Categories
ଆଜିର ଖବର ଜାତୀୟ ଖବର

ହିମାଚଳ ପ୍ରଦେଶର ଚାମ୍ବାରେ ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରି ଆଜି ହିମାଚଳ ପ୍ରଦେଶର ଚାମ୍ବା ଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର (ପିଏମ୍‌ଜିଏସ୍‌ୱାଇ) – ୩ୟ ପର୍ଯ୍ୟାୟକୁ ଆରମ୍ଭ କରିଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଦୁଇ ଦିନ ପୂର୍ବେ ସେ ମହାକାଳ ସହର ପରିଦର୍ଶନ କରିଥିଲେ ଏବଂ ଆଜି ସେ ମଣି ମହେଶ୍ୱରଙ୍କ ଆଶ୍ରୟ ସ୍ଥଳକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ସେହି ଅଂଚଳର ଜଣେ ଶିକ୍ଷକଙ୍କଠାରୁ ସେ ପାଇଥିବା ଏକ ଚିଠି ସମ୍ପର୍କରେ ସ୍ମରଣ କରିଥିଲେ,  ଯିଏକି ପ୍ରଧାନମନ୍ତ୍ରୀଙ୍କ ସହିତ ଚାମ୍ବା ବିଷୟରେ ଅନେକ ତଥ୍ୟ ବାଂଟିଥିଲେ। ଏହି ଚିଠିକୁ ପ୍ରଧାନମନ୍ତ୍ରୀ ମନ କି ବାତ୍‌ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିତ କରିଥିଲେ।

ଚାମ୍ବା ଏବଂ ଅନ୍ୟାନ୍ୟ ଅପହଂଚ ଇଲାକାରେ ରହିଥିବା ଗ୍ରାମ ଗୁଡିକ ପାଇଁ ସଡ଼କ ସଂଯୋଗୀକରଣ କରିବା ଏବଂ ରୋଜଗାର ସୃଷ୍ଟି କରିବା ନିମନ୍ତେ ଏକାଧିକ ପ୍ରକଳ୍ପ ଆରମ୍ଭ କରିବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିଥିଲେ। ହିମାଚଳ ପ୍ରଦେଶରେ ରହିଥିବା ତାଙ୍କ ପୁରୁଣା ଦିନ ଗୁଡିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପୁର୍ବରୁ ରହିଥିବା ଲୋକକଥା ‘ପାହାଡ କା ପାନି ଅର୍ ପାହାଡ କି ଜାୱାନୀ ପାହାଡ କେ କାମ ନହିଁ ଆତି’  ଅର୍ଥାତ୍  ପାହାଡର ପାଣି ଏବଂ ପାହାଡର ଯୌବନ ପାହାଡର କାମରେ ଆସି ନଥାଏ’ ଏବେ ପରିବର୍ତ୍ତତ ହୋଇ ଯାଇଛି। “ଏବେ ପାହାଡିଆ ଅଂଚଳର ଯୁବକ ମାନେ ଏହି ଅଂଚଳର ବିକାଶ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ” ବୋଲି ସେ କହିଥିଲେ।

୧୩୦ କୋଟି ଭାରତୀୟଙ୍କ ପାଇଁ ଆସନ୍ତା ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, “ଭାରତର ଆଜାଦିର ଅମୃତ କାଳ ଏବେ ଆରମ୍ଭ ହୋଇଛି ଯେଉଁଥିରେ ଆମକୁ ଭାରତକୁ ଏକ ବିକଶିତ ଦେଶ କରିବା ନିମନ୍ତେ ଲକ୍ଷ୍ୟକୁ ପୂରଣ କରିବାକୁ ପଡିବ। ଆସନ୍ତା କିଛି ମାସ ମଧ୍ୟରେ, ହିମାଚଳ ପ୍ରଦେଶ ପ୍ରତିଷ୍ଠାର ୭୫ ବର୍ଷ ମଧ୍ୟ ପୂର୍ଣ୍ଣ ହେବାକୁ ଯାଉଛି। ଅର୍ଥାତ୍ ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ, ହିମାଚଳ ମଧ୍ୟ ଏହାର ପ୍ରତିଷ୍ଠା ହେବାର ୧୦୦ ବର୍ଷ ପୂର୍ତ୍ତିକୁ ପାଳନ କରିବ। ସେହି କାରଣରୁ ଆସନ୍ତା ୨୫ ବର୍ଷର ପ୍ରତ୍ୟେକ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ” ବୋଲି ପ୍ରଧାନମନ୍ତ୍ରୀ ବିଷଦ ଭାବେ କହିଥିଲେ।

ପ୍ରଧାନମନ୍ତ୍ରୀ ସେହି ଦିନ ଗୁଡ଼ିକୁ ମନେ ପକାଇ ଥିଲେ, ଯେତେବେଳେ ହିମାଚଳ ପ୍ରଦେଶର ଦିଲ୍ଲୀ ଉପରେ ବହୁତ କମ୍ ପ୍ରଭାବ ଥିଲା ଏବଂ ଏହି ରାଜ୍ୟର ଦାବି ଗୁଡିକୁ ଏବଂ ଅନୁରୋଧକୁ ଅଣଦେଖା କରା ଯାଉଥିଲା, ଯାହା ଫଳରେ ଚାମ୍ବା ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱାସ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନ ବିକାଶର ଦୌଡରେ ପଛରେ ରହି ଯାଇଥିଲା। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ସେ ଚାମ୍ବାର ଶକ୍ତି ବିଷୟରେ ଅବଗତ ଥିବାରୁ ଏହାକୁ ଆକାଂକ୍ଷୀ  ଜିଲ୍ଲା ଭାବରେ ବିଶେଷ ଧ୍ୟାନ ଦିଆ ଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତର ଉତ୍ସାହ ଉଦ୍ଦୀପନା ଯୋଗୁଁ ପିଲାମାନେ ଏବେ କେରଳରୁ ହିମାଚଳକୁ ଆସି ପାରୁଛନ୍ତି, ତାହାକୁ ନେଇ ସେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯେ ହିମାଚଳ ଆଜି ଡବଲ ଇଞ୍ଜିନ ବିଶିଷ୍ଟ ସରକାରଙ୍କ ଶକ୍ତିକୁ ହୃଦୟଙ୍ଗମ କରି ପାରିଛି, ଯାହା ଏହି ରାଜ୍ୟରେ ବିକାଶର ଗତିକୁ ଦ୍ୱିଗୁଣିତ କରିଛି। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ପୂର୍ବରୁ କ୍ଷମତାରେ ରହିଥିବା ସରକାର କେବଳ ସେହି ଅଂଚଳରେ ସେବା ଯୋଗାଇ ଦେଉଥିଲେ,  ଯେଉଁ ସ୍ଥାନରେ  କାର୍ଯ୍ୟ ଏବଂ ଚାପର ଭାର କମ୍ ରହିଥିଲା ଏବଂ ରାଜନୈତିକ ଲାଭ ଅଧିକ ରହୁଥିଲା। ଏହାର ଫଳସ୍ୱରୂପ, ଦୂରଦୂରାନ୍ତ ଇଲାକାର ତଥା ଆଦିବାସୀ ଅଂଚଳର ବିକାଶ ହାର ଯଥେଷ୍ଟ କମ୍ ରହିଥିଲା। ଏବେ ସଡକ ପଥ ହେଉ, ବିଦ୍ୟୁତ୍ ସଂଯୋଗ ହେଉ କିମ୍ବା ଜଳ ହେଉ, ଏହି ଅଂଚଳର ପ୍ରତ୍ୟେକ ଲୋକ ଲାଭ ପାଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। “ଡବଲ୍ ଇଞ୍ଜିନ ବିଶିଷ୍ଟ ସରକାରଙ୍କର କାର୍ଯ୍ୟ ଶୈଳୀ ଅନ୍ୟ ମାନଙ୍କ ଅପେକ୍ଷା ଭିନ୍ନ ହୋଇଥାଏ। ଆମର ପ୍ରାଥମିକତା ହେଉଛି କିପରି ଭାବେ ଲୋକଙ୍କ ଜୀବନକୁ ସହଜ କରା ଯାଇ ପାରିବ। ସେଥିପାଇଁ ଆମେ ଆଦିବାସୀ ଅଂଚଳ ଏବଂ ପାହାଡିଆ ଅଂଚଳ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛୁ।”

