Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୬ ତମ “ମନ୍ କି ବାତ୍”

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡିଓ ଅଭିଭାଷଣର ୧୦୬ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଆସନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍” ର ସଂପୂର୍ଣ୍ଣ ଅଭିଭାଷଣ ପଢିବା….

ମୋର ପ୍ରିୟ ପରିବାରଜନ, ନମସ୍କାର। ‘ମନ୍ କି ବାତ୍’ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। ଏହି ଅଧ୍ୟାୟ ଏଭଳି ସମୟରେ ହେଉଛି, ଯେତେବେଳେ ସାରା ଦେଶରେ ଉତ୍ସବର ବାତାବରଣ ରହିଛି। ଆପଣ ସମସ୍ତଙ୍କୁ ଆଗାମୀ ପର୍ବପର୍ବାଣୀ ପାଇଁ ଅନେକ ଅନେକ ଅଭିନନ୍ଦନ।

ବନ୍ଧୁଗଣ, ଉତ୍ସବର ଏହି ଆନନ୍ଦ ଉଲ୍ଲାସ ମଧ୍ୟରେ ଦିଲ୍ଲୀର ଗୋଟିଏ ଖବରରୁ ହିଁ ମୁଁ ‘ମନ୍ କି ବାତ୍’କୁ ଆରମ୍ଭ କରିବାକୁ ଚାହୁଁଛି । ଏହି ମାସ ଆରମ୍ଭରେ ଗାନ୍ଧି ଜୟନ୍ତୀ ଅବସରରେ ଦିଲ୍ଲୀରେ ରେକର୍ଡ଼ ସଂଖ୍ୟକ ଖଦି ବସ୍ତ୍ର ବିକ୍ରି ହୋଇଛି । ଏଠାରେ କନଟ୍ ପ୍ଲେସ୍ ର ମାତ୍ର ଗୋଟିଏ ଖଦି ଷ୍ଟୋର୍ ରେ ଗୋଟିଏ ଦିନରେ ଲୋକେ ଦେଢ଼ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବସ୍ତ୍ର କିଣିଛନ୍ତି । ଚଳିତ ମାସରେ ଚାଲିଥିବା ଖଦି ମହୋତ୍ସବ ପୁଣିଥରେ ଏହାର ସମସ୍ତ ପୁରୁଣା ରେକର୍ଡ଼ ଭଙ୍ଗ କରିଦେଇଛି । ଆଉ ଗୋଟିଏ କଥା ଜାଣି ଆପଣଙ୍କୁ ବହୁତ ଭଲ ଲାଗିବ, ଦଶବର୍ଷ ଆଗରୁ ଯେଉଁ ଖଦି ଉତ୍ପାଦଗୁଡ଼ିକର ବିକ୍ରି ବଡ଼ କଷ୍ଟରେ ୩୦ ହଜାର କୋଟି ଟଙ୍କାରୁୁ ମଧ୍ୟ କମ ରହୁଥିଲା, ଏବେ ଏହା ବୃଦ୍ଧି ପାଇ ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ହୋଇଯାଇଛି । ଖଦି ବିକ୍ରୟ ବୃଦ୍ଧି ପାଇବାର ଅର୍ଥ ହେଲା ଏହାର ଲାଭ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ବିଭିନ୍ନ ଶ୍ରେଣୀର ଲୋକଙ୍କ ପାଖକୁ ପହଂଚୁଛି । ଏହି ବିକ୍ରୟର ଲାଭ ଆମ ବୁଣାକାର, ହସ୍ତଶିଳ୍ପ କାରିଗର, ଆମ ଚାଷୀ, ଆୟୁର୍ବେଦିକ ଗୁଳ୍ମ ଲଗାଉଥିବା କୁଟୀର ଉଦ୍ୟୋଗୀ – ସମସ୍ତଙ୍କୁ ମିଳୁଛି । ଆଉ, ଏହାହିଁ ତ ହେଉଛି, ଭୋକାଲ୍ ଫର୍ ଲୋକାଲ୍ ଅଭିଯାନର ଶକ୍ତି । ଧିରେ ଧିରେ ଆପଣ ସମସ୍ତ ଦେଶବାସୀଙ୍କ ସମର୍ଥନ ଏଥି ପ୍ରତି ବୃଦ୍ଧି ପାଇଚାଲିଛି ।

ବନ୍ଧୁଗଣ, ଆଜି ମୁଁ ମୋର ଆଉ ଗୋଟିଏ ଅନୁରୋଧ ଆପଣମାନଙ୍କ ଆଗରେ ଦୋହରାଇବାକୁ ଚାହୁଁଛି । ଅତ୍ୟନ୍ତ ଆନ୍ତରିକତାର ସହ ଦୋହରାଇବାକୁ ଚାହୁଁଛି । ଆପଣ ଯେତେବେଳେ ବି କୌଣସି ପର୍ଯ୍ୟଟନ, ତୀର୍ଥାଟନ ଉଦ୍ଦେଶ୍ୟରେ ଯାଉଛନ୍ତି, ସେତେବେଳେ ସେଠାକାର ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଜିନିଷମାନ ନିଶ୍ଚୟ କିଣନ୍ତୁ । ଆପଣ ନିଜର ସେହି ଯାତ୍ରାର ସମୁଦାୟ ବଜେଟ୍ରୁ ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣିବା ପାଇଁ କିଛି ଅଂଶ ନିର୍ଦ୍ଧାରିତ କରିବାକୁ ଅଗ୍ରାଧିକାର ଦିଅନ୍ତୁ । ୧୦ ପ୍ରତିଶତ ହେଉ, ୨୦ ପ୍ରତିଶତ ହେଉ, ଯେତିକି ଆପଣଙ୍କୁ ସୁବିଧା ହେଉଛି, ଲୋକାଲ୍ ଉତ୍ପାଦ କିଣିବାରେ ଏହାକୁ ଖର୍ଚ୍ଚ କରନ୍ତୁ ଏବଂ ସେହି ସ୍ଥାନରେ ହିଁ ଖର୍ଚ୍ଚ କରନ୍ତୁ ।

ବନ୍ଧୁଗଣ, ପ୍ରତିଥର ପରି ଏଥର ମଧ୍ୟ, ଆମ ପର୍ବପର୍ବାଣୀରେ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଆମ ଅଗ୍ରାଧିକାର ରହୁ । ଆମେ ମିଶିକରି ସେହି ସ୍ୱପ୍ନକୁ ପୂରଣ କରିବା । ଆମର ସ୍ୱପ୍ନ ହେଉଛି ଆତ୍ମନିର୍ଭର ଭାରତ । ଏଥର ସେହିଭଳି ବସ୍ତୁ ଦ୍ୱାରା ଘରକୁ ଆଲୋକିତ କରନ୍ତୁ, ଯେଉଁଥିରେ ମୋର କୌଣସି ଦେଶବାସୀର ସ୍ୱେଦର ମହକ ଥିବ, ମୋ ଦେଶର କୌଣସି ଯୁବକର ପ୍ରତିଭା ଥିବ, ସେହି ଜିନିଷ ତିଆରି ହେବାରେ ମୋ ଦେଶବାସୀ ରୋଜଗାର ପାଇଥିବେ! ଆମ ଦୈନନ୍ଦିନ ଆବଶ୍ୟକତାର ଯେକୌଣସି ଜିନିଷ ହେଉ, ଆମେ କେବଳ ଲୋକାଲ୍ ହିଁ କିଣିବା । କିନ୍ତୁ ଆଉ ଗୋଟିଏ କଥା ଉପରେ ଆପଣଙ୍କୁ ଦୃଷ୍ଟି ଦେବାକୁ ହେବ ।

ଭୋକାଲ୍ ଫର୍ ଲୋକାଲ୍ ର ଏହି ଭାବନା କେବଳ ଉତ୍ସବ ସମୟର କିଣାକିଣି ମଧ୍ୟରେ ସୀମିତ ନୁହେଁ, କାରଣ ମୁଁ ଦେଖିଛି ଯେ, ଦୀପାବଳୀ ପାଇଁ ମାଟି ଦୀପ କିଣି ସେ କଥାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖନ୍ତି ଭୋକାଲ୍ ଫର୍ ଲୋକାଲ୍ । ଆରେ ନା! ଇଏ ତ କେବଳ ଆରମ୍ଭ ମାତ୍ର । ଆମକୁ ଆହୁରି ବହୁତ ଆଗକୁ ଯିବାକୁ ହେବ । ଜୀବନର ପ୍ରତ୍ୟେକ ଆବଶ୍ୟକତା – ଏବେ ଆମ ଦେଶରେ ସବୁ କିଛି ଉପଲବ୍ଧ । ଏହି ଦୃଷ୍ଟିଭଙ୍ଗୀ କେବଳ ଉଠାଦୋକାନୀ ଏବଂ ଛୋଟ ବ୍ୟବସାୟୀଙ୍କ ଠାରୁ ଜିନିଷ କିଣିବା ଯାଏଁ ସୀମିତ ନୁହେଁ ।

ଭାରତ ଆଜି ବିଶ୍ୱର ସବୁଠାରୁ ବଡ଼ ମାନ୍ୟୁଫାକ୍ଚରିଙ୍ଗ ହବ୍ ହେବାକୁ ଯାଉଛି । ଅନେକ ବଡ଼ ବଡ଼ ବ୍ରାଣ୍ଡ ଏଠାରେ ହିଁ ତାଙ୍କ ପ୍ରଡକ୍ଟ ଉତ୍ପାଦନ କରୁଛନ୍ତି । ଆମେ ଯଦି ସେହି ପ୍ରଡକ୍ଟଗୁଡ଼ିକୁ ଆପଣାଇବା ତାହେଲେ ମେକ୍ ଇନ୍ ଇଣ୍ଡିଆ ଚିନ୍ତାଧାରା ପ୍ରୋତ୍ସାହିତ ହେବ । ଏହା ମଧ୍ୟ ପ୍ରକାରାନ୍ତରେ ଭୋକାଲ୍ ଫର୍ ଲୋକାଲ୍ର ଅନୁସରଣ । ଆଉ ହଁ, ଏଭଳି ପ୍ରଡକ୍ଟ କ୍ରୟ କରିବା ସମୟରେ ଆମ ଦେଶର ଗୌରବ ୟୁ.ପି.ଆଇ. ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଦ୍ୱାରା ନେଣଦେଣ କରିବା ପାଇଁ ଆଗ୍ରହୀ ହେବେ, ଏହାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବେ । ଆଉ, ସେହି ବସ୍ତୁ କିମ୍ବା ସେହି କାରିଗର ସହିତ ଉଠାଇଥିବା ସେଲ୍ଫିକୁ ନମୋ ଆପ୍ରେ ମୋ ସହ ଶେୟାର କରିବେ, ଆଉ ତାହା ବି ମେଡ୍ ଇନ୍ ଇଣ୍ଡିଆ- ସ୍ମାର୍ଟଫୋନ ଦ୍ୱାରା । ସେହି ପୋଷ୍ଟଗୁଡ଼ିକ ମଧ୍ୟରୁ କିଛିକୁ ମୁଁ ସାମାଜିକ ଗଣମାଧ୍ୟମରେ ଶେୟାର କରିବି, ଯାହାଫଳରେ ଅନ୍ୟମାନେ ମଧ୍ୟ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଅନୁପ୍ରାଣିତ ହେବେ ।

ବନ୍ଧୁଗଣ, ଯଦି ଆପଣ ଭାରତରେ ନିର୍ମିତ, ଭାରତୀୟମାନଙ୍କ ଦ୍ୱାରା ନିର୍ମିତ ଦ୍ରବ୍ୟଗୁଡ଼ିକ ସହିତ ଦୀପାବଳୀ ପାଳନ କରିବେ, ନିଜ ପରିବାରର ପ୍ରତ୍ୟେକ ଛୋଟ-ବଡ଼ ଆବଶ୍ୟକତା ଲୋକାଲ୍ ଜିନିଷ ଦ୍ୱାରା ପୂରଣ କରିବେ, ତାହେଲେ ଦୀପାବଳୀର ଚମକ ତ ଆହୁରି ବଢ଼ିଯିବ, ତା ସହିତ ସେହି କାରିଗରମାନଙ୍କ ଜୀବନରେ ଗୋଟିଏ ନୂତନ ଦୀପାବଳୀ ଆସିବ, ଜୀବନରେ ଏକ ନବପ୍ରଭାତ ଆସିବ, ସେମାନଙ୍କ ଜୀବନ ସରସ-ସୁନ୍ଦର ହେବ । ଭାରତକୁ ଆତ୍ମନିର୍ଭର କରନ୍ତୁ । ମେକ୍ ଇନ୍ ଇଣ୍ଡିଆ ହିଁ ବାଛନ୍ତୁ, ଯାହାଫଳରେ ଆପଣଙ୍କ ସହିତ ଆହୁରି କୋଟି କୋଟି ଲୋକଙ୍କ ଦୀପାବଳୀ ମଧ୍ୟ ସୁନ୍ଦର ହେବ, ଆନନ୍ଦଦାୟକ ହେବ, ଉଜ୍ଜ୍ୱଳ ହେବ, ଉତ୍ସାହଜନକ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବର ୩୧ ତାରିଖ ହେଉଛି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ । ସେହିଦିନ ଆମେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ପାଳନ କରିଥାଉଁ । ଆମେ ଭାରତବାସୀ, ଅନେକ କାରଣରୁ ତାଙ୍କୁ ସ୍ମରଣ କରିଥାଉଁ ଏବଂ ସଶ୍ରଦ୍ଧ ପ୍ରଣାମ କରିଥାଉଁ । ସବୁଠାରୁ ବଡ଼ କାରଣ ହେଉଛି ଦେଶର ୫୮୦ରୁ ଅଧିକ ଦେଶୀୟ ରାଜ୍ୟଗୁଡ଼ିକୁ ଯୋଡ଼ିବାରେ ତାଙ୍କର ଅତୁଳନୀୟ ଭୂମିକା ରହିଛି । ଆମେ ଜାଣୁ ଯେ, ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ଏକତା ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଥର ଏହି ସମାରୋହ ବ୍ୟତୀତ, ଦିଲ୍ଲୀଠାରେ କର୍ତ୍ତବ୍ୟପଥରେ ଗୋଟିଏ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ଆପଣଙ୍କ ମନେ ଥିବ, ବିଗତ ଦିନରେ ମୁଁ ଦେଶର ପ୍ରତ୍ୟେକ ଗାଁରୁ ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରିବା ପାଇଁ ଅନୁରୋଧ କରିଥିଲି । ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରାଯିବା ପରେ ସେଗୁଡ଼ିକୁ କଳସରେ ରଖାଗଲା ଏବଂ ଅମୃତ କଳସ ଯାତ୍ରାର ଆୟୋଜନ କରାଗଲା । ଦେଶର କୋଣ ଅନୁକୋଣରୁ ସଂଗୃହିତ ଏହି ମାଟି, ଏହି ହଜାର ହଜାର ଅମୃତ କଳସ ଯାତ୍ରା ଏବେ ଦିଲ୍ଲୀ ପହଂଚିବ । ଏହି ଦିଲ୍ଲୀରେ ସେହି ମାଟିକୁ ଗୋଟିଏ ବିରାଟ ଭାରତ କଳସରେ ପକାଯିବ ଏବଂ ସେହି ପବିତ୍ର ମାଟିରେ ଦିଲ୍ଲୀରେ ଅମୃତ ବାଟିକାର ନିର୍ମାଣ ହେବ । ଏହା ଦେଶର ରାଜଧାନୀର ହୃଦୟରେ ଅମୃତ ମହୋତ୍ସବର ଭବ୍ୟ ଐତିହ୍ୟ ରୂପେ ରହିଥିବ । ଅକ୍ଟୋବର ୩୧ ତାରିଖ ଦିନ ହିଁ ସମଗ୍ର ଦେଶରେ ବିଗତ ଅଢ଼େଇ ବର୍ଷ ଧରି ଚାଲିଥିବା ଆଜାଦୀ କା ଅମୃତ ମହୋତ୍ସବର ସମାପନ ହେବ । ଆପଣ ସମସ୍ତେ ମିଶି ଏହାକୁ ବିଶ୍ୱର ସବୁଠାରୁ ଦୀର୍ଘ ସମୟ ଧରି ଚାଲିଥିବା ମହୋତ୍ସବମାନଙ୍କ ମଧ୍ୟରେ ଅନନ୍ୟ କରିଦେଲେ । ଆମ ସୈନିକମାନଙ୍କ ସମ୍ମାନ ହେଉ କି ହର୍ ଘର୍ ତିରଙ୍ଗା, ସ୍ୱାଧୀନତାର ଅମୃତ ମହୋତ୍ସବରେ ଲୋକେ ନିଜର ସ୍ଥାନୀୟ ଇତିହାସକୁ ଗୋଟିଏ ନୂତନ ପରିଚୟ ପ୍ରଦାନ କରିଛନ୍ତି । ଏହି ସମୟରେ ସାମୁଦାୟିକ ସେବାର ମଧ୍ୟ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିଛି ।

ବନ୍ଧୁଗଣ, ମୁଁ ଆଜି ଆପଣମାନଙ୍କୁ ଆଉ ଗୋଟିଏ ଖୁସି ଖବର ଶୁଣାଉଛି, ବିଶେଷକରି ମୋର ଯୁବବର୍ଗର ପୁଅ-ଝିଅମାନଙ୍କୁ, ଯେଉଁମାନଙ୍କ ମନରେ ଦେଶ ପାଇଁ କିଛି କରିବାର ଉତ୍ସାହ ଭରିରହିଛି, ସ୍ୱପ୍ନ ରହିଛି, ସଂକଳ୍ପ ରହିଛି। ଏହି ଖୁସି ଖବର ଦେଶବାସୀମାନଙ୍କ ପାଇଁ ତ ନିଶ୍ଚିତ ଭାବେ ଉଦ୍ଦିଷ୍ଟ, କିନ୍ତୁ ମୋର ଏହି ଯୁବବନ୍ଧୁମାନଙ୍କ ପାଇଁ ବିଶେଷଭାବେ ରହିଛି । ଦୁଇ ଦିନ ପରେ ହିଁ, ଅକ୍ଟୋବର ୩୧ ତାରିଖରେ, ସର୍ଦ୍ଦାର ସାହେବଙ୍କ ଜନ୍ମଦିନରେ ହିଁ ଗୋଟିଏ ବହୁତ ବଡ଼ ଜାତୀୟସ୍ତରର ସଂଗଠନର ମୂଳଦୁଆ ପଡ଼ିବାକୁ ଯାଉଛି । ଏହି ସଂଗଠନର ନାମ ହେଉଛି “ମେରା ଯୁବା ଭାରତ” ବା ମାଇ୍ ଭାରତ । ମାଇ୍ ଭାରତ ସଂଗଠନ ଭାରତର ଯୁବବର୍ଗଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ ଆୟୋଜନରେ ନିଜର ସକ୍ରିୟ ଭୂମିକା ତୁଲାଇବା ପାଇଁ ସୁଯୋଗ ପ୍ରଦାନ କରିବ । ଏହା ବିକଶିତ ଭାରତର ନିର୍ମାଣରେ ଭାରତର ଯୁବ ଶକ୍ତିକୁ ଏକଜୁଟ୍ କରିବାର ଗୋଟିଏ ଅନନ୍ୟ ପ୍ରୟାସ । “ମେରା ଯୁବା ଭାରତ”ର ୱେବ୍ସାଇଟ୍ MYBharat ମଧ୍ୟ ଆରମ୍ଭ ହେବାକୁ ଯାଉଛି ।

ମୁଁ ଯୁବପିଢ଼ିଠାରୁ ଆଶା କରିବି, ବାରମ୍ବାର ଚାହିଁବି ଯେ, ଆପଣ ସମସ୍ତେ ମୋ ଦେଶର ନବଯୁବକ, ଆପଣ ସମସ୍ତେ ମୋ ଦେଶର ପୁଅଝିଅ MYBharat.Gov.inରେ ପଞ୍ଜିକରଣ କରନ୍ତୁ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ Sign Up କରନ୍ତୁ । ଅକ୍ଟୋବର ୩୧ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧିଜୀଙ୍କ ପୁଣ୍ୟତିଥି । ମୁଁ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋର ପରିବାରଜନ, ଆମର ସାହିତ୍ୟ, ଏକ ଭାରତ-ଶ୍ରେଷ୍ଠ ଭାରତର ଭାବନାକୁ ପ୍ରଗାଢ଼ କରିବାର ସର୍ବଶ୍ରେଷ୍ଠ ମାଧ୍ୟମ ଭିତରୁ ଗୋଟିଏ । ମୁଁ ଆପଣଙ୍କୁ ତାମିଲନାଡୁର ଗୌରବଶାଳୀ ଐତିହ୍ୟ ସହିତ ସଂପୃକ୍ତ ଦୁଇଟି ବହୁତ ପ୍ରେରଣାଦାୟୀ ପ୍ରୟାସ ବିଷୟରେ କହିବାକୁ ଚାହୁଁଛି । ମୋତେ ପ୍ରସିଦ୍ଧ ତାମିଲ ଲେଖିକା ଭଉଣୀ ଶିବଶଙ୍କରୀଜୀଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ମିଳିଛି । ସେ ଏକ ପ୍ରକଳ୍ପ କରିଛନ୍ତି- Knit India, Through Literature ଏହାର ଅର୍ଥ ହେଲା- ସାହିତ୍ୟ ଦ୍ୱାରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବା ଓ ଯୋଡ଼ିବା । ସେ ଏହି ପ୍ରକଳ୍ପ ଉପରେ ଗତ ୧୬ ବର୍ଷ ଧରି କାମ କରୁଛନ୍ତି । ଏହି ପ୍ରକଳ୍ପ ଜରିଆରେ ସେ ୧୮ଟି ଭାରତୀୟ ଭାଷାରେ ରଚିତ ସାହିତ୍ୟର ଅନୁବାଦ କରୁଛନ୍ତି । ସେ ଅନେକ ଥର କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଓ ଇମ୍ଫାଲ୍ରୁ ଜୈସଲମେର୍ ପର୍ଯ୍ୟନ୍ତ ସମଗ୍ର ଦେଶ ଭ୍ରମଣ କରିଛନ୍ତି, ଯଦ୍ଦ୍ୱାରା ଭିନ୍ନ ଭିନ୍ନ ରାଜ୍ୟର ଲେଖକ ଓ କବିଙ୍କର ସାକ୍ଷାତକାର ନେଇପାରିବେ । ଶିବଶଙ୍କରୀଜୀ ବିଭିନ୍ନ ଜାଗାକୁ ଯାତ୍ରା କରିଛନ୍ତି, ସେ ଯାତ୍ରାର ବିବରଣୀ ସହିତ ଏହାକୁ ପ୍ରକାଶ କରିଛନ୍ତି । ଏହା ତାମିଲ ଓ ଇଂରାଜୀ ଦୁଇଟି ଭାଷାରେ ରହିଛି । ଏହି ପ୍ରକଳ୍ପରେ ଚାରିଟି ବଡ଼ଭାଗ ରହିଛି ଓ ପ୍ରତ୍ୟେକ ଭାଗ ଭାରତର ଅଲଗା ଅଲଗା ଅଂଶକୁ ସମର୍ପିତ ହୋଇଛି । ତାଙ୍କର ଏହି ସଙ୍କଳ୍ପଶକ୍ତି ପାଇଁ ମୋତେ ଗର୍ବ ଅନୁଭବ ହେଉଛି ।

ବନ୍ଧୁଗଣ, କନ୍ୟାକୁମାରୀର ଥିରୁ ଏ.କେ. ପେରୁମଲ୍ ଜୀଙ୍କ କାମ ମଧ୍ୟ ବହୁତ ପ୍ରେରଣାଦାୟକ । ସେ ତାମିଲନାଡୁରେ ଯେଉଁ ଗଳ୍ପକଥନର ପରମ୍ପରା ରହିଛି ତା’ର ସଂରକ୍ଷଣ ପାଇଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେ ନିଜର ଏହି ମିଶନରେ ଗତ ୪୦ ବର୍ଷ ଧରି ଲାଗିଛନ୍ତି । ଏଥିପାଇଁ ସେ ତାମିଲନାଡୁର ଭିନ୍ନ ଭିନ୍ନ ଜାଗାକୁ ଯାତ୍ରା କରନ୍ତି ଓ ଲୋକକଳାର ବିଭିନ୍ନ ସ୍ୱରୂପର ଅନ୍ୱେଷଣ କରି ତାକୁ ନିଜ ପୁସ୍ତକରେ ସାମିଲ କରିଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଏ ପର୍ଯ୍ୟନ୍ତ ଏପରି ପ୍ରାୟ ୧୦୦ ଖଣ୍ଡ ବହି ଲେଖିସାରିଲେଣି । ଏହାଛଡ଼ା ପେରୁମଲଜୀଙ୍କର ଆଉ ଏକ ଆଗ୍ରହ ରହିଛି । ତାମିଲନାଡୁର ମନ୍ଦିର ସଂସ୍କୃତି ସମ୍ପର୍କରେ ଗବେଷଣା କରିବା ତାଙ୍କର ବହୁତ ପସନ୍ଦ । ସେ ଚମଡ଼ା କଣ୍ଢେଇ ଉପରେ ମଧ୍ୟ ବହୁତ ଗବେଷଣା କରିଛନ୍ତି, ଯାହାର ଲାଭ ସେଠାକାର ସ୍ଥାନୀୟ ଲୋକକଳାକାରଙ୍କୁ ମିଳିଛି । ଶିବଶଙ୍କରୀଜୀ ଓ ଏ.କେ. ପେରୁମଲଜୀଙ୍କ ପ୍ରୟାସ ପ୍ରତ୍ୟେକଙ୍କ ପାଇଁ ଏକ ଉଦାହରଣ । ନିଜ ସଂସ୍କୃତିକୁ ସୁରକ୍ଷିତ ରଖୁଥିବା ଏଭଳି ପ୍ରତ୍ୟେକ ପ୍ରୟାସ ପାଇଁ ଭାରତ ଗର୍ବିତ, ଯାହା ଆମର ଜାତୀୟ ଏକତାକୁ ମଜଭୁତ କରିବା ସହିତ ଦେଶର ନାମ, ଦେଶର ମାନ, ସବୁକିଛିକୁ ବଢ଼ାଇଥାଏ ।

ମୋର ପରିବାରଜନ, ଆଗାମୀ ନଭେମ୍ବର ୧୫ରେ ସମଗ୍ର ଦେଶ ଜନଜାତି ଗୌରବ ଦିବସ ପାଳନ କରିବ । ଏହି ସ୍ୱତନ୍ତ୍ର ଦିବସ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମଜୟନ୍ତୀ ସହିତ ସଂପୃକ୍ତ । ଭଗବାନ ବିର୍ସାମୁଣ୍ଡା ଆମ ସମସ୍ତଙ୍କ ହୃଦୟରେ ବାସ କରନ୍ତି । ପ୍ରକୃତ ସାହସ କ’ଣ ଓ ନିଜ ସଙ୍କଳ୍ପଶକ୍ତି ଉପରେ ଦୃଢ଼ ରହିବା କାହାକୁ କହନ୍ତି ତାହା ଆମେ ତାଙ୍କ ଜୀବନରୁ ଶିଖିପାରିବା । ସେ ବିଦେଶୀ ଶାସନକୁ କେବେ ସ୍ୱୀକାର କରିନଥିଲେ । ସେ ଏପରି ଏକ ସମାଜର ପରିକଳ୍ପନା କରିଥିଲେ, ଯେଉଁଠି ଅନ୍ୟାୟର କୌଣସି ସ୍ଥାନ ନ ଥିଲା । ସେ ଚାହୁଁଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ମାନ ଓ ସମାନତାର ଜୀବନ ମିଳୁ । ଭଗବାନ ବିର୍ସାମୁଣ୍ଡା ପ୍ରକୃତି ସହିତ ସଦ୍ଭାବ ରଖିବା ଉପରେ ମଧ୍ୟ ସବୁବେଳେ ଗୁରୁତ୍ୱ ଦେଉଥିଲେ । ଆଜି ମଧ୍ୟ ଆମେ ଦେଖିପାରିବା ଯେ ଆମର ଆଦିବାସୀ ଭାଇଭଉଣୀ ପ୍ରକୃତିର ରକ୍ଷଣାବେକ୍ଷଣ ଓ ତା’ର ସଂରକ୍ଷଣ ପାଇଁ ସବୁଦିଗରୁ ସମର୍ପିତ ଅଛନ୍ତି । ଆମ ସମସ୍ତଙ୍କ ପାଇଁ, ଆମର ଆଦିବାସୀ ଭାଇଭଉଣୀଙ୍କର ଏହି କାମ ବହୁତ ବଡ଼ ପ୍ରେରଣାଦାୟକ ଅଟେ ।

ବନ୍ଧୁଗଣ, ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୩୦ ମଧ୍ୟ ଗୋବିନ୍ଦ ଗୁରୁଜୀଙ୍କ ପୁଣ୍ୟତିଥି । ଆମର ଗୁଜରାଟ ଓ ରାଜସ୍ଥାନର ଆଦିବାସୀ ଓ ବଞ୍ଚିତ ସମୁଦାୟଙ୍କ ଜୀବନରେ ଗୋବିନ୍ଦ ଗୁରୁଜୀଙ୍କ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଗୋବିନ୍ଦ ଗୁରୁଜୀଙ୍କୁ ମଧ୍ୟ ମୁଁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ନଭେମ୍ବର ମାସରେ ଆମେ ମାନଗଡ଼ ନରସଂହାରର ବାର୍ଷିକୀ ପାଳନ କରୁ । ମୁଁ ସେହି ନରସଂହାରରେ ଶହୀଦ୍ ମାଆ ଭାରତୀଙ୍କ ସମସ୍ତ ସନ୍ତାନସନ୍ତତିଙ୍କୁ ପ୍ରଣାମ କରୁଛି ।
ବନ୍ଧୁଗଣ, ଭାରତବର୍ଷରେ ଆଦିବାସୀ ଯୋଦ୍ଧାଙ୍କର ଏକ ସମୃଦ୍ଧ ଇତିହାସ ରହିଛି । ଏହି ଭାରତଭୂମିରେ ମହାନ ତିଲକା ମାଝୀ ଅନ୍ୟାୟ ବିରୋଧରେ ତୂର୍ଯ୍ୟନାଦ କରିଥିଲେ । ଏହି ମାଟିରେ ସିଦ୍ଧୋ-କାହ୍ନୁ ସମାନତାର ସ୍ୱର ଉଠାଇଥିଲେ । ଟଂଟ୍ୟାଭିଲ୍ଙ୍କ ଭଳି ଜନଯୋଦ୍ଧା, ଆମର ଧରିତ୍ରୀରେ ଜନ୍ମ ନେଇଥିବାରୁ ଆମେ ଗର୍ବିତ । ଆମେ ସହିଦ ବୀର ନାରାୟଣ ସିଂହଙ୍କୁ ଶ୍ରଦ୍ଧାର ସହିତ ମନେ ପକାଉ, ଯିଏ କଠିନ ପରିସ୍ଥିତିରେ ନିଜ ଲୋକଙ୍କ ସହିତ ଛିଡ଼ା ହୋଇଥିଲେ । ବୀରରାମଜୀଗୋଣ୍ଡ ହୁଅନ୍ତୁ, ବୀରଗୁଣ୍ଡାଧୁର ହୁଅନ୍ତୁ ବା ଭୀମା ନାୟକ ହୁଅନ୍ତୁ, ସେମାନଙ୍କର ସାହସ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ । ଅଲ୍ଲୁରୀ ସୀତାରାମ ରାଜୁ ଆଦିବାସୀ ଭାଇଭଉଣୀଙ୍କ ଭିତରେ ଯେଉଁ ଜ୍ୟୋତି ପ୍ରଜ୍ୱଳନ କରିଥିଲେ, ତାଙ୍କୁ ଦେଶ ଆଜି ମଧ୍ୟ ମନେ ପକାଇଥାଏ । ଉତ୍ତର ପୂର୍ବରେ କିୟାଙ୍ଗ୍ ନୋବାଙ୍ଗ୍ ଓ ରାଣୀ ଗାଇଦିନ୍ଲ୍ୟୁଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କଠାରୁ ଆମକୁ ବହୁତ ପ୍ରେରଣା ମିଳିଥାଏ । ଆଦିବାସୀ ସମାଜରୁ ହିଁ ଦେଶକୁ ରାଜମୋହିନୀ ଦେବୀ ଓ ରାଣୀ କମଳାପତିଙ୍କ ଭଳି ବୀରାଙ୍ଗନା ମିଳିଥିଲା । ଦେଶ ଏ ସମୟରେ ଆଦିବାସୀ ସମାଜକୁ ପ୍ରେରଣା ଦେଇଥିବା ରାଣୀ ଦୁର୍ଗାବତୀଜୀଙ୍କ ୫୦୦ତମ ଜୟନ୍ତୀ ପାଳନ କରୁଛି । ମୋର ଆଶା ଯେ ଦେଶର ଅଧିକରୁ ଅଧିକ ଯୁବକ ଯୁବତୀ ନିଜ ଅଞ୍ଚଳର ମହାନ ଆଦିବାସୀ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଜାଣିବେ ଓ ତାଙ୍କଠାରୁ ପ୍ରେରଣା ହାସଲ କରିବେ । ଦେଶ ନିଜର ଆଦିବାସୀ ସମାଜ ନିକଟରେ କୃତଜ୍ଞ, ଯେଉଁମାନେ ରାଷ୍ଟ୍ରର ସ୍ୱାଭିମାନ ଓ ଉତ୍ଥାନକୁ ସର୍ବଦା ସର୍ବୋଚ୍ଚ ସ୍ଥାନ ଦେଇଆସିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ପର୍ବପର୍ବାଣୀର ଏହି ଋତୁରେ, ଏବେ ଦେଶରେ କ୍ରୀଡ଼ାର ମଧ୍ୟ ବିଜୟ ପତାକା ଉଡ଼ୁଛି । ବିଗତ ଦିନରେ ଏସୀୟକ୍ରୀଡ଼ା ପରେ ପାରାଏସୀୟ କ୍ରୀଡ଼ାରେ ମଧ୍ୟ ଭାରତୀୟ କ୍ରୀଡ଼ାବିତ୍ ଚମତ୍କାର ସଫଳତା ଅର୍ଜନ କରିଛନ୍ତି । ଏହି କ୍ରୀଡ଼ାରେ ଭାରତ ୧୧୧ଟି ପଦକ ଜିଣି ନୂଆ ଇତିହାସ ସୃଷ୍ଟି କରିଛି । ମୁଁ ପାରାଏସୀୟ କ୍ରୀଡ଼ାରେ ଭାଗନେଇଥିବା ସମସ୍ତ କ୍ରୀଡ଼ାବିତ୍ଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ମୁଁ Special Olympics World Summer Games ପ୍ରତି ଆପଣମାନଙ୍କ ଧ୍ୟାନ ଆକର୍ଷିତ କରିବାକୁ ଚାହେଁ । ଏହାର ଆୟୋଜନ ବର୍ଲିନ୍ରେ ହୋଇଥିଲା । ଏହି ଖେଳ ଆମର ବୌଦ୍ଧିକ ଦୃଷ୍ଟିରୁ ଅକ୍ଷମ ଆଥଲେଟ୍ମାନଙ୍କର ଅଦ୍ଭୁତ କ୍ଷମତାକୁ ଲୋକଲୋଚନକୁ ଆଣେ । ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ପଚସ୍ତରୀ ସ୍ୱର୍ଣ୍ଣପଦକ ସହିତ ଦୁଇଶହ ପଦକ ଜିତିଥିଲେ । Roller Scating ହେଉ, Beach Volley Ball ହେଉ ବା ଫୁଟବଲ ହେଉ ବା Lawn Tennis ହେଉ, ଭାରତୀୟ ଖେଳାଳିମାନେ ମେଡାଲ ବୃଷ୍ଟି କରିଦେଇଥିଲେ । ଏହି ପଦକ ବିଜେତାମାନଙ୍କର ଜୀବନଯାତ୍ରା ଖୁବ୍ ପ୍ରେରଣାଦାୟକ ।

