ସୌମ୍ୟରଞ୍ଜନଙ୍କ ବାରମ୍ବାର ଆକ୍ରମଣ ଘଟଣାକୁ ଗମ୍ଭୀରତା ସହ ଚିନ୍ତା କରୁଛନ୍ତି ବିଜେଡି ସୁପ୍ରିମୋ

Published: Jul 12, 2022, 10:47 am IST

ଭୁବନେଶ୍ବର: ସୌମ୍ୟରଂଜନ ପଟ୍ଟନାୟକ, ବିଜେଡି ବିଧାୟକ ସହିତ ଓଡିଆ ମିଡିଆ ଜଗତର ଜଣେ ବାଦସାହା। ହେଲେ ଦୁଃଖର କଥା ସେ ମିଡିଆରେ ଯେତିକି ସଫଳତା ପାଇଛନ୍ତି ରାଜନୀତିରେ ସେତେକି ନୁହେଁ। କାରଣ ସେ କଂଗ୍ରେସ ଏବଂ ପରେ ନିଜେ ରାଜନୈତିକ ଦଳ କରି ବିଫଳ ହୋଇଛନ୍ତି। କେବଳ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ତାଙ୍କର ରାଜନୈତିକ ଜୀବନରେ ଆଂଶିକ ସଫଳତା ମିଳିଛି।

ହେଲେ ବର୍ତ୍ତମାନ ସୌମ୍ୟରଂଜନଙ୍କ ଚାଲିଚଳନକୁ ଦେଖିଲେ ଜଣାପଡୁଛି ସେ ଏହି ସଫଳତାକୁ ନେଇ ମଧ୍ୟ ଖୁସି ନାହାଁନ୍ତି। କାରଣ ବିଭିନ୍ନ ସମୟରେ ବିଜେଡିରେ ଥାଇ ସରକାରଙ୍କୁ ହରଡଘଣାରେ ପକାଇବା ପରି ପଦକ୍ଷେପ ଗ୍ରହଣ କରୁଛନ୍ତି। କେତେବେଳେ ସେ ଦଳର ବରିଷ୍ଠ ନେତାଙ୍କୁ ସମାଲୋଚନା କରୁଛନ୍ତି ତ କେତେବେଳେ ନବୀନ ପଟ୍ଟନାୟକଙ୍କୁ। ଫଳରେ ବିଜେଡି ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ନେଇ ଅଡୁଆ ପରିସ୍ଥିତିରେ ପଡିଯାଇଛି।

ବର୍ତ୍ତମାନ ଆଉ ଏକ ନୂଆ ଘଟଣାରୁ ସୌମ୍ୟ ରଂଜନଙ୍କ ମତିଗତି ଯେ ଆଦୌ ଠିକ ନାହିଁ ତାହା ସ୍ପଷ୍ଟ ହୋଇଛି। ତାଙ୍କର ମନ ଆଉ ବିଜେଡିରେ ନାହିଁ ଏହି ଘଟଣାରୁ ସଂପୂର୍ଣ୍ଣ ଭାବେ ଜଣାପଡିଛି। ତାହା ହେଲା ବିଜେପି ପ୍ରାୟୋଜିତ ଏକ କାର୍ଯ୍ୟକ୍ରମରେ ସୌମ୍ୟବାବୁ ଯୋଗଦେବା ଏବଂ ସେଠାରେ ବିଜେପି ନେତା ଅମିତ ସାହାଙ୍କୁ ପ୍ରଶଂସା କରିବା।ଏହାକୁ ନେଇ ଓଡିଶା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେବାରେ ଲାଗିଛି।