ଗ୍ୟାସ ସଂଯୋଗ, ପାଇପ୍ ଜଳ, ସ୍ୱାସ୍ଥ୍ୟ ସେବା, ଆୟୁଷ୍ମାନ ଭାରତ ଏବଂ ସଡ଼କ ସଂଯୋଗୀକରଣ ଭଳି ଦୂରଦୂରାନ୍ତ ଏବଂ ପାହାଡ ଅଂଚଳରେ ଜୀବନ ବଦଳାଇବା ଭଳି ପଦକ୍ଷେପ ସମ୍ପର୍କରେ ସେ ତାଲିକା ଦେଇଥିଲେ। ସେ କହିଥିଲେ, “ଯଦି ଆମେ ଗ୍ରାମ ଗୁଡ଼ିକରେ କଲ୍ୟାଣ କେନ୍ଦ୍ର ତିଆରି କରୁଛୁ, ସେହି ସମାନ ସମୟରେ ଆମେ ଜିଲ୍ଲା ମାନଙ୍କରେ ମଧ୍ୟ ମେଡିକାଲ କଲେଜ ମଧ୍ୟ ଖୋଲୁଛୁ। ପର୍ଯ୍ୟଟନର ସୁରକ୍ଷା ପାଇଁ ହିମାଚଳକୁ ଟୀକାକରଣ କ୍ଷେତ୍ରରେ କିପରି ପ୍ରାଥମିକତା ଦିଆ ଯାଇଥିଲା ସେ ମଧ୍ୟ ତାଙ୍କ ସମ୍ବୋଧନରେ ଉଲ୍ଲେଖ କରିଥିଲେ। ସାରା ଦେଶରେ  ଦ୍ରୁତତମ ଶତ ପ୍ରତିଶତ ଟୀକାକରଣ ଲକ୍ଷ୍ୟରେ ପହଂଚିଥିବାରୁ ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଥିଲେ।

ଗ୍ରାମୀଣ ସଡକ ନିର୍ମାଣ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ପର ଠାରୁ ୨୦୧୪ ପର୍ଯ୍ୟନ୍ତ ୧୮୦୦ କୋଟି ଟଙ୍କା ବ୍ୟୟ ସହିତ ୭୦୦୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଗ୍ରାମାଂଚଳ ରାସ୍ତା ନିର୍ମାଣ କରା ଯାଇଥିଲା। କିନ୍ତୁ ଗତ ୮ ବର୍ଷ ମଧ୍ୟରେ ୫୦୦୦ କୋଟି ଟଙ୍କାର ବ୍ୟୟ ବରାଦରେ ୧୨,୦୦୦ କିଲୋମିଟର ରାସ୍ତା ନିର୍ମାଣ କରା ଯାଇଛି। ଆଜି ଆରମ୍ଭ ହୋଇଥିବା ଯୋଜନା ଗୁଡିକ ଯୋଗୁଁ ୩୦୦୦ କିଲୋମିଟର ଗ୍ରାମୀଣ ସଡକ ସୃଷ୍ଟି ହେବ ବୋଲି ସେ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ହିମାଚଳ ପ୍ରଦେଶ ଅନୁରୋଧ ଏବଂ ଦାବି ନେଇ ଦିଲ୍ଲୀ ଆସୁଥିବାର ସମୟ ଏବେ ଅତିବାହିତ ହୋଇ ଯାଇଛି।  ବର୍ତ୍ତମାନ ହିମାଚଳ ନୂତନ ପ୍ରକଳ୍ପ ଗୁଡିକ ସମେତ ଏବଂ ଏହାର ପ୍ରଗତି  ଏବଂ ଏହାର ଅଧିକାର ପାଇଁ ସବିଶେଷ ତଥ୍ୟ  ସହିତ ଦାବି କରୁଛି। “ଆପଣ ମାନଙ୍କର (ଲୋକ ମାନଙ୍କର) ଆଦେଶ ମୋ ପାଇଁ ସର୍ବୋପରି ଅଟେ। ଆପଣ ମାନେ ମୋର ହାଇ କମାଣ୍ଡ। ମୁଁ ଏହାକୁ ମୋର ଭାଗ୍ୟ ବୋଲି ବିବେଚନା କରେ, ସେଥିପାଇଁ ଆପଣ ମାନଙ୍କର ସେବା କରିବା ମୋତେ ଭିନ୍ନ ଆନନ୍ଦ ଦେଇଥାଏ ଏବଂ ମୋତେ ଶକ୍ତି ପ୍ରଦାନ କରିଥାଏ ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଗତ ୮ ବର୍ଷ ମଧ୍ୟରେ ହୋଇଥିବା ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ପାହାଡ଼ିଆ ଅଂଚଳରେ, ଅପହଂଚ ଇଲାକାରେ, ସମଗ୍ର ଦେଶରେ ଆଦିବାସୀ ଅଂଚଳରେ ଦ୍ରୁତ ବିକାଶର ଏକ ମହା ଯଜ୍ଞ ଚାଲିଛି।” ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ , ଏହାର ଲାଭ କେବଳ ହିମାଚଳର ଚାମ୍ବା ମଧ୍ୟରେ ସୀମିତ ନୁହେଁ ବରଂ ପାଙ୍ଗି – ଭରାମର, ଛୋଟ – ବଡ ଭଙ୍ଗାଲ, ଗିରିମ୍ପର, କିନ୍ନୁର ଏବଂ ଲାହଲ – ସ୍ପିଟି ଭଳି ଅଂଚଳ ମଧ୍ୟ ଏହାର ଲାଭ ପାଉଛନ୍ତି। ଆକାଂକ୍ଷୀ ଜିଲ୍ଲା ଗୁଡିକର ବିକାଶ ମାନ୍ୟତାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା କାରଣରୁ ସେ ଚାମ୍ବା ଜିଲ୍ଲାକୁ ଶୁଭେଚ୍ଛା ଜଣେଇ ଥିଲେ।

ଆଦିବାସୀ ସମ୍ପ୍ରଦାୟର ବିକାଶ ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସିର୍ମାଉରର ଗିରିପର ଅଂଚଳର ହାତୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ କରି ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଆଦିବାସୀ ଲୋକ ମାନଙ୍କର ବିକାଶ ପାଇଁ ଆମ ସରକାର କେତେ ଗୁରୁତ୍ୱ ଦେଉଛନ୍ତି ଏହି ନିଷ୍ପତ୍ତି ତାହାକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିମାଚଳରେ ପୂର୍ବରୁ କ୍ଷମତାରେ ଥିବା ସରକାର ଏବଂ ପୂର୍ବର କେନ୍ଦ୍ର ସରକାର କେବଳ ନିର୍ବାଚନ ସମୟରେ ଦୂରଦୂରାନ୍ତରେ ଥିବା ଗ୍ରାମ ତଥା ଆଦିବାସୀ ଗ୍ରାମ ବିଷୟରେ ଚିନ୍ତା କରୁଥିଲେ, କିନ୍ତୁ ଆଜିର ଡବଲ ଇଞ୍ଜିନ୍ ବିଶିଷ୍ଟ ସରକାର ଚବିଶ ଘଂଟା ଲୋକ ମାନଙ୍କର ସେବା କରିବାକୁ ଚେଷ୍ଟା କରୁଛନ୍ତି। କରୋନା ମହାମାରୀ ସମୟରେ ଗରିବ ପରିବାରକୁ ରିଲିଫ ଯୋଗାଇବା ପାଇଁ ସରକାରଙ୍କ ଉଦ୍ୟମକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମାଗଣା ରାସନ ପ୍ରଦାନ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଗତ ଦେଢ଼ ବର୍ଷ ହେଲା ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ଭାରତ ସରକାର କିଭଳି ଖାଦ୍ୟ ଶସ୍ୟ ଯୋଗାଉଛନ୍ତି, ତାହାକୁ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇ ଦେଖୁଛି। ଶ୍ରୀ ମୋଦୀ ଭାରତରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ଏହାର ସଫଳତାର ଶ୍ରେୟ  ସେ ସ୍ୱାସ୍ଥ୍ୟ ବିଭାଗ ଏବଂ ଆଶା କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣକୁ ମଧ୍ୟ ଦେଇଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, “ବିକାଶର ଏପରି କାର୍ଯ୍ୟ କେବଳ ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ସେବା ନିମନ୍ତେ ଇଚ୍ଛା ଶକ୍ତି ମଜଭୁତ ଥାଏ।”

