Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଶିବିର ଆୟୋଜିତ

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସରେ ରବିବାର ଏକ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି।

ଅସ୍ଥିଶଲ୍ୟ ଓ ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ପରୀକ୍ଷା କରିବା ସହ ଚିକିତ୍ସା ସମ୍ପର୍କିତ ପରାମର୍ଶ ଦେଇଥିଲେ । ଏକ୍ସରେ, ସିଟି ସ୍କାନ୍ ଏବଂ ଏମ୍‌ଆରଆଇ ଭଳି ସ୍ୱାସ୍ଥ୍ୟ ପରୀକ୍ଷା ଗୁଡ଼ିକରେ ରୋଗୀମାନଙ୍କୁ ମଧ୍ୟ ରିହାତି ଦିଆଯାଇଥିଲା।

ହାଡ଼ ଏବଂ ଗଣ୍ଠି ଜନିତ ଚିକିତ୍ସା ଓ ପରୀକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଏହି ମାଗଣା ଶିବିରର ଉଦ୍ଦେଶ୍ୟ ବୋଲି ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଆର୍‌.ସି. ଦେଓ ସୂଚନା ଦେଇଛନ୍ତି।

ଯେଉଁ ରୋଗୀମାନେ ଏହି ସମସ୍ୟା ସମ୍ପର୍କରେ ଅବଗତ ନୁହଁନ୍ତି ଏବଂ ଉତମ ସ୍ୱାସ୍ଥ୍ୟସେବା ଆବଶ୍ୟକ କରନ୍ତି ସେମାନଙ୍କୁ ଚିକିତ୍ସା ଯୋଗାଇଦେବା ଏହି ଶିବିରର ମୂଳ ଲକ୍ଷ୍ୟ ବୋଲି ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ ପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ଶିବିରକୁ ଆସିଥିବା ରୋଗୀମାନେ ଖୁସିବ୍ୟକ୍ତ କରିବା ସହ ହସ୍ପିଟାଲ କର୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । କେବଳ ପରୀକ୍ଷା ନୁହେଁ ଚିକିତ୍ସା ମଧ୍ୟ ପାଇପାରିଲୁ ତେଣୁ ଆମେ ହସ୍ପିଟାଲ୍ ଓ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଉଛୁ ବୋଲି ଜଣେ ବୟସ୍କ ରୋଗୀ କହିଛନ୍ତି।

ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ କହିଛନ୍ତି ଯେ ଏଭଳି ସ୍ୱାସ୍ଥ୍ୟସେବାର ଆବଶ୍ୟକତା ଥିବା ଦୃଷ୍ଟିରୁ ପ୍ରତ୍ୟେକ ରବିବାର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ। ଫିଜିଓଥେରାପି ବିଭାଗର ଡାକ୍ତର ସୁବାଶିଷ ପଟ୍ଟନାୟକ ଓ ଡାକ୍ତର ସରିତା ପଣ୍ଡା ରୋଗୀମାନଙ୍କୁ ଏହି ଶିବିରରେ ସାହାଯ୍ୟ ଓ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବିରଳ ସଚେତ ଅବସ୍ଥାରେ ମସ୍ତିଷ୍କ ଅତ୍ସୋପଚାର ସମ୍ପନ୍ନ

ଭୁବନେଶ୍ୱର: ଅତ୍ୟାଧୁନିକ ନ୍ୟୁରୋ ଏବଂ ସ୍ପାଇନ୍ସ ସର୍ଜରୀ ମାଧ୍ୟମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ୭୧ ବର୍ଷୀୟ ଜଣେ ରୋଗୀଙ୍କର ସଚେତ ଅବସ୍ଥାରେ ଏକ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି।

