Categories
ବିଶେଷ ଖବର

ସମ୍ବଲପୁର ଲୋକସଭା ଆସନ କାହିଁକି ବାଛିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ନିଜ ଦଳର ସାଙ୍ଗଠନିକ ଶକ୍ତି ବଳରେ ବଳିୟାନ ହେବା ପରିବର୍ତ୍ତେ ଶାସକ ବିଜୁ ଜନତା ଦଳର ସାଙ୍ଗଠନିକ ଶକ୍ତି ଆଗରେ ନିଜକୁ ସମର୍ପଣ କରି ଦୟାର ପାତ୍ର ହୋଇ ଲୋକସଭା ନିର୍ବାଚନ ବୈତରଣୀ ପାର ହେବା ଆଶାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଢେଙ୍କାନାଳ ଆସନରୁ ନ ଲଢ଼ି ସମ୍ବଲପୁର ଆସନ ପାଇଁ କାହିଁକି ଇଚ୍ଛାପ୍ରକାଶ କରିଛନ୍ତି ତାହାହିଁ ବର୍ତ୍ତମାନ ରାଜନୀତିକ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି।

ବିଜେପିର କେନ୍ଦ୍ରୀୟ ନିୟମ ଅନୁସାରେ ଯେଉଁମାନେ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଆଉ ସେମାନଙ୍କୁ ରାଜ୍ୟସଭା ମିଳିବ ନାହିଁ। ସେମାନେ ଲୋକସଭା ନିର୍ବାଚନ ଲଢ଼ିବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ଓ ମଧ୍ୟପ୍ରଦେଶରୁ ଦୁଇଥର ରାଜ୍ୟସଭାକୁ ନିର୍ବଚିତ ହୋଇଥିବାରୁ ସେ ବାଧ୍ୟ ହୋଇ ଆଗାମୀ ନିର୍ବାଚନରେ ଲୋକସଭା ଲଢ଼ିବେ।

ଏହିକ୍ରମରେ ଗତମାସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇ କହିଥିଲେ ସେ ଲୋକସଭା ନିର୍ବାଚନ ଲଢ଼ି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବାକୁ ଚାହୁଛନ୍ତି। ଏହାପରେ ସେ ଢେଙ୍କାନାଳ ଲୋକସଭା ଆସନରୁ ଲଢ଼ିବେ ବୋଲି ରାଜ୍ୟର ଗଣମାଧ୍ୟମ ସଂସ୍ଥାମାନେ ପୂର୍ବାନୁମାନ କରିଥିଲେ। ଏହି ପୂର୍ବାନୁମାନ କରାଯିବାର ଏକ ସପ୍ତାହ ନ ପୂରୁଣୁ ସେ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ପାଇଁ ଇଛାପ୍ରକାଶ କରି ତାଙ୍କୁ ସୁଯୋଗ ଦେବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଚିଠି ଲେଖି ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିଜ ଘର ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚେର ହୋଇଥିବାବେଳେ ସେ ସମ୍ବଲପୁରରୁ କାହିଁକି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ତାହାହିଁ ତାଙ୍କ କର୍ମୀ ମହଲରେ ସଂଶୟ ସୃଷ୍ଟି କରିଛି। ଦିନ ଥିଲା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ବିଜେପିର ପୋଷ୍ଟର ବୟ ଥିଲେ। ଏହି ସୁଯୋଗକୁ ସେ ହାତଛଡ଼ା କରି ଅନ୍ୟର ଦୟାରେ ରାଜ୍ୟନୀତି କରିବାକୁ ଅଣ୍ଟାଭିଡ଼ି ବାହାରିଛନ୍ତି। ଏପରି ହେବାର କାରଣ ହେଉଛି, ଗତ ନିର୍ବାଚନରେ ଶାସକ ବିଜେଡି ଯେଉଁ ଅଯୋଗ୍ୟ ନେତାମାନଙ୍କୁ ଦଳରୁ ଫିଙ୍ଗି ଦେଇଥିଲେ ସେମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଉଁଟି ଆଣି ନିଜର ତୋଷାମଦକାରୀ ଗୋଷ୍ଠୀ ତିଆରି କରିଛନ୍ତି। ଏହି ଗୋଷ୍ଠୀ ଇତି ମଧ୍ୟରେ ନିଜକୁ କେନ୍ଦ୍ରମନ୍ତ୍ରୀ ବିବେଚନା କରି ବିଜେପିର ନିଷ୍ଠାପର କର୍ମୀ ଓ ସଂଘର ପ୍ରଚାରକମାନଙ୍କୁ ଦୁର୍ବ୍ୟବାର କରିବାରେ ଲାଗିଛନ୍ତି। ଫଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ଦୃଢ଼ ସମର୍ଥକମାନଙ୍କ ଆସ୍ଥା ହରାଇଛନ୍ତି।

ନିକଟରେ ବିଜେପରି କେନ୍ଦ୍ରୀୟ ସଂଗଠନ ପକ୍ଷରୁ ହୋଇଥିବା ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ସର୍ଭେର ରିପୋର୍ଟ ଅନୁସାରେ ଢେଙ୍କାନାଳ ଲୋକସଭା ଅନ୍ତର୍ଗତ ଢେଙ୍କନାଳ ସଦର, କାମାକ୍ଷାନଗର, ତାଳଚେର ଓ ପାଲଲହଡ଼ା ବିଧାନସଭା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଲୋକପ୍ରିୟତା ଆଦୌ ନାହିଁ। ଏହିସବୁ ବିଧାନସଭା କ୍ଷେତ୍ରରେ ସେ ଦଳୀୟ ସଂଗଠନରେ ଯେଉଁ ବିଭେଦ ସୃଷ୍ଟି କରିଚନ୍ତି ତାର ସେ ପରାଭବ ପାଇବେ। ସେ ଢେଙ୍କାନାଳରୁ ଲୋକସଭା ପ୍ରାର୍ଥୀ ହେଲେ ପରାଜିତ ହେବ ନିଶ୍ଚିତ ବୋଲି ଏହି ରପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିଜର ମତ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି।

ଢେଙ୍କାନାଳ ଲୋକସଭା ସର୍ଭେ ରିପୋର୍ଟ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ପାଇଁ କେନ୍ଦ୍ରୀୟ ସଂଗଠନକୁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

କିସିଣ୍ଡା କଲେଜରେ ବ୍ଲକ ସ୍ତରୀୟ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ କିସିଣ୍ଡା ମହାବିଦ୍ୟାଳୟ ଠାରେ ସମ୍ବଲପୁର ନେହେରୁ ଯୁବକ କେନ୍ଦ୍ର ସହାୟତାରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିସିଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀତା ଭୋଇ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟାପକ କୌଶିକ କୁମାର ପ୍ରଧାନ, ସୁଶାନ୍ତ ନାଏକ, ସଞ୍ଜୟ କୁମାର ପ୍ରଧାନ, ଅଧ୍ୟାପିକା ଅନିତା ପ୍ରଧାନ, ସୁଶ୍ରୀ ସ୍ଵାଗତିକ, ମୁଦୁଲି ଦିଲ୍ଲୀପ କୁମାର ପ୍ରଧାନ, ଗୁଲେଖ ବିଶ୍ୱାଳ ପର୍ଶୁରାମ ପ୍ରଧାନ, କନ୍ଦର୍ପ ବିଶ୍ୱାଳ, ହରେକୃଷ୍ଣ ପ୍ରଧାନପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯାଜକ ମାରିଆନ ବିଲୁଙ୍ଗ, କିଶୋର ଛତର, ୟୁଥ ସ୍ପୋର୍ଟିଂ କ୍ଳବର ସଭାପତି ଅମିତ କୁମାର ସାହୁ ଯୋଗ ଦେଇଥିଲେ। ଏଥି ସକାଶେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ମାଟି ସଂଗ୍ରହ କରି ମାଠିଆରେ ଦେଇଥିଲେ। ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ମାଟିକୁ ଜିଲ୍ଲା ମୁଖ୍ୟ କାଯ୍ୟଳୟକୁ ପଠାଇବା ପାଇଁ ସ୍ଥିର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ଆରମ୍ଭ ହେଲା ବିଦ୍ୟାଳୟ ପାଇଁ ଫୁଟବଲର ମାଷ୍ଟର ପ୍ରଶିକ୍ଷଣ

