Categories
ଆଜିର ଖବର ଜାତୀୟ ଖବର

ଆର୍ଥିକ ବର୍ଷ ୨୦୨୩-୨୪ କେନ୍ଦ୍ର ବଜେଟ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସଦରେ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ବିକଶିତ ଭାରତ ପାଇଁ ବଜେଟ୍ ବୋଲି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜନକେନ୍ଦ୍ରୀକ, ଅଭିବୃଦ୍ଧି ଓ ଉତ୍ସାହପୂର୍ଣ୍ଣ ଅମୃତକାଳ ବଜେଟ୍ ଉପସ୍ଥାପନ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଚଳିତବର୍ଷ  ମୋଟ ୧ ଲକ୍ଷ ୧୬ ହଜାର ୪୧୭ କୋଟି ଟଙ୍କା ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପାଇଁ ବ୍ୟବବରାଦ କରାଯାଇଛି। ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିବା ପାଇଁ ଚଳିତବର୍ଷ ପ୍ରଥମ ଥର ଶିକ୍ଷା ବିଭାଗରେ ସର୍ବାଧିକ ୧ ଲକ୍ଷ ୧୨ ହଜାର ୮୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାବ୍ୟତିତ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ପାଇଁ ୩ ହଜାର ୫୧୭ କୋଟି ଟଙ୍କା ଆବଣ୍ଟନ ହୋଇଛି।

ଏନଇପିକୁ କ୍ରିୟାନ୍ୱୟନ କରିବାରେ ଶିକ୍ଷକ ମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ। ଏଥିପାଇଁ ବଜେଟରେ ଶିକ୍ଷକ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ତଥା ସେମାନଙ୍କ କ୍ଷମତା ବୃଦ୍ଧି ପାଇଁ ତାଲିମ ଦିଆଯିବା ଭଳି ଡାଏଟ(ଡିଷ୍ଟ୍ରିକ୍ଟ ଇନଷ୍ଟିଚ୍ୟୁସନ ଫର୍ ଏଜ୍ୟୁକେସନ ଆଣ୍ଡ୍ ଟ୍ରେନିଂ)କୁ ଅପଗ୍ରେଡେସନ କରାଯାଇଛି। ଶିଶୁଙ୍କ ଜ୍ଞାନ ବଢାଇବା ପାଇଁ ଏବଂ ସମଗ୍ର ଭାରତବର୍ଷର ବିଷୟ ଉପରେ ଜ୍ଞାନ ଆହରଣ କରିବା ପାଇଁ ଜାତୀୟ ଡିଜିଟାଲ ଲାଇବ୍ରେରୀର କଳ୍ପନା କରାଯାଇଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଆମ ଦେଶର ଲକ୍ଷାଧିକ ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ପାଠ୍ୟକ୍ରମ ଯଥା କୋଡିଂ, ରୋବୋଟିକ, ଡ୍ରୋନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସଫ୍ଟ ସ୍କିଲ କ୍ଷେତ୍ରରେ କୁଶଳୀ କରାଯିବ। ୩୦ ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ପ୍ରତିଷ୍ଠା କରାଯାଇ ଯୁବକଙ୍କୁ ଦକ୍ଷ କରାଯିବ। ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ୍ ସ୍ଥାପନ ହେବ। ଦେଶରେ ୭୪୦ଟି ଏକଲବ୍ୟ ସ୍କୁଲ ଗୁଡିକରେ ୩୮ ହଜାର ୮୦୦ ଶିକ୍ଷକ ଓ ସହାୟକଙ୍କୁ ନିଯୁକ୍ତି ନିଆଯିବ। ଏହା ଦ୍ୱାରା ୩.୫ ଲକ୍ଷ ଜନଜାତି ଛାତ୍ରଛାତ୍ରୀ ଲାଭ ପାଇବେ।

ପ୍ରଧାନମନ୍ତ୍ରୀ କୌଶଲ୍ୟ ବିକାଶ ଯୋଜନା,‘ଏଗ୍ରିକଲ୍‌ଚୁରାଲ୍‌ ଏକ୍ସଲେଟର୍‌ ଫଣ୍ଡ୍‌’ ଗଠନ, ମତ୍ସ୍ୟ ଚାଷ ଓ ଦୁଗ୍ଧଜାତ ସାମଗ୍ରୀ ଉପରେ ଧ୍ୟାନ ନିବେଶ, ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ ‘ଶ୍ରୀଅନ୍ନ’, ମିଷ୍ଟି ଯୋଜନା, ପର୍ଯ୍ୟଟନକୁ ଗୁରୁତ୍ୱ, ପ୍ରମିଟିଭ୍ ଜନଜାତିଙ୍କ ବିକାଶ ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟୟବରାଦ ହେବ। ଓ୍ୱାନ ଡିଷ୍ଟ୍ରିକ୍ଟ- ଓ୍ୱାନ ପ୍ରଡକ୍ଟ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ମଲ୍ ନିର୍ମାଣ ହେବ। ସବୁଜ ଅର୍ଥନୀତିକୁ ଗୁରୁତ୍ୱ, ଏମଏସଏମଇ ଓ କର୍ପୋରେଟ୍ କ୍ଷେତ୍ର ଏବଂ ଡିଜିଟାଲ ଭିତ୍ତିଭୂମି ଆହୁରି ସୁଦୃଢ଼଼ ହେବ। ଏହା ଦ୍ୱାରା ଓଡ଼ିଶା ବିଶେଷ ଲାଭ ପାଇବ। ଗ୍ରାମୀଣ ଓ କ୍ଷୁଦ୍ର ସହରକୁ ଗତି ଦେଲା ଭଳି ବଜେଟ୍ ହୋଇଛି। ବଜେଟ୍ ଭାରତବର୍ଷର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସମସ୍ତଙ୍କ ପାଇଁ ହୋଇଥିବା ଏହି ବଜେଟ୍ ଗରିବଙ୍କୁ ସଶକ୍ତ କରିବ ଏବଂ ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଲାଭ ପହଞ୍ଚିବ। ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ବିକାଶ, ଡିଜିଟାଲ ଭିତ୍ତିଭୂମି, ସବୁଜ ଅର୍ଥନୀତି ଏବଂ ରୋଜଗାର କ୍ଷେତ୍ରକୁ ମଜଭୂତ କରିବା ଭଳି ବଜେଟ୍। ଏହି ବଜେଟ୍ ଭାରତ ପାଇଁ ଏକ ଦାୟିତ୍ୱବାନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି, ଯାହା ଦେଶକୁ ଟେକ୍ନୋଲୋଜି ଭିତ୍ତିରେ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବ।

ଆଗାମୀ ୨୫ ବର୍ଷକୁ ଧ୍ୟାନରେ ରଖି ହୋଇଥିବା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଏହି ବଜେଟ୍ ବିକଶିତ ଭାରତର ମୂଳଦୁଆ ପକାଇଛି। ‘ମହିଳା ସମ୍ମାନ ସଞ୍ଚୟ ଯୋଜନା’ରେ ମହିଳା ମାନଙ୍କୁ ବ୍ୟବସାୟ ସହ ଯୋଡିବା ଏବଂ ସଶକ୍ତ ଓ  ଆତ୍ମନିର୍ଭର  କରିବା ଦିଗରେ ଧ୍ୟାନ ଦିଆଯାଇଛି। ଏକବିଂଶ ଶତାବ୍ଦୀର କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି। ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି। ଟିକସ ରିହାତି ନିମ୍ନ ଓ ମଧ୍ୟବିତ୍ତଙ୍କୁ ଆର୍ଥିକ ବୋଝରୁ ମୁକ୍ତ କରିବ। ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇଛି । ଚ୍ୟାଲେଞ୍ଜି ଆଧାରରେ ୫୦ଟି ଅତିରିକ୍ତ ବିମାନବନ୍ଦର, ଏୟାରଷ୍ଟ୍ରିପର ହେବ ପୁନରୁଦ୍ଧାର ହେବା ଦ୍ୱାରା ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପର୍ଯ୍ୟଟକଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ପରୀକ୍ଷା ପେ ଚର୍ଚ୍ଚା-୨୦୨୩’ ଆୟୋଜନ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୭ ତାରିଖରେ ନୂଆଦିଲ୍ଲୀର ତାଳକଟୋରା ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣରେ ପ୍ରଥମ ଥର ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ବୋର୍ଡ ମାନଙ୍କର ୧୬ ଲକ୍ଷ ପିଲା ଅଂଶଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜନଆନ୍ଦୋଳନରେ ପରିଣତ ହୋଇସାରିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଏହି କାର୍ଯ୍ୟକ୍ରମକୁ ଦେଶର ଲୋକମାନେ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜର ବ୍ୟସ୍ତ ଜୀବନଚର୍ଯ୍ୟା ମଧ୍ୟରେ ଦେଶର ନୂଆ ପୀଢିକୁ ପ୍ରସ୍ତୁତ କରିବା ପାଇଁ ଅଭିଭାବକ ଓ ମେଣ୍ଟର ଭାବେ ପରାମର୍ଶ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନତ୍ତୋର ଓ ଆଲୋଚନା କାର୍ଯ୍ୟକ୍ରମ ଜୀବନ ପ୍ରତି ଏକ ନୂଆ ଦୃଷ୍ଟିକୋଣ । ଏହା ଧୀରେ ଧୀରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଆଲୋଚନା ଓ ଆସ୍ଥାର ବିଷୟ ହେବା ସହ ସେମାନଙ୍କର ଆତ୍ମବିଶ୍ୱାସ ବଢାଉଛି । ଏହି କାର୍ଯ୍ୟକ୍ରମ ଏକ ଅନୁଷ୍ଠାନ ଭାବରେ ପରିଗଣିତ ହୋଇସାରିଛି ।

ଚଳିତବର୍ଷ ପରୀକ୍ଷା ପେ ଚର୍ଚ୍ଚା ପାଇଁ ମୋଟ ୩୮ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରାଇଛନ୍ତି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୫ ଲକ୍ଷ ୭୩ ହଜାର ଅଧିକ । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତ ରାଜ୍ୟର ପ୍ରତିନିଧି ଭାବେ ସାରା ଦେଶର  ୧୦୨ ଜଣ ବିଦ୍ୟାର୍ଥୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଭାରତ ସରକାରଙ୍କ ଏନସିଇଆରଟି ଏବଂ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ କଳା ଉତ୍ସବର ୮୦ ଜଣ ଶ୍ରେଷ୍ଠ ବିଜେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି ସମସ୍ତ ବିଦ୍ୟାର୍ଥୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ମଧ୍ୟ ଅତିଥି ଭାବେ ଭାଗ ନେବେ । ଏହି ସବୁ ପିଲାଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପରୀକ୍ଷା ପେ ଚର୍ତ୍ତାର ପର ଦିନ କର୍ତ୍ତବ୍ୟ ପଥ, ରାଷ୍ଟ୍ରୀୟ ସମର ସ୍ମାରକ, ରାଜଘାଟ, ସଦୈବ ଅଟଳ ଓ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ତଥା ଦେଶର ଐତିହ୍ୟ ସହ ଜଡ଼ିତ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ପାଇଁ ନିଆଯିବ ।