ହରିୟାନାର ରଣବୀର ସୈନି ଗଲ୍ଫରେ ସ୍ୱର୍ଣ୍ଣପଦକ ପାଇଛନ୍ତି । ବାଲ୍ୟକାଳରୁ Autism ରୋଗ ସହିତ ସଂଗ୍ରାମ କରୁଥିବା ରଣବୀରଙ୍କ ଉତ୍ସାହକୁ କୌଣସି ବି ବାଧା କମ୍ କରିପାରିନଥିଲା । ତାଙ୍କ ମା’ତ ଏମିତି କହନ୍ତି ଯେ ଆଜି ପରିବାରର ସମସ୍ତେ ଗଲ୍ଫ ଖେଳାଳୀ ବନିଯାଇଛନ୍ତି । ପୁଡୁଚେରୀର ୧୬ ବର୍ଷୀୟ ଟି.ବିଶାଲ୍ ଚାରୋଟି ପଦକ ଜିତିଛନ୍ତି । ଗୋଆର ସିୟା ସରୋଦେ Power liftingରେ ଦୁଇଟି ସ୍ୱର୍ଣ୍ଣପଦକ ସହିତ ଚାରୋଟି ପଦକ ପ୍ରାପ୍ତ ହୋଇଛନ୍ତି । ମାତ୍ର ନଅବର୍ଷ ବୟସରେ ନିଜ ମା’କୁ ହରେଇଥିଲେ ବି ସେ ନିଜକୁ ନିରାଶ ହେବାକୁ ଦେଇନାହାଁନ୍ତି । ଛତିଶଗଡ଼, ଦୁର୍ଗର ନିବାସୀ ଅନୁରାଗ ପ୍ରସାଦ Power lifting ରେ ତିନୋଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟପଦକ ପ୍ରାପ୍ତ କରିଛନ୍ତି । ସେହିଭଳି ଝାଡ଼ଖଣ୍ଡର ଇନ୍ଦୁପ୍ରକାଶଙ୍କ କଥା ମଧ୍ୟ ଖୁବ୍ ପ୍ରେରଣାଦାୟୀ ଯିଏକି ସାଇକେଲ ଚାଳନାରେ ଦୁଇଟି ପଦକ ଜିତିପାରିଛନ୍ତି । ବହୁତ ସାଧାରଣ ପରିବାରରୁ ଆସିଥିବା ଇନ୍ଦୁ କେବେ ବି ଦରିଦ୍ରତାକୁ ନିଜ ସଫଳତା କ୍ଷେତ୍ରରେ ଅନ୍ତରାୟ ଭାବରେ ଦେଖିନାହାଁନ୍ତି । ମୋର ବିଶ୍ୱାସ ଏହି ଭାରତୀୟ ଖେଳାଳିମାନଙ୍କର ସଫଳତା ବୌଦ୍ଧିକ ଅକ୍ଷମତା ସହିତ ସଂଗ୍ରାମ କରୁଥିବା ଅନ୍ୟ ପିଲା ଓ ପରିବାରମାନଙ୍କୁ ମଧ୍ୟ ଉତ୍ସାହିତ କରିବ । ଆପଣ ସମସ୍ତଙ୍କୁ ମୋର ପ୍ରାର୍ଥନା ଯେ ଆପଣଙ୍କ ଗାଁ ବା ଆପଣଙ୍କ ଗାଁର ଆଖପାଖରେ ଏଭଳି ଯେଉଁ ପିଲାମାନେ ଏହି ଖେଳରେ ଭାଗ ନେଇଛନ୍ତି କିମ୍ବା ବିଜୟୀ ହୋଇଛନ୍ତି, ଆପଣ ସପରିବାର ତାଙ୍କ ପାଖକୁ ଯାଆନ୍ତୁ । ତାଙ୍କୁ ବଧେଇ ଜଣାନ୍ତୁ ଏବଂ ସେମାନଙ୍କ ସାଥୀରେ କିଛି ସମୟ କାଟନ୍ତୁ । ଆପଣମାନଙ୍କୁ ଏକ ନୂତନ ଅନୁଭବ ମିଳିବ । ପରମାତ୍ମା ସେମାନଙ୍କ ମଧ୍ୟରେ ଏଭଳି ଶକ୍ତି ଭରିଦେଇଛନ୍ତି ଯେ ଆପଣମାନଙ୍କୁ ମଧ୍ୟ ସେଗୁଡ଼ିକୁ ଅବଲୋକନ କରିବାର ସୁଯୋଗ ମିଳିବ । ନିଶ୍ଚୟ ଯିବାକୁ ଅନୁରୋଧ ।

ମୋର ପ୍ରିୟ ପରିବାରଜନ ଆପଣ ସମସ୍ତେ ଗୁଜରାଟର ତୀର୍ଥକ୍ଷେତ୍ର ଅମ୍ବାଜୀ ମନ୍ଦିର ବିଷୟରେ ଅବଶ୍ୟ ଶୁଣିଥିବେ । ଏହା ଏକ ମହତ୍ତ୍ୱପୂର୍ଣ୍ଣ ଶକ୍ତିପୀଠ । ଦେଶବିଦେଶର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମା’ ଅମ୍ବେଙ୍କ ଦର୍ଶନ କରିବାକୁ ଆସନ୍ତି । ଗବ୍ବର ପର୍ବତ ଦେଇ ଏଠାକୁ ଯାଇଥିବା ରାସ୍ତାରେ ଆପଣ ଯୋଗମୁଦ୍ରା ଏବଂ ବିଭିନ୍ନ ଆସନରେ ଥିବା ଅନେକ ପ୍ରତିମା ଦେଖିବାକୁ ପାଇବେ । ଏହି ପ୍ରତିମାଗୁଡ଼ିକର ବିଶେଷତ୍ୱ ଆପଣ ଜାଣନ୍ତି କି? ବାସ୍ତବରେ ଏସବୁ ବର୍ଜ୍ୟବସ୍ତୁରୁ ତିଆରି ହୋଇଥିବା ସ୍ଥାପତ୍ୟ ଅଟନ୍ତି । ଏଗୁଡ଼ିକ ପୁରୁଣା ବସ୍ତୁ ଓ ପଦାର୍ଥରୁ ତିଆରି ହୋଇଥିଲେ ମଧ୍ୟ ଖୁବ ଆକର୍ଷଣୀୟ । ଅର୍ଥାତ୍ ଏହି ପ୍ରତିମାଗୁଡ଼ିକ ବ୍ୟବହାର ପରେ ଫୋପାଡ଼ି ଦିଆଯାଇଥିବା ପୁରୁଣା ଜିନିଷରୁ ହିଁ ତିଆରି ହୋଇଛି । ଅମ୍ବାଜୀ ଶକ୍ତିପୀଠରେ ଦେବୀମା’ଙ୍କର ଦର୍ଶନ ସହିତ, ଏହି ପ୍ରତିମାଗୁଡ଼ିକ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପଡ଼ିଛନ୍ତି । ଏହି ପ୍ରୟାସର ସଫଳତାକୁ ଦେଖି ମୋ ମନରେ ମଧ୍ୟ ଗୋଟିଏ ପ୍ରେରଣା ସୃଷ୍ଟି ହେଉଛି । ଆମ ଦେଶରେ ଅନେକ ଏମିତି ଲୋକ ଅଛନ୍ତି । ଯେଉଁମାନେ ବର୍ଜ୍ୟବସ୍ତୁରୁ ଏହିଭଳି କଳାକୃତି ମାନ ତିଆରି କରିପାରନ୍ତି । ଗୁଜରାଟ ସରକାରଙ୍କୁ ମୁଁ ପରାମର୍ଶ ଦେଉଛି କି ସେ ଏକ ପ୍ରତିଯୋଗିତାର ଆୟୋଜନ କରନ୍ତୁ ଏବଂ ଏହିଭଳି ଲୋକମାନଙ୍କୁ ଆମନ୍ତ୍ରିତ କରନ୍ତୁ । ଏହି ପ୍ରୟାସ ଗବ୍ବର ପର୍ବତକୁ ଆକର୍ଷଣୀୟ କରିବା ସଙ୍ଗେସଙ୍ଗେ ସାରା ଦେଶରେ ‘Waste to Wealth’ ଅଭିଯାନ ପାଇଁ ଲୋକମାନଙ୍କୁ ଅନୁପ୍ରାଣିତ କରିବ ।

ବନ୍ଧୁଗଣ, ଯେତେବେଳେ ବି ସ୍ୱଚ୍ଛଭାରତ ଓ ‘Waste to Wealth’ ର କଥା ଆସେ ସେତେବେଳେ ଆମକୁ ଦେଶର କୋଣଅନୁକୋଣରୁ ଅଗଣିତ ଉଦାହରଣ ଦେଖିବାକୁ ମିଳୁଛି । ଆସାମର କାମରୂପ୍ Metropolitan Districtରେ ଅକ୍ଷର ଫୋରମ ନାମକ ଗୋଟିଏ ସ୍କୁଲ, ପିଲାମାନଙ୍କ ମଧ୍ୟରେ Sustainable Developmentର ଭାବନା ଜାଗ୍ରତ କରିବାର, ସଂସ୍କାରର ଏକ ନିରନ୍ତର କାମ କରୁଛି । ଏଠାରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ପ୍ରତି ସପ୍ତାହରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏକାଠି କରୁଛନ୍ତି, ଯାହାର ଉପଯୋଗ Eco friendly ଇଟା ଏବଂ ଚାବିର ଚେନ୍ ଭଳି ସାମଗ୍ରୀ ତିଆରି କରିବାରେ ହୋଇଥାଏ । ଏଠାରେ ଛାତ୍ରଛାତ୍ରୀମାନଙ୍କୁ Recycling ଏବଂ Plastic Waste ରୁ ଉତ୍ପାଦଗୁଡ଼ିକ ତିଆରି କରିବା ଶିଖାଯାଏ । କମ୍ ବୟସରୁ ପରିବେଶ ପ୍ରତି ଏହି ସଚେତନତା ଏହି ପିଲାମାନଙ୍କୁ ଦେଶର ଜଣେ କର୍ତ୍ତବ୍ୟନିଷ୍ଠ ନାଗରିକ ଭାବରେ ଗଢ଼ିତୋଳିବାରେ ବହୁତ ସହାୟକ ହେବ ।

ମୋର ପରିବାରଜନ, ଆଜି ଜୀବନର କୌଣସି ଏମିତି କ୍ଷେତ୍ର ନାହିଁ ଯେଉଁଠି ଆମକୁ ନାରୀଶକ୍ତିର ସାମର୍ଥ୍ୟ ଦେଖିବାକୁ ନ ମିଳୁଛି । ଆଜିର ସମୟରେ ଯେତେବେଳେ ପ୍ରତ୍ୟେକ ସ୍ତରରେ ତାଙ୍କର ଉପଲବଧିଗୁଡ଼ିକୁ ପ୍ରଶଂସା କରାଯାଉଛି, ସେତେବେଳେ ଆମକୁ ‘ଭକ୍ତିର ଶକ୍ତି’କୁ ଦେଖେଇ ଦେଉଥିବା ଜଣେ ଏଭଳି ମହିଳା ସନ୍ଥଙ୍କୁ ମଧ୍ୟ ମନେ ରଖିବାକୁ ପଡ଼ିବ, ଯାହାଙ୍କ ନାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖାହୋଇ ରହିଛି । ଦେଶ ଏ ବର୍ଷ ମହାନ୍ ସନ୍ଥ ମୀରାବାଈଙ୍କର ପାଞ୍ଚଶହ ପଚିଶତମ ଜନ୍ମ-ଜୟନ୍ତୀ ପାଳନ କରୁଛି । ସେ ସାରା ଦେଶର ଲୋକମାନଙ୍କ ପାଇଁ ଅନେକ ଦୃଷ୍ଟିରୁ ଏକ ପ୍ରେରଣାଶକ୍ତି ହୋଇ ରହିଛନ୍ତି । ଯଦି କାହାର ସଙ୍ଗୀତରେ ରୁଚି ଥାଏ ତେବେ ସେ ହେଉଛନ୍ତି ସଙ୍ଗୀତ ପ୍ରତି ସମର୍ପଣର ଗୋଟିଏ ବଡ଼ ଉଦାହରଣ । ଯଦି କେହି କବିତାକୁ ଭଲପାଉଥିବ ତେବେ ଭକ୍ତିରସରେ ରସାଣିତ ମୀରାବାଈଙ୍କ ଭଜନ ତାଙ୍କ ଭିନ୍ନ ଏକ ଆନନ୍ଦ ଦିଏ । ଯଦି କେହି ଦୈବୀଶକ୍ତିରେ ବିଶ୍ୱାସ ରଖିଥାନ୍ତି ତେବେ ମୀରାବାଈ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଲୀନ ହୋଇଯିବା ତାଙ୍କପାଇଁ ଏକ ବଡ଼ ପ୍ରେରଣା ହୋଇପାରିବ । ମୀରାବାଈ ସନ୍ଥ ରବିଦାସଙ୍କୁ ନିଜର ଗୁରୁ ମାନୁଥିଲେ । ସେ କହୁଥିଲେ :-
“ଗୁରୁ ମିଲିୟା ରୈଦାସ, ଦିହ୍ନି ଜ୍ଞାନ କୀ ଗୁଟ୍କୀ ।”

ଦେଶର ମା’, ଭଉଣୀ ଏବଂ ଝିଅମାନଙ୍କ ପାଇଁ ମୀରାବାଈ ଆଜି ମଧ୍ୟ ପ୍ରେରଣାର ଉତ୍ସ । ସେ କାଳଖଣ୍ଡରେ ମଧ୍ୟ ସେ ନିଜର ଅନ୍ତରାତ୍ମାର କଥାକୁ ହିଁ ଶୁଣୁଥିଲେ ଏବଂ ରୂଢ଼ିବାଦୀ ଧାରଣାଗୁଡ଼ିକର ବିରୋଧରେ ଠିଆହୋଇଥିଲେ। ଜଣେ ସନ୍ଥ ଭାବରେ ମଧ୍ୟ ସେ ଆମ ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି । ସେ ତତ୍କାଳୀନ ଭାରତୀୟ ସମାଜ ଏବଂ ସଂସ୍କୃତିକୁ ସଶକ୍ତ କରିବାକୁ ଆଗେଇ ଆସିଥିଲେ ଯେତେବେଳେ ଦେଶ ନାନା ପ୍ରକାର ଆକ୍ରମଣର ସାମନା କରୁଥିଲା । ସରଳତା ଏବଂ ସାଧା ଜୀବନରେ କେତେ ଶକ୍ତି ଥାଏ ତାହା ଆମକୁ ମୀରାବାଈଙ୍କ ଜୀବନକାଳରୁ ହିଁ ଦେଖିବାକୁ ମିଳେ । ମୁଁ ସନ୍ଥ ମୀରାବାଈଙ୍କୁ ପ୍ରଣାମ ଜଣାଉଛି ।

ମୋର ପ୍ରିୟ ପରିବାରଜନ, ଆଜିର ‘ମନ୍ କି ବାତ୍’ରେ ଏତିକି । ଆପଣମାନଙ୍କ ସହିତ ହେଉଥିବା ପ୍ରତ୍ୟେକ ବାର୍ତ୍ତାଳାପ ମୋତେ ନୂତନ ଶକ୍ତିରେ ଭରିଦେଉଛି । ଆପଣମାନଙ୍କ ସନ୍ଦେଶରେ ଆତ୍ମବିଶ୍ୱାସ ଓ ସକାରାତ୍ମକତାର ଅନେକ କଥା ମୋ ପାଖରେ ପହଞ୍ଚୁଛି । ମୁଁ ଆପଣମାନଙ୍କୁ ପୁନଃ ଅନୁରୋଧ କରୁଛି କି ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ଜୋର୍ ଦିଅନ୍ତୁ । ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣନ୍ତୁ, ଲୋକାଲ୍ ପାଇଁ ଭୋକାଲ୍ ହୁଅନ୍ତୁ । ଯେମିତି ନିଜର ଘରକୁ ସ୍ୱଚ୍ଛ ରଖୁଛନ୍ତି ସେହିଭଳି ନିଜର ଗାଁ ଓ ସହରକୁ ସ୍ୱଚ୍ଛ ରଖନ୍ତୁ । ଆପଣମାନେ ଜାଣନ୍ତି ଯେ ଅକ୍ଟୋବର ୩୧ ତାରିଖ ସରଦାର ସାହେବଙ୍କ ଜୟନ୍ତୀକୁ ଦେଶ ଏକତା ଦିବସ ଭାବରେ ପାଳନ କରୁଛି । ଦେଶର ଅନେକ ସ୍ଥାନରେ Run for Unity କାର୍ଯ୍ୟକ୍ରମ ହେଉଛି ।

ଆପଣମାନେ ମଧ୍ୟ ଅକ୍ଟୋବର ୩୧ ତାରିଖ ଦିନ Run for Unity କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ । ଆପଣମାନେ ମଧ୍ୟ ବହୁତ ଅଧିକ ସଂଖ୍ୟାରେ ଭାଗ ନିଅନ୍ତୁ, ଏକତାର ସଂକଳ୍ପକୁ ମଜଭୁତ କରନ୍ତୁ । ମୁଁ ପୁଣିଥରେ ଆପଣମାନଙ୍କୁ ଆଗାମୀ ପର୍ବଗୁଡ଼ିକ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣମାନେ ସମସ୍ତେ ପରିବାର ସହ ଖୁସି ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ଏହାହିଁ ମୋର କାମନା । ଆଉ ଦୀପାବଳୀ ସମୟରେ ଏମିତି କିଛି ଭୁଲ୍ ହୋଇନଯାଉ ଯଦ୍ଦ୍ୱାରା ଅଗ୍ନିକାଣ୍ଡ ହୋଇପାରେ । କାହାରି ଜୀବନରେ ଯଦି ବିପଦ ଆସିଲା ତ ଆପଣ ନିଶ୍ଚୟ ସହଯୋଗ କରନ୍ତୁ, ନିଜେ ସତର୍କ ରୁହନ୍ତୁ ଏବଂ ଅନ୍ୟକୁ ସଚେତନ କରାନ୍ତୁ । ବହୁତ ବହୁତ ଶୁଭକାମନା – ବହୁତ ବହୁତ ଧନ୍ୟବାଦ ।

Categories
ବିଶେଷ ଖବର

“ମନ୍ କି ବାତ୍’: ରଥଯାତ୍ରା ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍’ ରେ ଓଡିଶାର ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ବିଷୟରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍’ ର ସଂପୂର୍ଣ୍ଣ ଅଭିଭାଷଣ ପଢିବା…..

ମୋର ପ୍ରିୟ ଦେଶବାସୀଗଣ,
ନମସ୍କାର । ‘ମନ୍ କି ବାତ୍’ ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ‘ମନ୍ କି ବାତ୍’ ପ୍ରାୟତଃ ପ୍ରତି ମାସର ଶେଷ ରବିବାର ଦିନ ହୋଇଥାଏ, କିନ୍ତୁ ଏଥର ଗୋଟିଏ ସପ୍ତାହ ପୂର୍ବରୁ ହେଉଛି । ଆପଣମାନେ ତ ଜାଣିଛନ୍ତି, ଆସନ୍ତା ସପ୍ତାହରେ ମୁଁ ଆମେରିକାରେ ଥିବି ଆଉ ସେଠାରେ ଅନେକ କାର୍ଯ୍ୟବ୍ୟସ୍ତତା ମଧ୍ୟ ରହିବ । ତେଣୁ, ମୁଁ ଭାବିଲି ଯେ ସେଠାକୁ ଯିବା ଆଗରୁ ହିଁ ଆପଣମାନଙ୍କ ସହିତ କଥା ହେବି, ତା’ଠୁ ଭଲ ଆଉ କ’ଣ ହୋଇପାରେ? ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ, ଆପଣଙ୍କ ପ୍ରେରଣା ଯୋଗୁଁ ମୋ’ର ଶକ୍ତି ମଧ୍ୟ ବୃଦ୍ଧି ପାଇଚାଲିବ।

ବନ୍ଧୁଗଣ,
ଅନେକ ଲୋକ କହିଥାନ୍ତି ଯେ, ଜଣେ ପ୍ରଧାନମନ୍ତ୍ରୀ ହିସାବରେ ମୁଁ ଏଇ ଭଲ କାମ କଲି, ସେଇ ବଡ଼ କାମଟିଏ କଲି । ‘ମନ୍ କି ବାତ୍’ର ଅନେକ ଶ୍ରୋତା ନିଜ ଚିଠିରେ ବହୁତ ପ୍ରଶଂସା କରିଥାଆନ୍ତି । କେହି କହନ୍ତି ଏ କାମ କଲି, କେହି କହନ୍ତି ସେ କାମ କଲି, ସେ କାମଟି ଖୁବ ଭଲ ହେଲା, ଏଇ କାମଟି ଭଲ ହେଲା, କିନ୍ତୁ ମୁଁ ଯେତେବେଳେ ଭାରତର ସାଧାରଣ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟା, ସେମାନଙ୍କ ପରିଶ୍ରମ, ସେମାନଙ୍କ ଇଚ୍ଛାଶକ୍ତିକୁ ଦେଖେ, ସେତେବେଳେ ସ୍ୱୟଂ ଅଭିଭୂତ ହୋଇଯାଏ । ବଡ଼ରୁ ବଡ଼ ଲକ୍ଷ୍ୟ ହେଉ, କଠିନରୁ କଠିନ ଆହ୍ୱାନ ହେଉ, ଭାରତର ଜନସାଧାରଣଙ୍କ ସାମୂହିକ ବଳ, ସାମୂହିକ ଶକ୍ତି ପ୍ରତ୍ୟେକ ଆହ୍ୱାନର ସମାଧାନର ସୂତ୍ର ବାହାର କରିଦେଉଛି । ଏଇ ମାତ୍ର ଦୁଇ ତିନି ଦିନ ଆଗରୁ ଯାହା ଆମେ ଦେଖିଲୁ, ଯେ ଦେଶର ପଶ୍ଚିମ ସୀମାରେ କେତେ ବଡ଼ ବାତ୍ୟା ସଂଘଟିତ ହେଲା । କ୍ଷିପ୍ର ଗତିରେ ପବନ, ମୂସଳଧାରରେ ବର୍ଷା । ବିପର୍ଯ୍ୟୟ ବାତ୍ୟା କଚ୍ଛ୍ ଅଂଚଳରେ କେତେ ଯେ କ୍ଷୟକ୍ଷତି ଘଟାଇଲା! କିନ୍ତୁ କଚ୍ଛ୍ର ଲୋକେ ଯେଉଁ ସାହସ ଏବଂ ପ୍ରସ୍ତୁତି ସହ ଏହି ବିପଜ୍ଜନକ ବାତ୍ୟାର ମୁକାବିଲା କଲେ, ତାହା ମଧ୍ୟ ସେତିକି ଅଭୂତପୂର୍ବ । ମାତ୍ର ଦୁଇ ଦିନ ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ କଚ୍ଛର ଲୋକେ ସେମାନଙ୍କର ନବବର୍ଷ ପାଳନ କରିବାକୁ ଯାଉଛନ୍ତି । ଆଷାଢ଼ ଦ୍ୱିତୀୟାକୁ କଚ୍ଛ୍ ଅଞ୍ଚଳରେ ବର୍ଷାଋତୁର ପ୍ରାରମ୍ଭ ଭାବେ ଗ୍ରହଣ କରାଯାଉଥିବା ବେଳେ ଏହି ସମୟରେ ବର୍ଷା ଏକ ସଂଯୋଗ । ମୁଁ ଅନେକ ବର୍ଷ ଧରି କଚ୍ଛ୍ ଯିବା ଆସିବା କରିଛି । ସେଠାକାର ଲୋକଙ୍କ ସେବା କରିବାର ସୌଭାଗ୍ୟ ମଧ୍ୟ ମୋତେ ମିଳିଛି । ତେଣୁ କଚ୍ଛ୍ର ଲୋକଙ୍କ ଧୈର୍ଯ୍ୟ ସାହସ ଏବଂ ଜିଜ୍ଞାସା ସହ ମୁଁ ଭଲ ଭାବେ ପରିଚିତ । ଦୁଇ ଦଶନ୍ଧି ପୂର୍ବେ ବିନାଶକାରୀ ଭୂମିକମ୍ପ ଦ୍ୱାରା ପ୍ରଭାବିତ କଚ୍ଛ୍ ବିଷୟରେ କୁହାଯାଉଥିଲା ଯେ, ଏହା ପୁଣି କେବେ ଉଠିପାରିବନି, ଆଜି ସେହି ଜିଲ୍ଲା ଦେଶରେ ଦ୍ରୁତ ଗତିରେ ବିକାଶ ଲାଭ କରୁଥିବା ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ। ବାତ୍ୟା ବିପର୍ଯ୍ୟୟ ଯେଉଁ ବିନାଶ ଘଟାଇଛି, ସେଥିରୁ ମଧ୍ୟ କଚ୍ଛବାସୀ ଶୀଘ୍ର ମୁକ୍ତ ହୋଇଯିବେ ବୋଲି ମୋର ବିଶ୍ୱାସ ।

ବନ୍ଧୁଗଣ,
ପ୍ରାକୃତିକ ବିପତ୍ତି ଉପରେ କାହାରି ନିୟନ୍ତ୍ରଣ ନ ଥାଏ । କିନ୍ତୁ, ବିଗତ ବର୍ଷମାନଙ୍କରେ ଭାରତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଯେଉଁ ଶକ୍ତି ବିକଶିତ କରିଛି, ତାହା ଆଜି ଉଦାହରଣ ସୃଷ୍ଟି କରୁଛି । ପ୍ରାକୃତିକ ବିପତ୍ତିଗୁଡ଼ିକର ମୁକାବିଲା କରିବାର ଗୋଟିଏ ବଡ଼ ଉପାୟ ହେଲା – ପ୍ରକୃତିର ସଂରକ୍ଷଣ । ବର୍ତମାନ ପରିସ୍ଥିତିରେ ବର୍ଷାଋତୁରେ ଏହି କାର୍ଯ୍ୟ ପ୍ରତି ଆମର ଦାୟିତ୍ୱ ଆହୁରି ବଢ଼ିଯାଉଛି । ସେଇଥିପାଇଁ ଦେଶ ଆଜି କ୍ୟାଚ୍ ଦି ରେନ୍ ଭଳି ଅଭିଯାନଗୁଡ଼ିକ ଜରିଆରେ ସମଷ୍ଟିଗତ ଉଦ୍ୟମ କରୁଛି । ଗତ ମାସରେ ‘ମନ୍ କି ବାତ୍’ରେ ହିଁ ଆମେ ଜଳ ସଂରକ୍ଷଣ ସହିତ ଜଡ଼ିତ ଷ୍ଟାର୍ଟ-ଅପ୍ ବିଷୟରେ ଆଲୋଚନା କରିଥିଲୁ । ଏଥର ମଧ୍ୟ ମୋତେ ପତ୍ର ଦ୍ୱାରା ଏଭଳି ଅନେକ ଲୋକଙ୍କ ବିଷୟରେ ଅବଗତ କରାଯାଇଛି, ଯେଉଁମାନେ ପ୍ରତ୍ୟେକଟି ଜଳବିନ୍ଦୁ ସଂରକ୍ଷଣ ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ଏହିଭଳି ଜଣେ ସାଥି ହେଉଛନ୍ତି, ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ତୁଳସୀରାମ ଯାଦବ । ତୁଳସୀରାମ ଯାଦବ ହେଉଛନ୍ତି ଲୁକତରା ଗ୍ରାମପଂଚାୟତର ମୁଖ୍ୟ । ବାନ୍ଦା ଓ ବୁନ୍ଦେଲ୍ଖଣ୍ଡ ଅଂଚଳରେ ପାଣିର ସମସ୍ୟା ବିଷୟରେ ଆପଣମାନେ ସମସ୍ତେ ଜାଣନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ତୁଳସୀରାମ୍ ଗାଁ ଲୋକଙ୍କୁ ଏକାଠି କରି ସେହି ଅଂଚଳରେ ୪୦ରୁ ଅଧିକ ପୋଖରୀ ଖୋଳାଇଛନ୍ତି । ବିଲ ପାଣି ବିଲରେ ଆଉ ଗାଁ ପାଣି ଗାଁରେ, ଏହି ନିୟମକୁ ତୁଳସୀରାମ ନିଜ ଅଭିଯାନର ଆଧାର କରିଛନ୍ତି । ତାଙ୍କରି ପରିଶ୍ରମ ଫଳରେ ଆଜି ତାଙ୍କ ଗ୍ରାମର ଭୂତଳ ଜଳ ସ୍ତରରେ ଉନ୍ନତି ଦେଖାଦେଉଛି । ସେହିଭଳି ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଲୋକେ ମିଶି ଗୋଟିଏ ବିଲୁପ୍ତ ନଦୀକୁ ପୁନର୍ଜୀବିତ କରିଛନ୍ତି । ବହୁଦିନ ପୂର୍ବେ ଏଠାରେ ନୀମ୍ ନାମକ ଗୋଟିଏ ନଦୀ ପ୍ରବାହିତ ହେଉଥିଲା । କାଳକ୍ରମେ ଏହି ନଦୀ ବିଲୁପ୍ତ ହୋଇଗଲା । କିନ୍ତୁ ସ୍ଥାନୀୟ ସ୍ମୃତି ଏବଂ ଲୋକକଥାଗୁଡ଼ିକରେ ଏହି ନଦୀର ଚର୍ଚ୍ଚା ସର୍ବଦା ହେଉଥିଲା । ଶେଷରେ ଲୋକେ ନିଜର ଏହି ପ୍ରାକୃତିକ ଐତିହ୍ୟକୁ ପୁନର୍ଜୀବିତ କରିବାକୁ ମନସ୍ଥ କଲେ । ଜନସାଧାରଣଙ୍କ ମିଳିତ ଉଦ୍ୟମ ଫଳରେ ନୀମ୍ ନଦୀ ଏବେ ପୁଣି ଥରେ ଜୀବନ୍ତ ହେବାରେ ଲାଗିଛି । ନଦୀର ଉଦ୍ଗମ ସ୍ଥଳକୁ ଅମୃତ ସରୋବର ଭାବେ ମଧ୍ୟ ବିକଶିତ କରାଯାଉଛି ।

