Categories
ଆଜିର ଖବର ରାଜ୍ୟ ଖବର

ରେଢ଼ାଖୋଲ ବ୍ଲକ୍ ରେ “ମିଲେଟ୍ ରଥ” କାର୍ଯ୍ୟକ୍ରମ ଶୁଭାରମ୍ଭ

ରେଢାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ୍ ମିଲେଟ ମିଶନ ଓ ମହାଶକ୍ତି ଫାଉଣ୍ଡେସନ ତରଫରୁ ରେଢ଼ାଖୋଲ କୃଷି ଜିଲ୍ଲା କାର୍ଯ୍ୟାଳୟ ଠାରେ ରେଢାଖୋଲ ଉପଖଣ୍ଡର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ପବିତ୍ର ବେହେରା “ମିଲେଟ ରଥ”କାର୍ଯକ୍ରମର ଶୁଭାରମ୍ଭ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନନ୍ଦ, ବ୍ଲକ୍ କୃଷି ଅଧିକାରୀ ଅମିତ୍ ପଟେଲ, ବ୍ଲକ୍ ସହ-କୃଷି ଅଧିକାରୀ ଗଗନ ବିହାରୀ ନାଏକ, ସହ- କୃଷି ଯନ୍ତ୍ରୀ ମୋନାଲିସା ରାଉତ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ।

ଉପ ଜିଲ୍ଲାପାଳ ଶ୍ରୀ ବେହେରା ମିଲେଟ୍ ମିଶନର ଲକ୍ଷ୍ୟ ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣାଇବା ଓ ସରକାରଙ୍କ ଉକ୍ତ ଯୋଜନାକୁ ଲୋକାଭିମୁଖୀ ତଥା ସଚେତନ କରିବା ପାଇଁ ଏହାର ବହୁଳ ପ୍ରଚାର, ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କୃଷି ଅଧିକାରୀ ଶ୍ରୀ ନନ୍ଦ ପୁଷ୍ଟିଶସ୍ୟ ଜଳବାୟୁ ପରିବର୍ତ୍ତନ ସହନଶୀଳ ଶସ୍ୟ ହୋଇଥିବାରୁ ଏହାକୁ ସମସ୍ତେ ଚାଷ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ।

ଶେଷରେ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ସବୁଜ ପତାକା ପ୍ରଦର୍ଶନ ପରେ ପ୍ରଚାର ରଥ ଗଡିଥିଲା।ରେଢ଼ାଖୋଲ ବ୍ଲକର ଓଡ଼ିଶା ମିଲେଟ ମିଶନ ବ୍ଲକ ସଂଯୋଜକ ଆକାଶ ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ ଏବଂ ପ୍ରଚାର ରଥ ରେଢାଖୋଲ ବ୍ଲକ୍ ର ବିଭିନ୍ନ ପଞ୍ଚାୟତକୁ ବୁଲିବା ନେଇ ଯୋଜନା ଥିବା ପ୍ରକାଶ କରିଥିଲେ।

ଏଥିରେ ମିଲେଟ୍ ମିଶନର ସହ ସଂଯୋଜିକା ସରିତା ପ୍ରଧାନ,ଚିରସବୁଜ କୃଷକ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ସାହୁ, କୋଷାଧ୍ୟକ୍ଷ ଆଦିକନ୍ଦ ପ୍ରଧାନ,ମାନସ ସେଠ୍ ଓ ଅନ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Categories
ଆଞ୍ଚଳିକ

ରେଢାଖୋଲ ବ୍ଲକ୍‌ର ତିନୋଟି ପଂଚାୟତକୁ ମରୁଡି ଘୋଷଣା ଦାବି

କନ୍ଦର୍ପ ବେହେରା
ରେଢାଖୋଲ: ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁଁ ରେଢାଖୋଲ ବ୍ଲକ୍ ର ତିନୋଟି ପଂଚାୟତ ଚାଷ କାମରେ ବ୍ୟାହତ ହୋଇଛି। ଏହି ତନୋଟି ପଂଚାୟତକୁ ମରୁଡି ଘୋଷଣା ଦାବୀରେ ରେଙ୍ଗାଲି, ଭାଲିଆକଟା, ବଡମାଳ ଗ୍ରାମର ଜନସାଧାରଣ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।

ସେମାନେ ଦାବୀ ପତ୍ରରେ ବଡମାଳ ରେଙ୍ଗାଲି ଓ ଭାଲିଆକଟା ପଂଚାୟତର ଗାଁ ମାନଙ୍କରେ ୫୦ ପ୍ରତିଶତ ଚାଷ କାମ ହୋଇଥିବା ବେଳେ ଯାହା ବି ଚାଷ ହୋଇଛି ତାହା ବର୍ଷା ଅଭାବରୁ ଧାନ ଗଛ ଠିକ୍ ଭାବରେ ପିଲ ଦେଇ ନ ଥିବା ଜଣା ପଡିଛି। ତେଣୁ ଏହି ତିନୋଟି ପଂଚାୟତକୁ ମରୁଡି ଘୋଷଣା କରିବାକୁ ସରକାରଙ୍କୁ ଏକ ଦାବୀ ପତ୍ର ରେଢାଖୋଲ ବିଡିଓ ପବିତ୍ର ବେହେରାଙ୍କୁ ପ୍ରଦାନ କରିଛନ୍ତି।

ଏହି ଦାବୀ ପତ୍ର ପ୍ରଦାନ ସମୟରେ ବଡମାଳ ସରପଂଚ ଷଡାନନ ପ୍ରଧାନ, ଭାଲିଆକଟା ସରପଂଚ, ରେଙ୍ଗାଲି ସରପଂଚ, ସମିତି ସଭ୍ୟ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାଡିଦର ସ୍କୁଲ ବନ୍ଦ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ଶିକ୍ଷାର ମାନବୃଦ୍ଧି ତଥା ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି। ହେଲେ ସରକାର ଯେଉଁ ବିଦ୍ୟାଳୟରେ୨୦ ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି ତାହା ବନ୍ଦ କରି ଅନ୍ୟ ସ୍କୁଲରେ ମିଶାଇବା ଅଭିଯାନ ଏବେ ଆରମ୍ଭ କରିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବଂଶାଜାଲ ପଂଚାୟତର ଭାଡିଦର ବିଦ୍ୟାଳୟକୁ ସରକାର ବନ୍ଦ କରିଦେଉଥିବାରୁ ଏହାର ପ୍ରତିବାଦରେ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀମାନେ। ଏହା ସହିତ ଅଭିଭାବକ ଓ ଗ୍ରାମବାସୀ ମାନେ ମଧ୍ୟ ଏହି ଧାରଣାରେ ବସି ଥିଲେ।  ସରକାର ୨୦ ରୁ କମ୍ ଥିବା ବିଦ୍ୟାଳୟ ବନ୍ଦ କରୁଥିବା ବେଳେ ଭାଡିଦରରେ ୨୪ ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ କେମିତି ତାହା ବନ୍ଦ କରାଯାଇଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭାଡିଦର ଗ୍ରାମ ପାଖରେ ଜଙ୍ଗଲ ରହିଛି, ଯା ଫଳରେ ଛୋଟ ପିଲାମାନେ ଏଠାରୁ ଅନ୍ୟସ୍କୁଲକୁ ପାଠ ପଢି ଯିବାକୁ ଅସୁବିଧା ପାଇବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଉପଜିଲ୍ଲାପାଳଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ। ସରକାର ଆମକଥା ନ ଶୁଣିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଗ୍ରାମବାସୀ, ଅଭିଭାବକ ମାନେ ପ୍ରକାଶ କରିଛନ୍ତି।