଆଯାଇ ଜାଣିଶୁଣି ଜନୈକ ବ୍ୟବସାୟୀ ଇଓଡବ୍ଲୁ ରେ ଏତଲା ଦେବା ସନ୍ଦେହଜନକ ଏବଂ ଏହାପଛରେ ଏକ ବଡ଼ ଚକ୍ରାନ୍ତ ହୋଇଥିବାର ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ଏହା ବିରୁଦ୍ଧରେ ଜନସାଧାରଣଙ୍କ ସ୍ୱର ଶାଣିତ ହେବାରେ ଲାଗିଥିବା ବେଳେ ଜଣେ ବରିଷ୍ଠ ସଚ୍ଚୋଟ ସାମ୍ବାଦିକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଯାଇ ଏହିପରି ରାତିଅଧିଆ ଗିରଫ କରିବା ଏବଂ ଗଳାକୁ ଧରି ଭିଡି ଭିଡି ନେବା ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଇଛି। ଗଣତନ୍ତ୍ର ପାଇଁ ଏହି କଳା ଦିବସ ବୋଲି ସାମ୍ବାଦିକ ମାନେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଶାଳିଆ ପ୍ରେସ କ୍ଲବର ସଭାପତି ଅଜିତ ସାହୁଙ୍କ ନେତୃତ୍ୱରେ ବହୁ ସଦସ୍ୟମାନେ କଳା ବ୍ୟାଜ ପରିଧାନ କରି ଅର୍ଦ୍ଧେନ୍ଦୁ ଦାସଙ୍କୁ ନ୍ୟାୟ ପ୍ରଦାନ ଏବଂ ଉକ୍ତ ଷଡଯନ୍ତ୍ରର ତଦନ୍ତ ଦାବିରେ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଅନୁରୂପ ଭାବେ ଶାଳିଆ ପ୍ରେସ କ୍ଲବ ଏ ସଂକ୍ରାନ୍ତରେ ସମାନ ଦାବିପତ୍ର ଚିଲିକା ତହସିଲଦାରଙ୍କୁ ପ୍ରଦାନ କରିବ ବୋଲି ସଂଘ ସଭାପତି ଶ୍ରୀ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜଭବନରେ ସଫଳ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା ହେଉଛି ପ୍ରତିଭାଙ୍କ ଖଣି। ପ୍ରତିଭାର ପ୍ରକାଶ ଓ ବିକାଶ ପାଇଁ ଓଡ଼ିଶା ଏକ ଉର୍ବର ଭୂମି। ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ ପାଇଁ ଓଡ଼ିଶାର ବିପୁଳ ସାମର୍ଥ୍ୟ ରହିଛି। ଏହାର ସଫଳ ଉପଯୋଗ ପୃଥିବୀ ପାଇଁ ମଙ୍ଗଳକର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଆଜି ରାଜଭବନରେ ଆୟୋଜିତ କିଛି ସଫଳ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରିବା ହିଁ ଈଶ୍ୱର ଆରାଧନା। ନିଜର କର୍ମ ମାଧ୍ୟମରେ ଅନ୍ୟର କିଛି ଉପକାର କରିପାରିଲେ ଓ ଅନ୍ୟର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଅଛି ଜୀବନର ସାର୍ଥକତା।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅବିନାଶ ମିଶ୍ର ଓ ଚିନ୍ମୟ ଦାସ, ନୂଆ ବାସ୍ନା ଧାନର ଉଦ୍ଭାବକ କାଦମ୍ବିନୀ ବେହେରା, ଚିତ୍ରଶିଳ୍ପୀ ଶେ୍ୱତପଦ୍ମା ମିଶ୍ର, ଗୋସେବକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡା, ‘ଆସ ପଢ଼େଇବା’ର ଆବାହକ ପ୍ରତ୍ୟୟ ପ୍ରଶାନ୍ତ, ଓଡ଼ିଶାରେ ଗୋଷ୍ଠୀ ରେଡ଼ିଓର ପ୍ରସାରକ ଏନ୍‌.ଏ. ଶାହା ଆନସାରୀ, ସଂସ୍କୃତି ପ୍ରଚାରକ ଶ୍ୟାମ ପ୍ରକାଶ ସେନାପତି, ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶ, ‘ପଥେ ପାଠଶାଳା’ର ପ୍ରତିଷ୍ଠାତା ବଳରାମ ସାହୁ ନିଜ ଜୀବନଯାତ୍ରା, ଅନୁଭବ ଓ ଉପଲବ୍ଧି ସଂପର୍କରେ କହିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
StateBoard ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେଲେ ନୂଆ କୂଳପତି