ବନ୍ଧୁଗଣ,
ଏହି ନଦୀ, କେନାଲ୍, ପୋଖରୀ – ଏଗୁଡ଼ିକ କେବଳ ଜଳସ୍ରୋତ ନୁହେଁ, ବରଂ ଏଗୁଡ଼ିକ ସହ ଯୋଡ଼ି ହୋଇଥାଏ ଜୀବନର ରଙ୍ଗ ଏବଂ ଅନେକ ଭାବାବେଗ । ଏଭଳି ଗୋଟିଏ ଦୃଶ୍ୟ କିଛି ଦିନ ଆଗରୁ ଦେଖିବାକୁ ମିଳିଲା ମହାରାଷ୍ଟ୍ରରେ । ଏହି ଅଂଚଳ ପ୍ରାୟତଃ ମରୁଡ଼ିଗ୍ରସ୍ତ ହୋଇ ରହିଥାଏ । ପାଂଚ ଦଶନ୍ଧିର ପ୍ରତୀକ୍ଷା ପରେ ଏଠାରେ ଏବେ ନୀଲ୍ୱାଣ୍ଡେ ଡ୍ୟାମ୍ର କେନାଲ କାମ ସମ୍ପୂର୍ଣ୍ଣ ହେବାକୁ ଯାଉଛି । କିଛି ଦିନ ପୂର୍ବେ ଟେଷ୍ଟିଂ ସମୟରେ କେନାଲ୍ରେ ପାଣି ଛଡ଼ାଯାଇଥିଲା । ସେହି ସମୟର ଦୃଶ୍ୟ ପ୍ରକୃତରେ ହୃଦୟସ୍ପର୍ଶୀ ଥିଲା । ଗାଁ ଲୋକେ ଏମିତି ଆନନ୍ଦରେ ମାତିଥିଲେ, ସତେ ଯେମିତି ହୋଲି ବା ଦୀପାବଳୀର ପର୍ବ ଆସିଗଲା ।

ବନ୍ଧୁଗଣ,
ଯେହେତୁ ପରିଚାଳନା କଥା ପଡ଼ିଛି, ତେଣୁ ମୁଁ ଆଜି ଛତ୍ରପତି ଶିବାଜୀ ମହାରାଜଙ୍କୁ ମଧ୍ୟ ସ୍ମରଣ କରୁଛି । ଛତ୍ରପତି ଶିବାଜୀ ମହାରାଜଙ୍କ ବୀରତ୍ୱ ସହ ତାଙ୍କ ଶାସନ ପଦ୍ଧତି ଏବଂ ପରିଚାଳନାଗତ ଦକ୍ଷତାରୁ ମଧ୍ୟ ଅନେକ କିଛି ଶିଖିବାକୁ ମିଳିଥାଏ । ବିଶେଷକରି, ଜଳ ପରିଚାଳନା ଏବଂ ନୌବାହିନୀକୁ ନେଇ ଛତ୍ରପତି ଶିବାଜୀ ମହାରାଜ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ସେସବୁ ଆଜି ମଧ୍ୟ ଭାରତୀୟ ଇତିହାସର ଗୌରବ ବୃଦ୍ଧି କରୁଛି । ସେ ନିର୍ମାଣ କରିଥିବା ଜଳଦୁର୍ଗ ଏତେ ଶତାବ୍ଦୀ ପରେ ମଧ୍ୟ ସମୁଦ୍ର ମଧ୍ୟରେ ଆଜି ବି ଗୌରବ ସହ ଦଣ୍ଡାୟମାନ ରହିଛନ୍ତି । ଚଳିତ ମାସ ଆରମ୍ଭରେ ହିଁ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକର ୩୫୦ ବର୍ଷ ପୂରଣ ହୋଇଛି । ଏହି ଅବସରକୁ ଏକ ବଡ଼ ପର୍ବ ରୂପେ ପାଳନ କରାଯାଉଛି । ଏହି ସମୟରେ ମହାରାଷ୍ଟ୍ରର ରାୟଗଢ଼ କିଲ୍ଲାରେ ଏ ସମ୍ପର୍କିତ ଭବ୍ୟ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ମୋର ମନେ ଅଛି, ଅନେକ ବର୍ଷ ପୂର୍ବେ ୨୦୧୪ରେ ମୋତେ ରାୟଗଢ଼ ଯିବାର, ସେହି ପବିତ୍ର ଭୂମିକୁ ପ୍ରଣାମ କରିବାର ସୌଭାଗ୍ୟ ମିଳିଥିଲା । ଏହି ଅବସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପରିଚାଳନା କୌଶଳ ବିଷୟରେ ଜ୍ଞାନ ଲାଭ କରିବା ଆମ ସମସ୍ତଙ୍କ କର୍ତବ୍ୟ । ଏହାଦ୍ୱାରା ଆମ ଅନ୍ତରରେ ଆମର ଐତିହ୍ୟକୁ ନେଇ ଗର୍ବଭାବ ଜାଗ୍ରତ ହେବ ଏବଂ ଆମ ଭବିଷ୍ୟତ କର୍ତବ୍ୟ ସମ୍ପର୍କରେ ମଧ୍ୟ ପ୍ରେରଣା ମିଳିବ ।

ମୋର ପ୍ରିୟ ଦେଶବାସୀଗଣ,
ଆପଣମାନେ ରାମାୟଣର ସେହି ଛୋଟ ଗୁଣ୍ଡୁଚିମୂଷା ବିଷୟରେ ତ ନିଶ୍ଚୟ ଶୁଣିଥିବେ, ଯିଏ ରାମସେତୁ ନିର୍ମାଣରେ ସହାୟତା ପାଇଁ ଆଗେଇ ଆସିଥିଲା । କହିବାର ତାତ୍ପର୍ଯ୍ୟ ହେଲା ଯେ, ମନୋଭାବ ଯଦି ସ୍ୱଚ୍ଛ, ଉଦ୍ୟମ ଯଦି ନିଷ୍ଠାପର ହୁଏ, ତେବେ କୌଣସି ଲକ୍ଷ୍ୟ ଅସାଧ୍ୟ ହୋଇ ରହେନା । ଭାରତ ମଧ୍ୟ ଆଜି ଏହିଭଳି ସ୍ୱଚ୍ଛ ମନୋଭାବ ସହ ଗୋଟିଏ ବହୁତ ବଡ଼ ଆହ୍ୱାନର ମୁକାବିଲା କରୁଛି । ଏହି ଆହ୍ୱାନଟି ହେଲା – ଟି.ବି. ଯାହାକୁ ଯକ୍ଷ୍ମା ରୋଗ ମଧ୍ୟ କୁହାଯାଏ । ୨୦୨୫ ସୁଦ୍ଧା ଭାରତକୁ ଟି.ବି. ମୁକ୍ତ କରିବା ପାଇଁ ଦେଶ ସଂକଳ୍ପ ଗ୍ରହଣ କରିଛି । ଲକ୍ଷ୍ୟ ନିଶ୍ଚିତ ଭାବେ ବହୁତ ବଡ଼ । ଦିନ ଥିଲା, ଯେତେବେଳେ ଯକ୍ଷ୍ମା ରୋଗ ହୋଇଥିବା କଥା ଜଣାପଡ଼ିଲେ ପରିବାର ଲୋକେ ମଧ୍ୟ ଦୂରେଇ ଯାଉଥିଲେ, କିନ୍ତୁ ଆଜି ଯକ୍ଷ୍ମା ରୋଗୀକୁ ପରିବାରର ସଭ୍ୟ ଭାବେ ଗ୍ରହଣ କରି ତାକୁ ସହାୟତା କରାଯାଉଛି । ଏହି ଯକ୍ଷ୍ମା ରୋଗର ମୂଳୋତ୍ପାଟନ କାର୍ଯ୍ୟ ନିକ୍ଷୟ ମିତ୍ରମାନେ ନିଜ ହାତକୁ ନେଇଛନ୍ତି । ଦେଶରେ ବହୁ ସଂଖ୍ୟାରେ ବିଭିନ୍ନ ସାମାଜିକ ସଂସ୍ଥା ନିକ୍ଷୟ ମିତ୍ର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗାଁ-ଗହଳିରେ, ପଞ୍ଚାୟତରେ, ହଜାର ହଜାର ଲୋକେ ନିଜେ ଆଗେଇ ଆସି ଯକ୍ଷ୍ମା ରୋଗୀମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଅନେକ ପିଲାମାନେ ମଧ୍ୟ ଯକ୍ଷ୍ମାରୋଗୀଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି । ଏହି ଜନଭାଗୀଦାରୀ ହିଁ ଏହି ଅଭିଯାନର ସବୁଠୁ ବଡ଼ ଶକ୍ତି । ଏହି ଭାଗୀଦାରୀ ଯୋଗୁଁ ଆଜି ଆମ ଦେଶରେ ୧୦ ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇସାରିଲାଣି ଏବଂ ଏହି ପୂଣ୍ୟ କାର୍ଯ୍ୟ କରିଛନ୍ତି ପ୍ରାୟଃ ୮୫ ହଜାର ନିକ୍ଷୟ ମିତ୍ର । ଦେଶର ଅନେକ ସରପଞ୍ଚ ଓ ଗାଁ ମୁଖିଆମାନେ ମଧ୍ୟ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ଅଂଟା ଭିଡ଼ିଛନ୍ତି ।

ନୈନିତାଲ୍ର ଗୋଟିଏ ଗାଁର ନିକ୍ଷୟ ମିତ୍ର ଦୀକର୍ ସିଂ ମେୱାଡ଼ି ଛଅ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେହିଭଳି କିନ୍ନୌର୍ର ଗୋଟିଏ ଗ୍ରାମପଞ୍ଚାୟତର ମୁଖ୍ୟ ନିକ୍ଷୟ ମିତ୍ର ଶ୍ରୀଯୁକ୍ତ ଜ୍ଞାନ ସିଂ ମଧ୍ୟ ନିଜ ବ୍ଲକ୍ରେ ଟିବି ରୋଗୀମାନଙ୍କୁ ସମସ୍ତ ଆବଶ୍ୟକ ସହାୟତା ଉପଲବ୍ଧ କରାଇବାରେ ଲାଗିଛନ୍ତି । ଭାରତକୁ ଯକ୍ଷ୍ମାମୁକ୍ତ କରିବା ଅଭିଯାନରେ ଆମର ପିଲାମାନେ ଏବଂ ଯୁବବନ୍ଧୁମାନେ ମଧ୍ୟ ପଛରେ ନାହାନ୍ତି । ହିମାଚଳ ପ୍ରଦେଶର ଉନାର ୭ ବର୍ଷର ଝିଅ ନଳିନୀ ସିଂଙ୍କ ଚମତ୍କାରିତାର କଥା ଶୁଣନ୍ତୁ । ଝିଅ ନଳିନୀ ନିଜ ପକେଟ୍ ଖର୍ଚ୍ଚରୁ ଯକ୍ଷ୍ମା ରୋଗୀଙ୍କର ସହାୟତା କରୁଛନ୍ତି । ପିଲାମାନେ ପଇସା ସଂଗ୍ରହ ଘଡ଼ିକୁ କେତେ ଭଲ ପାଆନ୍ତି ତାହା ଆପଣମାନେ ଜାଣନ୍ତି । କିନ୍ତୁ ମଧ୍ୟପ୍ରଦେଶର କଟ୍ନୀ ଜିଲ୍ଲାର ୧୩ ବର୍ଷ ବୟସ୍କା ମୀନାକ୍ଷୀ ଏବଂ ପଶ୍ଚିମ ବଙ୍ଗର ଡାୟମଣ୍ଡ ହାର୍ବର୍ର ୧୧ ବର୍ଷ ବୟସ୍କ ବଶ୍ୱର ମୁଖାର୍ଜୀ ଏମାନେ ଦୁହେଁ ଅନ୍ୟ ପିଲାମାନଙ୍କ ଠାରୁ କିଛି ଭିନ୍ନ । ଏହି ଦୁଇ ଜଣ ନିଜ ଘଡ଼ିରେ ସଂଚୟ କରିଥିବା ପଇସା ମଧ୍ୟ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନରେ ଲଗାଇ ଦେଇଛନ୍ତି । ଏହି ସମସ୍ତ ଉଦାହରଣ ଭାବପ୍ରବଣତାରେ ଭରି ରହିଥିବା ସଙ୍ଗେ ସଙ୍ଗେ ପ୍ରେରଣାଦାୟୀ ମଧ୍ୟ । କମ ବୟସରେ ମଧ୍ୟ ବଡ଼ ଚିନ୍ତାଧାରା ବହନ କରୁଥିବା ଏହି ସମସ୍ତ ପିଲାମାନଙ୍କର ମୁଁ ଆନ୍ତରିକ ପ୍ରଶଂସା କରୁଛି ।

ମୋର ପ୍ରିୟ ଦେଶବାସୀଗଣ,
ଆମ ଭାରତବାସୀଙ୍କର ସ୍ୱଭାବ ଯେ ଆମେ ସର୍ବଦା ନୂଆ ବିଚାରକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଥାଉ । ଆମେ ଆମ ଜିନିଷକୁ ଭଲ ପାଉ ଓ ନୂଆ ଜିନିଷକୁ ମଧ୍ୟ ଗ୍ରହଣ କରୁ । ଏହାର ଏକ ଉଦାହରଣ ହେଉଛି- ଜାପାନୀ ପଦ୍ଧତି ମିୟାୱାକି । ଯଦି କୌଣସି ଜାଗାର ମାଟି ଉର୍ବର ହୋଇରହିନାହିଁ, ତେବେ ମିୟାୱାକି ପଦ୍ଧତି ସେହି ଅଞ୍ଚଳକୁ ପୁଣିଥରେ ସବୁଜ ସୁନ୍ଦର କରିବା ପାଇଁ ବହୁତ ଭଲ ଉପାୟ । ମିୟାୱାକି ଜଙ୍ଗଲ ଦ୍ରୁତଗତିରେ ପରିବ୍ୟାପ୍ତ ହୋଇଥାଏ ଏବଂ ଦୁଇ-ତିନି ଦଶନ୍ଧି ଭିତରେ ଜୈବ ବିବିଧତାର କେନ୍ଦ୍ର ପାଲଟିଯାଏ । ଏବେ ଭାରତର ବିଭିନ୍ନ ଅଞ୍ଚଳରେ ଏହାର ଦ୍ରୁତ ପ୍ରସାର ହୋଇଚାଲିଛି । ଆମର ଏଠି କେରଳର ଜଣେ ଶିକ୍ଷକ ଶ୍ରୀମାନ ରାଫି ରାମନାଥ ଜୀ ଏହି ଉପାୟ ଦ୍ୱାରା ଗୋଟିଏ ଅଞ୍ଚଳର ଚିତ୍ରକୁ ହିଁ ବଦଳାଇ ଦେଇଛନ୍ତି । ପ୍ରକୃତରେ, ରାମନାଥ ଜୀ ନିଜର ଛାତ୍ରଛାତ୍ରୀଙ୍କୁ, ପ୍ରକୃତି ଓ ପରିବେଶ ସମ୍ପର୍କରେ ଭଲଭାବେ ବୁଝାଇବାକୁ ଚାହୁଁଥିଲେ । ସେଥିପାଇଁ ସେ ଏକ ଔଷଧୀୟ ଉଦ୍ୟାନ ତିଆରି କରିଦେଲେ । ତାଙ୍କର ଏହି ଉଦ୍ୟାନ ଏବେ ଜୈବବିବିଧତା ଅଞ୍ଚଳ ହୋଇସାରିଛି । ତାଙ୍କର ଏହି ସଫଳତା ତାଙ୍କୁ ଆହୁରି ଅଧିକ ପ୍ରେରଣା ଦେଇଛି । ଏହା ପରେ ରାଫି ଜୀ ମିୟାୱାକି ପଦ୍ଧତି ଦ୍ୱାରା ଏକ ମିନି ଫରେଷ୍ଟ୍, ଅର୍ଥାତ ଛୋଟ ଜଙ୍ଗଲ ତିଆରି କରିଛନ୍ତି ଏବଂ ଏହାର ନାମ ଦେଇଛନ୍ତି “ବିଦ୍ୟା ବନମ୍” । ଏତେ ସୁନ୍ଦର ନାଁ ତ ଜଣେ ଶିକ୍ଷକ ହିଁ ରଖିପାରିବେ- “ବିଦ୍ୟା ବନମ୍” । ରାମନାଥ ଜୀଙ୍କ ଏହି “ବିଦ୍ୟା ବନମ୍”ର ଛୋଟିଆ ଜାଗାରେ ୧୧୫ ପ୍ରକାରର ୪୫୦ରୁ ଅଧିକ ଗଛ ଲଗାଯାଇଛି । ତାଙ୍କର ଛାତ୍ରଛାତ୍ରୀମାନେ ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବା ପାଇଁ ସାହାଯ୍ୟ କରିଥାନ୍ତି । ଏହି ସୁନ୍ଦର ଜାଗାକୁ ଦେଖିବା ପାଇଁ ଆଖପାଖର ସ୍କୁଲପିଲା, ସାଧାରଣ ନାଗରିକଙ୍କ ବହୁତ ଭିଡ଼ ଜମେ । ମିୟାୱାକି ଜଙ୍ଗଲକୁ ଯେ କୌଣସି ଜାଗାରେ, ଏପରିକି ସହରଗୁଡ଼ିକରେ ମଧ୍ୟ ସହଜରେ ତିଆରି କରାଯାଇପାରେ । କିଛିଦିନ ପୂର୍ବରୁ ମୁଁ ଗୁଜରାଟର କେୱଡ଼ିଆ, ଏକତାନଗରରେ, ମିୟାୱାକି ଜଙ୍ଗଲର ଉଦ୍ଘାଟନ କରିଥିଲି । କଚ୍ଛରେ ମଧ୍ୟ ୨୦୦୧ରେ ଭୂମିକମ୍ପ ବେଳେ ମୃତକଙ୍କ ସ୍ମୃତି ପାଇଁ ମିୟାୱାକି ପଦ୍ଧତିରେ ସ୍ମୃତିବନ ତିଆରି କରାଯାଇଛି । କଚ୍ଛ ଭଳି ଜାଗାରେ ଏହା ସଫଳ ହେବା ଘଟଣାରୁ ଜଣାପଡ଼େ ଯେ କଠିନରୁ କଠିନ ପ୍ରାକୃତିକ ପରିବେଶରେ ମଧ୍ୟ ଏହି ପଦ୍ଧତି କେତେ ପ୍ରଭାବଶାଳୀ ହୋଇପାରିବ । ସେହିଭଳି, ଅମ୍ବାଜୀ ଓ ପାୱାଗଢ଼ରେ ମଧ୍ୟ ମିୟାୱାକି ପଦ୍ଧତିରେ ଚାରାରୋପଣ କରାଯାଇଛି । ମତେ ସୂଚନା ମିଳିଛି ଯେ ଲକ୍ଷ୍ନୌର ଅଲିଗଞ୍ଜରେ ମଧ୍ୟ ଏକ ମିୟାୱାକି ଉଦ୍ୟାନ ପ୍ରସ୍ତୁତ କରାଯାଉଛି । ଗତ ଚାରିବର୍ଷ ମଧ୍ୟରେ ମୁମ୍ବଇ ଓ ଏହାର ଆଖପାଖ ଅଞ୍ଚଳରେ ଏପରି ୬୦ରୁ ଅଧିକ ଜଙ୍ଗଲ ତିଆରି କରାଯାଇଛି । ଏବେ ତ ଏହି ପଦ୍ଧତିକୁ ସମଗ୍ର ବିଶ୍ୱରେ ପସନ୍ଦ କରାଯାଉଛି । ସିଙ୍ଗାପୁର, ପ୍ୟାରିସ୍, ଅଷ୍ଟ୍ରେଲିଆ, ମାଲେସିଆ ଭଳି ବହୁ ଦେଶରେ ଏହାକୁ ବଡ଼ ଆକାରରେ ଉପଯୋଗ କରାଯାଉଛି । ମୁଁ ଦେଶବାସୀଙ୍କୁ, ବିଶେଷ କରି, ସହରରେ ରହୁଥିବା ଲୋକଙ୍କୁ, କହିବି ଯେ ସେମାନେ ମିୟାୱାକି ପଦ୍ଧତି ସମ୍ପର୍କରେ ଜାଣିବା ପାଇଁ ନିଶ୍ଚୟ ଚେଷ୍ଟା କରନ୍ତୁ । ଏହା ଜରିଆରେ ଆପଣ ନିଜର ଧରିତ୍ରୀ ଓ ପ୍ରକୃତିକୁ ସବୁଜସୁନ୍ଦର ଓ ସ୍ୱଚ୍ଛ କରିବାରେ ଅମୂଲ୍ୟ ଯୋଗଦାନ ଦେଇପାରିବେ ।

ମୋର ପ୍ରିୟ ଦେଶବାସୀଗଣ,
ଆଜିକାଲି ଆମ ଦେଶରେ ଜାମ୍ମୁକାଶ୍ମୀରର ଖୁବ୍ ଚର୍ଚ୍ଚା ହେଉଛି । କେବେ କ୍ରମବର୍ଦ୍ଧିଷ୍ଣୁ ପର୍ଯ୍ୟଟନ କାରଣରୁ ତ ଆଉ କେବେ ଜି-୨୦ର ଭବ୍ୟ ଆୟୋଜନ କାରଣରୁ । କିଛିଦିନ ତଳେ ମୁଁ ‘ମନ୍ କୀ ବାତ୍’ରେ ଆପଣଙ୍କୁ କହିଥିଲି ଯେ କାଶ୍ମୀରର ‘ନାଦ୍ରୁ’କୁ କିଭଳି ଦେଶ ବାହାରେ ମଧ୍ୟ ପସନ୍ଦ କରାଯାଉଛି । ଏବେ ଜାମ୍ମୁକାଶ୍ମୀରର ବାରାମୂଳା ଜିଲାର ଲୋକେ ଗୋଟାଏ ଚମତ୍କାର କରିଦେଖାଇଛନ୍ତି । ବାରାମୂଳାରେ ଚାଷକାମ ତ ବହୁତ ଆଗରୁ ହୋଇଆସୁଛି, କିନ୍ତୁ ଏଠାରେ ଖିରର ଅଭାବ ରହିଥାଏ । ବାରାମୂଳାର ଲୋକେ ଏହି ସମସ୍ୟାକୁ ଏକ ସୁଯୋଗ ରୂପେ ଗ୍ରହଣ କଲେ । ଏଠାରେ ବହୁତ ସଂଖ୍ୟାରେ ଲୋକେ ଡେୟରି କାମ ଆରମ୍ଭ କଲେ । ଏହି କାର୍ଯ୍ୟ ପାଇଁ ସବୁଠୁ ଆଗ ଏଠାକାର ମହିଳାମାନେ ବାହାରିଲେ । ସେମିତି ଜଣେ ଭଉଣୀ ହେଉଛନ୍ତି- ଇଶରତ୍ ନବୀ । ଇଶରତ୍ ଜଣେ ଗ୍ରାଜୁଏଟ୍ ଓ ସେ “ମିର୍ ସିଷ୍ଟର୍ସ ଡେୟରି ଫାର୍ମ” ଆରମ୍ଭ କରିଛନ୍ତି । ତାଙ୍କର ଡେୟରି ଫାର୍ମରେ ପ୍ରତିଦିନ ପ୍ରାୟ ଦେଢ଼ ଶହ ଲିଟର ଖିର ବିକ୍ରି ହେଉଛି । ସେହିପରି ସୋପାରର ଜଣେ ସାଥୀ ହେଉଛନ୍ତି ୱସିମ ଅନାୟତ । ୱସିମଙ୍କ ପାଖରେ ଦୁଇ ଡଜନରୁ ଅଧିକ ପଶୁ ଅଛନ୍ତି ଓ ସେ ପ୍ରତିଦିନ ଦୁଇ ଶହ ଲିଟରରୁ ଅଧିକ ଖିର ବିକ୍ରି କରୁଛନ୍ତି । ଆଉ ଜଣେ ଯୁବକ ଆବିଦ ହୁସୈନ ମଧ୍ୟ ଡେୟରି କାମ କରୁଛନ୍ତି । ତାଙ୍କ କାମ ମଧ୍ୟ ଖୁବ୍ ଆଗକୁ ବଢ଼ୁଛି । ଏପରି ଲୋକଙ୍କ ପରିଶ୍ରମ ଫଳରେ ଆଜି ବାରାମୂଳାରେ ପ୍ରତିଦିନ ସାଢେ ୫ ଲକ୍ଷ ଲିଟର ଖିର ଉତ୍ପାଦନ ହୋଇପାରୁଛି । ସମଗ୍ର ବାରାମୂଳା ଏକ ନୂଆ ଶ୍ୱେତବିପ୍ଳବର ପରିଚୟ ତିଆରି କରିବାରେ ଲାଗିଛି । ଗତ ଅଢ଼େଇ ତିନି ବର୍ଷରେ ଏଠାରେ ୫୦୦ ରୁ ଅଧିକ ଡେୟରି ୟୁନିଟ୍ ଗଢ଼ିଉଠିଛି । ବାରାମୂଳାର ଡେୟରି ଶିଳ୍ପ ଏହାର ସାକ୍ଷୀ ଯେ ଆମ ଦେଶର ପ୍ରତ୍ୟେକ ଅଞ୍ଚଳ କେତେ ସମ୍ଭାବନାରେ ଭରପୂର । କୌଣସି ଅଞ୍ଚଳର ଲୋକଙ୍କର ସାମୂହିକ ଇଚ୍ଛାଶକ୍ତି ଯେ କୌଣସି ଲକ୍ଷ୍ୟକୁ ହାସଲ କରି ଦେଖାଇପାରିବ ।

ମୋର ପ୍ରିୟ ଦେଶବାସୀଗଣ,
ଏହି ମାସରେ କ୍ରୀଡ଼ାଜଗତରୁ ଭାରତ ପାଇଁ ଅନେକ ବଡ଼ ଖୁସି ଖବର ଆସିଛି । ଭାରତୀୟ ଦଳ ପ୍ରଥମ ଥର ପାଇଁ ମହିଳା କନିଷ୍ଠ ଏସିଆ କପ୍ ଜିତି ତ୍ରିରଙ୍ଗାର ସମ୍ମାନ ବଢ଼ାଇଛନ୍ତି । ଏହି ମାସରେ ଆମର ପୁରୁଷ ହକି ଦଳ ମଧ୍ୟ କନିଷ୍ଠ ଏସିଆ କପ୍ରେ ବିଜୟୀ ହୋଇଛି । ଏଥିସହ ଆମେ ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ସବୁଠୁ ଅଧିକ ବିଜୟ ହାସଲ କରିଥିବା ଦଳ ପାଲଟିଯାଇଛୁ । ଜୁନିଅର୍ ଶୁଟିଂ ୱାର୍ଲଡକପ୍ରେ ମଧ୍ୟ ଆମର କନିଷ୍ଠ ଦଳ ଚମତ୍କାରିତା ଦେଖାଇଛନ୍ତି । ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ଥାନ ହାସଲ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଯେତିକି ସ୍ୱର୍ଣ୍ଣପଦକ ଥିଲା, ସେଥିରୁ ୨୦ ପ୍ରତିଶତ କେବଳ ଭାରତ ହାସଲ କରିଛି । ଏହି ଜୁନ୍ ମାସରେ ଏସିଆନ୍ ଅଣ୍ଡର୍ ଟ୍ୱେଣ୍ଟି ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ ମଧ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ଭାରତ, ପଦକ ତାଲିକାରେ, ୪୫ଟି ଦେଶ ମଧ୍ୟରେ ଶ୍ରେଷ୍ଠ ତିନିରେ ରହିଥିଲା ।

ବନ୍ଧୁଗଣ,
ଦିନ ଥିଲା ଯେତେବେଳେ ଆମକୁ ଆର୍ନ୍ତଜାତିକ ପ୍ରତିଯୋଗିତା ସମ୍ପର୍କରେ ସୂଚନା ତ ମିଳୁଥିଲା, କିନ୍ତୁ ସେଥିରେ ପ୍ରାୟତଃ ଭାରତର ନାଁ ଦେଖିବାକୁ ମିଳୁନଥିଲା । କିନ୍ତୁ, ଆଜି, ମୁଁ କେବଳ ବିଗତ କେଇ ସପ୍ତାହର ସଫଳତାର କଥା ଯଦି କହେ, ତେବେ ବି ଏହାର ତାଲିକା ଦୀର୍ଘ ହୋଇଯିବ । ଏହା ଆମ ଯୁବପିିଢ଼ିର ପ୍ରକୃତ ଶକ୍ତି । ଏପରି ଅନେକ କ୍ରୀଡ଼ା ଓ ପ୍ରତିଯୋଗିତା ରହିଛି, ଯେଉଁଥିରେ ଭାରତ ପ୍ରଥମ ଥର ପାଇଁ ନିଜର ଉପସ୍ଥିତିକୁ ଦର୍ଶାଉଛି । ଯେପରିକି ଲଙ୍ଗ୍ ଜମ୍ପ୍ରେ ଶ୍ରୀ ଶଙ୍କର ମୂରଲୀ ପ୍ୟାରିସ୍ ଡାଏମଣ୍ଡ୍ ଲିଗ୍ ଭଳି ପ୍ରତିଷ୍ଠିତ ପ୍ରତିଯୋଗିତାରେ ଦେଶ ପାଇଁ କାଂସ୍ୟ ପଦକ ଆଣିଛନ୍ତି । ଏହା ଏହି ପ୍ରତିଯୋଗିତାରେ ଭାରତର ପ୍ରଥମ ପଦକ। ଏପରି ଏକ ସଫଳତା ଆମର ଅଣ୍ଡର୍ ସେଭେଣ୍ଟିନ୍ ୱିମେନ୍ ରେସ୍ଲିଂ ଟିମ୍ କିର୍ଗିସ୍ତାନରେ ହାସଲ କରିଛନ୍ତି । ମୁଁ ଦେଶର ଏହି ସମସ୍ତ କ୍ରୀଡ଼ାବିତ୍, ତାଙ୍କର ପିତାମାତା ଓ ପ୍ରଶିକ୍ଷକ, ସମସ୍ତଙ୍କୁ ସେମାନଙ୍କର ପ୍ରୟାସ ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,
ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶର ଏହି ସଫଳତା ପଛରେ ଜାତୀୟ ସ୍ତରରେ ଆମ ଖେଳାଳିମାନଙ୍କର କଠିନ ପରିଶ୍ରମ ରହିଥାଏ । ଆଜି ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଏକ ନୂଆ ଉତ୍ସାହର ସହିତ କ୍ରୀଡ଼ା ଆୟୋଜନ ହେଉଛି । ଏହାଦ୍ୱାରା ଖେଳାଳିମାନଙ୍କୁ ଖେଳିବା, ଜିତିବା ଓ ପରାଜୟରୁ ଶିଖିବାର ସୁଯୋଗ ମିଳୁଛି । ଯେପରିକି, ଏବେ ଉତ୍ତରପ୍ରଦେଶରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ ହୋଇଥିଲା । ଏଥିରେ ଯୁବକଯୁବତୀମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଏହି କ୍ରୀଡ଼ାରେ ଆମର ଯୁବକଯୁବତୀମାନେ ଏଗାରଟି ରେକର୍ଡ ଭଙ୍ଗ କଲେ । ଏହି କ୍ରୀଡ଼ାରେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଅମୃତସରର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ଏବଂ କର୍ଣ୍ଣାଟକର ଜୈନ ବିଶ୍ୱବିଦ୍ୟାଳୟ, ପଦକ ତାଲିକାର ପ୍ରଥମ ତିନିଟି ସ୍ଥାନରେ ରହିଥିଲେ ।

