ଭୁବନେଶ୍ବର: କୃଷି ସାମ୍ବାଦିକତା କୃଷି ଓ କୃଷକଙ୍କ ଜୀବନଜୀବିକାକୁ ପରିବର୍ତ୍ତନ କରିବାରେ କ୍ଷମତା ରଖେ। ସାମ୍ବାଦିକମାନେ ଦାୟିତ୍ୱ ସହକାରେ କୃଷକଙ୍କ ସମସ୍ୟା ଉପସ୍ଥାପିତ କରିବା ସହିତ ସରକାରଙ୍କ କୃଷି ଯୋଜନା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମକୁ ଚାଷୀଙ୍କ ପାଖରେ ପହଞ୍ଚାଇ ପାରିଲେ ଚାଷୀ ଭାଇ ଓ ଭଉଣୀମାନେ ବହୁଳ ଭାବରେ ଉପକୃତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ‘ରାଜ୍ୟ କୃଷିର ରୂପାନ୍ତରଣରେ କୃଷି ସାମ୍ବାଦିକତାର ଭୂମିକା’ ଶୀର୍ଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଆମ କୃଷିଭାଇମାନଙ୍କୁ କୃଷି କ୍ଷେତ୍ରରେ ସମ୍ବାଦପତ୍ରର ଶିରୋନାମା ହେବା ସହ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ୍ କରାଇବାର ଭୂମିକା ଗଣମାଧ୍ୟମର ରହିବା ଆବଶ୍ୟକ।
କୃଷିଭିତ୍ତିକ ସଫଳ କାହାଣୀ ସହ ସମସ୍ୟାମାନ ସମ୍ବାଦପତ୍ରରେ ସ୍ଥାନ ପାଇଲେ ତାହା ପ୍ରତ୍ୟେକଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ଓ ସମାଧାନ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସାରା ଭାରତବର୍ଷରେ କୃଷି ସାମ୍ବାଦିକତା ପାଇଁ ଏକ ଗଣଜାଗରଣ ସୃଷ୍ଟି ହେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରି ଚାଷୀ ଭାଇମାନଙ୍କୁ ଆକର୍ଷଣୀୟ ରିହାତି ପ୍ରଦାନ କରୁଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଓଡ଼ିଶା କୃଷିକ୍ଷେତ୍ରରେ ଏକ ନୂତନ ଶିଖରରେ ପହଞ୍ଚିଛି। କୃଷିକ୍ଷେତ୍ରରେ ଓଡ଼ିଶାର ଏହି ଉଲ୍ଲେଖନୀୟ ସଫଳତା ଅଧିକରୁ ଅଧିକ ସମ୍ବାଦପତ୍ରର ଶିରୋନାମା ପାଲଟିବାର ଆବଶ୍ୟକତା ରହିଛି। କୃଷି କ୍ଷେତ୍ରରେ ବିକଶିତ ହେଉଥିବା ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ କୃଷି ପଦ୍ଧତିକୁ ଚାଷୀ ବୁଝିବା ଭଳି ଭାଷାରେ ପ୍ରକାଶ କଲେ ସମ୍ବାଦପତ୍ରମାନେ ଚାଷୀଭାଇଙ୍କର ନିକଟବର୍ତ୍ତୀ ହୋଇପାରିବେ। ରାଜ୍ୟର ଏକ ବୃହତ୍ ଅଂଶ କୃଷି ଓ ଆନୁଷଙ୍ଗିକ କୃଷି ଉପରେ ନିର୍ଭରଶୀଳ ହୋଇଥିବାରୁ କୃଷି ସାମ୍ବାଦିକତାର ଆବଶ୍ୟକତା ସମସ୍ତେ ଉପଲବ୍ଧି କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ସମ୍ମିଳନୀରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ଯେ କୃଷି କ୍ଷେତ୍ରରେ ଲୋକମାନଙ୍କୁ ଆକୃଷ୍ଟ କରି ରଖିବା ପାଇଁ କୃଷି ସାମ୍ବାଦିକତା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। କୃଷି କ୍ଷେତ୍ର ଅନେକ ବିପ୍ଳବ ଦେଇ ଗତି କରିଆସିଛି। ବିବିଧତାରେ ପୂର୍ଣ୍ଣ କୃଷି କ୍ଷେତ୍ରକୁ ସାମ୍ବାଦପତ୍ରରେ ଯଥୋଚିତ ସ୍ଥାନ ମିଳିବା ଆବଶ୍ୟକ।
କୃଷି ଜାଗରଣର ମୁଖ୍ୟ ସଂପାଦକ ଏମ୍.ସି. ଡୋମିନିକ୍ ସମ୍ମିଳନୀରେ କହିଲେ ଯେ ସାଂପ୍ରତିକ ସ୍ଥିତିରେ କୃଷି ସଂପର୍କିତ ସ୍ୱତନ୍ତ୍ର ଗଣମାଧ୍ୟମର ଆବଶ୍ୟକତା ରହିଛି। ରାଜ୍ୟର ବିକାଶ ଦିଗରେ କୃଷକମାନଙ୍କ ଭୂମିକା ଦୃଷ୍ଟିରୁ ସେମାନଙ୍କୁ ଗଣମାଧ୍ୟମରେ ପ୍ରକୃତ ହିରୋ ଭାବରେ ପ୍ରଦର୍ଶନ କରାଯିବାର ଆବଶ୍ୟକ। ଗ୍ରାମୀଣ ସାମ୍ବାଦିକତା କ୍ଷେତ୍ରରେ ଏହି ଧାରା ବଜାୟ ରଖିଲେ ରାଜ୍ୟର କୃଷିକ୍ଷେତ୍ରରେ ବିକାଶ ସାଧନ ହୋଇପାରିବ।
ପୂର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ କହିଲେ ଯେ ଚାଷ, ଚାଷୀ ଓ ଏହାର ଜୀବିକା ଅଦ୍ୟାବଧି ଗଣମାଧ୍ୟମର ମୁଖ୍ୟଧାରାରେ ସ୍ଥାନ ପାଇନାହିଁ। ମୃତ୍ତିକା ସ୍ୱାସ୍ଥ୍ୟ, ନୂତନ ଜ୍ଞାନକୌଶଳ ପ୍ରତି ଆକୃଷ୍ଟ କରାଇବା, ଗୋଟିଏ ଚାଷୀର ସଫଳ କାହାଣୀ ଆଉ ଗୋଟିଏ ଚାଷୀ ଜାଣିବା, କୃଷି ଶ୍ରମିକ ଓ ଭୂମିହୀନ ଚାଷୀମାନଙ୍କ ପାଇଁ କମୁ୍ୟନିଟି ଫାର୍ମିଂ ଆଦି ବିଷୟୟକୁ ଗଣମାଧ୍ୟମରେ ଅଧିକ ସ୍ଥାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ସମ୍ମିଳନୀରେ ସମାଜର ସଂପାଦକ ଶ୍ରୀ ପ୍ରମୋଦ କୁମାର ମହାପାତ୍ର କହିଲେ ଯେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ହୋଇଥିବାବେଳେ ଚାଷୀ ଏ ସଂପର୍କରେ ସଠିକ୍ ସୂଚନା ପାଇବା ଦରକାର। କୃଷି କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ପ୍ରଯୁକ୍ତିବିଦ୍ୟାର ଉପଯୋଗ ହେବା ଦରକାର। ଏହି ପରିପ୍ରେକ୍ଷୀରେ କୃଷି ସାମ୍ବାଦିକତା କିପରି କୃଷି ବୈଜ୍ଞାନିକ ଓ କୃଷକମାନଙ୍କ ମଧ୍ୟରେ ଏକ ସୁଦୃଢ଼ ସେତୁ ରୂପ ନେଇପାରିବ, ସେ ସଂପର୍କରେ ଆଲୋକପାତ କରିଥିଲେ।
ସମ୍ମିଳନୀର ବୈଷୟିକ ଅଧିବେଶନରେ ସଂକଳ୍ପ ଟିଭିର ନିର୍ଦ୍ଦେଶକ ଶ୍ରୀ ଅଶୋକ ଦାସ ଚାଷୀର କଥା କହିବା ଓ ଲେଖିବା ଗଣମାଧ୍ୟମରେ ଏକ ସୁନିଶ୍ଚିତ ପ୍ରୟାସ ହେବା ଦରକାର ବୋଲି କହିଥିଲେ। ଦି ନିଉ ଇଣ୍ଡିଆନ୍ ଏକ୍ସପ୍ରେସ୍ର ସିନିୟର ଏଡିଟର ସୁଶ୍ରୀ କସ୍ତୁରୀ ରାୟ କହିଲେ ଯେ କୃଷିକ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରି ବୃଦ୍ଧି କରି ସେମାନଙ୍କୁ ସଶକ୍ତ କରାଇବା ପାଇଁ ଗଣମାଧ୍ୟମଗୁଡ଼ିକୁ ମଜବୁତ କରିବା ଦରକାର।
ବରିଷ୍ଠ ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା କହିଲେ ଯେ କୃଷିଭିତ୍ତିକ ସମ୍ବାଦକୁ ଋଦ୍ଧିମନ୍ତ ଓ ପାଠକୀୟ ଆଦୃତି ପାଇବାକୁ ହେଲେ ସାମ୍ବାଦିକମାନଙ୍କୁ ଶିରୋନାମକୁ ସଠିକ୍ ଭାବରେ ଚୟନ କରି ଉପସ୍ଥାପନ କରିବାକୁ ହେବ।
ଅନ୍ୟତମ ବରିଷ୍ଠ ସ୍ତମ୍ଭକାର ଶ୍ରୀ ନଟବର ଖୁଣ୍ଟିଆ କହିଲେ ଯେ କୃଷିର ବୈଷୟିକ ଓ ବୈଜ୍ଞାନିକ ତଥ୍ୟକୁ ସରଳ ଭାଷାରେ ପ୍ରକାଶ କଲେ ତାହା ଅଧିକ ଚାଷୀମାନଙ୍କୁ ବୋଧଗମ୍ୟ ଓ ଗ୍ରହଣଶୀଳ ହେବ। ସମ୍ମିଳନୀ ପ୍ରାରମ୍ଭରେ ସଂପ୍ରସାରଣ ନିର୍ଦ୍ଦେଶାଳୟର ଡିନ୍ ଡ. ପ୍ରସନ୍ନଜିତ ମିଶ୍ର ଅତିଥି ପରିଚୟ ଦେଇଥିବାବେଳେ ଯୁଗ୍ମ ନିର୍ଦ୍ଦେଶକ ଡ. ଏସ୍. ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, ନିର୍ଦ୍ଦେଶକ, ବିତ୍ତ ନିୟନ୍ତ୍ରକ, ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ବିଭାଗ, ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।