ଭୁବନେଶ୍ବର: ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୂଳପତି ନିଯୁକ୍ତି ହୋଇଛନ୍ତି। ବିଶ୍ବବିଦ୍ୟାଳୟର କୁଳାଧୀପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ହେଉଛନ୍ତି ପ୍ରଫେସର ଗୀତାଞ୍ଜଳି ଦାସ। ସେ କାର୍ଯ୍ୟଭାର ଗ୍ରହଣ କରିବାଠରୁ ଚାରି ବର୍ଷ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି।

ପ୍ରଫେସର ଦାସ ହେଉଛନ୍ତି ଫକୀରମୋହନ ବିଶ୍ବବିଦ୍ୟାଳୟର ଅବସର ପ୍ରାପ୍ତ ରାଜନୈତିକ ବିଜ୍ଞାନ ପ୍ରଫେସର। ତାଙ୍କର ଶିକ୍ଷା ପ୍ରଦାନ କ୍ଷେତ୍ରରେ 36 ବର୍ଷର ଅଭିଜ୍ଞତା ରହିଛି। ସେଥିମଧ୍ୟରୁ 12 ବର୍ଷ ସେ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ସେ ପାଞ୍ଚୋଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କ ଅଧିନରେ ପାଞ୍ଚଜଣ ପିଏଚଡି ଏବଂ 35 ଜଣ ଏମଫିଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା: ଆସନ୍ତା ୧୬ ତାରିଖରେ ଭୁବନେଶ୍ବର ଆସିବେ ରାଜ୍ୟପାଳ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ରାଜଭବନରେ ନାହିଁନ୍ତି। ସେ ଆସନ୍ତା ୧୬ ତାରିଖରେ ଓଡିଶା ଆସିବେ। ତାଙ୍କର ବ୍ୟକ୍ତଗତ କାର୍ଯ୍ୟ ପାଇଁ ସେ ଗତ ୬ ତାରିଖରୁ ଛୁଟିରେ ଅଛନ୍ତି। କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ରାଜ୍ୟପାଳଙ୍କୁ ଶିଘ୍ର ଆସିବା ପାଇଁ ଅନୁରୋଧ କରାଯିବାରୁ ସେ ଛୁଟି କାଣ୍ଟଛାଣ୍ଟ କରି ଭୁବନେଶ୍ବରରେ ପହଁଚିଛନ୍ତି।

ମୁଖ୍ୟତଃ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଏହି ଖବର ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରୁଥିବାରୁ ରାଜ୍ୟପାଳଙ୍କୁ ଆସିବା ପାଇଁ ଅନୁରୋଧ କରାଯାଇଥିଲା। ସେହି ଅନୁସାରେ ରାଜ୍ୟପାଳ ଭୁବନେଶ୍ବରରେ ପହଁଚିଛନ୍ତି। ତେବେ ଏହି ଖବର ସଂପୂର୍ଣ୍ଣ ମିଥ୍ୟା । ସେ ବର୍ତ୍ତମାନ ତାଙ୍କ ରାଜ୍ୟ ହିମାଚଳ ପ୍ରଦେଶରେ ଅଛନ୍ତି। ଆସନ୍ତା ୧୬ ତାରିଖରେ ସେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ପ୍ରାଚୀନ ଚିକିତ୍ସା ପରମ୍ପରାରୁ ପ୍ରେରଣା ଓ ଜ୍ଞାନର ପ୍ରୟୋଗ ଦରକାର; ରାଜ୍ୟପାଳ