ରୋଜଗାର କ୍ଷେତ୍ରରେ ପାହାଡ଼ିଆ ଏବଂ ଆଦିବାସୀ ଅଂଚଳ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଏହି ଅଂଚଳର ଶକ୍ତିକୁ ଏଠାକାର ଲୋକଙ୍କ ଶକ୍ତିରେ ପରିଣତ କରିବାକୁ ଚେଷ୍ଟା କରୁଛୁ। ସେ କହିଥିଲେ ଯେ ଆଦିବାସୀ ଅଂଚଳରେ ଜଳ ଓ ଜଙ୍ଗଲର ସମ୍ପଦ ଅମୂଲ୍ୟ ଅଟେ। ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ ଚାମ୍ବା ହେଉଛି ସେହି ଅଂଚଳ, ଯେଉଁଠାରେ ଜଳ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ ଯେ ଯେଉଁ ପ୍ରକଳ୍ପ ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରା ଯାଇଛି, ତାହା ଶକ୍ତି ଉତ୍ପାଦନ କ୍ଷେତ୍ରରେ ଚାମ୍ବା ଏବଂ ହିମାଚଳର ଅଂଶକୁ ବୃଦ୍ଧି କରିବ। ସେ ଆହୁରି ମଧ୍ୟ କହିଥିଲେ ଯେ, “ହିମାଚଳର ଚାମ୍ବା ଏଠାରେ ଉତ୍ପାଦିତ ବିଦ୍ୟୁତ୍‌ରୁ ଶହ ଶହ କୋଟି ଟଙ୍କା ରୋଜଗାର କରିବ ଏବଂ ଏହି ସ୍ଥାନର ଯୁବକମାନେ ନିଯୁକ୍ତି ସୁଯୋଗ ପାଇ ପାରିବେ”। “ଗତ ବର୍ଷ ମଧ୍ୟ ମୁଁ ଏହିପରି ୪ ଟି ବଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ନିମନ୍ତେ ସୁଯୋଗ ଲାଭ କରିଥିଲି। କିଛି ଦିନ ପୂର୍ବରୁ ବିଳାସପୁର ଠାରେ ଆରମ୍ଭ ହୋଇଥିବା ହାଇଡ୍ରୋ ଇଞ୍ଜିନିୟରିଂ କଲେଜ ମଧ୍ୟ ହିମାଚଳର ଯୁବକ ମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ” ବୋଲି ସେ କହିଥିଲେ।

ଉଦ୍ୟାନ କୃଷି, ପଶୁ ପାଳନ ଏବଂ ହସ୍ତଶିଳ୍ପ ଏବଂ କଳା କ୍ଷେତ୍ରରେ ହିମାଚଳର ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଫୁଲ, ଚାମ୍ବା ଅଂଚଳର ଚୁଖ, ରାଜମା ମାଦ୍ରା, ଚାମ୍ବା ଚାପଲ, ଚାମ୍ବା ଥାଲ ଏବଂ ପାଙ୍ଗି କି ଥାଙ୍ଗୀ ଭଳି ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିଥିବାରୁ ପ୍ରଶଂସା କରିଥିଲେ। ସେ ଏହି ଉତ୍ପାଦ ଗୁଡ଼ିକୁ ଦେଶର ଐତିହ୍ୟ ବୋଲି ସେ କହିଥିଲେ। ଭୋକାଲ ଫର ଲୋକାଲ୍‌ର ଉଦାହରଣ ଦେଇ, ପ୍ରଧାନମନ୍ତ୍ରୀ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଉଦ୍ୟମ ହେତୁ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ସହିତ ଜଡିତ ମହିଳା ମାନଙ୍କୁ ବହୁତ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଏହି ଉତ୍ପାଦ ଗୁଡିକୁ ଏକ ଜିଲ୍ଲା ଏକ ଉତ୍ପାଦ ଯୋଜନା (ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରଡକ୍ଟ ସ୍କିମ୍ ) ଅଧୀନରେ ମଧ୍ୟ ପ୍ରୋତ୍ସାହନ ଦିଆ ଯାଉଛି ଏବଂ ସେ ଏହି ଜିନିଷ ଗୁଡ଼ିକୁ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ନିକଟରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ଦ୍ୱାରା ହିମାଚଳର ନାମ ସମଗ୍ର ବିଶ୍ୱରେ ପ୍ରଚାରିତ ହେବ ଏବଂ ଅଧିକ ଲୋକ ହିମାଚଳରେ ତିଆରି ଏହି ଉତ୍ପାଦ ଗୁଡିକ ବିଷୟରେ ଅବଗତ ହୋଇ ପାରିବେ।

ପ୍ରଧାନମନ୍ତ୍ରୀ କହିଥିଲେ “ଡବଲ୍ ଇଞ୍ଜିନ୍ ବିଶିଷ୍ଟ ସରକାର ହେଉଛି ଏମିତି ଏକ ସରକାର, ଯିଏ ଏହାର ସଂସ୍କୃତି, ଐତିହ୍ୟ ଏବଂ ବିଶ୍ୱାସକୁ ସମ୍ମାନ କରେ। ଚାମ୍ବା ସମେତ, ସମଗ୍ର ହିମାଚଳ ବିଶ୍ୱାସ ଏବଂ ଐତିହ୍ୟର ଭୂମି ଅଟେ। ” ହିମାଚଳ ପ୍ରଦେଶର ଐତିହ୍ୟ ଏବଂ ପର୍ଯ୍ୟଟନର ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କୁଲ୍ଲୁ ଠାରେ ଅନୁଷ୍ଠିତ  ଦଶହରା ମହୋତ୍ସବରେ ଯୋଗ ଦେବା ପାଇଁ ତାଙ୍କର ଗସ୍ତକୁ ମନେ ପକାଇ କହିଥିଲେ ଯେ, ଗୋଟିଏ ପଟେ ଆମର ଐତିହ୍ୟ ରହିଥିବା ବେଳେ  ଅନ୍ୟ ପଟେ ପର୍ଯ୍ୟଟନ ରହିଛି। ଡାଲହାଉସି ଏବଂ ଖଜିଆର୍ ପରି ପର୍ଯ୍ୟଟନ ସ୍ଥଳୀ ହିମାଚଳ ପାଇଁ ଆଧ୍ୟାତ୍ମିକତା ଏବଂ ପର୍ଯ୍ୟଟନ ସମ୍ପଦ ଦୃଷ୍ଟିରୁ ଏକ ପ୍ରେରଣାର ଶକ୍ତି ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ, “କେବଳ ଡବଲ ଇଞ୍ଜିନ୍ ବିଶିଷ୍ଟ ସରକାର ଏହି ଶକ୍ତିକୁ ସ୍ୱୀକୃତି ଦେଇଥାଏ। ହିମାଚଳ ନିଜେ ମନସ୍ଥ କରିଛି ଏବଂ ଏହା ପୁରୁଣା ପ୍ରଥାକୁ ପରିବର୍ତ୍ତନ କରିବ ଏବଂ ଏକ ନୂତନ ପରମ୍ପରା ସୃଷ୍ଟି କରିବ। ”

ଏହି ବିଶାଳ ସମାବେଶକୁ ସମ୍ବୋଧନ କରି ତାଙ୍କ ବକ୍ତବ୍ୟ ଶେଷ କରିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବିଶାଳ ସମାବେଶରେ ସେ ହିମାଚଳର ଅଭିବୃଦ୍ଧି ଏବଂ ସଂକଳ୍ପର ଶକ୍ତିକୁ ଦେଖୁଛନ୍ତି। ହିମାଚଳ ପ୍ରଦେଶର ଲୋକଙ୍କ ସଂକଳ୍ପ ଏବଂ ସ୍ୱପ୍ନକୁ ପୂରଣ କରିବାରେ ତାଙ୍କର ନିରନ୍ତର ସମର୍ଥନ ରହିବ ବୋଲି ସେ ନିଶ୍ଚିତ କରିଥିଲେ।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର, ସଂସଦର ସଦସ୍ୟ କିଶନ କପୁର, ଇନ୍ଦୁ ଗୋସ୍ୱାମୀ ଏବଂ ବିଜେପି ରାଜ୍ୟ ସଭାପତି ସୁରେଶ କାଶ୍ୟପ ଏହି କାର୍ଯ୍ୟକ୍ରମରେ  ଉପସ୍ଥିତ ଥିଲେ।

