ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ। ଭିଡ଼ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁଙ୍କୁ ଅଧିକ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରାଇବା ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ। ଏନେଇ ଉଚ୍ଚସ୍ତରୀୟ ବୈଠକ ପରେ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆସନ୍ତା ୩ରୁ ୪ ମାସ ମଧ୍ୟରେ ଶ୍ରୀମନ୍ଦିରରେ ପ୍ରସ୍ତାବିତ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ୫ଟି ରାମ୍ପ୍ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ରାମ୍ପ୍ରେ ଏକାସାଙ୍ଗରେ ପ୍ରାୟ ୫୦ ଜଣ ଭକ୍ତ ଦର୍ଶନ କରିପାରିବେ।
ନୂଆ ବ୍ୟବସ୍ଥାରେ ଭକ୍ତଙ୍କ ଦର୍ଶନ କ୍ଷମତା ବଢ଼ିବ। ପ୍ରସ୍ତାବିତ ଧାଡ଼ି ବ୍ୟବସ୍ଥା ଅନୁଯାୟୀ ପ୍ରତି ଘଣ୍ଟାରେ ପ୍ରାୟ ୮ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଏହା ଦ୍ୱାରା ଦୀର୍ଘ ସମୟ ଧାଡ଼ିରେ ଅପେକ୍ଷା କରିବା ସମସ୍ୟା କମିବା ସହ ଭିଡ଼ ମଧ୍ୟ ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଉଛି।
ତେବେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଲାଗୁ ପୂର୍ବରୁ ପାଇଲଟ୍ ମଡେଲ୍ ଆରମ୍ଭ କରାଯିବ। ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ମିଳିଛି। ପାଇଲଟ୍ ବ୍ୟବସ୍ଥା କେତେ ସଫଳ ହେଉଛି ଏବଂ ଏହାକୁ ନେଇ ଭକ୍ତଙ୍କ ପ୍ରତିକ୍ରିୟା କ’ଣ ରହୁଛି, ତାହାକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଶ୍ରୀମନ୍ଦିରରେ ଦୈନିକ ବଢ଼ୁଥିବା ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୂଆ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଭକ୍ତଙ୍କ ସୁବିଧା, ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ନିଶ୍ଚିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଆଗାମୀ କିଛି ମାସ ମଧ୍ୟରେ ଏହି ବ୍ୟବସ୍ଥା ପୂରାପୂରି ଲାଗୁ ହେଲେ ଶ୍ରୀମନ୍ଦିର ଦର୍ଶନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ଆସିବ।


