Categories
ଆଜିର ଖବର ବ୍ୟବସାୟ ମନୋରଂଜନ ରାଜ୍ୟ ଖବର

ଓଡିଆ ଚ୍ୟାନେଲ ‘କନକ ନ୍ୟୁଜ’ ରେ ନିଯୁକ୍ତ ହେଲେ ନୂଆ ଏଡିଟର

ଭୁବନେଶ୍ବର: ଓଡିଶାର ଦ୍ବିତୀୟ ନମ୍ବରରେ ଥିବା ନ୍ୟୁଜ ଚ୍ୟାନେଲ କନକ ନ୍ୟୁଜର ନୂଆ ସଂପାଦକ ବା ଏଡିଟର ନିଯୁକ୍ତ ହୋଇଛନ୍ତି। ସେ ହେଉଛନ୍ତି ତନୟା ପଟ୍ଟନାୟକ। ଆଜି ସମ୍ବାଦ ଗ୍ରୁପ ତରଫରୁ ଏହି ଘୋଷଣା କରାଯାଇଛି। ତନୟା ବର୍ତ୍ତମାନ ସମ୍ବାଦ ଗ୍ରପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି।ଏଥିସହିତ ସେ ନିକଟରେ ଦୈନିକ ଖବରକାଗଜ ସମ୍ବାଦ ର ସଂପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ତନୟା ପଟ୍ଟନାୟକ ଦୀର୍ଘ ବର୍ଷ ଧରି ତାଙ୍କ ବାପା ସୌମ୍ୟରଂଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଏହି କଂପାନୀରେ ମୁଖ୍ୟ ପଦବୀରେ କାର୍ଯ୍ୟ କରିଆସୁଛନ୍ତି। ନିକଟରେ ସୌମ୍ୟରଂଜନ ସମ୍ବାଦ ଗ୍ରପରୁ ଇସ୍ତଫା ଦେବା ପରେ ତାଙ୍କ ଝିଅ ହିସାବରେ ତନୟା ସମସ୍ତ ଦାୟିତ୍ବ ବୁଝାବୁଝି କରୁଛନ୍ତି। ତାଙ୍କ ନେତୃତ୍ବରେ କନକ ନ୍ୟୁଜ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର

ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଆସନ୍ତାକାଲି, ୩ ଅକ୍ଟୋବର, ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ସକାଳ ୯ଟା ୫ମିନିଟରେ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ।

ପୂର୍ବାହ୍ନ ୧୧ଟା ବେଳେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର‌୍ୟ୍ୟକ୍ରମରେ ଯୋଗ ଦେବେ। ଅପରାହ୍ନ ସାଢ଼େ ୩ଟା ସମୟରେ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ୪୦ ବର୍ଷ ପୂର୍ତ୍ତି ସମାରୋହରେ ଅତିଥି ଭାବେ ଯୋଗ ଦେବେ।

ଅପରାହ୍ନ ୫ଟା ୧୫ ମିନିଟ୍ ସମୟରେ କଟକ ବିଷୁବ ମଣ୍ଡପ ଠାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସମାରୋହରେ କେନ୍ଦ୍ରୀ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରାୟ ୧୦୦ କୋଟି ଟଙ୍କାର ଋଣ ଜାଲିଆତି କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ; ଲେନିନ ମହାନ୍ତି

ଭୁବନେଶ୍ବର: ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କୋଟିଏ କି ଦୁଇ କୋଟି ନୁହେଁ। ପ୍ରାୟ ୧୦୦ କୋଟି ଟଙ୍କାର ଋଣ ଜାଲିଆତି କରିଛନ୍ତି। ସେ ପ୍ରାୟ ୩୦୦ ସାମ୍ବାଦିକ ତଥା କର୍ମଚାରୀଙ୍କ ନାମରେ ଏହି ଋଣ ନେଇଛନ୍ତି। ଏହି ତଥ୍ୟ ଦେଇଛନ୍ତି ବିଜେଡି ନେତା ଲେନିନ ମହାନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

ଲେନିନ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦର୍ଶାଇ କହିଛନ୍ତି ଯେ, ‘କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରିଥିବା ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ କଣ ସେ ଆଇନର ଉର୍ଦ୍ଧ୍ଵରେ ବୋଲି ଗଣା ଯିବେ କି? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି?’

