Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗ୍ୟାଙ୍ଗଷ୍ଟାର ହାଇଦରକୁ ଖସାଇବାରେ ବଡ ଷଡଯନ୍ତ୍ର ହୋଇଛି: ପୂର୍ବତନ ଡ଼ିଜିପି ପ୍ରକାଶ ମିଶ୍ର

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାକୁ ନେଇ ବିଜେପି ନେତା ତଥା ପୂର୍ବତନ ଡ଼ିଜିପି ପ୍ରକାଶ ମିଶ୍ର ଏକ ବଡ ବୟାନ ଦେଇଛନ୍ତି। ହାଇଦର ଫେରାର ନୁହେଁ ତାକୁ ଖସାଯାଇଛି ବୋଲି ପ୍ରକାଶ ଅଭିଯୋଗ କରିଛନ୍ତି। ହାଇଦର ଘଟଣାରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସରକାରକୁ କେତୋଟି ପ୍ରଶ୍ନ କରିଛି।

ପ୍ରକାଶ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ଏଥିପାଇଁ ଏକ ବଡ ଷଡଯନ୍ତ୍ର ହୋଇଛି। ତାକୁ ବାରମ୍ବାର ସମ୍ବଲପୁରରୁ କଟକ ସ୍ଥାନାନ୍ତରଣ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସାଧାରଣ ଲୋକଙ୍କୁ ଏସସିବିରେ ଶଯ୍ୟା ମିଳୁନଥିବା ବେଳେ ହାଇଦରକୁ କ୍ୟାବିନ କେମିତି ମିଳିଲା? କିଡିନୀ ଖରାପ ଥିବା ସତ୍ତ୍ୱେ ତାକୁ କିପରି ବିରିୟାନୀ ଖାଇବାକୁ ଅନୁମତି ଦିଆଗଲା? ଏଥିରେ କିଛି ବଡ ଲୋକଙ୍କ ହାତ ଥାଇପାରେ ବୋଲି ଏଭଳି କିଛି ପ୍ରଶ୍ନ ରଖି ପ୍ରକାଶ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ନିର୍ବାଚନୀ ହିଂସା ଘଟଣା: ଡିଜିପି ଅଭୟ କରୁଛନ୍ତି ସମୀକ୍ଷା, ବିଜେପି କଲା ଟାର୍ଗେଟ

ଭୁବନେଶ୍ବର: ନିର୍ବାଚନୀ ହିଂସା ପରେ ପୋଲିସ ଡିଜିପି ଅଭୟଙ୍କ ସମେତ ବହୁ ପୋଲିସ ଅଧିକାରୀ ଆଜି ପିପିଲିରେ ପହଞ୍ଚିଛନ୍ତି। ପିପିଲିରେ ବଢୁଥିବା ନିର୍ବାଚନୀ ହିଂସାକୁ ନେଇ ସମୀକ୍ଷା କରୁଛନ୍ତି। ପିପିଲି ଥାନାରେ ଡିଜିପି ଏବଂ ବହୁ ବରିଷ୍ଠ ଅଧିକାରୀ ସ୍ଥିତି ସମୀକ୍ଷା କରୁଛନ୍ତି। ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଏବଂ ଇଡ଼ିଆଇଜି ଆଇନ ଶ୍ରୁଙ୍ଖଳା ଏଥିରେ ମଧ୍ୟ ସାମିଲ ଅଛନ୍ତି।