ଏଗଜାମ ୱାରିୟର୍ସ ପୁସ୍ତକର ବଢୁଥିବା ଚାହିଦା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ନିକଟରେ ଦେଶର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ବିଦ୍ୟାଳୟ ସମେତ ରାଜ୍ୟସ୍ତରୀୟ ବୋର୍ଡର ୭ ହଜାର ୨୮୩ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏଗଜାମ ଓ୍ୱାରିୟର୍ସ କଥାବସ୍ତୁ ଉପରେ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହା ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାକୁ ଚିହ୍ନଟ କରିବାର ଏକ ଅବସର ଦେଇଥିଲା ।

ଏଗଜାମ ଓ୍ୱାରିୟର୍ସ ପୁସ୍ତକ ଇଂରାଜୀ ଓ ହିନ୍ଦି ଭାଷା ସମେତ ଦେଶର ୧୩ଟି ପ୍ରମୁଖ ସ୍ଥାନୀୟ ଭାଷା ଯଥା ଓଡ଼ିଆ, ଆସାମୀ, ବେଙ୍ଗଲୀ, ଗୁଜୁରାଟୀ, କନ୍ନଡ, ମଲାୟାଲାମ, ମରାଠୀ, ପଞ୍ଜାବୀ, ତାମିଲ ତେଲୁଗୁ, ଉର୍ଦ୍ଧୁ ଭାଷାରେ ପ୍ରକାଶିତ ହୋଇଛି । ଏହି ପୁସ୍ତକକୁ ଅଳ୍ପ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବ୍ୟକ୍ତି ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

———————-

 

 

 

 

 

 

 

 

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବଦଳୁଛି ରାଜନୈତିକ ସମୀକରଣ। ନିକଟରେ ପଂଚାୟତ ନିର୍ବାଚନ ସମୟର ଗଣ୍ଡଗୋଳ ପରଠାରୁ ସରକାରୀ ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେଵ ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁଁ ନିର୍ବାଚନ ମଣ୍ଡଳୀକୁ ପଶି ପାରୁନାହାନ୍ତି। ତଥାପି ବିଧାୟକଙ୍କ ନିର୍ଦ୍ଦେଶରେ ଦଳର ନେତୃବୃନ୍ଦ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ଦଳ ତଥା ସରକାରଙ୍କ ଦ୍ୱାରା ଚିଲିକା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି।

ଆଜି ବାଣପୁର ବିଜୁ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାଣପୁର ବ୍ଲକରେ ସରକାରଙ୍କ ଦ୍ୱାରା ଉନ୍ନୟନ କାର୍ଯ୍ୟକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ଏକ ପ୍ରେସ ଇସ୍ତାହାର ଜାରି କରିଥିଲେ ଗୋପୀନାଥ ମହାରଣା। ଜିଲ୍ଲା ଏମପି ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ନିର୍ବାଚନ ମଣ୍ଡଳୀ ଏମପି ପ୍ରତିନିଧି ଯଦୁମଣି ପ୍ରଧାନ, ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ, ତୁମୁରାପୁଟ ସରପଞ୍ଚ ଅକ୍ଷୟ ସେଠିଙ୍କ ଉପସ୍ଥିତିରେ ଉନ୍ନୟନ କାର୍ଯ୍ୟଗୁଡିକର ବ୍ୟାଖ୍ୟା କରିଥିଲେ।

ଉନ୍ନତିମୂଳକ କାର୍ଯ୍ୟ ଭିତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଭାଟପଡ଼ା ଠାରୁ ସାନ ହନ୍ତୁଆଡ ପର୍ଯ୍ୟନ୍ତ ରାସ୍ତା ଓ ଶଙ୍ଖ ନିର୍ମାଣ ପାଇଁ ୫ କୋଟି ୫୧ ଲକ୍ଷ ଟଙ୍କାର କାର୍ଯ୍ୟ ଚାଲୁ ରହିଥିବା ବେଳେ ଜଳସେଚନ ବିଭାଗ ତରଫରୁ କେନାଲର ଉନ୍ନତି କରଣ ପାଇଁ ୮୪.୨୫ ଲକ୍ଷ ଟଙ୍କାର ଟେଣ୍ଡର କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିଭଳି ଭାବରେ ପୂର୍ତ୍ତ ବିଭାଗ ତରଫରୁ ମା’ ଭଗବତୀ ମନ୍ଦିର ଉନ୍ନତି ପାଇଁ ୧ କୋଟି ୭୨ଲକ୍ଷ ଟଙ୍କା, ବାଣପୁର ତହସିଲର ନୂତନ ଗୃହ ନିର୍ମାଣ ନିମନ୍ତେ ୧.୧୭କୋଟି, ଟ୍ରାଫିକ ସମସ୍ୟା ଦୁରୀଭୂତ ପାଇଁ ୩୯୭.୪୮କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟ ସଂପୂଣ୍ଣ ହୋଇଛି।

ପୂର୍ବରୁ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ ପାଇଁ ଆଙ୍କୁଲାପଦର ଠାରେ ୬କୋଟି ୭୫ଲକ୍ଷ, ଗୋଦାବରୀଶ ବିଦ୍ୟାଳୟ ଓ ବାଣପୁର ସରକାରି ଉଚ୍ଚବିଦ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ପ୍ରତ୍ୟେକ ସ୍କୁଲକୁ ୮୦ ଲକ୍ଷ, ବାଳିକ ସ୍କୁଲର ଗୃହ ନିର୍ମାଣ ପାଇଁ ୨୫ ଲକ୍ଷ, ଆୟତପୁର ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୧୨ କୋଟି, ଗାଲୁଆ ଛକ ଠାରୁ କୋସରଡା ରାସ୍ତାନିର୍ମାଣ ପାଇଁ ୪ କୋଟି, ଧୂଆଁଳ ଠାରୁ ଭିମପୁର ଓ ପଲଟନ ପଡିଆ ଠାରୁ ସାନସିରାଇପୂର ରାସ୍ତା ନିର୍ମାଣ ପାଇଁ ୨୨ କୋଟି,୧୫ଟି ସ୍କୁଲକୁ ୫ଟି ଅନ୍ତର୍ଭୂକ୍ତ କରାଯାଇ ପ୍ରତେକ ସ୍କୁଲକୁ ପ୍ରାୟ ୮୦ ଲକ୍ଷ ଟଙ୍କା ଲେଖାଁଏ ଅନୁଦାନ ରାଶି ଯୋଗାଯିବା ସହ କେତେକ କାର୍ଯ୍ୟ ଚାଲୁ ରହିଥିବାବେଲେ କେତେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଶିକ୍ଷା ବିଭାଗର ଉନ୍ନତି ନିମନ୍ତେ ଭେଟିନାଥ ଦେବ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ଆସନ୍ତା ଶିକ୍ଷାବର୍ଷ ଠାରୁ +୨ କଳାରେ ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ ବୋଲି ଜଣାଇଥିଲେ।

ଆଗାମୀ ଦିନ ମାନଙ୍କରେ ଚିଲିକା ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଧ୍ୟାନ ଦେବା ସହ ସାଂସଦ ପିନାକୀ ମିଶ୍ର, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରତିଶ୍ରୁତି ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜେନେରାଲ୍ ମ୍ୟାନେଜର, ପୂର୍ବ ତଟ ରେଳବାଇ ସ୍ତର-୭ ପର୍ଯ୍ୟନ୍ତ ସୁପରଭାଇଜର କ୍ୟାଡରର ପାହ୍ୟା ବୃଦ୍ଧି

ଭୁବନେଶ୍ବର: ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ଆର. ଏନ.ସୁନକର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଏବଂ ଭାରତୀୟ ରେଳବାଇର ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ନୀତିଗତ ନିଷ୍ପତ୍ତି ବିଷୟରେ ସବିସ୍ତୃତ ବିବରଣୀ ଦେଇଛନ୍ତି। ମହା ପ୍ରବନ୍ଧକ କହିଛନ୍ତି ଯେ, ଭାରତୀୟ ରେଳବାଇର ନିଷ୍ପତ୍ତି ହେତୁ ପୂର୍ବ ତଟ ରେଳବାଇ ଅଧୀନରେ କାର୍ଯ୍ୟ କରୁଥିବା ୩୫୨୧ ସୁପରଭାଇଜର ଏହାର ଲାଭ ପାଇବେ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇରେ କାର୍ଯ୍ୟରତ ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି। ଭାରତୀୟ ରେଳବାଇରେ କାର୍ଯ୍ୟରତ ବହୁ ସଂଖ୍ୟକ ସୁପରଭାଇଜରଙ୍କ ଏହା ବହୁ ଦିନ ଧରି ଦାବି ରହିଥିଲା।

ଭାରତୀୟ ରେଳରେ କାର୍ଯ୍ୟରତ ସୁପରଭାଇଜରଙ୍କ ମନୋବଳ କୁ ବଢାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ନିଷ୍ପତି ଭାରତୀୟ ରେଳବାଇରେ କାର୍ଯ୍ୟରତ ପାଖାପାଖି ୮୦୦୦୦ ସୁପରଭାଇଜରଙ୍କୁ ଉପକୃତ କରିବ।

ଭାରତୀୟ ରେଳ ଏକ ବହୁ-ବିଭାଗୀୟ ଏବଂ ବହୁମୁଖୀ ସଂଗଠନ ଅଟେ। ଦେଶରେ ବ୍ୟାପିଥିବା ସମଗ୍ର ରେଳ ନେଟୱାର୍କର କାର୍ଯ୍ୟ କଳାପ ସୁଚାରୁ ରୂପରେ ପରିଚାଳିତ କରିବା ପାଇଁ ଏହି ସମସ୍ତ ବିଭାଗର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ବିଭାଗଗୁଡିକ ମଧ୍ୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ସୁପରଭାଇଜର କ୍ୟାଡରଗୁଡିକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି, ଯାହାକି ଭାରତୀୟ ରେଳବାଇର ସୁଗମ ଏବଂ ଉର୍ନତ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସମଗ୍ର ରେଳ ବ୍ୟବସ୍ଥାର ନିରାପତ୍ତା ସୁନିଶ୍ଚିତ କରିଥାନ୍ତି।

