Categories
ବିଶେଷ ଖବର

ଶୀତ ଅଧିବେଶନ: ୯୨ ବିରୋଧୀ ସାଂସଦ ନିଲମ୍ବିତ, ଆସନ୍ତାକାଲି ଇଣ୍ଡି ମେଣ୍ଟ ବୈଠକରେ କ’ଣ ରହିବ ରଣନୀତି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ବାଧା ସୃଷ୍ଟି କରିଥିବାରୁ ଆଜି ୭୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏହି ୭୮ ଜଣ ସାଂସଦଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଡିଏମକେ ସାଂସଦ ଟିଆର ବାଲୁ, ଟିଏମସିର ସୌଗତ ରାୟ ଏବଂ ଉଭୟ ଗୃହର ଅନେକ ନେତା ଅଛନ୍ତି। ଏହି ସାଂସଦମାନଙ୍କୁ ନିଲମ୍ବିତ କରିବା ପୂର୍ବରୁ ଗୁରୁବାର ହଙ୍ଗାମା ଯୋଗୁଁ ୧୪ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।

କଂଗ୍ରେସ ସାଂସଦ ତଥା ଲୋକସଭାରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ୧୪ ଜଣ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ରବିବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଛନ୍ତି। ଅଧିର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ଶୀତ ଅଧିବେଶନର ଅବଶିଷ୍ଟ ଅବଧି ପାଇଁ ନିଲମ୍ବିତ କରାଯାଇଛି। ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଏହା ହେଉଛି ସଂସଦର ଶେଷ ପୂର୍ଣ୍ଣକାଳୀନ ଅଧିବେଶନ ଏବଂ ଆଉ ୪ ଦିନ ବାକି ଅଛି। ଉଭୟ ଶାସକ ଦଳ ଓ ବିରୋଧୀ ଖଣ୍ଡପୀଠର ନିଜସ୍ୱ ଯୁକ୍ତି ରହିଛି। ଏଭଳି ସ୍ଥିତିରେ ବିରୋଧୀଙ୍କ ରଣନୀତି କ’ଣ ରହିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଲୋକସଭା ନିର୍ବାଚନ ଓ ଉଭୟ ମୁହାଁମୁହିଁ

ଏଥର ଶୀତ ଅଧିବେଶନରେ ନିଲମ୍ବିତ ଶବ୍ଦ ଅଧିକ ଶୁଣିବାକୁ ମିଳୁଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନ ଉଠୁଥିଲା, ଗତ ପୂର୍ଣ୍ଣାଙ୍ଗ ଅଧିବେଶନ ବିନା ବାଧାରେ ଗୃହ ଚାଲିବାକୁ ଅନୁମତି ଦେବ କି ? ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବହିଷ୍କାର ସହ ୧୯ ଦିନିଆ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା। ଯାହା ପରେ ବିରୋଧୀ ସାଂସଦମାନେ ଏହାକୁ ନେଇ ଜୋରଦାର ହୋହଲ୍ଲା କରିଥିଲେ। ବିଧାନସଭା ନିର୍ବାଚନ ଫଳାଫଳର ପରଦିନ ଗୃହ ଆରମ୍ଭ ହୋଇଥିଲା ଏବଂ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ସେ ଆଶା କରନ୍ତି ଯେ ସେ ଗୃହ ଭିତରେ ପରାଜୟର କ୍ରୋଧ ପ୍ରକାଶ କରିବେ ନାହିଁ। ଏଭଳି ସ୍ଥିତିରେ ଚଳିତ ଅଧିବେଶନରେ ଝଡ଼ତୋଫାନ ହେବ ବୋଲି ଆକଳନ କରାଯାଇଥିଲା। ଡିସେମ୍ବର ୧୩ରେ ସଂସଦରେ ସୁରକ୍ଷା ତ୍ରୁଟି ପରେ ଏହି ମାମଲା ଉଗ୍ରରୂପ ଧାରଣ କରିଛି। ଏବେ ଉଭୟ ଶାସକ ଦଳ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