ବନ୍ଧୁଗଣ,
ଏପରି ଟୁର୍ଣ୍ଣାମେଣ୍ଟର ଆଉ ଗୋଟିଏ ବଡ଼ ଦିଗ ହେଉଛି ଏଥିରୁ ଯୁବ କ୍ରୀଡ଼ାବିତ୍ମାନଙ୍କର ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସେ । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ନୌଚାଳନା ପ୍ରତିଯୋଗିତାରେ ଆସାମର କଟନ୍ ବିଶ୍ୱବିଦ୍ୟାଳୟର ଅନ୍ୟତମ ରାଜକୁମାର ଏପରି ପ୍ରଥମ ଦିବ୍ୟାଙ୍ଗ କ୍ରୀଡ଼ାବିତ୍, ଯିଏ ଏଥିରେ ଅଂଶଗ୍ରହଣ କରିଥିଲେ । ବର୍କତୁଲ୍ଲାହ ବିଶ୍ୱବିଦ୍ୟାଳୟର ନିଧି ପୱେୟା ଆଣ୍ଠୁରେ ଗୁରୁତର ଆହତ ହେବା ସତ୍ତ୍ୱେ ଶଟ୍ପୁଟ୍ରେ ସ୍ୱର୍ଣ୍ଣପଦକ ଜିତିବାରେ ସଫଳ ହୋଇଥିଲେ । ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ଶୁଭମ୍ ଭଣ୍ଡାରେ ଗୋଡ଼ରେ ଆଘାତପ୍ରାପ୍ତ ହେବାରୁ ଗତବର୍ଷ ବେଙ୍ଗଲୁରୁରେ ନିରାଶ ହୋଇଥିଲେ, କିନ୍ତୁ ଏଥର ସେ ଷ୍ଟିପଲ୍ଚେଜ୍ରେ ସ୍ୱର୍ଣ୍ଣପଦକଧାରୀ ହୋଇଛନ୍ତି । ବର୍ଦ୍ଦୱାନ ବିଶ୍ୱବିଦ୍ୟାଳୟର ସରସ୍ୱତୀ କୁଣ୍ଡୁ ନିଜ କବାଡ଼ି ଦଳର ଅଧିନାୟିକା । ସେ ଅନେକ ସମସ୍ୟାକୁ ଅତିକ୍ରମ କରି ଏହି ସ୍ଥାନରେ ପହଞ୍ଚିଛନ୍ତି । ଉତ୍ତମ ପ୍ରଦର୍ଶନ କରୁଥିବା ବହୁତ ଆଥ୍ଲେଟ୍ଙ୍କୁ ଟପ୍ସ ଯୋଜନାରେ ମଧ୍ୟ ବହୁତ ସହାୟତା ମିଳୁଛି । ଆମର ଖେଳାଳିମାନେ ଯେତିକି ଖେଳିବେ, ସେତିକି ପ୍ରସ୍ଫୁଟିତ ହେବେ ।

ମୋର ପ୍ରିୟ ଦେଶବାସୀଗଣ,
ଏବେ ୨୧ ଜୁନ୍ ବି ଆସିଯାଉଛି । ଏଥର ମଧ୍ୟ ବିଶ୍ୱର କୋଣ ଅନୁକୋଣରେ ଲୋକମାନେ ଆନ୍ତର୍ଜାତୀୟ ଯୋଗ ଦିବସକୁ ଉତ୍ସୁକତାର ସହିତ ଚାହିଁବସିଛନ୍ତି । ଏ ବର୍ଷ ଯୋଗଦିବସର ବିଷୟବସ୍ତୁ ହେଲା – – Yoga for Vasudhaiba Kutumbakam ଅର୍ଥାତ୍ ‘ଏକ ବିଶ୍ୱ-ଏକ ପରିବାର’ ଭାବରେ ସମସ୍ତଙ୍କର ମଙ୍ଗଳ ପାଇଁ ଯୋଗ । ଏହା ଯୋଗର ସେହି ଭାବନାକୁ ବ୍ୟକ୍ତକରେ ଯାହା ସମସ୍ତଙ୍କ ସହିତ ଯୁକ୍ତ ହୋଇ ସମସ୍ତଙ୍କୁ ସାଥିରେ ନେଇ ଆଗେଇଯିବାର ପ୍ରେରଣା ଦିଏ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଦେଶର କୋଣ ଅନୁକୋଣରେ ଯୋଗଦିବସ ସମ୍ବନ୍ଧିତ କାର୍ଯ୍ୟକ୍ରମମାନ ଆୟୋଜିତ ହେବ ।

ବନ୍ଧୁଗଣ,
ଏ ବର୍ଷ ମୋତେ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ହେଉଥିବା ଯୋଗଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ମୁଁ ଦେଖୁଛି, ସାମାଜିକ ଗଣମାଧ୍ୟମରେ ମଧ୍ୟ ଯୋଗଦିବସକୁ ନେଇ ଗୋଟିଏ ଅଦ୍ଭୁତ ଉତ୍ସାହ ଭରି ରହିଛି ।

ବନ୍ଧୁଗଣ,
ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣ ନିଜ ଜୀବନରେ ଯୋଗକୁ ଆପଣେଇ ନିଅନ୍ତୁ, ଏହାକୁ ନିଜ ଦିନଚର୍ଯ୍ୟାର ଅଙ୍ଗ ହିସାବରେ ମାନି ନିଅନ୍ତୁ । ଯଦି ଏବେ ବି ଆପଣମାନେ ଯୋଗ ସହ ଯୁକ୍ତ ହୋଇନାହାନ୍ତି ତେବେ ଆସନ୍ତା ଜୁନ୍ ୨୧ ତାରିଖ ହେଉଛି ଆପଣଙ୍କ ପାଇଁ ଗୋଟିଏ ଉତ୍ତମ ସୁଯୋଗ । ଯୋଗ ପାଇଁ ତ ସେମିତି କିଛି ଜାକଯମକର ଆବଶ୍ୟକତା ନାହିଁ । ଦେଖନ୍ତୁ ଯେତେବେଳେ ଆପଣମାନେ ଯୋଗ ସହ ଯୋଡ଼ିହେବେ ସେତେବେଳେ ଆପଣଙ୍କ ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଆସିବ ।

ମୋର ପ୍ରିୟ ଦେଶବାସୀଗଣ,
ପରଦିନ ଅର୍ଥାତ୍ ଜୁନ୍ ୨୦ ତାରିଖ ଐତିହାସିକ ରଥଯାତ୍ରାର ଦିନ । ସାରା ସଂସାରରେ ରଥଯାତ୍ରାର ଏକ ବିଶିଷ୍ଟ ପରିଚୟ ରହିଛି । ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବହୁତ ଯାକଜକମରେ ରଥଯାତ୍ରା ଆୟୋଜିତ ହୁଏ । ଓଡ଼ିଶାର ପୁରୀରେ ଆୟୋଜିତ ରଥଯାତ୍ରା ସ୍ୱୟଂ ଏକ ଅଦ୍ଭୁତ ମହୋତ୍ସବ । ମୁଁ ଯେତେବେଳେ ଗୁଜରାଟରେ ଥିଲି, ସେତେବେଳେ ମୋତେ ଅହମ୍ମଦାବାଦରେ ହେଉଥିବା ବିଶାଳ ରଥଯାତ୍ରାରେ ଯୋଗଦେବାର ସୁଯୋଗ ମିଳୁଥିଲା । ଏହି ରଥଯାତ୍ରାଗୁଡ଼ିକରେ ଦେଶର ପ୍ରତ୍ୟେକ ବର୍ଗର ଲୋକ, ପ୍ରତ୍ୟେକ ସମାଜର ଲୋକମାନେ ଯେଭଳି ଉତ୍ସାହର ସହିତ ଭାଗ ନିଅନ୍ତି ତାହା ସ୍ୱତଃ ଅନୁକରଣୀୟ । ଆମର ଆସ୍ଥା ସହିତ ଏହା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ମଧ୍ୟ ଏକ ପ୍ରତିବିମ୍ବ । ଏହି ପବିତ୍ର, ପୁଣ୍ୟ ଅବସରରେ ଆପଣମାନଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା ଜଣାଉଛି । ଭଗବାନ ଜଗନ୍ନାଥ ସମସ୍ତ ଦେଶବାସୀମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁଖସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ । ଏହାହିଁ ମୋର କାମନା ।

ବନ୍ଧୁଗଣ,
ଭାରତୀୟ ପରମ୍ପରା ଏବଂ ସଂସ୍କୃତି ସହିତ ବିଜଡ଼ିତ ଉତ୍ସବ ବିଷୟରେ ଚର୍ଚ୍ଚା ସଙ୍ଗେ ସଙ୍ଗେ ମୁଁ ଭାରତୀୟ ରାଜଭବନଗୁଡ଼ିକରେ ଆୟୋଜିତ ହେଉଥିବା ମନଛୁଆଁ ଉତ୍ସବଗୁଡ଼ିକ ବିଷୟରେ ନିଶ୍ଚୟ ଆଲୋଚନା କରିବି । ଏବେ ଦେଶରେ ରାଜଭବନଗୁଡ଼ିକ ସାମାଜିକ ଏବଂ ବିକାଶ କାର୍ଯ୍ୟଗୁଡ଼ିକ ସହିତ ପରିଚିତ ହେବାକୁ ଲାଗିଲେଣି। ଆଜି ଆମର ରାଜଭବନଗୁଡ଼ିକ ଟି.ବି.ମୁକ୍ତ ଭାରତ ଅଭିଯାନ, ପ୍ରାକୃତିକ କୃଷି ସହିତ ଜଡ଼ିତ ଅଭିଯାନ ଆଦିର ଧ୍ୱଜାବାହକ ହେବାକୁ ଲାଗିଲେଣି । ଏହି କିଛିଦିନ ପୂର୍ବେ ଗୁଜରାଟ ହେଉ, ଗୋଆ ହେଉ, ତେଲେଙ୍ଗାନା, ମହାରାଷ୍ଟ୍ର ବା ସିକ୍କିମ ହେଉ, ଏହି ରାଜ୍ୟମାନଙ୍କର ସ୍ଥାପନା ଦିବସକୁ ଭିନ୍ନ ଭିନ୍ନ ରାଜଭବନମାନଙ୍କରେ ଯେଭଳି ଉତ୍ସାହର ସହିତ ପାଳନ କରାଗଲା ତାହା ସ୍ୱୟଂ ଗୋଟିଏ ଗୋଟିଏ ଉଦାହରଣ । ଏହା ଏକ ଉତ୍ତମ ପ୍ରଚେଷ୍ଟା ଯାହା “ଏକ ଭାରତ-ଶ୍ରେଷ୍ଠ ଭାରତ”ର ଭାବନାକୁ ସଶକ୍ତ କରେ ।

ବନ୍ଧୁଗଣ,
ଭାରତ ହେଉଛି ଗଣତନ୍ତ୍ରର ଜନନୀ Mother of Democracy। ଆମେ ଆମର ଗଣତାନ୍ତ୍ରିକ ଆଦର୍ଶକୁ ସର୍ବୋପରି ମାନିଥାଉ, ସମ୍ବିଧାନକୁ ସର୍ବୋପରି ମାନୁ, ତେଣୁ ଜୁନ୍ ୨୫ ତାରିଖକୁ ଆମେ କେବେ ବି ଭୁଲିପାରିବୁନି । ଏ ହେଉଛି ସେହିଦିନ ଯେଉଁଦିନ ଆମ ଦେଶ ଉପରେ Emergency ଲଦି ଦିଆଯାଇଥିଲା। ତାହା ଭାରତ ଇତିହାସର ଏକ କଳା ଅଧ୍ୟାୟ ଥିଲା । ଲକ୍ଷ ଲକ୍ଷ ଲୋକ ଦୃଢ଼ ଭାବରେ Emergencyକୁ ବିରୋଧ କରିଥିଲେ । ଗଣତନ୍ତ୍ରର ସମର୍ଥକମାନଙ୍କ ଉପରେ ସେ ସମୟରେ ଏତେ ଅତ୍ୟାଚାର କରାଯାଇଥିଲା, ଏତେ ଯାତନା ଦିଆଯାଇଥିଲା ଯେଉଁ ବିଷୟରେ ଭାବିଲେ ଆଜି ବି ଦେହ ଶୀତେଇଉଠେ । ଏହି ଅତ୍ୟାଚାର ବିଷୟରେ, ପୁଲିସ୍ ଓ ପ୍ରଶାସନ ଦ୍ୱାରା ଦିଆଯାଇଥିବା ଦଣ୍ଡ ବିଷୟରେ ଅନେକଗୁଡ଼ିଏ ପୁସ୍ତକ ରଚନା କରାଯାଇଛି । “ସଂଘର୍ଷ ମେଁ ଗୁଜରାତ” ନାମକ ଏକ ପୁସ୍ତକ ଲେଖିବାର ସୁଯୋଗ ମୋତେ ବି ସେତେବେଳେ ମିଳିଥିଲା । ଏଇ କିଛିଦିନ ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ଉପରେ ଲେଖାହୋଇଥିବା ଗୋଟିଏ ବହି ମୁଁ ଦେଖିବାକୁ ପାଇଲି ଯାହାର ଶୀର୍ଷକ ହେଲା – Torture of Political Prisoners in India. Emergency ସମୟରେ ଛପାହୋଇଥିବା ଏହି ପୁସ୍ତକରେ ତତ୍କାଳୀନ ସରକାର ଗଣତନ୍ତ୍ରର ରକ୍ଷକମାନଙ୍କ ଉପରେ କରିଥିବା କ୍ରୂରତମ ବ୍ୟବହାର ସମ୍ପର୍କରେ ଉଲ୍ଲେଖ ଅଛି । ଏହି ପୁସ୍ତକରେ ଅନେକଗୁଡ଼ିଏ Case Study ରହିଛି, ବହୁତଗୁଡ଼ିଏ ଚିତ୍ର ମଧ୍ୟ ଅଙ୍କିତ ହୋଇଛି । ମୁଁ ଚାହେଁ ଯେ ଆଜି ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସେତେବେଳେ ଦେଶର ସ୍ୱାଧୀନତାକୁ ବିପଦରେ ପକାଇଥିବା ଏହି ଅପରାଧ ବିଷୟରେ ମଧ୍ୟ ଜାଣିବା ଉଚିତ । ଯାହାଦ୍ୱାରା ଆଜିର ଯୁବପିଢ଼ୀ ପାଇଁ ଗଣତନ୍ତ୍ରର ଅର୍ଥ ଓ ତା’ର ବିଶେଷତ୍ୱକୁ ଜାଣିବା ଆହୁରି ସହଜ ହେବ ।

ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ ରଙ୍ଗବେରଙ୍ଗ ମୋତିମାନଙ୍କ ଦ୍ୱାରା ସଜାହୋଇଥିବା ଗୋଟିଏ ସୁନ୍ଦର ମାଳ ଯାହାର ପ୍ରତ୍ୟେକଟି ମୋତି ସ୍ୱୟଂ ସ୍ୱତନ୍ତ୍ର ଏବଂ ଅମୂଲ୍ୟ । ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ଅଧ୍ୟାୟ ବହୁତ ଜୀବନ୍ତ ହୋଇପାରିଛି । ଆମ ମଧ୍ୟରେ ସାମୂହିକ ଭାବନା ସଙ୍ଗେ ସଙ୍ଗେ ସମାଜ ପ୍ରତି କର୍ତ୍ତବ୍ୟଭାବ ଏବଂ ସେବାଭାବ ଜାଗ୍ରତ କରେ । ଏଠାରେ ସେହି ବିଷୟଗୁଡ଼ିକ ଉପରେ ଖୋଲାଖୋଲି ଆଲୋଚନା ହୁଏ ଯେଉଁଗୁଡ଼ିକ ବିଷୟରେ ଆମକୁ ସାଧାରଣତଃ କମ୍ ପଢ଼ିବା ଶୁଣିବାକୁ ମିଳେ । ଆମେ ପ୍ରାୟ ଦେଖିଛେ ‘ମନ୍ କି ବାତ୍’ରେ କୌଣସି ଏକ ବିଷୟରେ ଆଲୋଚନା ହେବାପରେ ଅନେକ ଦେଶବାସୀଙ୍କୁ ନୂତନ ପ୍ରେରଣା ମିଳିଥାଏ । ଏଇ ଅଳ୍ପଦିନ ତଳେ ମୋତେ ଦେଶର ପ୍ରସିଦ୍ଧ ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଆନନ୍ଦାଶଙ୍କର ଜୟନ୍ତଙ୍କର ଗୋଟିଏ ଚିଠି ମିଳିଲା । ନିଜ ପତ୍ରରେ ସେ ‘ମନ୍ କି ବାତ୍’ର ସେହି ଅଧ୍ୟାୟ ବିଷୟରେ ଲେଖିଛନ୍ତି ଯେଉଁଥିରେ ଆମେ Story telling ବିଷୟରେ ଚର୍ଚ୍ଚା କରିଥିଲେ । ସେହି କାର୍ଯ୍ୟକ୍ରମରେ ଆମେ ଏହି କ୍ଷେତ୍ର ସହ ଜଡ଼ିତ ଲୋକମାନଙ୍କର ପ୍ରତିଭାକୁ ଚିହ୍ନି ସ୍ୱୀକାର କରିଥିଲେ । ‘ମନ୍ କି ବାତ୍’ର ସେହି କାର୍ଯ୍ୟକ୍ରମ ଦ୍ୱାରା ପ୍ରେରିତ ହୋଇ ଆନନ୍ଦାଶଙ୍କର ଜୟନ୍ତ ‘କୁଟ୍ଟୀ କାହାନୀ’ ପ୍ରସ୍ତୁତ କରିଛନ୍ତି । ଏହା ପିଲାମାନଙ୍କ ପାଇଁ ଭିନ୍ନ ଭିନ୍ନ ଭାଷାର କାହାଣୀମାନଙ୍କର ଏକ ଉତ୍ତମ ସଂଗ୍ରହ । ଏହି ପ୍ରୟାସ ଏଥିପାଇଁ ମଧ୍ୟ ଉତ୍ତମ ଯେ, ଏହାଦ୍ୱାରା ଆମର ପିଲାମାନଙ୍କର ନିଜ ସଂସ୍କୃତି ପ୍ରତି ଆକର୍ଷଣ ଆହୁରି ଗଭୀର ହୋଇଥାଏ । ସେ ଏହି କାହାଣୀଗୁଡ଼ିକର କିଛି ଉତ୍ସାହଜନକ ଭିଡ଼ିଓ ନିଜର ୟୁ ଟ୍ୟୁବ ଚ୍ୟାନେଲ ରେ ମଧ୍ୟ ଅପଲୋଡ଼ କରିଛନ୍ତି । ମୁଁ ଆନନ୍ଦାଶଙ୍କର ଜୟନ୍ତଙ୍କର ଏହି ପ୍ରଚେଷ୍ଟା ବିଷୟରେ ଏଥିପାଇଁ ବିଶେଷଭାବେ ଆଲୋଚନା କଲି ଯେ ଏହାଦେଖି ମତେ ବହୁତ ଭଲ ଲାଗିଲା । କିଭଳି ଭାବରେ ଦେଶବାସୀଙ୍କର ଭଲକାମ ଅନ୍ୟକୁ ମଧ୍ୟ ପ୍ରେରିତ କରୁଛି । ଏଥିରୁ ଶିକ୍ଷାଲାଭ କରି ସେ ମଧ୍ୟ ନିଜର କଳାକୌଶଳ ଦ୍ୱାରା ଦେଶ ଏବଂ ସମାଜ ପାଇଁ କିଛି ଭଲ କରିବାର ଚେଷ୍ଟା କରନ୍ତି । ଏହାହିଁ ତ ଆମ ଭାରତବାସୀମାନଙ୍କର ସାମୂହିକ ଶକ୍ତି, ଯାହା ଦେଶର ପ୍ରଗତି ପାଇଁ ନୂତନ ଶକ୍ତି ଯୋଗାଇଥାଏ ।

ମୋର ପ୍ରିୟ ଦେଶବାସୀଗଣ,
ଏଥର ‘ମନ୍ କି ବାତ୍’ରେ ମୋ ସହିତ ଏତିକି, ଆସନ୍ତାଥର ନୂତନ ବିଷୟ ନେଇ ଆପଣଙ୍କ ସହ ପୁଣି ସାକ୍ଷାତ ହେବ । ବର୍ଷା ସମୟ, ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ସନ୍ତୁଳିତ ଭୋଜନ କରନ୍ତୁ ଏବଂ ସୁସ୍ଥ ରହନ୍ତୁ । ହଁ, ଯୋଗ ନିଶ୍ଚୟ କରନ୍ତୁ । ଏବେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମଛୁଟି ମଧ୍ୟ ସମାପ୍ତ ହେବାକୁ ଯାଉଛି । ମୁଁ ପିଲାମାନଙ୍କୁ କହିବି ଯେ Homework last ଦିନ ପର୍ଯ୍ୟନ୍ତ pending ରଖନ୍ତୁ ନାହିଁ । କାମ ଶେଷ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ । ବହୁତ ବହୁତ ଧନ୍ୟବାଦ ।

Categories
ବିଶେଷ ଖବର

‘ମନ୍‌ କୀ ବାତ’ର ୧୦୦ତମ ଅଧ୍ୟାୟ: ପଢନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ରେଡ଼ିଓ ଅଭିଭାଷଣ

ଭୁବନେଶ୍ଵର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌ କୀ ବାତ’ରେ ଦେଶବାସୀଙ୍କ ସହ ମତବିନିମୟ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କୀ ବାତ’ର ୧୦୦ତମ ଅଧ୍ୟାୟ ଥିଲା। ତେବେ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କ’ଣ କହିଲେ, ଆସନ୍ତୁ ତାଙ୍କର ରେଡ଼ିଓ ଅଭିଭାଷଣକୁ ପଢିବା…

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ଆଜି ହେଉଛି ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ। ମୋତେ ଆପଣମାନଙ୍କର ହଜାର ହଜାର ଚିଠି ମିଳିଛି, ଲକ୍ଷ ଲକ୍ଷ ବାର୍ତ୍ତା ମିଳିଛି ଆଉ ମୁଁ ଚେଷ୍ଟା କରିଛି ଅଧିକରୁ ଅଧିକ ଚିଠି ପଢ଼ିବାକୁ, ଦେଖିବାକୁ ଆଉ ବାର୍ତ୍ତା ଗୁଡ଼ିକୁ ବୁଝିବାକୁ। ଆପଣମାନଙ୍କ ଚିଠି ପଢ଼ୁ ପଢ଼ୁ ଅନେକଥର ମୁଁ ଭାବବିହ୍ୱଳ ହୋଇପଡ଼ିଛି, ମନ ଭାବାବେଗରେ ଭରିଯାଇଛି, ଭାବନାର ସ୍ରୋତରେ ବହିଯାଇଛି ଆଉ ପୁଣି ନିଜକୁ ସମ୍ଭାଳିଛି। ଆପଣମାନେ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ ପାଇଁ ମୋତେ ଅଭିନନ୍ଦନ ଜଣାଇଛନ୍ତି କିନ୍ତୁ ଆନ୍ତରିକତାର ସହ କହୁଛି ଯେ, ପ୍ରକୃତରେ ଅଭିନନ୍ଦନର ପାତ୍ର ହେଉଛନ୍ତି ଆପଣ ସମସ୍ତ ‘ମନ୍ କି ବାତ୍’ର ଶ୍ରୋତାଗଣ, ଆମର ଦେଶବାସୀଗଣ। ‘ମନ୍ କି ବାତ୍’ ହେଉଛି କୋଟି କୋଟି ଭାରତୀୟମାନଙ୍କ ମନର କଥା, ସେମାନଙ୍କ ଭାବନାର ପରିପ୍ରକାଶ।

ବନ୍ଧୁଗଣ, ୨୦୧୪ ଅକ୍ଟୋବର ୩ ତାରିଖ, ସେଦିନ ଥିଲା ବିଜୟା ଦଶମୀ ପର୍ବ । ଆଉ ଆମେ ସମସ୍ତେ ମିଶି ବିଜୟା ଦଶମୀ ଦିନ ‘ମନ୍ କି ବାତ୍’ର ଯାତ୍ରା ଆରମ୍ଭ କରିଥିଲୁ । ବିଜୟା ଦଶମୀ, ଅର୍ଥାତ, ମନ୍ଦ ଉପରେ ଭଲର ବିଜୟ । ‘ମନ୍ କି ବାତ୍’ ମଧ୍ୟ ଦେଶବାସୀଙ୍କ ଭଲ ଗୁଣର, ସକାରାତ୍ମକତାର ଗୋଟିଏ ନିଆରା ପର୍ବ ପାଲଟିଗଲା। ଏହା ଗୋଟିଏ ଏଭଳି ପର୍ବ, ଯାହା ପ୍ରତି ମାସରେ ପଡ଼େ, ଆଉ ଯାହାକୁ ଆମେ ସମସ୍ତେ ପ୍ରତୀକ୍ଷା କରିଥାଉଁ । ଆମେ ଏଥିରେ ସକାରାତ୍ମକତାର ଜୟଗାନ କରୁଁ । ଆମେ ଏଥିରେ ଜନଭାଗୀଦାରିତାର ମଧ୍ୟ ଜୟଗାନ କରିଥାଉଁ । ବେଳେ ବେଳେ ବିଶ୍ୱାସ ହୁଏନି ଯେ, ‘ମନ୍ କି ବାତ୍’କୁ ଏତେ ମାସ, ଏତେ ବର୍ଷ ପୁରିଗଲା । ଏହାର ପ୍ରତ୍ୟେକଟି ଅଧ୍ୟାୟ ଥିଲା ସ୍ୱତନ୍ତ୍ର । ପ୍ରତିଥର ନୂଆ ଉଦାହରଣର ନୂତନତ୍ୱ, ପ୍ରତ୍ୟେକ ଥର ଦେଶବାସୀଙ୍କ ନୂଆ ନୂଆ ସଫଳତାର କଥା । ‘ମନ୍ କି ବାତ୍’ରେ ଦେଶର କୋଣ-ଅନୁକୋଣରୁ ଲୋକେ ଯୋଡ଼ି ହେଲେ, ପ୍ରତ୍ୟେକ ବୟସର ଲୋକ ଯୋଡ଼ିହେଲେ । ବେଟି ବଚାଓ-ବେଟି ପଢ଼ାଓ କଥା ହେଉ, ସ୍ୱଚ୍ଛ ଭାରତ ଆନ୍ଦୋଳନ ହେଉ, ଖଦିକୁ ଭଲ ପାଇବା କଥା ହେଉ ବା ପ୍ରକୃତିର କଥା, ସ୍ୱାଧୀନତାର ଅମୃତ ମହୋତ୍ସବ କିମ୍ବା ଅମୃତ ସରୋବର କଥା ହେଉ – ମନ୍ କି ବାତ୍ ଯେଉଁ ପ୍ରସଙ୍ଗ ସହ ଯୋଡ଼ି ହେଲା ତାହା ଗୋଟିଏ ଜନ ଆନ୍ଦୋଳନରେ ପରିଣତ ହେଲା, ଆଉ ଆପଣମାନେ ହିଁ ଏହାକୁ ଜନ ଆନ୍ଦୋଳନ କରିଦେଲେ । ମୁଁ ଯେତେବେଳେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହିତ ‘ମନ୍ କି ବାତ୍’ର ଅଧ୍ୟାୟଟି କରିଥିଲି, ସେତେବେଳେ ସାରା ବିଶ୍ୱରେ ଏହା ଉପରେ ଆଲୋଚନା ହୋଇଥିଲା ।

ବନ୍ଧୁଗଣ, ମୋ ପାଇଁ ତ ‘ମନ୍ କି ବାତ୍’ ହେଉଛି ଅନ୍ୟମାନଙ୍କ ଗୁଣକୁ ପୂଜା କରିବା ସଦୃଶ ଥିଲା । ମୋର ଜଣେ ମାର୍ଗଦର୍ଶକ ଥିଲେ – ଶ୍ରୀ ଲକ୍ଷ୍ମଣରାଓ ଇନାମ୍ଦାର୍ । ମୁଁ ତାଙ୍କୁ ଓକିଲ ସାହେବ ବୋଲି ସମ୍ବୋଧନ କରୁଥିଲି । ସେ ସବୁବେଳେ କହୁଥିଲେ ଯେ, ଆମେ ଅନ୍ୟମାନଙ୍କ ଗୁଣକୁ ପୂଜା କରିବା ଉଚିତ । ସମ୍ମୁଖରେ ଯେ କେହି ବି ଥାଉ, ଆପଣଙ୍କ ସପକ୍ଷବାଦୀ ଥାଉ କି ଆପଣଙ୍କ ବିରୋଧୀ, ଆମେ ତାଙ୍କଠାରେ ରହିଥିବା ସଦ୍ଗୁଣକୁ ଜାଣିବା ଏବଂ ସେଗୁଡ଼ିକୁ ଶିଖିବାର ପ୍ରଚେଷ୍ଟା କରିବା ଉଚିତ । ତାଙ୍କର ଏହି କଥା ମୋତେ ସର୍ବଦା ପ୍ରେରଣା ଦେଇଆସିଛି । ‘ମନ୍ କି ବାତ୍’ ଅନ୍ୟମାନଙ୍କ ସଦ୍ଗୁଣଗୁଡ଼ିକୁ ଶିଖିବାର ଗୋଟିଏ ବହୁତ ବଡ଼ ମାଧ୍ୟମ ପାଲଟିଯାଇଛି ।