ନୂଆଦିଲ୍ଲୀ: ସୋମବାର, ଅକ୍ଟୋବର ୨, ୨୦୨୩ରେ ଓଡ଼ିଶାର ସମ୍ବଲପୁରଠାରେ ଏଫ୍ ୪ଏସ୍ ଅଧୀନରେ ଫିଫା ପକ୍ଷରୁ ଦୁଇ ଦିନିଆ ଦକ୍ଷତା ବିକାଶ ମାଷ୍ଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ ଏବଂ ଏଆଇଏଫ୍ଏଫ ୯୫ ଜଣ ଶାରୀରିକ ଶିକ୍ଷା ଶିକ୍ଷକ/ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଅକ୍ଟୋବର ୫-୬ ରେ ପୁଣେ ଏବଂ ବେଙ୍ଗାଲୁରୁରେ ଏଭଳି ଆଉ ଦୁଇଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯେଉଁଥିରେ ପାଖାପାଖି ୨୦୦ (ପ୍ରତ୍ୟେକ ସ୍ଥାନରେ ୧୦୦) ପ୍ରତିଯୋଗୀ ଯୋଗ ଦେବେ । ପରବର୍ତ୍ତୀ ସ୍ତରରେ କ୍ଷମତାକୁ ଆହୁରି ବଢ଼ାଇବା ପାଇଁ ଏହି ଶିକ୍ଷକ/ପ୍ରଶିକ୍ଷାର୍ଥୀମାନଙ୍କୁ ରାଜ୍ୟସ୍ତରରେ ମାଷ୍ଟର ଟ୍ରେନର ଭାବେ ବିବେଚନା କରାଯିବ। ଫୁଟବଲ୍ ଫର୍ ସ୍କୁଲ୍ (ଏଫ୍ ୪ଏସ୍) ହେଉଛି ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଫୁଟ୍ ବଲ୍ ଆସୋସିଏସନ୍ (ଫିଫା) ଦ୍ବାରା ପରିଚାଳିତ ଏକ ମହତ୍ତ୍ବାକାଂକ୍ଷୀ କାର୍ଯ୍ୟକ୍ରମ। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗକୁ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ୍ ) ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ ସହଯୋଗ କରୁଛନ୍ତି।

ଓଡ଼ିଶାର ସମ୍ବଲପୁରରେ ପ୍ରଥମ ଦୁଇ ଦିନିଆ ମାଷ୍ଟର ପ୍ରଶିକ୍ଷଣ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଫିଫାର ୩ ଜଣ ମାଷ୍ଟର ଟ୍ରେନର ଏବଂ ଏଆଇଏଫଏଫର ଜଣେ ପ୍ରତିନିଧି, ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ, କେଭିଏସ୍ ଓ ଏନଭିଏସର ୨ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ପ୍ରଶିକ୍ଷଣରେ ୧୩ଟି ରାଜ୍ୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ ଏବଂ ଏଆଇଏଫଏଫର ୯୫ ଜଣ ପ୍ରତିଯୋଗୀ (୬୭ ଜଣ ପୁରୁଷ ଓ ୨୮ ଜଣ ମହିଳା) ଅଂଶଗ୍ରହଣ କରୁଛନ୍ତି।

୩୦ ଅକ୍ଟୋବର ୨୦୨୨ରେ ଶିକ୍ଷା ମନ୍ତ୍ରଣାଳୟ, ଏଆଇଏଫ୍ଏଫ୍ ଏବଂ ଫିଫା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ନୋଡାଲ ସଂସ୍ଥା ଜବାହର ନବୋଦୟ ବିଦ୍ୟାଳୟ ଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ସରକାରୀ ବିଦ୍ୟାଳୟଗୁଡ଼ିକୁ ୧୧.୧୫ ଲକ୍ଷ ଫୁଟବଲ୍ ଯୋଗାଇ ଦେବା ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି ମାଧ୍ୟମରେ ସମଗ୍ର ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପ୍ରଶିକ୍ଷକମାନଙ୍କୁ ସଶକ୍ତ କରିବା ଅନ୍ତର୍ଭୁକ୍ତ । ଏହି ଫୁଟବଲ୍ ଗୁଡ଼ିକୁ ସାରା ଭାରତରେ ଥିବା ସ୍କୁଲଗୁଡ଼ିକରେ ବଣ୍ଟନ କରାଯିବ।

ପାଖାପାଖି ୭୦୦ ନିୟୁତ ପିଲାଙ୍କ ଶିକ୍ଷା, ବିକାଶ ଏବଂ ସଶକ୍ତିକରଣରେ ଯୋଗଦାନ କରିବା ଏଫ୍ ୪ଏସ୍‌ର ଲକ୍ଷ୍ୟ। ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଂଶୀଦାରମାନଙ୍କ ସହ ଭାଗିଦାରୀରେ ଶିକ୍ଷା ବ୍ୟବସ୍ଥାରେ ଫୁଟବଲ୍ ଖେଳ ସହ ଜଡ଼ିତ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରି ବିଶ୍ୱବ୍ୟାପୀ ଉଭୟ ବାଳକ ଓ ବାଳିକାଙ୍କ ପାଇଁ ଫୁଟ୍‌ବଲ୍‌କୁ ଅଧିକ ସୁଲଭ କରିବାକୁ ଏହା ଲକ୍ଷ୍ୟ ରଖିଛି। ଫିଫା ପକ୍ଷରୁ ଭାରତରେ ଏଫ୍ ୪ଏସ୍ ଆରମ୍ଭ କରାଯାଉଛି।

Categories
ଆଞ୍ଚଳିକ

ମହାଲକ୍ଷ୍ମୀ ଯୁବକ ସ°ଘର ମହାନତା: ଅଜଣା ଅଲେଖ ଦୀକ୍ଷା ବାବାର କଲେ ଶବଦାହ

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ସରାପାଲି ପଞ୍ଚାୟତର ଗୋଧିଢିପ ଠାରେ ଅଲେଖ ମହିମା ଧର୍ମର ସାଧୁ ବାବା ଶଙ୍କର୍ଷଣ ଦାସଙ୍କର ବିୟୋଗ ହୋଇଥିଲା। ମହାଲକ୍ଷ୍ମୀ ଯୁବକ ସଂଘର କର୍ମକର୍ତ୍ତାମାନେ ଶବ ଦାହ କରି ଉଦାହରଣ ପାଲଟିଛନ୍ତି।

ବହୁବର୍ଷ ହେଲା ବାବା ଜଣଙ୍କ ନାଟୁଆବୁରୀ ମହିମା ସ୍ବାମୀ ମଠରେ ରହି ଆସୁଥିଲେ। ଗତ କାଲି ତାଙ୍କର ବୟସାଧିକ ଯୋଗୁଁ ପରଲୋକ ହୋଇଥିଲା। ଏଠାରେ ତାଙ୍କର କେହି ପରିବାର ଲୋକ ରହୁ ନ ଥିଲେ କି ତାଙ୍କର ନିଜସ୍ବ ଘର କେଉଁଠି କେହିବି ଜାଣି ପାରି ନ ଥିଲେ। ଗୋଧିଢିପର ମହାଲକ୍ଷ୍ମୀ ଯୁବକ ସ°ଘର ବରିଷ୍ଠ କର୍ମକର୍ତ୍ତା ମଣ୍ଟୁ ସାହୁଙ୍କ ନେତୃତ୍ବରେ ସମସ୍ତ ସଭ୍ୟ ମାନଙ୍କ ଦ୍ବାରା ଚନ୍ଦ୍ରପୁର୍ ସ୍ଥିତ ମହିମା ଆଶ୍ରମରେ ମହିମା ଧର୍ମର ରୀତି ଅନୁଯାୟୀ ସମାଧି କରାଯାଇଥିଲା। ସ୍ବର୍ଗତ ଵାବା ଅଵଧୂତ ଶଙ୍କର ତ୍ୟାଗୀ ବାବା ଭାବରେ ପରିଚିତ ଥିଲେ। ସ୍ବର୍ଗତ ବାବା ଜଣେ ପରୋପକାରୀ ଓ ଆମାୟିକ ଵ୍ୟକ୍ତି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କ ବିଫଳତା ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ଦେବା ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ଶ୍ରୀ ଗଣେଶି ଲାଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ଘଟଣାକୁ ୯ଦିନ ବିତିଥିଲେ ବି ମୁଖ୍ୟମନ୍ତ୍ର ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ପୂର୍ବ ବର୍ଷ ହନୁମାନ ଜୟନ୍ତୀରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା କିନ୍ତୁ ଏଥର ହନୁମାନ ଜୟନ୍ତୀର ଗଣ୍ଡଗୋଳ ଯୋଜନାବଦ୍ଧ ଥିଲା ବୋଲି ଆଇଆଇସି ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଓ ଏସ୍‌ପି ଏହାକୁ ସ୍ୱୀକାର କରିଛନ୍ତି।

ଶୋଭାଯାତ୍ରାର ଭିଡିଓ ପୋଲିସ ପାଖରେ ଅଛି କିନ୍ତୁ ଏଥିପ୍ରତି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଗତ ୧୪ତାରିଖ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରାଗଲା। କାହା ନିର୍ଦ୍ଦେଶରେ ସରକାର ଚାଲିଛି, କିଏ ଏ ସରକାର ଚଲଉଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି।

ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ମୋହନ ଚରଣ ମାଝୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାଏକ, ବୁଧାନ ମୁର୍ମୁ, କେ.ନାରାୟଣ ରାଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡ଼ିର ଅଭିଯୋଗ: ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବିଜେପି

ଭୁବନେଶ୍ଵର: ଓଡ଼ିଶାବାସୀଙ୍କୁ ଅରାଜକ କହି ବାରମ୍ଵାର ଅପମାନିତ କରୁଥିବା ବିଜେପି ଏବେ ପୁଣିଥରେ ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ଆଜି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯେତେବେଳେ ସମ୍ବଲପୁରରେ ଏକ ସ୍ପର୍ଶକାତର ଘଟଣା ଘଟିଛି ଏବଂ ଧୀରେ ଧୀରେ ଶାନ୍ତି ଫେରିଆସୁଛି, ସେତିକିବେଳେ ବିଜେପି ନେତାମାନେ ସମ୍ବଲପୁରରେ ପଶି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି। ବିଜେପି ଶାସିତ ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଲେ, ସରକାର କୌଣସି ରାଜନୈତିକ ଦଳର ପ୍ରତିନିଧି ଦଳକୁ ସେଠାକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ। ଯେତେବେଳେ ଉତ୍ତରପ୍ରଦେଶର ହାଥରସ୍, ଲଖିମପୁର ଖେରିରେ ସ୍ପର୍ଶକାତର ଘଟଣା ଘଟିଥିଲା, ବିଜେପି ସରକାର ସେଠାକୁ କୌଣସି ଦଳର ଲୋକଙ୍କୁ ଛାଡ଼ି ନଥିଲା।

ନିଜ ଶାସିତ ରାଜ୍ୟରେ ବିଜେପି ଗୋଟିଏ ନୀତି ଆପଣାଉଥିବାବେଳେ ଓଡ଼ିଶାର ବିଜେପି ନେତାମାନେ ଏଠି ନିଜ ପାଇଁ ଭିନ୍ନ ନୀତି ଆପଣାଉଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ କେବଳ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ସମ୍ବଲପୁର ଯାଇ ପୁନର୍ବାର ହିଂସାକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି।

ଶ୍ରୀ ବାବୁ ଆହୁରି କହିଛନ୍ତି ଯେ, ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପି ନେତାଙ୍କ ଏଭଳି ହୀନ ଉଦ୍ୟମକୁ ଦେଖୁଛନ୍ତି ଏବଂ ସେମାନଙ୍କ ଅସଲ ଉଦ୍ଦେଶ୍ୟ ମଧ୍ୟ ବୁଝିଛନ୍ତି। ତେଣୁ ଆଗାମୀ ଦିନରେ ଓଡ଼ିଶାବାସୀ ବିଜେପିକୁ ଠିକଣା ଜବାବ ଦେବେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ସମ୍ବଲପୁରରେ ଟ୍ରେଣ୍ଡ୍‌ସ ମ୍ୟାନ୍ ଓ କେନ୍ଦ୍ରାପଡ଼ାରେ ଟ୍ରେଣ୍ଡ୍‌ସ ଓମ୍ୟାନ୍ ଷ୍ଟୋର୍ ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାର ସମ୍ବଲପୁର ସହରରେ ଟ୍ରେଣ୍ଡ୍‌ସ ମ୍ୟାନ୍ ଏବଂ କେନ୍ଦ୍ରାପଡ଼ା ସହରରେ ଟ୍ରେଣ୍ଡ୍‌ସ ଓମ୍ୟାନ୍ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି। ଏହି ଷ୍ଟୋର୍ ଦ୍ୱୟରେ ଯଥାକ୍ରମେ ପୁରୁଷ ଏବଂ ମହିଳାଙ୍କ ପାଇଁ ବ୍ୟାପକ ବର୍ଗର ଫ୍ୟାଶନ ପୋଷାକ ଉପଲବ୍ଧ କରାଯାଇଛି।

ଟ୍ରେଣ୍ଡ୍‌ସ ମ୍ୟାନ୍ ଓ ଟ୍ରେଣ୍ଡ୍‌ସ ଓମ୍ୟାନ୍ ଏହାର ଶାଖା ସଂଖ୍ୟା ବିସ୍ତାର କରିବା ସହ ଗ୍ରାହକଙ୍କ ନିକଟରେ ପହଂଚି ବାସ୍ତବରେ ଭାରତର ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ଼ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେସନ ପାଲଟିଛି।

ସମ୍ବଲପୁର ସହରର ଟ୍ରେଣ୍ଡ୍‌ସ ମ୍ୟାନ୍ ଓ କେନ୍ଦ୍ରାପଡ଼ା ସହରର ଟ୍ରେଣ୍ଡ୍‌ସ ଓମ୍ୟାନ୍ ଷ୍ଟୋର୍ ଦ୍ୱୟରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି। ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋର ଦୁଇଟିକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଉପରୋକ୍ତ ଦୁଇ ସହରର ଗ୍ରାହକମାନେ ଏବେ ଯଥାକ୍ରମେ ଟ୍ରେଣ୍ଡି ମେନ୍ସ ଏବଂ ଟ୍ରେଣ୍ଡି ଓମେନ୍ସ ୱିୟର ସ୍ୱତନ୍ତ୍ର ମୂଲ୍ୟରେ ପାଇବା ସହିତ କିଣାକିଣିର ଚମତ୍କାର ଅନୁଭୂତି ପାଇପାରିବେ।

୧୫୦୦ ବର୍ଗଫୁଟ ବିଶିଷ୍ଟ ସ୍ୱତନ୍ତ୍ର ମ୍ୟାନ୍ ଓ ଓମ୍ୟାନ୍ ଷ୍ଟୋର୍ ଯଥାକ୍ରମେ ସମ୍ବଲପୁର ଏବଂ କେନ୍ଦ୍ରାପଡ଼ା ସହରରେ ପ୍ରଥମ। ଷ୍ଟୋର ଦୁଇଟିରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାଶନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି। ୨୯୯୯ ଟଙ୍କାର କିଣାକିଣି କରିଲେ ବଛାବଛା ସାମଗ୍ରୀରେ ୧୦୦୦ ଟଙ୍କା ମୂଲ୍ୟର ସାମଗ୍ରୀ ସଂପୂର୍ଣ୍ଣ ମାଗଣାରେ ମିଳିବ। କେବଳ ସେତିକି ନୁହେଁ, ୨୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୧୫୦୦ ଟଙ୍କା ମୂଲ୍ୟର କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ।

ତେଣୁ ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୂତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ସମ୍ବଲପୁର ସିଟି ସେଂଟର ମଲ୍‌ରେ ଖୋଲିଥିବା ଟ୍ରେଣ୍ଡ୍‌ସ ମ୍ୟାନ୍ ଓ କେନ୍ଦ୍ରାପଡ଼ା ସହରରେ ଖୋଲିଥିବା ଟ୍ରେଣ୍ଡ୍‌ସ ଓମ୍ୟାନ୍ ଷ୍ଟୋର୍।

Categories
ଆଜିର ଖବର ରାଜ୍ୟ ଖବର

ଜେଲରେ ଥିବା ଆଇନଜୀବୀ ଓ ଆନ୍ଦୋଳନକାରୀଙ୍କୁ ମୁକ୍ତ କରିବା ଲାଗି ଆମ୍ ଆଦମୀ ପାର୍ଟିର ପ୍ରାର୍ଥନା ପତ୍ର

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ଦାବିରେ ଅନେକ ଦିନ ହେଲା ଜନ ଆନ୍ଦୋଳନ ଜାରିରହିଥିବା ବେଳେ କିଛିଦିନ ତଳେ ସମ୍ବଲପୁର କୋର୍ଟରେ ଅଭାବନୀୟ ଘଟଣା ଘଟିବାକୁ ନେଇ ଆଜି ମାନ୍ୟବର ବିଚାରପତିଙ୍କ ପାଖରେ ଆମ ଆଦମୀ ପାର୍ଟି କ୍ଷମା ପ୍ରାର୍ଥନା କରିଛି।
ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି କେବଳ ଓକିଲ ସଂଘର ନଥିଲା ଏହା ସମଗ୍ର ପଶ୍ଚିମ ଓଡ଼ିଶା ଜନ ସାଧାରଣଙ୍କର ସ୍ଵର ଥିଲା। ଜନ ସାଧାରଣ ସ୍ୱରକୁ ଆଗକୁ ନେଉଥିବା ଆନ୍ଦୋଳନକାରୀଙ୍କୁ ଗତ ୧୪ ଦିନ ହେଲା ହାଜତରେ ରଖା ଯାଇଛି ଏହା ବହୁତ୍ ଯନ୍ତ୍ରଣା ଦାୟକ ଅଟେ। ଏହାଦ୍ବାରା ସର୍ବ ସାଧାରଣ ଆଇନ୍ ସେବାରୁ ବଞ୍ଚିତ ଓ ଅନେକ ପରିବାର ଦୁଃଖ ଅସୁବିଧାରେ ରହିଛନ୍ତି।

ଏଣୁ ସମ୍ବଲପୁର ଜିଲ୍ଲା ଅଦାଲତ (କୋର୍ଟ ) ର ଅଭିଯୁକ୍ତ ଓକିଲ ଓ ଆନ୍ଦୋଳନ କାରୀଙ୍କୁ ଖୁବ୍ ଶୀଘ୍ର ଜେଲରୁ ମୁକ୍ତ କରିବା ଓ ଓକିଲଙ୍କ ଲାଇସେନ୍ସ କୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ନେଇ ଆମ୍ ଆଦମୀ ପାର୍ଟି ରେଢ଼ାଖୋଲ ତରଫରୁ ଆଜି ୨୭,୧୨,୨୦୨୨ ରିଖ ଦିନ ଉପଜିଲ୍ଲାପାଳ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରାର୍ଥନା ପତ୍ର ପ୍ରଦାନ କରାଯାଇଛି।

