ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୬ ତମ “ମନ୍ କି ବାତ୍”

Published: Oct 29, 2023, 2:30 pm IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡିଓ ଅଭିଭାଷଣର ୧୦୬ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଆସନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍” ର ସଂପୂର୍ଣ୍ଣ ଅଭିଭାଷଣ ପଢିବା….

ମୋର ପ୍ରିୟ ପରିବାରଜନ, ନମସ୍କାର। ‘ମନ୍ କି ବାତ୍’ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। ଏହି ଅଧ୍ୟାୟ ଏଭଳି ସମୟରେ ହେଉଛି, ଯେତେବେଳେ ସାରା ଦେଶରେ ଉତ୍ସବର ବାତାବରଣ ରହିଛି। ଆପଣ ସମସ୍ତଙ୍କୁ ଆଗାମୀ ପର୍ବପର୍ବାଣୀ ପାଇଁ ଅନେକ ଅନେକ ଅଭିନନ୍ଦନ।

ବନ୍ଧୁଗଣ, ଉତ୍ସବର ଏହି ଆନନ୍ଦ ଉଲ୍ଲାସ ମଧ୍ୟରେ ଦିଲ୍ଲୀର ଗୋଟିଏ ଖବରରୁ ହିଁ ମୁଁ ‘ମନ୍ କି ବାତ୍’କୁ ଆରମ୍ଭ କରିବାକୁ ଚାହୁଁଛି । ଏହି ମାସ ଆରମ୍ଭରେ ଗାନ୍ଧି ଜୟନ୍ତୀ ଅବସରରେ ଦିଲ୍ଲୀରେ ରେକର୍ଡ଼ ସଂଖ୍ୟକ ଖଦି ବସ୍ତ୍ର ବିକ୍ରି ହୋଇଛି । ଏଠାରେ କନଟ୍ ପ୍ଲେସ୍ ର ମାତ୍ର ଗୋଟିଏ ଖଦି ଷ୍ଟୋର୍ ରେ ଗୋଟିଏ ଦିନରେ ଲୋକେ ଦେଢ଼ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବସ୍ତ୍ର କିଣିଛନ୍ତି । ଚଳିତ ମାସରେ ଚାଲିଥିବା ଖଦି ମହୋତ୍ସବ ପୁଣିଥରେ ଏହାର ସମସ୍ତ ପୁରୁଣା ରେକର୍ଡ଼ ଭଙ୍ଗ କରିଦେଇଛି । ଆଉ ଗୋଟିଏ କଥା ଜାଣି ଆପଣଙ୍କୁ ବହୁତ ଭଲ ଲାଗିବ, ଦଶବର୍ଷ ଆଗରୁ ଯେଉଁ ଖଦି ଉତ୍ପାଦଗୁଡ଼ିକର ବିକ୍ରି ବଡ଼ କଷ୍ଟରେ ୩୦ ହଜାର କୋଟି ଟଙ୍କାରୁୁ ମଧ୍ୟ କମ ରହୁଥିଲା, ଏବେ ଏହା ବୃଦ୍ଧି ପାଇ ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ହୋଇଯାଇଛି । ଖଦି ବିକ୍ରୟ ବୃଦ୍ଧି ପାଇବାର ଅର୍ଥ ହେଲା ଏହାର ଲାଭ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ବିଭିନ୍ନ ଶ୍ରେଣୀର ଲୋକଙ୍କ ପାଖକୁ ପହଂଚୁଛି । ଏହି ବିକ୍ରୟର ଲାଭ ଆମ ବୁଣାକାର, ହସ୍ତଶିଳ୍ପ କାରିଗର, ଆମ ଚାଷୀ, ଆୟୁର୍ବେଦିକ ଗୁଳ୍ମ ଲଗାଉଥିବା କୁଟୀର ଉଦ୍ୟୋଗୀ – ସମସ୍ତଙ୍କୁ ମିଳୁଛି । ଆଉ, ଏହାହିଁ ତ ହେଉଛି, ଭୋକାଲ୍ ଫର୍ ଲୋକାଲ୍ ଅଭିଯାନର ଶକ୍ତି । ଧିରେ ଧିରେ ଆପଣ ସମସ୍ତ ଦେଶବାସୀଙ୍କ ସମର୍ଥନ ଏଥି ପ୍ରତି ବୃଦ୍ଧି ପାଇଚାଲିଛି ।

ବନ୍ଧୁଗଣ, ଆଜି ମୁଁ ମୋର ଆଉ ଗୋଟିଏ ଅନୁରୋଧ ଆପଣମାନଙ୍କ ଆଗରେ ଦୋହରାଇବାକୁ ଚାହୁଁଛି । ଅତ୍ୟନ୍ତ ଆନ୍ତରିକତାର ସହ ଦୋହରାଇବାକୁ ଚାହୁଁଛି । ଆପଣ ଯେତେବେଳେ ବି କୌଣସି ପର୍ଯ୍ୟଟନ, ତୀର୍ଥାଟନ ଉଦ୍ଦେଶ୍ୟରେ ଯାଉଛନ୍ତି, ସେତେବେଳେ ସେଠାକାର ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଜିନିଷମାନ ନିଶ୍ଚୟ କିଣନ୍ତୁ । ଆପଣ ନିଜର ସେହି ଯାତ୍ରାର ସମୁଦାୟ ବଜେଟ୍ରୁ ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣିବା ପାଇଁ କିଛି ଅଂଶ ନିର୍ଦ୍ଧାରିତ କରିବାକୁ ଅଗ୍ରାଧିକାର ଦିଅନ୍ତୁ । ୧୦ ପ୍ରତିଶତ ହେଉ, ୨୦ ପ୍ରତିଶତ ହେଉ, ଯେତିକି ଆପଣଙ୍କୁ ସୁବିଧା ହେଉଛି, ଲୋକାଲ୍ ଉତ୍ପାଦ କିଣିବାରେ ଏହାକୁ ଖର୍ଚ୍ଚ କରନ୍ତୁ ଏବଂ ସେହି ସ୍ଥାନରେ ହିଁ ଖର୍ଚ୍ଚ କରନ୍ତୁ ।

ବନ୍ଧୁଗଣ, ପ୍ରତିଥର ପରି ଏଥର ମଧ୍ୟ, ଆମ ପର୍ବପର୍ବାଣୀରେ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଆମ ଅଗ୍ରାଧିକାର ରହୁ । ଆମେ ମିଶିକରି ସେହି ସ୍ୱପ୍ନକୁ ପୂରଣ କରିବା । ଆମର ସ୍ୱପ୍ନ ହେଉଛି ଆତ୍ମନିର୍ଭର ଭାରତ । ଏଥର ସେହିଭଳି ବସ୍ତୁ ଦ୍ୱାରା ଘରକୁ ଆଲୋକିତ କରନ୍ତୁ, ଯେଉଁଥିରେ ମୋର କୌଣସି ଦେଶବାସୀର ସ୍ୱେଦର ମହକ ଥିବ, ମୋ ଦେଶର କୌଣସି ଯୁବକର ପ୍ରତିଭା ଥିବ, ସେହି ଜିନିଷ ତିଆରି ହେବାରେ ମୋ ଦେଶବାସୀ ରୋଜଗାର ପାଇଥିବେ! ଆମ ଦୈନନ୍ଦିନ ଆବଶ୍ୟକତାର ଯେକୌଣସି ଜିନିଷ ହେଉ, ଆମେ କେବଳ ଲୋକାଲ୍ ହିଁ କିଣିବା । କିନ୍ତୁ ଆଉ ଗୋଟିଏ କଥା ଉପରେ ଆପଣଙ୍କୁ ଦୃଷ୍ଟି ଦେବାକୁ ହେବ ।

