Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ଶାରଦୀୟ ପର୍ବ ଆରମ୍ଭ, ମା’ଭଗବତୀଙ୍କ ଦେବୀନୃତ୍ୟରେ ପୀଠ ଚ଼ଳଚଞ୍ଚଳ

ବାଣପୁର (ସୀତାରାମ ଅଗ୍ରୱାଲ): ଶରତ ଆକାଶରେ ଭସାମେଘର ମହ୍ଲାର। ନଦୀପଠାରେ କାଶତଣ୍ଡିର ସମ୍ଭାର, ଲହରାୟିତ ଦୋଳି ଖେଳ। ଧରଣୀ ରାଣୀ ସବୁଜ ଶସ୍ୟରେ ଉଲ୍ଲସିତ ଉଚ୍ଚାଟିତ। ନଦନଦୀର କାଚକେନ୍ଦୁ ପାଣିରେ ନିର୍ମଳ ଦିଶୁଛି ବଗଲା ବଗୁଲିର ଧୋବ ଫରଫର ମୁହଁ। ଗାଡ଼ିଆ ପୁଷ୍କରିଣୀରେ ଢଳଢ଼ଳ ନୀଳକଇଁ ଜହ୍ମକୁ ଚାହିଁ ଦୋହଲୁଛି ପାଖୁଡ଼ା ମେଲାଇ। ପତ୍ରରେ ଝରା ଶିଶିରର ବିନ୍ଦୁ ବିନ୍ଦୁ ମୁକ୍ତା। କୀଟଠାରୁ ବ୍ରହ୍ମ ଯାଏ ସଭିଙ୍କ ମନ ଉଲ୍ଲସିତ, ଉଚ୍ଚାଟିତ, କାରଣ ମା’ ଆସୁଛନ୍ତି ଧରାପୃଷ୍ଟକୁ। ସଭିଙ୍କ ମନରେ ଅସୁମାରି ଆନନ୍ଦ।

ଶକ୍ତିମୟି ସେ, ଭକ୍ତିମୟୀ କରୁଣାମୟୀ ସେ, କଲ୍ୟାଣମୟୀ। ସଚ଼ରାଚ଼ର ଜୀବ ଜଗତ ତାଙ୍କଠାରୁ ସୃଷ୍ଟି। ସେ ସୃଷ୍ଟିକାରିଣୀ, ପାଳନ କାରିଣୀ ଏବଂ ସଂହାରକାରିଣୀ ମା’। ମାତୃଶକ୍ତିର ଉପାସନା ପୀଠ ବାଣପୁର। କାହିଁ କେଉଁ କାଳରୁ ଘଣ୍ଟ ଶିଳାପାହାଡ଼ର ପାଦଦେଶରେ କୁଳୁକୁଳୁ ଗୀତ ଗାଇ ବହି ଯାଉଥିବା ସ୍ରୋତସ୍ଵିନୀ ଶାଳିଆର ତଟ ଦେଶରେ ବିରାଜିତା ମା’ଭଗବତୀ।

ବିଶ୍ୱାସର ଦେବୀ ଭଗବତୀ। ତାଙ୍କୁ ଆଧାର କରି କେତେ ପୂଜା ପାର୍ବଣ, କେତେ ଲୋକ କଥା, କେତେ ପୁରାଣ ଶାସ୍ତ୍ର ଭିତରେ ବର୍ଣ୍ଣନା, କେତେ ନୀତିକାନ୍ତି। ସବୁଥିରେ ସ୍ଵାତନ୍ତ୍ର୍ୟତା ବହନ କରୁଥିବା ଏହି ଦେବୀପୀଠର ଶାରଦୀୟ ପର୍ବ ନିଆରା ଢ଼ଙ୍ଗରେ ପାଳନ କରାଯାଏ। ସମଗ୍ର ଭାରତ ବର୍ଷର ଦେବୀପୀଠମାନଙ୍କରେ ଏହି ପର୍ବଯେପରି ଭାବରେ ପାଳନ କରାଯାଏ, ଏହି ପୀଠରେ କିନ୍ତୁ ଦୁର୍ଗାପୂଜା ସଂପୂର୍ଣ୍ଣ ଭିନ୍ନ। ଏଠାରେ ମା’ଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା ଆରଧନା କରାଯାଉଥିବାର ବିଧି ରହିଛି। କାରଣ ତାଙ୍କ ନୀତିକାନ୍ତି, ବେଶଭୂଷା, ସଂପୂର୍ଣ୍ଣ ଆଦିମ ଜନଯାତିଙ୍କ ଦ୍ଵାରା ପରିକଳ୍ପିତ ପରି ମନେହୁଏା

ଅନ୍ୟାନ୍ୟ ପୀଠମାନଙ୍କରେ ମା’ଙ୍କ ଚଳନ୍ତି ପ୍ରତିମା,ପିତୁଳା ପ୍ରତିମା ହୋଇଥିବାବେଳେ ମା’ଭଗବତୀଙ୍କ ଚଳନ୍ତି ପ୍ରତ୍ତିମା ଏକ ସ୍ତମ୍ବସଦୃଶ୍ୟ ଯାହାଙ୍କୁ ସ୍ତମ୍ବେଶ୍ଵରୀ ବୋଲି ପରିକଳ୍ପନା କରାଯାଇଛି। ଶାରଦୀୟ ପର୍ବ ଆରମ୍ଭରୁ ମା ଉତ୍ତାଳ ନୃତ୍ୟ କରିପର୍ବଗୃହକୁଯାତ୍ରା କରୁଥିବାର ଦୃଶ୍ୟ ଅନ୍ୟପୀଠମାନଙ୍କରେ ଦେଖିବାକୁ ମିଳେନାହିଁ।ମା’ ସ୍ତମ୍ବେଶ୍ଵରୀଙ୍କ ବେଶଭୂଷାରେ ବ୍ୟବହୃତ ବିଭିନ୍ନ ରଂଗ ବେରଙ୍ଗର ପାଟବସ୍ତ୍ରର କୁଞ୍ଚିକାନି,ସହିତ ମନ୍ଦାର ମାଳ, ବେଲପତ୍ରର ଆଭୂଷଣ ପରିଧାନ ଶୈଳୀ ଦେଖିଲେ ମନରେ ହୃଦୟରେ ସ୍ୱତସୃତ ଭକ୍ତିଭାବନାଯାଗ୍ରତ ହୋଇଯାଏ।