ପ୍ରାର୍ଥନା ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସମ୍ବଲପୁରରେ ଶାନ୍ତି ଓ ଭୟ ମୁକ୍ତ ପରିବେଶ ବଜାୟ ରଖିବା ଓ ସର୍ବସାଧାରଣଙ୍କ ଭଲ ପାଇଁ ଜେଲରେ ଥିବା ଆନ୍ଦୋଳନକାରୀଙ୍କୁ ଶୀଘ୍ର ମୁକ୍ତ କରିବା।

ଏହି ଦାବିପତ୍ର ଦେବା ସମୟରେ ମମତା ପାତ୍ର, ଅଜୟ ସାହୁ (ବିଧାନ ସଭା ସଭାପତି ), ଚନ୍ଦ୍ରହାସ ପ୍ରଧାନ, ସତ୍ୟ ସାହୁ, ସତ୍ୟ ମହାକୁଡ, ସିବୁ,ଦିଲ୍ଲୀପ ପ୍ରଧାନ, ଆନନ୍ଦ କେଡିଆ, କେତନ ସାହୁ, ଅନ୍ତର୍ଯ୍ୟାମୀ ପ୍ରଧାନ ସହ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ରେଙ୍ଗାଲି ଓ ସମ୍ବଲପୁର ମଧ୍ୟରେ ବାତିଲ ହେବ ଏହି ଟ୍ରେନ

ଭୁବନେଶ୍ବର: ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ କାର୍ଯ୍ୟଜନୀତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ମେମୁ ଟ୍ରେନର ଚଳାଚଳରେ ବାଧାପ୍ରାପ୍ତ ହେବ। 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଟ୍ରେନର ଯାତାୟାତରେ ବାଧାପ୍ରାପ୍ତ ହେବ। ଏଥିପାଇଁ ଏହି ଟ୍ରେନ ଉଭୟ ପାର୍ଶ୍ବରୁ ଝାରସୁଗୁଡା ଓ ରେଙ୍ଗାଲି ମଧ୍ୟରେ ଚଳାଚଳ କରିବ ଏବଂ ରେଙ୍ଗାଲି ଓ ସମ୍ବଲପୁର ମଧ୍ୟରେ ବାତିଲ ରହିବ। ଆସନ୍ତା 14, 16, 18, 20, 23 ଏବଂ 25 ତାରିଖ ଦିନ ଏହି ଟ୍ରେନ ଉଭୟ ପାର୍ଶ୍ବରୁ ଝାରସୁଗୁଡା ଓ ରେଙ୍ଗାଲି ମଧ୍ୟରେ ଚଳାଚଳ କରିବ ଏବଂ ରେଙ୍ଗାଲି ଓ ସମ୍ବଲପୁର ମଧ୍ୟରେ ବାତିଲ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସାଂସଦମାନଙ୍କ ବୈଠକ 

ସମ୍ବଲପୁର: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ସମ୍ବଲପୁର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସାଂସଦ ସୁରେଶ ପୂଜାରୀ, ନିରଞ୍ଜନ ବିଶି, ସପ୍ତଗିରି ଶଙ୍କର ଉଲ୍ଲାକା, ବସନ୍ତ କୁମାର ପଣ୍ଡା ଏବଂ ନୀତେଶ ଗଙ୍ଗଦେବ ପ୍ରମୁଖ ଏହି ବୈଠକରେ ଯୋଗଦାନ କରିଥିଲେ। ବଲାଙ୍ଗୀର ସାଂସଦଙ୍କ ପ୍ରତିନିଥି ରାଜେଶ ଅଗ୍ରୱାଲ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରତିନିଧି ସୁମିତ କୁମାର ରାଉତ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭିନୀତ ସିଂହ ଏହି ବୈଠକ ରେ ମଧ୍ୟ ଉପସ୍ଥିତ ଥିଲେ। ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା। ଏଗୁଡିକ ହେଲା – ରେଳବାଇ ନେଟୱର୍କର ଉନ୍ନତିକରଣ ପ୍ରସଙ୍ଗ, ଜନସାଧାରଣଙ୍କ ଆକାଂକ୍ଷା ଓ ଦାବି ଏବଂ ପୂର୍ବତଟ ରେଳପଥର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା। କୋଭିଡ଼୧୯ ମହାମାରୀ ସମୟରେ ରେଳବାଇର ମହତ୍ଵପୂର୍ଣ୍ଣ ଭୂମିକା ପାଇଁ ମାନ୍ୟବର ସାଂସଦମାନେ ରେଳବାଇକୁ ମଧ୍ୟ ପ୍ରଶଂସା କରାଯାଇଥିଲା।

ସାଂସଦଙ୍କ ଦାବି ବ୍ୟତୀତ, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁଡିକର ଯୋଜନା କରାଯାଉଛି ଏବଂ ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ଅନେକ ଗୁଡିଏ ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିଛି ଚାଲିଛି। ସମ୍ବଲପୁର ଷ୍ଟେସନ ସମେତ ରେଳ ମଣ୍ଡଳ ମଧ୍ୟରେ ନଅଗୋଟି ଷ୍ଟେସନର ଉନ୍ନତିକରଣ ପାଇଁ ଯୋଜନା କରାଯାଇଛି।

ସମ୍ବଲପୁର ରେଳ ଷ୍ଟେସନର ବିକାଶ ଶୀଘ୍ର ଶେଷ ହେବ। ଏହି ବିକାଶମୂଳକ କାର୍ଯ୍ୟ ମଧ୍ୟରେ ୱେଟିଂ ହଲ୍ ଏବଂ ଭିଆଇପି ଲାଉଞ୍ଜ, ଆରସିସି ଡ୍ରେନ୍ ସହିତ ବିଟୁମେନ ଟପ୍ ରୋଡ୍, ପାଥୱେ, ପୋର୍ଟିକୋ କଭର୍ ଶେଡ୍, ଏଣ୍ଟ୍ରି ଏବଂ ଏକ୍ଜିଟ୍ ଗେଟ୍, ପାର୍କିଂ ଲଟ୍, ବିଦ୍ୟମାନ ଷ୍ଟେସନ ବିଲ୍ଡିଂର ନବୀକରଣ, ଷ୍ଟେସନ ସଂଲଗ୍ନ ବିସ୍ତୃତ ଅଞ୍ଚଳରେ ବଗିଚା ଏବଂ ଲ୍ୟାଣ୍ଡସ୍କିପିଙ୍ଗ କାର୍ଯ୍ୟ, ଷ୍ଟେସନର ଇଲେକ୍ଟ୍ରିକାଲ୍ କାମ ଯେପରିକି ସର୍କୁଲାର କ୍ଷେତ୍ରର ଆଲୋକ ଓ ଅନ୍ୟାନ୍ୟ ଯାତ୍ରୀ ସୁବିଧା ଏବଂ ସିଗନାଲ୍ ଏବଂ ଟେଲିକମ୍ ଯୋଗାଯୋଗ କାର୍ଯ୍ୟ ଗୁଡିକ ଅନ୍ତର୍ଭୁକ୍ତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେବ ଏହି ସବୁ ଟ୍ରେନ

ଭୁବନେଶ୍ଵର: ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିବ। ତୃତୀୟ ଲାଇନ ପ୍ରକଳ୍ପର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହେବ।

ଟ୍ରେନର ବାତିଲ୍:

08317/08318 ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସମ୍ବଲପୁର ଠାରୁ 14 ରୁ 20 ଅକ୍ଟୋବର, 2022 ଏବଂ ଜୁନାଗଡ଼ ରୋଡରୁ 15 ରୁ 21 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ।

08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ପାସେଞ୍ଜର ରାୟପୁର ଠାରୁ 15 ରୁ 21 ଅକ୍ଟୋବର ପର୍ଯ୍ୟନ୍ତ ଏବଂ ବିଶାଖାପାଟନମ୍ ଠାରୁ 14 ରୁ 20 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ।

08275/08276 ରାୟପୁର-ଜୁନାଗଡ଼ ରୋଡ-ରାୟପୁର ପାସେଞ୍ଜର ରାୟପୁର ଠାରୁ 15 ରୁ 20 ଅକ୍ଟୋବର, 2022 ଏବଂ ଜୁନାଗଡ଼ ରୋଡରୁ 16 ରୁ 21 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ।

08438/08437 କଟକ-ଭଦ୍ରକ-କଟକ ପାସେଞ୍ଜର 14 ରୁ 17 ଅକ୍ଟୋବର, 2022 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ।

ଟ୍ରେନର ଆଂଶିକ ବାତିଲ୍:

18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ 16 ଅକ୍ଟୋବର 2022 ରେ ଏବଂ ଜଗଦଳପୁର ଠାରୁ 17 ଅକ୍ଟୋବର 2022 ରେ ହାଓଡ଼ା ଓ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ଦିଗରୁ ଟିଟିଲାଗଡ ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ।

