Categories
ଜାତୀୟ ଖବର ବିଶେଷ ଖବର

ଭାରତୀୟ ଆଧ୍ୟାତ୍ମିକ ଚେତନା, ସାଂସ୍କୃତିକ, ପରମ୍ପରାର ଅପୂର୍ବ ସମ୍ମେଳନ: ପ୍ରୟାଗରାଜ ମହାକୁମ୍ଭ  

ପ୍ରୟାଗରାଜ: ଭାରତର ମହାନ ଓ ସମୃଦ୍ଧ ଆଧ୍ୟାତ୍ମିକ ଚେତନାର ପ୍ରତୀକ ହେଉଛି ପ୍ରୟାଗରାଜ ମହାକୁମ୍ଭ। ଚଳିତ ବର୍ଷ ଜାନୁଆରୀ ୨୩ ସୁଦ୍ଧା ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏହି ପୁଣ୍ୟଭୂମି ପ୍ରୟାଗରାଜକୁ ଆସି ତ୍ରିବେଣୀ ସଂଗମରେ ସ୍ନାନ କରିବାର ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି। ମକର ସଂକ୍ରାନ୍ତିରେ (୧୪ ଜାନୁଆରୀ ୨୦୨୫), କେବଳ ଗୋଟିଏ ଦିନରେ ସାଢ଼େ ୩ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଂଗମରେ ବୁଡ଼ ପକାଇ ରାଜସ୍ନାନ କରିଛନ୍ତି। ଆଶା କରାଯାଉଛି ଚଳିତ ବର୍ଷ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବେ। ଏଇ ଜାନୁଆରୀ ୧୬ ତାରିଖରେ ୧୦ଟି ଦେଶରୁ ଆସିଥିବା ୨୫ ଜଣିଆ ବିଦେଶୀ ପ୍ରତିନିଧି ଦଳ ମଧ୍ୟ ପବିତ୍ର ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି। ଏହି ପ୍ରତିନିଧି ଦଳରେ ଥିଲେ ଫିଜି, ଫିନଲାଣ୍ଡ, ଗୁଏନା, ମାଲେସିଆ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକ, ଶ୍ରୀଲଙ୍କା, ତ୍ରିନିଦାଦ ଓ ଟବାଗୋ ଏବଂ ୟୁଏଇର ନାଗରିକ। ମହାକୁମ୍ଭର ଆଧ୍ୟାତ୍ମିକ ମହତ୍ୱ ଓ ଐତିହ୍ୟ ଦେଖି ସେମାନେ ହୋଇଥିଲେ ବିମୋହିତ। ଏହି ବିଦେଶୀ ଅତିଥିଙ୍କ ରହିବାର ସରକାରଙ୍କ ପକ୍ଷରୁ ଅରାଇଲ୍ ର ଟେଣ୍ଟ ସିଟିରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲା।

ଦେଶର କୋଣ ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଏପରିକି ବିଦେଶରୁ ଆସିଥିବା ଅତିଥିଙ୍କ ରହଣିକୁ ସ୍ମରଣୀୟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଟିକିନିଖି ଭାବେ ସବୁ ସୁବ୍ୟବସ୍ଥିତ କରାଯାଇଛି। ଅତ୍ୟାଧୁନିକ ଟେକ୍ନୋଲଜି, ଭିତ୍ତିଭୂମିର ବିକାଶ ଓ ନିରନ୍ତର ଯୋଜନାକୁ ଦେଖିଲେ କୌଣସି ସମାବେଶ ଆୟୋଜନ ଓ ସାଂସ୍କୃତିକ ବିନିମୟରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି ମହାକୁମ୍ଭର ଏହି ସଂସ୍କରଣ। ରାଜସ୍ନାନଠୁ ଆରମ୍ଭ କରି ଆକର୍ଷଣୀୟ ଆଖଡ଼ା ଶୋଭାଯାତ୍ରା, ଡିଜିଟାଲ ସୃଜନଠାରୁ ଆରମ୍ଭ କରି ନିରନ୍ତର ପ୍ରଗତିର ବଡ଼ ବଡ଼ ପ୍ରକଳ୍ପ ପର୍ଯ୍ୟନ୍ତ ଏଇ ମହାକୁମ୍ଭ ୨୦୨୫  ହେଉଛି ଅତୀତ ଓ ଭବିଷ୍ୟତର ଅପୂର୍ବ ସଂଗମ।

ମହାକୁମ୍ଭର ପ୍ରମୁଖ ଆକର୍ଷଣ

ଆସ୍ଥା, ସଂସ୍କୃତି ଓ ଅନୁସୃଜନର ଏକ ସମୃଦ୍ଧ ପଟ୍ଟଚିତ୍ର ହେଉଛି ପ୍ରୟାଗରାଜର ମହାକୁମ୍ଭ ମେଳା ୨୦୨୫। ଏହାର ମଧ୍ୟ ଭାଗରେ ଶୋଭା ପାଉଛି ତେଜସ୍ ପେଣ୍ଡାଲ। ୮୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ବିରାଟ ତେଜସ୍ ପେଣ୍ଡାଲ ହେଉଛି ହାଲ୍ ର ତେଜସ୍ ଯୁଦ୍ଧ ବିମାନର ଏକ ମଡେଲ। ପ୍ରୟାଗରାଜ ମହାକୁମ୍ଭ ମେଳାର ଆଉ ଏକ ପ୍ରମୁଖ ପରିଚୟ ହେଉଛି ଆଖଡ଼ା । ଉଭୟ ଆଧ୍ୟାତ୍ମିକ ଓ ସାମରିକ କୌଶଳ ପରମ୍ପରାର ତତ୍ତ୍ୱାବଧାରକ ହେଉଛନ୍ତି ଏହି ଆଖଡ଼ା।

ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କାରିଗରଙ୍କୁ ନିଜ ହାତର ଯାଦୁ ଦେଖାଇବାର ଅପୂର୍ବ ସୁଯୋଗ ଆଣି ଦେଇଛି “ଏକ ଜିଲ୍ଲା ଏକ ଉତ୍ପାଦ” ପ୍ରଦର୍ଶନୀ। ସେହିପରି ଭାରତୀୟ ହସ୍ତଶିଳ୍ପ, ଖାଦ୍ୟ ପାନୀୟ ଓ ସଂସ୍କୃତିର ଏକ ଜୀବନ୍ତ ସଂଗ୍ରହାଳୟ ହେଉଛି କଳାଗ୍ରାମ।

ଦର୍ଶକଙ୍କ ମନ ମୋହୁଛି ପ୍ରୟାଗ ମାହ୍ୟତ୍ମମ୍ ଓ ସମୁଦ୍ର ମନ୍ଥନ ଉପରେ ଆଧାରିତ ଡ୍ରୋନ ସୋ। ଏହା ସହିତ ପ୍ରତିଦିନ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ସଂଗୀତ ପରିବେଷଣ କରୁଛନ୍ତି ଶଙ୍କର ମହାଦେବନ, ମୋହିତ ଚୌହାନ, କୈଳାସ ଖେରଙ୍କ ପରି ବହୁ ନାମୀ ଦାମୀ କଳାକାର। ସେମାନଙ୍କର ଭକ୍ତିଭାବ ପୂର୍ଣ୍ଣ ସଂଗୀତ ମହାକୁମ୍ଭରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି। ଏପରି କାର୍ଯ୍ୟକ୍ରମ ୨୦୨୫ ଫେବ୍ରୁଆରି ୨୪ ଯାଏ ଚାଲିବ।

ପ୍ରମୁଖ ସ୍ନାନର ତିଥି ଓ ସେଗୁଡ଼ିକର ମହତ୍ତ୍ୱ

ମହାକୁମ୍ଭର ପ୍ରାଣ ହେଉଛି ଏହାର ପବିତ୍ର ସ୍ନାନ ରୀତିନୀତି ( ରାଜସ୍ନାନ)

ମହାକୁମ୍ଭ ୨୦୨୫ର ପ୍ରମୁଖ ରାଜସ୍ନାନଗୁଡ଼ିକ ହେଲା

୨୦୨୫ ଜାନୁଆରି ୨୯ ତାରିଖ: ମୌନି ଅମାବାସ୍ୟାରେ ହେବ ଦ୍ୱିତୀୟ ରାଜସ୍ନାନ

ବିଶ୍ୱାସ କରାଯାଏ, ମୌନି ଅମାବାସ୍ୟାର ଏହି ମାହେନ୍ଦ୍ର ବେଳାରେ ଗଙ୍ଗା ପରି ପବିତ୍ର ନଦୀରେ ବୁଡ଼ ପକାଇବା ଦ୍ୱାରା ସୌଭାଗ୍ୟପ୍ରାପ୍ତି ହୋଇଥାଏ। ପୌରାଣିକ କଥା ଅନୁସାରେ, ଏହି ଦିନ ମହାମୁନି ରିଷଭ ଦେବ ମୌନବ୍ରତ ଭାଙ୍ଗି ସଂଗମର ଏହି ପବିତ୍ର ଜଳରେ ସ୍ନାନ କରିଥିଲେ। ଏହି କାରଣରୁ କୁମ୍ଭମେଳାର ମୌନି ଅମାବାସ୍ୟା ତିଥିରେ ସବୁଠୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଥିପାଇଁ ମୌନି ଅମାବାସ୍ୟା ହେଉଛି ଆଧ୍ୟାତ୍ମିକ, ଭକ୍ତି ଓ ଆତ୍ମା ଶୁଦ୍ଧିକରଣର ଏକ ଅପୂର୍ବ ଦିନ।

୩ ଫେବ୍ରୁଆରି ୨୦୨୫ ବସନ୍ତ ପଞ୍ଚମୀରେ ତୃତୀୟ ରାଜସ୍ନାନ

ହିନ୍ଦୁ ପୌରାଣିକ ଆଖ୍ୟାନ ଅନୁସାରେ ବସନ୍ତ ପଞ୍ଚମୀରେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଆବାହନ କରାଯାଇଥାଏ। ଋତୁ ପରିବର୍ତ୍ତନର ପ୍ରତୀକ ମଧ୍ୟ ହେଉଛି ଏହି ବସନ୍ତ ପଞ୍ଚମୀ।

୧୨ ଫେବ୍ରୁଆରି ୨୦୨୫ ମାଘ ପୂର୍ଣ୍ଣିମା ସ୍ନାନ

ମାଘ ପୂର୍ଣ୍ଣିମାରେ ଗୁରୁ ବୃହସ୍ପତିଙ୍କ ଉପାସନା କରାଯାଇଥାଏ। ଏହା ସହିତ ବିଶ୍ୱାସ କରାଯାଏ ଯେ, ଗନ୍ଧର୍ବ ଏହି ଦିନ ସ୍ୱର୍ଗରୁ ପବିତ୍ର ସଂଗମକୁ ଅବତରଣ କରିଥିଲେ