ରୋଗୀଙ୍କର ମସ୍ତିଷ୍କ ଉପର ଭାଗରେ ୨-୨.୫ ସେମି ପରିଧିର ଦୁଇଟି ସୂକ୍ଷ୍ମ କଣା (ବାଇଫ୍ରନ୍‌ଟାଲ୍ ବର୍‌ର ହୋଲସ୍‌) କରାଯାଇ ଏହା ମାଧ୍ୟମରେ ରୋଗୀଙ୍କ ମସ୍ତିଷ୍କ ଉପରେ ଚାପ ପକାଉଥିବା ରକ୍ତ ଓ ଅନ୍ୟାନ୍ୟ ତରଳ ପଦାର୍ଥ ଆଦିକୁ ମସ୍ତିଷ୍କ ମଧ୍ୟରୁ ନିଷ୍କାସନ କରିବାରେ ସର୍ଜନ୍ ସଫଳ ହୋଇଥିଲେ।

ପାରମ୍ପରିକ ଅତ୍ସୋପଚାର ପଦ୍ଧତିରେ ନିଶ୍ଚେତକ (ଜେନେରାଲ୍ ଆନେସ୍ଥେସିଆ) ପ୍ରୟୋଗ କରାଯାଇଥାଏ। କିନ୍ତୁ ତାହାର ବ୍ୟତିକ୍ରମ ସ୍ୱରୂପ ଉପରୋକ୍ତ ‘ଆୱେକ୍ ସର୍ଜରୀ’ ପଦ୍ଧତିରେ ରୋଗୀ ସଚେତ ଥାଇ ଅପରେସନ୍ କରାଯାଇଥିଲା।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରତାପ ସିଂହ ତୋମାରଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।
ଡାକ୍ତର ତୋମାର ଏହି ସଫଳ ଅତ୍ସୋପଚାର ସଂପର୍କରେ କହିଛନ୍ତି ଯେ ଏହି ଆୱେକ୍ ବ୍ରେନ୍ ଅସ୍ତ୍ରୋପଚାର ଉଲ୍ଲେଖନୀୟ ସମ୍ଭାବନାର ନିଦର୍ଶନ ଅଟେ। ରୋଗୀଙ୍କୁ ସଚେତ ଅବସ୍ଥାରେ ରଖି ଅପରେସନ୍ କରାଯିବା ଦ୍ୱାରା ଆମେ ଅତ୍ୟନ୍ତ ସ୍ପଷ୍ଟ ସଠିକତା (ଗ୍ରେଟର ପ୍ରେସିସନ୍‌) ସହ ଅସ୍ତ୍ରୋପଚାର କରିପାରୁଛୁ ଓ ନିରାପଦ ଦିଗକୁ ହାସଲ କରିପାରୁଛୁ। ଏହା ଆରୋଗ୍ୟ ହେବାର ସମୟକୁ ହ୍ରାସ କରିବା ସହ ଫଳାଫଳକୁ ଅଧିକ ଉନ୍ନତ କରିବାରେ ସହାୟକ ହେଉଛି। ବୟସ୍କ ରୋଗୀ ଓ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ରୋଗୀଙ୍କ କ୍ଷେତ୍ରରେ ଏହି କୌଶଳ ଅଧିକ ଲାଭଦାୟକ ହୋଇପାରିବ।

ଏ ସଂପର୍କରେ ଶୀତଳାପଲ୍ଲୀସ୍ଥିତ ସମ୍ ହସ୍ପିଟାଲର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି ଯେ ଆୱେକ୍ ବ୍ରେନ୍ ସର୍ଜରୀର ସଫଳତା ଆଧୁନିକ ନ୍ୟୁରୋସର୍ଜରୀ କ୍ଷେତ୍ରରେ ରୋଗୀକୈନ୍ଦ୍ରିକ ଆପ୍ରୋଚ୍ ଓ ଜଟିଳତା ହ୍ରାସର ବର୍ଦ୍ଧିତ ମହତ୍ୱକୁ ସୂଚାଏ। ଯେହେତୁ ଟେକ୍‌ନିକ୍ ଓ ଟେକ୍‌ନୋଲୋଜି ବିକଶିତ ହୋଇଚାଲିଛି, ସେ କ୍ଷେତ୍ରରେ ବିଭିନ୍ନ ସ୍ନାୟୁବିକ୍ (ନ୍ୟୁରୋଲୋଜିକାଲ୍) ସ୍ଥିତିରେ ରୋଗୀ ଚିକିତ୍ସାର ଷ୍ଟାଣ୍ଡାର୍ଡ ପ୍ରାକ୍ଟିସ୍ ଉନ୍ନତ ହୋଇପାରୁଛି।