ଅବସର ଥିଲା ‘ଅମିତ ସାହା ଏବଂ ବିଜେପିର ଯାତ୍ରା’ ନାମିତ ଏକ ପୁସ୍ତକ ଉନମୋଚନ ଉତ୍ସବ। ଭୁବନେଶ୍ବରରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖଙ୍କ ସହିତ ଥିଲେ ସୌମ୍ୟରଂଜନ। ସେଠାରେ ସେ କହିଲେ ଯେ, ଯଦି ରାଜନୀତିରେ ସଫଳତା ଚାହୁଁଛ ତେବେ ଅମିତ ସାହାଙ୍କ ରଣନୀତିକୁ ଜାଣିବା ଦରକାର। ସେତିକି ନୁହେଁ ସେ ପରୋକ୍ଷରେ ବିଜେଡିକୁ ସମାଲୋଚନା କରିବାକୁ ଯାଇ କହିଥିଲେ ଯେ, ବର୍ତ୍ତମାନ ଏକ ନୂଆ ଭୋଟ ବ୍ୟାଙ୍କ ସୃଷ୍ଟି ହୋଇଛି, ତାହା ହେଲା ‘ହିତାଧିକାରୀ’ ବା ‘ ଲାଭାର୍ଥୀ’।

ତେବେ କଥା ହେଲା ଯେ, ସୌମ୍ୟବାବୁ ପୁସ୍ତକ ଉନମୋଚନ କରିବାରେ କୌଣସି ଅସୁବିଧା ନାହିଁ। ହେଲେ ବିଜେପିର ଜୟଯାତ୍ରା ଲେଖା ଯାଇଥିବା ପୁସ୍ତକକୁ ବିଜେଡି ବିଧାୟକ ଭାବେ ସେଥିରେ ଯୋଗଦେବା ନିଶ୍ଚିତ ଭୁଲ। ସେ ପ୍ରତି ମାସରେ ପୁସ୍ତକ ଉନମୋଚନ କରୁଛନ୍ତି। ଜଣେ ସାହିତ୍ୟିକ ତଥା ସଂପାଦକ ଭାବେ ସେ କର୍ତ୍ତବ୍ୟ ତାଙ୍କର ରହିଛି। ହେଲେ ବିରୋଧୀ ଦଳର ଜୟଯାତ୍ରା ପୁସ୍ତକ ଉନମୋଚନ କରିବାକୁ ସାଧାରଣରେ ଗ୍ରହଣ କରାଯାଇପାରୁ ନାହିଁ।

ସୌମ୍ୟବାବୁ ଭଲ ଭାବରେ ଜାଣିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ବିଜେପିର, ଯେଉଁ ପୁସ୍ତକ ଉନମୋଚନ ହେବ ତାହା ମଧ୍ୟ ବିଜେପିର ସଫଳତା ଉପରେ ପର୍ଯ୍ୟବେସିତ। ଏସବୁ ସତ୍ବେ ସେ ସେଥିରେ ଯୋଗ ଦେବା ନିଶ୍ଚିତ ଭାବେ ଜାଣିଶୁଣି କରିଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, ତାଙ୍କର ବିଜେଡି ପ୍ରତି ଯେଉଁ ପ୍ରତିବଦ୍ଧତା ରହିବା କଥା ତାହା ଆଉ ସେ ରଖିବାକୁ ଚାହାଁନ୍ତି ନାହିଁ।

ତେବେ ଏହି ଗୋଟିଏ ଘଟଣା ନୁହେଁ, ବିଭିନ୍ନ ସଭା ସମିତିରେ ସେ ଖୋଲମଖୁଲା ବିଜେଡି ତଥା ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି। ଏପରିକି ତାଙ୍କ ସଂପାଦିତ ଖବରକାଗଜ ‘ସମ୍ବାଦ’ ରେ ମଧ୍ୟ ସେ ବିଭିନ୍ନ ସମୟରେ ସରକାରଙ୍କୁ ସିଧା ଆଙ୍ଗୁଠି ଦେଖାଇବାକୁ ପଛାଇ ନାହାଁନ୍ତି। ଫଳରେ ସୌମ୍ୟବାବୁଙ୍କ ଏପରି ହାବଭାବକୁ ଦେଖି ଆସନ୍ତା ନିର୍ବାଚନ ବେଳକୁ ନବୀନ ଉପଯୁକ୍ତ ଜବାବ ଦେବ ବୋଲି ସ୍ପଷ୍ଟ ଜଣାପଡିଛି।

Related posts