୧୨ ଫେବ୍ରୁଆରୀ ୨୦୨୫ ମହା ଶିବରାତ୍ରି

ମହାଶିବରାତ୍ରିରେ ସ୍ନାନ ହେଉଛି କଳ୍ପବାସୀଙ୍କ ଅନ୍ତିମ ପବିତ୍ର ସ୍ନାନ। ଶିବରାତ୍ରୀ ହେଉଛି ଭଗବାନ ଶିବଙ୍କ ପର୍ବ।

ମହାକୁମ୍ଭ ୨୦୨୫ ପାଇଁ ଭିତ୍ତିଭୂମି ଓ ଆୟୋଜନ

କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବାକୁ ଓ ସେମାନେ ଯେମିତି ସୁରୁଖୁରୁରେ ପ୍ରୟାଗରାଜର ସଂଗମରେ ବୁଡ଼ ପକାଇବେ ଓ ସେମାନଙ୍କ ରହିବା ଖାଇବା ପିଇବା ବ୍ୟବସ୍ଥା ପାଇଁ ସରକାରଙ୍କ ତରଫରୁ ବିଶ୍ୱସ୍ତରୀୟ ସୁବିଧା କରାଯାଇଛି।

ସୁରକ୍ଷା ଓ ଭିଡ଼ ପରିଚାଳନା: ଅତ୍ୟାଧୁନିକ ସର୍ଭେଲାନସ ବ୍ୟବସ୍ଥା, ଡ୍ରୋନ ସହାୟତାରେ ମନିଟରିଂ ଓ ପରସ୍ପର ସହିତ ସୁସମନ୍ୱୟ ରଖିଥିବା ସୁରକ୍ଷା ସଂସ୍ଥା ଦିନ ରାତି କାମ କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅର୍ଦ୍ଧ ସାମରିକ ବାହିନୀ ସହିତ ୫୦ ହଜାରରୁ ଅଧିକ ପୋଲିସ କର୍ମଚାରୀ, ୧୪ ହଜାର ହୋମଗାର୍ଡ ମୁତୟନ ହୋଇଛନ୍ତି। ଏହା ସହିତ ୨୭୫୦ ଏଆଇ ଆଧାରିତ ସିସିଟିଭି ଲଗାଯାଇଛି। ଅଧିକ ସୁରକ୍ଷା ଓ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ବହୁମୁଖୀ ଗାଡ଼ି ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

ସାର୍ବଜନୀନ ଭିତ୍ତିଭୂମି : ପ୍ରୟାଗରାଜର ଏହି ମହାକୁମ୍ଭମେଳାକୁ ଦୃଷ୍ଟିରେ ରଖି ୧୪ଟି ନୂଆ ଫ୍ଲାଏ ଓଭର, ୯ଟି ସ୍ଥାୟୀ ଘାଟ, ୭ଟି ନୂଆ ବସଷ୍ଟାଣ୍ଡ, ୧୨ କିଲୋମିଟର ଧରି ଅସ୍ଥାୟୀ ଘାଟ ନିର୍ମାଣ କରାଯାଇଛି। ଏହା ସହିତ ୨୦୦ରୁ ଅଧିକ ରାସ୍ତା ନୂଆ ଭାବେ ନିର୍ମାଣ କରାଯାଇଛି ବା ମରାମତି କରାଯାଇଛି ।

ଗମନାଗମନ : ରାସ୍ତାଘାଟ ସଂପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ୮୦୦ଟି ବହୁଭାଷୀୟ ସାଇନ୍ ବୋର୍ଡ ଲଗାଯାଇଛି। କେଉଁଠି କେତେ ଲୋକ ଅଛନ୍ତି, ଜରୁରୀକାଳୀନ ଆଲର୍ଟ, ଦିଗ ପ୍ରଦର୍ଶନ ଓ ହୋଟେଲ ସଂପର୍କରେ ସେହି ମୁହୂର୍ତ୍ତରେ ସୂଚନା ପ୍ରଦାନ କରୁଛି ଏକ ସ୍ୱତନ୍ତ୍ର ଆପ୍।

ସ୍ୱାସ୍ଥ୍ୟ ଓ ପରିମଳ : ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୬ ହଜାର ଶଯ୍ୟା, ୪୩ଟି ହସପିଟାଲର ବ୍ୟବସ୍ଥା କରାଯାଇଛି। ଏହା ସହିତ ମହାକୁମ୍ଭରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୦, ୨୦୦ ସଫେଇ କର୍ମଚାରୀ, ୧୮୦୦ ଗଙ୍ଗା ସେବାଦୂତ ନିୟୋଜିତ ହୋଇଛନ୍ତି।

ଆବାସ: ମହାକୁମ୍ଭ ନଗରକୁ ଏକ ଅସ୍ଥାୟୀ ସହରରେ ପରିଣତ କରାଯାଇଛି। ଭକ୍ତଙ୍କ ରହିବା ପାଇଁ ଏଠାରେ ତିଆରି କରାଯାଇଛି ଟେଣ୍ଟ, ଆଶ୍ରୟସ୍ଥଳୀ ଓ ସୁପର୍ ଡିଲକ୍ସ ଆବାସ।