ବିରୋଧୀଙ୍କ ରଣନୀତି କ’ଣ ରହିବ, ବିଜେପି ବୈଠକରେ କ’ଣ ଉଠିବ ପ୍ରସଙ୍ଗ

ଏହି ଅଧିବେଶନରେ ଏପର୍ଯ୍ୟନ୍ତ ୯୨ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ଏବଂ ଇତି ମଧ୍ୟରେ ମଙ୍ଗଳବାର ଦିଲ୍ଲୀରେ ବିରୋଧୀ ଦଳ ଇଣ୍ଡି ମେଣ୍ଟର ଏକ ବୈଠକ ହେବାକୁ ଯାଉଛି। ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏହି ବୈଠକ ହେବାକୁ ଯାଉଛି। ଏହି ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିନଥିବାରୁ ମେଣ୍ଟ ସହଯୋଗୀମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ମେଣ୍ଟର ଏକତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ଏହି ବୈଠକ ହେବାକୁ ଯାଉଛି ଏବଂ ସେସବୁ ପ୍ରସଙ୍ଗ ସହିତ ଲୋକସଭା ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ବୋଲି ବିଶ୍ୱାସ କରାଯାଉଛି। ଏହା ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ ଦଳର ସାଂସଦମାନଙ୍କୁ ନିଲମ୍ବନ ପ୍ରସଙ୍ଗ ଏହି ବୈଠକରେ ଉଠିପାରେ। ଏହି ସମଗ୍ର ପ୍ରସଙ୍ଗରେ ବିରୋଧୀଙ୍କ ରଣନୀତି କ’ଣ ରହିବ ସେ ନେଇ ଆଲୋଚନା ସମ୍ଭବ।

ଉଭୟ ଶାସକ ଦଳ ଓ ବିରୋଧୀଙ୍କ ନିଜସ୍ୱ ଯୁକ୍ତି ରହିଛି

ସାଂସଦଙ୍କ ନିଲମ୍ବନ ଓ ହଙ୍ଗାମା ପଛରେ ଉଭୟ ଶାସକ ଦଳ ଓ ବିରୋଧୀଙ୍କ ନିଜସ୍ୱ ଯୁକ୍ତି ରହିଛି। ଗୋଟିଏ ପଟେ ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଗୃହରେ ବୟାନ ଦିଅନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ସତ୍ତ୍ୱେ ଅଚଳାବସ୍ଥା ଥମିବାର ନାଁ ନେଉନାହିଁ। ଏହାର ପ୍ରଭାବ ସୋମବାର ଦେଖିବାକୁ ମିଳିଥିଲା। ଏହି ନିଲମ୍ବନ ଉପରେ ବିରୋଧୀ ସାଂସଦମାନେ କହିଛନ୍ତି ଯେ ସରକାର ଏକଛତ୍ରବାଦକୁ ଓହ୍ଲାଇଛନ୍ତି। ଗୃହରେ ବାଧା ଉପୁଜିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି। ବିରୋଧୀମାନେ ବାରମ୍ବାର ହୋହଲ୍ଲା କରୁଛନ୍ତି। ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏବେବି ତଦନ୍ତ ଜାରି ରହିଛି। ଏସବୁ ଜାଣି ବିରୋଧୀ ଜାଣିଶୁଣି ସଂସଦ ଚାଲିବାକୁ ଦେଉନାହାନ୍ତି।

ସାଧାରଣତଃ ଦେଖିବାକୁ ମିଳିଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଗତ ଅଧିବେଶନରେ ପ୍ରବଳ ହଙ୍ଗାମା ହେଉଛି, ଯେଉଁକାରଣରୁ ସଂସଦର କାର୍ଯ୍ୟଧାରା ଠିକ୍ ଭାବେ ଚାଲିପାରୁନାହିଁ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୮ରେ ଶୀତ କାଳୀନ ଅଧିବେଶନରେ ଅଧିକ ହଙ୍ଗାମା ହୋଇଥିଲା। ସେତେବେଳେ ସଂସଦ ମାତ୍ର ୭୪ ଘଣ୍ଟା ଚାଲିପାରୁଥିଲା। ଏବେ ପୁଣି ଥରେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଆକ୍ରମଣାତ୍ମକ ମନୋଭାବ ଅବଲମ୍ବନ କରୁଥିବାବେଳେ ଶାସକ ଦଳ ମଧ୍ୟ ସମାନ ମନୋଭାବରେ ଦେଖିବାକୁ ମିଳୁଛି।

Categories
ବିଶେଷ ଖବର

ସଂସଦର ଶୀତ ଅଧିବେଶନ ଆରମ୍ଭରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆରମ୍ଭରେ ଆଜି (୦୭-୧୨-୨୦୨୨) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଉଦ୍ବୋଧନ ଦେବା ସହ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି।

ଦେଶରେ ସମସ୍ତ ନାଗରିକ ଓ ସଂସଦ ସଦସ୍ୟଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ପ୍ରଥମେ ଅଭିନନ୍ଦନ ଜଣାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଉପରାଷ୍ଟ୍ରପତିଙ୍କ ସମ୍ମାନଜନକ ପଦବୀ ଉପରେ ଆଲୋକପାତ କରି ସେ କହିଲେ, ଏହି ପଦବୀ ଲକ୍ଷ ଲକ୍ଷ ଜନସାଧାରଣଙ୍କ ନିମନ୍ତେ ଏକ ପ୍ରେରଣା।

ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆଜିର ଦିବସରେ ସଶସ୍ତ୍ର ସେନା ପତାକା ଦିବସ ପଡୁଥିବାରୁ ସଦନର ସମସ୍ତ ସଦସ୍ୟଙ୍କ ପକ୍ଷରୁ ସଶସ୍ତ୍ର ସେନାକୁ ଅଭିବାଦନ ଜଣାଇଥିଲେ। ଉପରାଷ୍ଟ୍ରପତିଙ୍କ ଜନ୍ମସ୍ଥାନ ଝୁନଝୁନର ସ୍ମରଣ କରି ପ୍ରଧାନମନ୍ତ୍ରୀ ଝୁନଝୁନର ଅନେକ ପରିବାର ଦେଶ ସେବାରେ ଅଗ୍ରଣୀ ଭୂମିକା ନେଇଥିବା ପ୍ରକାଶ କରିଥିଲେ। ସେ ଉପରାଷ୍ଟ୍ରପତିଙ୍କ ଅନ୍ତରଙ୍ଗ ସମ୍ପର୍କ ଯବାନ ଓ କିଷାନମାନଙ୍କ ସହ ଥିବା ଉପରେ ଆଲୋକପାତ କରି କହିଥିଲେ ଯେ “ ଆମର ଉପରାଷ୍ଟ୍ରପତି ହେଉଛନ୍ତି ଜଣେ ଚାଷୀର ପୁଅ ଓ ସେ ସୈନିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ, ସେଥିପାଇଁ ସେ ଉଭୟ ଯବାନ ଓ କିଷାନମାନଙ୍କ ଅନ୍ତରଙ୍ଗ ବନ୍ଧୁ।”

ରାଜ୍ୟସଭା ଦୁଇଟି ଅବିସ୍ମରଣୀୟ ଘଟଣା ସମୟରେ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସ୍ୱାଧୀନତାର ଅମୃତ କାଳରେ ପ୍ରବେଶ କରିବା ସହ ଜି-୨୦ ଶିଖର ବୈଠକରେ ଅଧ୍ୟକ୍ଷତା କରିବାର ସୁଯୋଗ ପାଇଛି। ନବ ଭାରତର ବିକାଶ ଛଡା ଭାରତ ବିଶ୍ୱର ଗତି ନିର୍ଦ୍ଧାରଣ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। “ଆମ ଗଣତନ୍ତ୍ର, ଆମ ସଂସଦ ଓ ଆମ ସଂସଦୀୟ ପଦ୍ଧତିରେ ଏହି ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି” ବୋଲି ସେ କହିଥିଲେ।

ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଉପ ରାଷ୍ଟ୍ରପତି ପଦବୀର ମିଆଦ ଆଜଠାରୁ ଆନୁଷ୍ଠାନିକଭାବେ ଆରମ୍ଭ ହେଉଥିବା ବିଷୟ ଅବତାରଣା କରି ପ୍ରଧାନମନ୍ତ୍ରୀ ସଂସଦର ଉପର ସଦନ ଉପରେ ନ୍ୟସ୍ତ ଦାୟିତ୍ୱ ହେଉଛି ସାଧାରଣ ଜନତାଙ୍କ ସମସ୍ୟା ବୋଲି କହିଥିଲେ। “ ଏହି ସମୟରେ ଭାରତ ଏହି ଦାୟିତ୍ୱକୁ ହୃଦୟଙ୍ଗମ କରୁଛି ଓ ଏଥିପ୍ରତି ଅଙ୍ଗୀକାରବଦ୍ଧ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ଯେ ଭାରତର ସମ୍ମାନୀୟ ଆଦିବାସୀ ସମାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜରିଆରେ ଏହି ଗୁରତ୍ୱପୂର୍ଣ୍ଣ ସମୟରେ ଦେଶକୁ ମାର୍ଗଦର୍ଶନ ଦେଉଛି। ସେ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏକ ଅବହେଳିତ ଶ୍ରେଣୀରୁ ଆସି ମଧ୍ୟ ଏପରି ସର୍ବୋଚ୍ଚ ସ୍ଥାନରେ କିପରି ପହଂଚି ପାରିଥିଲେ, ତାହାର ଅବତାରଣା କରିଥିଲେ।
ସମ୍ମାନ ଓ ଭକ୍ତିର ସହ ଅଧ୍ୟକ୍ଷଙ୍କ ଆସନ ଆଡକୁ ଚାହିଁ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ସମ୍ପଦ ବଳରେ ଜଣେ ଯାହା ଚାହିଁବ ତାହା ହାସଲ କରିପାରିବ ନାହିଁ, ବରଂ ତାହା ଅଭ୍ୟାସ ଓ ଉପଲବ୍ଧି ଦ୍ୱାରା ଯେ ସମ୍ଭବ ଆପଣଙ୍କ ଜୀବନ ତାହା ପ୍ରମାଣ କରିଛି।” ରାଷ୍ଟ୍ରପତିଙ୍କ ସୁପ୍ରିମକୋର୍ଟର ତିନିଦଶନ୍ଧିର ଜଣେ ବରିଷ୍ଠ ଆଇନଜୀବୀ ଅଭିଜ୍ଞତାର ନଜିର ଦେଇ ପ୍ରଧାନମନ୍ତ୍ରୀ ଟିକେ ହାଲୁକା ଢଙ୍ଗରେ କହିଥିଲେ ଯେ ସେ ଗୃହରେ ଅଦାଲତରେ ଅନୁପସ୍ଥିତି ଅନୁଭବ କରିବେ ନାହିଁ କାରଣ ରାଜ୍ୟସଭାରେ ଅନେକ ସଦସ୍ୟ ଏପରି ଅଛନ୍ତି ଯେଉଁମାନେ ତାଙ୍କୁ ସୁପ୍ରିମକୋର୍ଟରେ ଦେଖୁଥିଲେ।