ସେପଟେ ଏହି ହିଂସା ଲାଗି ପୋଲିସକୁ ଦାୟୀ କରିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ପୋଲିସ ଉପରେ ଅଭିଯୋଗ ଆଣିଛନ୍ତି। ମୁକ୍ତ ଓ ଅବଧ ନିର୍ବାଚନରେ ପୋଲିସ ବାଧକ ସାଜିଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡ଼ି ସହାୟତାରେ ପୋଲିସ ଅବଧ ନିର୍ବାଚନକୁ ଅଟକାଇବା ପାଇଁ ଚେଷ୍ଟା କରୁଛି ବୋଲି ସମ୍ବିତ କହିଛନ୍ତି। ପିପିଲିରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ପାଇଁ ପୋଲିସ ଚେଷ୍ଟା କରୁଛି ବୋଲି ଡ଼ା. ପାତ୍ର ଅଭିଯୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ବାଇପାସରୁ ୩ ଜଣ ଲୁଟେରାଙ୍କୁ କାବୁ କରିଥିଲେ ଗ୍ରାମବାସୀ, ଆଜି ଧରା ହେଲେ ଆଉ ତିନି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲି ବ୍ରିଜ ନିକଟରେ ଏକ ଡକାୟତି ହୋଇଥିଲା। ଉକ୍ତ ଡକାୟତିରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ କାବୁ କରି ବାଲୁଗାଁ ପୋଲିସ ଜିମା ଦେଇଥିଲେ। ତେବେ ଆଜି ଆଉ ୩ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି ଏବଂ ଲୁଟ ଦ୍ରବ୍ୟ ସେମାନଙ୍କ ନିକଟରୁ ବରାମଦ କରିଛି।

ଏ ନେଇ ଆଜି ଅପରାହ୍ନରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ଉକ୍ତ ସମ୍ମିଳନୀରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ଼ ମଧ୍ୟ ଉପସ୍ଥିତ ଥିଲେ।

ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗତକାଲି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଟ୍ରକ ଚାଳକ ଶଙ୍କର ସାହୁ ନିଜ ବନ୍ଧୁ ଶିଶିର ପ୍ରଧାନଙ୍କ ସହ ଚେନ୍ନାଇରୁ ଟ୍ରକ ନେଇ କଲିକତା ଯାଉଥିଲେ।  ତେବେ ଦୁହେଁ ପାଖାପାଖି ଦିବା ୧ ଘଟିକା ସମୟରେ ଗାଧୋଇବା ଉଦ୍ଦେଶ୍ୟରେ ଟ୍ରକଟିକୁ  ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ବ୍ରିଜ ନିକଟରେ ରଖିଥିଲେ। ସେହି ସମୟରେ ହଠାତ ଏକ ଅଟୋରେ ୭ ଜଣ ଲୁଟେରା ଆସି ଟ୍ରକ ଚାଳକ ଶଙ୍କର ଏବଂ ତାଙ୍କ ସାଙ୍ଗ ଶିଶିରଙ୍କୁ ଭୟଭୀତ କରାଇ ସେମାନଙ୍କଠାରୁ ନକଦ ୧୧ ହଜାର ଟଙ୍କା, ଗୋଟେ ମୋବାଇଲ ଫୋନ , ଗୋଟେ ଏଟିଏମ୍ କାର୍ଡ, ଗୋଟେ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଟ୍ରକର ଚାବି ଛଡେଇନେଇଥିଲେ।

ତେବେ ଶଙ୍କର ଏବଂ ଶିଶିର ସହାୟତା ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ୩ ଜଣ ଲୁଟେରାଙ୍କୁ କାବୁ କରିନେଇଥିବା ସ୍ଥଳେ ଅଟୋ ଚାଳକଙ୍କ ସହ ଅନ୍ୟ ୩ ଜଣ ଲୁଟେରା ଅଟୋରେ କ୍ଷିପ୍ର ଗତିରେ ଫେରାର ହୋଇଯାଇଥିଲେ। ଗତକାଲି ବାଲୁଗାଁ ଥାନାରେ ଏନେଇ ୧୨/୨୧ ରେ କେସ ରୁଜୁ ହେବାପରେ ଏସଡିପିଓଙ୍କ ତତ୍ତ୍ବାବଧାନରେ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ଼ ମିଳିତ ଭାବେ ଏକ ଟିମ ତିଆରି କରି ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଥିଲେ। ତେବେ ମାମଲା ରୁଜୁ ହେବାର ବାର ଘଣ୍ଟା ମଧ୍ୟରେ ବାଲୁଗାଁ ପୋଲିସ ଅନ୍ୟ ୩ ଜଣ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ, ଗୋଟିଏ ଡ୍ରାଭିଙ୍ଗ ଲାଇସେନ୍ସ, ନଗଦ ୫ ହଜାର ଟଙ୍କା ଏବଂ ଗୋଟିଏ ଅଟୋ ଜବତ କରିଛି। ପୋଲିସ ପକ୍ଷରୁ ୬ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସ୍ଥଳେ ଅଟୋ ଚାଳକଙ୍କୁ ଧରିବା ପାଇଁ ପୋଲିସ ତନାଘନା ତଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀ ବାରିକ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନି: ଡି. ପୁରେନ୍ଦେଶ୍ଵରୀ