ପୃଷ୍ଠଭୂମି:

ପ୍ରଧାନମନ୍ତ୍ରୀ ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପ – ୪୮ ମେଗାୱାଟ ଚାନଜୁ -୩ ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପ ଏବଂ ୩୦ ମେଗାୱାଟ ଦେଓଥାଲ ଚାନଜୁ ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଦୁଇଟି ପ୍ରକଳ୍ପରୁ ବାର୍ଷିକ ୨୭୦ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହେବ ଏବଂ ହିମାଚଳ ପ୍ରଦେଶ ଏହି ପ୍ରକଳ୍ପ ଗୁଡିକରୁ ପ୍ରାୟ ୧୧୦ କୋଟି ଟଙ୍କା ବାର୍ଷିକ ପ୍ରାୟ ଆୟ କରିବ ବୋଲି ଆଶା କରା ଯାଉଛି।

ଏହି ରାଜ୍ୟରେ ପ୍ରାୟ ୩୧୨୫ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମ୍‌ଜିଏସ୍‌ୱାଇ) – ୩ୟ ପର୍ଯ୍ୟାୟକୁ ଆରମ୍ଭ କରିଥିଲେ। ରାଜ୍ୟର ୧୫ ଟି ସୀମା ତଥା ଦୂରଦୂରାନ୍ତରେ ରହିଥିବା ୪୪୦ କିଲୋମିଟର ରାସ୍ତାର ନବୀକରଣ ପାଇଁ ଏହି ପର୍ଯ୍ୟାୟରେ କେନ୍ଦ୍ର ସରକାର ୪୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଚତୁର୍ଥ ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପିଏମ ମୋଦୀ

ଶିମଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ଉନା ରେଳ ଷ୍ଟେସନରୁ ଦେଶର ଚତୁର୍ଥ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ହିମାଚଳ ପ୍ରଦେଶର ଅମ୍ବ ଆନ୍ଦୋରା ଷ୍ଟେସନ ମଧ୍ୟରେ ନୂଆଦିଲ୍ଲୀ ରେଳ ଷ୍ଟେସନ ପର୍ଯ୍ୟନ୍ତ ଚାଲିବ।

ଅଧିକାରୀ କହିଛନ୍ତି ଯେ, ନୂତନ ବନ୍ଦେ ଭାରତ ଟ୍ରେନ୍ ପୂର୍ବ ଟ୍ରେନ୍ ଅପେକ୍ଷା ଅଧିକ ଉନ୍ନତ ଏବଂ ହାଲୁକା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ବେଗରେ ଦୌଡିବାକୁ ସକ୍ଷମ ଅଟେ।

ବୁଧବାର ବ୍ୟତୀତ ସପ୍ତାହରେ ୬ ଦିନ ଟ୍ରେନ୍ ଚଳାଚଳ କରିବ ଏବଂ ଅମ୍ବାଲା, ଚଣ୍ଡିଗଡ଼, ଆନନ୍ଦପୁର ସାହିବ ଏବଂ ଉନାରେ ଅଟକି ରହିବ। ଏହା ମାତ୍ର ୫୨ ସେକେଣ୍ଡରେ ୧୦୦ କିଲୋମିଟର ଗତିଧରିବ। ଏହି ଟ୍ରେନର ପରିଚୟ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ଏବଂ ଏକ ଆରାମଦାୟକ ଏବଂ ଦ୍ରୁତ ଯାତ୍ରା ଯୋଗାଇବ।

Categories
ଆଜିର ଖବର ଜାତୀୟ ଖବର

ହିମାଚଳ ପ୍ରଦେଶରେ ୱାଟର ସ୍ପୋର୍ଟସ ସେଣ୍ଟର ଉଦଘାଟନ କଲେ ଅନୁରାଗ ସିଂହ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ରବିବାର ପୂର୍ବାହ୍ନରେ ହିମାଚଳ ପ୍ରଦେଶର ବିଳାସପୁରର କୋଲଡେମ ବରମାନା ଠାରେ ଏକ ୱାଟର ସ୍ପୋର୍ଟସ ସେଣ୍ଟର ଉଦଘାଟନ କରିଛନ୍ତି। ହିମାଚଳ ପ୍ରଦେଶରେ ଏହି ଅଭିନବ ୱାଟର ସ୍ପୋର୍ଟସ ସେଣ୍ଟର ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଓ ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନଟିପିସି)ର ମିଳିତ ଭାବେ ଆରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମ ଅବସରରେ ସାଇ ଓ ଏନଟିପିସି ମଧ୍ୟ ବୁଝାମଣାପତ୍ର ହସ୍ତାନ୍ତର ହୋଇଛି ।

ଖୁବ କମ ସମୟ ଅବଧି ମଧ୍ୟରେ ସ୍ଥାପିତ ହୋଇଥିବା ଏହି କେନ୍ଦ୍ର ସମ୍ପର୍କରେ ଅନୁରାଗ ସିଂହ ଠାକୁର କହିଛନ୍ତି “ମାତ୍ର ଗୋଟିଏ ମାସ ମଧ୍ୟରେ ହିଁ ୱାଟର ସ୍ପୋର୍ଟସ ବ୍ୟବସ୍ଥା ହୋଇପାରିଛି ଓ ସାଇ ଏବଂ ଏନଟିପିସି ଅଧିକାରୀମାନେ ଏହା ସମ୍ଭବ କରି ପାରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ରୋଇଂ, କାୟାକିଂ ଓ କାନୋଇଂରେ ଭାଗ ନେବା ପାଇଁ ୪୦ ଜଣ ଖେଳାଳିଙ୍କୁ ଚୟନ କରାଯିବ। ଅତ୍ୟାଧୁନିକ ଉପକରଣ ସହ ଏଠାରେ ପୁରୁଷ ଏବଂ ମହିଳାଙ୍କ ପାଇଁ ହଷ୍ଟେଲ ଓ ତାଲିମ ସୁବିଧା ରହିଛି। ଏହି କେନ୍ଦ୍ରରେ ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବା ନେଇ ବିଶ୍ୱାସ ରହିଛି।”

ରୋଇଂ, କାୟାକିଂ ଓ କାନୋଇଂ ଭଳି ୱାଟର ସ୍ପୋର୍ଟସ କ୍ରୀଡାବିତମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏହି କେନ୍ଦ୍ର ସମର୍ପିତ ରହିବ।

କାର୍ଯ୍ୟକ୍ରମ ଅବସରରେ ଶ୍ରୀ ଠାକୁର ଗୁଜୁରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ବିଜେତା ହିମାଚଳ ପ୍ରଦେଶର କବାଡି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି।

Categories
ଧର୍ମ ବିଶେଷ ଖବର

ମୁଁ ଚୀନ୍ ପରିବର୍ତ୍ତେ ଭାରତରେ ମରିବାକୁ ପସନ୍ଦ କରିବି… ‘କାହିଁକି ଏପରି କହିଲେ ଦଲାଇ ଲାମା?, ଜାଣନ୍ତୁ