ସେ ପୁଣି କହିଥିଲେ ଯେ ‘ଆପଣ ବିଧାୟକରୁ ସଂସଦ ସଦସ୍ୟ, କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟପାଳ ଭୂମିକା ତୁଲାଇ ସାରିଛନ୍ତି।” ଏ ସମସ୍ତ ଭୂମିକାରେ ଗୋଟିଏ କଥା ଯାହା ସମାନ ଥିଲା, ତାହା ହେଉଛି ଦେଶର ବିକାଶ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନିଷ୍ଠା ବୋଲି ସେ କହିଥିଲେ। ଉପରାଷ୍ଟ୍ରପତି ଭାବେ ଉପରାଷ୍ଟ୍ରପତି ନିର୍ବାଚନରେ ପାଇଥିବା ଶତକଡା ୭୫ଭାଗ ଭୋଟ ତାଙ୍କ ପ୍ରତି ଅନ୍ୟମାନଙ୍କ ଆନୁଗତ୍ୟର ପ୍ରମାଣ ବୋଲି ଶ୍ରୀ ମୋଦି କହିଥିଲେ। “ନେତୃତ୍ୱର ପ୍ରକୃତ ସଂଜ୍ଞା ହେଉଛି ଅଗ୍ରଣୀ ଭୂମିକା ଓ ରାଜ୍ୟସଭା ପରିପ୍ରେକ୍ଷୀରେ ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। କାରଣ ଏକ ସ୍ୱଚ୍ଛ ଉପାୟରେ ଗଣତାନ୍ତ୍ରିକ ନିଷ୍ପତ୍ତିକୁ ଫଳପ୍ରଦ କରିବା ହେଉଛି ଗୃହର ଦାୟିତ୍ୱ।

ଗୃହର ମର୍ଯ୍ୟାଦା ବୃଦ୍ଧି ପାଇଁ ସଦସ୍ୟମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୃହ ଦେଶର ମହାନ୍ ଗଣତାନ୍ତ୍ରିକ ଐତିହ୍ୟର ରକ୍ଷାକର୍ତ୍ତା ଓ ଏହାର ଶକ୍ତି ଭାବେ ବିବେଚିତ ହୋଇଥାଏ। ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ କେବେ କେମିତି ରାଜ୍ୟସଭା ସଦସ୍ୟଭାବେ କାର୍ଯ୍ୟ କରିବା ଉପରେ ସେ ଆଲୋକପାତ କରିଥିଲେ। ଉପରାଷ୍ଟ୍ରପତିଙ୍କ ମାର୍ଗଦର୍ଶନରେ ଏହି ଗୃହ ଏହାର ମର୍ଯ୍ୟାଦା ଓ ଗରିମା ଅତୁଟ ରଖିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । “ଗୃହରେ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ଆଲୋଚନା ଗଣତନ୍ତ୍ରର ଜନନୀଭାବେ ଆମର ଗର୍ବକୁ ଆହୁରି ଶକ୍ତିଶାଳୀ କରିବ” ବୋଲି ସେ କହିଥିଲେ।