ଭକ୍ତଟିର ହାତ ଆପେ ଆପେଯୋଡ଼ି ହୋଇଯାଏ। ଭକ୍ତି ଭାବନାରେ ମଥା ନଇଯାଏ। ଆଦ୍ୟ ଶରତର ଆସର ଶାରଦୀୟ ପର୍ବ,ଏହି ସମୟରେ ସମଗ୍ର ପୁରପଲ୍ଲୀ ,ସହରନଗର ମାତୃଶକ୍ତିର ଆବାହନୀରେ ମାତୃବନ୍ଦନା ମନ୍ତ୍ରର ଝଙ୍କାର ରେ ଝଙ୍କୃତ ହୁଏ, ଦିଗରୁ ଦିଗନ୍ତ।ମନ୍ଦିର, ମଣ୍ଡପ ରେ ସର୍ବତ୍ର “ଯାଦେବୀ ସର୍ବଭୂତେଷୁ . . . . . . ର ସମ୍ମିଳିତ ସ୍ୱର। ଏହି ଅବସରରେ ବାଣପୁରର ବଡ଼ ଦlଣ୍ଡରେ ଦେବୀ ନୃତ୍ୟ । ସତେଯେପରି ଶୁମ୍ଭ ନିଶୁମ୍ଭ ମହିଶ ପରି ଅସୁରମାନଙ୍କୁ ସଂହାର କରିବାପାଇଁ ମା’ଉଦଣ୍ଡନୃତ୍ୟରତା।

ଘଣ୍ଟ, କାହାଳୀ ବାଦ୍ୟନାଦର ତାଳେ ତାଳେ ଏହି ଦୁର୍ଲଭ ନୃତ୍ୟକୁ ଦର୍ଶନ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ଶାରଦୀୟ ପର୍ବକୁ ଅତ୍ୟନ୍ତଭାବଭକ୍ତି ମୟ କରିଦିଏ। ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତି ସଂଧ୍ୟାରେ ଏହିଭଳି ଦେବୀନୃତ୍ୟ କେବଳଏହିପୀଠର ନିଆରାପରମ୍ପରା ବୋଲି ମନ୍ଦିର କାର୍ଯ୍ୟନିର୍ବାହୀଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀ ମନ୍ଦିର ପୁରୋହିତଙ୍କୁ ବରଣ କରି ଗୁଆପଇତା ଦେଲେ ରାଜା, ଅଷ୍ଟମୀରୁ ଶାରଦୀୟ ପର୍ବ ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳର ପ୍ରାଚୀନ ଶକ୍ତିପୀଠମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ପୀଠ ଅନ୍ୟତମ। ଏହି ପୀଠରେ ପାଳିତ ବାରମାସର ତେର ପର୍ବ ମଧ୍ୟରୁ ଶାରଦୀୟ ପୂଜୋତ୍ସବ ଅନନ୍ୟ ଶ୍ରେଷ୍ଠପର୍ବ। ସର୍ବତ୍ର ଶାରଦୀୟ ପର୍ବ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଦଶହରା ପର୍ଯ୍ୟନ୍ତ ପାଳିତ ହେଉଥିବାବେଳେ ଏଠାରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ଠାରୁ ଆରମ୍ଭ ହୋଇ ଆଶ୍ୱିନ କୁମାର ପୂର୍ଣ୍ଣିମାରେ ଉଦ୍‌ଯାପିତ ହେବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ଭାଦ୍ରବ ଶୁକ୍ଳ ଅଷ୍ଟମୀ ଠାରୁ ଦେବୀ ଶୟନରେ ରହନ୍ତି। ଏହି ସମୟରେ ମାଙ୍କ ମନ୍ଦିରରେ ଧୂପ ଆଳତିରେ ଘଣ୍ଟ କାହାଳୀ , ବାଦ୍ୟ ବାଜିବା ବନ୍ଦ ଥାଏ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀରେ ସହସ୍ର କୁମ୍ଭବରଣ ପରେ ସ୍ତୋତ୍ରୀୟ ଶାକ୍ତ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଘଣ୍ଟ କାହାଳୀ ବାଦ୍ୟ ବାଦନ ପରେଦେବୀ ଶୟନରୁ ଉଠନ୍ତିା ମଙ୍ଗଳକୁମ୍ଭ ଦୀପସ୍ଥାପନ କରାଯାଇ ଦେବୀଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଅଭିଷିକ୍ତ ସୁବାଷିତ ଜଳରେ ସ୍ନାନ କରାଯାଇ ରାଜାଙ୍କ ପ୍ରଦତ୍ତ ନୂତନ ପାଟବସ୍ତ୍ର ‘ପୁଷ୍ପଚ଼ନ୍ଦନ ସିନ୍ଦୁର ପରିଧାନ କରିବା ପରେ ଆଳତି ବନ୍ଦାପନା ହୋଇ ଶାରଦୀୟ ପର୍ବଗୃହକୁ ବିଜେ ପାଇଁ ସମସ୍ତ ପ୍ରକାର ବିଧିବ୍ୟବସ୍ଥା ଗ୍ରହଣ କରାଯାଏ।