ମୋର ପ୍ରିୟ ଦେଶବାସୀଗଣ, ଏହି କାର୍ଯ୍ୟକ୍ରମ ମୋତେ କେବେହେଲେ ଆପଣମାନଙ୍କଠୁ ଦୂରେଇ ଯିବାକୁ ଦେଇନାହିଁ । ମୋର ମନେ ଅଛି, ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଜନସାଧାରଣଙ୍କ ସହିତ ସ୍ୱାଭାବିକ ଭାବେ ଦେଖାସାକ୍ଷାତ ହୋଇପାରୁଥିଲା । ମୁଖ୍ୟମନ୍ତ୍ରୀଙ୍କ କାମ ଏବଂ କାର୍ଯ୍ୟକାଳରେ ଏଭଳି ଦେଖାସାକ୍ଷାତର ବହୁତ ସୁଯୋଗ ମିଳିଥାଏ । କିନ୍ତୁ ୨୦୧୪ରେ ଦିଲ୍ଲୀ ଆସିବା ପରେ ମୁଁ ଦେଖିଲି ଯେ, ଏଠାକାର ଜୀବନ ତ ସମ୍ପୂର୍ଣ୍ଣ ଭିନ୍ନ । କାମର ରୂପ ଭିନ୍ନ, ଦାୟିତ୍ୱ ଭିନ୍ନ, ସ୍ଥିତି ଆଉ ପରିସ୍ଥିତିର ବନ୍ଧନ, ସୁରକ୍ଷାର ବିଶାଳ ବ୍ୟବସ୍ଥା, ନିର୍ଦ୍ଧାରିତ ସମୟସୀମା! ଆରମ୍ଭରେ କିଛି ଅଲଗା ଅନୁଭବ କରୁଥିଲି, ଟିକିଏ ଏକାକୀପଣ ଲାଗୁଥିଲା । ୫୦ ବର୍ଷ ଆଗରୁ ମୁଁ ମୋ ନିଜ ଘର ଏଥିପାଇଁ ଛାଡ଼ି ନ ଥିଲି ଯେ, ଦିନେ ନିଜ ଦେଶବାସୀଙ୍କ ସହିତ ହିଁ ସମ୍ପର୍କ ରକ୍ଷା କରିବା କଷ୍ଟକର ହୋଇପଡ଼ୁ! ଯେଉଁ ଦେଶବାସୀ ମୋର ସବୁକିଛି, ସେମାନଙ୍କ ସହିତ ସମ୍ପର୍କ ଛିନ୍ନ କରି ମୁଁ ବଞ୍ଚିପାରିନଥାନ୍ତି । ‘ମନ୍ କି ବାତ୍’ ମୋତେ ଏହି ଆହ୍ୱାନର ସମାଧାନ ଯୋଗାଇଦେଲା । ସାଧାରଣ ଲୋକଟିଏ ସହ ଯୋଡ଼ିହେବାର ରାସ୍ତା ଦେଖାଇଦେଲା । କାର୍ଯ୍ୟଭାର ଏବଂ ପ୍ରୋଟୋକଲ୍ ବ୍ୟବସ୍ଥା ମଧ୍ୟରେ ହିଁ ସୀମିତ ହୋଇ ରହିଲା ଏବଂ ଜନସାଧାରଣଙ୍କ ଭାବାବେଗ, କୋଟି କୋଟି ଜନସାଧାରଣଙ୍କ ସହିତ ମୋର ଭାବନା, ବିଶ୍ୱର ଅତୁଟ ଅଂଶ ପାଲଟିଗଲା । ପ୍ରତି ମାସରେ ମୁଁ ଦେଶର ଲୋକଙ୍କ ହଜାର ହଜାର ବାର୍ତା ପଢ଼ିଥାଏଁ, ପ୍ରତି ମାସରେ ମୁଁ ଦେଶବାସୀଙ୍କ ଏକଠୁ ବଳି ଆରେକ ଚମତ୍କାର ସ୍ୱରୂପର ଦର୍ଶନ କରିଥାଏ । ମୁଁ ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗର ପରାକାଷ୍ଠାର ଦର୍ଶନ କରିଥାଏଁ, ତାହାକୁ ଅନୁଭବ କରିଥାଏ । ଆପଣମାନଙ୍କ ଠାରୁ ଟିକିଏ ବି ଦୂରରେ ଥିବା ଭଳି ମୋତେ ଲାଗେନି । ମୋ ପାଇଁ ‘ମନ୍ କି ବାତ୍’ କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏହା ମୋ ପାଇଁ ଗୋଟିଏ ଆସ୍ଥା, ପୂଜା, ଉପାସନା । ଲୋକେ ଯେମିତି ଈଶ୍ୱରଙ୍କ ପୂଜା କରିବାକୁ ଯିବା ସମୟରେ ଭୋଗରାଗ ନେଇ ଯାଆନ୍ତି, ମୋ ପାଇଁ ‘ମନ୍ କି ବାତ୍’ ଈଶ୍ୱର ରୂପୀ ଜନତା-ଜନାର୍ଦ୍ଦନଙ୍କ ଚରଣରେ ନୈବେଦ୍ୟ ଅର୍ପଣ ସ୍ୱରୂପ । ‘ମନ୍ କି ବାତ୍’ ମୋ ମନର ଆଧ୍ୟାତ୍ମିକ ଯାତ୍ରା ପାଲଟିଯାଇଛି ।
‘ମନ୍ କି ବାତ୍’ ସ୍ୱ ରୁ ସମଷ୍ଟିର ଯାତ୍ରା, ମନ୍ କି ବାତ୍ ଅହମ୍ ରୁ ବୟମ୍ ର ଯାତ୍ରା ।
ମୁଁ ନୁହେଁ, ବରଂ ତୁ ହି ଏହାର ସଂସ୍କାର ସାଧନା ।

ଆପଣ କଳ୍ପନା କରନ୍ତୁ, ମୋର କୌଣସି ଦେଶବାସୀ ଯଦି ଚାଳିଶ ବର୍ଷ ଧରି ନିର୍ଜନ ପାହାଡ଼ ଏବଂ ଟାଙ୍ଗରା ଭୂଇଁରେ ଗଛ ଲଗାଉଛି, କେତେ କେତେ ଲୋକ ତିରିଶ ବର୍ଷ ଧରି ଜଳ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ପୋଖରୀ ଖନନ କରୁଛନ୍ତି, ସେଗୁଡ଼ିକୁ ସଫା କରୁଛନ୍ତି, କେହି ୨୫-୩୦ ବର୍ଷ ହେଲା ଗରିବ ପିଲାଙ୍କୁ ପାଠ ପଢ଼ାଉଛି, କେହି ଗରିବମାନଙ୍କ ଚିକିତ୍ସାରେ ସାହାଯ୍ୟ କରୁଛି, କେତେଥର ‘ମନ୍ କି ବାତ୍’ରେ ଏମାନଙ୍କ ବିଷୟରେ ଉଲ୍ଲେଖ କରିବା ସମୟରେ ମୁଁ ଭାବବିହ୍ୱଳ ହୋଇଉଠିଛି । ଆକାଶବାଣୀର ବନ୍ଧୁମାନଙ୍କୁ ଅନେକଥର ଏହାକୁ ପୁନର୍ବାର ରେକର୍ଡ଼ କରିବାକୁ ପଡ଼ିଛି । ଆଜି ବିଗତ ଦିନର ଅନେକ କଥା ଆଖି ଆଗରେ ନାଚି ଉଠୁଛି । ଦେଶବାସୀମାନଙ୍କର ଏହି ପ୍ରଚେଷ୍ଟାଗୁଡ଼ିକ ମୋତେ ଅନବରତ ଭାବେ ଏଥିରେ ନିଜକୁ ସମ୍ପୃକ୍ତ କରିରଖିବାର ପ୍ରେରଣା ଯୋଗାଇଛି ।

ବନ୍ଧୁଗଣ, ‘ମନ୍ କି ବାତ୍’ରେ ଆମେ ଯେଉଁମାନଙ୍କ ବିଷୟରେ ଉଲ୍ଲେଖ କରିଥାଉଁ, ସେମାନେ ସମସ୍ତେ ଆମ ହିରୋ, ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଜୀବନ୍ତ କରିଦେଇଛନ୍ତି । ଆଜି ଆମେ ଯେତେବେଳେ ଶହେତମ ଅଧ୍ୟାୟରେ ପହଞ୍ଚିଛୁ, ସେତେବେଳେ ଆମେ ପୁଣିଥରେ ଏହି ହିରୋମାନଙ୍କ ପାଖକୁ ଯାଇ ସେମାନଙ୍କ ଯାତ୍ରା ସମ୍ପର୍କରେ ଜାଣିବା ପାଇଁ ମୋର ଇଚ୍ଛା ହେଉଛି । ଆଜି ଆମେ କିଛି ବନ୍ଧୁଙ୍କ ସହିତ କଥା ହେବା ପାଇଁ ଚେଷ୍ଟା ମଧ୍ୟ କରିବା ।
ମୋ ସହିତ ଯୋଡ଼ି ହେଉଛନ୍ତି, ହରିଆନାର ଭାଇ ଶ୍ରୀ ସୁନୀଲ ଜଗ୍ଲାନ୍ । ମୋ ମନରେ ତାଙ୍କ କଥାର ପ୍ରଭାବ ଏଥିପାଇଁ ପଡ଼ିଲା ଯେ, ହରିଆନାରେ ଲିଙ୍ଗ ଅନୁପାତ ବିଷୟରେ ବହୁତ ଆଲୋଚନା ହେଉଥିଲା ଏବଂ ବେଟି ବଚାଓ-ବେଟି ପଢ଼ାଓ ଅଭିଯାନ ମୁଁ ହରିଆନାରୁ ହିଁ ଆରମ୍ଭ କରିଥିଲି । ଇତି ମଧ୍ୟରେ ଯେତେବେଳେ ସୁନୀଲଙ୍କ ସେଲ୍ଫି ୱିଥ୍ ଡଟର୍ କ୍ୟାମ୍ପେନ୍ ଉପରେ ମୋ ନଜର ପଡ଼ିଲା, ମୋତେ ବହୁତ ଭଲ ଲାଗିଲା । ମୁଁ ମଧ୍ୟ ତାଙ୍କ ଠାରୁ ଶିଖିଲି ଓ ଏହାକୁ ‘ମନ୍ କି ବାତ୍’ରେ ଅନ୍ତର୍ଭୁକ୍ତ କଲି । ଦେଖୁ ଦେଖୁ ସେଲ୍ଫି ୱିଥ୍ ଡଟର୍ ଗୋଟିଏ ବିଶ୍ୱବ୍ୟାପୀ ଅଭିଯାନରେ ପରିବର୍ତିତ ହୋଇଗଲା । ଏଥିରେ ପ୍ରକୃତ ପ୍ରସଙ୍ଗ ସେଲ୍ଫି ନ ଥିଲା, ପ୍ରଯୁକ୍ତିବିଦ୍ୟା ମଧ୍ୟ ନ ଥିଲା, ଏଥିରେ ଝିଅକୁ ପ୍ରାଧାନ୍ୟ ଦିଆଯାଇଥିଲା । ଜୀବନରେ ଝିଅର ସ୍ଥାନ କେତେ ଉଚ୍ଚ ହୋଇଥାଏ, ଏହି ଅଭିଯାନରୁ ତାହାର ମଧ୍ୟ ପରିପ୍ରକାଶ ହେଲା । ସେହିଭଳି ଅନେକ ପ୍ରଚେଷ୍ଟାର ସୁଫଳ ହେଉଛି ଆଜି ହରିଆନାରେ ଲିଙ୍ଗ ଅନୁପାତରେ ହୋଇଥିବା ଉନ୍ନତି । ଆସନ୍ତୁ, ଆଜି ସୁନୀଲଜୀଙ୍କ ସହିତ ଟିକିଏ କଥା ହେଇଯିବା ।
ପ୍ରଧାନମନ୍ତ୍ରୀ :ନମସ୍କାର ସୁନୀଲ ଜୀ,

ସୁନୀଲ :ନମସ୍କାର ସାର୍, ଆପଣଙ୍କ ସ୍ୱର ଶୁଣି ମୋ ଖୁସି ବହୁଗୁଣିତ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ :ସୁନୀଲଜୀ, ସେଲ୍ଫି ୱିଥ୍ ଡଟର୍ କୁ ସମସ୍ତେ ମନେ ରଖିଛନ୍ତି . . . ଏବେ ଯେତେବେଳେ ପୁଣି ଥରେ ଏ ବିଷୟରେ ଆଲୋଚନା ହେଉଛି ସେତେବେଳେ ଆପଣଙ୍କୁ କେମିତି ଲାଗୁଛି?

ସୁନୀଲ : ପ୍ରଧାନମନ୍ତ୍ରୀ ମହାଶୟ, ପ୍ରକୃତରେ ଆପଣ ଆମ ରାଜ୍ୟ ହରିଆନାର ପାନିପତ୍ରୁ ଝିଅମାନଙ୍କ ଓଠରେ ହସ ଫୁଟାଇବାକୁ ଯେଉଁ ଚତୁର୍ଥ ଯୁଦ୍ଧ ଆରମ୍ଭ କରିଥିଲେ, ତାହାକୁ ଆପଣଙ୍କ ନେତୃତ୍ୱରେ ସାରା ଦେଶ ଜୟ କରିବାକୁ ଚେଷ୍ଟା କରିଛି, ପ୍ରକୃତରେ ଏହା ମୋ ପାଇଁ, ପ୍ରତ୍ୟେକ କନ୍ୟାର ପିତା ଓ କନ୍ୟାମାନଙ୍କୁ ସ୍ନେହ କରୁଥିବା ମା’ମାନଙ୍କ ପାଇଁ ବହୁତ ବଡ଼ କଥା ।

ପ୍ରଧାନମନ୍ତ୍ରୀ: ସୁନୀଲ ଜୀ, ଆପଣଙ୍କ ଝିଅମାନେ ଏବେ କେମିତି ଅଛନ୍ତି? ଆଜିକାଲି କଣ କରୁଛନ୍ତି?

ସୁନୀଲ : ଆଜ୍ଞା, ମୋ ଦୁଇଟି ଝିଅ ହେଉଛନ୍ତି ନନ୍ଦନୀ ଏବଂ ୟାଚିକା । ଜଣେ ସପ୍ତମ ଶ୍ରେଣୀରେ ପଢ଼ୁଛି ଆଉ ଜଣେ ଚତୁର୍ଥ ଶ୍ରେଣୀରେ ପଢ଼ୁଛି । ଦୁହେଁ ଆପଣଙ୍କୁ ବହୁତ ପ୍ରଶଂସା କରନ୍ତି । ସେମାନେ ନିଜ ସହପାଠୀମାନଙ୍କ ଦ୍ୱାରା ଆପଣଙ୍କ ଉଦ୍ଦେଶ୍ୟରେ ଥ୍ୟାଙ୍କ ୟୂ ପ୍ରାଇମ୍ ମିନିଷ୍ଟର ଲେଖି ଚିଠି ପଠାଇଥିଲେ ।

ପ୍ରଧାନମନ୍ତ୍ରୀ: ବାଃ ! ବାଃ ! ହଉ, ଝିଅମାନଙ୍କୁ ଆପଣ ମୋର ଏବଂ ମନ୍ କି ବାତ୍ ର ଶ୍ରୋତାମାନଙ୍କ ତରଫରୁ ଅନେକ ଆଶୀର୍ବାଦ ପ୍ରଦାନ କରିବେ ।

ସୁନୀଲ : ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣଙ୍କ ଯୋଗୁଁ ଦେଶର ଝିଅମାନଙ୍କ ମୁଖମଣ୍ଡଳରେ ଅନବରତ ଖୁସି ବୃଦ୍ଧି ପାଇଚାଲିଛି ।

ପ୍ରଧାନମନ୍ତ୍ରୀ: ଅନେକ ଅନେକ ଧନ୍ୟବାଦ, ସୁନୀଲଜୀ ।
ସୁନୀଲ : ଧନ୍ୟବାଦ, ଆଜ୍ଞା ।

ବନ୍ଧୁଗଣ, ମୁଁ ଏ କଥାରେ ବହୁତ ଖୁସି ଯେ “ମନ୍ କୀ ବାତ’ରେ ଆମେ ଦେଶର ନାରୀ ଶକ୍ତିର ଶହଶହ ପ୍ରେରଣାଦାୟକ ଗାଥା ସମ୍ପର୍କରେ ଆଲୋଚନା କରିଛୁ । ଆମର ସେନା ହେଉ ଅଥବା କ୍ରୀଡ଼ାଜଗତ ହେଉ, ମୁଁ ଯେତେବେଳେ ମଧ୍ୟ ମହିଳାଙ୍କ ଉପଲବ୍ଧି ଉପରେ ଆଲୋଚନା କରିଛି, ସେତେବେଳେ ତା’ର ବହୁତ ପ୍ରଶଂସା କରାଯାଇଛି । ଯେପରିକି ଆମେ ଛତିଶଗଡ଼ ଦେଉର ଗାଁର ମହିଳାମାନଙ୍କ କଥା ଚର୍ଚା କରିଥିଲୁ । ଏହି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଗାଁର ଛକ, ସଡ଼କ ଓ ମନ୍ଦିରଗୁଡ଼ିକରେ ସଫେଇ ଅଭିଯାନ ଚଳାଇ ଥାଆନ୍ତି । ସେହିପରି ତାମିଲନାଡ଼ୁର ସେହି ଆଦିବାସୀ ମହିଳାମାନେ, ଯେଉଁମାନେ ହଜାର ହଜାର ଟୋରାକୋଟା ପରିବେଶ ଅନୁକୂଳ କପ୍ ରପ୍ତାନି କରିଛନ୍ତି, ସେମାନଙ୍କଠାରୁ ମଧ୍ୟ ଦେଶ ବହୁତ ପ୍ରେରଣା ପାଇଛି। ତାମିଲନାଡ଼ୁରେ ହିଁ ୨୦ ହଜାର ମହିଳା ଏକାଠି ମିଶି ଭେଲ୍ଲୋରର ନାଗ ନଦୀକୁ ପୁନର୍ଜୀବିତ କରିଥିଲେ । ଏପରି ଅନେକ ଅଭିଯାନକୁ ଆମର ନାରୀ ଶକ୍ତି ନେତୃତ୍ୱ ଦେଇଛନ୍ତି ଏବଂ “ମନ୍ କୀ ବାତ୍” ସେମାନଙ୍କ ପ୍ରୟାସକୁ ସାମ୍ନାକୁ ଆଣିବାର ମଞ୍ଚ ପାଲଟିଛି ।

ବନ୍ଧୁଗଣ, ଏବେ ଆମ ସହ ଫୋନ୍ ଲାଇନରେ ଆଉ ଜଣେ ଭଦ୍ରବ୍ୟକ୍ତି ଅଛନ୍ତି । ୟାଙ୍କ ନାଁ ମଞ୍ଜୁର ଅହମଦ । “ମନ୍ କୀ ବାତ”ରେ ଜାମ୍ମୁକାଶ୍ମୀରର ପେନ୍ସିଲ୍ ସ୍ଲେଟ୍ ସମ୍ପର୍କରେ କହିବା ବେଳେ ମଞ୍ଜୁର ଅହମଦଙ୍କ କଥା ପଡ଼ିଥିଲା ।

ପ୍ରଧାନମନ୍ତ୍ରୀ ଜୀ : ମଞ୍ଜୁର ଜୀ, ଆପଣ କେମିତି ଅଛନ୍ତି?

ମଞ୍ଜୁର ଜୀ: ଧନ୍ୟବାଦ ଆଜ୍ଞା…ବହୁତ ଭଲ ଅଛି ଆଜ୍ଞା ।

ପ୍ରଧାନମନ୍ତ୍ରୀ ଜୀ : “ମନ୍ କୀ ବାତ”ର ଏହି ୧୦୦ତମ ଅଧ୍ୟାୟରେ ଆପଣଙ୍କ ସହ କଥା ହୋଇ ମତେ ବହୁତ ଭଲ ଲାଗୁଛି ।

ମଞ୍ଜୁର ଜୀ : ଧନ୍ୟବାଦ ଆଜ୍ଞା ।

ପ୍ରଧାନମନ୍ତ୍ରୀ ଜୀ : ଆଚ୍ଛା, ଏହି ପେନ୍ସିଲ୍-ସ୍ଲେଟ୍ବାଲା କାମ କେମିତି ଚାଲୁଛି?

ମଞ୍ଜୁର ଜୀ : ବହୁତ ବଢ଼ିଆ ଚାଲୁଛି ଆଜ୍ଞା, ବହୁତ ବଢ଼ିଆ । ଯେଉଁଦିନଠୁ ଆପଣ ଆଜ୍ଞା ମୋ କଥା “ମନ୍ କୀ ବାତ”ରେ କହିଲେ, ସେବେଠୁ ବହୁତ କାମ ବଢ଼ିଯାଇଛି ଆଜ୍ଞା ଆଉ ଅନ୍ୟମାନଙ୍କର ରୋଜଗାର ମଧ୍ୟ ଏଇଠି ବହୁତ ବଢ଼ିଯାଇଚି ଏଇ କାମରେ ।

ପ୍ରଧାନମନ୍ତ୍ରୀ ଜୀ : ଏବେ କେତେ ଲୋକଙ୍କୁ ରୋଜଗାର ମିଳୁଥିବ?

ମଞ୍ଜୁର ଜୀ : ଏବେ ମୋ ପାଖରେ ୨୦୦ରୁ ଅଧିକ ଅଛନ୍ତି…

ପ୍ରଧାନମନ୍ତ୍ରୀ ଜୀ : ଆରେ ବାଃ! ମତେ ବହୁତ ଖୁସି ଲାଗୁଛି ।

ମଞ୍ଜୁର ଜୀ : ଆଜ୍ଞା ସାର୍…ଆଜ୍ଞା ସାର୍…ଏବେ ମାସେ ଦି\’ ମାସ ଭିତରେ ଏହାକୁ ଆହୁରି ବଢ଼ାଇବାକୁ ଯାଉଛି ଆଉ ୨୦୦ ଲୋକଙ୍କ ରୋଜଗାର ବଢ଼ିଯିବ ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ବାଃ ବାଃ! ଦେଖନ୍ତୁ ମଞ୍ଜୁର ଜୀ….

ମଞ୍ଜୁର ଜୀ : ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ମୋର ପୂରା ମନେ ଅଛି ଆଉ ସେହି ଦିନ ଆପଣ ମୋତେ କହିଥିଲେ ଯେ ଏହା ଏପରି କାମ ଯାହାର ନା ପରିଚୟ ଅଛି, ନା ନିଜର ପରିଚୟ ଅଛି ଏବଂ ଆପଣଙ୍କୁ ବହୁତ କଷ୍ଟ ମଧ୍ୟ ହେଉଥିଲା ଆଉ ଏହି କାରଣରୁ ଆପଣଙ୍କର ବଡ଼ ସମସ୍ୟା ହେଉଥିଲା । ସେକଥା ବି ଆପଣ କହୁଥିଲେ, କିନ୍ତୁ ଏବେ ତ ଆପଣଙ୍କର ପରିଚୟ ତିଆରି ହୋଇଯାଇଛି ଆଉ ୨୦୦ରୁ ବେଶି ଲୋକଙ୍କୁ ରୋଜଗାର ଦେଉଛନ୍ତି ।

ମଞ୍ଜୁର ଜୀ : ଆଜ୍ଞା ସାର୍…ଆଜ୍ଞା ସାର୍

ପ୍ରଧାନମନ୍ତ୍ରୀ ଜୀ : ଏବେ ନୂଆ ଭାବେ ବଢ଼ାଇ ଆହୁରି ୨୦୦ ଲୋକଙ୍କୁ ରୋଜଗାର ଦେବେ, ଏହା ତ ଆପଣ ବହୁତ ଖୁସି ଖବର ଦେଲେ ।

ମଞ୍ଜୁର ଜୀ : ଏପରିକି ସାର୍, ଏଠାକାର ଯୋଉ ଚାଷୀମାନେ ଅଛନ୍ତି…ସାର୍ ସେମାନଙ୍କ ମଧ୍ୟ ଏଥିରେ ବହୁତ ବେଶି ଲାଭ ମିଳୁଛି ସାର୍ ସେବେଠୁ । ଗୋଟିଏ ଗଛକୁ ୨୦୦୦ ଟଙ୍କା ବିକୁଥିଲେ, ଏବେ ସେଇ ଗଛ ୫୦୦୦ ପର୍ଯ୍ୟନ୍ତ ପହଞ୍ଚିଯାଇଛି ସାର୍ । ସେବେଠୁ ଏତେ ଚାହିଦା ବଢ଼ିଯାଇଛି ଏଥିରେ ଆଉ ଏଥିରେ ନିଜର ବି ପରିଚୟ ହୋଇଯାଇଛି । ଏଥିରେ ବହୁତ ଅର୍ଡର୍ ନିଜ ପାଖରେ ଅଛି ସାର୍ । ଏବେ ମୁଁ ଆଗକୁ ମାସେ ଦି’ ମାସ ଭିତରେ ଆହୁରି ବଢ଼ାଇ ଆଉ ଦୁଇ-ଅଢ଼େଇ ଶହ ଦୁଇ ଚାରିଟି ଗାଁରେ ଯେତେ ବି ପୁଅଝିଅ ଅଛନ୍ତି ଏଥିରେ ଆଡ଼ଜଷ୍ଟ୍ ହୋଇପାରିବେ । ସେମାନଙ୍କର ମଧ୍ୟ ଦୈନନ୍ଦିନ ଜୀବିକା ଚାଲିପାରିବ ସାର୍ ।
ପ୍ରଧାନମନ୍ତ୍ରୀ ଜୀ :ଦେଖନ୍ତୁ ମଞ୍ଜୁର ଜୀ, ଭୋକାଲ୍ ଫର୍ ଲୋକାଲ୍ର ଶକ୍ତି କେତେ ବହୁତ ଆପଣ ବାସ୍ତବରେ ତାହା କରି ଦେଖାଇ ଦେଇଛନ୍ତି ।

ମଞ୍ଜୁର ଜୀ : ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ମୋ ତରଫରୁ ଆପଣଙ୍କୁ ଆଉ ଗାଁର ସମସ୍ତ ଚାଷୀଙ୍କୁ ଏବଂ ଆପଣଙ୍କ ସହିତ କାମ କରୁଥିବା ସମସ୍ତ ସାଥୀମାନଙ୍କୁ ମଧ୍ୟ ମୋ ତରଫରୁ ବହୁତ ବହୁତ ଶୁଭକାମନା…ଧନ୍ୟବାଦ ଭାଇ ।

ମଞ୍ଜୁର ଜୀ : ଧନ୍ୟବାଦ ସାର୍ ।

ବନ୍ଧୁଗଣ, ଆମ ଦେଶରେ ଏପରି ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ପରିଶ୍ରମ ବଳରେ ହିଁ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ମୋର ମନେଅଛି, ବିଶାଖାପଟ୍ଟନମ୍ର ଭେଙ୍କଟ ମୁରଲୀ ପ୍ରସାଦ ଜୀ ଏକ ଆତ୍ମନିର୍ଭର ଭାରତର ଚାର୍ଟ ଶେୟାର୍ କରିଥିଲେ । ସେ କହିଥିଲେ ଯେ ସେ କିଭଳି ଅଧିକରୁ ଅଧିକ ଭାରତୀୟ ଜିନିଷ ବ୍ୟବହାର କରିବେ । ଯେତେବେଳେ ବେତିଆର ପ୍ରମୋଦ ଜୀ ଏଲ୍ଇଡି ବଲ୍ବ ତିଆରି କରିବାର ଛୋଟ ୟୁନିଟ୍ ଖୋଲିଲେ ବା ଗଢ଼ମୁକ୍ତେଶ୍ୱରର ସନ୍ତୋଷ ଜୀ ଦରି ତିଆରିର କାମ କଲେ, “ମନ୍ କୀ ବାତ” ହିଁ ସେମାନଙ୍କ ଉତ୍ପାଦକୁ ସମସ୍ତଙ୍କ ସାମ୍ନାକୁ ଆଣିବାର ମାଧ୍ୟମ ହୋଇଥିଲା । ଆମେ ମେକ୍ ଇନ୍ ଇଣ୍ଡିଆର ଅନେକ ଉଦାହରଣଠୁ ନେଇ ମହାକାଶ ଷ୍ଟାଟ୍ର୍ଅପ୍ ପର୍ଯ୍ୟନ୍ତ ଆଲୋଚନା “ମନ୍ କୀ ବାତ୍”ରେ କରିଛୁ ।

ବନ୍ଧୁଗଣ, ଆପଣଙ୍କର ମନେ ଥିବ କିଛି ଅଧ୍ୟାୟ ପୂର୍ବରୁ ମୁଁ ମଣିପୁରର ଭଉଣୀ ବିଜୟଶାନ୍ତି ଦେବୀଙ୍କ କଥା ମଧ୍ୟ କହିଥିଲି । ବିଜୟଶାନ୍ତି ପଦ୍ମ ତନ୍ତୁରେ କପଡ଼ା ତିଆରି କରନ୍ତି । “ମନ୍ କୀ ବାତ୍”ରେ ତାଙ୍କର ଏହି ନିଆରା ପରିବେଶ ଅନୁକୂଳ ଚିନ୍ତା କଥା ମଧ୍ୟ ଆଲୋଚନା ହୋଇଥିଲା ତ ତାଙ୍କର କାମ ଆହୁରି ଲୋକପ୍ରିୟ ହୋଇଗଲା। ଆଜି ବିଜୟଶାନ୍ତି ଫୋନ୍ରେ ଆମ ସହ ଅଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ : ନମସ୍ତେ ବିଜୟଶାନ୍ତି ଜୀ! ଆପଣ କେମିତି ଅଛନ୍ତି?

ବିଜୟଶାନ୍ତି ଜୀ : ଆଜ୍ଞା ମୁଁ ଭଲ ଅଛି ।

ପ୍ରଧାନମନ୍ତ୍ରୀ ଜୀ : ଆଉ ଆପଣଙ୍କ କାମ କେମିତି ଚାଲିଛି?

ବିଜୟଶାନ୍ତି ଜୀ : ସାର୍..ଏବେ ମୁଁ ମୋର ୩୦ ଜଣ ମହିଳା ସାଥୀଙ୍କ ସହିତ କାମ କରୁଛି ।

ପ୍ରଧାନମନ୍ତ୍ରୀ ଜୀ : ଏତେ କମ୍ ସମୟ ଭିତରେ ଆପଣ ୩୦ ଜଣିଆ ଦଳରେ ପହଂଚିଯାଇଛନ୍ତି!

ବିଜୟଶାନ୍ତି ଜୀ : ହଁ ସାର୍, ଏ ବର୍ଷ ମଧ୍ୟ ମୋ ଅଂଚଳର ଆହୁରି ୧୦୦ ଜଣ ମହିଳାଙ୍କୁ ନେଇ କାମକୁ ବଢ଼ାଇବି

ପ୍ରଧାନମନ୍ତ୍ରୀ ଜୀ : ତା’ହେଲେ ଆପଣଙ୍କ ଲକ୍ଷ୍ୟ ୧୦୦ ଜଣ ମହିଳା
ବିଜୟଶାନ୍ତି ଜୀ : ହଁ! ୧୦୦ ଜଣ ମହିଳା

ପ୍ରଧାନମନ୍ତ୍ରୀ ଜୀ : ଆଉ ଏବେ ଲୋକେ ଏହି ପଦ୍ମ ନାଡ଼ ତନ୍ତୁ କଥା ଭଲଭାବେ ଜାଣିସାରିଲେଣି ।

ବିଜୟଶାନ୍ତି ଜୀ : ହଁ ସାର୍ । ପ୍ରଧାନମନ୍ତ୍ରୀଙ୍କ “ମନ୍ କୀ ବାତ୍” କାର୍ଯ୍ୟକ୍ରମରୁ ସମସ୍ତେ ପଦ୍ମ ତନ୍ତୁ ବିଷୟରେ ଜାଣିଗଲେ ।

ପ୍ରଧାନମନ୍ତ୍ରୀ ଜୀ : ସେଇଥିପାଇଁ ତ ଏହା ଏତେ ଲୋକପ୍ରିୟ ।

ବିଜୟଶାନ୍ତି ଜୀ : ହଁ ସାର୍ । ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପାଇଁ ସମସ୍ତେ ପଦ୍ମ ତନ୍ତୁ ବିଷୟରେ ଜାଣିଗଲେ ।

ପ୍ରଧାନମନ୍ତ୍ରୀ ଜୀ : ତ ଏବେ ଆପଣ ବଜାର ମଧ୍ୟ ପାଇଯାଇଥିବେ?

ବିଜୟଶାନ୍ତି ଜୀ : ହଁ, ମୁଁ ଆମେରିକାରେ ମଧ୍ୟ ଗୋଟିଏ ବଜାର ପାଇଛି । ସେମାନେ ଏକାବେଳକେ ବହୁତ କିଣିବାକୁ ଚାହାନ୍ତି, କିନ୍ତୁ ଏ ବର୍ଷଠାରୁ ମୁଁ ଆମେରିକାକୁ ବି ପଠାଇବାକୁ ଚାହୁଁଛି ।

ପ୍ରଧାନମନ୍ତ୍ରୀ ଜୀ : ତ ଏବେ ଆପଣ ଜଣେ ରପ୍ତାନିକାରୀ?