18001/18002 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 16 ରୁ 20 ଅକ୍ଟୋବର 2022 ପର୍ଯ୍ୟନ୍ତ ଉଭୟ ଦିଗରୁ ସମ୍ବଲପୁର ଏବଂ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ ଓ ରାୟଗଡା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

20837/20838 ଭୁବନେଶ୍ୱର-ଜୁନାଗଡ଼ ରୋଡ-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱର ଠାରୁ 16 ରୁ 19 ଅକ୍ଟୋବର ପର୍ଯ୍ୟନ୍ତ ଏବଂ ଜୁନାଗଡ଼ ରୋଡରୁ 17 ରୁ 20 ଅକ୍ଟୋବର 2022 ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାୟଗଡା ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ଦିଗରୁ ରାୟଗଡା ଏବଂ ଜୁନାଗଡ଼ ରୋଡ ମଧ୍ୟରେ ବାତିଲ ରହିବ।

ଟ୍ରେନର ମାର୍ଗ ପରିବର୍ତ୍ତନ:

ହାଓଡ଼ା ଠାରୁ 12867 ହାଓଡ଼ା-ପୁଡୁଚେରୀ ସୁପର ଫାଷ୍ଟ, ବେଙ୍ଗାଲୁରୁରୁ 12246 ବେଙ୍ଗାଲୁରୁ-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ ଏବଂ ହାଓଡ଼ା ଠାରୁ 12245 ହାଓଡ଼ା-ବେଙ୍ଗାଲୁରୁ ଦୁରନ୍ତ ଏକ୍ସପ୍ରେସ ଉତ୍ପତି ଷ୍ଟେସନ ମାନଙ୍କ ଠାରୁ 16 ଅକ୍ଟୋବର 2022 ଦିନ କଟକ ରେଳ ଷ୍ଟେସନ ପରିବର୍ତ୍ତେ କପିଳାସ ରୋଡ-ନରାଜ ମାର୍ଥାପୁର-ଭୁବନେଶ୍ୱର ମାର୍ଗ ଦେଇ ଚଳାଚଳ କରିବ।

14 ରୁ 17.10.2022 ପର୍ଯ୍ୟନ୍ତ ନିର୍ଗୁଣ୍ଡି ଷ୍ଟେସନରେ ଟ୍ରେନ ରହଣିର ର ସାମୟିକ ପ୍ରତ୍ୟାହାର:

08411/08412 ବାଲେଶ୍ୱର-ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର, 08453/08454 ଭଦ୍ରକ-କଟକ-ଭଦ୍ରକ ପାସେଞ୍ଜର, 08413/08414 ତାଳଚେର-ପୁରୀ-ତାଳଚେର ପାସେଞ୍ଜର ଏବଂ 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ସାମୟିକ ଭାବେ ଉପରୋକ୍ତ ସମୟ ମଧ୍ୟରେ ନିର୍ଗୁଣ୍ଡି ଷ୍ଟେସନରେ ରହଣି କରିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ୨ ଲକ୍ଷ ରୁ ୫ ଲକ୍ଷ, ପେନସନ୍, ସୁରକ୍ଷା ଆଇନ୍ ଦାବୀ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ସ୍ଥାନୀୟ ପଞ୍ଚାୟତ ସମିତି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆଜି ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ୟୁନିୟନର ଜିଲ୍ଲା ସଭାପତି ପ୍ରଭାତ ବେହେରାଙ୍କ ସଭାପତିତ୍ବ ଏବଂ ରମାକାନ୍ତ ମହାନନ୍ଦଙ୍କ ସଂଯୋଜନାରେ ରେ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ଯୋଗ ଦେଇ ସାମ୍ବାଦିକ ମାନଙ୍କର ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ସହ ପିତାମାତା ଙ୍କୁ ଏହି ବୀମା ରେ ସାମିଲ କରିବା। ସାମ୍ବାଦିକ ମାନଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ ରାଶି ପ୍ରଦାନ ଏବଂ ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିବାକୁ ସରକାର ଧ୍ୟାନ ଦେବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ଦିନର କାର୍ଯ୍ୟକ୍ରମ, ସଭ୍ୟ ସଂଗ୍ରହ ,ସରକାର ସାମ୍ବାଦିକ ମାନଙ୍କର ଦାବୀ ନ ମାନିଲେ ଆନ୍ଦୋଳନ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ୟୁନିୟନ ପକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ଏଥିରେ ରାଜ୍ୟ କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ କନ୍ଦର୍ପ ବେହେରା, ଜିଲ୍ଲା ଉପ ସଭାପତି ଜୟନ୍ତ ଖଡିରତ୍ନ, ଜିଲ୍ଲା ଉପ ସଭାପତି ହେମନ୍ତ ରାଉତ, ସଂଗଠନ ସମ୍ପାଦକ ରାଜେନ୍ଦ୍ର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମିଶ୍ର, ସଚ୍ଚିକାନ୍ତ ସାହୁ, ରେଢ଼ାଖୋଲ ୟୁନିଟ ସଭାପତି ଶରତ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି କାର୍ଯ୍ୟକାରିଣୀ ବୈଠକରେ ରେଢ଼ାଖୋଲରୁ ୫ ଜଣ ନୃତନ ସଭ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା। ରେଢ଼ାଖୋଲ ୟୁନିଟ ର ସମ୍ପାଦକ ଶଙ୍କର ପୃଷ୍ଟି, ଉପ ସଭାପତି, ରେଢ଼ାଖୋଲ ୟୁନିଟ ର ସମ୍ପାଦକ ଶଙ୍କର ପୃଷ୍ଟି, ଉପ ସଭାପତି ତପନ କୁମାର ବିଶ୍ବାଳ, ରୋହିତ ଭୋଇ,  ସରୋଜ କୁମାର ସାହୁ, ସୁଶାନ୍ତ ନାଗ, ଅନିଲ କୁମାର ପୃଷ୍ଟି, ଅରୁଣ କୁମାର ପ୍ରଧାନ, ମମତା ସାହୁ, ସରୋଜ ରାଉତ, ବିନୋଦ ସେଠୀ, ମଦନ ବେହେରା, ସୁଧୀର ସୁନା, ବିଦ୍ୟାଧର ମାଝୀ, ଲିଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ।

ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସଂବଳିତ ୩ ଦଫା ଦାବୀ କୁ ନେଇ ଜିଲ୍ଲାର ଏକ ସାମ୍ବାଦିକ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଶେଷରେ ରଶ୍ମିତା ରାଉତ୍ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ବଲପୁରରୁ ଏହି ଷ୍ଟେସନ ଦେଇ କୋଲକତାକୁ ଚାଲିବ ନୂଆ ଟ୍ରେନ: ପ୍ରକଳ୍ପ ତଦାରଖ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ/ଢ଼େଙ୍କାନାଳ: ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରେଳବାଇ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା ଅବସରରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ। ସେ ତାଳଚେର ରୋଡ, ଅନୁଗୋଳ, ଏମସିଏଲର ବଳରାମ ସାଇଟ, ତାଳଚେର, ସୁନାଖଣି, ବୁଢ଼ାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ, ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏହାବ୍ୟତିତ ବଅଁରପାଳ ବ୍ଲକର ବ୍ରିଜ ନଂ ୫ ଏବଂ ନତଡ଼ା ଗ୍ରାମ ପଞ୍ଚାୟତରେ ଥିବା ହିଙ୍ଗୁଳା ଅଞ୍ଚଳରେ ନିର୍ମାଣାଧୀନ ରେଲ୍ ଲିଙ୍କର କାର୍ଯ୍ୟ ଦେଖିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅନୁରୂପ ଭାବେ ଢ଼େଙ୍କାନାଳ, ଶ୍ୟାମଚରଣପୁର, ଜୋରନ୍ଦା ରୋଡ ରେଳ ଷ୍ଟେସନରେ ହୋଇଥିବା ଅଗ୍ରଗତି କାର୍ଯ୍ୟ ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିଥିଲେ।  ଶ୍ରୀ ପ୍ରଧାନ ଷ୍ଟେସନରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସବୁ ଷ୍ଟେସନରେ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ଏହି ଅବସରରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳରୁ କୋଲକତା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ ଚଳାଚଳ କରିବା ପାଇଁ ଜିଲ୍ଲାବାସୀଙ୍କ ଥିବା ଦୀର୍ଘ ଦିନର ଦାବୀ ରହିଥିଲା। ଏହାକୁ ମୋଦି ସରକାର ସ୍ୱୀକୃତି ଦେଇଛନ୍ତି। ଖୁବ ଶୀଘ୍ର ଏକ ନୂଆ ଟ୍ରେନ ସମ୍ବଲପୁରରୁ ଅନୁଗୋଳ, ତାଳଚେର ଓ ଢ଼େଙ୍କାନାଳ ଦେଇ କୋଲକାତା ଯିବ । ଅନୁଗୋଳ ଓ ଢ଼େଙ୍କାନାଳ ମଧ୍ୟରେ ନୂଆ ରେଳ ଚଳାଚଳ କରିବାର ଦାୟିତ୍ୱ ନେଇ ଜିଲ୍ଲାବାସୀଙ୍କୁ ପୂଜା ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ  କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ରେଳ ବିଭାଗ ତରଫରୁ ଅନୁଗୋଳ ଓ ଢ଼େଙ୍କାନାଳ ଅଞ୍ଚଳରେ ପ୍ରାୟ ୨,୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର କାମ ଜାରୀ ରହିଛି। ଅନୁଗୋଳର ବହୃତ ଶିଳ୍ପାଞ୍ଚଳରେ କୋଇଲା ଭଳି ମାଲ୍ ପରିବହନ ପାଇଁ ରେଳ ବିଭାଗ ପ୍ରାଥମିକତା ଦେଉଅଛି। ତାଳଚେର, ତାଳଚେର ରୋଡ, ଅନୁଗୋଳ, ଢ଼େଙ୍କାନାଳ ଏହି ଚରୋଟି ରେଳ ଷ୍ଟେସନର ପୁନରୁଦ୍ଧାର ସହ ଅନେକ ଷ୍ଟେସନରେ ରେଳ ଲାଇନର ଦୋହରୀକରଣ, ତୃତୀୟ ଲାଇନ, ଚତୁର୍ଥ ଲାଇନର କାମ ଚାଲୁ ରହିଛି। ଖୁବ ଶୀଘ୍ର ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଓ ଦୁଇଟି ମାଲବାହୀ ରେଳ ଲାଇନର କାମ ଶେଷ ହେବ। ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ତାଳଚେରରୁ ଭାୟା ଏଫସିଆଇ ଓ ନାଲକୋ ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଲାଇନର କାମ ଆସନ୍ତା ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ରେଳ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି। ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ରେଳ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ନାଗରିକ ଓ ଯାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ।