ଧର୍ମଶାଳା (ହିମାଚଳ ପ୍ରଦେଶ): ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମା ଆଜି କହିଛନ୍ତି ଯେ, ଚୀନ୍ ସେନା ଦ୍ୱାରା ଧରା ହେବା ପରିବର୍ତ୍ତେ ଭାରତର ସଚ୍ଚା ଆଉ ସ୍ନେହୀ ଲୋକ, ଏକ ସ୍ଵତନ୍ତ୍ର ତଥା ମୁକ୍ତ ଗଣତନ୍ତ୍ରରେ ଶେଷ ନିଶ୍ୱାସ ନେବାକୁ ପସନ୍ଦ କରିବି। ଆମେରିକା ଶାନ୍ତି ପ୍ରତିଷ୍ଠାନ (USIP) ଦ୍ଵାରା ହିମାଚଳ ପ୍ରଦେଶର ଧର୍ମଶାଳାସ୍ଥିତ ତାଙ୍କ ବାସଭବନରେ ଆୟୋଜିତ ଦୁଇ ଦିନିଆ ସମ୍ବାଦରେ ଯୁବ ନେତାମାନଙ୍କୁ ସମ୍ବୋଧିତ କରିବାବେଳେ ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ, “ମୁଁ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କହିଥିଲି ଯେ ମୁଁ ଆଉ ୧୫-୨୦ ବର୍ଷ ବଞ୍ଚିବି, ଏଥିରେ କୌଣସି ସନ୍ଦେହ ନାହିଁ। ମୁଁ ଯେତେବେଳେ ମରିବି, ସେତେବେଳେ ମୁଁ ଭାରତରେ ମାରିବା ପାଇଁ ବାଛିବି। ଭାରତ ଏପରି ଲୋକ ରହିଛନ୍ତି, ଯେଉଁମାନେ ପ୍ରେମ ପ୍ରଦର୍ଶନ କରନ୍ତି, ଏଠାରେ କୌଣସି ଦେଖେଇହେବା ଭଳି ଲୋକ ନାହାନ୍ତି। ” ଦଲାଇ ଲାମା କହିଛନ୍ତି ଯେ, “ଯଦି ମୁଁ ଚୀନ୍ ଅଧିକାରୀଙ୍କ ଦ୍ୱାରା ଧରା ହୋଇ ମରିଯାଏ… ଏହା ମୋ ପାଇଁ ଦୁଃଖର ବିଷୟ ହେବ। ମୁଁ ଏହି ଦେଶର ମୁକ୍ତ ଗଣତନ୍ତ୍ରରେ ମରିବାକୁ ପସନ୍ଦ କରିବି। ” ସେ ତାଙ୍କ ଫେସବୁକରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କହିଥିଲେ ଯେ, “ମୃତ୍ୟୁ ସମୟରେ … ଜଣେ ବିଶ୍ୱସ୍ତ ବନ୍ଧୁଙ୍କ ପାଖରେ ମାରିବା ଉଚିତ, ଯେଉଁମାନେ ପ୍ରକୃତରେ ଆପଣଙ୍କୁ ପ୍ରକୃତ ଭାବନା ଦେଖାନ୍ତି।

ଦଲାଇ ଲାମା ତାଙ୍କର ଆଧ୍ୟାତ୍ମିକ ଶିକ୍ଷା ଏବଂ ରାଜନୈତିକ ବିଚାର ପାଇଁ ଜଣାଶୁଣା, କିନ୍ତୁ ତାଙ୍କୁ ସାଧାରଣତଃ ଚୀନ୍ କର୍ତ୍ତୃପକ୍ଷ ସନ୍ଦେହରେ ଦେଖନ୍ତି। ଚୀନ୍ ଅଧିକାରୀମାନେ ତାଙ୍କୁ ପ୍ରାୟତଃ ଏକ ବିବାଦୀୟ ଏବଂ ବିଚ୍ଛିନ୍ନତାବାଦୀ ବ୍ୟକ୍ତିତ୍ୱ ବୋଲି ବିବେଚନା କରନ୍ତି। ୧୯୫୦ ଦଶକରେ ଯେତେବେଳେ ଚାଇନା ବେଆଇନ ଭାବରେ ତିବ୍ଦତ ଦଖଲ କଲା, ସେତେବେଳେ ତିବ୍ଦତୀୟ ଧର୍ମଗୁରୁ ଭାରତରେ ଆଶ୍ରୟ ନେଇଥିଲେ। ବାସ୍ତବରେ, ଦଲାଇ ଲାମା ତିବ୍ଦତ ପ୍ରସଙ୍ଗରେ ଚୀନ୍ ସହିତ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା କରିବାକୁ ସର୍ବଦା ସମର୍ଥନ କରିଆସୁଛନ୍ତି।

ଦଲାଇ ଲାମା ଉପରେ ଭାରତ ସରକାରଙ୍କ ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ ଏବଂ ସ୍ଥିର ରହିଛି। ଭାରତ ତାଙ୍କୁ ଜଣେ ସମ୍ମାନିତ ଧାର୍ମିକ ନେତା ଭାବରେ ବିବେଚନା କରେ ଏବଂ ଭାରତର ଲୋକମାନେ ତାଙ୍କୁ ସମ୍ମାନିତ କରନ୍ତି। ଦେଶରେ ସେମାନଙ୍କର ଧାର୍ମିକ କାର୍ଯ୍ୟକଳାପ କରିବାକୁ ଭାରତ ସେମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛି।

ଦଲାଇ ଲାମା ହେଉଛନ୍ତି ଜଣେ ବ୍ୟକ୍ତି ଯିଏ କେବଳ ନିଜ ଦେଶ (ତିବ୍ଦତ) ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଗଣତନ୍ତ୍ର ଏବଂ ସ୍ୱାଧୀନତାର ପ୍ରଚାର କରୁଛନ୍ତି। ଚାଇନାର ଆକ୍ରମଣ ହେତୁ ଦଲାଇ ଲାମା ୭ ମିଲିୟନରୁ ଅଧିକ ତିବ୍ଦତୀୟ ବୌଦ୍ଧଧର୍ମର ଆଧ୍ୟାତ୍ମିକ ନେତା ଭାବରେ ତାଙ୍କର ଭୂମିକା ଛାଡିଥିଲେ ଏବଂ ଗତ କିଛି ଦଶନ୍ଧି ଧରି ସେ ନିର୍ବାସନରେ ରହିଆସୁଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସଂସ୍କୃତି

ହିମାଚଳ ପ୍ରଦେଶରେ ୟୁକ୍ରେନ ମହିଳାଙ୍କୁ ବିବାହ କଲେ ଋଷ ନାଗରିକ, କହିଲେ, ‘ଯୁଦ୍ଧ ନୁହେଁ ପ୍ରେମ କରନ୍ତୁ

ଶିମଲା: ଭାରତର ହିମାଚଳ ପ୍ରଦେଶରେ ରୁଷ-ୟୁକ୍ରେନ ପ୍ରେମୀ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇ ପ୍ରେମର ବାର୍ତ୍ତା ପଠାଇଛନ୍ତି। ଆଜିକାଲି ୟୁକ୍ରେନ-ଋଷ ଯୁଦ୍ଧର ନିଆଁରେ ଜଳୁଛି। ଏହି ସମୟରେ ଜଣେ ୟୁକ୍ରେନ ମହିଳା ଏବଂ ଋଷର ଜଣେ ବ୍ୟକ୍ତି ଧର୍ମଶାଳାରେ ବିବାହ କରିଛନ୍ତି ଏବଂ ଯୁଦ୍ଧ ନକରିବା ଲାଗି ଦୁଇ ଦେଶକୁ ଅନୁରୋଧ କରିଛନ୍ତି।

୨୮ ବର୍ଷିୟା ୟୁକ୍ରେନ ମହିଳା ଅଲୋନା ବର୍ମାକା ଏବଂ ୩୭ ବର୍ଷୀୟ ରୁଷୀୟ ଇସ୍ରାଏଲୀୟ ପୁରୁଷ ସର୍ଗେଇ ନୋଭିକୋଭ ସୋମବାର ଦିନ ଭାରତର ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସେମାନଙ୍କର ବିବାହ ପଞ୍ଜିକରଣ କରିଛନ୍ତି। ସେମାନେ ଏକ ମାସ ପୂର୍ବରୁ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ ରୀତିନୀତି କରିସାରିଛନ୍ତି। ମହିଳା କହିଛନ୍ତି ଯେ, ହିନ୍ଦୁ ସଂସ୍କୃତି ବହୁତ ସୁନ୍ଦର, ତେଣୁ ଆମେ ସ୍ଥିର କଲୁ ଯେ ଆମେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବୁ।

ପ୍ରକୃତରେ, ଯେତେବେଳେ ନୋଭିକୋଭ୍ ଇସ୍ରାଏଲରେ ରହୁଥିଲେ, ସେ ସେଠାରେ ଆଲୋନାଙ୍କୁ ଭେଟିଥିଲେ। ଦୁହେଁ ୬ ବର୍ଷ ଧରି ସମ୍ପର୍କ ରଖିଥିଲେ। ଏକ ବର୍ଷ ପୂର୍ବେ ଦୁହେଁ ଭାରତ ଆସିଥିଲେ ଏବଂ ଜାଣିବାକୁ ପାଇଲେ ଯେ ଧର୍ମଶାଳା ହିନ୍ଦୁ ପରମ୍ପରା ଓ ସଂସ୍କୃତି ସହିତ ବିବାହ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ।