ବିଜୟଶାନ୍ତି ଜୀ : ହଁ ସାର୍, ଏଇ ବର୍ଷଠାରୁ ମୁଁ ଆମର ଭାରତରେ ତିଆରି ପଦ୍ମ ତନ୍ତୁର ଜିନିଷ ରପ୍ତାନି କରିବି ।

ପ୍ରଧାନମନ୍ତ୍ରୀ ଜୀ : ତ ମୁଁ ଯେତେବେଳେ ଭୋକାଲ୍ ଫର୍ ଲୋକାଲ୍ କହୁଥିଲି ଆଉ ଏବେ ଲୋକାଲ୍ ଫର୍ ଗ୍ଲୋବାଲ୍ ।

ବିଜୟଶାନ୍ତି ଜୀ : ହଁ ସାର୍, ମୁଁ ମୋ ଉତ୍ପାଦକୁ ସମଗ୍ର ବିଶ୍ୱରେ ପହଂଚାଇବାକୁ ଚାହେଁ

ପ୍ରଧାନମନ୍ତ୍ରୀ ଜୀ : ତ ଅଭିନନ୍ଦନ ଆଉ ଆପଣଙ୍କ ପାଇଁ ଶୁଭକାମନା ।

ବିଜୟଶାନ୍ତି ଜୀ : ଧନ୍ୟବାଦ ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ଧନ୍ୟବାଦ, ଧନ୍ୟବାଦ ବିଜୟଶାନ୍ତି ।

ବିଜୟଶାନ୍ତି ଜୀ : ଧନ୍ୟବାଦ ସାର୍ ।

ବନ୍ଧୁଗଣ, ‘ମନ୍ କି ବାତ୍’ର ଆଉ ଏକ ବିଶେଷତ୍ୱ ରହିଛି । ‘ମନ୍ କି ବାତ୍’ ମାଧ୍ୟମରେ ବହୁ ଜନଆନ୍ଦୋଳନ ଜନ୍ମ ନେଇଛି ଏବଂ ଗତିଶୀଳ ମଧ୍ୟ ହୋଇଛି । ଯେପରିକି ଆମର ଖେଳଣା, ଆମର Toy Industry କୁ ପୁଣିଥରେ ସ୍ଥାପିତ କରିବା ପାଇଁ ଆମର Mission ‘ମନ୍ କି ବାତ୍’ କାର୍ଯ୍ୟକ୍ରମରୁ ହିଁ ପ୍ରାରମ୍ଭ ହୋଇଥିଲା । ଭାରତୀୟ ପ୍ରଜାତିର କୁକୁର ଆମର ଦେଶୀ କୁକୁର । ତାଙ୍କୁ ନେଇ ଜନସଚେତନତା ବଢ଼ାବାର ପ୍ରାରମ୍ଭ ମଧ୍ୟ ‘ମନ୍ କି ବାତ୍’ ହିଁ କରିଥିଲା ଆଉ ଏକ ଜନସଚେତନତା ଆରମ୍ଭ କରିଥିଲୁ ଯେ ଆମେ ଗରିବ ଓ କ୍ଷୁଦ୍ର ଦୋକାନୀମାନଙ୍କ ସାଙ୍ଗରେ ମୂଲାମୂଲି କରିବା ନାହିଁ, ଝଗଡ଼ା କରିବା ନାହିଁ । ଯେତେବେଳେ “ହର ଘର ତ୍ରିରଙ୍ଗା”ର ଜନଜାଗରଣ ଆରମ୍ଭ ହୋଇଥିଲା ସେତେବେଳେ ମଧ୍ୟ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଦେଶବାସୀଙ୍କୁ ଏହି ସଂକଳ୍ପ ସହିତ ଯୋଡ଼ିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହିଭଳି ଅନେକ ଉଦାହରଣ, ସମାଜରେ ପରିବର୍ତ୍ତନର କାରଣ ହୋଇପାରିଛି । ସମାଜକୁ ଏହିପରି ଭାବେ ପ୍ରେରଣା ଦେବାପାଇଁ ମଧ୍ୟ ସଂକଳ୍ପ ଧାରଣ କରିଛନ୍ତି ଶ୍ରୀ ପ୍ରଦୀପ ସାଙ୍ଗୱାନ୍ । ‘ମନ୍ କି ବାତ୍’ରେ ଆମେ ଶ୍ରୀ ପ୍ରଦୀପ ସାଙ୍ଗୱାନ୍ଙ୍କ ‘ହିଲିଙ୍ଗ ହିମାଳୟଜ୍ ଅଭିଯାନ’ର ଚର୍ଚ୍ଚା କରିଥିଲୁ । ସେ ଆମ ସହିତ ଏବେ ଫୋନ୍ଲାଇନ୍ରେ ଯୋଡ଼ିହୋଇଛନ୍ତି ।

ମୋଦୀଜୀ : ପ୍ରଦୀପଜୀ ନମସ୍କାର ।

ପ୍ରଦୀପ ଜୀ : ସାର୍, ଜୟ ହିନ୍ଦ୍ ।

ମୋଦୀଜୀ : ଜୟ ହିନ୍ଦ୍, ଜୟ ହିନ୍ଦ୍, ଭାଇ! କେମିତି ଅଛନ୍ତି ଆପଣ?

ପ୍ରଦୀପ ଜୀ : ସାର୍, ବହୁତ ବଢ଼ିଆ । ଆପଣଙ୍କ ସ୍ୱର ଶୁଣିବା ପରେ ଆହୁରି ବଢ଼ିଆ ଲାଗୁଛି ।

ମୋଦୀଜୀ : ଆପଣ ହିମାଳୟକୁ ଐରବକ୍ଷ କରିବା ପାଇଁ ଚିନ୍ତନ କଲେ ।

ପ୍ରଦୀପ ଜୀ : ହଁ, ସାର୍ ।

ମୋଦୀଜୀ : ଆପଣ ଅଭିଯାନ ବି ଆରମ୍ଭ କଲେ । ଆଜିକାଲି ଆପଣଙ୍କର ମବଜ୍ଞକ୍ଟ୍ରବସଶଦ୍ଭ କେମିତି ଚାଲିଛି?

ପ୍ରଦୀପ ଜୀ : ସାର୍, ବହୁତ ଭଲଭାବେ ଚାଲିଛି । ୨୦୨୦ରୁ ତ ଆମର କାର୍ଯ୍ୟ ଏତେମାତ୍ରାରେ ଉତ୍ସାହପ୍ରଦ ଅଛି – ଯେମିତି ଧରିନିଅନ୍ତୁ ଆମେ ପାଂଚବର୍ଷରେ ପୂର୍ଣ୍ଣ ହେଉଥିବା କାର୍ଯ୍ୟ ଏବେ ଗୋଟିଏ ବର୍ଷରେ ହୋଇଯାଉଛି ।
ମୋଦୀଜୀ : ଆରେ ବାଃ …. ।

ପ୍ରଦୀପ ଜୀ : ହଁ, ହଁ ସାର୍ । ଏ ଅଭିଯାନ ଆରମ୍ଭ ସମୟରେ ମୁଁ ବହୁତ nervous ଥିଲି ଏପରିକି ଭୟ ବି ଲାଗୁଥିଲା । ଏଇଥିପାଇଁ ଯେ ସାରା ଜୀବନ ଏଭଳି କାର୍ଯ୍ୟକୁ ମୁଁ କରିପାରିବି ନା ନାହିଁ, ହେଲେ କିଛି କିଛି ସମର୍ଥନ ମିଳିଲା ଏବଂ ୨୦୨୦ ଯାଏଁ ଆମେ ବହୁତ ସଂଘର୍ଷ ବି କରୁଥିଲୁ, ଆମ ସାଙ୍ଗରେ ବହୁତ କମ୍ ଲୋକ ଯୋଡିହେଉଥିଲେ, ଏମିତି ବି ବହୁତ ଲୋକ ଆମକୁ ସନର୍ଥନ କରିପାରୁ ନ ଥିଲେ । ଆମର ଏ ପ୍ରକାର ଅଭିଯାନକୁ ଅନେକ ଗୁରୁତ୍ୱ ମଧ୍ୟ ଦେଉନଥିଲେ । ମାତ୍ର ୨୦୨୦ ପରେ ଯେତେବେଳେ ‘ମନ୍ କି ବାତ୍’ରେ ଆପଣ ଆମ କାର୍ଯ୍ୟକ୍ରମର ସୂଚନା ଦେବା ସହ କହିଲେ ତ ସବୁକିଛି ଯେମିତି ବଦଳିଗଲା । ଅର୍ଥାତ୍, ପ୍ରଥମେ ପ୍ରଥମେ ଆମେ ବର୍ଷସାରା ୬ରୁ ୭ଟି Cleaning drive କରିପାରୁଥିଲୁ, ବେଶୀରେ ବେଶୀ ୧୦ଟି Cleaning drive କରିବା ସମ୍ଭବ ହେଉପାରୁଥିଲା । କିନ୍ତୁ ଆଜିର ତାରିଖରେ ଆମେ daily basis ରେ ପାଞ୍ଚ ଟନ୍ ମଇଲାକୁ ଏକତ୍ର କରିପାରୁଛୁ, ବିଭିନ୍ନ Locationରୁ .. ।

ମୋଦୀଜୀ : ଆରେ ବାଃ …

ପ୍ରଦୀପ ଜୀ : ‘ମନ୍ କି ବାତ୍’ରେ ଆମର ଅଭିଯାନ କଥା ପ୍ରସଙ୍ଗକ୍ରମେ ଚର୍ଚ୍ଚା ହେବାପରେ ଆପଣ ସାର ବିଶ୍ୱାସ କରନ୍ତୁ ଯେ ମୁଁ ସେତେବେଳ ପର୍ଯ୍ୟନ୍ତ ଏ କାର୍ଯ୍ୟକୁ ଛାଡିବାକୁ ଯାଉଥିଲି। କିନ୍ତୁ ଏହାପରେ ବହୁତ ପରିବର୍ତନ ଘଟିବାକୁ ଲାଗିଲା ମୋର ଜୀବନଯାତ୍ରାରେ । ଦେଖୁ ଦେଖୁ କାର୍ଯ୍ୟଧାରା ଏତେ ବ୍ୟାପକ ହୋଇଉଠିଲା ଯାହା ଆମେ କେବେ ଚିନ୍ତା ମଧ୍ୟ କରିପାରି ନ ଥିଲୁ । So,I’m really thankful ଆପଣଙ୍କ ପାଖରେ ଯେ କେଜାଣି ଆପଣ ଆମପରି ଲୋକଙ୍କୁ କେମିତି ଖୋଜି ଖୋଜି ବାହାରକୁ ନେଇଆସନ୍ତି । ଆମେ ତ ଲୋକଲୋଚନର ବାହାରେ ଏତେ ଦୂରନ୍ତ ବକ୍ସରବରେ କାମ କରୁ । ହିମାଳୟ କ୍ଷେତ୍ରରେ ବସି ବସି ଆମେ ଆମର କାମରେ ଲାଗିଥାଉ । ଆମକୁ ବା କିଏ କାହିଁକି ଜାଣିବ – ଏ ପ୍ରକାର altitudeରେ ଆମେ କାର୍ଯ୍ୟରତ ଥାଉ । ହେଲେ ଦେଖନ୍ତୁ, ଆପଣ ଆମମାନଙ୍କୁ ଖୋଜି ଖୋଜି ପାଇଗଲେ । ଆମମାନଙ୍କର କାର୍ଯ୍ୟକୁ ଆପଣ ସାରାଦୁନିଆ ସାମ୍ନାକୁ ନେଇଆସିଲେ । ତ, ଏହା ମୋ ପାଇଁ ବହୁତ emotional moment ଥିଲା ସେତେବେଳେ ବି ଓ ଆଜି ବି ଯେ ମୁଁ ଆଜି ମୋ ଦେଶର ପ୍ରଥମ ସେବକଙ୍କ ସହ କଥାବାର୍ତା ହୋଇପାରୁଛି । ମୋ ପାଇଁ ଏହାଠୁ ବଳି ସୌଭାଗ୍ୟର ବିଷୟ ଆଉ କ’ଣ ହୋଇପାରିବ ।
ମୋଦୀଜୀ : ପ୍ରଦୀପ ଜୀ! ଆପଣ ତ ପ୍ରକୃତରେ ଦେଖିବାକୁ ଗଲେ ହିମାଳୟର ଶିଖର ପ୍ରଦେଶରେ ସାଧନାରତ ଅଛନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣଙ୍କ ନାମ ଉଚ୍ଚାରଣମାତ୍ରେ ଲୋକମାନଙ୍କୁ ସ୍ମରଣ ଆସିଯିବ ଯେ ଆପଣ କିଭଳି ଭାବେ କଠିନ ପରିଶ୍ରମ କରି ହିମାଳୟ ପର୍ବତର ସ୍ୱଚ୍ଛତା ଅଭିଯାନରେ ଲାଗିପଡ଼ିଛନ୍ତି ।

ପ୍ରଦୀପ ଜୀ : ହଁ ସାର୍ ।

ମୋଦୀଜୀ : ଆଉ ଆପଣ ଯେଭଳି କହୁଥିଲେ ଯେ ଏବେ ତ ଆପଣଙ୍କର ବହୁତ ବଡ ଦଳ ହୋଇଯାଇଛି ଏବଂ ଏତେ ବଡ଼ ମାତ୍ରାରେ ଆପଣ ପ୍ରତିଦିନ କାର୍ଯ୍ୟରତ ଅଛନ୍ତି ।

ପ୍ରଦୀପ ଜୀ : ହଁ .. ସାର୍ ।

ମୋଦୀଜୀ : ଏବଂ ମୋର ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ ଯେ ଆପଣଙ୍କର ଏହି ପ୍ରଚେଷ୍ଟା ଫଳରେ, ଆପଣଙ୍କର ଚର୍ଚ୍ଚା ଶୁଣିବା ପରେ, ଏବେ କେତେ ଯେ ପର୍ବତାରୋହୀ ସ୍ୱଚ୍ଛତା ଅଭିଯାନରେ ଯୋଡ଼ିହୋଇ photo post କରିବାକୁ ଲାଗିଲେଣି ।

ପ୍ରଦୀପ ଜୀ : ହଁ ସାର୍ .. ବହୁତ ।

ମୋଦୀଜୀ : ଏହା ତ ବହୁତ ଭଲ କଥା, ଆପଣଙ୍କ ପରି ସାଥୀମାନଙ୍କର ସତ୍ପ୍ରୟାସ କାରଣରୁ “Waste is also a Wealth”ର ଭାବନା ଏବେ ଲୋକମାନଙ୍କର ମନମସ୍ତିଷ୍କରେ ରହିବା ସହ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ଆଗଭର ହେଉଛନ୍ତି । ହିମାଳୟ ଯାହା ଆମ ଭାରତର ଗର୍ବ ଓ ଗୌରବ, ତାକୁ ରକ୍ଷା କରିବା, ମର୍ଯ୍ୟାଦା ଦେବା ଓ ସାଧାରଣ ଜନତା ସହ ହିମାଳୟକୁ ଯୋଡ଼ିନେବାର ପ୍ରୟାସ ସତରେ ପ୍ରଶଂସନୀୟ । ପ୍ରଦୀପଜୀ, ମୋତେ ବହୁତ ଭଲ ଲାଗିଲା । ବହୁତ ବହୁତ ଧନ୍ୟବାଦ ଭାଇ ।

ପ୍ରଦୀପ ଜୀ : Thank you sir, Thank you so much,, ଜୟ ହିନ୍ଦ୍ ।

ମୋଦୀଜୀ : ବନ୍ଧୁଗଣ, ଆଜି ସମଗ୍ର ଦେଶରେ Tourism ବହୁତ ତୀବ୍ର ବେଗରେ Grow କରୁଛି । ଆମ ଦେଶର ପ୍ରାକୃତିକ ସଂସାଧନ ହେଉ, ନଦୀ, ପାହାଡ଼, ପୁଷ୍କରିଣୀ ଅବା ଆମର ଗୌରବମୟ ତୀର୍ଥସ୍ଥଳ, ଏ ସମସ୍ତ ସ୍ଥାନକୁ ସ୍ୱଚ୍ଛ ରଖିବା ବହୁତ ଆବଶ୍ୟକ । ଏସବୁ Tourism Industryକୁ ବହୁତ ସାହାଯ୍ୟ କରିବେ । ପର୍ଯ୍ୟଟନର ସ୍ୱଚ୍ଛତା ସହିତ ଆମେ Incredible India Movement ମଧ୍ୟ ଅନେକଥର ଚର୍ଚ୍ଚା କରିଛୁ । ଏହି movement ଦ୍ୱାରା ପ୍ରଥମଥର ପାଇଁ ଲୋକମାନଙ୍କୁ ଏଭଳି ଅନେକ ସ୍ଥାନଗୁଡ଼ିକ ବିଷୟରେ ଜଣାପଡ଼ିଲା ଯାହା ସେମାନଙ୍କ ଆଖପାଖରେ ହିଁ ଥିଲା । ମୁଁ ସବୁବେଳେ କୁହେ ଯେ ଆମେ ବିଦେଶର Tourism ଯିବା ପୂର୍ବରୁ ଆମ ଦେଶର ଅତିକମ୍ରେ ୧୫ଟି destinationକୁ ନିଶ୍ଚିତ ଭାବେ ବୁଲିଯିବା ଦରକାର । ଏଭଳି destination ବାଛିବା ପୂର୍ବରୁ ଏହା ବି ଧ୍ୟାନ ରଖିବା ଉଚିତ ଯେ ଆପଣ ଯେଉଁ ରାଜ୍ୟରେ ନିବାସୀ ସେଠାକାର ନୁହେଁ ବରଂ ଅନ୍ୟ ରାଜ୍ୟର Tourist Desination କୁ ବୁଲିଯିବା ଉଚିତ । ଏହିପରି ଭାବେ ଆମେ ସ୍ୱଚ୍ଛ ସିଆଚୀନ୍, Single use Plastic ଓ e-waste ପରି ଗମ୍ଭୀର ବିଷୟରେ ଲଗାତାର ଭାବେ ଚର୍ଚ୍ଚା କରିଛୁ । ଆଜି ପୁରା ଦୁନିଆ ପରିବେଶର ଯେଉଁ issue କୁ ନେଇ ଏତେମାତ୍ରାରେ ବିବ୍ରତ ଓ ଚିନ୍ତିତ, ତା’ର ସମାଧାନ ଦିଗରେ ‘ମନ୍ କି ବାତ୍’ର ଏଭଳି ପ୍ରୟାସ ନିଶ୍ଚିତ ରୂପେ ଗୁରୁତ୍ୱ ବହନ କରେ ।
ସାଥୀଗଣ, ‘ମନ୍ କି ବାତ୍’କୁ ନେଇ ମୋତେ ଏଇଥର ଗୋଟିଏ ବିଶେଷ ବାର୍ତ୍ତା UNESCOର DG ଔଦ୍ରେ ଆଜୁଲେ (Audrey Azoulay)ଙ୍କ ପାଖରୁ ଆସିଛି । ସେ ସମଗ୍ର ଦେଶବାସୀଙ୍କୁ “ଶହେ ଏପିସୋଡ” (100th Episodes)ର ଏହି ଭବ୍ୟ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି । ଏହାସହିତ, ସେ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ଆସନ୍ତୁ, ଆମେ ପ୍ରଥମେ UNESCOe DGଙ୍କ ‘ମନ୍ କି ବାତ୍’ ଶୁଣିବା ।
# Audio (UNESCO DG) #

DG UNESCO: ନମସ୍କାର, ପ୍ରିୟ ପ୍ରଧାନମନ୍ତ୍ରୀ ମହୋଦୟ, ରେଡ଼ିଓ ପ୍ରସାରଣ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟରେ ଭାଗନେବାର ସୁଯୋଗ ପାଇଥିବାରୁ ୟୁନେସ୍କୋ ତରଫରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ୟୁନେସ୍କୋ ଏବଂ ଭାରତର ଏକ ସୁଦୀର୍ଘ ଅନୁରୂପ ଇତିହାସ ରହିଛି । ଆମ ଲକ୍ଷ୍ୟର ସମସ୍ତ ଦିଗ ଯଥା ଶିକ୍ଷା, ବିଜ୍ଞାନ, ସଂସ୍କୃତି ଏବଂ ସୂଚନା ଆଦିର ବିକାଶ କ୍ଷେତ୍ରରେ ଆମର ଏକ ଦୃଢ଼ ସହଭାଗିତା ରହିଆସିଛି। ଆଜିର ଏହି ଅବସରରେ ମୁଁ ଶିକ୍ଷାର ଗୁରୁତ୍ୱ ଉପରେ କହିବାକୁ ଚାହୁଁଛି । ୨୦୩୦ ମସିହା ସୁଦ୍ଧା ବିଶ୍ୱର ସମସ୍ତ ଲୋକଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ ପହଂଚାଇବାର ଲକ୍ଷ୍ୟନେଇ ୟୁନେସ୍କୋ ସହ ତା’ର ସଦସ୍ୟ ରାଷ୍ଟ୍ରମାନେ କାମ କରିଆସୁଛନ୍ତି । ଏହି ଲକ୍ଷ୍ୟ ପୂର୍ତି ପାଇଁ ପୃଥିବୀର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତ ଆମକୁ କିଛି ମାର୍ଗଦର୍ଶନ ଦେଇପାରିବ, ସେ ବିଷୟରେ ଆପଣ ଆଲୋକପାତ କରିବେ କି? ୟୁନେସ୍କୋ ମଧ୍ୟ ସଂସ୍କୃତି ଏବଂ ଐତିହ୍ୟର ସଂରକ୍ଷଣ ଦିଗରେ କାମ କରିଆସୁଛି । ଭାରତ ଏ ବର୍ଷ G20 ଦେଶଗୁଡ଼ିକର ଅଧ୍ୟକ୍ଷତା କରୁଛି । ଏହି କାର୍ଯ୍ୟ ପାଇଁ ଦିଲ୍ଲୀକୁ ବିଶ୍ୱସ୍ତରୀୟ ନେତାମାନନଙ୍କର ଆଗମନ ହେବ । ମହାଶୟ, ଶିକ୍ଷା ଓ ସଂସ୍କୃତିକୁ ଏହି ଅନ୍ତର୍ଜାତୀୟ ଏଜେଣ୍ଡାର ଶୀର୍ଷ ସ୍ଥାନରେ ରଖିବାକୁ ଭାରତ କିଭଳି ପ୍ରୟାସ କରୁଛି? ଏହି ସୁଯୋଗ ପାଇଥିବାରୁ ମୁଁ ପୁଣିଥରେ ଆପଣଙ୍କୁ ଧନ୍ୟବାଦ ଦେବା ସଙ୍ଗେ ଆପଣଙ୍କ ମାଧ୍ୟମରେ ଭାରତୀୟ ଜନସାଧାରଣଙ୍କୁ ଅଶେଷ ଶୁଭକାମନା ଜଣାଉଛି । ଖୁବ୍ଶୀଘ୍ର ଆପଣଙ୍କ ସହ ସାକ୍ଷାତ ହେବ, ବହୁତ ବହୁତ ଧନ୍ୟବାଦ ।

PM Modi : ଧନ୍ୟବାଦ ମହାଶୟା । ୧୦୦ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଆପଣଙ୍କ ସହିତ କଥା ହୋଇ ମୁଁ ଆନନ୍ଦ ଅନୁଭବ କରୁଛି । ଆପଣ ଶିକ୍ଷା ଏବଂ ସଂସ୍କୃତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥିବାରୁ ମୁଁ ବିଶେଷ ଭାବେ ଖୁସି ।
ବନ୍ଧୁଗଣ; UNESCOର DG ମହାଶୟା Education ଏବଂ Cultural Prevention ଅର୍ଥାତ୍ ଶିକ୍ଷା ଓ ସଂସ୍କୃତିର ସଂରକ୍ଷଣ ଦିଗରେ ଭାରତର ପ୍ରୟାସ ବିଷୟ ଜାଣିବାକୁ ଚାହିଁଛନ୍ତି । ଏ ଦୁଇଟିଯାକ ବିଷୟ ‘ମନ୍ କି ବାତ୍’ର ପସନ୍ଦର ବିଷୟ ରହିଆସିଛି ।
ଶିକ୍ଷା ଓ ସଂସ୍କୃତିର କଥା ହେଉ ବା ତା’ର ସଂରକ୍ଷଣ ବା ସଂବର୍ଦ୍ଧନର କଥା ହେଉ, ଏହା ସର୍ବଦା ଭାରତର ପରମ୍ପରା ହୋଇଆସିଛି । ଏ ଦିଗରେ ଆଜି ଦେଶ ଯେଉଁଭଳି କାମ କରୁଛି ତାହା ବାସ୍ତବରେ ବହୁତ ପ୍ରଶଂସନୀୟ । ରାଷ୍ଟ୍ରୀୟ ଶିକ୍ଷାନୀତି ହେଉ, ଆଂଚଳିକ ଭାଷା ମାଧ୍ୟମରେ ଶିକ୍ଷାଦାନର ବିକଳ୍ପ ହେଉ ଅଥବା ଶିକ୍ଷା ଓ ପ୍ରଯୁକ୍ତିର ଏକତ୍ରୀକରଣ ହେଉ, ଆପଣଙ୍କୁ ଏହିଭଳି ଅନେକ ପ୍ରୟାସ ଦେଖିବାକୁ ମିଳିବ । ବହୁ ବର୍ଷ ପୂର୍ବେ ଗୁଜରାଟରେ ଗୁଣାତ୍ମକ ଶିକ୍ଷା ଦେବାପାଇଁ ଏବଂ Drop Out ହାର କମ୍ କରିବା ପାଇଁ “ଗୁଣୋତ୍ସବ ଏବଂ ଶାଳାପ୍ରବେଶୋତ୍ସବ” ଭଳି କାର୍ଯ୍ୟକ୍ରମ ଜନଭାଗିଦାରୀର ଏକ ଅଦ୍ଭୁତ ଉଦାହରଣ ହୋଇପାରିଥିଲା । ‘ମନ୍ କି ବାତ୍’ରେ ମୁଁ ଏହିଭଳି ଅନେକ ଲୋକଙ୍କ ପ୍ରୟାସକୁ Highlight କରିଛି ଯେଉଁମାନେ କି ନିଃସ୍ୱାର୍ଥ ଭାବରେ ଶିକ୍ଷା ପାଇଁ କାମ କରୁଛନ୍ତି । ଆପଣଙ୍କର ମନେଥିବ, ଥରେ ମୁଁ ଓଡ଼ିଶାରେ ଠେଲାଗାଡ଼ିରେ ଚା’ ବିକୁଥିବା ସ୍ୱର୍ଗତଃ ଡି. ପ୍ରକାଶ ରାଓଙ୍କ କଥା ଆଲୋଚନା କରିଥିଲି, ଯିଏକି ଗରିବ ପିଲାମାନଙ୍କ ପଢ଼ାଇବାର ମିଶନରେ ଲାଗିପଡ଼ିଥିଲେ । ଝାଡ଼ଖଣ୍ଡର ଏକ ଗାଁରେ ଡିଜିଟାଲ ଲାଇବ୍ରେରୀ ଚଳାଉଥିବା ସଂଜୟ କୁମାରଙ୍କ କଥା ହେଉ ବା କୋଭିଡ ସମୟରେ e-learning ମାଧ୍ୟମରେ ଅନେକ ପିଲାମାନଙ୍କୁ ସାହାଯ୍ୟ କରୁଥିବା ହେମଲତ N.K. ହୁଅନ୍ତୁ, ଏହିଭଳି ଅନେକ ଶିକ୍ଷକଙ୍କ ଉଦାହରଣ ମୁଁ ‘ମନ୍ କି ବାତ୍’ରେ ଦେଇଛି । ମୁଁ ସାଂସ୍କୃତିକ ସଂରକ୍ଷଣର ପ୍ରୟାସକୁ ସର୍ବଦା ‘ମନ୍ କି ବାତ୍’ରେ ସ୍ଥାନ ଦେଇଛି ।

ଲାକ୍ଷାଦ୍ୱୀପର Kummel brothers Challengers Club ହେଉ ଅଥବା କର୍ଣ୍ଣାଟକର “କ୍ୱେମଶ୍ରୀ ଜୀ କଳା ଚେତନା” ଭଳି ମଂଚ ହେଉ, ଦେଶର କୋଣ ଅନୁକୋଣରୁ ଲୋକମାନେ ଚିଠି ମାଧ୍ୟମରେ ମୋତେ ଏହିଭଳି ଉଦାହରଣଗୁଡ଼ିକ ପଠାଇଛନ୍ତି । ଦେଶଭକ୍ତିମୂଳକ ଗୀତ, ନାନାବାୟା ଗୀତ ଏବଂ ରଙ୍ଗୋଲୀ – ଏହି ତିନୋଟି ପ୍ରତିଯୋଗିତା ବିଷୟରେ ମଧ୍ୟ ମୁଁ ଉଲ୍ଲେଖ କରିଥିଲି । ଆପଣମାନେ ଧ୍ୟାନ ଦେଇଥିବେ, ଥରେ ମୁଁ ସାରା ଦେଶର Story teller ମାନଙ୍କ ସହିତ Story telling ମାଧ୍ୟମରେ ଶିକ୍ଷାଦାନର ଭାରତୀୟ ପରମ୍ପରା ଉପରେ ଚର୍ଚ୍ଚା କରିଥିଲି । ମୋର ଅତୁଟ ବିଶ୍ୱାସ ଯେ ସାମୂହିକ ପ୍ରୟାସ ଦ୍ୱାରା ବହୁତ ବଡ଼ ପରିବର୍ତନ ଆସିପାରିବ । ଏ ବର୍ଷ ଆମେ ଯେତେବେଳେ ସ୍ୱାଧୀନତାର ଅମୃତକାଳରେ ଆଗେଇ ଚାଲିଛନ୍ତି, ତା’ସହିତ G-20 ର ଅଧ୍ୟକ୍ଷତା ମଧ୍ୟ କରୁଛନ୍ତି । ଏହା ବି ଏକ କାରଣ ଯାହାଦ୍ୱାରା ଶିକ୍ଷା ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ (Global Culture)ବୈଶ୍ୱିକ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଆମର ସଂକଳ୍ପ ଆହୁରି ମଜଭୁତ ହୋଇପାରିଛି ।
ମୋର ପ୍ରିୟ ଦେଶବାସୀଗଣ ଆମ ଉପନିଷଦର ଗୋଟିଏ ମନ୍ତ୍ର ଶତାବ୍ଦୀ ଶତାବ୍ଦୀ ଧରି ଆମ ମନକୁ ପ୍ରେରଣା ଦେଇଆସିଛି ।

ଚରୈବତି ଚରୈବତି ଚରୈବତି
ଅର୍ଥାତ୍ ନିରନ୍ତର ଚାଲୁଥାଅ, ଚାଲୁଥାଅ, ଚାଲୁଥାଅ ।

ଆଜି ଏହି ଚରୈବତିର ଭାବନା ସହିତ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ ପୂର୍ଣ୍ଣ କରୁଛୁ । ଭାରତର ସାମାଜିକ ବିବିଧତାକୁ ମଜଭୁତ୍ କରିବାରେ ‘ମନ୍ କି ବାତ୍’ କୌଣସି ମାଳାର ସେହି ସୂତାର କାର୍ଯ୍ୟ କରିଥାଏ, ଯାହା ସମ୍ପୂର୍ଣ୍ଣ ମାଳାରେ ଥିବା ପ୍ରତିଟି ମାଳିକୁ ବାନ୍ଧିରଖିଥାଏ । ପ୍ରତି ଅଧ୍ୟାୟରେ ଦେଶବାସୀମାନଙ୍କ ସେବା ଓ ସାମର୍ଥ୍ୟ ଅନ୍ୟକୁ ପ୍ରେରଣା ଦେଇଆସିଛି । ଏହି କାର୍ଯ୍ୟରେ ଦେଶର ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ବ୍ୟକ୍ତିଟି ପାଇଁ ପ୍ରେରଣା ହୋଇଥାଏ । କହିବାକୁ ଗଲେ ‘ମନ୍ କି ବାତ୍’ର ପ୍ରତ୍ୟେକଟି ଅଧ୍ୟାୟ ଆଗାମୀ ଅଧ୍ୟାୟ ପାଇଁ ଭିତିଭୂମି ପ୍ରସ୍ତୁତ କରେ । ‘ମନ୍ କି ବାତ୍’ ସବୁବେଳେ ସଦ୍ଭାବନା, ସେବା ଭାବନା ଓ କର୍ତବ୍ୟ ଭାବନାକୁ ନେଇ ଆଗକୁ ଚାଲିଛି । ସ୍ୱାଧୀନତାର ଅମୃତ କାଳରେ ଏହି ସକାରାତ୍ମକ ଭାବ ଦେଶକୁ ଆଗେଇନେବ, ଏକ ନୂତନ ଉଚ୍ଚତାରେ ପହଞ୍ଚାଇଦେବ ଏବଂ ମୁଁ ବହୁତ ଖୁସି ଯେ ‘ମନ୍ କି ବାତ୍’ରୁ ଯେଉଁ ଶୁଭାରମ୍ଭ ହୋଇଛି ତାହା ଦେଶର ଏକ ନୂତନ ପରମ୍ପରାରେ ପରିଣତ ହୋଇଛି । ଏକ ଏଭଳି ପରମ୍ପରା ଯେଉଁଥିରେ ଆମକୁ ‘ସବ୍ କା ପ୍ରୟାସ୍’ର ଭାବନା ଦେଖିବାକୁ ମିଳୁଛି ।
ବନ୍ଧୁଗଣ, ମୁଁ ଆଜି ଆକାଶବାଣୀର ବନ୍ଧୁମାନଙ୍କୁ ବି ଧନ୍ୟବାଦ ଦେବି ଯେଉଁମାନେ ବହୁତ ଧୈର୍ଯ୍ୟର ସହିତ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ରେକର୍ଡ଼ କରୁଛନ୍ତି । ସେଇ ଅନୁବାଦକମାନେ ଯେଉଁମାନେ ବହୁତ କମ୍ ସମୟରେ ତୀବ୍ର ଗତିରେ ‘ମନ୍ କି ବାତ୍’କୁ ବିଭିନ୍ନ ଆଂଚଳିକ ଭାଷାରେ ଅନୁବାଦ କରୁଛନ୍ତି ମୁଁ ସେମାନଙ୍କ ନିକଟରେ ମଧ୍ୟ ଋଣୀ । ମୁଁ ଦୂରଦର୍ଶନ ତଥା MyGov ର ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି । ସାରାଦେଶର TVChannels, Electronic Media ର ଲୋକମାନେ ଯେଉଁମାନେ ବିନା Commercial Break ରେ ‘ମନ୍ କି ବାତ୍’କୁ ଦେଖାଉଛନ୍ତି ସେମାନଙ୍କ ପ୍ରତି ମଧ୍ୟ କୃତଜ୍ଞତା ବ୍ୟକ୍ତ କରୁଛି ଏବଂ ପରିଶେଷରେ ମୁଁ ସେମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି ଯେଉଁମାନେ ‘ମନ୍ କି ବାତ୍’ର ନେତୃତ୍ୱ ନେଇଆସିଛନ୍ତି – ଭାରତର ଲୋକ, ଭାରତ ଉପରେ ଆସ୍ଥା ରଖିଥିବା ଲୋକ । ଏସବୁ କିଛି ଆପଣମାନଙ୍କ ପ୍ରେରଣା ଓ ଶକ୍ତି ଦ୍ୱାରା ସମ୍ଭବ ହୋଇପାରଛି ।

ବନ୍ଧୁଗଣ, ଏମିତି ବି ମୋ ମନରେ ଆଜି ଏତେକଥା କହିବାକୁ ଅଛି ଯେ ସେସବୁ ପାଇଁ ସମୟ ଓ ଶବ୍ଦ ଦୁଇଟା ଯାକର ଅଭାବ ଅନୁଭୂତ ହେଉଛି । କିନ୍ତୁ ମୋର ବିଶ୍ୱାସ ଅଛି ଯେ ଆପଣମାନେ ମୋର ଭାବକୁ ବୁଝିବେ ମୋର ଭାବନାକୁ ମଧ୍ୟ ବୁଝିବେ । ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବରେ ‘ମନ୍ କି ବାତ୍’ ମାଧ୍ୟମରେ ଆପଣଙ୍କ ମଧ୍ୟରେ ଅଛି ଏବଂ ଆପଣଙ୍କ ମଧ୍ୟରେ ରହିବି । ଆଗାମୀ ମାସରେ ପୁଣି ସାକ୍ଷାତ ହେବ । ପୁଣି ନୂଆ ବିଷୟ ଓ ନୂଆ ସୂଚନା ସହିତ ଦେଶବାସୀମାନଙ୍କର ସଫଳତାକୁ ପାଳନ କରିବା । ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ଏବଂ ନିଜର ତଥା ନିଜ ଲୋକମାନଙ୍କର ଧ୍ୟାନ ରଖନ୍ତୁ । ବହୁତ ବହୁତ ଧନ୍ୟବାଦ । ନମସ୍କାର।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ ଅଭିଭାଷଣ: ଜାଣନ୍ତୁ ‘ମନ୍ କି ବାତ୍’ର ୯୬ତମ ଅଧ୍ୟାୟରେ କ’ଣ କହିଲେ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କୁ ରେଡ଼ିଓ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ରେଡ଼ିଓ ଅଭିଭାଷଣରେ ୯୬ ତମ ଅଧ୍ୟାୟ। ତେବେ ଆଜିର ଏହି ରେଡ଼ିଓ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ’ଣ କହିଲେ, ଆସନ୍ତୁ ଜାଣିବା….

