Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରା ଶ୍ରଦ୍ଧାଳୁଙ୍କ ସେବାରେ ଭାରତୀୟ ରେଳ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ଵର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛି। ଶ୍ରୀଗୁଣ୍ଡିଚା ଯାତ୍ରା ହେଉଛି ସାରା ବିଶ୍ୱରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥାର ଏକ ଯାତ୍ରା। ଏହି ତୀର୍ଥଯାତ୍ରୀମାନଙ୍କ ସେବାରେ ଭାରତୀୟ ରେଳ ସମ୍ପୂର୍ଣ୍ଣ ସମର୍ପିତ ଭାବେ ନିୟୋଜିତ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ସେମାନଙ୍କର ଦିବ୍ୟ ଅନୁଭୂତି ଲାଗି ସବୁପ୍ରକାର ସୁବିଧା ଯୋଗାଇ ଦେଉଛି ରେଳବାଇ।

ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାର ରେଳ ଭିତ୍ତିଭୂମିରେ ଐତିହାସିକ ବିକାଶ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ନୀତି ଅନ୍ତର୍ଗତ, ଓଡ଼ିଶାର ରେଳ ବଜେଟ୍‌ ଆବଣ୍ଟନ ପରିମାଣ ୨୦୦୯-୧୪ ତୁଳନାରେ ୧୨ ଗୁଣ ବୃଦ୍ଧି ପାଇ ୨୦୨୫-୨୬ରେ ୧୦ ହଜାର ୫୦୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି। ୨୦୧୪ ପରଠାରୁ ଓଡ଼ିଶାରେ ୨,୧୦୦ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ ହୋଇଛି। ଏହା ମାଲେସିଆର ସମ୍ପୂର୍ଣ୍ଣ ରେଳ ନେଟୱର୍କ ଠାରୁ ଅଧିକ ଲମ୍ବା।

ଓଡ଼ିଶାରେ ନୂଆ ରେଳ ଟ୍ରାକ୍‌ ନିର୍ମାଣ ପାଇଁ ପ୍ରାୟ ୭୩ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାମ ଜାରି ରହିଛି। ୫୯ଟି ଅମୃତ ଷ୍ଟେସନ ବିକଶିତ କରାଯାଉଛି। ଏଥିମଧ୍ୟରୁ ୧୬ଟି ଷ୍ଟେସନ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ରହିଛି। ୬ଟି ବନ୍ଦେ ଭାରତ ଟ୍ରେନ୍‌ ରାଜ୍ୟର ୧୭ଟି ଜିଲ୍ଲାରେ ଯାତ୍ରୀ ସେବା ଯୋଗାଇ ଦେଉଛନ୍ତି।

ରଥଯାତ୍ରା ସମୟରେ ଭାରତୀୟ ରେଳବାଇ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ। ପ୍ରତ୍ୟେକ ବର୍ଷ ରେଳବାଇ ଲକ୍ଷ ଲକ୍ଷ ରଥ ଯାତ୍ରା ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇଦିଏ।
ତୀର୍ଥଯାତ୍ରୀଙ୍କ ପାଇଁ ସୁଗମ ଯାତ୍ରା ସୁବିଧା

ଗତ ୧୧ ବର୍ଷ ମଧ୍ୟରେ ରଥଯାତ୍ରା ସ୍ୱତନ୍ତ୍ର ଟ୍ରେନ ସଂଖ୍ୟା ଚାରି ଗୁଣ ବୃଦ୍ଧି ପାଇଛି। ଚଳିତ ବର୍ଷ ପୁରୀକୁ ୮୫୦ଟି ନିୟମିତ ଏବଂ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍‌ ସେବା ସମେତ ମୋଟ୍‌ ୧୨୧୫ଟି ଟ୍ରେନ୍‌ ସେବା ଯୋଗାଇ ଦିଆଯାଉଛି। ଏହି ରେଳ ସେବା ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ଉପାନ୍ତ ଆଦିବାସୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ଯୋଗାଇ ଦିଆଯିବ।