ମାହାଙ୍ଗା: ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦିଶ୍ଵରୀ ଆଜି ମାହାଙ୍ଗା ଗସ୍ତ କରିଛନ୍ତି। ସେଠାରେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କ ହତ୍ୟାଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଡ଼ା ସମାଲୋଚନା କରିଛନ୍ତି। କଟକର ନୃର୍ତ୍ତାଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁରନ୍ଦେଶ୍ଵରୀ ରାଜ୍ୟସରାକାରଙ୍କୁ ଟାର୍ଗେଟ କରିଥିଲେ। ଦୁର୍ନୀତିରେ ରାଜ୍ୟ ସରାକର ବୁଡି ରହିଛି ବୋଲି ସେ ଅଭିଯୋଗ କରିଥିଲେ। ବିଜେପିନେତା କୁଳମଣି ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନି।

ଏତଲାରେ ପ୍ରତାପଙ୍କ ନାମ ଉଲ୍ଲେଖ ହୋଇଥିଲେ ମଧ୍ୟ କାହିଁକି ଗିରଫ କରାଯାଉନି ବୋଲି ପୁରେନ୍ଦେଶ୍ଵରୀ ପ୍ରଶ୍ନ କରିଥିଲେ। ବର୍ଷକ ତଳେ ବିକାଶ ଜେନାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ପିଏମ ଆବାସ ଯୋଜନା ଦୁର୍ନୀତି ଉଠାଇବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଆଉ ଏବେ ସେହି ସମାନ ଦୁର୍ନୀତି ଉଠାଇବା ପରେ କୁଳମଣି ଓ ଦିବ୍ୟସିଂହଙ୍କୁ ମଧ୍ୟ ହତ୍ୟା କରାଗଲା। ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ, ନଚେତ ଜନସାଧାରଣଙ୍କ ବିଶ୍ଵାସ ଉଠିଯିବ। ଆମେ କୁଳମଣି ଓ ଦିବ୍ୟସିଂହଙ୍କ ପରିବାର ସହ ଅଛୁ। ନ୍ୟାୟ ନ ମିଳିବା ଯାଏଁ ଆମେ ଏହି ଲଢାଇ ଜାରି ରଖିବୁ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାରେ ବିଶୃଙ୍ଖଳା ପାଇଁ ପ୍ରଦୀପ ଦାୟୀ: ରମେଶ ଜେନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଟିଏ ଦିନ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିବାବେଳେ ପରେ ଆଜି କଂଗ୍ରେସ ପ୍ରେସ୍‌ମିଟ୍ ଆୟୋଜନ କରି ଗଂଜାମ ଜିଲ୍ଲାର ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି। ବିଜେପି ଯେଉଁଭଳି ଭାବେ ଚିରାଚରିତ ଢ଼ଂଗରେ ପ୍ରଦୀପ ପାଣିଗ୍ରାହୀଙ୍କ କଳାସାମ୍ରାଜ୍ୟର ଚିଠା ଲୋକଙ୍କ ମୁଖା ଖୋଲିଥିଲା ତାହାର ଆହୁରି ଗୋଟିଏ ପାଦ ଆଗକୁ ଯାଇ ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳିଛନ୍ତି।