ପାରମ୍ପରିକ କ୍ରମେ ସପ୍ତମୀରେ ପ୍ରାଚୀନବଙ୍କାଡ଼ଗଡ଼ ଅଧୁନା ପାରିକୁଦ ଗଡ଼ର ରାଜା ସନ୍ତୋଷ ଚନ୍ଦ୍ର ମାନସିଂମର୍ଦ୍ଦରାଜ ହରିଚନ୍ଦ୍ର ଆଜିମା’ଭଗବତୀଙ୍କ ମନ୍ଦିର ପୁରୋହିତ, ପୂଜକ ସାମନ୍ତ ଙ୍କୁ ବରଣ କରି ଗୁଆପଇତା ପାଟମଠା ପ୍ରଦାନ କରି ମା’ଙ୍କ ପରିଧାନ ନିମନ୍ତେ ଅଙ୍ଗବସ୍ତ୍ର ସହିତ ଚୁଡ଼ିସିନ୍ଦୁର ଅଳତା ପୁଷ୍ପମାଳ ପ୍ରଦାନ କରି ପର୍ବର ସର୍ବମଙ୍ଗଳ କାମନା କରିଥିଲେ। ଅଷ୍ଟମୀ ଦିନ ଦେବୀ ଉତ୍ଥାପନ ନୀତିକାନ୍ତି ପରେମା’ କନକଦୁର୍ଗାପ୍ରଥମେ ଏହାକୁ ପରିଧାନ କରି ସର୍ବସାଧାରଣଙ୍କୁ ଦର୍ଶନ ଦେବେ। ପରେ ସଂଧ୍ୟାରୁ ମା’ଦେବୀ ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣିଙ୍କ ଦେବୀ ନୃତ୍ୟ ଆରମ୍ଭ ହୋଇ ମା’ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରରୁ ଭିତର ପର୍ବଗୃହକୁ ବିଜେ କରିବାପରେ ଅମାବାସ୍ୟା ପର୍ଯ୍ୟନ୍ତ ଭିତର ପର୍ବ ଆରମ୍ଭ ହେବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ଶାରଦୀୟ ପର୍ବ ଉଦ୍‌ଯାପିତ, କଉଡ଼ି ଖେଳ ସାରି ସ୍ଵମନ୍ଦିରକୁ ଫେରିଲେ ଭଉଣୀ କନକ ଦୁର୍ଗା

ବାଣପୁର (ସୀତାରାମ ଅଗ୍ରୱାଲ): ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ମା’ ଭଗବତୀଙ୍କ ମନ୍ଦିରରେ ଦଶହରା ଠାରୁ ପୂଜା ପାଉଥିବା ପ୍ରାଚୀନ ବଙ୍କାଡ଼ଗଡ ରାଜାଙ୍କର ଇଷ୍ଟଦେବୀ ମା’ କନକ ଦୁର୍ଗା ଶାରଦୀୟ ପର୍ବ ଶେଷ କରି ଶ୍ରୀ ଶ୍ରୀ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡା ବିଜେ କରିଛନ୍ତି। ଦଶହରା ବିଜୟା ଦଶମୀ ନିଶାର୍ଦ୍ଧରେ ସାତ ବଖରା ପର୍ବଗୃହରୁ ମା’ ଭଗବତୀ ପାଞ୍ଚ ଭଉଣୀକୁ ମେଳାଣି ଦେଇ କେବଳ ଭଉଣୀ କନକ ଦୁର୍ଗାଙ୍କୁ ଶେଷ ପର୍ବ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ନିଜ ମନ୍ଦିରରେ ରହି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ଅନୁରୋଧ କରି ଛାଡିଦେଇପିତ୍ରାଳୟକୁ ବାହୁଡିଥିଲେ।

ବଡ଼ ଭଉଣୀଙ୍କ ସେହି 6ସ୍ନହବୋଳାକଥା ରକ୍ଷା କରି ମା’ କନକ ଦୁର୍ଗା ଦଶହରା ଠାରୁ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ମା’ ଭଗବତୀଙ୍କ ସିଂହାସନ ଉପରେ ପାଖକୁ ଲାଗି ବିରାଜମାନ କରିଥିଲେ। ଦୁଇ ଭଉଣୀ ଙ୍କୁ ପ୍ରତ୍ୟହ ଏକାଠି ସ୍ନାନ ନୀତି, ମହାପ୍ରସାଦ ଅର୍ପଣ, ବେଶ , ବଲ୍ଲଭ ଆଳତି,ଶଙ୍କୁଡ଼ି ଧୂପ, ପହୁଡ଼, ନିଶଙ୍କୁଡି ଧୂପ , ସଂଧ୍ୟା ଆଳତି, ବଡ଼ସିଂହାର ବେଶ ପରେ ଦହିପ ଖାଳ,ମାଛ ଗୁଣ୍ଡି ଭଜା , କାକାର କାନ୍ତି, ପଣା ଲାଗି ହୋଇ ରାତ୍ର ପହୁଡ଼ ହେଉଥିଲା।

ଚଳିତ ପବିତ୍ର କୁମାର ପୂର୍ଣ୍ଣିମାରେ ରାହୁ ଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ପ୍ରତ୍ୟୁଷରୁ ସମସ୍ତ ଦୈନନ୍ଦିନ ନୀତିକାନ୍ତି ଶେଷ କରି ଶାରଦୀୟ ପର୍ବର ଅନ୍ତିମ ନୀତି କଉଡ଼ି ଖେଳ ପାଇଁ ପରିଛା ସାଆନ୍ତ, ପାଳି ଆମାଳି, ନିଯୋଗୀ ସେବାୟତମିଶି ମା’ ଙ୍କ ପ୍ରଧାନପର୍ବସେବକ ବଳି ଜେନାକୁ ଡାକରାକରିଥିଲେ ।ପରେ ଦିବା ୩ ଘଟିକା ସମୟରେ ମା’ଙ୍କ ବଡ଼ସିଂହାର ବେଶ ସାରି ବଳି ଜେନା ଙ୍କ ତରଫରୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଖେଚଡ଼ି ମହୁର ଭୋଗ ମା’ଙ୍କ ପାଖରେ ଲାଗି ହୋଇଥିଲା।