ଦିବ୍ୟ ଅନୁଭୂତି ପାଇଁ ଏକ ଆରାମଦାୟକ ଯାତ୍ରା

ସେବା ପରମୋ ଧର୍ମ ଭାବନା ନେଇ ରଥଯାତ୍ରା ସମୟରେ ଭାରତୀୟ ରେଳବାଇ ତୀର୍ଥଯାତ୍ରୀଙ୍କର ସମ୍ମାନ, ଆରାମ ଏବଂ ସୁରକ୍ଷା ସୁନିଶ୍ଚିତ କରିଥାଏ। ଚଳିତ ବର୍ଷ ସମାବେଶୀ ତୀର୍ଥ ଯାତ୍ରା ଲାଗି ସବୁଠୁ ବଡ଼ ଅଭିଯାନ ଆରମ୍ଭ କରାଯାଇଛି। ଦୈନିକ ୨ ଲକ୍ଷ ଯାତ୍ରୀଙ୍କ ସମେତ ପ୍ରାୟ ୨୦ ଲକ୍ଷ ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ ରେଳବାଇ ପ୍ରସ୍ତୁତ। ଏକାଥରକେ ୨୫ ହଜାର ତୀର୍ଥଯାତ୍ରୀଙ୍କୁ ଆଶ୍ରୟ ଦେବା ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରାଯାଇଛି। ଖରା ଓ ଗରମରୁ ରକ୍ଷା ପାଇଁ ତୀର୍ଥଯାତ୍ରୀଙ୍କ ନିମନ୍ତେ ଯଥେଷ୍ଟ ବନ୍ଦୋବସ୍ତ କରାଯାଇଛି। ଯଥେଷ୍ଟ ସଂଖ୍ୟାରେ ଖାଦ୍ୟ ଷ୍ଟଲ୍‌, ପାଣି ବୁଥ୍‌ ଓ କୁଲର୍‌ ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀଙ୍କୁ ପ୍ରାୟ ୨.୫ ଲକ୍ଷ ମାଗଣା ଭୋଜନ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ପରିମଳ ଓ ସ୍ୱଚ୍ଛତା ପାଇଁ ଆଧୁନିକ ଜେଟ୍ ସଫେଇ ମେସିନ୍ ଏବଂ ସ୍ୱେରେଜ୍ ସକ୍ସନ୍ ଟ୍ରକ୍ ସମେତ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଯଥେଷ୍ଟ ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ସିସିଟିଭି, ଡ୍ରୋନ୍ ଏବଂ ମୁଖମଣ୍ଡଳ ଚିହ୍ନଟ ବ୍ୟବସ୍ଥା ବା ଫେସ୍‌ ରେକଗ୍ନିସନ୍‌ ସିଷ୍ଟମ୍‌ ସେମାନଙ୍କୁ ସହାୟକ ହେବ।

ଦିବ୍ୟାଙ୍ଗଜନ, ବୟସ୍କ, ମହିଳା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ମେଡ଼ିକାଲ ବୁଥ୍‌, ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଚଳିତ ବର୍ଷ, ଭାରତୀୟ ରେଳବାଇ ପୁରୀ ରେଳ ଷ୍ଟେସନକୁ ଏକ ସମାବେଶୀ ତଥା ଆସ୍ଥାକେନ୍ଦ୍ରିତ ଜନ ସେବାର ଆଦର୍ଶ ଷ୍ଟେସନ ରୂପେ ବିକଶିତ କରିଛି।

ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ପାଇଁ ସ୍ୱତନ୍ତ୍ର ରେଳ ଜ୍ୟାକ୍‌

ରଥଯାତ୍ରାରେ ଇଞ୍ଜିନିୟର ଏବଂ ଟେକ୍ନିସିଆନଙ୍କ ସମେତ ଭାରତୀୟ ରେଳବାଇର ଏକ ବିଶେଷ ଦଳ ମଧ୍ୟ ନିୟୋଜିତ ହୋଇଥା’ନ୍ତି। ଏହି ଦଳ ଯାତ୍ରା ସମୟରେ ରଥଗୁଡ଼ିକର ସୁଗମ ଗତି ଏବଂ ମରାମତି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ଉତ୍ତରଦାୟୀ ରହିଥାଏ। ଏହି ଦଳ ବିଶାଳ ରଥଗୁଡ଼ିକୁ ନିର୍ମାଣ ସ୍ଥଳରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପରିବହନରେ ସହାୟତା କରେ।
ନିର୍ଦ୍ଧାରିତ ମାର୍ଗରେ ରଥଗୁଡ଼ିକୁ ଯଥାସ୍ଥାନରେ ରଖିବା, ସେଗୁଡ଼ିକର ଅବସ୍ଥିତି ପ୍ରତି ଧ୍ୟାନ ଦେବା ଏବଂ ଆଗକୁ ଗଡ଼ାଇବାରେ ରେଳବାଇ ଦଳ ସ୍ୱତନ୍ତ୍ର ସ୍କ୍ରୁ ଜ୍ୟାକ୍‌ ବ୍ୟବହାର କରିଥାଏ। ଏହା ମାର୍ଗରେ ଆସୁଥିବା ବାଧାଗୁଡ଼ିକୁ ହଟେଇବା ଏବଂ ରଥଗୁଡ଼ିକ ମଧ୍ୟରେ ଯଥେଷ୍ଟ ଦୂରତା ବଜାୟ ରଖିବାରେ ମଧ୍ୟ ସହାୟତା କରିଥାଏ। ରଥଯାତ୍ରା ସରିବା ପର୍ଯ୍ୟନ୍ତ ଏହି ଦଳ ରଥଗୁଡ଼ିକ ପାଖରେ ରହିଥାଏ।

ଭାରତୀୟ ରେଳବାଇ ଦେଶର ଜୀବନରେଖା ରୂପେ ଲୋକମୁଖରେ ମାନ୍ୟତା ଲାଭ କରିଛି। ରଥଯାତ୍ରାକୁ ନିଜର ଜୀବନରେଖା ରୂପେ ବିଚାର କରୁଥିବା ତୀର୍ଥଯାତ୍ରୀଙ୍କ ସମେତ ସବୁ ଭାରତୀୟଙ୍କ ସେବାରେ ରେଳବାଇ ପୂର୍ଣ୍ଣ ସମର୍ପିତ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଣପୁର: ଆଡପ ମଣ୍ଡପରେ ଦର୍ଶନ ଦେଉଛନ୍ତି ତିନି ଠାକୁର

ରଣପୁର: ଆଡପ ମଣ୍ଡପରେ ତିନି ଠାକୁର। ରତ୍ନବେଦୀ ଛାଡି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହ ଜନ୍ମବେଦିକୁ ବିଜେ କରିଛନ୍ତି। ଜନ୍ମ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ସୋମବାରଠାରୁ ରଥ ଉପରୁ ଗୋଟି ପହଣ୍ଡିରେ ଯ୍ଧବ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିଜେ କରିଥିଲେ ଶ୍ରୀ ଜୀଉ।

ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତା ପରେ ଭଉଣୀ ସୁଭଦ୍ରା ଓ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ମହାପ୍ରଭୁଙ୍କ ଆଡପ ବିଜେ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଙ୍ଗମ ଦେଖିବାକୁ ମିଳିଥିଲା। ଆଜି ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କୁ ହଜାର ହଜାର ଭକ୍ତ ଦର୍ଶନ କରୁଛନ୍ତି।

Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ବାହୁଡା, ଆଜି ମହାପ୍ରଭୃଙ୍କ ସଂଧ୍ୟା ଦର୍ଶନ, ଏହାର ଗୁରୁତ୍ବ କଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର, ଆସନ୍ତାକାଲି ମଙ୍ଗଳବାରରେ ମହାପ୍ରଭୃ ତାଙ୍କ ଜନ୍ମବେଦୀର ଲୀଳା ସାରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ବାହୁଡା ପୂର୍ବଦିନ ସଂଧ୍ୟା ଦର୍ଶନ ଥିବାରୁ ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହେବା କଥା। ହେଲେ କରୋନା କଟକଣା ପାଇଁ ସଂଧ୍ୟା ଦର୍ଶନ ବନ୍ଦ କରିଦିଆଯାଇଛି।