ଆଜି କୁକୁଡ଼ାଖଣ୍ଡି ବ୍ଲକ୍‌ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନିତର ଚେହେରା ତଥା ଚେରକୁ ସାମ୍ନାକୁ ଆଣିଥିଲେ। ଶ୍ରୀ ଜେନା ଅଭିଯୋଗ କରିଥିଲେ ଯେ ଗତ ୧୬ ବର୍ଷ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ନିଜ କ୍ଷମତାକୁ ଅପବ୍ୟବହାର କରି ବହୁ ଦୁର୍ନିତିରେ ଲିପ୍ତ ରହିଛନ୍ତିି। ସେ ନିରୀହ ଲୋକଙ୍କ ସ୍ୱାର୍ଥ ପାଇଁ କାମ ନକରି ମାଫିଆଙ୍କ ସ୍ୱାର୍ଥ ପାଇଁ କାମ କରୁଥିଲେ। ଜମି ହଡ଼ପଠାରୁ ଆରମ୍ଭ କରି ମୋରମ, ମଦ ଭାଟି, ବାଲି ଦୁର୍ନିତି ଏବଂ ଚୋରାଚାଲାଣ ପଛରେ ତାଙ୍କର ହାତ ରହିଛି। ଏହାର ତଦନ୍ତ କରିବା ସହ ଏହି ଦୁର୍ନୀତିରେ ଜିଲ୍ଲାର ଆହୁରି ବିଧାୟକ, ମନ୍ତ୍ରୀ ଏବଂ ମାଫିଆମାନେ ସଂପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ତଦନ୍ତ ଦାବି କରିଛନ୍ତି ଶ୍ରୀ ଜେନା।

ପ୍ରଦୀପଙ୍କ ପାଇଁ ଗଂଜାମରେ ରାଜନୈତିକ ବିଶୃଙ୍ଖଳା ସୃଷ୍ଟି ହୋଇଛି। ପ୍ରଦୀପ ତାଙ୍କୁ ବ୍ୟକ୍ତିଗତ ଆକ୍ରୋଶ ରଖି ତାଙ୍କ ବିରୋଧରେ ୫୪ଟି ମିଛ କେସ୍ କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ସେ ପ୍ରତ୍ୟେକ୍ଷ ଭାବେ ଗଂଜାମ ଜିଲ୍ଲାର ନେତୃବର୍ଗ ତଥା ବିଧାୟକଙ୍କ ନାମ ନେଇନଥିଲେ ମଧ୍ୟ ପ୍ରଦୀପଙ୍କ ଦୁର୍ନୀତିରେ ଆହୁରି ଅନେକ ମନ୍ତ୍ରୀ, ବିଧାୟକ ସାମିଲ ଥିବା ଜୋର୍ ଦେଇ କହିଥିଲେ। ତେଣୁ ନିରପେକ୍ଷ ତଥା ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରଦୀପ ଭଳି ଅନେକ ନେତୃବର୍ଗଙ୍କ ମୁଖା ଖୋଲିଯିବା ସହ ସରକାରଙ୍କ ଦୁର୍ନିତିମୁକ୍ତ ସମାଜର ନେଇ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ଲୋକେ ବିଶ୍ୱାସ କରିବେ।

ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଦେଖିବାକୁ ମିଳିଲାଣି ଯେ ଗଂଜାମ ଜିଲ୍ଲାରେ ଗତ କିଛି ଦିନ ହେଲା ଦୁଇ ପ୍ରମୁଖ ବିରୋଧୀ ଦଳ ସକ୍ରିୟ ହୋଇପଡ଼ିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବିଜେପି ହେଉ ବା କଂଗ୍ରେସ ନିଜର ପତିଆରା ଦେଖାଇବା ପାଇଁ ଘନ ଘନ ପ୍ରେସ୍‌ମିଟ୍‌, ବିକ୍ଷୋଭ, ଅଭିଯୋଗ ପତ୍ର ପ୍ରଦାନ ଚାଲିଛି। ଫଳରେ ଗଂଜାମ ଜିଲ୍ଲାରେ ଏକପ୍ରକାର ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣ ଦାବିକରି ଗୋଟିଏ ମଞ୍ଚରେ କଂଗ୍ରେସ ଓ ବିଜେପିର ସାମ୍ବାଦିକ ସମ୍ମିଳନୀ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କୋଟକଣା ଛକଠାରେ ଆଜି କଂଗ୍ରେସ ଓ ବିଜେପି ଦୁଇ ଦଳର ନେତା ଗୋଟିଏ ମଞ୍ଚରେ ଏକାଠି ହୋଇ କଟକ-ପାରାଦ୍ବୀପ ରାସ୍ତା ନିକଟସ୍ଥ କୋଟକଣାରୁ ବାନାମ୍ବର ଘାଟ ମହାନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଦାବି କରିଛନ୍ତି।