ଭୋକାଲ୍ ଫର୍ ଲୋକାଲ୍ ର ଏହି ଭାବନା କେବଳ ଉତ୍ସବ ସମୟର କିଣାକିଣି ମଧ୍ୟରେ ସୀମିତ ନୁହେଁ, କାରଣ ମୁଁ ଦେଖିଛି ଯେ, ଦୀପାବଳୀ ପାଇଁ ମାଟି ଦୀପ କିଣି ସେ କଥାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖନ୍ତି ଭୋକାଲ୍ ଫର୍ ଲୋକାଲ୍ । ଆରେ ନା! ଇଏ ତ କେବଳ ଆରମ୍ଭ ମାତ୍ର । ଆମକୁ ଆହୁରି ବହୁତ ଆଗକୁ ଯିବାକୁ ହେବ । ଜୀବନର ପ୍ରତ୍ୟେକ ଆବଶ୍ୟକତା – ଏବେ ଆମ ଦେଶରେ ସବୁ କିଛି ଉପଲବ୍ଧ । ଏହି ଦୃଷ୍ଟିଭଙ୍ଗୀ କେବଳ ଉଠାଦୋକାନୀ ଏବଂ ଛୋଟ ବ୍ୟବସାୟୀଙ୍କ ଠାରୁ ଜିନିଷ କିଣିବା ଯାଏଁ ସୀମିତ ନୁହେଁ ।

ଭାରତ ଆଜି ବିଶ୍ୱର ସବୁଠାରୁ ବଡ଼ ମାନ୍ୟୁଫାକ୍ଚରିଙ୍ଗ ହବ୍ ହେବାକୁ ଯାଉଛି । ଅନେକ ବଡ଼ ବଡ଼ ବ୍ରାଣ୍ଡ ଏଠାରେ ହିଁ ତାଙ୍କ ପ୍ରଡକ୍ଟ ଉତ୍ପାଦନ କରୁଛନ୍ତି । ଆମେ ଯଦି ସେହି ପ୍ରଡକ୍ଟଗୁଡ଼ିକୁ ଆପଣାଇବା ତାହେଲେ ମେକ୍ ଇନ୍ ଇଣ୍ଡିଆ ଚିନ୍ତାଧାରା ପ୍ରୋତ୍ସାହିତ ହେବ । ଏହା ମଧ୍ୟ ପ୍ରକାରାନ୍ତରେ ଭୋକାଲ୍ ଫର୍ ଲୋକାଲ୍ର ଅନୁସରଣ । ଆଉ ହଁ, ଏଭଳି ପ୍ରଡକ୍ଟ କ୍ରୟ କରିବା ସମୟରେ ଆମ ଦେଶର ଗୌରବ ୟୁ.ପି.ଆଇ. ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଦ୍ୱାରା ନେଣଦେଣ କରିବା ପାଇଁ ଆଗ୍ରହୀ ହେବେ, ଏହାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବେ । ଆଉ, ସେହି ବସ୍ତୁ କିମ୍ବା ସେହି କାରିଗର ସହିତ ଉଠାଇଥିବା ସେଲ୍ଫିକୁ ନମୋ ଆପ୍ରେ ମୋ ସହ ଶେୟାର କରିବେ, ଆଉ ତାହା ବି ମେଡ୍ ଇନ୍ ଇଣ୍ଡିଆ- ସ୍ମାର୍ଟଫୋନ ଦ୍ୱାରା । ସେହି ପୋଷ୍ଟଗୁଡ଼ିକ ମଧ୍ୟରୁ କିଛିକୁ ମୁଁ ସାମାଜିକ ଗଣମାଧ୍ୟମରେ ଶେୟାର କରିବି, ଯାହାଫଳରେ ଅନ୍ୟମାନେ ମଧ୍ୟ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଅନୁପ୍ରାଣିତ ହେବେ ।