ଅଭିଭାଷଣର ଉଦ୍ଯାପନରେ ପ୍ରଧାନମନ୍ତ୍ରୀ କିପରି ପୂର୍ବତନ ଉପରାଷ୍ଟ୍ରପତି ତଥା ଅଧ୍ୟକ୍ଷ ଗତ ଅଧିବେଶନରେ ତାଙ୍କର ପଦବିନ୍ୟାସ ଓ ମିତ୍ରାକ୍ଷର ସଦସ୍ୟମାନଙ୍କୁ ହସର ଖୋରାକ୍ ଯୋଗାଇଥିଲା ତାହାର ସ୍ମୃତିଚାରଣ କରିଥିଲେ। “ମୁଁ ନିଶ୍ଚିତ ଯେ ଆପଣ ପ୍ରତ୍ୟୁପନ୍ନମତିତା କେବେ ମଧ୍ୟ ଆପଣଙ୍କଠାରୁ ଖସିଯିବ ନାହିଁ ଓ ଆପଣ ଗୃହକୁ ତାହାର ସୁବିଧା ନେଇ ଚାଲିଥିବେ” ବୋଲି କହି ପ୍ରଧାନମନ୍ତ୍ରୀ ଅଭିଭାଷଣଣର ପରିସମାପ୍ତି ଘଟାଇଥିଲେ।

Categories
ବିଶେଷ ଖବର

ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ଅଜିଠୁ ସଂସଦରେ ଶୀତ କାଳୀନ ଅଧିବେଶନ ଆରମ୍ଭ ହୋଇଛି। ତେବେ ଏହା ପୂର୍ବରୁ ସମସ୍ତ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ବାର୍ତ୍ତା ଦେଇଛନ୍ତି। ସେ ତାଙ୍କ ଉଦବୋଧନରେ କହିଛନ୍ତି ଯେ, “ସଂସଦର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିବସ। ଏହି ଅଧିବେଶନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ ୧୫ ଅଗଷ୍ଟ ପୂର୍ବରୁ ଆମେ ଏକାଠି ହୋଇଥିଲେ। ୧୫ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂରଣ ହୋଇଥିଲା ଏବଂ ଏବେ ଆମେ ଅମୃତକାଳ ଯାତ୍ରାରେ ଆଗକୁ ଅଗ୍ରସର ହେଉଛେ। ଆଜି ଏଭଳି ଏକ ସମୟରେ ଆମେ ଏକତ୍ରିତ ହୋଇଛେ, ଯେତେବେଳେ ଭାରତକୁ ଜି-୨୦ ର ପରିଚାଳନା ସୁଯୋଗ ମିଳିଛି। ବିଶ୍ୱ ସମୁଦାୟରେ ଯେଉଁଭଳି ଭାବେ ଭାରତକୁ ସ୍ଥାନ ମିଳୁଛି, ଯେଉଁଭଳି ଭାରତକୁ ନେଇ ଆଶା ବଢ଼ୁଛି ଏବଂ ଯେଉଁଭଳି ଭାବେ ଭାରତ ବୈଶ୍ୱିକ ମଞ୍ଚରେ ନିଜ ଭାଗୀଦାରି ବଢ଼ାଇବାରେ ଲାଗିଛି, ଏଭଳି ସମୟରେ ଏହି ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ଏକ ବହୁତ ବଡ଼ ସୁଯୋଗ।

ଏହି ଜି-୨୦ ସମ୍ମିଳନୀ କେବଳ ଏକ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ। ବରଂ ଏହି ଜି-୨୦ ସମ୍ମିଳନୀ ଭାରତର ସାମର୍ଥ୍ୟକୁ ବିଶ୍ୱ ସାମ୍ନାରେ ପ୍ରସ୍ତୁତ କରିବାର ସୁଯୋଗ। ଏତେ ବଡ଼ ଦେଶ, ଗଣତନ୍ତ୍ରର ଜନନୀ, ଏତେ ବିବିଧତା, ଏତେ ସାମର୍ଥ୍ୟ; ପୁରା ବିଶ୍ୱ ଭାରତକୁ ଜାଣିବା ଏବଂ ଭାରତ ବିଶ୍ୱ ସମ୍ମୁଖରେ ନିଜ ସାମର୍ଥ୍ୟ ପ୍ରଦର୍ଶନ ନିମନ୍ତେ ଏହା ଏକ ବହୁତ ବଡ଼ ସୁଯୋଗ।