ନିଯୋଗି ସେବାୟତମାନେ ସମସ୍ତେ ଏକତ୍ର ପ୍ରସାଦ ସେବନ କରିବା ପରେ ମା’ କନକଦୁର୍ଗାଙ୍କ ସହିତ ବଳିଜେନାଙ୍କ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମା’ କନକ ଦୁର୍ଗାଙ୍କ ତରଫ ନେଇଥିବା ପାଳିଆମାଳି ସଂଜୟ ମହାପାତ୍ର ସହିତ ପରିଛା ସାଆନ୍ତ ବିନାୟକ ମହାପାତ୍ରଙ୍କ ମଧ୍ୟ ସ୍ତତାରେ ବଳିଜେନାଙ୍କ ମଧ୍ୟରେ ସିଂହାସନ ଉପରେ ସାତଥର କଉଡି ଖେଳ ଅନୁଷ୍ଠିତ ହୋଇଥିଲା। ଖେଳରେ ହାରି ୧୧ ଗୋଟି କଉଡ଼ିକୁ କାନିରେ ବାନ୍ଧି ବଳି ଜେନା ଦୁଇମାଙ୍କ ପଦାରବିନ୍ଦରେ ସମର୍ପିତ ହୋଇ କ୍ଷମା ପ୍ରାର୍ଥନା ପୂର୍ବକ ଆଗମୀ ଶାରଦୀୟ ପର୍ବରେ ପୁଣି ଆଦ୍ୟସେବା କରିବାର ସଂକଳ୍ପ କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ଏହି ସମୟରେ ଆଲଟଚାମର, ଘଣ୍ଟା ଘଣ୍ଟକାହାଳି, ହୁଳହୁଳି,ଦୁନ୍ଦୁ ଭି ବାଜି ଉଠିବା ସହିତ ନିଯୋଗୀ ସେ ବାୟତ ଓ ଉପସ୍ଥିତ ଶ୍ରଦ୍ଧାଳୁମାନେ ମିଶି ମା’ଙ୍କର ଜୟଧ୍ଵନୀ ସହିତବଳି ଜେନାଙ୍କର ମଙ୍ଗଳ କାମନା କରିବାପରେ ବଳିଜେନା ସ୍ଵଗୃହକୁ ଏକ ମୁହାଁ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ଷର ପ୍ରାରମ୍ଭ ବିଷୁବ ସଂକ୍ରାନ୍ତିଠାରୁ ନିଆରା ଢଙ୍ଗରେ ଆରମ୍ଭ ହୋଇଥିବା ମା’ ଭଗବତୀଙ୍କ ଏହି ପ୍ରସିଦ୍ଧ ଶାରଦୀୟ ଦୁର୍ଗୋତ୍ସବ ଶେଷରେ ଆଶ୍ଵିନ କୁମାର ପୂର୍ଣ୍ଣମୀରେ ଉଦ୍ ଯାପିତ ହେଲା। ପରେ ଚନ୍ଦ୍ର ଗ୍ରହଣଯୋଗୁଁ ଦିବା ୪ଘଟିକାରୁ ମନ୍ଦିରର ସମସ୍ତ ଦେବନୀତି ସଂପର୍ଣ୍ଣ କରାଯାଇ କୁଢୁଆ ଦ୍ଵାର ବନ୍ଦ କରାଯାଇଥିଲା।

ଏହି ସମୟରେ ଶ୍ରଦ୍ଧାଳୁମାନେ ଅନ୍ୟ ଦ୍ଵାର ଦେଇ ଯାଇ ମଣ୍ଡପ ଉପରୁ ମା’ଙ୍କୁ ଦର୍ଶନ କରିପାରିବେ ଏବଂ ରାତ୍ର ୧ଘଟିକା ୪୦ ମିନିଟସମୟରେ ଗ୍ରହଣ ସ୍ପର୍ଶକାଳରେ ମା’ଙ୍କ ପାଖରେ କେବଳ ପରିଛା ସାଆନ୍ତ, ପାଳି ଆମାଳି ଘଣ୍ଟୁଆ କାହାଳିଆ ସେବାୟତଙ୍କ ଦ୍ଵାରା ସ୍ଵତନ୍ତ୍ର ଗ୍ରହଣ ନୀତିକାନ୍ତି ସମାପନ ପରେ ମା’ଙ୍କ ପହୁଡ଼ ହେବ ବୋଲି ମନ୍ଦିର କାର୍ଯ୍ୟାଳୟରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକାରେ ନୌବିହାର ସାରି ମନ୍ଦିରକୁ ଲେଉଟିଲେ ମା’ ଭଗବତୀ, ଲାଗି ହେଲା ଏକ ହଜାର ସରା ଖିରି କାକରା ଭୋଗ

ଚିଲିକା (ସୀତାରାମ ଅଗ୍ରୱାଲ): ଲଳିତା ସପ୍ତମୀରେ ପୂର୍ବଦିଗକୁ ଯାତ୍ରା କରି ନୀଳାମ୍ବୁ ଚିଲିକାରେ ନୌବିହାର ସହିତ ପୂର୍ବ ଦିଗ ରକ୍ଷା କାରିଣୀ ଉଉଣୀ ମା’ କାଳିଜାଇଙ୍କୁ ଶାରଦୀୟ ପର୍ବରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରି ତାଙ୍କରି ଆଜ୍ଞାମାଳ ନେଇ ଫେରିଲେ ମା’ ଭଗବତୀ। ମନ୍ଦିରର ପରମ୍ପରା ଅନୁସାରେ ଶାରଦୀୟ ଦୁର୍ଗୋତ୍ସବରେ ସପ୍ତମାତୃକା ରୂପରେ ସପ୍ତମାତୃ ଶକ୍ତି ମା’ ଭଗବତୀଙ୍କ ସହିତ ମା’ନାରାୟଣୀ, ମା’ସିଦ୍ଧେଶ୍ୱରୀ, ମା’ ବିରିଜାଇ, ମା’କାଳିଜାଇ, ମା’ କନକ ଦୁର୍ଗା, ମା’ ବୁଢି ଠାକୁରାଣୀ ସାତଭଉଣୀ ଭାବରେ ଭିତର ପର୍ବଗୃହ ସାତବଖରା ଘରେ ତନ୍ତ୍ର ବିଧି ଅନୁସାରେ ଏକତ୍ର ପୂଜା ପାଇବାର ବିଧି ବିଧାନ ପ୍ରାଚୀନ କାଳରୁ ଚଳି ଆସୁଛି।