ବନ୍ଧୁଗଣ, ଯଦି ଆପଣ ଭାରତରେ ନିର୍ମିତ, ଭାରତୀୟମାନଙ୍କ ଦ୍ୱାରା ନିର୍ମିତ ଦ୍ରବ୍ୟଗୁଡ଼ିକ ସହିତ ଦୀପାବଳୀ ପାଳନ କରିବେ, ନିଜ ପରିବାରର ପ୍ରତ୍ୟେକ ଛୋଟ-ବଡ଼ ଆବଶ୍ୟକତା ଲୋକାଲ୍ ଜିନିଷ ଦ୍ୱାରା ପୂରଣ କରିବେ, ତାହେଲେ ଦୀପାବଳୀର ଚମକ ତ ଆହୁରି ବଢ଼ିଯିବ, ତା ସହିତ ସେହି କାରିଗରମାନଙ୍କ ଜୀବନରେ ଗୋଟିଏ ନୂତନ ଦୀପାବଳୀ ଆସିବ, ଜୀବନରେ ଏକ ନବପ୍ରଭାତ ଆସିବ, ସେମାନଙ୍କ ଜୀବନ ସରସ-ସୁନ୍ଦର ହେବ । ଭାରତକୁ ଆତ୍ମନିର୍ଭର କରନ୍ତୁ । ମେକ୍ ଇନ୍ ଇଣ୍ଡିଆ ହିଁ ବାଛନ୍ତୁ, ଯାହାଫଳରେ ଆପଣଙ୍କ ସହିତ ଆହୁରି କୋଟି କୋଟି ଲୋକଙ୍କ ଦୀପାବଳୀ ମଧ୍ୟ ସୁନ୍ଦର ହେବ, ଆନନ୍ଦଦାୟକ ହେବ, ଉଜ୍ଜ୍ୱଳ ହେବ, ଉତ୍ସାହଜନକ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବର ୩୧ ତାରିଖ ହେଉଛି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ । ସେହିଦିନ ଆମେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ପାଳନ କରିଥାଉଁ । ଆମେ ଭାରତବାସୀ, ଅନେକ କାରଣରୁ ତାଙ୍କୁ ସ୍ମରଣ କରିଥାଉଁ ଏବଂ ସଶ୍ରଦ୍ଧ ପ୍ରଣାମ କରିଥାଉଁ । ସବୁଠାରୁ ବଡ଼ କାରଣ ହେଉଛି ଦେଶର ୫୮୦ରୁ ଅଧିକ ଦେଶୀୟ ରାଜ୍ୟଗୁଡ଼ିକୁ ଯୋଡ଼ିବାରେ ତାଙ୍କର ଅତୁଳନୀୟ ଭୂମିକା ରହିଛି । ଆମେ ଜାଣୁ ଯେ, ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ଏକତା ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଥର ଏହି ସମାରୋହ ବ୍ୟତୀତ, ଦିଲ୍ଲୀଠାରେ କର୍ତ୍ତବ୍ୟପଥରେ ଗୋଟିଏ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ଆପଣଙ୍କ ମନେ ଥିବ, ବିଗତ ଦିନରେ ମୁଁ ଦେଶର ପ୍ରତ୍ୟେକ ଗାଁରୁ ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରିବା ପାଇଁ ଅନୁରୋଧ କରିଥିଲି । ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରାଯିବା ପରେ ସେଗୁଡ଼ିକୁ କଳସରେ ରଖାଗଲା ଏବଂ ଅମୃତ କଳସ ଯାତ୍ରାର ଆୟୋଜନ କରାଗଲା । ଦେଶର କୋଣ ଅନୁକୋଣରୁ ସଂଗୃହିତ ଏହି ମାଟି, ଏହି ହଜାର ହଜାର ଅମୃତ କଳସ ଯାତ୍ରା ଏବେ ଦିଲ୍ଲୀ ପହଂଚିବ । ଏହି ଦିଲ୍ଲୀରେ ସେହି ମାଟିକୁ ଗୋଟିଏ ବିରାଟ ଭାରତ କଳସରେ ପକାଯିବ ଏବଂ ସେହି ପବିତ୍ର ମାଟିରେ ଦିଲ୍ଲୀରେ ଅମୃତ ବାଟିକାର ନିର୍ମାଣ ହେବ । ଏହା ଦେଶର ରାଜଧାନୀର ହୃଦୟରେ ଅମୃତ ମହୋତ୍ସବର ଭବ୍ୟ ଐତିହ୍ୟ ରୂପେ ରହିଥିବ । ଅକ୍ଟୋବର ୩୧ ତାରିଖ ଦିନ ହିଁ ସମଗ୍ର ଦେଶରେ ବିଗତ ଅଢ଼େଇ ବର୍ଷ ଧରି ଚାଲିଥିବା ଆଜାଦୀ କା ଅମୃତ ମହୋତ୍ସବର ସମାପନ ହେବ । ଆପଣ ସମସ୍ତେ ମିଶି ଏହାକୁ ବିଶ୍ୱର ସବୁଠାରୁ ଦୀର୍ଘ ସମୟ ଧରି ଚାଲିଥିବା ମହୋତ୍ସବମାନଙ୍କ ମଧ୍ୟରେ ଅନନ୍ୟ କରିଦେଲେ । ଆମ ସୈନିକମାନଙ୍କ ସମ୍ମାନ ହେଉ କି ହର୍ ଘର୍ ତିରଙ୍ଗା, ସ୍ୱାଧୀନତାର ଅମୃତ ମହୋତ୍ସବରେ ଲୋକେ ନିଜର ସ୍ଥାନୀୟ ଇତିହାସକୁ ଗୋଟିଏ ନୂତନ ପରିଚୟ ପ୍ରଦାନ କରିଛନ୍ତି । ଏହି ସମୟରେ ସାମୁଦାୟିକ ସେବାର ମଧ୍ୟ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିଛି ।

ବନ୍ଧୁଗଣ, ମୁଁ ଆଜି ଆପଣମାନଙ୍କୁ ଆଉ ଗୋଟିଏ ଖୁସି ଖବର ଶୁଣାଉଛି, ବିଶେଷକରି ମୋର ଯୁବବର୍ଗର ପୁଅ-ଝିଅମାନଙ୍କୁ, ଯେଉଁମାନଙ୍କ ମନରେ ଦେଶ ପାଇଁ କିଛି କରିବାର ଉତ୍ସାହ ଭରିରହିଛି, ସ୍ୱପ୍ନ ରହିଛି, ସଂକଳ୍ପ ରହିଛି। ଏହି ଖୁସି ଖବର ଦେଶବାସୀମାନଙ୍କ ପାଇଁ ତ ନିଶ୍ଚିତ ଭାବେ ଉଦ୍ଦିଷ୍ଟ, କିନ୍ତୁ ମୋର ଏହି ଯୁବବନ୍ଧୁମାନଙ୍କ ପାଇଁ ବିଶେଷଭାବେ ରହିଛି । ଦୁଇ ଦିନ ପରେ ହିଁ, ଅକ୍ଟୋବର ୩୧ ତାରିଖରେ, ସର୍ଦ୍ଦାର ସାହେବଙ୍କ ଜନ୍ମଦିନରେ ହିଁ ଗୋଟିଏ ବହୁତ ବଡ଼ ଜାତୀୟସ୍ତରର ସଂଗଠନର ମୂଳଦୁଆ ପଡ଼ିବାକୁ ଯାଉଛି । ଏହି ସଂଗଠନର ନାମ ହେଉଛି “ମେରା ଯୁବା ଭାରତ” ବା ମାଇ୍ ଭାରତ । ମାଇ୍ ଭାରତ ସଂଗଠନ ଭାରତର ଯୁବବର୍ଗଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ ଆୟୋଜନରେ ନିଜର ସକ୍ରିୟ ଭୂମିକା ତୁଲାଇବା ପାଇଁ ସୁଯୋଗ ପ୍ରଦାନ କରିବ । ଏହା ବିକଶିତ ଭାରତର ନିର୍ମାଣରେ ଭାରତର ଯୁବ ଶକ୍ତିକୁ ଏକଜୁଟ୍ କରିବାର ଗୋଟିଏ ଅନନ୍ୟ ପ୍ରୟାସ । “ମେରା ଯୁବା ଭାରତ”ର ୱେବ୍ସାଇଟ୍ MYBharat ମଧ୍ୟ ଆରମ୍ଭ ହେବାକୁ ଯାଉଛି ।