ଭୁବନେଶ୍ୱର: ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନମୟ କୋଷ, ପ୍ରଜ୍ଞାମୟ କୋଷ ଓ ଆନନ୍ଦମୟ କୋଷରେ ଶରୀରର ସ୍ଥିତି । ଏହାକୁ ଧ୍ୟାନରେ ରଖି ଡାକ୍ତରମାନେ ଶରୀରର ଚିକିତ୍ସା କରିବା ଦରକାର । ଶରୀର, ମନ ଓ ଆତ୍ମାକୁ ଏକୀଭୂତ କରି ଚିକିତ୍ସା ପଦ୍ଧତିର ପ୍ରୟୋଗ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।

ଆଜି ରାଜଭବନରେ ଆସୋସିଏସନ ଅଫ୍‌ ଦି ଫିଜିସିଆନ୍ସ ଅଫ୍‌ ଇଣ୍ଡିଆ, ଓଡ଼ିଶା ଚାପ୍‌ଟର ୪୧ତମ ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଆମର ପ୍ରାଚୀନ ଚିକିତ୍ସା ପରମ୍ପରା ଓ ପଦ୍ଧତିରୁ ପ୍ରେରଣା ଓ ଜ୍ଞାନ ଗ୍ରହଣ କରିବା ଦରକାର । ଏହା ସହିତ ଆଧ୍ୟାତ୍ମିକ ଭାବର ପ୍ରୟୋଗ ମଧ୍ୟ ଏକାନ୍ତ ଜରୁରୀ । ପ୍ରକୃତି ସହିତ ମଣିଷ ଯେତିକି ଆତ୍ମୀୟ ହୋଇପାରିବ, ସେତେ ରୋଗଠୁ ଦୂରେଇ ରହିବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।

ସାଂସଦ ଅଚ୍ୟୁତ ସାମନ୍ତ ଡାକ୍ତରମାନଙ୍କ ଉପରେ ଥିବା ଲୋକମାନଙ୍କର ବିଶ୍ୱାସକୁ ବଜାୟ ରଖିବା ସହିତ ଦରିଦ୍ରମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ ।
ଆୟୋଜନ କମିଟିର ଅଧ୍ୟକ୍ଷ ଡ. ସୁଧାଂଶୁ ଶେଖର ପଣ୍ଡା, ସଂଗଠନ ସଂପାଦକ ଡ. ଲଲାଟେନ୍ଦୁ ମହାନ୍ତି, ଅବୈତନିକ ସଂପାଦକ ଡ. ସନ୍ତୋଷ କୁମାର ସ୍ୱାଇଁ, ଓଡ଼ିଶା ଚାପ୍‌ଟରର ଅଧ୍ୟକ୍ଷ ଡ. ଭରତ ପାଣିଗ୍ରାହୀ, ସମ୍ମାନିତ ଅତିଥି ଡ. ଏ. ମୁରୁଗନଥନ୍‌ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରାଜ୍ୟପାଳ ସ୍ମରଣିକା ଉନ୍ମୋଚନ କରିବା ସହ ପ୍ରଫେସର ଆର୍‌. ପଣ୍ଡା ଓ ଡ. ବି. ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

୩ୟ ଓଡ଼ିଶା ଶିକ୍ଷା ସମ୍ମାନ: ୧୦ ଶିକ୍ଷାନୁଷ୍ଠାନକୁ ସମ୍ମାନିତ କଲେ ରାଜ୍ୟପାଳ

ଭୁବନେଶ୍ବର: ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଆଜି ସଂଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏ ଅବସରରେ ରାଜ୍ୟର ଜଣାଶୁଣା ୧୦ଟି ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା।