ସେ ଆହୁରି କହିଛନ୍ତି ଯେ ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳ ଏବଂ ତାଳଚେରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ମୋଦି ସରକାର ରେଳ କ୍ଷେତ୍ରରେ ବିପୁଳ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ମୋଦି ସରକାରରେ ରେଳ ଯୋଗେ ମାଲ ପରିବହନ ସହ ଯାତ୍ରୀ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହାବ୍ୟତିତ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଅନୁଗୋଳ ଭଳି ଖଣି ଖଦାନ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡ଼ିଏମଏଫ)ର ବ୍ୟବସ୍ଥା କରିଛନ୍ତି । ମୋଦି ସରକାରଙ୍କ ବ୍ୟବସ୍ଥା କାରଣରୁ ଏହି ଜିଲ୍ଲାକୁ ଡ଼ିଏମଏଫରେ ବାର୍ଷିକ ୩୫୦ କୋଟି ଟଙ୍କା ଆସୁଛି। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳା ମନ୍ଦିରର ଉନ୍ନତିକରଣ ପାଇଁ ଏମସିଏଲ ୮ କୋଟିରୁ ଅଧିକ ଟଙ୍କା ଦେଇଛି। ତାଳଚେର ଗୋପାଳଗଡ଼ କଣିହାଁ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ଏବଂ କୋଇଲା ପରିବହନ ପାଇଁ ପୃଥକ ପୃଥକ ରାସ୍ତା କରିବା ପାଇଁ ମଧ୍ୟ ଯୋଜନା କରାଯିବ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁଗୋଳ ଓ ଢ଼େଙ୍କାନାଳର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବୁର୍ଲା ଭିସୁଟ ବିକାଶ ପାଇଁ ଏକ ହଜ଼ାର କୋଟି ଟଙ୍କାର ବ୍ୟୟ ଅଟକଳ, ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ, ମା’ ସମଲେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ରୂପାନ୍ତର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ।

ଭିସୁଟ ରାଜ୍ୟର ଏକ ଅଗ୍ରଣୀ ଇଂଜିନିୟରିଂ କଲେ ଭାବେ ସାରା ଦେଶରେ ସୁଖ୍ୟାତି ରହିଛି।  ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଭିସୁଟ ଯାଇ ବିଶ୍ୱବିଦ୍ୟାଳୟର ଏକାଡେମୀ ବ୍ଲକରେ  ରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା ପ୍ରେକ୍ଷାଳୟ, ପୁଲହ ଓ ବଶିଷ୍ଠ ହଲ ପରିଦର୍ଶନ କରିଥିଲେ। ଏହି ଦଳ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା, ମିଳୁଥିବା ସୁବିଧା ତଥା ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବୁର୍ଲା ଭିସୁଟର ଗୁରୁତ୍ୱକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଏହାକୁ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଓ ଏଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।  ଛାତ୍ର, ଶିକ୍ଷକ, ଶିଳ୍ପ ଜଗତ, ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ପ୍ରଶାସନ ସହିତ ବ୍ୟାପକ ଆଲୋଚନା କରାଯାଇ ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ଏହା ଯେପରି ଦେଶର ଶ୍ରେଷ୍ଠ ଅନୁଷ୍ଠାନ ହେବ ସେହିପରି ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିଷ୍ପତି କରାଯାଇଛି।

ଏହି ପରିଦର୍ଶନ ଅବସରରେ ଛାତ୍ରଛାତ୍ରୀମାନେ ମଧ୍ୟ ସେମାନେ କରିଥିବା ପ୍ରକଳ୍ପ ସବୁ ଉପସ୍ଥାପନା କରିଥିଲେ। ୫ଟି ସଚିବ ଶ୍ରୀ ପାଣ୍ଡିଆନ ଏଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହିତ ଶିଳ୍ପ ଭିତକି ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଇଥିଲେ। ପରେ ସେମାନେ ବଇଜାମୁଣ୍ଡାଠାରେ ଚାଲିଥିବା ସମନ୍ୱିତ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶନ କରି ସେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଭିକାରୀ ଥଇଥାନ କେନ୍ଦ୍ରର ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରିଥିଲେ।

ଏହି ସମନ୍ୱିତ ପ୍ରକଳ୍ପର ଅଗ୍ରଗତିରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ସେବା ଯେପରି ସୁବିଧାରେ ମିଳିପାରିବ ସେଥିପାଇଁ ସମୟବଦ୍ଧ କାର୍ଯ୍ୟସୂଚୀ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ମହିଳା ଲୁଇସ ବାଳିକା ବିଦ୍ୟାଳୟ  ପରିଦର୍ଶନ କରି ଶିକ୍ଷକ, ଛାତ୍ରୀ ଏବଂ ଆଲମ୍ୟୁନିଙ୍କ ସହିତ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡିଶା ଦର୍ଶକଙ୍କ ବେଶ ପସନ୍ଦ ପାଲଟିଛି ‘ମୋ ଅଗଣାର ତୁଳସୀ ତୁ’

ଭୁବନେଶ୍ବର: ସୁଦୂର ସମ୍ବଲପୁରର ନିପଟ ମଫସଲରେ ବଢ଼ିଥିବା ଝିଅଟି ତାର ସ୍ୱପ୍ନକୁ ସତ କରିବାକୁ ରାଜଧାନୀ ଭୁବନେଶ୍ୱର ଆସିଛି। ଜଣକ ଘରେ ରହିବା ହାଣ୍ଡିଶାଳ ସମ୍ଭାଳିବାକୁ ପରିସ୍ଥିତି ପରିବେଶ ତାକୁ ବାଧ୍ୟ କରିଛି। କିନ୍ତୁ ସେଇ ହାଣ୍ଡିଶାଳୁ ଏକ ବିରାଟ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ହେବାକୁ ସକ୍ଷମ ହୋଇଛି। ‘ମୋ ଅଗଣାର ତୁଳସୀ ତୁ’ ସୁଟିଂ ସେଟରେ ଏମିତି କିଛି ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଗୋଟିଏ ସମ୍ଭ୍ରାନ୍ତ ପରିବାରର ନିୟମ କାନୁନ ଆଉ ଗୋଟିଏ ଗାଉଁଲୀ ଝିଅର ସିନ୍ଦୂରର ସୁରକ୍ଷାର ଚିତ୍ର।

ଜୀ ସାର୍ଥକରେ ପ୍ରସାରିତ ‘ମୋ ଅଗଣାର ତୁଳସୀ ତୁ’ର ସୁଟିଂ ଚାଲିଛି। ନିପଟ ମଫସଲ ଗାଁର ତୁଳସୀ ପରିବାରର ବୋଝ ହାଲୁକା କରିବାକୁ ଏବଂ ଭାଇର ଅପରେସନ କରିବାକୁ ଚିନ୍ତା କରିଛି। ତା ହାତ ତିଆରି କ୍ରୀମର ଦୋକାନ ଖୋଲି ଏସବୁ ଦୁଃଖ ଦୂର କରିବାକୁ ସେ ଚାହିଁଛି। କିନ୍ତୁ ଭାଗ୍ୟର ଖେଳ ଅଲଗା। ତୁଳସୀ ଭୁବନେଶ୍ୱର ଆସିଛି। ବିଶିଷ୍ଟ ଶିଳ୍ପପତି ଚିତ୍ରା ସାମନ୍ତରାୟଙ୍କ ହାଣ୍ଡିଶାଳ ସମ୍ଭାଳିବା ଦାୟିତ୍ୱ ମିଳିଛି ତୁଳସୀକୁ। ନିଜ ଦାୟିତ୍ୱ ଅତି ନିଖୁଣତାର ସହ ସମ୍ଭାଳୁଥିବା ତୁଳସୀକୁ ସାମନ୍ତରାୟ ପରିବାର ଆପଣାଇ ନେଇଛି। ରୋଷେୟାରୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର କରାଯାଇଛି। ହେଲେ ତୁଳସୀ ଭିତରେ ସେଭଳି କିଛି ପରିବର୍ତ୍ତନ ଆସିନାହିଁ ବରଂ ସେ କାଲି ଯାହା ଥିଲା ଆଜି ବି ସେମିତି ରହିଛି।