କୋଟକଣା-ବାନାମ୍ବର ସେତୁ କମିଟିର ଆବାହକ ତଥା କନିମୁଳ ପଞ୍ଚାୟତର ସରପଞ୍ଚ ବେଦଦ୍ୟୁତି ପୁଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ଦୁଇଥର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଫେସର ରମାକାନ୍ତ ଭୋଇ, କଂଗ୍ରେସ ଦଳରୁ ଏଥର ତିର୍ତ୍ତୋଲର ବିଧାୟକ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିବା ହିମାଂଶୁ ଭୂଷଣ ମଲ୍ଲିକ, ସ୍ଥାନୀୟ ତରଜଙ୍ଗା ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇ କୋଟକଣା-ବାନାମ୍ବର ସେତୁ ନିର୍ମାଣକୁ ସରକାର କ’ଣ ପାଇଁ ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ ଉଠାଇବା ସହିତ ସରକାରଙ୍କୁ କଡା ସମାଲୋଚନା କରିଥିଲେ।

ଏଥିସହିତ ତିର୍ତ୍ତୋଲ ଓ ତାରପୁର ଠାରେ ୨ଟି ସ୍ଥାନରେ ମହାନଦୀ ଉପରେ ବ୍ରିଜ୍ ରହିଥିବା ବେଳେ ଏହାର ମଝିରେ କୋଟକଣା-ବାନାମ୍ବର ଠାରେ ଏକ ବ୍ରିଜ୍ ନିର୍ମାଣ କରିବା ପାଇଁ ବହୁଦିନରୁ ଦାବୀ ହୋଇ ଆସୁଥିଲେ ମଧ୍ୟ ଅନ୍ୟତ୍ର ୨ଟି ସ୍ଥାନରେ ତିର୍ତ୍ତୋଲ-ପୋଷଲ ଓ ଜଇପୁର-କଟିକଟା ଠାରେ ମହାନଦୀ ଉପରେ ବ୍ରିଜ୍ ନିର୍ମାଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣାକୁ ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାଗତ କରାଯାଇଥିବା ବେଳେ କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣକୁ ଅଣଦେଖା କରାଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଅପରପକ୍ଷରେ ଆସନ୍ତା କାଲି ଦିନ ୧୨ଟା ୧୫ମିନିଟ୍ ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ତିର୍ତ୍ତୋଲ-ପୋଷଲ ମହାନଦୀ ବ୍ରିଜ୍ ଓ ଜଇପୁର-କଟିକଟା ମହାନଦୀ ବ୍ରିଜ୍ ଉଦଘାଟନ ହେବା ସମୟରେ ଏହି କୋଟକଣା-ବାନାମ୍ବର ମହାନଦୀ ବ୍ରିଜ୍ ନିର୍ମାଣ ପାଇଁ ଘୋଷଣା କରିବାକୁ ଦାବି କରାଯାଇଥିବା ବେଳେ ଅନ୍ୟପକ୍ଷରେ ଯଦି ଏହି ଘୋଷଣା କରାନଯାଏ ତେବେ ଗୋଟିଏ ଦିନ ପରେ ୨୯ତାରିଖ ଦିନ ସକାଳ ୮ଟାରେ ଏହି କୋଟକଣା ଠାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏକତ୍ରିତ ହୋଇ କଟକ-ପାରାଦିପ ରାସ୍ତାରୋକ୍ କରିବେ ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି।

ଏମିତିକି ଏହି ୨ଟି ବ୍ରିଜ୍ ନିର୍ମାଣ କରାଯିବ ବୋଲି ପୂର୍ବରୁ ଘୋଷଣା ନକରି ଏବେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବ୍ରିଜ୍ ନିର୍ମାଣ କରାଯିବାକୁ ଘୋଷଣା ହୋଇଛି ବୋଲି ଅଭିଯୋଗ କରାଯିବା ସହିତ ଉକ୍ତ ୨ଟି ବ୍ରିଜ୍ ସହିତ କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣକୁ ଘୋଷଣା କରିବା ପାଇଁ ଦାବୀ କରିଛନ୍ତି।