ମୁଁ ଯୁବପିଢ଼ିଠାରୁ ଆଶା କରିବି, ବାରମ୍ବାର ଚାହିଁବି ଯେ, ଆପଣ ସମସ୍ତେ ମୋ ଦେଶର ନବଯୁବକ, ଆପଣ ସମସ୍ତେ ମୋ ଦେଶର ପୁଅଝିଅ MYBharat.Gov.inରେ ପଞ୍ଜିକରଣ କରନ୍ତୁ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ Sign Up କରନ୍ତୁ । ଅକ୍ଟୋବର ୩୧ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧିଜୀଙ୍କ ପୁଣ୍ୟତିଥି । ମୁଁ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋର ପରିବାରଜନ, ଆମର ସାହିତ୍ୟ, ଏକ ଭାରତ-ଶ୍ରେଷ୍ଠ ଭାରତର ଭାବନାକୁ ପ୍ରଗାଢ଼ କରିବାର ସର୍ବଶ୍ରେଷ୍ଠ ମାଧ୍ୟମ ଭିତରୁ ଗୋଟିଏ । ମୁଁ ଆପଣଙ୍କୁ ତାମିଲନାଡୁର ଗୌରବଶାଳୀ ଐତିହ୍ୟ ସହିତ ସଂପୃକ୍ତ ଦୁଇଟି ବହୁତ ପ୍ରେରଣାଦାୟୀ ପ୍ରୟାସ ବିଷୟରେ କହିବାକୁ ଚାହୁଁଛି । ମୋତେ ପ୍ରସିଦ୍ଧ ତାମିଲ ଲେଖିକା ଭଉଣୀ ଶିବଶଙ୍କରୀଜୀଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ମିଳିଛି । ସେ ଏକ ପ୍ରକଳ୍ପ କରିଛନ୍ତି- Knit India, Through Literature ଏହାର ଅର୍ଥ ହେଲା- ସାହିତ୍ୟ ଦ୍ୱାରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବା ଓ ଯୋଡ଼ିବା । ସେ ଏହି ପ୍ରକଳ୍ପ ଉପରେ ଗତ ୧୬ ବର୍ଷ ଧରି କାମ କରୁଛନ୍ତି । ଏହି ପ୍ରକଳ୍ପ ଜରିଆରେ ସେ ୧୮ଟି ଭାରତୀୟ ଭାଷାରେ ରଚିତ ସାହିତ୍ୟର ଅନୁବାଦ କରୁଛନ୍ତି । ସେ ଅନେକ ଥର କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଓ ଇମ୍ଫାଲ୍ରୁ ଜୈସଲମେର୍ ପର୍ଯ୍ୟନ୍ତ ସମଗ୍ର ଦେଶ ଭ୍ରମଣ କରିଛନ୍ତି, ଯଦ୍ଦ୍ୱାରା ଭିନ୍ନ ଭିନ୍ନ ରାଜ୍ୟର ଲେଖକ ଓ କବିଙ୍କର ସାକ୍ଷାତକାର ନେଇପାରିବେ । ଶିବଶଙ୍କରୀଜୀ ବିଭିନ୍ନ ଜାଗାକୁ ଯାତ୍ରା କରିଛନ୍ତି, ସେ ଯାତ୍ରାର ବିବରଣୀ ସହିତ ଏହାକୁ ପ୍ରକାଶ କରିଛନ୍ତି । ଏହା ତାମିଲ ଓ ଇଂରାଜୀ ଦୁଇଟି ଭାଷାରେ ରହିଛି । ଏହି ପ୍ରକଳ୍ପରେ ଚାରିଟି ବଡ଼ଭାଗ ରହିଛି ଓ ପ୍ରତ୍ୟେକ ଭାଗ ଭାରତର ଅଲଗା ଅଲଗା ଅଂଶକୁ ସମର୍ପିତ ହୋଇଛି । ତାଙ୍କର ଏହି ସଙ୍କଳ୍ପଶକ୍ତି ପାଇଁ ମୋତେ ଗର୍ବ ଅନୁଭବ ହେଉଛି ।

ବନ୍ଧୁଗଣ, କନ୍ୟାକୁମାରୀର ଥିରୁ ଏ.କେ. ପେରୁମଲ୍ ଜୀଙ୍କ କାମ ମଧ୍ୟ ବହୁତ ପ୍ରେରଣାଦାୟକ । ସେ ତାମିଲନାଡୁରେ ଯେଉଁ ଗଳ୍ପକଥନର ପରମ୍ପରା ରହିଛି ତା’ର ସଂରକ୍ଷଣ ପାଇଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେ ନିଜର ଏହି ମିଶନରେ ଗତ ୪୦ ବର୍ଷ ଧରି ଲାଗିଛନ୍ତି । ଏଥିପାଇଁ ସେ ତାମିଲନାଡୁର ଭିନ୍ନ ଭିନ୍ନ ଜାଗାକୁ ଯାତ୍ରା କରନ୍ତି ଓ ଲୋକକଳାର ବିଭିନ୍ନ ସ୍ୱରୂପର ଅନ୍ୱେଷଣ କରି ତାକୁ ନିଜ ପୁସ୍ତକରେ ସାମିଲ କରିଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଏ ପର୍ଯ୍ୟନ୍ତ ଏପରି ପ୍ରାୟ ୧୦୦ ଖଣ୍ଡ ବହି ଲେଖିସାରିଲେଣି । ଏହାଛଡ଼ା ପେରୁମଲଜୀଙ୍କର ଆଉ ଏକ ଆଗ୍ରହ ରହିଛି । ତାମିଲନାଡୁର ମନ୍ଦିର ସଂସ୍କୃତି ସମ୍ପର୍କରେ ଗବେଷଣା କରିବା ତାଙ୍କର ବହୁତ ପସନ୍ଦ । ସେ ଚମଡ଼ା କଣ୍ଢେଇ ଉପରେ ମଧ୍ୟ ବହୁତ ଗବେଷଣା କରିଛନ୍ତି, ଯାହାର ଲାଭ ସେଠାକାର ସ୍ଥାନୀୟ ଲୋକକଳାକାରଙ୍କୁ ମିଳିଛି । ଶିବଶଙ୍କରୀଜୀ ଓ ଏ.କେ. ପେରୁମଲଜୀଙ୍କ ପ୍ରୟାସ ପ୍ରତ୍ୟେକଙ୍କ ପାଇଁ ଏକ ଉଦାହରଣ । ନିଜ ସଂସ୍କୃତିକୁ ସୁରକ୍ଷିତ ରଖୁଥିବା ଏଭଳି ପ୍ରତ୍ୟେକ ପ୍ରୟାସ ପାଇଁ ଭାରତ ଗର୍ବିତ, ଯାହା ଆମର ଜାତୀୟ ଏକତାକୁ ମଜଭୁତ କରିବା ସହିତ ଦେଶର ନାମ, ଦେଶର ମାନ, ସବୁକିଛିକୁ ବଢ଼ାଇଥାଏ ।