ଭାରତୀୟ ରେଳବାଇରେ ସୁପରଭାଇଜର କ୍ୟାଡରରେ ମୁଖ୍ୟତ ‘ଗ୍ରୁପ୍‘ ସି’ ଲେଭଲ୍-୬ (ପିବି-୨ / ଗ୍ରେଡ୍ ପେ -୪୨୦୦) ଗ୍ରେଡ୍ ରେ ନିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତିର ଉପଲବ୍ଧତା ନ ଥିବାରୁ ଏହି ମାନେ ତୀବ୍ର ସ୍ଥିରତା ମଧ୍ୟରେ ଗତି କରୁଛନ୍ତି। ଯେହେତୁ ଭାରତୀୟ ରେଳ ବର୍ତ୍ତମାନ ବୈଷୟିକ ନବୀକରଣ ପ୍ରକ୍ରିୟା ଦେଇ ଗତି କରୁଛି ଏବଂ ଏହାର ସୁପରିଚାଳନା ପାଇଁ ଆବଶ୍ୟକ ଗୁଣାତ୍ମକ ମାନବ ସମ୍ବଳକୁ ଭାରତୀୟ ରେଳ ପ୍ରତି ଆକୃଷ୍ଟ କରିବା ପାଇଁ ପଦୋନ୍ନତିର ପର୍ଯ୍ୟାପ୍ତ ଉପାୟ ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ସୁପରଭାଇଜରୀ କ୍ୟାଡରରେ ଉନ୍ନତ ପ୍ରୋତ୍ସାହନମୂଳକ ଆଶା ସୁନିଶ୍ଚିତ କରିବା ଏବଂ ସୁପରଭାଇଜର ଗ୍ରେଡରେ ଗୁଣାତ୍ମକ ମାନବ ଶକ୍ତି ଆକର୍ଷିତ କରିବା ଦୃଷ୍ଟିକୋଣରୁ ଭାରତୀୟ ରେଳର ଏହି ନିଷ୍ପତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

ଏହିସବୁ ବିଷୟକୁ ଧ୍ୟାନରେ ରଖି ଏବଂ ଭାରତୀୟ ରେଳବାଇର ସୁପରଭାଇଜର କ୍ୟାଡରମାନଙ୍କ ପାଇଁ କ୍ୟାରିୟର ପ୍ରଗତି ସୁନିଶ୍ଚିତ କରିବା ଏବଂ ସୁପରଭାଇଜର କ୍ୟାଡରକୁ ଗୁଣାତ୍ମକ ମାନବସମ୍ବଳ ଆକର୍ଷିତ କରିବା ହେତୁ ଭାରତୀୟ ରେଳବାଇ ସୁପରଭାଇଜର କ୍ୟାଡରର ୩୫୦୦୦ ପଦବୀ (୫୦%)ର ସ୍ତର – ୭ (ପିବି-୨/ଜିପି-୪୬୦୦) ରୁ ସ୍ତର – ୮ (ପିବି-୨/ଜିପି-୪୮୦୦) କୁ ପାହ୍ୟା ବୃଦ୍ଧି; ଏବଂ ସ୍ତର – ୮ (ପିବି-୨/ଜିପି-୪୮୦୦) ରେ ୪ ବର୍ଷ ସେବା ପରେଏହି ୩୫୦୦୦ ପୋଷ୍ଟର ସ୍ତର – ୮ (ପିବି-୨/ଜିପି-୪୬୦୦) ରୁ ସ୍ତର – ୯ (ପିବି-୨/ଜିପି-୫୪୦୦ ) କୁ ପାହ୍ୟା ବୃଦ୍ଧି ପାଇଁ ଭାରତୀୟ ରେଳ ଘୋଷଣା କରିଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଘୋଷଣା ହୋଇପାରେ ଏମସିଡି ନିର୍ବାଚନ ତାରିଖ: ଅପରାହ୍ନ ୪ ଟାରେ ଇସିର ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଘୋଷଣା କରାଯାଇପାରେ। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗ ଅପରାହ୍ନ ୪ ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ସୂଚନାନୁସାରେ, ଡିସେମ୍ବର ପ୍ରଥମ ସପ୍ତାହରେ ଏମସିଡି ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏହା ସହିତ ଦିଲ୍ଲୀରେ ପୌରପାଳିକା ନିର୍ବାଚନ ପାଇଁ ନିର୍ବାଚନ ଆଚରଣ ବିଧି ଆଜି ଠାରୁ ଲାଗୁ କରାଯାଇପାରେ। କୁହାଯାଉଛି ଯେ, ଦିଲ୍ଲୀ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ପ୍ରସ୍ତୁତ କରିଛନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନର ତାରିଖ ଘୋଷଣା କରାଯାଇପାରେ।

ଉଲ୍ଲେଖ ଯୋଗ୍ୟ ଯେ, ଏମସିଡି ୱାର୍ଡଗୁଡ଼ିକୁ ଡିଲିଟ କରିବା ପରେ ନିର୍ବାଚନ ଆୟୋଗ ମଧ୍ୟ ସଂରକ୍ଷଣ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ରିଟର୍ଣ୍ଣିଂ ଅଫିସରମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ଏବଂ ସେମାନେ ୱାର୍ଡ ସ୍ତରରେ ମତଦାନ କେନ୍ଦ୍ର ସ୍ଥାପନ କରି ରାଜନୈତିକ ଦଳ ତଥା ସାଧାରଣ ଲୋକଙ୍କ ଠାରୁ ଆପତ୍ତି ଏବଂ ପରାମର୍ଶ ନେଇଛନ୍ତି। ଏଥି ସହିତ, ଆୟୋଗ ଇଭିଏମ୍ ମରାମତି କରିସାରିଛନ୍ତି। ସୂଚନାଯୋଗ୍ୟ ଯେ, ଏକୀକରଣ ପରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନକୁ ତିନି ଭାଗରେ ବିଭକ୍ତ କରାଯାଇଥିଲା ଏବଂ ସମୁଦାୟ ୨୭୨ ୱାର୍ଡ ଥିଲା। କିନ୍ତୁ ଏବେ ୱାର୍ଡ ସଂଖ୍ୟା ୨୭୨ ରୁ ୨୫୦ କୁ ହ୍ରାସ କରାଯାଇଛି।

Categories
ବିଶେଷ ଖବର

ଆଜି ଘୋଷଣା ହେବ ଗୁଜୁରାଟ ନିର୍ବାଚନ ତାରିଖ!, ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରିବ ଇସି

ନୂଆଦିଲ୍ଲୀ: ଗୁଜୁରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଆଜି ମଧ୍ୟାହ୍ନ ୧୨ ଟାରେ ଘୋଷଣା କରାଯାଇପାରେ। ଆଜି ନିର୍ବାଚନ ଆୟୋଗର ଏକ ସାମ୍ବାଦିକ ସମ୍ମିଳନୀ ହେବ, ଯେଉଁଥିରେ ତାରିଖ ସମ୍ପର୍କରେ ସୂଚନା ଦିଆଯିବ। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ନିଜର ଆଭିମୁଖ୍ୟକୁ କଡାକଡି କରିସାରିଛନ୍ତି। ଏଥି ସହିତ ଆମ୍ ଆଦମୀ ପାର୍ଟିର ପ୍ରବେଶ ଏଥର ପ୍ରତିଯୋଗିତାକୁ ଆହୁରି ଆକର୍ଷଣୀୟ କରିପାରିଛି।

ତେବେ ଗୁଜୁରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି (AAP) ମଙ୍ଗଳବାର ଦିନ ୨୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ଏପର୍ଯ୍ୟନ୍ତ ୧୦୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି ହେଉଛି ଏକମାତ୍ର ରାଜନୈତିକ ଦଳ ଯିଏ ଗୁଜୁରାଟ ନିର୍ବାଚନ ପାଇଁ ୧୦୦ ରୁ ଅଧିକ ପ୍ରାର୍ଥୀ ଘୋଷଣା କରିଛି। ଗୁଜୁରାଟରେ ମୋଟ ୧୮୨ ଟି ବିଧାନସଭା ଆସନ ରହିଛି।

୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ​​ସମସ୍ତ ୧୮୨ ଟି ଆସନର ଫଳାଫଳ ଘୋଷଣା ହେବା ପରେ ବିଜେପି ୯୯ ଟି ଆସନ ସହିତ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ସେପଟେ କଂଗ୍ରେସ ୮୦ ଟି ଆସନ ପାଇଥିଲା। ଯଦି ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ, ତେବେ କେବଳ ୧୯ ଟି ଆସନର ପାର୍ଥକ୍ୟ ଥିଲା।

୧୯୯୫ ମସିହାରୁ ଗୁଜୁରାଟରେ ବିଜେପି କ୍ଷମତାରେ ଅଛି। ନରେନ୍ଦ୍ର ମୋଦୀ ଗୁଜୁରାଟର ୨୨ ତମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ କ୍ରମାଗତ ୧୩ ବର୍ଷ ଏହି ପଦରେ ରହିଥିଲେ। ଲଗାତାର ତିନି ଥର ମୁଖ୍ୟମନ୍ତ୍ରୀ ହେବା ପରେ ମୋଦୀ ୨୦୧୪ ରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ପରେ ଆନନ୍ଦିବେନ୍ ପଟେଲ ଗୁଜୁରାଟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ଘୋଷଣା ହୋଇପାରେ ଦୁଇଟି ରାଜ୍ୟର ନିର୍ବାଚନ ତାରିଖ, ଅପରାହ୍ନ ୩ ଟାରେ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୩ ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ନେଇ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ତାରିଖ ଘୋଷଣା ହେବା ପରେ ଉଭୟ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଉଭୟ ରାଜ୍ୟରେ ବର୍ତ୍ତମାନ ବିଜେପି କ୍ଷମତାରେ ଅଛି।

Categories
ଆଜିର ଖବର ଜାତୀୟ ଖବର

ଉପ ରାଜ୍ୟପାଳଙ୍କ ମାନହାନୀ ନୋଟିସକୁ ଚିରି ଫୋପାଡିଲେ ଆପ ସାଂସଦ: କହିଲେ ମୁଁ ଡରିବା ଲୋକ ନୁହେଁ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ସାମ୍ବାଦିକ ସମ୍ମିଳନୀରେ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମାନହାନୀ ନୋଟିସର କପିକୁ ଚିରି ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଭି.କେ ସାକ୍ସେନାଙ୍କୁ କହିବାକୁ ଚାହେଁ ଯେ ଭାରତର ସମ୍ବିଧାନ ମୋତେ ସତ କହିବାର ଅଧିକାର ଦେଇଛନ୍ତି। ଦେଶର ସର୍ବୋଚ୍ଚ ଗୃହର ଜଣେ ସଦସ୍ୟ ଭାବରେ ମୋର ସତ କହିବାର ଅଧିକାର ଅଛି। ମୁଁ ଅଟକି ଯିବି ନାହିଁ ଏବଂ କିଛି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ନୋଟିସ୍ କୁ ଭୟ କରିବି ନାହିଁ। ଏବଂ ମୁଁ ଏପରି ନୋଟିସକୁ ୧୦ ଥର ଚିରି ଫୋପାଡି ଦେଉଛି |

ଉଲ୍ଲେଖ ଯୋଗ୍ୟ ଯେ, ଅବକାରୀ ନୀତିକୁ ନେଇ ବିଜେପି ଏବଂ ଏଏପି ମଧ୍ୟରେ ଏକ ଦୃଢ ବିବାଦ ଲାଗି ରହିଛି। କେଜ୍ରିୱାଲଙ୍କ ଅବକାରୀ ନୀତିରେ ବିଜେପି ଦୁର୍ନୀତି ଅଭିଯୋଗ ଆଣିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଷ୍ଟିଙ୍ଗ୍ ମାଷ୍ଟରଙ୍କର ଷ୍ଟିଙ୍ଗ୍ ହୋଇଗଲା। ଏହି ଦୁର୍ନୀତିରେ ସାମିଲ ଥିବା ଅଭିଯୁକ୍ତଙ୍କ ପିତା ଏହାର ପର୍ଦ୍ଦାଫାସ କରିଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବର ଠାରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ଵର: ସମାଜରେ ସମତା ଆଣିବା ଲାଗି ଅଧିକ ସଂଖ୍ୟାରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ କହିଛନ୍ତି। ସୋମବାର ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।