ବିଭିନ୍ନ ଋତୁରେ ବିଭିନ୍ନ ଦିଗକୁ ଯାତ୍ରା କରି ମା’ ଭଗବତୀ ଭଉଣୀମାନଙ୍କୁ ନିମନ୍ତ୍ରଣ କରୁଥିବାବେଳେ ଶରତ ଋତୁର ଭାଦ୍ରବ ଶୁକ୍ଳ ସପ୍ତମୀରେ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ପ୍ରଥମେ ଉଲ୍ଲସିତ ଚିଲିକା ଜଳରେ ନୌବିହାର କରନ୍ତି। ମା’ ଭଗବତୀଙ୍କୁ କୋଳରେ ଧାରଣ କରି ନୀଳାମ୍ବୁ ଚିଲିକା ଆନନ୍ଦରେ ଦୋଳାୟମାନ ହୋଇ ସତେ ଯେପରି ପାଣି ଦୋଳିରେ ଝୁଲାଇ ଝୁଲାଇ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ।

ସୁସଜ୍ଜିତ ନୌକାରେ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା ଘଣ୍ଟ କାହାଳୀ ହରିବୋଲ ଶବ୍ଦରେ ମା’ଙ୍କର ଜୟ ଜୟକାର ଧ୍ଵନୀ ପୁଣି ଅଗଣିତ ଶ୍ରଦ୍ଧାଳୁଙ୍କ ହୁଳହୁଳି ଶବ୍ଦ, ଚିଲିକା ତରଙ୍ଗର କଳକଳନିନାଦରାତ୍ରିର ଅନ୍ଧକାରକୁ ଝଙ୍କୃତ କରୁଥିଲା। ତେଣେ ପରିଛା ସାଆନ୍ତ ନିରଞ୍ଜନ ମହାପାତ୍ର, ପାଳିଆ ମାଳି ବସନ୍ତ ନାୟକ, କାଠି ନାହାକ ଗଣେଶ ନାୟକଙ୍କ ସହଯୋଗରେ ନୈକା ଉପରେ କଳସ, ଦୀପ, ଧୂପ, ପୁଷ୍ପ ନୈବେଦ୍ୟ ସ୍ଥାପନ କରି ପଞ୍ଚ ପୋଚାରରେ ପୂଜା ଆଳତି ବଢାଇ ମା’ କାଳିଜାଇଙ୍କୁ ଆବାହନ କରି ସାଥିରେ ନେଇଥିବା ମା’ ଭଗବତୀଙ୍କ ନିମନ୍ତ୍ରଣ ଆଜ୍ଞାମାଳକୁ ଚିଲିକା ଜଳରେ ଭସାଇ ମା’ କାଳିଜାଇଙ୍କ ଆଜ୍ଞାମାଳକୁ ଖୋଜି ବୁଲୁଥିଲେ।

ମା’କାଳିଜାଇ ଙ୍କ ମନ୍ଦିରରେ ପୂଜକ ମା’ଙ୍କ ସଂଧ୍ୟା ଆଳତୀ ଶେଷ କରି ମା’ଙ୍କ ଆଜ୍ଞାମାଳକୁ ଗୋଟିଏ ସୁସଜ୍ଜିତ ହାଣ୍ଡିରେ ଭର୍ତ୍ତି କରି ଦୀପଜାଳି ଚିଲିକା ବକ୍ଷରେ ଭସାଇ ଦେଇଥିଲେ। ଭାସି ଆସୁଥିବା ଆଜ୍ଞାମାଳକୁ ପାଣିରୁ ୬ ତାଳି ଦଣ୍ଡସେନା ସେବାୟତମାନେ କଳା ଶାଢି ଦେହରେ ତାକୁ ଗଣ୍ଠିଲି କରି ଠେଙ୍ଗାରେ ବାନ୍ଧି ଆଣିବା ପରେ ମା’ଙ୍କର ନୌବିହାର ପାଣି ତୋଳା ନୀତି ଶେଷ କରି ମା’ ସାମନ୍ତରାପୁରର ବିଭୂତି ଭୂଷଣ ସାମନ୍ତରାୟଙ୍କ ଦୁଆରେ ବିଜେ କରିଥିଲେ। ସେଠାରେ ଦୁଇ ମା’ଙ୍କୁ ଏକ ହଜାର ସରାରେ ଖିରି କାକରା, ଖେଚଡ଼ି ବଳି ପୋଡ଼ା ପରସା ଯାଇ ଷୋଡ଼ଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଫେରିବା ବାଟରେ ପତିତ ପାବନ ମନ୍ଦିର, ଗୁଣ୍ଡରୁପୁର, ମୋହନ ଗୋସ୍ୱାମୀ ମଠ, ଅନ୍ତରକିଆରୀ ଗ୍ରାମ ସହିତ ଜଗନ୍ନାଥ ପୁର, ପରିଛା ସାହିରେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ଦ୍ଵାର ମାନଙ୍କରେ ପଂକ୍ତି ଭୋଗ ଖାଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରିଥିଲେ।

ଶେଷରେ ଦୁର୍ଗାଶୟନଷ୍ଟମୀରେ ମା’ଙ୍କ ଶୟନ ନୀତିକାନ୍ତି ଶେଷ ହୋଇଥିଲା। ପୁଣି ଆଶ୍ଵିନ କୃଷ୍ଣ ସପ୍ତମୀ ପର୍ଯ୍ୟନ୍ତ ମା ଶୟନ କାଳରେ ଘଣ୍ଟା ଘଣ୍ଟକାହାଳୀ ବାଜିବ ନାହିଁ।ମୂଳାଷ୍ଟମୀରେ ସହସ୍ର କୁମ୍ଭାଭିଷେକ ଦିନ ମା’ଙ୍କୁ ଉତ୍ ଥାପନ କରାଯାଇ ମା’ଙ୍କ ଶାରଦୀୟ ଦୁର୍ଗୋତ୍ସବ ଆରମ୍ଭ ହେବ।