ମୋର ପରିବାରଜନ, ଆଗାମୀ ନଭେମ୍ବର ୧୫ରେ ସମଗ୍ର ଦେଶ ଜନଜାତି ଗୌରବ ଦିବସ ପାଳନ କରିବ । ଏହି ସ୍ୱତନ୍ତ୍ର ଦିବସ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମଜୟନ୍ତୀ ସହିତ ସଂପୃକ୍ତ । ଭଗବାନ ବିର୍ସାମୁଣ୍ଡା ଆମ ସମସ୍ତଙ୍କ ହୃଦୟରେ ବାସ କରନ୍ତି । ପ୍ରକୃତ ସାହସ କ’ଣ ଓ ନିଜ ସଙ୍କଳ୍ପଶକ୍ତି ଉପରେ ଦୃଢ଼ ରହିବା କାହାକୁ କହନ୍ତି ତାହା ଆମେ ତାଙ୍କ ଜୀବନରୁ ଶିଖିପାରିବା । ସେ ବିଦେଶୀ ଶାସନକୁ କେବେ ସ୍ୱୀକାର କରିନଥିଲେ । ସେ ଏପରି ଏକ ସମାଜର ପରିକଳ୍ପନା କରିଥିଲେ, ଯେଉଁଠି ଅନ୍ୟାୟର କୌଣସି ସ୍ଥାନ ନ ଥିଲା । ସେ ଚାହୁଁଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ମାନ ଓ ସମାନତାର ଜୀବନ ମିଳୁ । ଭଗବାନ ବିର୍ସାମୁଣ୍ଡା ପ୍ରକୃତି ସହିତ ସଦ୍ଭାବ ରଖିବା ଉପରେ ମଧ୍ୟ ସବୁବେଳେ ଗୁରୁତ୍ୱ ଦେଉଥିଲେ । ଆଜି ମଧ୍ୟ ଆମେ ଦେଖିପାରିବା ଯେ ଆମର ଆଦିବାସୀ ଭାଇଭଉଣୀ ପ୍ରକୃତିର ରକ୍ଷଣାବେକ୍ଷଣ ଓ ତା’ର ସଂରକ୍ଷଣ ପାଇଁ ସବୁଦିଗରୁ ସମର୍ପିତ ଅଛନ୍ତି । ଆମ ସମସ୍ତଙ୍କ ପାଇଁ, ଆମର ଆଦିବାସୀ ଭାଇଭଉଣୀଙ୍କର ଏହି କାମ ବହୁତ ବଡ଼ ପ୍ରେରଣାଦାୟକ ଅଟେ ।

ବନ୍ଧୁଗଣ, ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୩୦ ମଧ୍ୟ ଗୋବିନ୍ଦ ଗୁରୁଜୀଙ୍କ ପୁଣ୍ୟତିଥି । ଆମର ଗୁଜରାଟ ଓ ରାଜସ୍ଥାନର ଆଦିବାସୀ ଓ ବଞ୍ଚିତ ସମୁଦାୟଙ୍କ ଜୀବନରେ ଗୋବିନ୍ଦ ଗୁରୁଜୀଙ୍କ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଗୋବିନ୍ଦ ଗୁରୁଜୀଙ୍କୁ ମଧ୍ୟ ମୁଁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ନଭେମ୍ବର ମାସରେ ଆମେ ମାନଗଡ଼ ନରସଂହାରର ବାର୍ଷିକୀ ପାଳନ କରୁ । ମୁଁ ସେହି ନରସଂହାରରେ ଶହୀଦ୍ ମାଆ ଭାରତୀଙ୍କ ସମସ୍ତ ସନ୍ତାନସନ୍ତତିଙ୍କୁ ପ୍ରଣାମ କରୁଛି ।
ବନ୍ଧୁଗଣ, ଭାରତବର୍ଷରେ ଆଦିବାସୀ ଯୋଦ୍ଧାଙ୍କର ଏକ ସମୃଦ୍ଧ ଇତିହାସ ରହିଛି । ଏହି ଭାରତଭୂମିରେ ମହାନ ତିଲକା ମାଝୀ ଅନ୍ୟାୟ ବିରୋଧରେ ତୂର୍ଯ୍ୟନାଦ କରିଥିଲେ । ଏହି ମାଟିରେ ସିଦ୍ଧୋ-କାହ୍ନୁ ସମାନତାର ସ୍ୱର ଉଠାଇଥିଲେ । ଟଂଟ୍ୟାଭିଲ୍ଙ୍କ ଭଳି ଜନଯୋଦ୍ଧା, ଆମର ଧରିତ୍ରୀରେ ଜନ୍ମ ନେଇଥିବାରୁ ଆମେ ଗର୍ବିତ । ଆମେ ସହିଦ ବୀର ନାରାୟଣ ସିଂହଙ୍କୁ ଶ୍ରଦ୍ଧାର ସହିତ ମନେ ପକାଉ, ଯିଏ କଠିନ ପରିସ୍ଥିତିରେ ନିଜ ଲୋକଙ୍କ ସହିତ ଛିଡ଼ା ହୋଇଥିଲେ । ବୀରରାମଜୀଗୋଣ୍ଡ ହୁଅନ୍ତୁ, ବୀରଗୁଣ୍ଡାଧୁର ହୁଅନ୍ତୁ ବା ଭୀମା ନାୟକ ହୁଅନ୍ତୁ, ସେମାନଙ୍କର ସାହସ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ । ଅଲ୍ଲୁରୀ ସୀତାରାମ ରାଜୁ ଆଦିବାସୀ ଭାଇଭଉଣୀଙ୍କ ଭିତରେ ଯେଉଁ ଜ୍ୟୋତି ପ୍ରଜ୍ୱଳନ କରିଥିଲେ, ତାଙ୍କୁ ଦେଶ ଆଜି ମଧ୍ୟ ମନେ ପକାଇଥାଏ । ଉତ୍ତର ପୂର୍ବରେ କିୟାଙ୍ଗ୍ ନୋବାଙ୍ଗ୍ ଓ ରାଣୀ ଗାଇଦିନ୍ଲ୍ୟୁଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କଠାରୁ ଆମକୁ ବହୁତ ପ୍ରେରଣା ମିଳିଥାଏ । ଆଦିବାସୀ ସମାଜରୁ ହିଁ ଦେଶକୁ ରାଜମୋହିନୀ ଦେବୀ ଓ ରାଣୀ କମଳାପତିଙ୍କ ଭଳି ବୀରାଙ୍ଗନା ମିଳିଥିଲା । ଦେଶ ଏ ସମୟରେ ଆଦିବାସୀ ସମାଜକୁ ପ୍ରେରଣା ଦେଇଥିବା ରାଣୀ ଦୁର୍ଗାବତୀଜୀଙ୍କ ୫୦୦ତମ ଜୟନ୍ତୀ ପାଳନ କରୁଛି । ମୋର ଆଶା ଯେ ଦେଶର ଅଧିକରୁ ଅଧିକ ଯୁବକ ଯୁବତୀ ନିଜ ଅଞ୍ଚଳର ମହାନ ଆଦିବାସୀ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଜାଣିବେ ଓ ତାଙ୍କଠାରୁ ପ୍ରେରଣା ହାସଲ କରିବେ । ଦେଶ ନିଜର ଆଦିବାସୀ ସମାଜ ନିକଟରେ କୃତଜ୍ଞ, ଯେଉଁମାନେ ରାଷ୍ଟ୍ରର ସ୍ୱାଭିମାନ ଓ ଉତ୍ଥାନକୁ ସର୍ବଦା ସର୍ବୋଚ୍ଚ ସ୍ଥାନ ଦେଇଆସିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ପର୍ବପର୍ବାଣୀର ଏହି ଋତୁରେ, ଏବେ ଦେଶରେ କ୍ରୀଡ଼ାର ମଧ୍ୟ ବିଜୟ ପତାକା ଉଡ଼ୁଛି । ବିଗତ ଦିନରେ ଏସୀୟକ୍ରୀଡ଼ା ପରେ ପାରାଏସୀୟ କ୍ରୀଡ଼ାରେ ମଧ୍ୟ ଭାରତୀୟ କ୍ରୀଡ଼ାବିତ୍ ଚମତ୍କାର ସଫଳତା ଅର୍ଜନ କରିଛନ୍ତି । ଏହି କ୍ରୀଡ଼ାରେ ଭାରତ ୧୧୧ଟି ପଦକ ଜିଣି ନୂଆ ଇତିହାସ ସୃଷ୍ଟି କରିଛି । ମୁଁ ପାରାଏସୀୟ କ୍ରୀଡ଼ାରେ ଭାଗନେଇଥିବା ସମସ୍ତ କ୍ରୀଡ଼ାବିତ୍ଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ମୁଁ Special Olympics World Summer Games ପ୍ରତି ଆପଣମାନଙ୍କ ଧ୍ୟାନ ଆକର୍ଷିତ କରିବାକୁ ଚାହେଁ । ଏହାର ଆୟୋଜନ ବର୍ଲିନ୍ରେ ହୋଇଥିଲା । ଏହି ଖେଳ ଆମର ବୌଦ୍ଧିକ ଦୃଷ୍ଟିରୁ ଅକ୍ଷମ ଆଥଲେଟ୍ମାନଙ୍କର ଅଦ୍ଭୁତ କ୍ଷମତାକୁ ଲୋକଲୋଚନକୁ ଆଣେ । ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ପଚସ୍ତରୀ ସ୍ୱର୍ଣ୍ଣପଦକ ସହିତ ଦୁଇଶହ ପଦକ ଜିତିଥିଲେ । Roller Scating ହେଉ, Beach Volley Ball ହେଉ ବା ଫୁଟବଲ ହେଉ ବା Lawn Tennis ହେଉ, ଭାରତୀୟ ଖେଳାଳିମାନେ ମେଡାଲ ବୃଷ୍ଟି କରିଦେଇଥିଲେ । ଏହି ପଦକ ବିଜେତାମାନଙ୍କର ଜୀବନଯାତ୍ରା ଖୁବ୍ ପ୍ରେରଣାଦାୟକ ।