ଡକ୍ଟର ଅଠାୱଲେ କହିଥିଲେ ଯେ ଭାରତ ସରକାର ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ସହ ମିଶି ଆନ୍ତଃଜାତି ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ମଧ୍ୟ ଏପରି ଯୋଜନା ରହିଛି, କିନ୍ତୁ ଏଭଳି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ।

ସେ କହିଥିଲେ ଯେ, ଓଡ଼ିଶାରେ ୨୦୨୦-୨୧ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜୀକରଣ ହୋଇଥିଲା। ୨୦୨୧-୨୨ ଏହି ସଂଖ୍ୟା ୨୪୨୮କୁ ବୃଦ୍ଧି ପାଇଛି।

ରାଜ୍ୟରେ ଜାତିଗତ ନିର୍ଯାତନା ମାମଲା ଉପରେ ତଥ୍ୟ ପ୍ରଦାନ କରି ମନ୍ତ୍ରୀ କହିଥିଲେ ଯେ, ୨୦୨୦-୨୧ରେ ୨୮୨୮ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ୨୦୨୧-୨୨ରେ ୨୭୬୮ ନିର୍ଯାତନା ମାମଲା ଦାୟର ହୋଇଛି। ଜାତିଗତ ନିର୍ଯାତନା ମାମଲା ରୋକିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି ବୋଲି ଡକ୍ଟର ଅଠାୱଲେ ଜୋର ଦେଇ କହିଥିଲେ।

ଦିବ୍ୟାଙ୍ଗ, ବୟସ୍କ, ବିଧବାମାନଙ୍କର ସ୍ଥିତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଏବଂ ବିଧବାମାନଙ୍କୁ ମାସିକ ୫୦୦ ଟଙ୍କାର ପେନସନ ମିଳୁଛି। ପେନସନ ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଡକ୍ଟର ଅଠାୱଲେ ବିଭିନ୍ନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଏବଂ ଓଡ଼ିଶାରେ ଏସବୁ ଯୋଜନାର କାର୍ଯ୍ୟକାରିତା ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ତଥ୍ୟ ଅନୁଯାୟୀ, ସାରା ଦେଶରେ ୪୬.୨୫ କୋଟି ପିଏମ ଜନ ଧନ ଯୋଜନା ଆକାଉଣ୍ଟ ଖୋଲାଯାଇଥିବା ବେଳେ ଓଡ଼ିଶାରେ ଏବେ ସୁଦ୍ଧା ୧ କୋଟି ୯୧ ଲକ୍ଷ ୨୦ ହଜାର ଆକାଉଣ୍ଟ ଖୋଲାଯାଇଛି।

ସେହିପରି, ପିଏମ ମୁଦ୍ରା ଯୋଜନା ଅଧୀନରେ ଏବେ ସୁଦ୍ଧା ଦେଶରେ ୩୬.୩୩ କୋଟି ଲୋକ ଲାଭାନ୍ବିତ ହୋଇଛନ୍ତି। ଅନ୍ୟପଟେ ଓଡ଼ିଶାରେ ଏହି ଯୋଜନାର ୨ କୋଟି ୪୫ ଲକ୍ଷ ୫୦ ହଜାର ହିତାଧିକାରୀ ରହିଛନ୍ତି। ପିଏମ ଉଜ୍ଜ୍ବଳା ଯୋଜନାରେ ଓଡ଼ିଶାର ୫୨ ଲକ୍ଷ ୯୪ ହଜାର ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଏବେ ସୁଦ୍ଧା ଦେଶରେ ୬୨.୨୨ ଲକ୍ଷ ଲୋକଙ୍କୁ ବାସଗୃହ ମିଳିଛି। ଓଡ଼ିଶାରେ ଏହି ଯୋଜନାରେ ୧ ଲକ୍ଷ ୮ ହଜାର ହିତାଧିକାରୀ ଲାଭବାନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସାରା ଦେଶରେ ୨ କୋଟି ୪୦ ଲକ୍ଷ ୩୬ ହଜାର ଲୋକ ଲାଭାନ୍ବିତ ହୋଇଥିବା ବେଳେ ଓଡ଼ିଶାରେ ୧୮ ଲକ୍ଷ ଗ୍ରାମୀଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଛି।

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଠାୱଲେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିଲେ। ଏସବୁ ଯୋଜନାର ଅଗ୍ରଗତି ନେଇ ସେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ମିଥୁନ ଚକ୍ରବର୍ତ୍ତୀଙ୍କ ବଡ ଦାବି: ବିଜେପି ସହ ଯୋଗାଯୋଗରେ ଅଛନ୍ତି ୩୮ ଟିଏମସି ବିଧାୟକ

ନୂଆଦିଲ୍ଲୀ: ଆଜି ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଟିଏମସିର ୩୮ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେ ଦାବି କରିଛନ୍ତି ଯେ, ସେ ନିଜେ ୨୧ ଜଣ ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି।

ଆଜି କୋଲକାତାରେ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଥୁନ ଏହି ଦାବି କରିଛନ୍ତି। ସେ ସାମ୍ବାଦିକମାନଙ୍କୁ ପଚାରିଲେ ଯେ, ଆପଣ ବ୍ରେକିଙ୍ଗ୍ ନ୍ୟୁଜ୍ ଜାଣିବାକୁ ଚାହୁଁଛନ୍ତି କି? ମୋର ବ୍ରେକିଙ୍ଗ୍ ଖବର ଅଛି। ବର୍ତ୍ତମାନ ୩୮ ଟିଏମସି ବିଧାୟକ ଆମ ସହିତ ଯୋଗାଯୋଗ କରୁଛନ୍ତି।

ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ସର୍ବଦା ଅଭିଯୋଗ ହେଉଛି ଯେ ଦଙ୍ଗା ଘଟଣାରେ ବିଜେପି ଜଡିତ ଅଛି, ବିଜେପି ଦଙ୍ଗା ସୃଷ୍ଟି କରୁଛି। କିନ୍ତୁ ମୋତେ ଏକ ଘଟଣା ଦେଖାନ୍ତୁ ଯେଉଁଥିରେ ବିଜେପି ଜଡିତ ଅଛି।

ଅନ୍ୟପକ୍ଷରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପ୍ରସଙ୍ଗରେ ମିଥୁନ କହିଛନ୍ତି ଯେ, ଯଦି ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, ତେବେ se ବିଶ୍ରାମ ନିଅନ୍ତୁ ଏବଂ ଶୋଇଯାଅନ୍ତୁ, କିଛି ହେବ ନାହିଁ। କିନ୍ତୁ ଯଦି ପ୍ରମାଣ ତାଙ୍କ ବିରୁଦ୍ଧରେ ଅଛି ତେବେ କେହି ଆପଣଙ୍କୁ ରକ୍ଷା କରିପାରିବେ ନାହିଁ।

ଏଥି ସହିତ ମୁସଲମାନମାନଙ୍କୁ ବିଜେପିର ଘୃଣା ପ୍ରଶ୍ନ ଉପରେ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଭାରତର ଶ୍ରେଷ୍ଠ ତିନି ତାରକା ମୁସଲମାନ। ସଲମାନ, ଶାହାରୁଖ ଏବଂ ଆମୀର! ଏହା କିପରି ସମ୍ଭବ? ୧୮ ଟି ରାଜ୍ୟରେ ବିଜେପି କ୍ଷମତାରେ ଅଛି। ଯଦି ବିଜେପି ତାଙ୍କୁ ଘୃଣା କରେ କିମ୍ବା ହିନ୍ଦୁମାନେ ତାଙ୍କୁ ଭଲ ପାଆନ୍ତି ନାହିଁ, ତେବେ ତାଙ୍କ ଚଳଚ୍ଚିତ୍ର କିପରି ଏହି ରାଜ୍ୟଗୁଡିକରୁ ସବୁଠାରୁ ବଡ ବ୍ୟବସାୟ କରିପାରୁଛି? ଏହା ବ୍ୟତୀତ ଶିକ୍ଷକ ନିଯୁକ୍ତି ସ୍କାମ ସମ୍ପର୍କରେ ମିଥୁନ କହିଛନ୍ତି ଯେ, ଶିକ୍ଷକ ନିଯୁକ୍ତି ସ୍କାମ ହେଉଛି ୨୦୦୦ କୋଟି ଟଙ୍କା ଏବଂ ୧୦୦ କୋଟି ଟଙ୍କା ନୁହେଁ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ମାୟାବତୀଙ୍କ ବଡ ଘୋଷଣା, ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଏସପି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଏସପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ବିଏସପି ମୁଖ୍ୟ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ଏବଂ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରୁ ବିଏସପି କାହାକୁ ସମର୍ଥନ କରିବେ।

ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ, “ଆଦିବାସୀ ସମାଜକୁ ଏହାର ଆନ୍ଦୋଳନର ଏକ ବିଶେଷ ଅଂଶ ଭାବରେ ବିବେଚନା କରି ରାଷ୍ଟ୍ରପତି ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି। ଆମର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଜେପି ଏବଂ ଏନଡିଏର ସପକ୍ଷ କିମ୍ବା ବିରୋଧୀ ଦଳର ବିପକ୍ଷରେ ନେଇନାହୁଁ। ବରଂ ଆମ ଦଳର ଆଦର୍ଶକୁ ଧ୍ୟାନରେ ରଖି ଏକ ଆଦିବାସୀ ସମାଜର ଜଣେ ଦକ୍ଷ ତଥା ପରିଶ୍ରମୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଶରଦ ପାୱାର ଏବଂ ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନ ବିଷୟରେ ନିମନ୍ତ୍ରଣ କରିନଥିଲେ। କିନ୍ତୁ ଆମ ଦଳ ତାହା କରୁନାହିଁ। ଆମେ ମାନବବାଦୀ ଚିନ୍ତାଧାରାର। ”

ସେ କହିଛନ୍ତି ଯେ, ଆମ୍ବେଦକରଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଏବଂ ବିଜେପି ଚାହୁଁନାହାଁନ୍ତି। ୟୁପିରେ ଚାରିଥର ବିଏସପି ଶାସନ ସମୟରେ ଉତ୍ତରପ୍ରଦେଶରେ ବିକାଶ ଘଟିଛି। କିନ୍ତୁ ଜାତିଭିତ୍ତିକ ମାନସିକତାର ଲୋକମାନେ ବିଏସପିକୁ ଛୋଟ ଦେଖାନ୍ତି। ଯେତେବେଳେ କି କେନ୍ଦ୍ରର ପାର୍ଟି ସର୍ବଦା ବିଏସପି ଦଳକୁ ଭାଙ୍ଗିଥାଏ।