ମା’ଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବାଲୁଗାଁ ଏସ୍‌. ଡ଼ି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା, ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରୀଡ଼ା ଓ ଆରକ୍ଷୀ ବାହିନୀ, ବାଣପୁର ଏନ୍‌ଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନ୍‌.ଏ .ସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ସଂଗଠକ ବିକ୍ରମ କେଶରୀ ଜେନା ଓ ମନ୍ଦିର କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର ସେବାୟତ ଓ କର୍ମଚାରୀମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମାଷ୍ଟମୀରେ ମା’ ଭଗବତୀଙ୍କ ଧରାବତରଣ, ଶାରଦୀୟ ପର୍ବ ପାଇଁ ପୂର୍ବପ୍ରସ୍ତୁତି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ମନ୍ଦିରରେ ମା’ଙ୍କ ଜନ୍ମୋତ୍ସବ ନୀତିକାନ୍ତି ଜନ୍ମାଷ୍ଟମୀ ତିଥିରେ ମହାଆଡମ୍ବରରେ ପାଳିତ ହୋଇଛି। ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିର ମଧ୍ୟରାତ୍ରରେ ଯେପରି ନୀତିକାନ୍ତିରେ ପାଳିତ ହୋଇଥାଏ, କେବଳ ବାଣପୁରର ଶକ୍ତିପୀଠ ମା’ଙ୍କ ମନ୍ଦିରରେ ମଧ୍ୟ ମା’ ଭଗବତୀଙ୍କ ଜନ୍ମ ବିଧି କେବଳ ନିଆରା ଢଙ୍ଗରେ ପାଳିତ ହେଉଥିବାର ପରମ୍ପରା କାହିଁ କେଉଁ କାଳରୁ ଚଳିଆସୁଛି।

ମା’ ଶକ୍ତିମୟୀ ଯୋଗମାୟା ବିଜୁଳି କନ୍ୟା ଭାବରେ ନନ୍ଦ ଯଶୋଦାଙ୍କ ଘରେ ଧରାବତରଣ କରି ଆସୁରିକ ଶକ୍ତିମାନଙ୍କୁ ନିଧନ କରିବାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସହାୟତା ପ୍ରଦାନ କରିଥିବାରୁ କଳି ଯୁଗର ମର୍ତ୍ତ୍ୟ ମଣ୍ଡଳରେ ମା’ ଭାଗବତୀ ଭାବରେ ପୂଜା ପାଇବା କଥା ଦେବୀ ଭାଗବତରେ ବର୍ଣ୍ଣିତ ଅଛି। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ସେବନ, ବେଶ। ବଲ୍ଲଭ ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ହୋଇ ଶଙ୍କୁଡ଼ି, ଧୂପ, ପହଡ଼ ସଂଧ୍ୟାରେ ନିଶଙ୍କୁଡି ଧୂପ, ଆଳତି ପରେ ମଧ୍ୟରାତ୍ରରେ ମହାସ୍ନାନ, ବଡ଼ସିଂହାର ବେଶରେ ଜନ୍ମ ବିଧି ନୀତିକାନ୍ତି ସହିତ ରାଶିକୋରା, ନଡ଼ିଆ କୋରା, ଉଖର କୋରା ପଣା କାନ୍ତି ଧୂପ ହୋଇ ଆଳତି ପରେ ରାତ୍ର ପହୁଡ଼ ହୋଇଥିଲା।

ସେହିପରି ଦକ୍ଷେଶ୍ଵର ମନ୍ଦିରରେ ବିଜେ ଗୁରୁଣ୍ଡି ଗୋପାଳଙ୍କୁ ମଧ୍ୟ ମଧ୍ୟରାତ୍ରରେ ଜନ୍ମ ବିଧି ନୀତିକାନ୍ତି ସହ ପାଳିତ ହୋଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଛନ୍ତି। ମଧ୍ୟରାତ୍ରରେ ମା’ଙ୍କ ଜନ୍ମ ଉତ୍ସବ ଦର୍ଶନ କରିବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ମହାକାର୍ତ୍ତିକ ନୀତିକାନ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଶ୍ଵିନର ଶାରଦୀୟ ପର୍ବପରେ ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଛି ମହାକାର୍ତ୍ତିକ ନୀତିକାନ୍ତି। ମା’ ଭଗବତୀ ପରମ ବୈଷ୍ଣବୀ। ଯାହାଙ୍କୁ ମାଜଣା ପରେ ପ୍ରତ୍ୟହ ମହାପ୍ରସାଦ ଅର୍ପଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଓଡ଼ିଆ ଘରର ଚଳଣିରେ ସ୍ନାନ ପରେ ପରେ ଜଗନ୍ନାଥଙ୍କ ନିର୍ମାଲ୍ୟ ମହାପସ୍ରାଦ ସେବନ କରିବା ପରି ମା’ଙ୍କ ନୀତି କାନ୍ତିରେ ମହାପ୍ରସାଦ ଅର୍ପଣରୁ ମା’ଙ୍କ ପୀଠ ପରମ ବୈଷ୍ଣବ ପୀଠ ଭାବରେ ପରିଚିତ।