ବିଗତ ଦିନଗୁଡ଼ିକରେ ମୋର ସମସ୍ତ ଦଳର ଅଧ୍ୟକ୍ଷଙ୍କ ସହ ସକାରାତ୍ମକ ବାତାବରଣରେ ଚର୍ଚ୍ଚା ହୋଇଛି। ଗୃହରେ ମଧ୍ୟ ଏହାର ପ୍ରତିଫଳନ ନିଶ୍ଚିତ ଦୃଶ୍ୟମାନ ହେବ। ଗୃହରେ ବି ସେହି ସ୍ୱର ଉଠିବ, ଯାହା ଭାରତର ସାମର୍ଥ୍ୟକୁ ବିଶ୍ୱରେ ପ୍ରସ୍ତୁତ କରିବା ଲାଗି କାମରେ ଆସିବ। ଏହି ଅଧିବେଶନରେ ଦେଶକୁ ବିକାଶର ନୂଆ ଉଚ୍ଚତାକୁ ନେଇଯିବା ଲାଗି ବର୍ତ୍ତମାନ ବୈଶ୍ୱିକ ପରିସ୍ଥିତିରେ ଭାରତକୁ ଆଗକୁ ବଢ଼ାଇବା ପାଇଁ ନୂଆ ସୁଯୋଗ ଆଦିକୁ ଧ୍ୟାନରେ ରଖି ଅନେକ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଏହି ଅଧିବେଶନରେ ନେବା ପାଇଁ ଉଦ୍ୟମ ହେବ। ମୋର ବିଶ୍ୱାସ ଯେ ସମସ୍ତ ରାଜନୈତିକ ଦଳ ଆଲୋଚନାକୁ ଆହୁରି ସୁଦୃଢ଼ କରିବେ। ସଂସଦର ଏହି କାର୍ଯ୍ୟକାଳର ଯେଉଁ ସମୟ ଏବେ ବାକି ରହିଛି, ମୁଁ ସମସ୍ତ ଦଳର ନେତାମାନଙ୍କୁ ଏବଂ ସମସ୍ତ ଫ୍ଲୋର ଲିଡରଙ୍କୁ କହିବାକୁ ଚାହିଁବି ଯେ ପ୍ରଥମ ଥର ପାଇଁ ଯେଉଁମାନେ ସଂସଦ ଆସିଛନ୍ତି, ଯେଉଁ ନୂଆ ସାଂସଦ ଅଛନ୍ତି, ଯେଉଁ ଯୁବ ସାଂସଦ ଅଛନ୍ତି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଏବଂ ଗଣତନ୍ତ୍ରର ଭାବୀ ପିଢ଼ିକୁ ପ୍ରସ୍ତୁତ କରିବା ପାଇଁ ଆମେ ଅଧିକରୁ ଅଧିକ ସୁଯୋଗ ସେହିମାନଙ୍କୁ ଦେବା ଏବଂ ଆଲୋଚନାରେ ସେମାନଙ୍କର ଭାଗୀଦାରି ବଢ଼ାଇବା।

ବିଗତ ଦିନଗୁଡ଼ିକରେ ପାଖାପାଖି ସମସ୍ତ ଦଳର କୌଣସି ନା କୌଣସି ସାଂସଦଙ୍କ ସହିତ ମୋର ଔପଚାରିକ ସାକ୍ଷାତ ଯେବେ ବି ହୋଇଛି, ଗୋଟିଏ କଥା ନିଶ୍ଚିତ ସମସ୍ତ ସାଂସଦ କୁହନ୍ତି ଯେ ଗୃହରେ ହୋହଲ୍ଲା ଏବଂ ତା’ପରେ ଗୃହ ସ୍ଥଗିତ ହୋଇଯାଏ। ଏହାଦ୍ୱାରା ଆମ ସାଂସଦମାନଙ୍କର କ୍ଷତି ହୋଇଥାଏ। ଯୁବ ସାଂସଦମାନଙ୍କ କହିବା କଥା ହେଉଛି ଯେ ଅଧିବେଶନ ନ ଚାଲିବା କାରଣରୁ ଆଲୋଚନା ହୋଇ ନ ପାରିବା କାରଣରୁ ଆମେ ଯାହା ଏଠାରୁ ଶିଖିବାକୁ ଚାହୁଁ, ଆମେ ଯାହା ବୁଝିବାକୁ ଚାହୁଁ କାରଣ ଏହା ଗଣତନ୍ତ୍ରର ବହୁତ ବଡ଼ ବିଶ୍ୱବିଦ୍ୟାଳୟ। ଆମେ ତାହାଦ୍ୱାରା ପଛୁଆ ରହିଯାଉଥାଉ। ଆମକୁ ସେହି ସୌଭାଗ୍ୟ ମିଳୁନାହିଁ ଏବଂ ଏଥିପାଇଁ ଗୃହ ଚାଲିବା ବହୁତ ଜରୁରି। ଏହି ସମସ୍ତ ଦଳର ଯୁବ ସାଂସଦମାନଙ୍କର ବିଶେଷ ସ୍ୱର ବାହାରିଥାଏ।