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ଆଜି ଆମେ ‘ମନ୍ କି ବାତ୍’ର ୯୬ତମ ଅଧ୍ୟାୟରେ ଏକାଠି ହୋଇଛୁ। ‘ମନ୍ କି ବାତ୍’ର ଆଗାମୀ ଅଧ୍ୟାୟ ୨୦୨୩ର ପ୍ରଥମ ଅଧ୍ୟାୟ ହେବ। ଆପଣମାନେ ଯେଉଁ ବାର୍ତ୍ତାମାନ ପଠାଇଛନ୍ତି, ସେଥିରେ ସରିଯାଉଥିବା ୨୦୨୨ ବିଷୟରେ କହିବା ପାଇଁ ବହୁତ ଅନୁରୋଧ କରିଛନ୍ତି। ଅତୀତର ଅବଲୋକନ ହିଁ ତ ସର୍ବଦା ଆମକୁ ବର୍ତ୍ତମାନ ଏବଂ ଭବିଷ୍ୟତର ପ୍ରସ୍ତୁତି ପାଇଁ ପ୍ରେରଣା ଦେଇଥାଏ। ୨୦୨୨ରେ ଦେଶର ଲୋକଙ୍କ ସାମର୍ଥ୍ୟ, ସେମାନଙ୍କ ସହଯୋଗ, ସେମାନଙ୍କ ସଙ୍କଳ୍ପ, ସେମାନଙ୍କ ସଫଳତାର ବ୍ୟାପକତା ଏତେ ଅଧିକ ଥିଲା ଯେ ‘ମନ୍ କି ବାତ୍’ରେ ସେସବୁଗୁଡ଼ିକୁ ସାମିଲ୍ କରିବା କଷ୍ଟକର ହେବ। ୨୦୨୨ ପ୍ରକୃତରେ ଅନେକ ଅର୍ଥରେ ବହୁତ ପ୍ରେରଣାଦାୟୀ ଥିଲା, ଚମତ୍କାର ଥିଲା। ଏହି ବର୍ଷ ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂର୍ଣ୍ଣ କଲା ଏବଂ ଏହି ବର୍ଷ ଅମୃତକାଳର ଶୁଭାରମ୍ଭ ହେଲା। ଏହି ବର୍ଷ ଦେଶ ଅଧିକ ଗତିଶୀଳ ହେଲା, ସମସ୍ତ ଦେଶବାସୀ ଏକକୁ ଆରେକ ବଳି କାମ କଲେ। ୨୦୨୨ର ବିଭିନ୍ନ ସଫଳତା ଆଜି ସମଗ୍ର ବିଶ୍ୱରେ ଭାରତ ପାଇଁ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛି। ୨୦୨୨ ଅର୍ଥାତ୍ ଭାରତ ଦ୍ୱାରା ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥନୀତିର ସ୍ଥାନ ହାସଲ କରିବା, ୨୦୨୨ ଅର୍ଥାତ୍ ଭାରତ ଦ୍ୱାରା ୨୨୦ କୋଟି ଟିକାଦାନର ଅବିଶ୍ୱସନୀୟ ସଂଖ୍ୟା ପାର୍ କରିବାର ରେକର୍ଡ ସୃଷ୍ଟି କରିବା, ୨୦୨୨ ଅର୍ଥାତ୍ ଭାରତ ଦ୍ୱାରା ୪୦୦ ବିଲିୟନ୍ ଡଲାରର ଚମତ୍କାର ରାଶିର ଦ୍ରବ୍ୟ ରପ୍ତାନୀ କରିବା, ୨୦୨୨ ଅର୍ଥାତ୍ ଦେଶର ପ୍ରତ୍ୟେକଙ୍କ ଦ୍ୱାରା ଆତ୍ମନିର୍ଭର ଭାରତର ସଂକଳ୍ପକୁ ଆପଣାଇବା, ଜୀଇଁ କରି ଦେଖାଇବା, ୨୦୨୨ଅର୍ଥାତ୍ ଭାରତର ପ୍ରଥମ ସ୍ୱଦେଶୀ Aircraft Carrier INS Vikrantକୁ ସ୍ୱାଗତ କରିବା, ୨୦୨୨ ଅର୍ଥାତ୍ ମହାକାଶ, ଡ୍ରୋନ୍ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶ୍ରେଷ୍ଠତା ହାସଲ କରିବା, ୨୦୨୨ ଅର୍ଥାତ୍ ପ୍ରତି କ୍ଷେତ୍ରରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନର ବର୍ଷ ଥିଲା। କ୍ରୀଡ଼ା କ୍ଷେତ୍ରରେ ମଧ୍ୟ – ତାହା ରାଜ୍ୟଗୋଷ୍ଠୀ କ୍ରୀଡ଼ା ହେଉ କିମ୍ବା ଆମର ମହିଳା ହକି ଟିମ୍ର ବିଜୟ ହେଉ, ଆମର ଯୁବବର୍ଗ ଶ୍ରେଷ୍ଠତା ପ୍ରଦର୍ଶନ କଲେ।

ବନ୍ଧୁଗଣ ଏସବୁ ସହିତ ୨୦୨୨କୁ ଆଉ ଗୋଟିଏ କାରଣ ଯୋଗୁଁ ସବୁବେଳେ ସ୍ମରଣ କରାଯିବ। ଏହାହେଉଛି ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବଧାରାର ବିସ୍ତାର। ଦେଶର ଲୋକେ ଏକତା ଓ ଏକଜୁଟତାକୁ ପାଳନ କରିବା ପାଇଁ ଅନେକ ଭିନ୍ନ ଧରଣର ଆୟୋଜନ କଲେ। ଗୁଜୁରାଟର ମାଧବପୁର ମେଳା ହେଉ, ଯେଉଁଠି ରୁକ୍ମିଣୀ ବିବାହ ଏବଂ ଭଗବାନ କୃଷ୍ଣଙ୍କ ପୂର୍ବୋତ୍ତର ସହ ସମ୍ପର୍କକୁ ପାଳନ କରାଯାଇଥାଏ କିମ୍ବା କାଶୀ-ତାମିଲ ସଙ୍ଗମମ୍ ହେଉ, ଏହି ପର୍ବଗୁଡ଼ିକରେ ଏକତାର ଅନେକ ରଙ୍ଗ ଦେଖିବାକୁ ମିଳିଲା। ୨୦୨୨ରେ ଦେଶବାସୀମାନେ ଆଉ ଏକ ଅମର ଇତିହାସ ସୃଷ୍ଟି କରିଦେଲେ। ଅଗଷ୍ଟ ମାସରେ ଚାଲିଥିବା ‘ହର୍ ଘର୍ ତିରଙ୍ଗା’ ଅଭିଯାନକୁ କିଏବା ଭୁଲିପାରେ? ସେହି ମୁହୂର୍ତ୍ତରେ ଦେଶବାସୀଙ୍କର ରୋମ ଟାଙ୍କୁରି ଉଠୁଥିଲା। ସ୍ୱାଧୀନତାର ୭୫ ବର୍ଷର ଏହି ଅଭିଯାନରେ ସମଗ୍ର ଦେଶ ତ୍ରିରଙ୍ଗାମୟ ହୋଇଯାଇଥିଲା। ୬ କୋଟିରୁ ଅଧିକ ଲୋକେ ତ୍ରିରଙ୍ଗା ସାଥୀରେ ନିଜର ସେଲ୍ଫି ମଧ୍ୟ ପଠାଇଲେ। ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଆଗାମୀ ବର୍ଷ ମଧ୍ୟ ଏହିଭଳି ଭାବରେ ଚାଲିବ – ଅମୃତକାଳର ମୂଳଦୁଆକୁ ଆହୁରି ସୁଦୃଢ଼ କରିବ।

ବନ୍ଧୁଗଣ, ଏହି ବର୍ଷ ଭାରତକୁ G-20 ସମୂହର ଅଧ୍ୟକ୍ଷତାର ଦାୟିତ୍ୱ ମଧ୍ୟ ମିଳିଛି। ଗତଥର ଏ ବିଷୟରେ ମୁଁ ବିସ୍ତୃତ ଭାବେ ଆଲୋଚନା ମଧ୍ୟ କରିଥିଲି। ୨୦୨୩ରେ ଆମକୁ G-20ର ଉତ୍ସାହକୁ ନୂତନ ଶିଖରକୁ ନେଇଯିବାକୁ ହେବ। ଏହି ଆୟୋଜନକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ।

ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ବିଶ୍ୱରେ ଆଡମ୍ବର ସହ ବଡ଼ଦିନ ପର୍ବ ମଧ୍ୟ ପାଳନ କରାଯାଉଛି। ଏହା ଯୀଶୁଖ୍ରୀଷ୍ଟଙ୍କ ଜୀବନ, ତାଙ୍କଦ୍ୱାରା ଦିଆଯାଇଥିବା ଶିକ୍ଷାଗୁଡ଼ିକୁ ମନେପକାଇବାର ଦିନ। ମୁଁ ଆପଣ ସମସ୍ତଙ୍କୁ ବଡ଼ଦିନ ଉପଲକ୍ଷେ ଅନେକ ଶୁଭେଚ୍ଛା ଜଣାଉଛି।

ବନ୍ଧୁଗଣ, ଆଜି ମଧ୍ୟ ଆମ ସମସ୍ତଙ୍କ ଶ୍ରଦ୍ଧେୟ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ। ସେ ଜଣେ ମହାନ ରାଜନେତା ଥିଲେ। ଯିଏ ଦେଶକୁ ଅସାଧାରଣ ନେତୃତ୍ୱ ପ୍ରଦାନ କରିଥିଲେ। ପ୍ରତ୍ୟେକ ଭାରତବାସୀଙ୍କ ହୃଦୟରେ ତାଙ୍କପାଇଁ ଏକ ବିଶେଷ ସ୍ଥାନ ରହିଛି । ମତେ କୋଲକାତାରୁ ଆସ୍ଥାଙ୍କର ଗୋଟିଏ ଚିଠି ମିଳିଛି। ଏହି ଚିଠିରେ ସେ ନିକଟ ଅତୀତରେ କରିଥିବା ତାଙ୍କର ଦିଲ୍ଲୀଯାତ୍ରା ସମ୍ପର୍କରେ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ସେହି ସମୟରେ ସେ PM Museum ଦେଖିବା ପାଇଁ ସମୟ ବାହାର କଲେ। ଏହି Museumରେ ତାଙ୍କୁ ଅଟଳ ଜୀଙ୍କର Gallery ଖୁବ୍ ଭଲ ଲାଗିଲା। ଅଟଳ ଜୀଙ୍କ ସହିତ ସେଠାରେ ଉଠାଇଥିବା ଫଟୋ ତ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିଯାଇଛି। ଅଟଳ ଜୀଙ୍କ ଗ୍ୟାଲେରୀରେ ଆମେ ଦେଶ ପାଇଁ ତାଙ୍କର ବହୁମୂଲ୍ୟ ଅବଦାନର ଝଲକ ଦେଖିପାରିବା। ଭିତ୍ତିଭୂମି ହେଉ, ଶିକ୍ଷା ଆଉ ନ ହେଲେ ବିଦେଶ ନୀତି, ସେ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ନୂତନ ଶିଖରକୁ ନେଇଯାଇଥିଲେ । ମୁଁ ପୁଣିଥରେ ଅଟଳ ଜୀଙ୍କୁ ସହୃଦୟ ପ୍ରଣାମ କରୁଛି।

ବନ୍ଧୁଗଣ, ଆସନ୍ତାକାଲି ଡିସେମ୍ବର ୨୬ ତାରିଖ ଦିନ ହେଉଛି ‘ବୀର ବାଲ୍ ଦିବସ’, ଆଉ ମତେ ଏହି ଅବସରରେ ଦିଲ୍ଲୀରେ ସାହେବଜାଦା ଜୋରାବର ସିଂହଜୀ ଏବଂ ସାହେବଜାଦା ଫତେ ସିଂହଜୀଙ୍କ ବଳିଦାନ ପାଇଁ ସମର୍ପିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ମିଳିବ। ଦେଶ ସାହେବଜାଦା ଏବଂ ମାତା ଗୁଜ୍ରୀଙ୍କ ବଳିଦାନକୁ ସର୍ବଦା ମନେରଖିବ।

ମୋର ପ୍ରିୟ ଦେଶବାସୀଗଣ, ଆମର କୁହାଯାଏ ଯେ –
ସତ୍ୟମ୍ କିମ୍ ପ୍ରମାଣମ୍, ପ୍ରତ୍ୟକ୍ଷମ୍ କିମ୍ ପ୍ରମାଣମ୍।

ଅର୍ଥାତ୍ ସତ୍ୟକୁ ପ୍ରମାଣର ଆବଶ୍ୟକତା ନ ଥାଏ, ଯାହା ପ୍ରତ୍ୟକ୍ଷ ତାକୁ ମଧ୍ୟ ପ୍ରମାଣର ଆବଶ୍ୟକତା ପଡ଼ିନଥାଏ। କିନ୍ତୁ କଥା ଯେତେବେଳେ ଆଧୁନିକ ଚିକିତ୍ସାବିଜ୍ଞାନର ହୋଇଥାଏ ତେବେ ସେଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ପ୍ରମାଣ ବା Evidence। ଶହଶହ ବର୍ଷ ଧରି ଭାରତୀୟ ଜୀବନର ଅଂଶ ହୋଇ ରହିଆସିଥିବା ଯୋଗ ଏବଂ ଆୟୁର୍ବେଦ ଭଳି ଆମର ଶାସ୍ତ୍ର Evidence based Medicineର ଅଭାବ ସବୁବେଳେ ଗୋଟିଏ ଆହ୍ୱାନ ହୋଇ ଉଭା ହୋଇଛି – ପରିଣାମ ମିଳିଥାଏ, କିନ୍ତୁ ଏହାର ପ୍ରମାଣ ନ ଥାଏ। କିନ୍ତୁ, Evidence based research ରଯୁଗରେ ଏବେ ଯୋଗ ଏବଂ ଆୟୁର୍ବେଦ, ଆଧୁନିକ ଯୁଗର ପରୀକ୍ଷାନିରୀକ୍ଷାରେ ଠିକ୍ ପ୍ରମାଣିତ ହେଉଥିବାରୁ ମୁଁ ଆନନ୍ଦିତ। ଆପଣମାନେ ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟର ବିଷୟରେ ନିଶ୍ଚୟ ଶୁଣିଥିବେ। ଏହି ସଂସ୍ଥା Research, Innovation ଏବଂ Cancer Care କ୍ଷେତ୍ରରେ ବହୁତ ସୁନାମ ଅର୍ଜନ କରିଛି। ଏହି ସେଣ୍ଟର ଦ୍ୱାରା କରାଯାଇଥିବା ଗୋଟିଏ Intensive Researchରେ ଏକଥା ଦେଖିବାକୁ ମିଳିଛି ଯେ Breast Cancer ରୋଗୀଙ୍କ ପାଇଁ ଯୋଗ ଅତ୍ୟନ୍ତ ପ୍ରଭାବଶାଳୀ। ଟାଟା ମେମୋରିଆଲ ସେଣ୍ଟର ନିଜର ରିସର୍ଚ୍ଚର ଫଳାଫଳକୁ ଆମେରିକାରେ ଅନୁଷ୍ଠିତ ବହୁଚର୍ଚ୍ଚିତ Breast Cancer Conferenceରେ ଉପସ୍ଥାପିତ କରିଛନ୍ତି। ଏହି ଫଳାଫଳ ବିଶ୍ୱର ବଡ଼ ବଡ଼ ବିଶେଷଜ୍ଞମାନଙ୍କ ଦୃଷ୍ଟି ଆକର୍ଷିତ କରିଛି। କାରଣ ରୋଗୀମାନେ କିପରି ଲାଭାନ୍ୱିତ ହେଲେ ତାହା Tata Memorial Centre ପ୍ରମାଣ ସହ ଉପସ୍ଥାପିତ କରିଛି। ସେଣ୍ଟର କରିଥିବା ରିସର୍ଚ୍ଚ ଅନୁଯାୟୀ ନିୟମିତ ଯୋଗାଭ୍ୟାସ ଦ୍ୱାରା Breast Cancerର ରୋଗୀଙ୍କଠାରେ ରୋଗର ପୁନଃଆକ୍ରମଣ ଏବଂ ମୃତ୍ୟୁର ବିପଦରେ ୧୫ ପ୍ରତିଶତ ହ୍ରାସ ହୋଇଛି। ଭାରତୀୟ ପାରମ୍ପରିକ ଚିକିତ୍ସାରେ ଏହା ପ୍ରଥମ ଉଦାହରଣ, ଯାହାକୁ ପାଶ୍ଚାତ୍ୟ ମାନଦଣ୍ଡରେ କଡାକଡି ଭାବେ ପରୀକ୍ଷା କରାଯାଇଛି। ତା’ସହିତ ଏହାହେଉଛି ପ୍ରଥମ ଅଧ୍ୟୟନ ଯେଉଁଥିରେ Breast Cancer ଦ୍ୱାରା ପ୍ରଭାବିତ ମହିଳାମାନଙ୍କ ମଧ୍ୟରେ ଯୋଗ ଦ୍ୱାରା ଜୀବନ ସ୍ତର ଉନ୍ନତ ହେବାର ଜଣାପଡିଛି। ଏହାର ଦୂରଗାମୀ ଲାଭ ମଧ୍ୟ ନଜରକୁ ଆସିଛି। ଟାଟା ମେମୋରିଆଲ ସେଣ୍ଟର ନିଜ ଅଧ୍ୟୟନର ଫଳାଫଳକୁ ପ୍ୟାରିସ୍ରେ ଅନୁଷ୍ଠିତ ୟୁରୋପିଆନ୍ ସୋସାଇଟି ଅଫ୍ ମେଡିକାଲ ଅନ୍କୋଲୋଜିର ସମ୍ମିଳନୀରେ ଉପସ୍ଥାପିତ କରିଛନ୍ତି।

ବନ୍ଧୁଗଣ, ଆଜିର ଯୁଗରେ ଭାରତୀୟ ଚିକିତ୍ସା ପଦ୍ଧତିଗୁଡ଼ିକ ଯେତେ ଅଧିକ Evidence-based ହେବ, ସାରା ବିଶ୍ୱରେ ଏହାର ଗ୍ରହଣୀୟତା ସେତିକି ବୃଦ୍ଧି ପାଇବ। ଏହି ଚିନ୍ତାଧାରା ସହ ଦିଲ୍ଲୀର ଏମ୍ସରେ ମଧ୍ୟ ଏକ ପ୍ରୟାସ ଜାରି ରହିଛି। ଏଠାରେ ଆମର ପାରମ୍ପରିକ ଚିକିତ୍ସା ପ୍ରଣାଳୀଗୁଡ଼ିକୁ ପ୍ରମାଣିତ କରିବା ପାଇଁ ୬ ବର୍ଷ ପୂର୍ବେ ସେଣ୍ଟର ଫର୍ ଇନ୍ଟିଗ୍ରେଟିଭ୍ ମେଡିସିନ୍ ଆଣ୍ଡ ରିସର୍ଚ୍ଚ ପ୍ରତିଷ୍ଠା କରାଯାଇଛି। ଏଥିରେ ସଦ୍ୟତମ ଆଧୁନିକ କୌଶଳ ଏବଂ ଗବେଷଣା ପ୍ରଣାଳୀର ଉପଯୋଗ କରାଯାଉଛି। ଏହି କେନ୍ଦ୍ର ପୂର୍ବରୁ ପ୍ରତିଷ୍ଠିତ ଆନ୍ତର୍ଜାତିକ ଜର୍ଣ୍ଣାଲରେ ୨୦ଟି ଲେଖା ପ୍ରକାଶିତ କରିସାରିଛି। ଆମେରିକାନ୍ କଲେଜ ଅଫ୍ କାର୍ଡିଓଲୋଜିର ଜର୍ଣ୍ଣାଲରେ ପ୍ରକାଶିତ ଗୋଟିଏ ଲେଖାରେ syncope (ସିଙ୍କପି)ରେ ପୀଡ଼ିତ ରୋଗୀମାନଙ୍କୁ ଯୋଗ ଦ୍ୱାରା ହେଉଥିବା ଲାଭ ସମ୍ପର୍କରେ ସୂଚନା ଦିଆଯାଇଛି। ସେହିଭଳି ନ୍ୟୁରୋଲୋଜି ଜର୍ଣ୍ଣାଲର ଲେଖାରେ ମାଇଗ୍ରେନ୍ରେ ଯୋଗ ଦ୍ୱାରା ହେଉଥିବା ଲାଭ ସମ୍ପର୍କରେ କୁହାଯାଇଛି। ଏହାଛଡ଼ା ଅନ୍ୟ ଅନେକ ରୋଗରେ ମଧ୍ୟ ଯୋଗ ଦ୍ୱାରା ହେଉଥିବା ଉପକାର ବିଷୟରେ ଅଧ୍ୟୟନ ଚାଲିଛି। ଯେମିତିକି ହୃଦ୍ରୋଗ, ଅବସାଦ ବା ଡିପ୍ରେସନ୍, ନିଦ୍ରାହୀନତା ଏବଂ ଗର୍ଭାବସ୍ଥା ସମୟରେ ମହିଳାମାନଙ୍କଠାରେ ଦେଖାଯାଉଥିବା ସମସ୍ୟା।

ବନ୍ଧୁଗଣ କିଛିଦିନ ପୂର୍ବେ ହିଁ ମୁଁ ୱାର୍ଲଡ ଆୟୁର୍ବେଦ କଂଗ୍ରେସ ଆୟୋଜନ ସମୟରେ ଗୋଆରେ ଥିଲି । ଏଥିରେ ୪୦ରୁ ଅଧିକ ଦେଶର ପ୍ରତିନିଧିମାନେ ସାମିଲ ହୋଇଥିଲେ ଏବଂ ଏଠାରେ ୫୫୦ରୁ ଅଧିକ Scientific Papers ଉପସ୍ଥାପିତ କରାଗଲା। ଭାରତ ସହ ସାରା ବିଶ୍ୱର ପ୍ରାୟ ୨୧୫ କମ୍ପାନୀମାନେ ଏଠାରେ ପ୍ରଦର୍ଶନୀରେ ନିଜର ଉତ୍ପାଦକୁ ପ୍ରଦର୍ଶିତ କରିଥିଲେ। ଚାରିଦିନ ବ୍ୟାପୀ ଏହି ପ୍ରଦର୍ଶନୀରେ ଏକଲକ୍ଷରୁ ଅଧିକ ଲୋକ ଆୟୁର୍ବେଦ ସହ ଜଡ଼ିତ ହେବାର ନିଜର ଅନୁଭୂତିକୁ ଉପଭୋଗ କରିଥିଲେ। ଆୟୁର୍ବେଦ କଂଗ୍ରେସରେ ମଧ୍ୟ ମୁଁ ସାରା ବିଶ୍ୱରୁ ଆସିଥିବା ଆୟୁର୍ବେଦ ବିଶେଷଜ୍ଞଙ୍କ ସମ୍ମୁଖରେ Evidence based research ପାଇଁ ନିବେଦନକୁ ଦୋହରାଇଥିଲି। କରୋନା ବିଶ୍ୱବ୍ୟାପୀ ମହାମାରୀର ଏହି ସମୟରେ ଯେଉଁଭଳି ଭାବରେ ଆମେ ଯୋଗ ଏବଂ ଆୟୁର୍ବେଦର ଶକ୍ତିକୁ ଅନୁଭବ କରିପାରୁଛୁ, ଏଥିରେ ଏହାସହିତ ଜଡ଼ିତ Evidence based research ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ । ଯୋଗ, ଆୟୁର୍ବେଦ ଏବଂ ଆମର ପାରମ୍ପରିକ ଚିକିତ୍ସା ପ୍ରଣାଳୀ ସହ ଜଡ଼ିତ ଏଭଳି ପ୍ରଚେଷ୍ଟାଗୁଡ଼ିକ ସମ୍ପର୍କରେ ଆପଣଙ୍କ ପାଖରେ କୌଣସି ସୂଚନା ଥିଲେ ତାହାକୁ ସାମାଜିକ ଗଣମାଧ୍ୟମରେ ନିଶ୍ଚିତ ଭାବେ ସେୟାର କରିବା ପାଇଁ ମୁଁ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରୁଛି।

ମୋର ପ୍ରିୟ ଦେଶବାସୀଗଣ, ବିଗତ କିଛିବର୍ଷ ଧରି ଆମେ ସ୍ୱାସ୍ଥ୍ୟକ୍ଷେତ୍ର ସହ ଜଡ଼ିତ ଅନେକ ବଡ଼ ବଡ଼ ସମସ୍ୟା ଉପରେ ବିଜୟଲାଭ କରିଛୁ। ଏହାର ସମ୍ପୂର୍ଣ୍ଣ ଶ୍ରେୟ ଆମର ମେଡିକାଲ ବିଶେଷଜ୍ଞ, ବୈଜ୍ଞାନିକଗଣ ଏବଂ ଦେଶବାସୀଙ୍କ ଇଚ୍ଛାଶକ୍ତିକୁ ଯାଉଛି। ଆମେ ଭାରତରୁ ବସନ୍ତ ରୋଗ, ପୋଲିଓ ଏବଂ ‘ଗିନି ୱାର୍ମ’ ଭଳି ରୋଗଗୁଡ଼ିକୁ ଲୋପକରି ଦେଖାଇଦେଇଛୁ।
ଆଜି ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ମୁଁ ଆଉ ଗୋଟିଏ ଆହ୍ୱାନ ବିଷୟରେ ଜଣାଇବାକୁ ଚାହୁଁଛି ଯାହା ଏବେ ବିଲୁପ୍ତିର ସୀମାରେ ରହିଛି। ଏହି ଆହ୍ୱାନ, ଏହି ରୋଗ ହେଉଛି – ‘କାଲାଜାର’। ଏହି ରୋଗର ଜୀବାଣୁ Sand Fly କାମୁଡିବା ଦ୍ୱାରା ବ୍ୟାପିଥାଏ।

ଯେତେବେଳେ କେହି ‘କାଲାଜାର’ ରୋଗରେ ପୀଡିତ ହୋଇଥାଏ ସେତେବେଳେ ତାକୁ ମାସ ମାସ ଧରି ଜ୍ୱର ହୋଇଥାଏ, ଶରୀରରେ ରକ୍ତର ଅଭାବ ହୋଇଥାଏ, ଦେହ ଦୁର୍ବଳ ହୋଇଯାଇଥାଏ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ। ଏହି ରୋଗ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ କାହାରିକୁ ମଧ୍ୟ ହୋଇପାରେ। କିନ୍ତୁ ସମସ୍ତଙ୍କ ପ୍ରଚେଷ୍ଟା ଦ୍ୱାରା ‘କାଲାଜାର’ ନାମକ ଏହି ରୋଗ ଏବେ ଦ୍ରୁତ ଗତିରେ ଲୋପ ପାଇଚାଲିଛି। କିଛିବର୍ଷ ପୂର୍ବ ଯାଏଁ ‘କାଲାଜାର’ର ପ୍ରକୋପ ୪ଟି ରାଜ୍ୟର ୫୦ରୁ ଅଧିକ ଜିଲ୍ଲାରେ ବ୍ୟାପକ ଭାବେ ଦେଖାଯାଉଥିଲା। କିନ୍ତୁ ଏବେ ଏହି ରୋଗ ବିହାର ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ମଧ୍ୟରେ ସୀମିତ ହୋଇ ରହିଯାଇଛି। ବିହାର-ଝାଡ଼ଖଣ୍ଡର ଲୋକଙ୍କ ସାମର୍ଥ୍ୟ, ସେମାନଙ୍କ ସଚେତନତା, ଏହି ୪ଟି ଜିଲ୍ଲାରୁ ମଧ୍ୟ ‘କାଲାଜାର’କୁ ଲୋପ କରିବାରେ ସରକାରଙ୍କ ପ୍ରଚେଷ୍ଟାରେ ସହଯୋଗ କରିବ ବୋଲି ମୋର ବିଶ୍ୱାସ। ‘କାଲାଜାର’ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୨ଟି କଥା ଉପରେ ବିଶେଷ ଦୃଷ୍ଟି ଦେବାପାଇଁ ମୁଁ ଅନୁରୋଧ କରୁଛି। ପ୍ରଥମଟି ହେଉଛି, Sand Fly ଉପରେ ନିୟନ୍ତ୍ରଣ, ଏବଂ ଦ୍ୱିତୀୟଟି ହେଲା, ତୁରନ୍ତ ଏହି ରୋଗକୁ ଚିହ୍ନଟ କରି ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରିବା।