ନୋଭିକୋଭ କହିଛନ୍ତି ଯେ, ଋଷ ଏବଂ ୟୁକ୍ରେନ ଗୋଟିଏ ଦେଶ ଥିଲେ। ଭାଇମାନଙ୍କ ପରି ବାସ କରୁଥିଲେ। ଯୁଦ୍ଧ ନୁହେଁ, ଆମେ ପ୍ରେମ କରିବା ଆବଶ୍ୟକ। ହିଂସା ଆଦୌ ଭଲ ନୁହେଁ।

ଏସଡିଏମ ଧର୍ମଶାଳା ଶିଳ୍ପା ବେକତା ନବ ବିବାହିତ ଦମ୍ପତିଙ୍କ ବିବାହ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ବେକତା ଗଣମାଧ୍ୟମକୁ କହିଛନ୍ତି ଯେ, ଧର୍ମଶାଳାରେ ବିଦେଶୀମାନଙ୍କ ପ୍ରାୟ ୪୦ ପ୍ରତିଶତ ବିବାହ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ପଞ୍ଜିକୃତ ହୋଇଛି। “ଜାନୁୟାରୀ ୧ ରୁ ସେପ୍ଟେମ୍ବର ୫ ତାରିଖ ୨୦୨୨ ପର୍ଯ୍ୟନ୍ତ ୧୦୬ ଟି ବିବାହ ପଞ୍ଜିକୃତ ହୋଇଛି। ପ୍ରାୟ ୪୦ ବିବାହ ବିଦେଶୀମାନଙ୍କ ସହିତ ଜଡିତ।

Categories
ଆଜିର ଖବର ଜାତୀୟ ଖବର

ଗୁଲାମ ନବୀଙ୍କ ପରେ କଂଗ୍ରେସର ଏହି ପଦରୁ ଇସ୍ତଫା ଦେଲେ ଆନନ୍ଦ ଶର୍ମା, କହିଲେ କାରଣ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଗଠିତ ପରିଚାଳନା କମିଟିରୁ କଂଗ୍ରେସ ନେତା ଆନନ୍ଦ ଶର୍ମା ଇସ୍ତଫା ଦେଇଛନ୍ତି। ଏହି ପ୍ରସଙ୍ଗରେ ଆନନ୍ଦ ଶର୍ମା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ପତ୍ରରେ ଆନନ୍ଦ ଶର୍ମା ଲେଖିଛନ୍ତି ଯେ, ଏପ୍ରିଲ ୨୬ ତାରିଖରେ ହିମାଚଳ କଂଗ୍ରେସର ପରିଚାଳନା କମିଟିର ମୁଖ୍ୟ ହୋଇଥିଲେ ହେଁ ତାଙ୍କ ଭୂମିକା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସେ ଲେଖିଛନ୍ତି ଯେ, ଅତୀତରେ ହିମାଚଳ ନିର୍ବାଚନ ସମ୍ପର୍କରେ ଦିଲ୍ଲୀ ଏବଂ ଶିମଲାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏହି କାରଣରୁ ହିମାଚଳ କଂଗ୍ରେସ ପରିଚାଳନା କମିଟି ମୁଖ୍ୟ ପଦରୁ ଇସ୍ତଫା ଦେଇ ଆନନ୍ଦ ଶର୍ମା ସ୍ପଷ୍ଟ କରିଛନ୍ତି ଯେ, ସେ ଦଳର ନିର୍ବାଚନ ପ୍ରଚାରକୁ ସମର୍ଥନ କରିବେ।

ରାଜ୍ୟସଭାର ପୂର୍ବତନ ଉପନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା ଏପ୍ରିଲ ୨୬ ତାରିଖରେ ହିମାଚଳ ପ୍ରଦେଶରେ ପରିଚାଳନା କମିଟିର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ଆନନ୍ଦ ଶର୍ମା ହିମାଚଳ ପ୍ରଦେଶର ସବୁଠାରୁ ବଡ ନେତାଙ୍କ ମଧ୍ୟରେ ବିବେଚିତ ହୋଇଛନ୍ତି। ଦଳର କୌଣସି ବୈଠକକୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ତାଙ୍କ ଆତ୍ମ ସମ୍ମାନରେ ଆଘାତ ଲାଗିଥିବା ସେ କଂଗ୍ରେସ ସଭାପତିଙ୍କୁ କହିଛନ୍ତି।

ଆନନ୍ଦ ଶର୍ମା ୧୯୮୨ ମସିହାରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ଅନେକ ଥର ରାଜ୍ୟସଭାର ସଦସ୍ୟ ରହିଛନ୍ତି ଏବଂ ଦଳରେ ଅନେକ ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ଆନନ୍ଦ ଶର୍ମାଙ୍କ ଇସ୍ତଫା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଆସିଛି। ଚଳିତ ବର୍ଷ ଶେଷ ସୁଦ୍ଧା ହିମାଚଳରେ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ସମସ୍ତ ରାଜନୈତିକ ଦଳଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଜି-୨୩ ଗୋଷ୍ଠୀର ଅନ୍ୟ ଜଣେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ନିକଟରେ ଜମ୍ମୁ କାଶ୍ମୀରରେ ପ୍ରଚାର କମିଟିର ସଭାପତି ପଦରୁ ଇସ୍ତଫା ଦେବା ପରେ ଆନନ୍ଦ ଶର୍ମାଙ୍କ ଇସ୍ତଫା ଖୁବ୍ ଶୀଘ୍ର ଆସିଛି। ଉଭୟ ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମା ଜି-୨୩ ଦଳର ପ୍ରମୁଖ ନେତା, ଯେଉଁମାନେ ଦଳର ନେତୃତ୍ୱର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହିମାଚଳ ପ୍ରଦେଶର କୁଲୁରେ ଭୟଙ୍କର ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କୁଲୁରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କୁଲୁରେ ସେଂଶରରୁ ସେଞ୍ଜ ଆଡକୁ ଆସୁଥିବା ଘରୋଇ ବସ୍ ଜଙ୍ଗଲା ଗ୍ରାମ ନିକଟ ରାସ୍ତାରୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ଶିଶୁଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ, ବସ୍‌ରେ ୩୫ ରୁ ୪୦ ଜଣ ଲୋକ ଥିଲେ। ସକାଳ ପ୍ରାୟ ସାଢେ ୮ ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

ସୂଚନା ଅନୁଯାୟୀ, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ୬ ଜଣଙ୍କ ମୃତଦେହ ଓ ତିନି ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି। ପ୍ରଶାସନ ଅନୁଯାୟୀ, ଅନେକ ଲୋକ ବସ୍ ତଳେ ଚାପି ହୋଇରହିଥିବାର ସମ୍ଭାବନା ରହିଛି। ଯେଉଁଠାରେ ଦୁର୍ଘଟଣା ଘଟିଛି ତାହା ଅତ୍ୟନ୍ତ କଷ୍ଟକର ଅଞ୍ଚଳ। ବସ୍ ବହୁତ ଗଭୀର ଗାଢାରେ ପଡ଼ିଯାଇଛି। ଦୁର୍ଘଟଣାରେ ବସ୍ ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁଯାୟୀ ଉଦ୍ଧାର କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ସମ୍ପର୍କରେ କିଛି କୁହାଯାଇପାରିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଜୁନ୍‍ ୧୬ ଏବଂ ୧୭ରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ରୁ ୧୭ ଜୁନ୍ ୨୦୨୨ ହିମାଚଳ ପ୍ରଦେଶର ଧର୍ମଶାଳାର ଏଚ୍‍ପିସିଏ ଷ୍ଟାଡିୟମରେ ମୁଖ୍ୟ ସଚିବମାନଙ୍କର ପ୍ରଥମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାକୁ ଆହୁରି ଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ମୁଖ୍ୟ ସଚିବମାନଙ୍କର ଜାତୀୟ ସମ୍ମିଳନୀ ୧୫ ରୁ ୧୭ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ୨୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ, ଯେଉଁଥିରେ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଏବଂ ଡୋମେନ୍ ବିଶେଷଜ୍ଞମାନେ ପ୍ରତିନିଧିତ୍ୱ କରିବେ। ତିନି ଦିନ ମଧ୍ୟରେ, ଏହା ରାଜ୍ୟ ସହ ସହଭାଗିତାରେ ଦ୍ରୁତ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେବ। ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା, ସମ୍ମିଳନୀ ସ୍ଥିରତା, ଚାକିରି ସୃଷ୍ଟି, ଶିକ୍ଷା, ଜୀବନଯାପନ ସହଜତା ଏବଂ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ସହିତ ଉଚ୍ଚ ଅଭିବୃଦ୍ଧି ପାଇଁ ସହଯୋଗୀ କାର୍ଯ୍ୟ ଲାଗି ମୂଳଦୁଆ ପକାଇବ। ଏହି ସମ୍ମିଳନୀ ସାଧାରଣ ବିକାଶର ଏଜେଣ୍ଡା ଏବଂ ଲୋକମାନଙ୍କର ଆକାଂକ୍ଷା ହାସଲ କରିବା ପାଇଁ ମିଳିତ କାର୍ଯ୍ୟ ପାଇଁ ବ୍ଲୁ ପ୍ରିଣ୍ଟ୍‍ ପ୍ରସ୍ତୁତି ଏବଂ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେବ।