ହରିୟାନାର ରଣବୀର ସୈନି ଗଲ୍ଫରେ ସ୍ୱର୍ଣ୍ଣପଦକ ପାଇଛନ୍ତି । ବାଲ୍ୟକାଳରୁ Autism ରୋଗ ସହିତ ସଂଗ୍ରାମ କରୁଥିବା ରଣବୀରଙ୍କ ଉତ୍ସାହକୁ କୌଣସି ବି ବାଧା କମ୍ କରିପାରିନଥିଲା । ତାଙ୍କ ମା’ତ ଏମିତି କହନ୍ତି ଯେ ଆଜି ପରିବାରର ସମସ୍ତେ ଗଲ୍ଫ ଖେଳାଳୀ ବନିଯାଇଛନ୍ତି । ପୁଡୁଚେରୀର ୧୬ ବର୍ଷୀୟ ଟି.ବିଶାଲ୍ ଚାରୋଟି ପଦକ ଜିତିଛନ୍ତି । ଗୋଆର ସିୟା ସରୋଦେ Power liftingରେ ଦୁଇଟି ସ୍ୱର୍ଣ୍ଣପଦକ ସହିତ ଚାରୋଟି ପଦକ ପ୍ରାପ୍ତ ହୋଇଛନ୍ତି । ମାତ୍ର ନଅବର୍ଷ ବୟସରେ ନିଜ ମା’କୁ ହରେଇଥିଲେ ବି ସେ ନିଜକୁ ନିରାଶ ହେବାକୁ ଦେଇନାହାଁନ୍ତି । ଛତିଶଗଡ଼, ଦୁର୍ଗର ନିବାସୀ ଅନୁରାଗ ପ୍ରସାଦ Power lifting ରେ ତିନୋଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟପଦକ ପ୍ରାପ୍ତ କରିଛନ୍ତି । ସେହିଭଳି ଝାଡ଼ଖଣ୍ଡର ଇନ୍ଦୁପ୍ରକାଶଙ୍କ କଥା ମଧ୍ୟ ଖୁବ୍ ପ୍ରେରଣାଦାୟୀ ଯିଏକି ସାଇକେଲ ଚାଳନାରେ ଦୁଇଟି ପଦକ ଜିତିପାରିଛନ୍ତି । ବହୁତ ସାଧାରଣ ପରିବାରରୁ ଆସିଥିବା ଇନ୍ଦୁ କେବେ ବି ଦରିଦ୍ରତାକୁ ନିଜ ସଫଳତା କ୍ଷେତ୍ରରେ ଅନ୍ତରାୟ ଭାବରେ ଦେଖିନାହାଁନ୍ତି । ମୋର ବିଶ୍ୱାସ ଏହି ଭାରତୀୟ ଖେଳାଳିମାନଙ୍କର ସଫଳତା ବୌଦ୍ଧିକ ଅକ୍ଷମତା ସହିତ ସଂଗ୍ରାମ କରୁଥିବା ଅନ୍ୟ ପିଲା ଓ ପରିବାରମାନଙ୍କୁ ମଧ୍ୟ ଉତ୍ସାହିତ କରିବ । ଆପଣ ସମସ୍ତଙ୍କୁ ମୋର ପ୍ରାର୍ଥନା ଯେ ଆପଣଙ୍କ ଗାଁ ବା ଆପଣଙ୍କ ଗାଁର ଆଖପାଖରେ ଏଭଳି ଯେଉଁ ପିଲାମାନେ ଏହି ଖେଳରେ ଭାଗ ନେଇଛନ୍ତି କିମ୍ବା ବିଜୟୀ ହୋଇଛନ୍ତି, ଆପଣ ସପରିବାର ତାଙ୍କ ପାଖକୁ ଯାଆନ୍ତୁ । ତାଙ୍କୁ ବଧେଇ ଜଣାନ୍ତୁ ଏବଂ ସେମାନଙ୍କ ସାଥୀରେ କିଛି ସମୟ କାଟନ୍ତୁ । ଆପଣମାନଙ୍କୁ ଏକ ନୂତନ ଅନୁଭବ ମିଳିବ । ପରମାତ୍ମା ସେମାନଙ୍କ ମଧ୍ୟରେ ଏଭଳି ଶକ୍ତି ଭରିଦେଇଛନ୍ତି ଯେ ଆପଣମାନଙ୍କୁ ମଧ୍ୟ ସେଗୁଡ଼ିକୁ ଅବଲୋକନ କରିବାର ସୁଯୋଗ ମିଳିବ । ନିଶ୍ଚୟ ଯିବାକୁ ଅନୁରୋଧ ।