Categories
ଆଜିର ଖବର ଜାତୀୟ ଖବର

ଆଇକନିକ ସପ୍ତାହ ଉତ୍ସବ ପାଳନ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ

ନୂଆଦିଲ୍ଲୀ: “ଆଜାଦି କା ଅମୃତ ମହୋତ୍ସବ” (ଏକେଏଏମ୍‍) ର ଅଂଶ ଭାବରେ ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ୬ ରୁ ୧୧ ଜୁନ୍‌, ୨୦୨୨ ସପ୍ତାହ ବ୍ୟାପି ସେମାନଙ୍କର ‘ଆଇକନିକ୍ ସପ୍ତାହ’ ଉତ୍ସବ ପାଳନ ଲାଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ମାର୍ଚ୍ଚ ୨୦୨୧ ରେ ଆଜାଦି କା ଅମୃତ ମହୋତ୍ସବ (ଏକେଏଏମ୍‍) ର ଉଦଘାଟନ କରିଥିଲେ, ଯାହାକି ୨୦୨୨ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତର ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ ପାଇଁ ୭୫ ସପ୍ତାହ ଗଣନା କରାଯାଇଥିଲା। ଏହା ପରେ ବି ଏକେଏଏମ୍‍ ଉତ୍ସବ ଏକ ବର୍ଷ ପର୍ଯ୍ୟନ୍ତ ୧୫ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ ଜାରି ରହିବ।

ଭାରତର ୭୫ ତମ ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରିବାର ଏକ ଅଂଶ ଭାବରେ ଏକ \’ଧନ୍ୟବାଦ\’ (ସୁକ୍ରିଆ) ଗୀତ ମୁକ୍ତିଲାଭ କରିଥିଲା ଯାହାକି କୋଭିଡ-୧୯ ମହାମାରୀ ବିରୁଦ୍ଧ ଲଢେଇରେ ଅନାଲୋଚିତ ଭାବେ ରହିଥିବା ହିରୋମାନଙ୍କୁ ଉତ୍ସାହିତ କରିଥିଲା ଏବଂ ଯେଉଁମାନେ ଆର୍ଥିକ ବ୍ୟବସ୍ଥାକୁ ସବୁଠାରୁ ସଙ୍କଟ ସମୟରେ ଚାଲୁ ରଖିଥିଲେ।

ସପ୍ତାହରେ ଘଟୁଥିବା ଘଟଣାଗୁଡ଼ିକର ସ୍ନାପସଟ୍ ପ୍ରଦାନ କରିବାକୁ ଏକ ଇ-ବୁକଲେଟ୍ ମଧ୍ୟ ଉପସ୍ଥାପିତ କରାଯାଇଥିଲା ଯେଉଁଥିରେ ଦୁଇ ମନ୍ତ୍ରଣାଳୟ – କର୍ପୋରେଟ୍ ବ୍ୟାପାର ଏବଂ ଅର୍ଥ କେବଳ ସେମାନଙ୍କର ସଫଳତା, ନୂତନ ପଦକ୍ଷେପ ପ୍ରଦର୍ଶନ କରିବ ନାହିଁ, ବରଂ ସେମାନଙ୍କର ଅଭିବୃଦ୍ଧି ଏବଂ ବର୍ଷବ୍ୟାପି ସମୀକ୍ଷାକୁ ଏକ ଆକର୍ଷଣୀୟ ଯାତ୍ରା ମାଧ୍ୟମରେ ଅତିକ୍ରମ କରିବ। କାର୍ଯ୍ୟକ୍ରମଣ୍ଟଗୁଡିକର କାର୍ଯ୍ୟସୂଚୀକୁ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୬ ଜୁନ୍ ୨୦୨୨ ରେ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ। ଭାରତର ସ୍ୱାଧୀନତାର ୭୫ ବର୍ଷର ଆବେଗକୁ ଦୃଷ୍ଟିରେ ରଖି ୬ ଜୁନ୍ ସମାରୋହ ସମଗ୍ର ଭାରତର ୭୫ଟି ସହରରେ ଏକକାଳୀନ ସିଧା ପ୍ରସାରଣ ମାଧ୍ୟମରେ ପାଳନ କରାଯିବ।

ଆଜାଦି କା ଅମୃତ ମହୋତ୍ସବର ଆଇକନିକ୍ ସପ୍ତାହରେ, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟର ପ୍ରତ୍ୟେକ ବିଭାଗ ସେମାନଙ୍କର ସମୃଦ୍ଧ ଇତିହାସ ଏବଂ ଉତ୍ତରାଧିକାରୀ ପ୍ରଦର୍ଶନ କରିବା ସହିତ ଆଗାମୀ ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବେ। ଉଦାହରଣ ସ୍ୱରୂପ, ୮ ଜୁନ୍ ୨୦୨୨, ତୃତୀୟ ଦିନରେ ଭାରତର ସିକ୍ୟୁରିଟି ବଜାରର ବିକାଶ ଉପରେ ଏକ ଡକ୍ୟୁମେଣ୍ଟାରୀ ରିଲିଜ୍ ହେବ ଏବଂ ଶେଷ ଦିନ, ୧୧ ଜୁନ୍ ୨୦୨୨ ରେ, ଜାତୀୟ କଷ୍ଟମସ ଏବଂ ଜିଏସଟି ସଂଗ୍ରହାଳୟ, ‘ଧରୋହର’, ଯାହା ଜବତ ସାମଗ୍ରୀ, ପୁରାତନ ସାମଗ୍ରୀ ଏବଂ କଷ୍ଟମ ଐତିହ୍ୟର ପ୍ରଦର୍ଶନ କରିଥାଏ ତାହା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ।

ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଆଇକନିକ୍ ସପ୍ତାହ ଉତ୍ସବରେ ଅନ୍ୟ କେତେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ମଧ୍ୟରେ ଡାଟା ଆନାଲିଟିକ୍ସ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ ଅନ୍ତର୍ଭୂକ୍ତ କରିବ ଯାହା ସର୍ବସାଧାରଣ କ୍ରୟ କ୍ଷେତ୍ରରେ ସର୍ବୋତ୍ତମ ଆନ୍ତର୍ଜାତୀୟ ଅଭ୍ୟାସ ଉପରେ ବିଚାର କରିବ ଏବଂ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପାଇଁ ସାର୍ବଜନୀନ କ୍ରୟ କ୍ଷେତ୍ରରେ ଟଙ୍କାର ଅଧିକ ମୂଲ୍ୟ ଅଣିବାକୁ ଆଗକୁ ବଢିବ। ସାଧାରଣ ଖର୍ଚ୍ଚ ପରିଚାଳନା ଏବଂ ଟିକସ କ୍ଷେତ୍ରରେ କିଛି ପ୍ରମୁଖ ପଦକ୍ଷେପ ସ୍ୱରୂପ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ମଧ୍ୟ ପ୍ରଦର୍ଶିତ ହେବ।

ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଆଇକନିକ୍ ସପ୍ତାହର ଉତ୍ସବ ପାଳନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳୀନୀରେ ଅର୍ଥ ସଚିବ ତଥା ସଚିବ ବ୍ୟୟ, ଡକ୍ଟର ଟି.ଭି. ସୋମନାଥନ୍ ପୌରହିତ କରିଥିଲେ। ଉପସ୍ଥିତ ଅନ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଡିଆଇପିଏଏମ୍‍ ସଚିବ ତୁହିନ୍ କାନ୍ତ ପାଣ୍ଡେ, ଆର୍ଥିକ ବ୍ୟାପାର ସଚିବ ଅଜୟ ସେଠ୍‍, କର୍ପୋରେଟ୍ ବ୍ୟାପାର ସଚିବ ରାଜେଶ ବର୍ମା; ଡିପିଇ ସଚିବ ଅଲି ରାଜା ରିଜଭି; ଡିଏଫ୍‍ଏସ୍‍ ସଚିବ ସଞ୍ଜୟ ମାଲହୋତ୍ରା, ସିବିଆଇସି ଅଧ୍ୟକ୍ଷ ବିବେକ ଜୋହରୀ, ଏବଂ ସିବିଡିଟିର ଅଧ୍ୟକ୍ଷ (ଅତିରିକ୍ତ ଦାୟିତ୍ୱ) ସଙ୍ଗୀତା ସିଂହଙ୍କ ସହିତ ଅର୍ଥ ଓ କର୍ପୋରେଟ୍ ବ୍ୟାପାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ସହିଦ ଭଗତ ସିଂଙ୍କ ନାମରେ ନାମିତ ହେବ ଦିଲ୍ଲୀର ସୈନିକ ସ୍କୁଲ: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ସିଏମ୍ କେଜ୍ରିୱାଲ କହିଛନ୍ତି ଯେ, ଆସନ୍ତାକାଲି ଅଗଷ୍ଟ ୨୩ ତାରିଖ ହେଉଛି ସହିଦ-ଏ-ଆଜମ ଭଗତ ସିଂଙ୍କ ଶହୀଦ ଦିବସ। ଗତ ବର୍ଷ ଆମେ ଘୋଷଣା କରିଥିଲୁ ଯେ, ଆମେ ଦିଲ୍ଲୀରେ ଏକ ବିଦ୍ୟାଳୟ ସ୍ଥାପନ କରିବୁ ଯେଉଁଠାରେ ପିଲାମାନଙ୍କୁ ସେନାରେ ଯୋଗଦେବା ପାଇଁ ତାଲିମ ଦିଆଯିବ ଏବଂ ଏହି ବିଦ୍ୟାଳୟର ନାମ ସହିଦ ଭଗତ ସିଂ ସଶସ୍ତ୍ର ବାହିନୀ ପ୍ରସ୍ତୁତି ବିଦ୍ୟାଳୟ ହେବ।

ସିଏମ କେଜ୍ରିୱାଲ କହିଛନ୍ତି ଯେ, ଆମେ ଝରୋଦା କଲାନରେ ୧୪ ଏକର ଜମିରେ ସହିଦ ଭଗତ ସିଂ ସଶସ୍ତ୍ର ବାହିନୀ ପ୍ରସ୍ତୁତି ବିଦ୍ୟାଳୟ ନିର୍ମାଣ କରୁଛୁ। ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଶସ୍ତ୍ର ବାହିନୀରେ ଯୋଗଦେବା ପାଇଁ ତାଲିମ ଦିଆଯିବ। ଏହି ବିଦ୍ୟାଳୟର ପିଲାମାନଙ୍କ ପାଇଁ ଦେୟ ମାଗଣା ହେବ ଏବଂ ସେଠାରେ ବାଳକ ଏବଂ ବାଳିକାମାନଙ୍କ ପାଇଁ ଅଲଗା ହଷ୍ଟେଲ ରହିବ।

ସବୁଠାରୁ ବଡ କଥା ହେଉଛି ଏହି ବିଦ୍ୟାଳୟରେ ବିଶେଷଜ୍ଞ ଅଧ୍ୟାପକ, ବିଶେଷକରି ସେନା, ନୌସେନା ଏବଂ ବାୟୁସେନାର ଅବସରପ୍ରାପ୍ତ ଅଧିକାରୀମାନେ ରହିବେ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ରହୁଥିବା ଯେକୌଣସି ପିଲା ଏଠାରେ ଆଡମିଶନ କରିପାରିବେ। ଏଠାରେ ନବମ ଏବଂ ଏକାଦଶ ଶ୍ରେଣୀରେ ଆଡମିଶନ ହେବ। କେବଳ ଏତିକି ନୁହେଁ, ଏହି ବିଦ୍ୟାଳୟଟି ସମ୍ପୂର୍ଣ୍ଣ ମାଗଣା ହେବ ଏବଂ ଏଠାରେ ରହିବାର ସୁବିଧା ମଧ୍ୟ ମିଳିବ।