ମୁଁ ବୁଝୁଛି ଯେ ଏବଂ ବିରୋଧୀ ଦଳର ଯେଉଁ ସାଂସଦ ଅଛନ୍ତି ସେମାନଙ୍କର ବି କହିବା କଥା ହେଉଛି ବିତର୍କରେ ଆମକୁ କହିବାକୁ ସୁଯୋଗ ମିଳୁନାହିଁ। ସେହି କାରଣରୁ ଗୃହ ସ୍ଥଗିତ ହୋଇଯାଏ। ସେହି କାରଣରୁ ହୋହଲ୍ଲା ହୋଇଥାଏ। ସେଥିଯୋଗୁ ଆମର ବହୁତ କ୍ଷତି ହୋଇଥାଏ। ମୁଁ ବୁଝୁଛି ଯେ ସମସ୍ତ ଫ୍ଲୋର ଲିଡର, ସମସ୍ତ ଦଳୀୟ ନେତା ଆମର ଏହି ସାଂସଦମାନଙ୍କ ଯନ୍ତ୍ରଣାକୁ ବୁଝିବେ। ସେମାନଙ୍କ ବିକାଶ ନିମନ୍ତେ, ଦେଶର ବିକାଶରେ ସେମାନଙ୍କ ସାମର୍ଥ୍ୟକୁ ଯୋଡ଼ିବା ଲାଗି ସେମାନଙ୍କର ଯେଉଁ ଉତ୍ସାହ ରହିଛି, ଉମଙ୍ଗ ରହିଛି, ସେମାନଙ୍କର ପ୍ରତିଭା ରହିଛି, ତାହାର ଲାଭ ଦେଶକୁ ମିଳୁ, ନିଷ୍ପତ୍ତିଗୁଡ଼ିକରେ ମିଳୁ, ନିଷ୍ପତ୍ତି ପ୍ରକ୍ରିୟାରେ ମିଳୁ, ଏହା ଗଣତନ୍ତ୍ରରେ ବହୁତ ଆବଶ୍ୟକ। ମୁଁ ଆହୁରି ସମସ୍ତ ଦଳଙ୍କୁ କହିବାକୁ ଚାହେଁ ଯେ ସମସ୍ତ ସାଂସଦ ଏହି ଅଧିବେଶନକୁ ଆହୁରି ଅଧିକ ସଫଳ ବନାଇବା ଦିଗରେ ସାମୂହିକ ଉଦ୍ୟମ କରିବେ।

ଏହି ଅଧିବେଶନରେ ଆଉ ଏକ ସୌଭାଗ୍ୟ ଯେ ଆଜି ପ୍ରଥମ ଥର ପାଇଁ ଆମ ଉପରାଷ୍ଟ୍ରପତି ଜୀ, ରାଜ୍ୟସଭାର ଅଧ୍ୟକ୍ଷ ଭାବେ ନିଜ କାର୍ଯ୍ୟକାଳ ଆରମ୍ଭ କରିବେ, ତାଙ୍କର ଏହା ପ୍ରଥମ ଅଧିବେଶନ ହେବ ଏବଂ ପ୍ରଥମ ଦିନ ହେବ। ଯେଉଁ ପ୍ରକାରେ ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ଭାରତର ମହାନ ସଂସ୍କୃତି ଓ ଆମ ଆଦିବାସୀ ପରମ୍ପରା ସହ ଦେଶର ଗୌରବ ବଢ଼ାଇବାରେ ବଡ଼ ଭୂମିକା ନିଭାଇଛନ୍ତି, ସେହିଭଳି ଭାବେ ଜଣେ ଚାଷୀ ପୁତ୍ର ଉପରାଷ୍ଟ୍ରପତି ପଦରେ ଆଜି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଦେଶର ଗୌରବ ବଢ଼ାଇବେ, ସାଂସଦମାନଙ୍କୁ ପ୍ରେରଣା ଦେବେ, ପ୍ରୋତ୍ସାହିତ କରିବେ। ତାଙ୍କୁ ବି ମୋ ତରଫରୁ ଅନେକ ଅନେକ ଶୁଭକାମନା ଜଣାଉଛି।”

ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ।

Categories
ଆଜିର ଖବର ଜାତୀୟ ଖବର

ନିଲମ୍ବିତ ୧୨ ସାଂସଦ କ୍ଷମା ପ୍ରାର୍ଥନା କରନ୍ତୁ, ତା’ପରେ ହେବ ବିଚାର: ସଂସଦୀୟ ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ଏକ ଅଶାନ୍ତି ଦେଖାଦେଇଥିଲା। ସଂସଦର ମୌସୁମୀ ଅଧିବେଶନରେ ହଟ୍ଟଗୋଳ ସୃଷ୍ଟି ହେତୁ ରାଜ୍ୟସଭାର ୧୨ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଙ୍ଗଳବାର ସକାଳେ ଟୁଇଟ୍ କରି କହିଛନ୍ତି ଯେ, ଗୃହର ସମ୍ମାନ ରକ୍ଷା କରିବା ପାଇଁ ସରକାର ବାଧ୍ୟତାମୂଳକ ଭାବେ ଏହି ନିଲମ୍ବନ ପ୍ରସ୍ତାବକୁ ଗୃହ ସମ୍ମୁଖରେ ରଖିବାକୁ ବାଧ୍ୟ ହୋଇଥିଲେ।