ଉତ୍ସବକୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ଯେ କୌଣସି ବିଶ୍ବବିଦ୍ୟାଳୟ ଭିତରେ ଗବେଷଣାଗାର ନଥାଏ। ଶିକ୍ଷାର ଅସଲ ଗବେଷଣାଗାର ହେଉଛି ପ୍ରକୃତି। ସମୁଦ୍ର କୂଳରେ, ପକ୍ଷୀ ଉଡ଼ୁଥିବା ଆକାଶରେ, ନଦୀର କୁଳୁକୁଳୁ ଜଳଧାରାରରେ ଜ୍ଞାନର ଗନ୍ତାଘର ରହିଛି। ପ୍ରକୃତି ହିଁ ସବୁଠୁ ବଡ଼ ଶିକ୍ଷାନୁଷ୍ଠାନ ବୋଲି ସେ କହିଥିଲେ। ଶନ୍ତ ରହିବା ଜଣେ ଶିକ୍ଷାର୍ଥିର ସବୁଠୁ ବଡ଼ ଲକ୍ଷଣ। ଆମକୁ ଶବ୍ଦ ଓ କୋଳାହଳ ବାବଦରେ ତ ସମସ୍ତେ ଶିଖାନ୍ତି। ଶବ୍ଦର ଜ୍ଞାନ ବାବଦରେ ଆମକୁ ସମସ୍ତେ ଶିକ୍ଷାଦିଅନ୍ତି। କିନ୍ତୁ ଶବ୍ଦର ଅଜ୍ଞାନତା ବାବଦରେ କେହି କହିନଥାନ୍ତି। ନିରବତାରୁ ଶିକ୍ଷା କରିବା ହିଁ ଜଣେ ଜ୍ଞାନୀର ସବୁଠୁ ବଡ଼ ଭୂଷଣ ବୋଲି ସେ କହିଥିଲେ। ଉତ୍ସବରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି ରାଜ୍ୟପାଳ ସମ୍ମାନିତ ସମସ୍ତ ଅନୁଷ୍ଠାନ ଓ ସେମାନଙ୍କର ଉଦ୍ୟୋକ୍ତାଙ୍କୁ ଅଭିବାଦନ ଜଣାଇଥିଲେ।

ଏ ଅବସରରେ ରାଜ୍ୟର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ଭୁବନେଶ୍ବରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ, ରାଜ୍ୟର ଶ୍ରେଷ୍ଠ ଇଂଜିନିୟରିଂ ମହାବିଦ୍ୟାଳୟ ଭାବେ ବ୍ରହ୍ମପୁରର ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକନଲୋଜି (ନିଷ୍ଟ), ରାଜ୍ୟର ଶ୍ରେଷ୍ଠ ବିକଶିତ ବିଦ୍ୟାଳୟ ଭାବେ ଭୁବନେଶ୍ବରର ଦି ଡିଏନ୍‌ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲ, ରାଜ୍ୟର ଶ୍ରେଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ କଟକର କେଏମ୍‌ବିବି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ରାଜ୍ୟର ଶ୍ରେଷ୍ଠ ଆଇଏଏସ୍‌ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ଭୁବନେଶ୍ବରର ଆପ୍ଟି ପ୍ଲସ୍‌ ଏକାଡେମୀ ଅଫ୍‌ ସିଭିଲ ସର୍ଭିସେସ୍‌, ରାଜ୍ୟର ଶ୍ରେଷ୍ଠ ପଲିଟେକନିକ୍‌ କଲେଜ ଭାବେ ବାରିପଦାର ଡିଭାଇନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟରିଂ ଆଣ୍ଡ ଟେକନଲୋଜି, ଓଡ଼ିଶାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପ୍ରଫେସନାଲ୍‌ ଶିକ୍ଷା ଦେବାରେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ରାୟପୁରର ଆଇଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟ, ରାଜ୍ୟର ଶ୍ରେଷ୍ଠ ଆବାସିକ ବିଦ୍ୟାଳୟ ଭାବେ ଭୁବନେଶ୍ବର ଟାଇମ୍ସ ସ୍କଲାର୍ସ ଗୁରୁକୂଳ, ରାଜ୍ୟର ଶ୍ରେଷ୍ଠ ମେଡିକାଲ ପ୍ରଶିକ୍ଷଣ ଅନୁଷ୍ଠାନ ଭାବେ ଭୁବନେଶ୍ବର କ୍ୟାରିଅର୍‌ ହାଇଟ୍ସ, ରାଜ୍ୟର ଶ୍ରେଷ୍ଠ ମ୍ୟାନେଜମେଣ୍ଟ କଲେଜ ଭାବେ ଭୁବନେଶ୍ବରର ୟୁନାଇଟେଡ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ (ୟୁଏସ୍‌‌ବିଏମ୍)ଙ୍କୁ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ସୁକାନ୍ତ କୁମାର ନନ୍ଦ ଶିକ୍ଷାନୁଷ୍ଠାନମାନଙ୍କୁ ସମ୍ମାନିତ କରିଥିଲେ। ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଆଦ୍ୟାଶ୍ରୀ। ଅନୁଷ୍ଠାନ ପକ୍ଷରୁ ଗିରୀଶ ରଂଜନ ସାହୁ, ସତ୍ୟବ୍ରତ ବଳିଆରସିଂହ, ବୀରେନ୍‌ କୁମାର ସାହୁ, ଗୀତାଞ୍ଜଳି ମିଶ୍ର ଓ ଇପ୍ସିତା ଆଚାର୍ଯ୍ୟ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବଜେଟ ଅଧିବେଶନ: ବିଧାନସଭା ଗୃହ ଭିତରକୁ ପ୍ରବେଶ କଲେ ରାଜ୍ୟପାଳ