ତେବେ ସାଧାରଣ ଭକ୍ତମନରେ ପ୍ରଶ୍ନ ଉଠେ ଆଡପ ମଣ୍ଡପରେ ଶ୍ରଜୀୟୁଙ୍କୁ ସବୁଦିନ ସଂଧ୍ୟାରେ ଭକ୍ତମାନେ ଦର୍ଶନ କରିଥାନ୍ତି। ହେଲେ ତାହାକୁ ସଂଧ୍ୟା ଦର୍ଶନ ନ କହି କେବଳ ବାହୁଡା ପୂର୍ବଦିନକୁ ସଂଧ୍ୟା ଦର୍ଶନ କାହିଁକି କୁହାଯାଏ। ଏହାର କାରାଣ ହେଲା ଯେ, ବାହୁଡା ପୂର୍ବଦିନ ଠାକୁରଙ୍କ ଆଡପ ମଣ୍ଡପରେ ଶେଷ ଦର୍ଶନ। ସାଧାରଣତଃ ସଂଧ୍ୟା ସମୟଟି ଦିନର ଶେଷ ସମୟ ହୋଇଥାଏ। ସେଥିପାଇଁ ଠାକୁରଙ୍କୁ ବାହୁଡା ପୂର୍ବଦିନ ସଂଧ୍ୟାରେ ଶେଷ ଦର୍ଶନ ହୋଇଥିବାରୁ ଏହାକୁ ସଂଧ୍ୟା ଦର୍ଶନ କୁହାଯାଇଥାଏ। ଏହିଦିନ ନବମୀ ତିଥି ଥିବାରୁ ଏହାକୁ ନବମୀ ସଂଧ୍ୟା ଦର୍ଶନ ମଧ୍ୟ କୁହାଯାଏ।

ନବମୀ ସଂଧ୍ୟା ଦର୍ଶନରେ କେତେକ ସ୍ବତନ୍ତ୍ର ନୀତି ପାଳତ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ସଂଧ୍ୟା ଦର୍ଶନ କେତେକ ନିର୍ଦ୍ଦିଷ୍ଠ ସମୟ ଭିତରେ କରିବାକୁ ପଡିଥାଏ। ଏହିଦିନ ଠାକୁରଙ୍କ ବଡସିଂହାର ବେଶ ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହାପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧାକାର୍ଯ୍ୟ କରିଥାନ୍ତି। ଦଇତାପତିମାନେ ଶ୍ରୀଜୀୟୁଙ୍କ ପହଣ୍ଡି ବିଜେ ପାଇଁ ଗୁପ୍ତନୀତି ପ୍ରସ୍ତୁତ କରିଥାନ୍ତି।

ବିଶ୍ବାସ ରହିଛି ଯେ ଶ୍ରୀମନ୍ଦିରର ରତ୍ନସିଂହାସନରେ ତିନିଠାକୁରଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ ଆଡପ ମଣ୍ଡପ ଦର୍ଶନ ତାହାଠାରୁ ଢେରେଗୁଣ ଅଧିକ ହୋଇଥାଏ। ସେଥିପାଇଁ ଠାକୁର ରଥଯାତ୍ରାରେ ଆସି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ ପରେ ଆଡପ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଥାନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା: ମୁଖ୍ୟମନ୍ତ୍ରୀ ଜଣାଇଲେ କୃତଜ୍ଞତା

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଆଜି ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଥିବା ଏବଂ ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ମହାପ୍ରଭୁଙ୍କ ରଥଯାତ୍ରା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ଦିନରାତି କାମ କରିଥିବା ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗାର କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।

ସାର୍ବୋପରି କୋଭିଡ କଟକଣା ମଧ୍ୟରେ ଆଜିର ଶ୍ରୀଗୁଣ୍ଡିଚା ଯାତ୍ରାରେ ପୁରୀର ଜନସାଧାରାଣ ଯେପରି ଶୃଙ୍ଖଳାର ପରାକାଷ୍ଠା ଦେଖାଇଛନ୍ତି, ତାହା ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀ ପୁରୀ ବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।