ଦିଲ୍ଲୀ ସରକାରଙ୍କ ଦ୍ୱାରା ନିର୍ମିତ ଏହି ବିଦ୍ୟାଳୟ ଦେଶ ଭକ୍ତି ବଜେଟ୍ ଅଧୀନରେ ସରକାରଙ୍କ ପ୍ରକଳ୍ପର ଏକ ଅଂଶ। ଏନଡିଏ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟରେ ଅଧ୍ୟୟନ କରିପାରିବେ। ଏଠାରେ ସେମାନେ ଶିକ୍ଷା ସହିତ ତାଲିମ ସୁବିଧା ମଧ୍ୟ ପାଇବେ। ସହିଦ ଭାଗବତ ସିଂ ସଶସ୍ତ୍ର ବାହିନୀ ପ୍ରସ୍ତୁତି ବିଦ୍ୟାଳୟ ଦିଲ୍ଲୀ ବୋର୍ଡ ଅଫ୍ ସ୍କୁଲ ଏଜୁକେସନ୍ (DBSE) ସହିତ ଜଡିତ ହେବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୂତ ପାଇଁ ଏଫ୍‌ଆଇଆର କରି ଚାର୍ଜସିଟି ଫାଇଲ କରିଥିବାରୁ ଆଇଆଇସି ଓ ଏସିପିଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ୱର: ଦିବା ୧୧ ଘଟିକାରେ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ମାନବାଧିକାର କର୍ମୀ ଜୟନ୍ତ ଦାସ, ସୁକାନ୍ତ ଭୋଇ। ଏକ ଅଜବ ଘଟଣାକୁ ଲୋକଲୋଚନକୁ ଆଣିଛନ୍ତି ଓଡ଼ିଶା ନ୍ୟାୟ ମଞ୍ଚର କର୍ମକର୍ତ୍ତା। ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କର ପ୍ରଶ୍ନ ସଭ୍ୟ ସମାଜକୁ, ଭୂତ କଣ ଏତଲା ଦେଇପାରେ? ଆଜ୍ଞା ହଁ ଭୁବନେଶ୍ୱର କମିଶନରେଟ ପୋଲିସ୍ ଅଧିନସ୍ଥ ଏୟାରପୋର୍ଟ ଥାନାରେ ଭୂତ ଦେଇଛି ଏତଲା ଏବଂ ତା ଉପରେ କମିଶନରେଟ ପୋଲିସ୍‌ଙ୍କର ଏୟାରପୋର୍ଟ ଥାନାର ଆଇଆଇସି ଓ ଏସିପି ତଦନ୍ତ କରି ଫାଇଲ କରିଛନ୍ତି ଚାର୍ଜସିଟ୍‌, ଯାହା ଓଡ଼ିଶା ଇତିହାରେ ବିରଳ। ଏମିତି ଏକ ସମ୍ବେଦନଶୀଳ ଓ ହାସ୍ୟସ୍ପଦ ଘଟଣା ଘଟିଛି ଭୁବନେଶ୍ୱର ସ୍ମାର୍ଟସିଟି କମିଶନରେଟ ପୋଲିସ୍‌ଙ୍କ ଏୟାରପୋର୍ଟ ଥାନାରେ।

ଭୁବନେଶ୍ୱର ଏସ୍‌ଡ଼ିଜିଏମ୍ କୋର୍ଟଙ୍କ ଆଦେଶରେ ଏଫ୍‌ଆଇଆର ରୁଜୁ ହୋଇଛି ଅଭିଯୁକ୍ତ ଆଇଆଇସି ଉମାକାନ୍ତ ପ୍ରଧାନ ଓ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କ ନାମରେ। ଏଭଳି ଘଟଣାକୁ ଖୋଲାସା କରିଛି ଓଡ଼ିଶା ନ୍ୟାୟ ମଞ୍ଚର ସଭାପତି ସୁକାନ୍ତ ଚନ୍ଦ୍ର ଭୋଇ ଏବଂ ଜୟନ୍ତ କୁମାର ଦାସ। ଶ୍ରୀ ଭୋଇ କହିଛନ୍ତି ଯେ ବାଲିପାଟଣା ଥାନା ଅର୍ନ୍ତଗତ ସିଙ୍ଗଡ଼ା ସାହିର ପଞ୍ଚୁଭୋଇଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ଭୋଇ ନିଜ ଦିଅର ଶଙ୍କର ଭୋଇଙ୍କ ସହିତ ଆସି ଏୟାରପୋର୍ଟ ଥାନା ଅଧିନସ୍ଥ ଭୁବନେଶ୍ୱରର ଭୀମପୁର ଅଞ୍ଚଳରେ ରହୁଥିଲେ। ଶଙ୍କର ଭୋଇ ଓ ଅନ୍ୟ ଜଣେ ମହିଳା ରମା ଦାସ, ଅନ୍ନପୂର୍ଣ୍ଣା ଭୋଇଙ୍କୁ ହତ୍ୟା କରିବା ପରେ ଚତୁରୀ ରମା ଦାସ ନିଜକୁ ଅନ୍ନପୂର୍ଣ୍ଣ ଭୋଇ କହି ଆଜି ପର୍ଯ୍ୟନ୍ତ ଛଦ୍ମବେଶରେ ବଞ୍ଚୁ ଅଛନ୍ତି। ମୃତ ଅନ୍ନପୂର୍ଣ୍ଣା ଭୋଇଙ୍କ ନାମରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଭୋଗ କରୁଛନ୍ତି। ଏପରିକି ରମା ଦାସ ନିଜକୁ ଅନ୍ନପୂର୍ଣ୍ଣା ଭୋଇ କହି ଏୟାରପୋର୍ଟ ଥାନାରେ ଏକ ମାମଲା ଦାୟର କରିଛନ୍ତି। ଏଫ୍‌ଆଇଆର ନଂ-୧୧୬/୨୦୨୦। ଏହି ମାମଲାରେ ଛନ୍ଦିଛନ୍ତି ମହିଳା ମାନବାଧିକାରୀ କର୍ମୀ ମମତା ସାମନ୍ତରାୟଙ୍କୁ କମିଶନରେଟ ପୋଲିସ। ଉକ୍ତ ମାମଲ।।ର ମଧ୍ୟ ଚାର୍ଜସିଟ୍ ଦାଖଲ କରିଛନ୍ତି ସ୍ମାର୍ଟ ଅଫିସର। ଆଶ୍ଚର୍ଯ୍ୟର ବିଷୟ ପୋଲିସ୍ କଣ ତଦନ୍ତ କରି ଜଣେ ମୃତ ବ୍ୟକ୍ତିଙ୍କ ନାମରେ ବଞ୍ଚୁଥିବା ରମା ଦାସଙ୍କ ଦ୍ୱାରା କରାଯାଇଥିବା ମିଥ୍ୟା ମାମଲାରେ ଚାର୍ଜସିଟି କରିଛି।

ଏହି ଘଟଣାରେ ମମତା ସାମନ୍ତରାୟ ପ୍ରଭାବିତ ହୋଇ ଭୁବନେଶ୍ୱର ମାନ୍ୟବର ଏସ୍‌.ଡ଼ି.ଜେ.ଏମ୍ କୋର୍ଟଙ୍କର ଦ୍ୱାରସ୍ଥ ହୋଇ ଆବେଦନ ଦାୟର କରିଥିଲେ। ସେହି ଆବେଦନର ଶୁଣାଣି କରି ମାନ୍ୟବର କୋର୍ଟ, ଏୟାରପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ଓ ଏସିପି ବିଷ୍ଣୁପ୍ରସାଦ ପାତ୍ରଙ୍କ ନାମରେ ଏଫ୍‌ଆଇଆର କରିବା ପାଇଁ ଆଦେଶ ଜାରି କରିଥିଲେ। କୋର୍ଟଙ୍କର ସେହି ଆଦେଶ ଅନୁସାରେ ଏୟାରପୋର୍ଟ ଥାନାରେ ଥାନା ଅଧିକାରୀଙ୍କ ନାମରେ ଅପରାଧିକ ମାମଲା ରୁୁଜୁ ହୋଇଛି। ଏଫ୍‌ଆଇଆର ନଂ-୧୦୩/୦୨୨। ଏଥିରେ ରମା ଦାସ, ଏସିପି ବିଷ୍ଣୁ ପ୍ରସାଦ ପାତ୍ର ଓ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନଙ୍କୁ ଅଭିଯୁକ୍ତ ରୂପେ ଦର୍ଶାଯାଇଛି।

ପ୍ରକାଶଥାଉକି, ମୃତ ଅନ୍ନପୂର୍ଣ୍ଣା ଭୋଇଙ୍କ ପୁତ୍ର ଉପେନ୍ଦ୍ର ଭୋଇ ଦାବି କରିଛନ୍ତି ଯେ, ଅନ୍ନପୂର୍ଣ୍ଣ ଭୋଇ ତାଙ୍କ ମାତା, ସେ ଦୀର୍ଘ ବର୍ଷରୁ ମୃତ୍ୟୁବରଣ କରିଛନ୍ତି ଏବଂ ରମା ଦାସଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ରମା ଦାସ ଓ ଦାଦା ଶଙ୍କର ଭୋଇ ମିଳିମିଶି ଅନ୍ନପୂର୍ଣ୍ଣା ଭୋଇଙ୍କୁ ହତ୍ୟା କରି ଅନ୍ନପୂର୍ଣ୍ଣାଙ୍କ ନାମରେ ଥିବା ସମ୍ପତ୍ତିକୁ ହଡ଼ପ କରିଛନ୍ତି। ସମ୍ପୃକ୍ତ ପୋଲିସ୍ ଅଧିକାରୀମାନେ ଜାଣିଶୁଣି ନିଜର ଦାୟିତ୍ୱର ଓ ପଦବୀର ଖିଲାପି କରିଛନ୍ତି। ସ୍ମାର୍ଟସିଟିରେ ସ୍ମାର୍ଟ ପୋଲିସ୍ ଅଫିସରମାନଙ୍କୁ ସଭ୍ୟ ସମାଜ ଘୃଣା ଏବଂ ନିନ୍ଦା କରୁଛି।