ରୋଗୀଙ୍କ ନିରାପତା, ସୁବିଧା ଓ ଶୀଘ୍ର ଆରୋଗ୍ୟତାକୁ ପ୍ରାଥମିକତା ଦେଇ ଏଭଳି ନିଆରା ପଦ୍ଧତିକୁ ଗ୍ରହଣ କରାଯିବା ମସ୍ତିଷ୍କ ରୋଗ ( ବ୍ରେନ୍ କଣ୍ଡିସନ୍‌) ଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅଧିକ ପ୍ରଭାବୀ ହୋଇପାରୁଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ସମ୍ପନ୍ନ

ଭୁବନେଶ୍ୱର: ରୋଗୀଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ
ଚିକିତ୍ସା ଭାବେ ଉଭା ହୋଇଥିବା ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍ ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ସମ୍ପନ୍ନ ହୋଇଛି।

ଏହି ପ୍ରକ୍ରିୟା ପରିଚାଳନା କରିଥିବା ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ କୁମାର ପାତ୍ର କହିଛନ୍ତି ଯେ ଏହି ଅସ୍ତ୍ରୋପଚାର ପରେ ରୋଗୀ ଯବଣାରୁ ମୁକ୍ତି ପାଇଥାଏ। ସେହିପରି ଆର୍ଥ୍ରାଇଟିସ୍‌ ସମସ୍ୟା ଯୋଗୁଁ ସୃଷ୍ଟି ହେଉଥିବା ଆଣ୍ଠୁ ଯବଣା ମଧ୍ୟ ସମ୍ପୂର୍ଣ୍ଣ ଦୂର ହୋଇଥାଏ ବୋଲି ସେ କହିଛନ୍ତି।

ଯବଣା ମୁକ୍ତ ହେବା ସହ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଦ୍ୱାରା ଆଣ୍ଠୁରେ ନଷ୍ଟ ହୋଇଥିବା ହାଡ ଓ କାର୍ଟିଲେଜକୁ ବାହାର କରାଯାଇ କୃତ୍ରିମ ଅଂଶ ଲଗାଯାଇଥାଏ ଯାହା ଦ୍ୱାରା ଆଣ୍ଠୁ ସାଧାରଣ ଭାବେ କାର୍ଯ୍ୟକ୍ଷମ ହୋଇଥାଏ। ଏହା ଦ୍ୱାରା ମଣିଷର ଜୀବନଧାରାରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ସେ କହିଛନ୍ତି।

ଡାକ୍ତର ପାତ୍ର କହିଛନ୍ତି ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ଡାହାଣ ଆଣ୍ଠୁରେ ଯବଣା ଓ ସମସ୍ୟା ନେଇ ଜଣେ ମହିଳା ରୋଗୀ ହସ୍ପିଟାଲ୍‌କୁ ଆସିଥିଲେ। ସେହି ସମୟରେ ସେ ଠିକ୍ ଭାବେ ଚାଲିପାରୁ ନଥିଲେ।

ସଂପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ଡାହାଣ ଆଣ୍ଠୁରେ ଆଡ୍‌ଭାନ୍ସଡ ଅଷ୍ଟିଓଆର୍ଥ୍ରାଇଟିସ୍ ସମସ୍ୟା ଥିବା ସହ ହାଡ଼ କ୍ଷୟ ପାଇଥିବା ଜଣାପଡ଼ିଥିଲା। ଏଥି ସହିତ ତାଙ୍କର ରକ୍ତହୀନତା, ରକ୍ତଚାପ ଓ ହାଇପୋଥାଇରଏଡ୍ ସମସ୍ୟା ଥିବାର ଜଣାପଡ଼ିଥିଲା ବୋଲି ସେ କହିଛନ୍ତି।