ତେବେ ହଠାତ ତୁଳସୀର ନିକଟତର ହୁଅନ୍ତି ଶିଳ୍ପପତି ଚିତ୍ରା ସାମନ୍ତରାୟଙ୍କ ବଡ ପୁଅ ଚନ୍ଦନ। ସମୟ ଓ ପରିସ୍ଥିତି ତୁଳସୀକୁ ଏମିତି ଏକ ମୋଡରେ ଛିଡା କରିଦିଏ ଯେଉଁଠି ସେ ଆତ୍ମହତ୍ୟାର ରାସ୍ତା ବାଛିନିଏ। ତେବେ ତୁଳସୀ ଜୀବନରେ ଚନ୍ଦନର ଭୂମିକା କିଭଳି ରହୁଛି ଓ ଉଭୟଙ୍କୁ ସାମନ୍ତରାୟ ପରିବାର କେଉଁଭଳି ଗ୍ରହଣ କରୁଛନ୍ତି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି। ଓଡିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ ଜୀ ସାର୍ଥକରେ ପ୍ରସାରିତ ହେଉଛି ‘ମୋ ଅଗଣାର ତୁଳସୀ ତୁ’। ଯାହାକୁ ଓଡିଶା ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ଏଥିରେ ଅଙ୍କିତ, ହିରଣ୍ୟମୟୀ, ଡେଜି, ସୋମା ହୋତା,ନମିତା ଅଭିନୟ କରୁଛନ୍ତି।
ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ଦାସ, ସଂଳାପ ଆଲୋକ ରାୟ, ପ୍ରଯୋଜନା କରୁଛନ୍ତି ବିଜୟ କାଣ୍ଡୋଇ।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆକ୍ରମଣରେ ଜଣେ ଗୁରୁତର, ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବରେ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରେଢାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଆର. ବଡ଼ମାଳ ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଆର. ବଡ଼ମାଳ ଗ୍ରାମର ଲୁକୁ ପ୍ରଧାନ।

ସେ ଜମିକୁ ଭୋର ସକାଳୁ ଲୁକୁ ଯାଇ ଥିବା ବେଳେ ଏକ ଜଙ୍ଗଲୀ ହାତୀ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୁଣ୍ଡରେ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଘଟଣା ସ୍ଥଳରୁ ସେ କୌଣସି ପ୍ରକାରେ ଖସି ଆସିବା ପରେ ପରିବାର ଓ ଗ୍ରାମବାସୀ ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଲୁକୁ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ହେଲେ ବଡ଼ମାଳ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଦୌରାତ୍ମ ଯୋଗୁଁ ଲୋକେ ଅତିଷ୍ଠ ହୋଇ ଗଲେଣି।

ଏ ସଂକ୍ରାନ୍ତରେ ବଡ଼ମାଳ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କୁ ଯୋଗା ଯୋଗ କରିବାରେ  ସେ କହିଲେ ଯେ ହାତୀ ଆକ୍ରମଣ କରି ଥିବା ଗ୍ରାମବାସୀ କହିଛନ୍ତି, ହେଲେ ପରିବାର ଲୋକ ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ। ଘଟଣା ସ୍ଥଳକୁ ବିଭାଗ ପକ୍ଷରୁ ଯାଇଥିଲୁ। ସେଠାରେ ହାତୀ ପାଦ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଏପରିକି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଯାଇ ଥିଲୁ, ସେଠାରେ ତାଙ୍କୁ ଦେଖା ହୋଇ ପାରି ନ ଥିଲା। ହେଲେ ପରିବାର ଲୋକଙ୍କୁ ଦେଖା ନ ହେବା କିମ୍ବା ଅଭିଯୋଗ ହେବା ପରେ ହାତୀ ଆକ୍ରମଣ ଉପରେ କହି ହେବ ବୋଲି ପ୍ରକାଶ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲାକୁ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କରିବାକୁ ମୁଖ୍ୟ ଶାସନ ସଚିବ ଦେଲେ ଏହି ନିର୍ଦ୍ଦେଶ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିଭାଗରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧ ,ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ଆଇଲାଣ୍ଡ କୁ କିଭଳି ପର୍ଯ୍ୟଟକଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରାଯାଇ ପାରିବ ତା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

ସମୀକ୍ଷାରେ ମୁଖ୍ୟତଃ କଟକ -ଅନୁଗୁଳ , ଅନୁଗୁଳ -ସମ୍ବଲପୁର ଜାତୀୟ ରାଜପଥ, ଜଳ ସମ୍ପଦ ବିଭାଗର ମେଗା ଲିଫ୍ଟ ପ୍ରକଳ୍ପ, ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପୂର୍ତ୍ତ ବିଭାଗ ରାସ୍ତା ଆଦି ବିଷୟ ସ୍ଥାନ ପାଇ ଥିଲା। ମୁଖ୍ୟ ରାସ୍ତା ଗୁଡ଼ିକର କାର୍ଯ୍ୟ ତୁରନ୍ତ ସାରିବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ପୂର୍ଣ୍ଣାଙ୍ଗ ନିମନ୍ତେ ସମୟସୀମା ଧାର୍ଯ୍ୟକରି ସେହି ଅନୁସାରେ ସାପ୍ତାହିକ ଓ ମାସିକ କାର୍ଯ୍ୟ – ସାରଣୀ ପ୍ରସ୍ତୁତ ଓ ତାହାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ପରେ ଶ୍ରୀ ମହାପାତ୍ର ମା ସମଲେଇଙ୍କୁ ଦର୍ଶନ କରି ସେଠାରେ ଚାଲିଥିବା ଉନ୍ନୟନ କାର୍ଯ୍ୟପାଇଁ ପ୍ରସ୍ତୁତିର ଅଗ୍ରଗତି ଲକ୍ଷ୍ୟ କରିଥିଲେ। ମନ୍ଦିରରେ ଲାଇଟ ଏବଂ ସାଉଣ୍ଡ ସୋ ର ସଠିକ କାର୍ଯ୍ୟକାରିତା ତନଖି ଥିଲେ। ଏହି ଆଲୋକ ଓ ଧ୍ଵନି ପ୍ରଦର୍ଶନ ରେ ସମ୍ବଲପୁର ଇତିହାସ, ଐତିହ, କଳା, ସଂସ୍କୃତି, ଆଧ୍ୟାତ୍ମିକତା, କୃଷି, ଲୋକ ପରମ୍ପରା ଉପରେ ଆଧାରିତ କଥାବସ୍ତୁ ରଙ୍ଗୀନ ଆଲୋକ ଓ ଶବ୍ଦ ଦ୍ୱାରା ସନ୍ନିବେଶିତ ହୋଇଛି।

ଏଥିରେ ମଧ୍ୟ ସମ୍ବଳିକା ସମ୍ପର୍କରେ ଗ୍ରିକ ଦାର୍ଶନିକ ଟଲେମିଙ୍କ ଉଲ୍ଲେଖ ଠାରୁ ଆରମ୍ଭ କରି ଚୌହାନ ଵଂଶର ଆଗମନ, ବଳରାମ ଦେବଙ୍କ ଦ୍ୱାରା ସମଲେଇ ମନ୍ଦିର ନିର୍ମାଣ ଓ ସମ୍ବଲପୁର ନଗର ସ୍ଥାପନ, ବ୍ରିଟିଶ ରାଜ, ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଆଦି ବିଭିନ୍ନ ଐତିହାସିକ କଥାବସ୍ତୁ ସ୍ଥାନିତ ହୋଇଛି। ଏହି ଲାଇଟ ଏବଂ ସାଉଣ୍ଡ ପ୍ରଦର୍ଶନ କୁ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପରିବେଷଣ ର ବ୍ୟବସ୍ଥା ରହିଛି। ଏ ପ୍ରକାର ରୁଦ୍ଧିମନ୍ତ ଲାଇଟ୍ ଓ ସାଉଣ୍ଡ ସୋ ପ୍ରସ୍ତୁତି ଓ ପରିବେଷଣ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

ଏହି ଗସ୍ତ ସମୟରେ ଅନ୍ୟ ମାନଙ୍କ ସହ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ଦୁଇ ଦିନ ଧରି ରାଜ୍ୟରେ ହେବ ବର୍ଷା, ସାତୋଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ 3 ଏବଂ 4 ତାରିଖରେ ଦୁଇଦିନ ଧରି ଓଡିଶାର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ଏଥିସହିତ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ମଧ୍ୟ ସତର୍କ ଜାରୀ କରାଯାଇଛି।

ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବଜିୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକରେ 3 ଏବଂ 4 ତାରିଖ ପାଇଁ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି।

ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର , କେନ୍ଦ୍ରାପଡା, କଟକ, ଜଗତସିଂହପରୁ , ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବଜିୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକରେ 4 ଓ 5 ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମୁଖ୍ୟତଃ ପଶ୍ଚିମା ଝଡ ଆଗମନର ଆଶଙ୍କା ତଥା ବଙ୍ଗୋପସାଗର ମଧ୍ୟରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଅତ୍ୟଧିକ ମାତ୍ରାରେ ଉର୍ମ-ଜଳୀୟବାଷ୍ପର ପ୍ରଭାବରେ, ୩ ରୁ୪ ଫେବୃଆରୀ ୨୦୨୨ ମଧ୍ୟରେ ଓଡିଶାର ଏହିସବୁ ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତର ସମ୍ଭାବନା ରହିଛି।

ଏହି ପଶ୍ଚିମା ଝଡ ପ୍ରଭାବରେ କିଛି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ମଧ୍ୟ ରହିଛି। ଏହି ପାଣିପାଗ ପ୍ରଭାବରେ ମୁଖ୍ୟତଃ କୃଷି କ୍ଷେତ୍ରରେ ପ୍ରଭାବ ପଡିବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସକାଳୁ ଭିଜିଲାନ୍ସ ଜାଲରେ ଜଣେ ଏମଡି,ମିଲିଲା ଟଙ୍କା ଆଉ 4ଟି 4 ଚକିଆ ଗାଡି, ଚଢାଉ ଜାରୀ

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭିଜିଲାନ୍ସ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଘରେ ଚଢାଉ କରିଛି। ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ଜାମନକିରା ଲ୍ୟାମ୍ପସ ର ଏମଡି ଫନିନ୍ଦ୍ର ସାହୁ। ଆୟ ବହିଃର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଜାରୀ କରାଯାଇଛି। ଏଥିରେ 3 ଜଣ ଡିଏସପି, 4 ଜଣ ଇନସ୍ପେକ୍ଟର, 4 ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଏମାନେ ଏକକାଳିନ ତାଙ୍କ ଅଫିସ ସହିତ ଆଉ 4ଟି ସ୍ଥାନରେ ଚଢାଉ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ତାଙ୍କ ଘରୁ 2 ଲକ୍ଷ 36 ହଜାର 870 ଟଙ୍କା ଜବତ କରାଯାଇଛି। ଏଥିସହିତ କାଗଜ ପତ୍ର ଯାଞ୍ଚ ପରେ ସମ୍ବଲପୁରରେ 2ଟି ପ୍ଲଟ, 4ଟି ଚାରିଚକିଆ ଗାଡି ଜବତ କରାଯାଇଛି। ଏହି ଚାରୋଟି ଗାଡି ମଧ୍ୟରୁ 3 ଟି ବୋଲେରୋ ଥିବା ବେଳେ ଗୋଟିଏ ଘରୋଇ କାର। ବର୍ତ୍ତମାନ ସୁଦ୍ଧା ସମସ୍ତ ସ୍ଥାନରେ ଚଢାଉ ଜାରୀ ରହିଛି। ସଂଧ୍ୟା ସୁଦ୍ଧା ସଂପୂର୍ଣ୍ଣ ତଥ୍ୟ ଅସିବ ବୋଲି ଭିଜିଲାନସ ତରଫରୁ କୁହାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପତ୍ନୀକୁ ମାଡ ମାରିବା ଓ ନିର୍ଯ୍ୟାତନା ଦେବା ଅଭିଯୋଗରେ ସ୍ୱାମୀ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଅନ୍ୟ ଏକ ଝିଅ ସହ ସଂପର୍କକୁ ନେଇ ନିଜ ପତ୍ନୀକୁ ମାଡ ମାରିବା ଏବଂ ନିର୍ଯ୍ୟାତନା ଦେବା ଅଭିଯୋଗରେ ପତିକୁ କିସିଣ୍ଡା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି।

ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ଯେ, କିସିଣ୍ଡା ଥାନା ତାଲବ ଗ୍ରାମର ମଙ୍ଗୁଳୁ ଦେହୁରୀଙ୍କ କନ୍ୟା ପଙ୍କଜିନୀ ଦେହୁରୀ (୨୩) କିସିଣ୍ଡା ଥାନା ଲୋଇସିଂଘ ଗ୍ରାମର ଖେଡୁ ମାଝୀଙ୍କ ପୁଅ ଇନ୍ଦ୍ରମଣୀ ମାଝୀ (୨୮)ଙ୍କ ସହ ୨୦୧୬ ରେ ପ୍ରେମ ବିବାହ କରିଥିଲେ। କାମ ଅନ୍ୱେଷଣରେ ସେମାନେ ବିବାହ ପରେ କଟକ ଜିଲ୍ଲାର ଜଗତପୁର ଠାରେ ଶ୍ରମିକ ଭାବରେ କାମ କରିବାକୁ ଚାଲି ଯାଇଥିଲେ। ବାହାଘର ୨ ବର୍ଷ ପରେ ଅନ୍ୟ ଏକ ଝିଅ ସହ ସଂପର୍କ ରଖି ନିଜ ପତ୍ନୀକୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲା ଇନ୍ଦ୍ରମଣି ମାଝୀ।

ଗତ ତା ୧୬/୧୧/୨୦୨୧ ସଂଧ୍ୟାରେ ଇନ୍ଦ୍ରମଣି ମଦ୍ୟପାନ କରି ଘରକୁ ଆସିଥିଲା ଏବଂ ପତ୍ନୀକୁ ନିର୍ଯ୍ୟାତନା ଦେବା ଦେବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ତାକୁ ମାଡମାରିଥିଲା। ଯା’ଫଳରେ ପତ୍ନିର ଆଖି ଓ ମୁହଁରେ ଆଘାତ ଲାଗିଥିଲା। ତାର ପତ୍ନୀ ଜଗତପୁରରୁ ଫେରିଆସି ନାକଟିଦେଉଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ୨୫/୧୧/୨୦୨୧ ରେ କିସିଣ୍ଡା ଥାନାକୁ ଯାଇ ସ୍ୱାମୀ ବିରୁଦ୍ଧରେ ଲିଖିତା କାରରେ ଅଭିଯୋଗ କରିଥିଲା।

କିସଣ୍ଡା ଥାନା କେସ୍ ନଂ ୮୦ ତା ୨୫/୧୧/୨୦୨୧ ୟୁ/ଏସ୍‌୪୯୮-ଏ/୨୯୪/୩୨୩/୫୦୬ ଆଇପିସି ରେ ମାମଲା ରୁଜୁ କରିବା ସହ ଆଜି ଇନ୍ଦ୍ରମଣିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନାକଟିଦେଉଳ ଥାନାଧିକାରୀ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ସମ୍ବଲପୁର ଜିଲ୍ଲା, ୭ ଲକ୍ଷ ଲୋକଙ୍କୁ ମିଳିବ ସୁବିଧା

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ। କୁଚିଣ୍ଡା ର ସରସ୍ବତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ କାର୍ଡ଼ ଗ୍ରହଣ କରିଥିଲେ । ସମ୍ବଲପୁର ସହିତ ରାଜ୍ୟର ୮ଟି ଜିଲ୍ଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାମିଲ ହେଲା ।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶରେ ସମ୍ବଲପୁରର ଅବଦାନ ବିଷୟରେ ଆଲୋକପାତ କରି କହିଥିଲେ ଯେ ରାଜ୍ୟର ସଂସ୍କୃତି, ରାଜନୀତି, ଶିକ୍ଷା, ଇତିହାସ, ଅର୍ଥନୀତି ସବୁକ୍ଷେତ୍ରରେ ସମ୍ବଲପୁରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମ୍ବଲପୁରୀ ଶାଢୀ, ସମ୍ବଲପୁରୀ ଗୀତ ଓଡିଶାର ମହାନ ସଂସ୍କୃତିର ପରିଚୟ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ସମଲେଇଙ୍କ ଆଶୀର୍ବାଦ ପାଇଁ ଲକ୍ଷ ଲକ୍ଷ ଭକ୍ତ ମା’ଙ୍କ ପୀଠକୁ ଆସୁଛନ୍ତି। ତେଣୁ ଏ ପୀଠର ବିକାଶ ପାଇଁ ସରକାରଙ୍କ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ସରକାରୀ ଦଳର ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ । BSKY Smart Card ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଓଡିଶାରେ ଆଜି ଗରିବ ଲୋକ ନିଜକୁ ସୁରକ୍ଷିତ ମନେ କରୁଛି। ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ଦିଆଯାଉଥିବା ସାମାଜିକ ଓ ଅର୍ଥିକ ସୁରକ୍ଷା ସେମାନଙ୍କୁ ସଶକ୍ତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।