ଛଅ ମାସ ମଧ୍ୟରେ ୧୦୦ ରୁ ଅଧିକ ଥର ବିଚାର ବିମର୍ଶ ପରେ ଏହି ସମ୍ମିଳନୀ ପାଇଁ ଧାରଣା ଏବଂ ଏଜେଣ୍ଡାକୁ ପ୍ରସ୍ତୁତ  କରାଯାଇଛି। ସମ୍ମିଳନୀରେ ବିସ୍ତୃତ ବିଚାର ପାଇଁ ତିନୋଟି ବିଷୟବସ୍ତୁ ଚିହ୍ନଟ କରାଯାଇଛି: (୧) ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା; (୨) ସହରାଞ୍ଚଳ ପ୍ରଶାସନ; ଏବଂ (୩) ଫସଲର ବିବିଧକରଣ ଏବଂ ତୈଳବୀଜ, ଡାଲି ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟରେ ଆତ୍ମର୍ନିଭରଶୀଳତା ହାସଲ କରିବା। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଉଭୟ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ଉପରେ ବିଚାରବିମର୍ଶ କରାଯିବ। ପାରସ୍ପରିକ ଶିକ୍ଷା ପାଇଁ ସମ୍ମିଳନୀରେ ପ୍ରତ୍ୟେକ ବିଷୟବସ୍ତୁ ଅନ୍ତର୍ଗତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ସର୍ବୋତ୍ତମ ଅଭ୍ୟାସ ଉପସ୍ଥାପିତ ହେବ।

ଆଙ୍କାକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଉପରେ ଏକ ଅଧିବେଶନ ହେବ ଯାହାକି ର୍ନିଦ୍ଦିଷ୍ଟ ଜିଲ୍ଲାର ଯୁବ ଜିଲ୍ଲାପାଳଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଭିତ୍ତିକ ଶାସନ ଉପରେ ସଫଳ ଘଟଣା ଅନୁଧ୍ୟାନ ସହିତ ଏପର୍ଯ୍ୟନ୍ତ ମିଳିଥିବା ସଫଳତାକୁ ବିଚାର କରାଯିବ।

‘ଆଜାଦି କା ଅମୃତ ମହୋତ୍ସବ: ୨୦୪୭ ପାଇଁ ରୋଡମ୍ୟାପ୍‌’ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ହେବ ଏବଂ ବ୍ୟବସାୟର ସହଜତା ପାଇଁ ଛୋଟଛୋଟ ଅପରାଧ ସଂକ୍ରାନ୍ତୀୟ ମାମଲା ହ୍ରାସ କରିବା ଉପରେ ଚାରୋଟି ଅତିରିକ୍ତ ବିଷୟ ଭିତ୍ତିକ ଅଧିବେଶନ ହେବ; ଯୋଜନାଗୁଡିକର ପରିପୃଷ୍ଠତା ହାସଲ କରିବା ପାଇଁ କେନ୍ଦ୍ର-ରାଜ୍ୟ ସମନ୍ୱୟ ଏବଂ ଶେଷ ସୀମା ପର୍ଯ୍ୟନ୍ତ ବିତରଣକୁ ନିଶ୍ଚିତ କରିବା; ପିଏମ ଗତି ଶକ୍ତି ମାଧ୍ୟମରେ ଭାରତର ଭିତ୍ତିଭୂମିରେ ପରିବର୍ତ୍ତର୍ନ; ଏବଂ ଦକ୍ଷତା ବିକାଶ: ଆଇଜିଓଟି ର କାର୍ଯ୍ୟାନ୍ୱୟନ – ମିଶନ୍ କର୍ମଯୋଗୀ।

ଏହି ସମ୍ମିଳନୀର ଫଳାଫଳ ପରେ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ବିଚାର କରାଯିବ, ଯେଉଁଠାରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକମାନେ ଉପସ୍ଥିତ ରହିବେ, ଯାହା ଦ୍ୱାରା ସର୍ବୋଚ୍ଚ ସ୍ତରରେ ବ୍ୟାପକ ସହମତି ସହ ଏକ କାର୍ଯ୍ୟ ଯୋଜନା ଚୂଡ଼ାନ୍ତ ହୋଇପାରିବ।

Categories
ଆଜିର ଖବର ଜାତୀୟ ଖବର

ବିଜେପି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଧର୍ମଶାଳା ଯିବେ ରାହୁଲ ଦ୍ରାବିଡ, ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ମେ ୧୨ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ କମିଟି ଆୟୋଜିତ ହେବ, ଯେଉଁଥିରେ ରାଜ୍ୟର ବହୁ ବଡ ନେତା ଏଥିରେ ସାମିଲ ହେବେ। ଏଥି ସହିତ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ରାହୁଲଙ୍କ ସମ୍ପୃକ୍ତି ନେଇ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ବିଜେପି ଯୁବକଙ୍କୁ ଆକର୍ଷିତ କରିବାକୁ ଚାହୁଁଛି ବୋଲି ଆଲୋଚନା ହେଉଛି।

ଧର୍ମଶାଳାର ବିଧାୟକ ବିଶାଲ ନାହେରିଆଙ୍କ ଅନୁଯାୟୀ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ବିଜେପି ଯୁବ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ କମିଟିରେ ପାର୍ଟି ସଭାପତି ଜେ.ପି. ନଡ୍ଡାଙ୍କ ବ୍ୟତୀତ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହେବେ। ରାହୁଲ ଦ୍ରାବିଡଙ୍କ ସହ ଆଲୋଚନା ପରେ ନେହେରିଆ ତାଙ୍କ ସମ୍ପୃକ୍ତିକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲଙ୍କ ସଫଳତା ବିଷୟରେ ଯୁବକମାନଙ୍କ ମଧ୍ୟରେ ଏକ ବାର୍ତ୍ତା ଦିଆଯିବ ଯାହା କେବଳ ରାଜନୀତିରେ ନୁହେଁ, ଅନ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢିପାରିବେ।

ରାହୁଲ ବିଜେପିରେ ଯୋଗଦେବେ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଚାଲିଛି। ପ୍ରକାଶ ଥାଉ କି, ବର୍ଷ ଶେଷରେ ହିମାଚଳ ପ୍ରଦେଶ ବିଧାନସଭା ର ୬୮ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ କର୍ଣ୍ଣାଟକ ବିଧାନସଭାରେ ୨୨୪ ଟି ଆସନ ପାଇଁ ଆସନ୍ତା ବର୍ଷ ନିର୍ବାଚନ ଅନୁଷ୍ଠିତ ହେବ।