ତାଙ୍କର ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ କରିବାର ଯୋଜନା କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା, ଗୁରୁତର ଅଷ୍ଟିଓ ପୋରୋସିସ୍ ଓ ହାଡ଼ କ୍ଷୟକୁ ଦୃଷ୍ଟିରେ ରଖି ଖୁବ୍ ଯତ୍ନର ସହ ଆଣ୍ଠୁରେ ଇମପ୍ଳାଂଟ ଲଗାଯିବା ସହ ବୋନ୍‌ ସିମେଂଟ ସହ ପ୍ରତ୍ୟାରୋପଣ କରାଯାଇଥିଲା।

ଅସ୍ତ୍ରୋପଚାର ସମୟରେ କିମ୍ବା ପରେ କୌଣସି ସମସ୍ୟା ରୋଗୀଙ୍କ ଠାରେ ଦେଖା ଦେଇନଥିବା ଡାକ୍ତର ପାତ୍ର କହିଛନ୍ତି। ଏହି ଅସ୍ତ୍ରୋପଚାରରେ ହସ୍ପିଟାଲ୍‌ର ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ଶାରଦା ପ୍ରସନ୍ନ ଦାଶ ଓ ଅନ୍ୟ ଓଟି କର୍ମଚାରୀମାନେ ସହଯୋଗ କରିଥିଲେ।

ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି ଯେ ଗତ ୧ ମାସ ମଧ୍ୟରେ ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ହିପ୍ ରିପ୍ଲେସ୍‌ମେଂଟ ଓ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ସହ ପ୍ରାୟ ୨୫ଟି ଅସ୍ତ୍ରୋପଚାର କରାଯାଇଛି। ଏଥିରେ ଇଏନ୍‌ଟି, ଗାଏନାକୋଲୋଜି ଏବଂ ୟୁରୋଲୋଜି ବିଭାଗ ପକ୍ଷରୁ ମଧ୍ୟ ରୋଗୀମାନଙ୍କର ବିଭିନ୍ନ ଅସ୍ତ୍ରୋପଚାର ସାମିଲ ଅଛି ବୋଲି
ସେ କହିଛନ୍ତି।

ଗତ ଫେବୃଆରୀ ୧୪ ତାରିଖରେ ଉଦ୍‌ଘାଟିତ ହୋଇଥିବା ଏହି ହସ୍ପିଟାଲ୍‌ରେ ୬ ମୋଡୁଲାର ଓଟି ଓ ୪୦ଟି ଆଇସିୟୁ ବେଡ୍ ଥିବା ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଅତ୍ୟାଧୁନିକ ଚିକିତ୍ସା ଓ ଅସ୍ତ୍ରୋପଚାର ଉପଲବ୍ଧ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବର୍ତ୍ତମାନ ଅତ୍ୟାଧୁନିକ ଚିକିତ୍ସା ଓ ଅସ୍ତ୍ରୋପଚାର ଉପଲବ୍ଧ ହୋଇ ପାରୁଛି।

ଏହି ହସ୍ପିଟାଲ୍‌ରେ ଗର୍ଭବତୀଙ୍କ କ୍ଷେତ୍ରରେ ଜଟିଳ ଗର୍ଭଧାରଣ ସମୟରେ ଯତ୍ନ ଓ ଚିକିତ୍ସା, ପ୍ରସବ, ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଚିକିତ୍ସା ହୋଇ ପାରୁଛି। ସେହିପରି ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟସେବା ମଧ୍ୟ ଅତ୍ୟାଧୁନିକ ଉପାୟରେ କରାଯାଉଛି। ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ, ଶିଶୁରୋଗ ବିଭାଗର ଡାକ୍ତର, ପ୍ରଶିକ୍ଷିତ ନର୍ସ ଓ ଟେକ୍ନିସିଆନ୍ ମାନଙ୍କ ଦ୍ୱାରା କାର୍ଯ୍ୟ ସଂପାଦନ କରାଯାଉଛି। ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମୀନାକ୍ଷୀ ସାହୁଙ୍କ ତତ୍ୱାବଧାନରେ ଶିଶୁରୋଗ ବିଭାଗର ସମସ୍ତ ଚିକିତ୍ସା କରାଯାଉଛି।