କିନ୍ତୁ ଯଦି ଏହି ୧୨ ଜଣ ସାଂସଦ ସେମାନଙ୍କର ଅସଦାଚରଣ ପାଇଁ ବାଚସ୍ପତି ଏବଂ ଗୃହକୁ କ୍ଷମା ମାଗନ୍ତି, ତେବେ ସରକାର ମଧ୍ୟ ସେମାନଙ୍କ ପ୍ରସ୍ତାବକୁ ଖୋଲା ହୃଦୟରେ ବିଚାର କରିବାକୁ ପ୍ରସ୍ତୁତ ଅଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସରକାର ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରସଙ୍ଗରେ ବିତର୍କ କରିବାକୁ ଏବଂ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ। ଆସନ୍ତାକାଲି ଠାରୁ ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯିବ। ମୁଁ ପୁଣି ଥରେ ସମସ୍ତ ଦଳଙ୍କୁ ନିବେଦନ କରୁଛି ଯେ, ଗୃହ କାର୍ଯ୍ୟ କରିବାକୁ ଅନୁମତି ଦିଅନ୍ତୁ ଏବଂ ଏହି ସମସ୍ତ ବିଲ୍ ଉପରେ ଫଳପ୍ରଦ ଏବଂ ସୁସ୍ଥ ଆଲୋଚନା କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ଦୈନିକ ସାଢେ ଚାରି ଘଣ୍ଟା ବସିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର 20 ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତଅଧିବେଶନ। ଏନେଇ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି ସୂଚନା ଦେଇ କହିଛନ୍ତି ଯେ, ଶୀତ ଅଧିବେଶନ କୋଭିଡ୍‌ କଟକଣା ଭିତରେ ଦୈନିକ ମାତ୍ର ସାଢେ 4 ଘଣ୍ଟା ଚାଲିବ। ତେବେ ପ୍ରଶ୍ନକାଳ ହେବ କି ନାହିଁ ସେନେଇ କିଛି ସ୍ଥିର କରାଯାଇନଥିବା ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି ଯେ, ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ନେଇ ପରାମର୍ଶ ନିଆଯିବ। ଇ- ବିଧାନସଭା ଲାଗି ଆସନ୍ତାକାଲି ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ବିଧାନସଭା କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଧାନସଭାର ଶୀତଅଧିବେଶନ ଆସନ୍ତା ନଭେମ୍ବର 20ରୁ ଆରମ୍ଭ ହୋଇ ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବ ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 20ରୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର : ବିଧାନସଭାର ଶୀତ ଅଧିବେଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର 20ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ନଭେମ୍ବର 20ରୁ ଡିସେମ୍ବର 31 ପର୍ଯ୍ୟନ୍ତ ବିଧାନସଭାର ଶୀତ ଅଧିବେଶନ ଅନୁଷ୍ଠିତ ହେବ। ନଭେମ୍ବର 20ରେ ଆଗତ ହେବ ଅତିରିକ୍ତ ବଜେଟ୍‌। ନଭେମ୍ବର 26, 27, 28 ତାରିଖରେ ଅତିରିକ୍ତ ବଜେଟ୍‌ ଖର୍ଚ୍ଚ ଦାବି ଆଲୋଚନା ହେବ। ନଭେମ୍ବର 29ରେ ଆସିବ ଅତିରିକ୍ତ ବଜେଟ୍‌ ବ୍ୟୟ ମଞ୍ଜୁରୀ ବିଲ୍‌।

ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବଜେଟ ଅଧିବେଶନରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇପାରିନଥିଲା। ସେହିପରି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ମୌସୁମୀ ଅଧିବେଶନ ବି ସ୍ୱଳ୍ପକାଳୀନ ହୋଇଥିଲ।

ତେବେ କରୋନାକୁ ଦୃଷ୍ଟିରେ ରଖି ଶୀତକାଳୀନ ଅଧିବେଶନ ପାଇଁ ବ୍ୟାପକ ସତର୍କତା ଅବଲମ୍ବନ କରାଯିବ। ବିଧାୟକ, ବିଧାନସଭା କର୍ମଚାରୀ, ପୋଲିସ ଓ ସାମ୍ବାଦିକମାନଙ୍କର କରୋନା ପରୀକ୍ଷା କରାଯିବ।