ମୋର ପ୍ରିୟ ପରିବାରଜନ ଆପଣ ସମସ୍ତେ ଗୁଜରାଟର ତୀର୍ଥକ୍ଷେତ୍ର ଅମ୍ବାଜୀ ମନ୍ଦିର ବିଷୟରେ ଅବଶ୍ୟ ଶୁଣିଥିବେ । ଏହା ଏକ ମହତ୍ତ୍ୱପୂର୍ଣ୍ଣ ଶକ୍ତିପୀଠ । ଦେଶବିଦେଶର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମା’ ଅମ୍ବେଙ୍କ ଦର୍ଶନ କରିବାକୁ ଆସନ୍ତି । ଗବ୍ବର ପର୍ବତ ଦେଇ ଏଠାକୁ ଯାଇଥିବା ରାସ୍ତାରେ ଆପଣ ଯୋଗମୁଦ୍ରା ଏବଂ ବିଭିନ୍ନ ଆସନରେ ଥିବା ଅନେକ ପ୍ରତିମା ଦେଖିବାକୁ ପାଇବେ । ଏହି ପ୍ରତିମାଗୁଡ଼ିକର ବିଶେଷତ୍ୱ ଆପଣ ଜାଣନ୍ତି କି? ବାସ୍ତବରେ ଏସବୁ ବର୍ଜ୍ୟବସ୍ତୁରୁ ତିଆରି ହୋଇଥିବା ସ୍ଥାପତ୍ୟ ଅଟନ୍ତି । ଏଗୁଡ଼ିକ ପୁରୁଣା ବସ୍ତୁ ଓ ପଦାର୍ଥରୁ ତିଆରି ହୋଇଥିଲେ ମଧ୍ୟ ଖୁବ ଆକର୍ଷଣୀୟ । ଅର୍ଥାତ୍ ଏହି ପ୍ରତିମାଗୁଡ଼ିକ ବ୍ୟବହାର ପରେ ଫୋପାଡ଼ି ଦିଆଯାଇଥିବା ପୁରୁଣା ଜିନିଷରୁ ହିଁ ତିଆରି ହୋଇଛି । ଅମ୍ବାଜୀ ଶକ୍ତିପୀଠରେ ଦେବୀମା’ଙ୍କର ଦର୍ଶନ ସହିତ, ଏହି ପ୍ରତିମାଗୁଡ଼ିକ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପଡ଼ିଛନ୍ତି । ଏହି ପ୍ରୟାସର ସଫଳତାକୁ ଦେଖି ମୋ ମନରେ ମଧ୍ୟ ଗୋଟିଏ ପ୍ରେରଣା ସୃଷ୍ଟି ହେଉଛି । ଆମ ଦେଶରେ ଅନେକ ଏମିତି ଲୋକ ଅଛନ୍ତି । ଯେଉଁମାନେ ବର୍ଜ୍ୟବସ୍ତୁରୁ ଏହିଭଳି କଳାକୃତି ମାନ ତିଆରି କରିପାରନ୍ତି । ଗୁଜରାଟ ସରକାରଙ୍କୁ ମୁଁ ପରାମର୍ଶ ଦେଉଛି କି ସେ ଏକ ପ୍ରତିଯୋଗିତାର ଆୟୋଜନ କରନ୍ତୁ ଏବଂ ଏହିଭଳି ଲୋକମାନଙ୍କୁ ଆମନ୍ତ୍ରିତ କରନ୍ତୁ । ଏହି ପ୍ରୟାସ ଗବ୍ବର ପର୍ବତକୁ ଆକର୍ଷଣୀୟ କରିବା ସଙ୍ଗେସଙ୍ଗେ ସାରା ଦେଶରେ ‘Waste to Wealth’ ଅଭିଯାନ ପାଇଁ ଲୋକମାନଙ୍କୁ ଅନୁପ୍ରାଣିତ କରିବ ।

ବନ୍ଧୁଗଣ, ଯେତେବେଳେ ବି ସ୍ୱଚ୍ଛଭାରତ ଓ ‘Waste to Wealth’ ର କଥା ଆସେ ସେତେବେଳେ ଆମକୁ ଦେଶର କୋଣଅନୁକୋଣରୁ ଅଗଣିତ ଉଦାହରଣ ଦେଖିବାକୁ ମିଳୁଛି । ଆସାମର କାମରୂପ୍ Metropolitan Districtରେ ଅକ୍ଷର ଫୋରମ ନାମକ ଗୋଟିଏ ସ୍କୁଲ, ପିଲାମାନଙ୍କ ମଧ୍ୟରେ Sustainable Developmentର ଭାବନା ଜାଗ୍ରତ କରିବାର, ସଂସ୍କାରର ଏକ ନିରନ୍ତର କାମ କରୁଛି । ଏଠାରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ପ୍ରତି ସପ୍ତାହରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏକାଠି କରୁଛନ୍ତି, ଯାହାର ଉପଯୋଗ Eco friendly ଇଟା ଏବଂ ଚାବିର ଚେନ୍ ଭଳି ସାମଗ୍ରୀ ତିଆରି କରିବାରେ ହୋଇଥାଏ । ଏଠାରେ ଛାତ୍ରଛାତ୍ରୀମାନଙ୍କୁ Recycling ଏବଂ Plastic Waste ରୁ ଉତ୍ପାଦଗୁଡ଼ିକ ତିଆରି କରିବା ଶିଖାଯାଏ । କମ୍ ବୟସରୁ ପରିବେଶ ପ୍ରତି ଏହି ସଚେତନତା ଏହି ପିଲାମାନଙ୍କୁ ଦେଶର ଜଣେ କର୍ତ୍ତବ୍ୟନିଷ୍ଠ ନାଗରିକ ଭାବରେ ଗଢ଼ିତୋଳିବାରେ ବହୁତ ସହାୟକ ହେବ ।