ଏହି ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଓଟି, ଲେବର୍ ରୁମ୍ ଓ ନବଜାତ ଶିଶୁମାନଙ୍କ ନିମନ୍ତେ ଏନ୍‌ଆଇସିୟୁ ସେବା ମଧ୍ୟ ଖୁବ୍ ସୁଲଭ ମୂଲ୍ୟରେ ଉପଲବ୍ଧ।

ସେହିପରି ସଂପୂର୍ଣ୍ଣ ହିପ୍ ରିପ୍ଲେସ୍‌ମେଂଟ ଭଳି ଅତ୍ୟାଧୁନିକ ଅସ୍ତ୍ରୋପଚାର ରୋଗୀମାନଙ୍କ ନିମନ୍ତେ କରାଯାଉଛି । ଗତ ଦୁଇ ମାସ ତଳେ ଜଣେ ମହିଳା ଘରେ ପଡ଼ିଯିବା ଫଳରେ ଗୁରୁତର ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ହସ୍ପିଟାଲକୁ ଆସିଥିଲେ । ସେ ଚାଲିବା କିମ୍ବା ବସିବା ଅବସ୍ଥାରେ ନଥିଲେ । ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରିପାରୁ ନଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ସମ୍ପୂର୍ଣ୍ଣ ହିପ୍ ରିପ୍ଲେସମେଂଟ ନିମନ୍ତେ ଡାକ୍ତରମାନେ ନିଷ୍ପତି ନେଇଥିଲେ । ତେବେ ତାଙ୍କର ଶରୀରରେ ରକ୍ତହୀନତା ଦେଖା ଦେଇଥିବାରୁ ତାଙ୍କୁ ପ୍ରଥମେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ସମୟରେ କିମ୍ବା ପରେ ତାଙ୍କ ଶରୀରରେ କୌଣସି ଜଟିଳତା ଉପୁଜି ନଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ସେହିପରି ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ କର୍ଣ୍ଣ, ନାସା, ଗଳା (ଇଏନ୍‌ଟି) ସମସ୍ୟାର ମଧ୍ୟ ଅତ୍ୟାଧୁନିକ ଚିକିତ୍ସା କରାଯାଉଛି। ଜଣେ ୪୨ ବର୍ଷୀୟା ମହିଳା ନାକରୁ ନିୟମିତ ରକ୍ତ ବାହାରୁ ଥିବା ସମସ୍ୟା ନେଇ ଏହି ହସ୍ପିଟାଲର ଏମର୍ଜେନ୍ସି ବିଭାଗକୁ ଆସିଥିଲେ। ରୋଗୀଙ୍କୁ ଇଏନ୍‌ଟି ସ୍ପେଶିଆଲିଷ୍ଟ ଡାକ୍ତର ପ୍ରିୟଜୀତ୍ ପାଣିଗ୍ରାହୀ ପରୀକ୍ଷା କରିବା ପରେ ଏକ ସିଟି ସ୍କାନ୍ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସିଟି ସ୍କାନ୍ ରିପୋର୍ଟରେ ତାଙ୍କର ନାକରେ ବାଇଲାଟେରାଲ୍ ମାକ୍ସିଲାରୀ ସାଇନସ୍ ଥିବାର ଜଣାପଡ଼ିଥିଲା।

ରୋଗୀଙ୍କର ତା’ ପରଦିନ ଏଣ୍ଡୋସ୍କୋପିକ୍ ସାଇନସ୍ ସର୍ଜରୀ କରାଯାଇଥିଲା। ସଫଳ ଅସ୍ତ୍ରୋପଚାର ପରେ ରୋଗୀ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।

ରୋଗୀଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ହସ୍ପିଟାଲ୍ ୨୪ ଘଂଟା ପ୍ରସ୍ତୁତ ବୋଲି କହିଛନ୍ତି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍ ୨୮ରେ ମାଗଣା ମଧୁମେହ ଚିକିତ୍ସା ଶିବିର

