ନୂଆଦିଲ୍ଲୀ: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ଏପର୍ଯ୍ୟନ୍ତ ୨୭୫ ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ (ଏମଇଏ) ମୁଖପାତ୍ର ରଣଧୀର ଜୟସୱାଲ୍ ଏକ ବିବୃତି ଜାରି କରି ଏହି ସୂଚନା ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଜାରି ରହିଥିବା ବେଳେ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ଖୁବଶୀଘ୍ର ସକାରାତ୍ମକ ଖବର ମିଳିବ ବୋଲି କେନ୍ଦ୍ର ସରକାର ଆଶାବାଦୀ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୬୬ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି ଏବଂ ସେମାନଙ୍କ ନାମସୂଚୀ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି। ସେହିପରି ଅନ୍ୟ ୧୯୭୦ ଜଣ ଭାରତୀୟ ନାଗରିକ ଚୀନ୍ରୁ ନେପାଳ ଦେଇ ସୁରକ୍ଷିତ ଭାବେ ଫେରିଆସିଛନ୍ତି। ରଣଧୀର ଜୟସୱାଲ କହିଛନ୍ତି ଯେ, ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ନେପାଳ ସରକାରଙ୍କ ସହ ଲଗାତାର ଯୋଗାଯୋଗ କରାଯାଉଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଭାରତ ଏବଂ ନେପାଳର ପ୍ରଶାସନ ମିଳିତ ଭାବେ କାମ କରୁଛନ୍ତି।
ଅପରପକ୍ଷରେ, ନେପାଳ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଦେଶରେ ମୃତ୍ୟୁସଂଖ୍ୟା ୧,୨୮୭ରେ ପହଞ୍ଚିଥିବା ବେଳେ ୫,୦୮୩ ଜଣ ନିଖୋଜ ଅଛନ୍ତି। ସେହିପରି ତିବ୍ଦତରେ ୨୧ ଜଣଙ୍କ ମୃତ୍ୟୁ ଏବଂ ୫୪୧ ଜଣ ନିଖୋଜ ଥିବା ଚୀନ୍ ସରକାରୀ ଗଣମାଧ୍ୟମ ନିଶ୍ଚିତ କରିଛି। ଏହାକୁ ମିଶାଇ ଦୁଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୩୦୮ ଏବଂ ନିଖୋଜଙ୍କ ସଂଖ୍ୟା ୫,୬୨୪ରେ ପହଞ୍ଚିଛି। ନିଖୋଜଙ୍କ ମଧ୍ୟରେ ଟ୍ରେକର୍ (ହିମାଳୟ ଚଢ଼ାଳି) ଓ ତୀର୍ଥଯାତ୍ରୀଙ୍କ ସମେତ ୮୦୦ରୁ ଊର୍ଦ୍ଧ୍ୱ ବିଦେଶୀ ନାଗରିକ ରହିଛନ୍ତି। ଏହି ବନ୍ୟାରେ ଅନେକ ଘରଦ୍ୱାର, ରାସ୍ତାଘାଟ, ପୋଲ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବିଶେଷକରି ତ୍ରିଶୂଳୀ ନଦୀ ଉପତ୍ୟକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ଯେଉଁଠାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବହୁ ଜଳବିଦ୍ୟୁତ୍ ପ୍ରକଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି।