ଭୁବନେଶ୍ବର: ଆଜିଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ପରେ ଏହି ଅଧିବେଶନ ଆରମ୍ଭ ହେବ। ବର୍ତ୍ତମାନ ରାଜ୍ୟପାଳ ବିଧାନସଭା ପରିସରରେ ପହଞ୍ଚି ସାରିଛନ୍ତି। ପୋଲିସର ରାଷ୍ଟ୍ରୀୟ ଅଭିବାଦନ ପ୍ରଦାନ ପରେ ସେ ବିଧାନସଭା ଗୃହ ଭିତରକୁ ପ୍ରବେଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ୱର: ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ସମସ୍ତ ୬ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରିଛନ୍ତି। ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ସବିତା ଆଚାର୍ଯ୍ୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପାଇଁ କିଶୋର ବାସା, ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଅପରାଜିତା ଚୌଧୁରୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ଏନ୍‌. ନାଗରାଜୁ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପାଇଁ ଦୀନବନ୍ଧୁ ସାହୁ ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫୁଲ୍ଲ ମହାନ୍ତି ମିଶ୍ରଙ୍କୁ କୁଳପତି ଭାବେ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ କରୋନା

ଭୁବନେଶ୍ବର :  ରାଜ୍ୟପାଳଙ୍କୁ କରୋନା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟପାଳଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି । ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ରିପୋର୍ଟ ପିଜିଟିଭ୍‌ ଆସିବା ପରେ ତାଙ୍କ ସହ ନିକଟ ଅତୀତରେ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍‌ ପରୀକ୍ଷା କରାଇନେବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହେଲେ ରାଜ୍ୟପାଳ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍‌। ଆଜି କେତେକ ଜିଲ୍ଲାର ଜିଲ୍ଲାପାଳମାନଙ୍କ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି ରାଜ୍ୟପାଳ। କୋରାପୁଟ, ଗଜପତି, ନୂଆପଡା, ନବରଙ୍ଗପୁର ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝିଛନ୍ତି ରାଜ୍ୟପାଳ। ଅତି ଗୁରୁତର ସହ ଘଟଣାକୁ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ। ଗତ 28 ତାରିଖରେ ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ କରୋନା ସମ୍ପର୍କରେ କଥା ହୋଇଥିଲେ ରାଜ୍ୟପାଳ।