ଆକାଶବାଣୀର କୁମ୍ଭବାଣୀ : ମହାକୁମ୍ଭ ନଗରରେ ସମସ୍ତ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କୁ ସମସ୍ତ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ ଆକାଶବାଣୀର କୁମ୍ଭବାଣୀରେ ଲାଇଭ୍ ଖବର ପ୍ରସାରଣ କରାଯାଉଛି।

ନୂଆ ଇଲେକଟ୍ରିକ ବସ୍: ମହାକୁମ୍ଭ ଆରମ୍ଭ ହେବା ଆଗରୁ ୧୦-୧୫ଟି ଇଲେକଟ୍ରିକ ବସ୍ ଚାଲୁଥିଲା। ଜାନୁଆରି ୨୯ ମୌନି ଅମାବାସ୍ୟା ପୂର୍ବରୁ ଆହୁରି ୩୦ଟି ଇଲେକଟ୍ରିକ ବସ୍ ଚଳାଯାଇଛି। ପ୍ରତ୍ୟେକ ବସ୍ ର ଲମ୍ୱ ହେଉଛି ୧୨ ମିଟର। ଥରେ ଚାର୍ଜ କରାଗଲେ, ଏହା ୨୦୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଥାଏ।

ଡବଲ୍ ଡେକର୍ ବସ୍ : ଦ୍ୱିତୀୟ ପର୍ଯ୍ୟାୟରେ ୧୨୦ଟି ବସ୍ ଆସିବାର ଅଛି। ସେଥି ମଧ୍ୟରୁ ୨୦ଟି ହେଉଛି ଡବଲ୍ ଡେକର୍ ବସ୍। ୯ ମିଟର ଓ ୧୨ ମିଟରର ୧୦୦ଟି ବସ୍ ଆସିବାର ଅଛି।

ସଂପ୍ରସାରିତ ରେଳ ସେବା : କୁମ୍ଭ ମେଳା ପାଇଁ ୧୫ ଦିନ ଆଗରୁ ଟିକଟ ବୁକିଂ କରିବାର ବ୍ୟବସ୍ଥା କରିଛି ରେଳ ବିଭାଗ। ଟୋଲ୍ ଫ୍ରି ହେଲପ ଲାଇନ, ଓ୍ୱେବସାଇଟ୍ ଓ ମହାକୁମ୍ଭ ମେଳା ଆପ୍ ରୁ ରେଳ ଚଳାଚଳ ସଂପର୍କରେ ସୂଚନା ମିଳି ପାରିବ।

ମହାକୁମ୍ଭ ୨୦୨୫ରେ ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥା

ମହାକୁମ୍ଭ ମେଳାରେ ପ୍ରତିଦିନ ପ୍ରାୟ ୨୦ ହଜାର ଲୋକଙ୍କୁ ମାଗଣାରେ ଭୋଜନ ଦିଆଯାଉଛି। ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ପ୍ରଦେଶ ସରକାର ୨୫ ହଜାର ନୂଆ ରାସନ କାର୍ଡ ପ୍ରଦାନ କରିଛନ୍ତି। ମହାକୁମ୍ଭର ଶ୍ରଦ୍ଧାଳୁଙ୍କ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୩୫ ହଜାରରୁ ଅଧିକ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଇଥିବା ବେଳେ ୩୫୦୦ ନୂଆ କନେକସନ ପ୍ରଦାନ କରାଯାଇଛି। କୁମ୍ଭ ମେଳାରେ ପ୍ରତିଦିନ ୫୦୦୦ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଉଛି। ମହାକୁମ୍ଭରେ ମୁଖ୍ୟତଃ ଆଖଡ଼ାର ଅନ୍ତେବାସୀ ଓ କଳ୍ପବାସୀଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ଉତ୍ତର ପ୍ରଦେଶ ସରକାର ଖାଦ୍ୟ ପାନୀୟର ଗୁଣବତ୍ତା ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି। ସେଥିପାଇଁ ମହାକୁମ୍ଭ ଅଞ୍ଚଳକୁ ୫ଟି ଜୋନ୍ ଓ ୨୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ହୋଟେଲ, ଢାବା, ଷ୍ଟଲରେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଫୁଡ୍ ସେଫଟି ଅଧିକାରୀ। ଅପମିଶ୍ରଣକୁ ରୋକିବା ପାଇଁ ସେହି ସ୍ଥାନରେ ହିଁ ଫୁଡ୍ ସେଫଟି ଅନ୍ ହ୍ୱିଲ୍ ଲାବରୋଟୋରି ଦ୍ୱାରା ଯାଞ୍ଚ କରାଯାଉଛି। ଯେଉଁ ଖାଦ୍ୟ ବଣ୍ଟନ କରାଯାଉଛି, ତାହା ଯେମିତି ସଫାସୁତୁରା ଓ ସ୍ୱାସ୍ଥ୍ୟକର ହୋଇଥିବ, ତାହା ଯାଞ୍ଚ କରୁଛନ୍ତି ୧୦ଟି ମୋବାଇଲ୍ ଫୁଡ୍ ଲାବ୍।