ଆଜି ମଞ୍ଚ ତରଫରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ଏୟାରପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ଓ ଏସିପି ବଷ୍ଣୁପ୍ରସାଦ ପାତ୍ରଙ୍କୁ ତୁରନ୍ତ ଗିରଫ କରାଯାଇ ଚାକରୀରୁ ନିଲମ୍ବିତ କରାଯାଉ। ଯାହାଦ୍ୱାରା କି ସେମାନେ ଆଉ ତଦନ୍ତରେ କୌଣସି ପ୍ରକାର ବାଧା ସୃଷ୍ଟି କରିପାରିବେ ନାହିଁ। କ୍ଷତିଗ୍ରସ୍ତ ମହିଳା ମାନବାଧିକାର କର୍ମୀ ଯାହାଙ୍କ ନାମରେ ମିଥ୍ୟା ଚାର୍ଜସିଟି ଫାଇଲ ହୋଇଛି, ତାଙ୍କୁ ତୁରନ୍ତ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ସରକାର ପ୍ରଦାନ କରନ୍ତୁ। ଉପେନ୍ଦ୍ର ଭୋଇ କ୍ଷତିଗ୍ରସ୍ତ ତାଙ୍କ ବୋଉ ଅନ୍ନପୂର୍ଣ୍ଣାଙ୍କ ନାମରେ ରାମ ଦାସ ନାମକ ଜଣେ ନକଲି ମିହଳା ବଞ୍ôଚଛି ଏବଂ ତାଙ୍କ ସମ୍ପତ୍ତିକୁ ହଡ଼ପ କରୁଛି। ତୁରନ୍ତ ସେ ସମ୍ପତ୍ତି ହଡ଼ପକାରୀଙ୍କୁ ଗିରଫ କରାଯାଉ ଓ ସମ୍ପୃକ୍ତ ପିଡ଼ିତଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରାଯାଉ। ମୃତ ଅନ୍ନପୂର୍ଣ୍ଣାଙ୍କ ହତ୍ୟାକାରୀଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯାଉ ଏବଂ ଏହି ଘଟଣାଟିକୁ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଯାଉ।

ଆଜି ଏହି ସାମ୍ବାଦିକ ସମ୍ମିନଳୀରେ ମୃତ ଅନ୍ନପୂର୍ଣ୍ଣା ଭୋଇଙ୍କ ପୁତ୍ର ଉପେନ୍ଦ୍ର ଭୋଇ, ଝିଅ ଇଲି ଭୋଇ ଉପସ୍ଥିତ ରହିବା ସହ ଓଡ଼ିଶା ନ୍ୟାୟ ମଞ୍ଚର ଆବାହକ ସୁକାନ୍ତ ଭୋଇ, ବୀରେନ୍ଦ୍ର ନାୟକ, ମାନବାଧିକାର କର୍ମୀ ଜୟନ୍ତ ଦାସ, ଦଳିତ ମହାସଂଘର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସେବାୟତ କାଳିଆ ପଢିଆରୀ ହତ୍ୟା ମାମଲାର ପର୍ଦ୍ଦାଫାସ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଗିରଫ

ପୁରୀ: ଆଜି ସେବାୟତ କାଳିଆ ପଢିଆରୀଙ୍କ ହତ୍ୟା ମାମଲାକୁ ନେଇ ପୁରୀ ଏସପି କନୱାର ବିଶାଳ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ଏହି ମାମଲାର ପର୍ଦ୍ଦାଫାସ କରିଛନ୍ତି। ଏହି ବହୁ ଚର୍ଚ୍ଚିତ ମାମଲାରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି।

ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ଅଛନ୍ତି। ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର ମଧ୍ୟ ଗିରଫ ହୋଇଛନ୍ତି। କିନ୍ତୁ ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି।

ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ଏବଂ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ। ତେବେ ଗିରଫ କାଳୁ ଠାରୁ ଦେଢ ଲକ୍ଷ ଟଙ୍କା ଜବତ କରାଯାଇଛି। ପୂର୍ବ ଶତ୍ରୁତା ଏବଂ ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏସପି କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକଙ୍କ ହିଂସାକୁ ନେଇ କଡା ପ୍ରତିକ୍ରିୟା ରଖିଲା ବିଜେଡ଼ି: କାର୍ଯ୍ୟାନୁଷ୍ଠାନ ପାଇଁ ଦେଲା ସଂକେତ

ଭୁବନେଶ୍ବର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ହିଂସା ଘଟଣାକୁ ନେଇ ବିଜେଡ଼ି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ସେ କହିଛନ୍ତି ଯେ, ଚିଲିକା ବିଧାୟକଙ୍କ ଏଭଳି ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଘଟଣା। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୂର୍ବରୁ ବିଜେଡ଼ିରୁ ନିଲମ୍ବିତ ହୋଇଛନ୍ତି। ଏଭଳି ବର୍ବରଚିତ କାର୍ଯ୍ୟ ପାଇଁ କେବେ କ୍ଷମା ଦିଆଯିବ ନାହିଁ। ଏଭଳି କାର୍ଯ୍ୟକୁ ଯେତେ ନିନ୍ଦା କଲେ କମ ହେବ ବୋଲି ଡା ସସ୍ମିତ ପାତ୍ର କହିଛନ୍ତି। ଏହି ଘଟଣାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଉଚିତ ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ପ୍ରଶାସନକୁ ବିଜେଡ଼ି ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନର ରାଜଧାନୀ କିବରେ ଆଉ ନାହାନ୍ତି କୌଣସି ଭାରତୀୟ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଲା ସୂଚନା

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ସଚିବ ହର୍ଷ ବର୍ଦ୍ଦନ ଶ୍ରୀଙ୍ଗଲା କହିଛନ୍ତି ଯେ, ଉଚ୍ଚ ସ୍ତରୀୟ ବୈଠକରେ ନବୀନଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଆଜି ପୁଣିଥରେ ଆମେ ରୁଷ ଏବଂ ୟୁକ୍ରେନର ରାଷ୍ଟ୍ରଦୂତମାନଙ୍କ ସହିତ ଭାରତୀୟଙ୍କ ତୁରନ୍ତ ପ୍ରତ୍ୟାବର୍ତ୍ତନ ପାଇଁ କଥା ହେଲୁ। ଏପର୍ଯ୍ୟନ୍ତ ୧୨ ହଜାର ଅର୍ଥାତ୍ ପ୍ରାୟ ୬୦% ଭାରତୀୟ ୟୁକ୍ରେନ ଛାଡିଛନ୍ତି। ବର୍ତ୍ତମାନ କିବରେ କୌଣସି ଭାରତୀୟ ନାଗରିକ ନାହାଁନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ହାରିବା ଭୟରେ ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଉଦ୍ୟମ: ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ ବ୍ୟବଧାନରେ ପରାଜୟ ଜାଣିବାପରେ ଓଡ଼ିଶା ବିଜେପିର କର୍ମୀମାନେ ଗଭୀର ଅବସାଦଗ୍ରସ୍ତ ଓ ହତାଶ ହୋଇଛନ୍ତି। ମନୋବଳ ଭାଙ୍ଗି ଯାଇଥିବା ଏହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବାପାଇଁ ଓଡିଶା ବିଜେପି ସଭାପତି ଉଦ୍ୟମ ଚଳାଇଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଲତା ଦେଓ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ଦେଓ କହିଛନ୍ତି ଯେ ଓଡିଶା ବିଜେପି ସଭାପତିଙ୍କର ଆଜିର ସାମ୍ବାଦିକ ସମ୍ମିଳନୀ ହତାଶ ହୋଇ ପଡିଥିବା ବିଜେପି କର୍ମୀଙ୍କୁ କୌଣସି ପ୍ରକାରେ ଉତ୍ସାହିତ କରିବା ପାଇଁ ଏକ ପ୍ରୟାସ ଥିଲା। ତେବେ ସେ ତାହା କରିବାରେ ବିଫଳ ହୋଇଛନ୍ତି।

ଓଡ଼ିଶାର ଲୋକ ଏକ ସ୍ୱରରେ ଓଡ଼ିଶା ବିଜେପିକୁ ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟାଖାନ କରିଛନ୍ତି ଏବଂ ଆଗାମୀ ପୌର ନିର୍ବାଚନରେ ମଧ୍ୟ ଓଡିଶା ବିଜେପିକୁ ପରାସ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀମତୀ ଦେଓ କହିଛନ୍ତି।

Categories
ବିଶେଷ ଖବର

ଘୋଷଣା ହେଲା ରାଜ୍ୟର ପୌର ନିର୍ବାଚନ ପାଇଁ ତାରିଖ, ମାର୍ଚ୍ଚ ୨୪ରେ ହେବ ମତଦାନ

ଭୁବନେଶ୍ଵର: ପୌର ନିର୍ବାଚନ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ୧୦୬ ଟି ପୌର ପରିଷଦ ଏବଂ ୩ ଟି ମହାନଗର ନିଗମରେ ନିର୍ବାଚନ ପାଇଁ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କିନ୍ତୁ ପୁରୀ ମ୍ୟୁନିସିପାଲିଟିରେ ଏଥର ଭୋଟ ଗ୍ରହଣ ହୋଇପାରିବ ନାହିଁ। ଏଥିରେ ୪୪ ଲକ୍ଷ ଭୋଟର ମତଦାନ କରିବେ। ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ତେଣୁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

ତେବେ ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ହେବ। ମାର୍ଚ୍ଚ ୨ ତାରିଖରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ହେବ। ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ ହେବ। ଏବଂ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ନୋଟା ବ୍ୟବସ୍ଥା ରହିବ। କୌଣସି ପ୍ରାର୍ଥୀଙ୍କୁ ପସନ୍ଦ ନହଲେ ଭୋଟରମାନେ ନୋଟାରେ ଭୋଟ ଦେଇପାରିବେ।

ଏହି ନିର୍ବାଚନରେ ପ୍ରତ୍ୟେକ ବୁଥ ପାଇଁ ୨ ଟି ଲେଖାଏଁ ଇଭିଏମ ରହିବ। ଅଧ୍ୟକ୍ଷ ପଦବୀ ଏବଂ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ୨ ଟି ଅଲଗା ଅଲଗା ଇଭିଏମ ରହିବ।

ଜାଣନ୍ତୁ କେଉଁଦିନ କଣ

ବିଜ୍ଞପ୍ତି ପ୍ରକାଶ- ଫେବୃୟାରୀ ୨୮

ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨

ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨

୧୪ ମାର୍ଚ୍ଚ ପର୍ଯ୍ୟନ୍ତ  : ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଭୋଟଦାନ : ୨୪ ମାର୍ଚ୍ଚ ୨୦୨୨

ଫଳାଫଳ : ୨୬ ମାର୍ଚ୍ଚ ୨୦୨୨

ଉପାଧ୍ୟକ୍ଷ ନିର୍ବାଚନ : ୭ ଏପ୍ରିଲ ୨୦୨୨

ଡେପୁଟି ମେୟର ନିର୍ବାଚନ : ୮ ଏପ୍ରିଲ ୨୦୨୨

Categories
ବିଶେଷ ଖବର

ରାଜ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ: କୋହଳ ହେଲା ନିର୍ବାଚନ ପ୍ରଚାର

ଭୁବନେଶ୍ବର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପ୍ରଚାର ବିଷୟରେ ନିର୍ବାଚନ କମିଶନର ନୂଆ ନିୟମ ଘୋଷଣା କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ପ୍ରଚାର ପାଇଁ କରୋନା କଟକଣାକୁ କୋହଳ କରାଯାଇଛି। ଏଣିକି ଘରକୁ ଘର ପ୍ରଚାର ପାଇଁ ୨୦ ଜଣ କର୍ମୀଙ୍କୁ ଅନୁମତି ମିଳିଛି। ପୂର୍ବରୁ ଏହା ୫ ଜଣକୁ ନେଇ ପ୍ରଚାର କରିବା ପାଇଁ ଅନୁମତି ମିଳିଥିଲା।