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଆସନ୍ତା ଏପ୍ରିଲ୍ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ସମ୍ପୂର୍ଣ୍ଣ ମାଗଣାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହେବ। ସକାଳ ୯ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ଚିକିତ୍ସା କରିବେ ଓ ପରାମର୍ଶ ଦେବେ।

ଜନସାଧାରଣ ଏହି ମାଗଣା ମଧୁମେହ ଚିକିତ୍ସା ଶିବିରକୁ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇପାରିବେ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ ସୂଚନା ଦେଇଛନ୍ତି।
ଏହି ମାଗଣା ଚିକିତ୍ସା ଶିବିରରେ ରୋଗୀମାନେ ମଧୁମେହ ରୋଗର ବିଶେଷଜ୍ଞ ଡାକ୍ତରମାନଙ୍କର ପରାମର୍ଶ ନେଇପାରିବେ। ଡାଇବେଟିସ୍‌ରେ ପାଦର ଯତ୍ନ, ଗ୍ଲୁକୋମିଟର ସାହାଯ୍ୟରେ ରକ୍ତ ଶର୍କରାର ପରୀକ୍ଷଣ, ରକ୍ତଚାପର ପରୀକ୍ଷା, ଆଖିର ପରୀକ୍ଷା (ରେଟିନୋପାଥି ସ୍କ୍ରିନିଂ) ଏବଂ ସ୍ନାୟୁରୋଗ ବିଷୟରେ ଏହି ଶିବିରରେ ପରାମର୍ଶ ଦିଆଯିବ।

ଉପଯୁକ୍ତ ଖାଦ୍ୟ ଗ୍ରହଣ, ଶାରୀରିକ ବ୍ୟାୟାମ, ଶରୀରର ଓଜନ ନିୟନ୍ତ୍ରଣ, ରକ୍ତ ଶର୍କରା ପରୀକ୍ଷାର ଗୁରୁତ୍ୱ ଏବଂ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଇସିଜି, ୟୁରିନ୍ ମାଇକ୍ରୋ ଆଲ୍‌ବୁମିନ୍‌, ଲିପିଡ ପ୍ରୋଫାଇଲ୍‌, ଏଚ୍‌ବିଏ୧ସି, ଫଣ୍ଡୋସ୍କୋପି ଭଳି ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ରୋଗୀମାନଙ୍କୁ ଉପଦେଶ ଦିଆଯିବ।

ଏଥି ସହିତ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସିବିସି, ଏଚ୍‌ବିଏ୧ସି, ଏଫ୍‌ବିଏସ୍‌, ପିପିବିଏସ୍‌, କିଡ୍‌ନୀ ଫଙ୍କସନ୍ ଟେଷ୍ଟ, ଲିପିଡ ପ୍ରୋଫାଇଲ୍ (କୋଲେଷ୍ଟ୍ରାଲ୍ ଟେଷ୍ଟିଂ) ଓ ୟୁରିନ୍ ଆର୍‌/ଏମ୍ ଭଳି ସ୍ୱାସ୍ଥ୍ୟ ପରୀକ୍ଷାର ପ୍ୟାକେଜ୍‌ରେ ରିହାତି ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

ଅନେକ ଲୋକ ମଧୁମେହ ଭଳି ସମସ୍ୟା ସମ୍ପର୍କରେ ଅବଗତ ନଥିବା ବେଳେ ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ପରାମର୍ଶ ଜରିଆରେ ଏହି ରୋଗ ସମ୍ପର୍କରେ ସଚେତନ କରାଇବା ଆମର ଲକ୍ଷ୍ୟ ବୋଲି ଶ୍ରୀ ଦାଶ କହିଛନ୍ତି।

Categories
ଆଜିର ଖବର

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବନ୍ଧ୍ୟାଦୋଷ ଚିକିତ୍ସା ଶିବିର

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଗତ ରବିବାର ଏକ ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଓଡିଶାର ବିଭିନ୍ନ ଅଂଚଳରୁ ବହୁ ନିଃସନ୍ତାନ ଦମ୍ପତି ଏହି ଶିବିରରେ ଯୋଗ ଦେଇ ଡାକ୍ତରୀ ପରାମର୍ଶ ଗ୍ରହଣ କରିବା ସହ ଚିକିତ୍ସା କରାଇଥିଲେ।