ଶେଷ କଥା

ଶ୍ରଦ୍ଧାଳୁଙ୍କ ସମାଗମ, ଭିତ୍ତିଭୂମି ଓ ବିଶ୍ୱର ଧ୍ୟାନ ଆକର୍ଷଣ କରିବାରେ ମହାକୁମ୍ଭ ୨୦୨୫ ନୂଆ ରେକର୍ଡ କରିଛି। ମହାକୁମ୍ଭରେ ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳଙ୍କୁ ସମାଗମ ହେବା କେବଳ ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ଦର୍ଶାଉ ନାହିଁ ବରଂ ଏତେ ବଡ଼ କାର୍ଯ୍ୟକ୍ରମକୁ ଅସାଧାରଣ ଭାବେ ଯୋଜନା କରି ସୁରୁଖୁରୁରେ କାର୍ଯ୍ୟକାରୀ କରିବାରେ ଭାରତ ଯେ କେତେ ପାରଙ୍ଗମ, ତାହା ଏଥିରୁ ପ୍ରତିଫଳିତ ହେଉଛି। ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବୁଡ଼ ପକାଇବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଥିବା ବେଳେ ଆସ୍ଥା, ଏକତା ଓ ସାଂସ୍କୃତିକ ମହାମିଳନ ପାଲଟିଛି ମହାକୁମ୍ଭ।

Categories
ଆଜିର ଖବର ଜାତୀୟ ଖବର

୧.୫ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବାର ସମ୍ଭାବନା

ନୂଆଦିଲ୍ଲୀ: ମହାକୁମ୍ଭର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଅର୍ଥନୈତିକ ଗୁରୁତ୍ୱ ସଂପର୍କରେ ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜବାହରଲାଲ ନେହରୁ ଭବନରେ ବିଦେଶୀ ସାମ୍ବାଦିକମାନଙ୍କୁ ଅବଗତ କରାଯାଇଛି। ଏଥିରେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଉତ୍ତର ପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀ।

ସାରା ବିଶ୍ୱରୁ ୧୦ଲକ୍ଷରୁ ଅଧିକ ବିଦେଶୀ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବାର ଆଶା କରାଯାଉଥିବା ବେଳେ ଏହି ମହାକୁମ୍ଭ ୨୦୨୫ ହେଉଛି ଆତ୍ମ-ଅନ୍ୱେଷଣ, ଧାର୍ମିକ ଓ ସାଂସ୍କୃତିକ ପ୍ରତୀକ। ଉତ୍ତରପ୍ରଦେଶ ସରକାରଙ୍କ ଅଧିକାରୀମାନେ ମହାକୁମ୍ଭ ୨୦୨୫ କେତେ ବଡ଼ ସେ ସଂପର୍କରେ ସମସ୍ତ ସୂଚନା ଦେଇ କହିଥଲେ, ଏହା ହେଉଛି ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାବେଶ।

ବୈଦେଶିକ ମନ୍ତ୍ରଣାଳୟ ଓ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାକୁମ୍ଭର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୁରୁତ୍ୱ ସଂପର୍କରେ ଆଲୋକପାତ କରାଯାଇଥଲା। ମହାକୁମ୍ଭ ୨୦୨୫ ଜାନୁଆରି ୧୩ରୁ ଆରମ୍ଭ ହୋଇଥିବା ବେଳେ ଫେବ୍ରୁଆରି ୧୩ ତାରିଖରେ ଶେଷ ହେବ। ପୁରାଣର ସମୁଦ୍ର ମନ୍ଥନ ସହିତ ଏହି ମହାକୁମ୍ଭ ଜଡ଼ିତ। ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ ପଡ଼ିଥିବାର ବିଶ୍ୱାସ କରାଯାଏ। ତେଣୁ ଏହି ୪ଟି ପବିତ୍ର ଧର୍ମପୀଠରେ ମହାକୁମ୍ଭ ଅବସରରେ ପବିତ୍ର ସ୍ନାନ କରିବାର ପରମ୍ପରା ଅଛି । ଏହା ହେଉଛି ଆତ୍ମାର ପବିତ୍ରକରଣ ଓ ନିଜକୁ ନିଜେ ଚିହ୍ନିବାର ପ୍ରତୀକ।

ସରକାରଙ୍କ ଆକଳନ ଅନୁସାରେ ୧୫ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ମହାକୁମ୍ଭ ୨୦୨୫ରେ। ଏହା ତୁଳନାରେ ୨୦୧୯ କୁମ୍ଭମେଳାରେ ପ୍ରାୟ ୨୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମହାକୁମ୍ଭକୁ ଏକତା ଓ ସମାନତାର ସଂଗମସ୍ଥଳୀ ଭାବେ ଦେଖା ଯାଉଛି ଯାହାକି ବିଭିନ୍ନ ସଂସ୍କୃତି, ବିଭିନ୍ନ ପରମ୍ପରାର କୋଟି କୋଟି ଲୋକଙ୍କୁ ଗୋଟିଏ ସ୍ଥାନରେ ସମବେତ କରିଛି।

ବିଦେଶୀ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ବେଳେ ଉତ୍ତରପ୍ରଦେଶ ସରକାରଙ୍କ ଅଧିକାରୀ କହିଥିଲେ ଯେ, ମହାକୁମ୍ଭରେ ଯୋଗ ଦେଉଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦେଖିଲେ, ଏହା ବିଶ୍ୱର ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ଟପିଯିବ। ରିଓ କାର୍ନିଭଲରେ ୭୦ ଲକ୍ଷ ଲୋକ ଯୋଗ ଦେଇଥିବା ବେଳେ ହଜ୍‌ରେ ଯୋଗ ଦେଇଥିଲେ ୨୫ ଲକ୍ଷ ଶ୍ରଦ୍ଧାଳୁ। ସେହିପରି ଅକଟୋବର ଫେଷ୍ଟରେ ୭୨ ଲକ୍ଷ ଲୋକ ଯୋଗ ଦେଇଥିଲେ। ମହାକୁମ୍ଭର ଜନସମାଗମକୁ ଦେଖିଲେ, ଏସବୁ କିଛି ନୁହେଁ। କାରଣ ମହାକୁମ୍ଭ ୨୦୨୫ରେ ୪୫ କୋଟିରୁ ବି ଅଧିକ ଶ୍ରଦ୍ଧାଳୁ ଯୋଗ ଦେବାର ଆକଳନ କରାଯାଇଛି। ଏହା ଦର୍ଶାଉଛି ଯେ, ମହାକୁମ୍ଭ ହେଉଛି ଅତୁଳନୀୟ ଓ ବିଶ୍ୱର ସର୍ବବୃହତ ଜନସମାଗମ ସ୍ଥଳୀ ଭାବେ ଏହା ଗୁରୁତ୍ୱ ବହନ କରୁଛି।