ମୋର ପରିବାରଜନ, ଆଜି ଜୀବନର କୌଣସି ଏମିତି କ୍ଷେତ୍ର ନାହିଁ ଯେଉଁଠି ଆମକୁ ନାରୀଶକ୍ତିର ସାମର୍ଥ୍ୟ ଦେଖିବାକୁ ନ ମିଳୁଛି । ଆଜିର ସମୟରେ ଯେତେବେଳେ ପ୍ରତ୍ୟେକ ସ୍ତରରେ ତାଙ୍କର ଉପଲବଧିଗୁଡ଼ିକୁ ପ୍ରଶଂସା କରାଯାଉଛି, ସେତେବେଳେ ଆମକୁ ‘ଭକ୍ତିର ଶକ୍ତି’କୁ ଦେଖେଇ ଦେଉଥିବା ଜଣେ ଏଭଳି ମହିଳା ସନ୍ଥଙ୍କୁ ମଧ୍ୟ ମନେ ରଖିବାକୁ ପଡ଼ିବ, ଯାହାଙ୍କ ନାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖାହୋଇ ରହିଛି । ଦେଶ ଏ ବର୍ଷ ମହାନ୍ ସନ୍ଥ ମୀରାବାଈଙ୍କର ପାଞ୍ଚଶହ ପଚିଶତମ ଜନ୍ମ-ଜୟନ୍ତୀ ପାଳନ କରୁଛି । ସେ ସାରା ଦେଶର ଲୋକମାନଙ୍କ ପାଇଁ ଅନେକ ଦୃଷ୍ଟିରୁ ଏକ ପ୍ରେରଣାଶକ୍ତି ହୋଇ ରହିଛନ୍ତି । ଯଦି କାହାର ସଙ୍ଗୀତରେ ରୁଚି ଥାଏ ତେବେ ସେ ହେଉଛନ୍ତି ସଙ୍ଗୀତ ପ୍ରତି ସମର୍ପଣର ଗୋଟିଏ ବଡ଼ ଉଦାହରଣ । ଯଦି କେହି କବିତାକୁ ଭଲପାଉଥିବ ତେବେ ଭକ୍ତିରସରେ ରସାଣିତ ମୀରାବାଈଙ୍କ ଭଜନ ତାଙ୍କ ଭିନ୍ନ ଏକ ଆନନ୍ଦ ଦିଏ । ଯଦି କେହି ଦୈବୀଶକ୍ତିରେ ବିଶ୍ୱାସ ରଖିଥାନ୍ତି ତେବେ ମୀରାବାଈ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଲୀନ ହୋଇଯିବା ତାଙ୍କପାଇଁ ଏକ ବଡ଼ ପ୍ରେରଣା ହୋଇପାରିବ । ମୀରାବାଈ ସନ୍ଥ ରବିଦାସଙ୍କୁ ନିଜର ଗୁରୁ ମାନୁଥିଲେ । ସେ କହୁଥିଲେ :-
“ଗୁରୁ ମିଲିୟା ରୈଦାସ, ଦିହ୍ନି ଜ୍ଞାନ କୀ ଗୁଟ୍କୀ ।”

ଦେଶର ମା’, ଭଉଣୀ ଏବଂ ଝିଅମାନଙ୍କ ପାଇଁ ମୀରାବାଈ ଆଜି ମଧ୍ୟ ପ୍ରେରଣାର ଉତ୍ସ । ସେ କାଳଖଣ୍ଡରେ ମଧ୍ୟ ସେ ନିଜର ଅନ୍ତରାତ୍ମାର କଥାକୁ ହିଁ ଶୁଣୁଥିଲେ ଏବଂ ରୂଢ଼ିବାଦୀ ଧାରଣାଗୁଡ଼ିକର ବିରୋଧରେ ଠିଆହୋଇଥିଲେ। ଜଣେ ସନ୍ଥ ଭାବରେ ମଧ୍ୟ ସେ ଆମ ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି । ସେ ତତ୍କାଳୀନ ଭାରତୀୟ ସମାଜ ଏବଂ ସଂସ୍କୃତିକୁ ସଶକ୍ତ କରିବାକୁ ଆଗେଇ ଆସିଥିଲେ ଯେତେବେଳେ ଦେଶ ନାନା ପ୍ରକାର ଆକ୍ରମଣର ସାମନା କରୁଥିଲା । ସରଳତା ଏବଂ ସାଧା ଜୀବନରେ କେତେ ଶକ୍ତି ଥାଏ ତାହା ଆମକୁ ମୀରାବାଈଙ୍କ ଜୀବନକାଳରୁ ହିଁ ଦେଖିବାକୁ ମିଳେ । ମୁଁ ସନ୍ଥ ମୀରାବାଈଙ୍କୁ ପ୍ରଣାମ ଜଣାଉଛି ।

ମୋର ପ୍ରିୟ ପରିବାରଜନ, ଆଜିର ‘ମନ୍ କି ବାତ୍’ରେ ଏତିକି । ଆପଣମାନଙ୍କ ସହିତ ହେଉଥିବା ପ୍ରତ୍ୟେକ ବାର୍ତ୍ତାଳାପ ମୋତେ ନୂତନ ଶକ୍ତିରେ ଭରିଦେଉଛି । ଆପଣମାନଙ୍କ ସନ୍ଦେଶରେ ଆତ୍ମବିଶ୍ୱାସ ଓ ସକାରାତ୍ମକତାର ଅନେକ କଥା ମୋ ପାଖରେ ପହଞ୍ଚୁଛି । ମୁଁ ଆପଣମାନଙ୍କୁ ପୁନଃ ଅନୁରୋଧ କରୁଛି କି ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ଜୋର୍ ଦିଅନ୍ତୁ । ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣନ୍ତୁ, ଲୋକାଲ୍ ପାଇଁ ଭୋକାଲ୍ ହୁଅନ୍ତୁ । ଯେମିତି ନିଜର ଘରକୁ ସ୍ୱଚ୍ଛ ରଖୁଛନ୍ତି ସେହିଭଳି ନିଜର ଗାଁ ଓ ସହରକୁ ସ୍ୱଚ୍ଛ ରଖନ୍ତୁ । ଆପଣମାନେ ଜାଣନ୍ତି ଯେ ଅକ୍ଟୋବର ୩୧ ତାରିଖ ସରଦାର ସାହେବଙ୍କ ଜୟନ୍ତୀକୁ ଦେଶ ଏକତା ଦିବସ ଭାବରେ ପାଳନ କରୁଛି । ଦେଶର ଅନେକ ସ୍ଥାନରେ Run for Unity କାର୍ଯ୍ୟକ୍ରମ ହେଉଛି ।

ଆପଣମାନେ ମଧ୍ୟ ଅକ୍ଟୋବର ୩୧ ତାରିଖ ଦିନ Run for Unity କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ । ଆପଣମାନେ ମଧ୍ୟ ବହୁତ ଅଧିକ ସଂଖ୍ୟାରେ ଭାଗ ନିଅନ୍ତୁ, ଏକତାର ସଂକଳ୍ପକୁ ମଜଭୁତ କରନ୍ତୁ । ମୁଁ ପୁଣିଥରେ ଆପଣମାନଙ୍କୁ ଆଗାମୀ ପର୍ବଗୁଡ଼ିକ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣମାନେ ସମସ୍ତେ ପରିବାର ସହ ଖୁସି ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ଏହାହିଁ ମୋର କାମନା । ଆଉ ଦୀପାବଳୀ ସମୟରେ ଏମିତି କିଛି ଭୁଲ୍ ହୋଇନଯାଉ ଯଦ୍ଦ୍ୱାରା ଅଗ୍ନିକାଣ୍ଡ ହୋଇପାରେ । କାହାରି ଜୀବନରେ ଯଦି ବିପଦ ଆସିଲା ତ ଆପଣ ନିଶ୍ଚୟ ସହଯୋଗ କରନ୍ତୁ, ନିଜେ ସତର୍କ ରୁହନ୍ତୁ ଏବଂ ଅନ୍ୟକୁ ସଚେତନ କରାନ୍ତୁ । ବହୁତ ବହୁତ ଶୁଭକାମନା – ବହୁତ ବହୁତ ଧନ୍ୟବାଦ ।

Related posts