ଭୁବନେଶ୍ୱର ସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌)ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ଏହି ଶିବିରକୁ ଆସିଥିବା ଦମ୍ପତିମାନଙ୍କୁ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ପ୍ରଦାନ କରିଥିଲେ। ପ୍ରଜନନ କ୍ଷମତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ବହୁ ଦମ୍ପତି ପରାମର୍ଶ ଗ୍ରହଣ କରିଥିଲେ।

ଏହି ଅଂଚଳର ରୋଗୀ ଯେଉଁମାନେ କି ବନ୍ଧ୍ୟାଦୋଷରେ ପୀଡିତ ସେମାନଙ୍କ ସମସ୍ୟା କିପରି ଠିକ୍ ଭାବରେ ନିରୂପଣ କରାଯାଇପାରିବ ଓ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ ତାହା ହିଁ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ପ୍ରଧାନ କହିଛନ୍ତି। ପ୍ରଥମେ ବନ୍ଧ୍ୟାଦୋଷର କାରଣ ଚିହ୍ନଟ କରିବା ପରେ ତତ୍ ଉପଯୋଗୀ ଚିକିତ୍ସା ସମ୍ପର୍କରେ ଦମ୍ପତିଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।

ଗତ ମାର୍ଚ୍ଚ ମାସରେ ମଧ୍ୟ ଏଭଳି ଏକ ଶିବିରର ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ପ୍ରତ୍ୟେକ ମାସର ତୃତୀୟ ରବିବାର ଦିନ ସିଏଚ୍‌ଆର୍ ଏବଂ ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ମିଳିତ ଉଦ୍ୟମରେ ଏଭଳି ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିରର ଆୟୋଜନ କରାଯିବ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି।
ଶ୍ରୀ ଦାଶ କହିଛନ୍ତି ଯେ ଏହି ଶିବିରରେ ବହୁ ସଂଖ୍ୟକ ଦମ୍ପତି ଯୋଗ ଦେଇଥିଲେ। ଦକ୍ଷିଣ ଓଡିଶାର ନିଃସନ୍ତାନ ଦମ୍ପତିଙ୍କୁ ଏଣିକି ଡାକ୍ତରୀ ପରାମର୍ଶ ପାଇଁ ଆଉ ଦୂରଦୂରାନ୍ତକୁ ଯିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ଆୟୋଜିତ ଏହି ଶିବିରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଉପସ୍ଥିତ ଥିବା ବେଳେ ଶୀତଳାପଲ୍ଲୀ ସମ୍ ମଲ୍ଟି ସ୍ପେଶିଆଲ୍ଟି ହସ୍ପିଟାଲ୍‌ର ଡାକ୍ତର ସ୍ମୃତିରଂଜନ ପଟ୍ଟନାୟକ , ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ଡାକ୍ତର ରିଷିକା ସେନ୍‌, ଭୁବନେଶ୍ୱର ସମ୍ ହସ୍ପିଟାଲର ଡାକ୍ତର ଶୁଭାଙ୍ଗୀ ଜେନା, ଏଏନ୍‌ଏସ୍ ଶ୍ରୀମତି ଅର୍ଚ୍ଚନା ପ୍ରିୟଦର୍ଶିନୀ ତ୍ରିପାଠୀ, ନର୍ସିଂ ଇନ୍‌ଚାର୍ଜ ଶ୍ରୀମତି ଇତି ଶ୍ରାବଣୀ ତଥା ଅନ୍ୟାନ୍ୟ ନର୍ସିଂ, କ୍ଳିନିକାଲ୍ ଓ ନନ୍ କ୍ଳିନିକାଲ୍ ଷ୍ଟାଫ୍ ଏହି ଶିବିରକୁ ପରିଚାଳନା କରିଥିଲେ।