ମହାକୁମ୍ଭ ୨୦୨୫ ଦେଶର ଅର୍ଥନୀତିକୁ ମଧ୍ୟ ଅନେକାଂଶରେ ସମୃଦ୍ଧ କରିବ। ମହାକୁମ୍ଭ ପାଇଁ ଭାରତର ଅର୍ଥନୀତିରେ ୨ ଲକ୍ଷ କୋଟି ଟଙ୍କାର କାରବାର ହେବ। ଉତ୍ତରପ୍ରଦେଶର ଜିଡିପି ୧ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ଅଛି। ୧୭, ୩୧୦ କୋଟି ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସାୟ ହେବ ବୋଲି ଆଶା କରାଯାଉଥିବା ବେଳେ ହୋଟେଲ ଓ ଟ୍ରାଭେଲ କ୍ଷେତ୍ରରେ ୨୮୦୦ କୋଟି ଟଙ୍କାର ବ୍ୟବସାୟ ହେବ। ୨୦୦୦ କୋଟିର ପୂଜା ସାମଗ୍ରୀ ବ୍ୟବସାୟ ଓ ୮୦୦ କୋଟି ଟଙ୍କାର ଫୁଲ ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି।

ସୁରକ୍ଷିତ ଭାବେ ଓ ସୁରୁଖୁରୁରେ ମହାକୁମ୍ଭ ସଂପନ୍ନ କରିବା ପାଇଁ ପ୍ରୟାଗରାଜରେ ବ୍ୟାପକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ପ୍ରମୁଖ ନିର୍ମାଣ ମଧ୍ୟରେ ରହିଛି ୧୪ଟି ନୂଆ ଫ୍ଲାଏଓଭର, ୯ଟି ସ୍ଥାୟୀ ଘାଟ, ୭ଟି ନୂଆ ବସଷ୍ଟାଣ୍ଡ ଓ ୧୨ କିଲୋମିଟରର ଅସ୍ଥାୟୀ ଘାଟ। ସୁରକ୍ଷା ପାଇଁ ୩୭, ୦୦୦ ପୋଲିସ କର୍ମଚାରୀ, ୧୪,୦୦୦ ହୋମଗାର୍ଡ ମୁତୟନ ହେବା ସହିତ ୨,୭୫୦ ଆର୍ଟିଫିସିଆଲ୍ ଇଣ୍ଚିଲିଜେନସ ସିସିଟିଭି କ୍ୟାମେରା ଲଗାଯାଇଛି।

ସ୍ୱାସ୍ଥ୍ୟସେବାକୁ ଦେଖିଲେ ୬,୦୦୦ ଶଯ୍ୟା, ୪୩ଟି ହସପିଟାଲ ଓ ଏୟାର ଆମ୍ୱୁଲାନସର ବ୍ୟବସ୍ଥା କରାଯାଇଛି। ଏହା ସହିତ ମହାକୁମ୍ଭ ସମୟରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ୧୦,୨୦୦ ସଫେଇ କର୍ମଚାରୀ ଓ ୧୮୦୦ ଗଙ୍ଗା ସେବା ଦୂତ ନିୟୋଜିତ ହୋଇଛନ୍ତି।

କିନ୍ନର ଆଖଡ଼ା ଦଶନମ୍ ସନ୍ୟାସିନୀ ଆଖଡ଼ା ଓ ମହିଳା ଆଖଡ଼ା ସମେତ ୧୩ଟି ଆଖଡ଼ା ମହାକୁମ୍ଭ ୨୦୨୫ରେ ଯୋଗ ଦେଉଛନ୍ତି। ଲିଙ୍ଗଗତ ସମାନତା ଓ ପ୍ରଗତିଶୀଳ ଆଭିମୁଖ୍ୟକୁ ଦର୍ଶାଉଛନ୍ତି ଏହି ସବୁ ଆଖଡ଼ା। ବିଭିନ୍ନ ଜାତି, ଧର୍ମ ଓ ସାଂସ୍କୃତିକ ବିବିଧତା ମଧ୍ୟରେ ଏକତାର ମନୋଭାବ ସୃଷ୍ଟି କରିବ ଏହି ମହାକୁମ୍ଭ। ଆଧ୍ୟାତ୍ମିକ ମହତ୍ୱ ସହିତ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଅର୍ଥନୈତିକ ବୈଭବକୁ ବିଶ୍ୱ ଦରବାରରେ ପ୍ରଦର୍ଶନ କରିବାକୁ ଏକ ମଞ୍ଚ ପ୍ରଦାନ କରୁଛି ଏହି ମହାକୁମ୍ଭ।