ମହାକାର୍ତ୍ତିକର ପ୍ରାରମ୍ଭରୁ ପ୍ରତ୍ୟହ ଭୋର ୫ ଘଟିକାରେ ଦ୍ଵାର ଫିଟା, ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ନାମ ସଂକୀର୍ତ୍ତନ, ସକାଳ ୭ ଘଟିକାରେ ବଲ୍ଲଭ ଆଳତୀ, ବେଢ଼ା ପରିକ୍ରମା, ବେଶ, ସର୍ବସାଧାରଣଙ୍କ ନୈବେଦ୍ୟ ଲାଗି, ଦିବା ୧୨ ଘଟିକାରେ ଶଙ୍କୁଡ଼ି ଧୂପ, ତାପରେ ଏଣ୍ଡୁରୀ ସହ ଶଙ୍କୁଡ଼ି ଲାଗି। ଦିବା ୨ଘଟିକାରେ ଦିବା ପହୁଡ। ଦିବା ୩ ଘଟିକାରୁ ଦ୍ଵାର ଫିଟା ସର୍ବସାଧାରଣ ଦର୍ଶନ। ସଂଧ୍ୟା ଛଅ ଘଟିକାରେ ନିଶଙ୍କୁଡ଼ି ଖଜା, କାନ୍ତି, ସରପୁଳି, ମାଠ ପୁଳି, ଧୂପସହ ଆଳତି, ପୁରାଣ ପାଠ। ରାତ୍ର ୧୦ ଘଟିକାରେ ଦହି ପଖାଳ, ଗୁଣ୍ଡି ଭଜା, ଛେନାପଣା, କାକରା ମାଠ ପୁଳି ଧୂପ ପରେ ବଡସିଂହାର ବେଶ, ରାତ୍ର ପହୁଡ଼।

ମା’ଙ୍କ ବଲ୍ଲଭ ଆଳତିଦର୍ଶନ ପାଇଁ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ସହିତ ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ବେଢାରେ ଆଧାତ୍ମିକ ପରିବେଶ ପରିଲକ୍ଷିତ ହେଉଛି। ସର୍ବସାଧାରଣଙ୍କ ଅନୁରୋଧକ୍ରମେ ପୁରୀର ଶ୍ରୀମନ୍ଦିର ପରି ମହାକାର୍ତ୍ତିକରେ ଚଳିତ ବର୍ଷ ମନ୍ଦିର ପ୍ରଶାସନ ତରଫରୁ ମା’ଙ୍କ ପୀଠକୁ ସ୍ଵଚ୍ଛ, ପବିତ୍ର, ଶୁଦ୍ଧପୂତ ରଖିବା ସହିତ ପରିବେଶ ପ୍ରଦୂଷଣ ମୁକ୍ତ ରଖିବାପାଇଁ ବାହାରର ଅପମିଶ୍ରିତ ଘିଅ ଦୀପ ମନ୍ଦିର ଭିତରେ ନ ଜାଳିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯିବା ସହିତ ମନ୍ଦିର ବେଢାରେ ଶ୍ରୀମନ୍ଦିର ପରି ଶୁଦ୍ଧ ଭଲ ଘିଅ ଓଡ଼ିଶା ସରକାରଙ୍କ ଭରଷାଯୋଗ୍ୟ ଓମ୍ ଫେଡ୍‌ ଘିଅ ଦୀପ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶୟନରୁ ଉଠିଲେ ମା’ ଭଗବତୀ: ଶହସ୍ରାକୁମ୍ଭାଭିଷେକ ପରେ ଶାରଦୀୟ ପର୍ବ ଆରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର: ପବିତ୍ର ମୁଳାଷ୍ଟମୀ ଶହସ୍ର କୁମ୍ଭବରଣ ଦେବୀ ଉତ୍ଥାପନ ଅଷ୍ଟମୀର ମାହେନ୍ଦ୍ର ବେଳାରେ ପର୍ବପୂଜକ ଓ ମନ୍ଦିର ପୁରୋହିତଙ୍କ ମଙ୍ଗଳାଚରଣ ମନ୍ତ୍ର ପଠନ, ନିଯୋଗୀ ସେବକଙ୍କ ଜୟ ଜୟକାର ଧ୍ଵନୀ, “ଉଠମା, ମଙ୍ଗଳମୟୀ, ଜଗତ ଜନନୀ, ସଂସାରର ମଙ୍ଗଳ ପାଇଁ ନିଦ୍ରା ପରିତ୍ୟାଗ କରିବା ହେଉ ମା’ ଭଗବତୀ, ଡାକ ସହିତ ଶୁଭଶଙ୍ଖ, ଘଣ୍ଟ କାହାଳୀ, ମଙ୍ଗଳବାଦ୍ୟର ନିନାଦରେ ମା’ ଶୟନରୁ ଉଠିଛନ୍ତି।

ଶାରଦୀୟ ପର୍ବର ପ୍ରଥମ ଦିବସରେ ଉଛୁଳି ପଡୁଛି ମନ୍ଦିର ବେଢା। ପର୍ବପୂଜକ ମନ୍ଦିର ପୁରୋହିତ ପ୍ରଥମେ ମା’ଙ୍କୁ କଦଳୀ ବୃକ୍ଷ, ଆମ୍ର ତୋରଣ ଆଛାଦିତ ସ୍ନାନ ମଣ୍ଡପରେ ବିଜେ କରାଇବା ପରେ ବରୁଣ ଆବାହନ ସଂସ୍ଥାପନ କରି ଚନ୍ଦନ, ଅଗରୁ, କର୍ପୁର, ଅତର ମିଶ୍ରିତ ସୁବାଷିତ ଶହସ୍ର କୁମ୍ଭ ଜଳରେ ସ୍ନାନ କରାଇ ରାଜା ଙ୍କ ଦ୍ଵାରା ପ୍ରଦତ୍ତ ପାଟବସ୍ତ୍ର ଓ ପରିଛା ସାମନ୍ତଙ୍କ ଆଭୁଷଣ ପରିଧାନ ପରେ ଷୋଡଶ ଉପଚାରରେ ପୂଜା କରି ଆଳତି ବନ୍ଦାପନା ସାରି ସିଂହାସନରେ ବିଜେ କରାଇ ନୈବେଦ୍ୟ ଅର୍ପଣ କରିଥିଲେ। ଏଣେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ୱେଶ୍ୱରୀ କାଠି ଠାକୁରାଣୀଙ୍କୁ କାଠି ନାହାକ ରଙ୍ଗବେରଙ୍ଗର ପାଟବସ୍ତ୍ରରେ ସୁସଜ୍ଜିତ କରି ବନଦୁର୍ଗା ବେଶରେ ସଜେଇବା ପରେ ମା’ ଙ୍କୁ ସେବକମାନେ ଘଣ୍ଟା କାହାଳୀ ମଙ୍ଗଳ ବାଦ୍ୟର ତାଳେ ତାଳେ ଅଗଣିତ ଭକ୍ତଙ୍କ ଗହଣରେ ନୃତ୍ୟ କରି କରି ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ନିଜ ମନ୍ଦିର ବେଢ଼ା ଭିତର ପର୍ବଗୃହକୁ ବିଜେ କରାଇଥିଲେ। ପରେ ଭଉଣୀ କନକ ଦୁର୍ଗାଙ୍କ ସହିତ ବଳିଜେନା ସେବକ ପର୍ବଗୃହକୁ ବିଜେ କଲା ପରେ ମଧ୍ୟରାତ୍ରରେ ପର୍ବ ପୂଜା ଆରମ୍ଭ ହେଇଥିଲା।