ସେହିପରି ସେ କହିଛନ୍ତି ଯେ, ‘କିଛି ମାସ ତଳେ ଦୈନିକ ଭାସ୍କର, ଏନଡିଟିଭି ଏବଂ ଜାତୀୟ ସ୍ତରର ଅନ୍ୟ କେତେକ ଗଣମାଧ୍ୟମ ସଂସ୍ଥା ଉପରେ ଆୟକର ଏବଂ ଜିଏସଟି ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା। ସେମାନେ ଆଇନ ଅନୁଯାୟୀ ଏହାକୁ ସାମ୍ନା କରିଥିଲେ। ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥା ହେଲେ ବି କାହିଁ ସେତେବେଳେ ତ ସେମାନେ କେହି ଏହାକୁ ଆକ୍ରୋଶମୂଳକ ବୋଲି କହି ଏଭଳି ହୋହଲ୍ଲା କରି ନ ଥିଲେ’।

ନନ୍ଦିଘୋଷ ଟିଭିରେ କେନ୍ଦ୍ରୀୟ ଜିଏସଟି ଚଢାଉ ହୋଇଥିଲା

ଲେନିନ ମହାନ୍ତି ସୌମ୍ୟରଂଜନଙ୍କ ଉପରକୁ ଆଙ୍ଗୁଳି ଉଠାଇ କହିଛନ୍ତି ଯେ, ‘ଚାରି ପାଞ୍ଚ ଦିନ ତଳେ ନନ୍ଦିଘୋଷ ଟିଭିର କାର୍ଯ୍ୟାଳୟରେ ମଧ୍ୟ ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା।

ଏହା ଅପ୍ରତ୍ୟାଶିତ ଥିଲେ ମଧ୍ୟ ଏହି ଚଢ଼ଉକୁ ସେମାନେ ଆକ୍ରୋଶମୂଳକ କହି ବିରୋଧ କରିନଥିଲେ କି ନିଜ ଚାନେଲରେ ଏହାକୁ ବିରୋଧ କରି ଖବର ପ୍ରସାରଣ କରି ନ ଥିଲେ। ବରଂ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।’ ଶେଷରେ ସେଣ୍ଟ୍ରାଲ ଜିଏସଟି ଅଫିସରମାନେ କାଗଜପତ୍ର ଯାଞ୍ଚ କରି ଫେରି ଯାଇଥି‌ଲେ। ତେଣୁ ନନ୍ଦିଘୋଷ ହେଉ କି ସମ୍ବାଦ, କୌଣସି ଗଣମାଧ୍ୟମ ସଂସ୍ଥା ଆଇନର ଉର୍ଦ୍ଧ୍ଵରେ ନୁହନ୍ତି।

ଋଣ ଜାଲିଆତିର ତଦନ୍ତ ହେବାରେ ଅସୁବିଧା କେଉଁଠି ?

‘ସମ୍ବାଦ’ ଉପରେ ତାଙ୍କ ନିଜ ସଂସ୍ଥାର କର୍ମଚାରୀମାନେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତିର ଅଭିଯୋଗ ଆଣିଛନ୍ତି। ଠକାମିର ଶିକାର ‌ହୋଇଥିବା ଏଭଳି କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୩୦୦ ବୋଲି କୁହାଯାଉଛି ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ସାମ୍ବାଦିକଠୁ ନେଇ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ତେଣୁ ପ୍ରାୟ ୧୦୦ କୋଟି ଟଙ୍କାର ଏହି ଜାଲିଆତିର ଉପଯୁକ୍ତ ତଦନ୍ତ ହେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଲେନିନ।

ଯଦି ସେମାନେ କିଛି ଜାଲିଆତି କରିନାହାନ୍ତି ତେବେ ତଦନ୍ତକୁ ସାମ୍ନା କରିବାକୁ ଡରୁଛନ୍ତି କାହିଁକି? ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଆସିଥିବା ଏହି ବଡ଼ ଧରଣର ବ୍ୟାଙ୍କ ଋଣ ଜାଲିଆତି ଅଭିଯୋଗର ତଦନ୍ତ ଆରମ୍ଭ ହେବା ପରେ ଯେଉଁମାନେ ତାଙ୍କ ପକ୍ଷ ନେଇ ଓକିଲାତି କରିବାକୁ ବାହାରିଛନ୍ତି, କିଛି ଜାଲିଆତି ହୋଇନାହିଁ ବୋଲି ସେମାନେ ଜାଣିଲେ କେମିତି? ଏନେଇ ସେମାନେ କେଉଁ ଆଧାରରେ ତାଙ୍କୁ କ୍ଲିନ୍ ଚିଟ୍ ଦେଇ ପକାଉଛନ୍ତି ବୋଲି ଲେନିନ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଋଣ ଜାଲିଆତି ଅଭିଯୋଗ

ଭୁବନେଶ୍ବର: ଦୈନିକ ଖବରକାଗଜ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଋଣ ଜାଲିଆତି ଅଭିଯୋଗ ଆସିଛି। ଏହି ଅଭିଯୋଗ ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ କରିଛନ୍ତି। ସେ ତାଙ୍କ ଓକିଲ ଜରିଆରେ ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁରେ ଅଭିଯୋଗ କରାଯାଇଛି। ଏଥିରେ ସେ ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଏଚଆର ମୁଖ୍ୟ ବୈଜୟନ୍ତି କରଙ୍କ ନାମରେ ଏହି ଅଭିଯୋଗ କରାଯାଇଛି।

ଏଥିରେ ଦର୍ଶାଯାଇଛି ଯେ, ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସମ୍ବାଦରେ କାର୍ଯ୍ୟ କରୁଥିବା ବିଭିନ୍ନ କର୍ମଚାରୀଙ୍କ ନାମରେ ବ୍ୟାଙ୍କରୁ ଋଣ କରିଛନ୍ତି। ସେ କର୍ମଚାରୀଙ୍କ ନାମରେ ଜାଲ ଆକାଉଣ୍ଟ ଖୋଲି ସେଥିରେ ଏହି ଋଣ କରିଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ, ତାଙ୍କ ନାମରେ ପାଞ୍ଚ ଲକ୍ଷ ଋଣ କରାଯାଇଛି। ଏ ନେଇ ଅଫିସରେ ଯୋଗାଯୋଗ କରିବାରୁ ସେମାନେ ମୋତେ ଧମକ ଦେଇଥିଲେ। ବହୁ କର୍ମଚାରୀଙ୍କ ନାମରେ ଏପରି ଋଣ କରାଯାଇଛି ବୋଲି ସେଥିରେ ଅଭିଯୋଗ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନିସ୍‌ ରେ ଆୟୋଜିତ ହେଲା ‘ବିକାଶରେ ଯୁବ ବର୍ଗର ଭୂମିକା’ ଆଲୋଚନା‌ ଚକ୍ର

ଭୁନେଶ୍ବର: ସୁମାକର କେନ୍ଦ୍ର, ଆଡ୍‌ସ ଆଣ୍ଡ ଏଫ୍‌ଇଏସ୍‌ ଓ ନିସ୍‌ର ମିଳିତ ସହ‌ଯୋଗରେ ଆୟୋଜିତ ହୋଇଛି ‘ବିକାଶରେ ଯୁବ ବର୍ଗର ଭୂମିକା’। ଏହି ଅବସରରେ ରାଜ୍ୟର ବହୁ ମନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ରାଜ୍ୟର ଯୁବବର୍ଗଙ୍କୁ ଏକ ନୂତନ ଦିଗ୍ଦର୍ଷନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ‌ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ସମାଜରେ ଘଟିଥିବା ସବୁ ବିପ୍ଳବ, ପରିବର୍ତ୍ତନ ଓ ନୂଆ କଥା ଯୁବ ବନ୍ଧୁଙ୍କ ଉଦ୍ୟମରେ ହୋଇଛି। ‌ତେଣୁ ପରମ୍ପରା‌ ଭାରତୀୟ ସଂସ୍କୃତିରେ ଅଛି ତାକୁ ଅଗ୍ରାଧିକାର ଦେଇ ଯଦି ସମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା‌ କରାଯାନ୍ତା ତାହାଲେ ଆମେ ସମସ୍ତେ ସମ୍ମାନର ସହ ବଞ୍ଚିବାର ରାସ୍ତା ସହଜରେ ପାଇବେ।

କାର୍ଯ୍ୟକ୍ରମରେ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ସୋସିଆଲିଜିମ୍‌ର ସେକ୍ରେଟେରି ଜେନେରାଲ ଡିକେ ଗିରି, ସୁମାକର ସୋସାଇଟି ଦିଲ୍ଲୀର ନିର୍ଦ୍ଦେଶିକା ସୁଶାନ ଚେରିଆନ୍‌, ଫେଡ୍ରିକ୍‌ ଏବର୍ଟ ଷ୍ଟିଫଙ୍ଗ୍‌ର କଣ୍ଟ୍ରି ନିର୍ଦ୍ଦେଶକ ଖ୍ରୀଷ୍ଟଫ ପି ମୋହର, ପ୍ର‌ୋଗ୍ରାମ ମ୍ୟାନେଜର ଅନୁରାଗ ଶଙ୍କର, ପୂର୍ବତନ ପ୍ରଶାସକ କରୁଣାକର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ‘ବିକାଶରେ ଯୁବ ବର୍ଗର ଭୂମିକା’ ସମ୍ପର୍କରେ ମତ ରଖିଥିଲେ।

ଏହି ଅବସରରେ ୨ଟି ଅଧିବେଶନ ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରଥମ ଅଧିବେଶନରେ ପରିବେଶବିତ୍‌ ଦିଲ୍ଲିପ ଶ୍ରୀଚନ୍ଦନ, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ପୂର୍ବତନ କୁଳପତି ସୁଧାକର ପଣ୍ଡା, ସେଣ୍ଟର ଫର୍‌ ପବ୍ଲିକ୍‌ ‌ପଲିସି ଅଲ୍ଟରନେଟିଭର ନି‌‌ର୍ଦ୍ଦେଶକ ସନ୍ଦୀପ ପଟ୍ଟନାୟକ ଏବଂ ଦ୍ବିତୀୟ ଅଧିବେଶନରେ ସୁଶାନ ଚେରିଆନ୍‌, ସମାଜସେବୀ ବିଶାଖା ଭଞ୍ଜ, ଟ୍ରାଇବାଲ୍‌ ଏକାଡେମିର ଭାନୁମତି ସିଂହ ଯୋଗ‌ଦେଇ ଚର୍ଚ୍ଚା କରିଥି‌ଲେ। ସେହିପରି ଆୟୋଜିତି ଏକ ଗୋଷ୍ଠୀ ଚର୍ଚ୍ଚାରେ ବରିଷ୍ଠ ସାମ୍ବାଦିକ ନାଗେଶ୍ବର ପଟ୍ଟନାୟକ, ଏଫ୍ଇଏସ୍‌ର ପ୍ରୋଗ୍ରାମ ମ୍ୟାନେଜର ଅନୁରାଗ ଶଙ୍କର, ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ସୋସିଆଲିଜିମ୍‌ର ଜେନେରାଲ ଶ୍ରୀ ଗିରି ଭାଗ ନେଇଥିଲେ।

କାର୍ଯ୍ୟକ୍ରମକୁ ଦୁଷ୍ମନ୍ତ କୁମାର ପଟ୍ଟନାୟକ ପରିଚାଳନା କରିଥିବ‌ା ବେ‌ଳେ ଅନୁଷ୍ଠାନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ। ସିଇଓ ସ୍ମୃତି ସୁଧା ନାୟକଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୌମ୍ୟରଞ୍ଜନଙ୍କ ବାରମ୍ବାର ଆକ୍ରମଣ ଘଟଣାକୁ ଗମ୍ଭୀରତା ସହ ଚିନ୍ତା କରୁଛନ୍ତି ବିଜେଡି ସୁପ୍ରିମୋ

ଭୁବନେଶ୍ବର: ସୌମ୍ୟରଂଜନ ପଟ୍ଟନାୟକ, ବିଜେଡି ବିଧାୟକ ସହିତ ଓଡିଆ ମିଡିଆ ଜଗତର ଜଣେ ବାଦସାହା। ହେଲେ ଦୁଃଖର କଥା ସେ ମିଡିଆରେ ଯେତିକି ସଫଳତା ପାଇଛନ୍ତି ରାଜନୀତିରେ ସେତେକି ନୁହେଁ। କାରଣ ସେ କଂଗ୍ରେସ ଏବଂ ପରେ ନିଜେ ରାଜନୈତିକ ଦଳ କରି ବିଫଳ ହୋଇଛନ୍ତି। କେବଳ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ତାଙ୍କର ରାଜନୈତିକ ଜୀବନରେ ଆଂଶିକ ସଫଳତା ମିଳିଛି।

ହେଲେ ବର୍ତ୍ତମାନ ସୌମ୍ୟରଂଜନଙ୍କ ଚାଲିଚଳନକୁ ଦେଖିଲେ ଜଣାପଡୁଛି ସେ ଏହି ସଫଳତାକୁ ନେଇ ମଧ୍ୟ ଖୁସି ନାହାଁନ୍ତି। କାରଣ ବିଭିନ୍ନ ସମୟରେ ବିଜେଡିରେ ଥାଇ ସରକାରଙ୍କୁ ହରଡଘଣାରେ ପକାଇବା ପରି ପଦକ୍ଷେପ ଗ୍ରହଣ କରୁଛନ୍ତି। କେତେବେଳେ ସେ ଦଳର ବରିଷ୍ଠ ନେତାଙ୍କୁ ସମାଲୋଚନା କରୁଛନ୍ତି ତ କେତେବେଳେ ନବୀନ ପଟ୍ଟନାୟକଙ୍କୁ। ଫଳରେ ବିଜେଡି ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ନେଇ ଅଡୁଆ ପରିସ୍ଥିତିରେ ପଡିଯାଇଛି।

ବର୍ତ୍ତମାନ ଆଉ ଏକ ନୂଆ ଘଟଣାରୁ ସୌମ୍ୟ ରଂଜନଙ୍କ ମତିଗତି ଯେ ଆଦୌ ଠିକ ନାହିଁ ତାହା ସ୍ପଷ୍ଟ ହୋଇଛି। ତାଙ୍କର ମନ ଆଉ ବିଜେଡିରେ ନାହିଁ ଏହି ଘଟଣାରୁ ସଂପୂର୍ଣ୍ଣ ଭାବେ ଜଣାପଡିଛି। ତାହା ହେଲା ବିଜେପି ପ୍ରାୟୋଜିତ ଏକ କାର୍ଯ୍ୟକ୍ରମରେ ସୌମ୍ୟବାବୁ ଯୋଗଦେବା ଏବଂ ସେଠାରେ ବିଜେପି ନେତା ଅମିତ ସାହାଙ୍କୁ ପ୍ରଶଂସା କରିବା।ଏହାକୁ ନେଇ ଓଡିଶା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେବାରେ ଲାଗିଛି।

ଅବସର ଥିଲା ‘ଅମିତ ସାହା ଏବଂ ବିଜେପିର ଯାତ୍ରା’ ନାମିତ ଏକ ପୁସ୍ତକ ଉନମୋଚନ ଉତ୍ସବ। ଭୁବନେଶ୍ବରରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖଙ୍କ ସହିତ ଥିଲେ ସୌମ୍ୟରଂଜନ। ସେଠାରେ ସେ କହିଲେ ଯେ, ଯଦି ରାଜନୀତିରେ ସଫଳତା ଚାହୁଁଛ ତେବେ ଅମିତ ସାହାଙ୍କ ରଣନୀତିକୁ ଜାଣିବା ଦରକାର। ସେତିକି ନୁହେଁ ସେ ପରୋକ୍ଷରେ ବିଜେଡିକୁ ସମାଲୋଚନା କରିବାକୁ ଯାଇ କହିଥିଲେ ଯେ, ବର୍ତ୍ତମାନ ଏକ ନୂଆ ଭୋଟ ବ୍ୟାଙ୍କ ସୃଷ୍ଟି ହୋଇଛି, ତାହା ହେଲା ‘ହିତାଧିକାରୀ’ ବା ‘ ଲାଭାର୍ଥୀ’।

ତେବେ କଥା ହେଲା ଯେ, ସୌମ୍ୟବାବୁ ପୁସ୍ତକ ଉନମୋଚନ କରିବାରେ କୌଣସି ଅସୁବିଧା ନାହିଁ। ହେଲେ ବିଜେପିର ଜୟଯାତ୍ରା ଲେଖା ଯାଇଥିବା ପୁସ୍ତକକୁ ବିଜେଡି ବିଧାୟକ ଭାବେ ସେଥିରେ ଯୋଗଦେବା ନିଶ୍ଚିତ ଭୁଲ। ସେ ପ୍ରତି ମାସରେ ପୁସ୍ତକ ଉନମୋଚନ କରୁଛନ୍ତି। ଜଣେ ସାହିତ୍ୟିକ ତଥା ସଂପାଦକ ଭାବେ ସେ କର୍ତ୍ତବ୍ୟ ତାଙ୍କର ରହିଛି। ହେଲେ ବିରୋଧୀ ଦଳର ଜୟଯାତ୍ରା ପୁସ୍ତକ ଉନମୋଚନ କରିବାକୁ ସାଧାରଣରେ ଗ୍ରହଣ କରାଯାଇପାରୁ ନାହିଁ।

ସୌମ୍ୟବାବୁ ଭଲ ଭାବରେ ଜାଣିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ବିଜେପିର, ଯେଉଁ ପୁସ୍ତକ ଉନମୋଚନ ହେବ ତାହା ମଧ୍ୟ ବିଜେପିର ସଫଳତା ଉପରେ ପର୍ଯ୍ୟବେସିତ। ଏସବୁ ସତ୍ବେ ସେ ସେଥିରେ ଯୋଗ ଦେବା ନିଶ୍ଚିତ ଭାବେ ଜାଣିଶୁଣି କରିଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, ତାଙ୍କର ବିଜେଡି ପ୍ରତି ଯେଉଁ ପ୍ରତିବଦ୍ଧତା ରହିବା କଥା ତାହା ଆଉ ସେ ରଖିବାକୁ ଚାହାଁନ୍ତି ନାହିଁ।

ତେବେ ଏହି ଗୋଟିଏ ଘଟଣା ନୁହେଁ, ବିଭିନ୍ନ ସଭା ସମିତିରେ ସେ ଖୋଲମଖୁଲା ବିଜେଡି ତଥା ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି। ଏପରିକି ତାଙ୍କ ସଂପାଦିତ ଖବରକାଗଜ ‘ସମ୍ବାଦ’ ରେ ମଧ୍ୟ ସେ ବିଭିନ୍ନ ସମୟରେ ସରକାରଙ୍କୁ ସିଧା ଆଙ୍ଗୁଠି ଦେଖାଇବାକୁ ପଛାଇ ନାହାଁନ୍ତି। ଫଳରେ ସୌମ୍ୟବାବୁଙ୍କ ଏପରି ହାବଭାବକୁ ଦେଖି ଆସନ୍ତା ନିର୍ବାଚନ ବେଳକୁ ନବୀନ ଉପଯୁକ୍ତ ଜବାବ ଦେବ ବୋଲି ସ୍ପଷ୍ଟ ଜଣାପଡିଛି।