ପ୍ରୟାଗରାଜ ସଂଗମରେ ମହାକୁମ୍ଭ ସଂପର୍କରେ ଖବର ସଂଗ୍ରହ କରିବା ବେଳେ ବିଦେଶୀ ସାମ୍ୱାଦିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାକୁ, ବିଦେଶୀ ସାମ୍ୱାଦିକମାନେ ଯେମିତି ସୁରୁଖୁରୁରେ ସବୁ ସ୍ଥାନକୁ ଯାଇ ଖବର ସଂଗ୍ରହ କରିପାରିବେ, ସେଥିପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ସେମାନଙ୍କୁ ଆଶ୍ୱାସନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାଂସ୍କୃତିକ, ବୌଦ୍ଧିକ ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଭିନ୍ନ ସାଂସ୍କୃତିକ, ବୌଦ୍ଧିକ ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି।

ଏହି କ୍ରମରେ ଆଜି ଜଗତସିଂହପୁର ଜିଲ୍ଲାର କାନ୍ତବଲ୍ଲଭପୁର ସରକାର ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ଠାରେ ବସୁଧୈବ କୁଟୁମ୍ବକମ ବିଷୟବସ୍ତକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟଗୀତ ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହାୟତାରେ ଜଗତସିଂହପୁର ଜିଲ୍ଲାରେ ‘କାର୍ଯ୍ୟର ଭବିଷ୍ୟତ’ ବିଷୟବସ୍ତୁ ଉପରେ ଏକ ସେମିନାର ଆୟୋଜନ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ସେମିନାରରେ ଅଂଶଗ୍ରହଣ କରିଥିଲେ।

ଅନ୍ୟପଟେ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଅନୁରୂପ ଭାବେ ବୌଦ୍ଧ ସରକାରୀ ପଲିଟେକ୍‌ନିକ୍‌ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଏକ ଯୋଗ ଶିବିର ଓ ଅନଲାଇନ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଏନଆଇଟି ରାଉରକେଲା ପକ୍ଷରୁ ‘ଡିଜିଟାଲ କାରବାରର ଭବିଷ୍ୟତ’ ବିଷୟବସ୍ତୁକୁ ନେଇ ଏକ ୱେବିନାର ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ନଭେମ୍ବର ୨୮ ତାରିଖ ସୋମବାରରେ ଛଅଟି ରାଶି ପାଇଁ ରହିଛି ଖୁସି ଖବର

ମେଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। 

ବୃଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି।

ମିଥୁନ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ । କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ । ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ। ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ ।  

କର୍କଟ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଅବିବାହିତ ଲୋକମାନେ ରୋମାନ୍ସ ପାଇଁ ସୁଯୋଗ ପାଇପାରନ୍ତି। ଭ୍ରମଣ ଯୋଗ ମଧ୍ୟ ଅଛି।  

ସିଂହ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ। ଆପଣଙ୍କ ଜୀବନ ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍ ।  

କନ୍ୟା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ। ବସ୍ ସହିତ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ । ଯେଉଁମାନେ ଆପଣଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ସେମାନେ ମଧ୍ୟ ଆପଣଙ୍କୁ ଟିକେ ହଇରାଣ କରିପାରନ୍ତି । କିଛି ସମୟ ପରେ ଆପଣ ମନ କଥା କହିବାର ସୁଯୋଗ ପାଇବ।

ତୂଳା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ। ସନ୍ଧ୍ୟାରେ ଅତିଥିମାନଙ୍କ ଆଗମନ ସହିତ ଘରର ପରିବେଶ ମଧ୍ୟ ସୁଖଦ ରହିବ। ଅଟକିଯାଇଥିବା ଟଙ୍କା ହଠାତ୍ ଫେରସ୍ତ ହୋଇପାରେ। ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ମନ୍ଦିରରେ ଘିଅ ଦୀପ ଜାଳନ୍ତୁ, ପତି-ପତ୍ନୀଙ୍କ ସମ୍ପର୍କ ମଜବୁତ ହେବ।

ବିଛା- ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ । ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ ।  

ଧନୁ- କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ । ଆପଣଙ୍କୁ ପରିବାର ସମ୍ବନ୍ଧୀୟ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । କେତେକ ଘରୋଇ ଜଟିଳ ସମସ୍ୟାର ସମାଧାନ ହୋଇପାରିବ । ବିବାହିତ ଲୋକମାନେ ସୁଖ ପାଇପାରିବେ। ପ୍ରେମ ବଢିବ।  

ମକର- ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହେବେ । ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ। ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। 

କୁମ୍ଭ- ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । 

ମୀନ – ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ ଭାବବିନିମୟ ଆଲୋଚନାଚକ୍ର

ଭୁବନେଶ୍ୱର: ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ, କଳା, ସାହିତ୍ୟ, ରାଜନୈତିକ ଆଦି ସମ୍ପର୍କ ଦୀର୍ଘକାଳରୁ ରହିଆସିଛି ବୋଲି ମହାତ୍ମାଗାନ୍ଧୀ ମିଶନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧୀର ଗଭାନେ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପତ୍ରସୂଚନା କାର୍ଯ୍ୟାଳୟ ଓ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସାଂସ୍କୃତିକ ଭବବିନିମୟ କାର୍ଯ୍ୟକ୍ରମ ଅଧୀନରେ ଆଜି ଆୟୋଜିତ ଏକ ୱେବିନାର ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ପ୍ରଫେସର ଗଭାନେ କହିଛନ୍ତି ଯେ ସଙ୍ଗୀତ, ନୃତ୍ୟ,କଳା ଆଦି ଦୁଇଟି ରାଜ୍ୟର ସମ୍ପର୍କକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ।

ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ଅନେକ ସମାନତା ଓ ସମ୍ପର୍କ ରହିଆସିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ଉଭୟ ରାଜ୍ୟର ହଜାର ହଜାର ସଂଗ୍ରାମୀ ଆତ୍ମବଳିଦାନ ଦେଇଛନ୍ତି। ଓଡିଆ ପ୍ରାଚୀନ ସାହିତ୍ୟ ଓ ମହାରାଷ୍ଟ୍ରର ପ୍ରାଚୀନ ସାହିତ୍ୟ ମଧ୍ୟରେ ଚତୁର୍ଦ୍ଦଶ ଶତାବ୍ଦୀରୁ ସାମାଞ୍ଜସ୍ୟ ରହିଥିବା ଭାରତର ବୈଶିଷ୍ଟ୍ୟ ବୋଲି କହିଥିଲେ। ମରାଠା ଶାସନ କାଳରେ ଦେଶର ବିଭିନ୍ନ ସ୍ଥାନକୁ ସଂଯୋଗ ନିମନ୍ତେ ନିର୍ମିତ ହୋଇଥିବା ସଡକ ଏବେ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ପରିଣତ ହୋଇଥିବା ଦର୍ଶାଇ ଉଭୟ ରାଜ୍ୟର ବାସିନ୍ଦା ପରସ୍ପର ପ୍ରତି ଅତ୍ୟନ୍ତ ସହନଶୀଳ ବୋଲି ମତ ଦେଇଥିଲେ। ବିଶ୍ୱ ଓଡିଶା ସମାଜର ଭାରତୀୟ ଖଣ୍ଡ ସଭାପତି ଡକ୍ଟର ବିପିନ ବିହାରୀ ମିଶ୍ର ଓଡିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କର ଇତିହାସ ଆଲୋଚନା କରିଥିଲେ। ଓଡିଶା ଲୋକମାନଙ୍କ ଯୋଗୁଁ ହିଁ ସମାଜରେ ଶାନ୍ତି ବିରାଜମାନ କରେ ବୋଲି ମହାରାଷ୍ଟ୍ରର ପୂର୍ବତନ ରାଜନେତା ବାଲ୍ ଠାକ୍‌ରେଙ୍କ ମନ୍ତବ୍ୟକୁ ଉଦ୍ଧାର କରି ମହାରାଷ୍ଟ୍ରର ସବୁ ଧର୍ମପୀଠରେ ଓଡିଶାର ଲୋକଙ୍କ ଉପସ୍ଥିତି ଅଧିକା ବୋଲି କହିଥିଲେ।

ମୁମ୍ବାଇ ପତ୍ରସୂଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଡକ୍ଟର ରାହୁଳ ଟିିଡ୍‌କେ ‘ଏକ ଭାରତ,ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟର ଲୋକେ ପରସ୍ପରର ସମୃଦ୍ଧିରେ ସହାୟକ ହୋଇଥିବା କହିଥିଲେ। ଦୀର୍ଘ ଦଶନ୍ଧି ଧରି ଓଡିଶାର ଲୋକେ ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ବାସ କରି ଏହାକୁ ନିଜର ଦ୍ୱିତୀୟ ଘର ବୋଲି ଭାବିବା ଏକ ଗର୍ବର ବିଷୟ ବୋଲି ମତ ଦେଇଥିଲେ। ପତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜିନ୍ଦର ଚୌଧୁରୀ ବିବିଧତା ମଧ୍ୟରେ ଏକତାର ଉଦାହରଣ ଭାବେ ଓଡିଶା ଓ ମହାରାଷ୍ଟ୍ରର ସମ୍ପର୍କକୁ ବର୍ଣ୍ଣନା କରିଥିଲେ। ଦେଶରେ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ଓଡିଶା ଏବଂ ପଶ୍ଚିମ ଉ ପକୂଳବର୍ତ୍ତୀ ରାଜ୍ୟ ମହାରାଷ୍ଟ୍ର ମଧ୍ୟରେ ଭୌଗୋଳିକ, ସାଂସ୍କୃତିକ, କଳାଗତ, ଭାଷାଗତ ଆଦି ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ଦୀର୍ଘକାଳରୁ ରହିଥିବା କହିଥିଲେ।

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନା ଆରମ୍ଭରେ ଅତିଥି ଏବଂ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ୧୯୩୪ମସିହାରୁ ଓଡିଶାର ପ୍ରଥମ ଚଳଚ୍ଚିତ୍ର ନିର୍ମାଣଠାରୁ ଏପର୍ଯ୍ୟନ୍ତ କଳାର ସବୁ କ୍ଷେତ୍ରରେ ମହାରାଷ୍ଟ୍ର ସହ ଓଡିଶାର ସମ୍ପର୍କ ନିବିଡ ବୋଲି କହିଥିଲେ। ପତ୍ରସୂଚନା କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାରେ ପୂର୍ବତଟ ରେଳବାଇର ପୂର୍ବତନ ଜନସମ୍ପର୍କ ଅଧିକାରୀ ରବିନାରାୟଣ ମହାପାତ୍ରଙ୍କ ସମେତ ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଏବଂ ଉଭୟ ରାଜ୍ୟର ବାସିନ୍ଦା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। (ପି.ଆଇ.ବି.)