ରାଜା ସାହେବ ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ, ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ସ୍ଥାନୀୟ ଥାନାଧିକାରୀ ଜୟପ୍ରକାଶ ପରିଡ଼ା, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ବିଧାୟକ ପ୍ରତିନିଧି ବିକ୍ରମ କେଶରୀ ଜେନା, ପର୍ବ ପୁରୋହିତ ବାମନ ଚରଣ ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଷଷ୍ଠୀଦେବୀ ଭାବରେ ପୂଜା ପାଇଲେ ମା’ ଭଗବତୀ: ଶାରଦୀୟ ପର୍ବ ଆରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାର ଶକ୍ତିପୀଠମାନଙ୍କରେ ଆଶ୍ୱିନ ମୂଳାଷ୍ଟମୀଠାରୁ ଶାରଦୀୟ ପର୍ବ ଆରମ୍ଭ ହେଉଥିବାବେଳେ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଭାଦ୍ରବ ଶୁକ୍ଳ ଷଷ୍ଠି ଠାରୁ ଶାରଦୀୟ ପର୍ବ ଆରମ୍ଭ ହେଉଥିବାର ପରମ୍ପରା କାହିଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଭାଗ୍ୟର ଦେବୀ ଷଠୀ ମା’ଙ୍କୁ ଘରେ ଘରେଏହି ଦିନ ପୂଜାର୍ଚ୍ଚନା କରାଯାଉଥିବାବେଳେ ମା’ଙ୍କ ପୀଠରେ ଭଗବତୀଙ୍କୁ ଭାଗ୍ୟର ଦେବୀ ଭାବରେ ବିଶ୍ୱାସ କରାଯାଇ ସଂମ୍ପୁର୍ଣ୍ଣ ନିଆରା ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ।

ପ୍ରତ୍ୟୁଷରୁ ଦ୍ଵାର ଫିଟା, ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବେଶ, ପରେ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବନଦୁର୍ଗା ବେଶରେ ଘଣ୍ଟ ଘଣ୍ଟା, କାହାଳୀ , ମର୍ଦ୍ଦଳ, କରତାଳ, ଢୋଲ ମହୁରୀ, ବାଦ୍ୟର ତାଳେ ତାଳେ, ଚାମର ଆଲଟ, ଛତ୍ର ତରାଶ ସହିତ ଛତିଶା ସେବାୟତଙ୍କ ଗହଣରେ ମନ୍ଦିରକୁ ବିଜେ କରିଥିଲେ। ପରେ ପରିଛା ସାମନ୍ତଙ୍କ ଦ୍ୱାରା ଷଷ୍ଠୀ ଦେବୀଙ୍କୁ ଆବାହନ, ସଂସ୍ଥାପନ, ସହସ୍ର କୁମ୍ଭାଭିଷେକ, ବଲ୍ଲଭ ମଙ୍ଗଳାର୍ପଣ, ବଜ୍ର ସୂତ୍ରଧାରଣ, ଶଙ୍କୁଡ଼ି ଧୁପରେ ଖେଚ଼ଡ଼ି,ଡାଲି, ମାଛ ମହୁର, ଆମ୍ବିଳ, ଶାଗ, ମାଛ ଗୁଣ୍ଡି ଭଜା, ମଣ୍ଡା, ଖିରି,ଏଣ୍ଡୁରୀ ଇତ୍ୟାଦି ଲାଗି ହେବାପରେ ଆଳତି ହୋଇ ଦିବା ପହୁଡ଼ ହୋଇ ମା’ ସଂଧ୍ୟାରେ ଖଜା, ସରପୁଳି, ମାଠପୁଳି, କାକରା, କାନ୍ତି ଧୁପବଢି ବଡ଼ସିଂହାର ପରେ ପିତ୍ରାଳୟକୁ ଫେରିଥିଲୋ ମା’କାଠି ଠାକୁରାଣୀ ମଧ୍ୟାହ୍ନରେ ମନ୍ଦିରକୁ ବିଜେ କଲା ପରେ ହିଁ ବାଣପୁର ଅଞ୍ଚଳରେ ଘରମାନଙ୍କରେ ଷଷ୍ଠି ଓଷା ପାଳନ କରାଯିବାର ବିଧି ପରମ୍ପରା ଚ଼ଳିଆସୁଛି।

ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲାବେଳେ ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଥାନାଧିକାରୀ ଜୟପ୍ରକାଶ ପରିଡ଼ା, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବିଧାୟକ ପ୍ରତିନିଧି ବିକ୍ରମ କେଶରୀ ଜେନା, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ମାଁ ଙ୍କ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ମାଁ ଙ୍କୁ ଦର୍ଶନ କରିବା ପାଇଁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା।