ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଶ୍ରୀକ୍ଷେତ୍ର ପୁରୀସ୍ଥିତ ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବା ଲାଗି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ବିମାନ ଯୋଗେ ଶନିବାର ଅପରାହ୍ନ ୧୨ଟା ୨୫ରେ ଦିଲ୍ଲୀରୁ ବାହାରି ଅପରାହ୍ନ ୨ଟା୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟପାଳ ଗଣେଶୀ ଲାଲ ପ୍ରମୁଖ ବିମାନବନ୍ଦରରେ ଉପସ୍ଥିତ ରହିବେ।
ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ୨ ଟା ୫୫ ମିନିଟରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ । ପୁରୀରେ ସେ ପହଞ୍ଚିବା ପରେ ରାଜଭବନ ଯିବେ । ସେଠାରୁ ରାଷ୍ଟ୍ରପତି ୪.୫୫ ମିନିଟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ। ସେ ଶ୍ରୀମନ୍ଦିରରେ ୪୫ ମିନିଟ୍ ରହିବେ। ସେହିଦିନ ରାତିରେ ସେ ପୁରୀରେ ରହିବେ ।
ପରଦିନ ଅର୍ଥାତ୍୨୦ ତାରିଖ ସକାଳ ୧୦.୩୦ ମିନିଟରେ ବଡ଼ଦାଣ୍ଡ ସ୍ଥିତ ଗୌଡିୟ ମଠରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହେବେ ରାଷ୍ଟ୍ରପତି । ଏହାପରେ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଂଟା ଧରି ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ ରହିବେ ।