‘କାଲାଜାର’ର ଚିକିତ୍ସା ସହଜ ଏବଂ ଏହାର ଚିକିତ୍ସା ପାଇଁ ଲାଗୁଥିବା ଔଷଧଗୁଡ଼ିକ ମଧ୍ୟ ବହୁ ପ୍ରଭାବଶାଳୀ ହୋଇଥାଏ। ଆପଣଙ୍କୁ କେବଳ ସତର୍କ ରହିବାକୁ ହେବ। ଜ୍ୱର ହେଲେ ଅବହେଳା କରନ୍ତୁ ନାହିଁ ଏବଂ Sand Flyକୁ ବିନାଶ କରୁଥିବା ଔଷଧଗୁଡ଼ିକ ମଧ୍ୟ ସିଞ୍ଚନ କରୁଥାନ୍ତୁ। ଟିକିଏ ଚିନ୍ତା କରନ୍ତୁ, ଯେତେବେଳେ ଆମ ଦେଶ ‘କାଲାଜାର’ମୁକ୍ତ ହୋଇଯିବ, ତାହା ଆମପାଇଁ କେତେ ଖୁସିର କଥା ହେବ! ‘ସବ୍କା ପ୍ରୟାସ’ର ଏହି ଚିନ୍ତାଧାରା ଦ୍ୱାରା ଆମେ ଭାରତକୁ ୨୦୨୫ ଯାଏଁ ଯକ୍ଷ୍ମାମୁକ୍ତ କରିବା ପାଇଁ ମଧ୍ୟ କାମ କରୁଛୁ। ଆପଣମାନେ ଦେଖିଥିବେ, ବିଗତ ଦିନରେ ଯେତେବେଳେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଆରମ୍ଭ ହେଲା, ସେତେବେଳେ ହଜାର ହଜାର ଲୋକ ଯକ୍ଷ୍ମାରୋଗୀଙ୍କ ସାହାଯ୍ୟ ପାଇଁ ଆଗେଇଆସିଲେ। ଏହି ଲୋକେ ନିକ୍ଷ୍ୟୟ ମିତ୍ର ହୋଇ ଯକ୍ଷ୍ମାରୋଗୀଙ୍କ ଯତ୍ନ ନେଉଛନ୍ତି ଏବଂ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି। ଜନସେବା ଏବଂ ଜନଭାଗିଦାରୀର ଏହି ଶକ୍ତି ପ୍ରତ୍ୟେକ କଷ୍ଟସାଧ୍ୟ ଲକ୍ଷ୍ୟକୁ ପ୍ରାପ୍ତକରି ଦେଖାଉଛି।

ମୋର ପ୍ରିୟ ଦେଶବାସୀଗଣ, ମାଆ ଗଙ୍ଗାଙ୍କ ସହ ଆମ ପରମ୍ପରା ଓ ସଂସ୍କୃତିର ଅତୁଟ ସମ୍ପର୍କ ରହିଛି। ଗଙ୍ଗା ଜଳ ଆମ ଜୀବନଧାରାର ଅଭିନ୍ନ ଅଙ୍ଗ ଏବଂ ଆମ ଶାସ୍ତ୍ରରେ ମଧ୍ୟ କୁହାଯାଇଛି:

ନମାମି ଗଙ୍ଗେ ତବ ପାଦ ପଙ୍କଜଂ

ସୁର ଅସୁରୈଃ ବନ୍ଦିତ ଦିବ୍ୟରୂପମ୍।

ଭୂକ୍ତିମ୍ ଚ ମୁକ୍ତିମ୍ ଚ ଦଦାସି ନିତ୍ୟମ୍

ଭାବ ଅନୁସାରେଣ ସଦା ନରାଣାମ୍।।

ଅର୍ଥାତ ହେ ମା ଗଙ୍ଗା! ଆପଣ, ନିଜର ଭକ୍ତମାନଙ୍କୁ, ସେମାନଙ୍କ ଭାବ ଅନୁରୂପ ସାଂସାରିକ ସୁଖ, ଆନନ୍ଦ ଓ ମୋକ୍ଷ ପ୍ରଦାନ କରନ୍ତି। ସମସ୍ତେ ଆପଣଙ୍କ ପବିତ୍ର ଚରଣର ବନ୍ଦନା କରନ୍ତି। ମୁଁ ମଧ୍ୟ ଆପଣଙ୍କ ପବିତ୍ର ଚରଣରେ ପ୍ରଣିପାତ କରୁଛି। ଏପରିସ୍ଥଳେ ଯୁଗଯୁଗ ଧରି କଳକଳ ନାଦରେ ବହୁଥିବା ମାଆ ଗଙ୍ଗାକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ବଡ଼ ଦାୟିତ୍ୱ। ଏହି ଉଦ୍ଦେଶ୍ୟରେ, ଆଠ ବର୍ଷ ତଳେ ଆମେ ‘ନମାମି ଗଙ୍ଗେ ଅଭିଯାନ’ ଆରମ୍ଭ କରିଥିଲୁ। ଆମ ସମସ୍ତଙ୍କ ପାଇଁ ଏହା ଗୌରବର କଥା ଯେ ଭାରତର ଏହି ଉଦ୍ୟମକୁ ଆଜି ସମଗ୍ର ବିଶ୍ୱରେ ପ୍ରଶଂସା ମିଳୁଛି। ଜାତିସଂଘ ‘ନମାମି ଗଙ୍ଗେ’ ମିଶନକୁ, ପରିସଂସ୍ଥାକୁ ପୁନରୁଦ୍ଧାର କରୁଥିବା ପୃଥିବୀର ଶ୍ରେଷ୍ଠ ଦଶଟି ଉଦ୍ୟମରେ ଅନ୍ତର୍ଭୁକ୍ତ କରିଛି। ଏହା ଆହୁରି ମଧ୍ୟ ଖୁସିର କଥା ଯେ ସମଗ୍ର ବିଶ୍ୱର ୧୬୦ଟି ଏଭଳି ଉଦ୍ୟମ ମଧ୍ୟରେ ‘ନମାମି ଗଙ୍ଗେ’କୁ ଏହି ସମ୍ମାନ ମିଳିଛି।
ବନ୍ଧୁଗଣ, ‘ନମାମି ଗଙ୍ଗେ’ ଅଭିଯାନର ସବୁଠୁ ବଡ଼ ଶକ୍ତି ଲୋକଙ୍କ ନିରନ୍ତର ସହଭାଗିତା। ‘ନମାମି ଗଙ୍ଗେ’ ଅଭିଯାନରେ, ଗଙ୍ଗା ପ୍ରହରୀ ଓ ଗଙ୍ଗା ଦୂତମାନଙ୍କର ବଡ଼ ଭୂମିକା ଅଛି। ସେମାନେ ଚାରାରୋପଣ, ଘାଟ ସଫେଇ, ଗଙ୍ଗା ଆଳତୀ, ପଥପ୍ରାନ୍ତ ନାଟକ, ପେଣ୍ଟିଙ୍ଗ ଓ କବିତା ମାଧ୍ୟମରେ ସଚେତନତା ସୃଷ୍ଟି କରିବାରେ ଲାଗିପଡ଼ିଛନ୍ତି। ଏହି ଅଭିଯାନ ଦ୍ୱାରା ଜୈବ ବିବିଧତାରେ ମଧ୍ୟ ବହୁତ ସୁଧାର ଦେଖାଯାଉଛି। ହିଲ୍ସା ମାଛ, ଗଙ୍ଗା ଡଲ୍ଫିନ ଓ କଇଁଛର ବିଭିନ୍ନ ପ୍ରଜାତିଗୁଡ଼ିକର ସଂଖ୍ୟା ବହୁତ ବୃଦ୍ଧି ପାଇଛି। ଗଙ୍ଗାର ପରିସଂସ୍ଥା ସ୍ୱଚ୍ଛ ହେବା ଦ୍ୱାରା ଜୀବିକାର ଅନ୍ୟ ସୁଯୋଗ ମଧ୍ୟ ବଢ଼ୁଛି। ଏଠାରେ ମୁଁ “ଜଳଜ ଆଜୀବିକା ମଡେଲ୍’ର କଥା କହିବାକୁ ଚାହିଁବି, ଯାହା ଜୈବ ବିବିଧତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହି ପର୍ଯ୍ୟଟନ-ଆଧାରିତ ନୌକା ସଫାରିଗୁଡ଼ିକୁ ୨୬ଟି ସ୍ଥାନରେ ଉଦ୍ଘାଟନ କରାଯାଇଛି। ‘ନମାମି ଗଙ୍ଗେ’ ମିଶନର ବିସ୍ତାର, ତା’ର ପରିସର ନଦୀର ସଫେଇଠାରୁ ବହୁତ ବଡ଼। ଏହା, ଯେଉଁଠି, ଆମର ଇଚ୍ଛାଶକ୍ତି ଓ ଅବିରତ ପ୍ରୟାସର ଏକ ପ୍ରତ୍ୟକ୍ଷ ପ୍ରମାଣ, ସେଇଠି ଏହା ପରିବେଶ ସଂରକ୍ଷଣ ଦିଗରେ ବିଶ୍ୱକୁ ଏକ ନୂଆ ରାସ୍ତା ଦେଖାଇପାରିବ।

ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ ଆମର ସଙ୍କଳ୍ପ ଶକ୍ତି ମଜଭୁତ ହୋଇଥାଏ, ସେତେବେଳେ ବଡ଼ରୁ ବଡ଼ ଆହ୍ୱାନ ମଧ୍ୟ ସହଜ ହୋଇଯାଏ। ଏହାର ଉଦାହରଣ ରଖିଛନ୍ତି ସିକ୍କିମର ଥେଗୁ ଗାଁର ‘ସଙ୍ଗେ ଶେର୍ପା ଜୀ’। ସେ ଗତ ୧୪ ବର୍ଷ ଧରି ୧୨ ହଜାର ଫୁଟରୁ ମଧ୍ୟ ଅଧିକ ଉଚ୍ଚ ସ୍ଥାନରେ ପରିବେଶ ସୁରକ୍ଷା କାମରେ ଲାଗିଛନ୍ତି। ସଙ୍ଗେ ଜୀ ସାଂସ୍କୃତିକ ଓ ପୌରାଣିକ ମହତ୍ୱ ରହିଥିବା ସୋମ୍ଗୋ ହ୍ରଦକୁ ପରିଷ୍କାର ରଖିବାର କଷ୍ଟ ଉଠାନ୍ନ୍ି। ସେ ଅକ୍ଳାନ୍ତ ପ୍ରୟାସ ଦ୍ୱାରା ଏହି ଗ୍ଲେସିୟର୍ ହ୍ରଦର ରଙ୍ଗରୂପକୁ ହିଁ ବଦଳାଇଦେଇଛନ୍ତି।

୨୦୦୮ରେ ସଙ୍ଗେ ଶେର୍ପା ଜୀ ଯେତେବେଳେ ଏହି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ଦେଖୁଦେଖୁ ତାଙ୍କର ଏହି ଭଲ କାମରେ ଯୁବକ ଯୁବତୀ ଓ ଗ୍ରାମବାସୀଙ୍କ ସହାୟତା ସହିତ ପଂଚାୟତର ସହଯୋଗ ମଧ୍ୟ ମିଳିବାକୁ ଲାଗିଲା। ଆଜି ଆପଣ ଯଦି ସୋମ୍ଗୋ ହ୍ରଦକୁ ଦେଖିବାକୁ ଯିବେ, ତେବେ ସେଠାରେ ଚାରିଆଡ଼େ ଆପଣଙ୍କୁ ବଡ଼ ବଡ଼ ଆବର୍ଜନାକୁଣ୍ଡ ଦେଖିବାକୁ ମିଳିବ। ସେଠାରେ ଜମା ହୋଇଥିବା ମଇଳା ଆବର୍ଜନାକୁ ଏବେ ରିସାଇକ୍ଲିଂ ପାଇଁ ପଠାଯାଉଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ କପଡ଼ାରେ ତିଆରି ଆବର୍ଜନାରଖା ବ୍ୟାଗ୍ ମଧ୍ୟ ଦିଆଯାଏ, ଯେପରିକି ସେମାନେ ବର୍ଜ୍ୟବସ୍ତୁକୁ ଇଆଡ଼େ ସିଆଡ଼େ ଫିଙ୍ଗିବେ ନାହିଁ। ବର୍ତ୍ତମାନ ସଂପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ ହୋଇସାରିଥିବା ଏହି ହ୍ରଦକୁ ଦେଖିବାକୁ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ସୋମ୍ଗୋ ହ୍ରଦର ସୁରକ୍ଷାର ଏହି ନିଆରା ପ୍ରୟାସ ପାଇଁ ସଙ୍ଗେ ଶେର୍ପା ଜୀଙ୍କୁ ଅନେକ ସଂସ୍ଥା ସମ୍ମାନିତ ମଧ୍ୟ କରିଛନ୍ତି। ଏପରି ଏକ ପ୍ରଚେଷ୍ଟା କାରଣରୁ ଆଜି ସିକ୍କିମ୍କୁ ଭାରତର ସବୁଠୁ ସ୍ୱଚ୍ଛ ରାଜ୍ୟ ମଧ୍ୟରେ ଗଣାଯାଉଛି। ମୁଁ ସଙ୍ଗେ ଶେର୍ପା ଜୀ ଏବଂ ତାଙ୍କର ବନ୍ଧୁମାନଙ୍କ ସହ ସମଗ୍ର ଦେଶର ପରିବେଶ ସୁରକ୍ଷା ଭଳି ସୁନ୍ଦର କାର୍ଯ୍ୟରେ ବ୍ରତୀ ଥିବା ଲୋକଙ୍କୁ ମଧ୍ୟ ହୃଦୟର ସହ ପ୍ରଶଂସା କରୁଛି।

ବନ୍ଧୁଗଣ, ମୁଁ ଖୁସି ଯେ ଆଜି ‘ସ୍ୱଚ୍ଛ ଭାରତ ମିଶନ’ ପ୍ରତ୍ୟେକ ଭାରତୀୟଙ୍କ ମନରେ ଓତପ୍ରୋତ ଭାବେ ଜଡ଼ିତ ହୋଇସାରିଛି। ୨୦୧୪ ମସିହାରେ ଏହି ଜନ ଆନ୍ଦୋଳନ ଆରମ୍ଭ ହେବା ସହିତ ଏହାକୁ ନୂଆ ଉଚ୍ଚତାକୁ ନେବା ପାଇଁ ଲୋକେ ଅନେକ ନିଆରା ପ୍ରୟାସ ସବୁ କରିଛନ୍ତି ଏବଂ ଏହି ପ୍ରୟାସ କେବଳ ସମାଜ ଭିତରେ ନୁହେଁ, ବରଂ ସରକାରଙ୍କ ଭିତରେ ମଧ୍ୟ ହେଉଛି। କ୍ରମାଗତ ଏସବୁ ପ୍ରୟାସର ପରିଣାମ ହେଉଛି- ଅଳିଆ ଆବର୍ଜନା ହଟିବା କାରଣରୁ, ଅଦରକାରୀ ଜିନିଷ ହଟିବା କାରଣରୁ, କାର୍ଯ୍ୟାଳୟରେ ବହୁତ ଜାଗା ଖୋଲା ହୋଇଯାଏ ଓ ନୂଆ ସ୍ଥାନ ମିଳିଥାଏ। ପୂର୍ବରୁ ସ୍ଥାନ ଅଭାବରୁ ଦୂର ଜାଗାରେ ଭଡ଼ାରେ କାର୍ଯ୍ୟାଳୟ ଖୋଲିବାକୁ ପଡ଼ୁଥିଲା। ଆଜିକାଲି ସଫାସୁତୁରା କାରଣରୁ ଏତେ ଜାଗା ମିଳିଯାଉଛି ଯେ, ଏବେ ଗୋଟିଏ ସ୍ଥାନରେ ହିଁ ସବୁ ଦପ୍ତର କାର୍ଯ୍ୟ କରୁଛି। ବିଗତ ଦିନରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ମୁମ୍ବଇରେ, ଅହମଦାବାଦରେ, କୋଲକାତାରେ, ସିଲଂରେ, ଅନେକ ସହରରେ ନିଜର କାର୍ଯ୍ୟାଳୟରେ ଯଥେଷ୍ଟ ପ୍ରୟାସ କରାଗଲା ଏବଂ ସେହି କାରଣରୁ ଆଜି ତା’ର ଦୁଇ-ଦୁଇ, ତିନି-ତିନି ମହଲା, ସଂପୂର୍ଣ୍ଣ ରୂପେ ନୂଆ କରି କାମରେ ଆସିପାରିଲା, ନୂଆ ସ୍ଥାନ ମିଳିଗଲା। ଏହା ସ୍ୱୟଂ ସ୍ୱଚ୍ଛତା କାରଣରୁ ଆମ ସମ୍ବଳର ସର୍ବାଧିକ ବ୍ୟବହାରର ଉତମ ଅଭିଜ୍ଞତା। ସମାଜରେ ମଧ୍ୟ, ଗାଁ ଗାଁ, ସହର ସହରରେ ମଧ୍ୟ, ସେହିଭଳି କାର୍ଯ୍ୟାଳୟରେ ମଧ୍ୟ, ଏହି ଅଭିଯାନ ଦେଶ ପାଇଁ ସବୁ ଦିଗରୁ ଉପଯୋଗୀ ସାବ୍ୟସ୍ତ ହେଉଛି।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ନିଜର କଳା-ସଂସ୍କୃତିକୁ ନେଇ ଏକ ନୂଆ ସଚେତନତା ଆସୁଛି, ଏକ ନୂଆ ଚେତନା ଜାଗ୍ରତ ହେଉଛି। ‘ମନ କୀ ବାତ୍’ରେ, ଆମେ, ପ୍ରାୟ ଏପରି ଉଦାହରଣଗୁଡ଼ିକର ଚର୍ଚା ମଧ୍ୟ କରିଥାଉ। ଯେପରିକି କଳା, ସାହିତ୍ୟ ଓ ସଂସ୍କୃତି ସମାଜର ସାମୂହିକ ପୁଞ୍ଜି, ସେହିପରି ସେଗୁଡ଼ିକୁ, ଆଗକୁ ବଢ଼ାଇବାର ଦାୟିତ୍ୱ ମଧ୍ୟ ସମଗ୍ର ସମାଜର। ଏପରି ଏକ ସଫଳ ପ୍ରୟାସ ଲାକ୍ଷାଦ୍ୱୀପରେ ହେଉଛି। ଏଠାକାର କଳ୍ପେନୀ ଦ୍ୱୀପରେ ଏକ କ୍ଲବ ଅଛି- କୁମେଲ୍ ବ୍ରଦର୍ସ ଚ୍ୟାଲେଞ୍ଜର୍ସ କ୍ଲବ। ଏହି କ୍ଲବ ଯୁବକଯୁବତୀମାନଙ୍କୁ ସ୍ଥାନୀୟ ସଂସ୍କୃତି ଓ ପାରମ୍ପରିକ କଳାର ସଂରକ୍ଷଣ ପାଇଁ ପ୍ରେରିତ କରିଥାଏ। ଏଠାରେ ଯୁବକଯୁବତୀଙ୍କୁ ସ୍ଥାନୀୟ କଳା କୋଲକଲି, ପରିଚାକଲି, କିଲିପ୍ପାଟ୍ଟ୍ ଓ ପାରମ୍ପରିକ ଗୀତର ତାଲିମ ଦିଆଯାଏ। ଅର୍ଥାତ ପୁରୁଣା ଐତିହ୍ୟ, ନୂଆ ପିଢ଼ି ହାତରେ ସୁରକ୍ଷିତ ହେଉଛି, ଆଗକୁ ବଢ଼ୁଛି ଏବଂ ବନ୍ଧୁଗଣ, ମୋତେ ଖୁସି ଲାଗୁଛି ଯେ ଏହି ପ୍ରକାରର ପ୍ରୟାସ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ହେଉଛି। ଏଇ ନିକଟରେ ହିଁ ଦୁବାଇରୁ ଖବର ଆସିଛି ଯେ ସେଠାକାର କଲାରି କ୍ଲବ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ନିଜର ନାଁ ସାମିଲ କରିଛି। ଯେ କେହି ଭାବିପାରେ ଯେ ଦୁବାଇର କ୍ଲବ ରେକର୍ଡ କଲା ତ ଏଥିରେ ଭାରତ ସହ ତା’ର କ’ଣ ସମ୍ବନ୍ଧ? ପ୍ରକୃତରେ, ଏହି ରେକର୍ଡ, ଭାରତର ପ୍ରାଚୀନ ମାର୍ଶାଲ୍ ଆର୍ଟ କଲାରିପୟଟ୍ଟୁ ସହିତ ସମ୍ପୃକ୍ତ। ଏହି ରେକର୍ଡ ଏକାସଂଗେ ସର୍ବାଧିକ ଲୋକଙ୍କ ଦ୍ୱାରା କଲାରି ପ୍ରଦର୍ଶନ ଦ୍ୱାରା ହୋଇଛି। ଦୁବାଇର କଲାରି କ୍ଲବ ଦୁବାଇ ପୁଲିସ ସହ ମିଶି ଏହି ଯୋଜନା କରିଥିଲା ଏବଂ ୟୁଏଇର ଜାତୀୟ ଦିବସରେ ପ୍ରଦର୍ଶନ କରିଥିଲା। ଏହି ଆୟୋଜନରେ ୪ ବର୍ଷର ପିଲାଠୁ ଆରମ୍ଭ କରି ୬୦ ବର୍ଷ ବୟସର ଲୋକେ କଲାରିରେ ନିଜନିଜ କୌଶଳର ଚମତ୍କାର ପ୍ରଦର୍ଶନ କରିଥିଲେ। ଭିନ୍ନ ଭିନ୍ନ ପିଢ଼ି କିପରି ଏକ ପ୍ରାଚୀନ ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି, ପୂରା ମନୋଯୋଗରେ ବଢ଼ାଉଛନ୍ତି, ଏହା ତା’ର ଶ୍ରେଷ୍ଠ ଉଦାହରଣ।

ବନ୍ଧୁଗଣ, ‘ମନ କୀ ବାତ୍’ର ଶ୍ରୋତାମାନଙ୍କୁ ମୁଁ କର୍ଣ୍ଣାଟକର ଗଡକ ଜିଲାରେ ରହୁଥିବା କ୍ୱେମ୍ଶ୍ରୀ ଜୀଙ୍କ ସମ୍ପର୍କରେ ଜଣାଇବାକୁ ଚାହୁଁଛି। କ୍ୱେମ୍ଶ୍ରୀ ଦକ୍ଷିଣରେ କର୍ଣ୍ଣାଟକର କଳା-ସଂସ୍କୃତିକୁ ପୁନର୍ଜୀବିତ କରିବା ମିଶନରେ ଗତ ୨୫ ବର୍ଷ ଧରି ଅନବରତ ଲାଗିଛନ୍ତି । ଆପଣ କଳ୍ପନା କରିପାରୁଥିବେ ଯେ ତାଙ୍କର ତପସ୍ୟା କେତେ ବଡ଼। ପ୍ରଥମେ ତ ସେ ହୋଟେଲ୍ ମ୍ୟାନେଜ୍ମେଣ୍ଟ ବୃତ୍ତି ସହିତ ସଂପୃକ୍ତ ଥିଲେ। କିନ୍ତୁ, ନିଜର ସଂସ୍କୃତି ଓ ପରମ୍ପରା ସହିତ ତାଙ୍କର ଏତେ ଗଭୀର ଆସକ୍ତି ଥିଲା ଯେ ସେ ଏହାକୁ ନିଜର ମିଶନ କରିଦେଲେ। ସେ ‘କଳା ଚେତନା’ ନାମରେ ଏକ ମଞ୍ଚ ଗଢ଼ିଲେ। ଏହି ମଞ୍ଚ, ଆଜି କର୍ଣ୍ଣାଟକର, ଏବଂ ଦେଶ-ବିଦେଶର କଳାକାରମାନଙ୍କର, ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏଥିରେ ସ୍ଥାନୀୟ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ସୃଜନଶୀଳ କାମ ମଧ୍ୟ ଅନ୍ତର୍ଭୁକ୍ତ।

ବନ୍ଧୁଗଣ, ନିଜର କଳା-ସଂସ୍କୃତି ପ୍ରତି ଦେଶବାସୀଙ୍କର ଏହି ଉତ୍ସାହ ‘ନିଜ ଐତିହ୍ୟ ଉପରେ ଗର୍ବ’ର ଭାବନାର ହିଁ ପ୍ରକଟିକରଣ। ଆମ ଦେଶରେ ତ ପ୍ରତି କୋଣ ଅନୁକୋଣରେ ଏପରି କେତେ ରଙ୍ଗ ପଡ଼ିରହିଛି। ଆମେ ମଧ୍ୟ ସେଗୁଡ଼ିକୁ ସାଜସଜ୍ଜା ଓ ସଂରକ୍ଷିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରିବା ଉଚିତ।

ମୋର ପ୍ରିୟ ଦେଶବାସୀଗଣ, ଦେଶର ଅନେକ ଅଞ୍ଚଳରେ ବାଉଁଶରେ ଅନେକ ସୁନ୍ଦର ଓ ଉପଯୋଗୀ ଜିନିଷ ତିଆରି କରାଯାଏ। ବିଶେଷ ଭାବେ ଆଦିବାସୀ ଅଞ୍ଚଳରେ ବାଉଁଶର ଦକ୍ଷ କାରିଗର, ଦକ୍ଷ କଳାକାର ଅଛନ୍ତି। ଯେବେଠୁ ଦେଶରେ ବାଉଁଶ ସମ୍ବନ୍ଧୀୟ ଇଂରେଜ ଅମଳର ଆଇନକୁ ବଦଳାଯାଇଛି, ଏହାର ଏକ ବଡ଼ ବଜାର ଗଢ଼ିଉଠିଛି। ମହାରାଷ୍ଟ୍ରର ପାଲ୍ଘର ଭଳି ଅଂଚଳରେ ମଧ୍ୟ ଆଦିବାସୀ ସମାଜର ଲୋକେ ବାଉଁଶରୁ ଅନେକ ସୁନ୍ଦର ଜିନିଷ ତିଆରି କରନ୍ତି। ବାଉଁଶରେ ତିଆରି ବାକ୍ସ, ଚଉକି, ଚା’ଦାନି, ଟୋକେଇ, ଓ ଟ୍ରେ ଭଳି ଜିନିଷ ଖୁବ୍ ଲୋକପ୍ରିୟ ହେଉଛି। କେବଳ ସେତିକି ନୁହେଁ, ଏହି ଲୋକେ ବାଉଁଶ ଘାସରୁ ସୁନ୍ଦର କପଡ଼ା ଓ ସାଜସଜ୍ଜାର ଜିନିଷ ମଧ୍ୟ ତିଆରି କରନ୍ତି। ଏହାଦ୍ୱାରା ଆଦିବାସୀ ମହିଳାଙ୍କୁ ରୋଜଗାର ମିଳୁଛି, ଏବଂ ସେମାନଙ୍କ କଳାନୈପୁଣ୍ୟକୁ ପରିଚୟ ମଧ୍ୟ ମିଳୁଛି।

ବନ୍ଧୁଗଣ, କର୍ଣ୍ଣାଟକର ଏକ ଦମ୍ପତି ଗୁଆ ତନ୍ତୁରେ ତିଆରି ଅନେକ ନିଆରା ଜିନିଷ ଆନ୍ତର୍ଜାତିକ ବଜାରରେ ବିକ୍ରି କରୁଛନ୍ତି। କର୍ଣ୍ଣାଟକ ଶିବମୋଗାର ଏହି ଦମ୍ପତି ହେଉଛନ୍ତି ଶ୍ରୀମାନ ସୁରେଶ ଓ ତାଙ୍କ ପତ୍ନୀ ଶ୍ରୀମତୀ ମୈଥିଳୀ। ଏମାନେ ଗୁଆ ତନ୍ତୁରେ ଟ୍ରେ, ପ୍ଲେଟ୍ ଓ ହାତବ୍ୟାଗ୍ଠୁ ଆରମ୍ଭ କରି ଅନେକ ସାଜସଜ୍ଜାର ଜିନିଷ ତିଆରି କରୁଛନ୍ତି। ଏହି ତନ୍ତୁରେ ତିଆରି ଚପଲ୍ ମଧ୍ୟ ଆଜି ବହୁତ ଲୋକଙ୍କର ପସନ୍ଦ ହେଉଛି। ତାଙ୍କ ପ୍ରସ୍ତୁତ ଜିନିଷପତ୍ର ଆଜି ଲଣ୍ଡନ ଓ ଇଉରୋପର ବଜାରମାନଙ୍କରେ ବିକ୍ରି ହେଉଛି। ଏହା ହିଁ ତ ଆମର ପ୍ରାକୃତିକ ସମ୍ବଳ ଓ ପାରମ୍ପରିକ ଦକ୍ଷତାର ଚମତ୍କାରିତା, ଯାହା ସମସ୍ତଙ୍କର ପସନ୍ଦ ହେଉଛି। ଭାରତର ଏହି ପାରମ୍ପରିକ ଜ୍ଞାନ ମଧ୍ୟରେ ବିଶ୍ୱ ଧାରଣକ୍ଷମ ଭବିଷ୍ୟତର ରାସ୍ତା ଦେଖୁଛି। ଆମେ, ନିଜେ ମଧ୍ୟ ଏ ଦିଗରେ ଅଧିକରୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି। ଆମେ ନିଜେ ମଧ୍ୟ ଏପରି ସ୍ୱଦେଶୀ ଓ ସ୍ଥାନୀୟ ଜିନିଷ ବ୍ୟବହାର କରିବା ଏବଂ ଅନ୍ୟକୁ ମଧ୍ୟ ଏହା ଉପହାର ଦେବା। ଏହାଦ୍ୱାରା ଆମର ପରିଚୟ ମଜଭୁତ ହେବ, ସ୍ଥାନୀୟ ଅର୍ଥବ୍ୟବସ୍ଥା ମଧ୍ୟ ମଜଭୁତ ହେବ ଏବଂ ବହୁ ଲୋକଙ୍କ ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ହେବ।

ମୋର ପ୍ରିୟ ଦେଶବାସୀଗଣ, ଏବେ ଆମେ ଧୀରେଧୀରେ ‘ମନ୍ କୀ ବାତ’ର ଶହେତମ ଅଧ୍ୟାୟର ଅଭୂତପୂର୍ବ ପର୍ଯ୍ୟାୟ ଆଡ଼କୁ ଅଗ୍ରସର ହେଉଛୁ। ମୋତେ ଅନେକ ଦେଶବାସୀଙ୍କଠାରୁ ଚିଠି ମିଳିଛି, ଯେଉଁଥିରେ ସେମାନେ ଶହେତମ ଅଧ୍ୟାୟ ସମ୍ପର୍କରେ ବଡ଼ ଜିଜ୍ଞାସା ପ୍ରକାଶ କରିଛନ୍ତି। ଶହେତମ ଅଧ୍ୟାୟରେ ଆମେ କି କଥା ହେବା, ତାକୁ କିପରି ସ୍ୱତନ୍ତ୍ର କରିବା, ସେଥିପାଇଁ ଆପଣମାନେ ନିଜ ନିଜର ପରାମର୍ଶ ପଠାଇଲେ ମୋତେ ବହୁତ ଖୁସି ଲାଗିବ। ଆସନ୍ତା ଥର ଆମେ ୨୦୨୩ ରେ ଭେଟିବା। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବର୍ଷ ୨୦୨୩ ପାଇଁ ଶୁଭକାମନା ଜଣାଉଛି। ଏହି ବର୍ଷ ମଧ୍ୟ ଦେଶପାଇଁ ସ୍ୱତନ୍ତ୍ର ହେଉ, ଦେଶ ନୂଆ ଉଚ୍ଚତାକୁ ଛୁଉଁ, ଆମ ସମସ୍ତଙ୍କୁ ମିଶି ସଂକଳ୍ପ ନେବାର ଅଛି, ତାକୁ ସାକାର ମଧ୍ୟ କରିବାର ଅଛି। ବର୍ତ୍ତମାନ ବହୁତ ଲୋକ ଛୁଟି କଟାଇବା moodରେ ଅଛନ୍ତି। ଆପଣ ପବପର୍ବାଣୀର, ଏହି ଅବସରଗୁଡ଼ିକର ଖୁବ୍ ମଜା ନିଅନ୍ତୁ, କିନ୍ତୁ ଟିକିଏ ସତର୍କ ମଧ୍ୟ ରହନ୍ତୁ। ଆପଣ ମଧ୍ୟ ଦେଖୁଛନ୍ତି ଯେ ପୃଥିବୀର ଅନେକ ଦେଶରେ କରୋନା ବଢ଼ୁଛି, ସେଥିପାଇଁ ଆମକୁ ମାସ୍କ ପିନ୍ଧିବା ଓ ହାତ ଧୋଇବା ପରି ସାବଧାନତାଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଆମେ ସାବଧାନ ରହିବା ତ ସୁରକ୍ଷିତ ମଧ୍ୟ ରହିବା ଏବଂ ଆମର ଖୁସିବାସିରେ କୌଣସି ବାଧା ଉପୁଜିବ ନାହିଁ। ଏଥିସହ, ଆପଣ ସମସ୍ତଙ୍କୁ ପୁଣିଥରେ ବହୁତ ଶୁଭକାମନା। ବହୁତ ବହୁତ ଧନ୍ୟବାଦ। ନମସ୍କାର।