ସେହିଭଳି ଖୋଲା ଜାଗାରେ ୩୦୦ ଲୋକଙ୍କୁ ନେଇ ପ୍ରାର୍ଥୀମାନେ ପ୍ରଚାର କରିପାରିବେ। କିନ୍ତୁ ସଂପୂର୍ଣ୍ଣ କରୋନା କଟକଣା ମଧ୍ୟରେ ସଭା ଅନୁଷ୍ଠିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସ୍କ ପରିଧାନ, ସାମାଜିକ ଦୁରତ୍ଵ ଉପରେ ଗୁରୁତ୍ଵ ଦେବାକୁ କୁହାଯାଇଛି। ତେବେ ପୂର୍ବଭଳି ସାଇକେଲ କିମ୍ବା ମୋଟରସାଇକେଲ ରାଲି ଉପରେ କଟକଣା ବଳବତ୍ତର ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ବଜେଟ ଦଳିତ ଆଦିବାସୀଙ୍କ ପାଇଁ ନୈରାଶ୍ୟଜନକ: ଆମ୍ବେଦକର ଲୋହିଆ ବିଚାରମଞ୍ଚ

ଭୁବନେଶ୍ୱର: ଗତ ଫେବୃୟାରୀ ୧ ତାରିଖ ଦିନ ଦେଶର ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ବଜେଟ ୨୦୨୨-୨୩ ସଂସଦରେ ଆଗତ କରିଛନ୍ତି। ଏହି ବଜେଟ ଦେଶର ପ୍ରାୟ ୩୫କୋଟି ଦଳିତ ଆଦିବାସୀଙ୍କ ପାଇଁ ନୈରାଶ୍ୟଜନକ ଓ ଏହି ବର୍ଗ ପାଇଁ ଉଦ୍ଦିଷ୍ଟ ବିକାଶ ନୀତିର ପରିପନ୍ଥୀ ଏବଂ ସେଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବୋଲି ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ବିଚାରମଞ୍ଚ ପକ୍ଷରୁ କୁହାଯାଇଛି। ସଂସଦରେ ଆଲୋଚନା କାଳରେ ଏଥିରେ ଯଥାଯଥ ସଂଶୋଧନ କରିବାକୁ ୯ ଦଫା ପ୍ରସ୍ତାବ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି।

ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‘ଏନ୍‌ସିଡ଼ିଏଚ୍‌ଆର ଓ ଦଳିତ ଆର୍ଥିକ ଅଧିକାର ଆନ୍ଦୋଳନ’ ପକ୍ଷରୁ କରାଯାଇଥିବା ‘ଦଳିତ ଆଦିବାସୀ ବଜେଟ ବିଶ୍ଲେଷଣ ରିପୋର୍ଟ-୨୦୨୨’କୁ ଲୋକାର୍ପଣ କରାଯାଇ ଚଳିତବର୍ଷ ବଜେଟରେ ରହିଥିବା ଅସଙ୍ଗତିଗୁଡ଼ିକ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ପ୍ରାଥମିକ ସ୍ତରରେ ମୋଟ ସରକାରୀ ଖର୍ଚ୍ଚ ୩୯.୪୪ ଲକ୍ଷ କୋଟି ଟଙ୍କା ଦର୍ଶାଯାଇଥିଲା ବେଳେ ବିଭିନ୍ନ ପବ୍ଲିକ ଏଣ୍ଟରପ୍ରାଇଜରେ ୪.୬୯ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ଦଳିତ ଓ ଆଦିବାସୀବର୍ଗଙ୍କ ତ୍ୱରିତ ବିକାଶ ପାଇଁ ଅଭିପ୍ରେତ ଅନୁସୂଚିତ ଜାତି ମଙ୍ଗଳ ଆବଣ୍ଟନ ଓ ଅନୁସୂଚିତ ଜନଜାତି ମଙ୍ଗଳ ଆବଣ୍ଟନ ଯଥାକ୍ରମେ ୧,୪୨,୩୪୨ କୋଟି ଓ ୮୯,୨୬୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଏହି ବଜେଟରେ ଆଗତ କରାଯାଇଛି । ସାମଗ୍ରିକ ଭାବରେ ଦଳିତ ଆଦିବାସୀ ବଜେଟ ଗତବର୍ଷ ତୁଳନାରେ ମୋଟ ୨୫,୪୦୬ କୋଟି ଟଙ୍କା ବୃଦ୍ଧି ଘଟିଥିଲା ବେଳେ ବ୍ୟୟବରାଦ କରାଯାଇଥିବା ଅର୍ଥର ୬୨% ଓ ୫୧% ଅର୍ଥ ଯଥାକ୍ରମେ ଏସ୍‌.ସି. ଓ ଏସ୍‌.ଟିମାନଙ୍କର ସିଧାସଳଖ ବିକାଶ ପାଇଁ ଉପଯୋଗୀ ନହୋଇ ସାଧାରଣ ସ୍କିମ୍‌ଗୁଡ଼ିକରେ ବିନିଯୋଗ ହେବାର ପ୍ରସ୍ତାବ ଏହି ଦୁଇବର୍ଗ ମଧ୍ୟରେ ନିରାଶା ସୃଷ୍ଟି କରିଛି।

ବିବରଣୀରୁ ଜଣାଯାଏ ଯେ, ନୀତି ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏସ୍‌.ସି. ଓ ଏସ୍‌.ଟିମାନଙ୍କ ପାଇଁ ଯେତିକି ପରିମାଣର ବ୍ୟୟବରାଦ କରାଯିବା କଥା, ସେଥିରୁ ଯଥାକ୍ରମେ ୪୦,୬୩୪ କୋଟି ଟଙ୍କା ଓ ୯,୩୯୯ କୋଟି ଟଙ୍କା କମ୍ ଅର୍ଥର ପ୍ରସ୍ତାବ ଚଳିତବର୍ଷ ବଜେଟରେ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୫ବର୍ଷ ମଧ୍ୟରେ ଏହି ଗାଇଡ଼ଲାଇନ ଅନୁଯାୟୀ ଏସ.ସି.ମାନଙ୍କ ଆବଣ୍ଟନରୁ ୨,୫୨,୧୮୧କୋଟି ଟଙ୍କା ଓ ଏସ୍‌.ଟି. ଆବଣ୍ଟନରୁ ୮୯,୯୭୨ କୋଟି ଟଙ୍କା କମ୍ ଅର୍ଥ ବଜେଟରେ ବ୍ୟବସ୍ଥା କରାଯାଇଛି। ଗତବର୍ଷର କୋଭିଡ଼ ମହାମାରୀରେ ଭୟଙ୍କର ଭାବରେ ପ୍ରଭାବିତ ହୋଇଥିବା ଦଳିତ ଆଦିବାସୀବର୍ଗଙ୍କ ମହାମାରୀ ଜନିତ ପ୍ରଭାବ ପ୍ରଶମିତ କରିବା ପାଇଁ କୌଣସି ଗୋଟିଏ ନୂତନ ଯୋଜନା ଘୋଷଣା ବା ପ୍ରସ୍ତାବନା କରାଯାଇ ନାହିଁ; ଅପରପକ୍ଷରେ ସଫେଇ କର୍ମଚାରୀମାନଙ୍କ ଆତ୍ମନିଯୁକ୍ତି ଓ ଥଇଥାନ ପାଇଁ ଗତବର୍ଷ ୧୦୦କୋଟି ଟଙ୍କା ରହିଥିଲା ବେଳେ ଚଳିତବର୍ଷ ୭୦କୋଟି ଟଙ୍କାକୁ ହ୍ରାସ କରାଯାଇଛି ଏବଂ ସଫେଇ କର୍ମଚାରୀ ଉନ୍ନୟନ ଅର୍ଥ ନିଗମ ବାବଦକୁ ଗତବର୍ଷ ୫୦କୋଟି ଟଙ୍କାରୁ ୨୫ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ପ୍ରକାଶଯୋଗ୍ୟ ଯେ, ୨୦୨୧ ମସିହା ଅଗଷ୍ଟମାସ ସୁଦ୍ଧା ୯୪୧ଜଣ ବ୍ୟକ୍ତି ସ୍ୱରେଜ ସଫେଇ ସମୟରେ ମୃତ୍ୟୁବରଣ କରିଛନ୍ତି।

ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ଅର୍ଥ ବରାଦ ଦର୍ଶାଯାଇଥିଲା ବେଳେ ସେଥିରୁ ୪୮୨୦ କୋଟି ଟଙ୍କା ଏସ୍‌.ସି, ଏସ୍‌.ଟି ଛାତ୍ରଛାତ୍ରୀଙ୍କ ସିଧାସଳଖ ବିକାଶ ଦିଗରେ ବିନିଯୋଗ ହେବନାହିଁ କିନ୍ତୁ ତାହା ଏସ୍‌.ସି ଓ ଏସ୍‌.ଟି ମଙ୍ଗଳ ଆବଣ୍ଟନରେ ଦର୍ଶାଯାଇଛି। ଏସ୍‌.ସି., ଏସ୍‌.ଟି ଛାତ୍ରଛାତ୍ରୀଙ୍କ ବିଦେଶରେ ଶିକ୍ଷା ପାଇଁ ୩୬କୋଟି, ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ୩୬କୋଟି, ଜାତୀୟ ମେରିଟ ସ୍କଲାରସିପ୍ ପାଇଁ ୬୬କୋଟି ଓ କଲେଜ ତଥା ବିଶ୍ୱବିଦ୍ୟାଳୟ ସ୍କଲାରସିପ୍ ପାଇଁ ୩୦କୋଟି ଟଙ୍କା ପ୍ରସ୍ତାବ ରହିଥିଲା ବେଳେ ଏସ୍‌.ଟି ଛାତ୍ରଛାତ୍ରୀଙ୍କ ପାଇଁ ଯଥାକ୍ରମେ ୪ କୋଟି ଟଙ୍କା, ୧୭ କୋଟି ଟଙ୍କା, ୩୬ କୋଟି ଓ ୨୦ କୋଟି ଟଙ୍କାର ବ୍ୟୟବରାଦ ଏହି ବର୍ଗର ତ୍ୱରିତ ବିନାଶ ସାଧିତ ହେବା ନେଇ ଆଶଙ୍କା ସୃଷ୍ଟି କରିଛି।

ବିଚାରମଞ୍ଚର ସଭାପତି ସଂଗ୍ରାମ ମଲିକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳିତ ଆଦିବାସୀବର୍ଗର ବିଭିନ୍ନ ସଂଗଠନ ଓ ନେତୃତ୍ୱମାନେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ହାବଡ଼ା, ଅଭିରାମ ମଲ୍ଲିକ, ଲକ୍ଷ୍ମୀଧର ବେହେରା, ହଳଧର ସେଠୀ, ନନ୍ଦିନୀ ନାଏକ, ତପନ ନାଏକ, ସୁନାକର ବେହେରା, ଅଭିମନ୍ୟୁ ସେଠୀ, ଅରବିନ୍ଦ ମଲ୍ଲିକ, ମଧୁସ୍ମିତା ବେହେରା, ସଞ୍ଜୟ ମଲିକ, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।