Categories
ବିଶେଷ ଖବର

ମଣ୍ଡିଠାରେ ଏଗାର ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ମଣ୍ଡି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୭-୧୨-୨୧) ହିମାଚଳ ପ୍ରଦେଶର ମଣ୍ଡିଠାରେ ଦ୍ୱିତୀୟ ହିମାଚଳ ପ୍ରଦେଶ ବୈଶ୍ୱିକ ନିବେଶକ ଉତ୍ସବରେ ଅଧ୍ୟକ୍ଷତା କରିଛନ୍ତି। ପ୍ରାୟ ୨୮ହଜାର କୋଟି ଟଙ୍କା ପ୍ରକଳ୍ପ ଦ୍ୱାରା ଏହି ରାଜ୍ୟରେ ପୁଞ୍ଜିନିବେଶକୁ ବେଶ୍ ପ୍ରୋତ୍ସାହିତ ମିଳିବ। ସେ ମଧ୍ୟ ୧୧,୦୦୦ କୋଟି ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। କେତେକ ଜଳବିଦ୍ୟୁତ ପ୍ରକଳ୍ପ ରେଣୁକାଜୀ ନଦୀବନ୍ଧ ପ୍ରକଳ୍ପ, ଲୁହରୀ ପ୍ରଥମ ପର୍ଯ୍ୟାୟ ଜଳବିଦ୍ୟୁତ ଏବଂ ଧୌଲାସିଦ୍ଧ ଜଳ ବିଦ୍ୟୁତ ପ୍ରକଳ୍ପ। ସେ ମଧ୍ୟ ସ୍ୱର କୁନ୍ଦୁ ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ହିମାଚଳପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ୍ ଆର୍ଲେକର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ପାହାଡ ତାଙ୍କ ଜୀବନରେ ଏକ ମୁଖ୍ୟ ଭୂମିକା ନେଇଥିବା ଭାବାବେଗପୂର୍ଣ୍ଣ ସ୍ମୃତିଚାରଣ କରିଥିଲେ। ସେ ମଧ୍ୟ  ହିମାଚଳବାସୀଙ୍କୁ ସେମାନଙ୍କ ଚାରିବର୍ଷର ଡବଲ ଇଞ୍ଜିନ ସରକାର ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହି ଚାରିବର୍ଷ ମଧ୍ୟରେ ରାଜ୍ୟ ବୈଶ୍ୱିକ ମହାମାରୀ ଆହ୍ୱାନର ମୁକାବିଲା କରିବା ସହ ବିକାଶର ମଧ୍ୟ ନୂତନ ଶିଖର ଛୁଇଁଛି। “ଜୟରାମ ଜୀ ଓ ତାଙ୍କ କର୍ତ୍ତବ୍ୟନିଷ୍ଠ ଦଳ ହିମାଚଳ ପ୍ରଦେଶ ଜନସାଧାରଣଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କୌଣସି ଅବହେଳା କରିନାହାଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଜନସାଧାରଣଙ୍କ ସ୍ୱଚ୍ଛନ୍ଦରେ ରହିବା ହେଉଛି ଗୋଟିଏ ପ୍ରାଥମିକତା ଓ ସେଥିପାଇଁ ବିଦ୍ୟୁତ ଶକ୍ତିର ଏକ ବିରାଟ ଭୂମିକା ରହିଛି। ଆଜିର ଜଳବିଦ୍ୟୁତ ପ୍ରକଳ୍ପ ପରିବେଶ ଅନୁକୂଳ ବିକାଶର ଅଙ୍ଗୀକାରବଦ୍ଧତାର ପ୍ରତିଫଳନ। “ଯେତେବେଳେ ଗିର୍ ନଦୀର ରେଣୁକାଜୀ ପ୍ରକଳ୍ପ କାର୍ଯ୍ୟକାରୀ ହେବ, ସେତେବେଳେ ବିଶାଳ ଅଞ୍ଚଳ ଏହାଦ୍ୱାରା ପ୍ରତ୍ୟକ୍ଷ ସୁବିଧା ପାଇବ। ପ୍ରକଳ୍ପରୁ ଯେତେ ଆୟ ହେବ, ତା’ର ଅଧିକାଂଶ ଭାଗ ଏଠାକାର ବିକାଶ ବାବଦକୁ ଖର୍ଚ୍ଚ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ନବ ଭାରତରର ପରିବର୍ତ୍ତିତ କାର୍ଯ୍ୟଧାରା ବିଷୟ ଦୋହରାଇ ଥିଲେ। ଯେଉଁ ଗତିରେ ଭାରତ ତା’ର  ପରିବେଶଜନିତ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି, ତାହା ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୬ରେ ଭାରତ ଲକ୍ଷ୍ୟ ରଖିଥିଲା ଯେ ୨୦୩୦ ସୁଦ୍ଧା ଦେଶର ବିଦ୍ୟୁତ ଶକ୍ତି ଚାହିଦାର ଶତକଡା ୪୦ଭାଗ, ଅଣ ଜୀବାଶ୍ମ ଶକ୍ତି ଉତ୍ସରୁ ଉତ୍ପାଦିତ ହେବ। ଚଳିତବର୍ଷ ନଭେମ୍ବର ମାସରେ ହିଁ ଭାରତ ଏହି ଲକ୍ଷ୍ୟ ହାସଲ କରିସାରିଛି। ସମଗ୍ର ବିଶ୍ୱ ଆଜି ଭାରତକୁ ପ୍ରଶଂସା କରୁଛି ଏହାର ପରିବେଶର ସୁରକ୍ଷା କରି ପ୍ରଗତିକୁ ତ୍ୱରାନ୍ୱିତ କିପରି କରୁଛି ବୋଲି। ସୌରଶକ୍ତିରୁ ଜଳବିଦ୍ୟୁତ, ପବନ ଶକ୍ତିରୁ ସବୁଜ ଉଦଜାନ ଶକ୍ତି, ସମଗ୍ର ଦେଶ ନିରବଚ୍ଛିନ୍ନ ଭାବେ ଅକ୍ଷୟ ଶକ୍ତି ସମ୍ପଦର ସମ୍ପୂର୍ଣ୍ଣ ବିନିଯୋଗ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଏକକ ବ୍ୟବହାର ଯୋଗ୍ୟ ପ୍ଳାଷ୍ଟିକ ଉପରେ ଆଲୋଚନା କରିଥିଲେ। ପ୍ଳାଷ୍ଟିକ ବ୍ୟବହାର ପାଇଁ ପାହାଡ ଗୁଡିକରେ ହେଉଥିବା କ୍ଷତି ନେଇ ସରକାର ସତର୍କ ଅଛନ୍ତି । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ  ବିରୁ୍‌ଦ୍ଧରେ ଅଭିଯାନ ଜାରି ରହିଥିଲାବେଳେ, ସରକାର ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ବ୍ୟବହାରରେ ପରିବର୍ତ୍ତନକୁ ନେଇ ଶ୍ରୀ ମୋଦି କହିଥିଲେ ଯେ “ପର୍ଯ୍ୟଟକମାନଙ୍କ ମଧ୍ୟ ହିମାଚଳକୁ ପରିଷ୍କାର ରଖିବା ନେଇ ଏକ ବଡ ଭୂମିକା ରହିଛି। ପ୍ଲାଷ୍ଟିକ ଚାରିଆଡେ ଖେଳିଯାଇଛି, ପ୍ଲାଷ୍ଟିକ ନଦୀରେ ମିଶୁଛି। ହିମାଚଳରେ ହେଉଥିବା କ୍ଷତି ଯେପରି ରୋକାଯାଇପାରିବ ତାହାକୁ ଆମ ସମସ୍ତଙ୍କୁ ଦେଖିବାକୁ ପଡିବ।”

ହିମାଚଳ ପ୍ରଦେଶର ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।  “ଆଜି ଯଦି ଭାରତକୁ ବିଶ୍ୱର ଫାର୍ମାସୀ କୁହାଯାଏ , ତେବେ ଏହା ପଛରେ ହିମାଚଳ ପ୍ରଦେଶର ପ୍ରଚ୍ଛନ୍ନ ଶକ୍ତି ରହିଛି। ହିମାଚଳ ପ୍ରଦେଶ କେବଳ ଅନ୍ୟ ରାଜ୍ୟଗୁଡିକୁ ସାହାଯ୍ୟ କରିନାହିଁ, ବରଂ କରୋନା ବୈଶ୍ୱିକ ମହାମାରୀ କାଳରେ ଏହା ଅନ୍ୟାନ୍ୟ ଦେଶଗୁଡିକୁ ମଧ୍ୟ ସାହାଯ୍ୟ କରିଛି।

ରାଜ୍ୟ ବିଶାଳ ଦକ୍ଷତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ହିମାଚଳ ଅନ୍ୟ ରାଜ୍ୟ ତୁଳନାରେ ଟିକାକରଣରେ ସର୍ବାଗ୍ରେ ରହି ତା’ର ସମସ୍ତ ସମର୍ଥ ଜନସଂଖ୍ୟାର ଟିକାକରଣ କରିପାରିଛି। ଏଠି ଯେଉଁମାନେ ସରକାରରେ ଅଛନ୍ତି ସେମାନେ ରାଜନୀତିକ ସ୍ୱାର୍ଥପରତାରେ ବୁଡି ନ ଯାଇ ହିମାଚଳରେ ପ୍ରତ୍ୟେକ ନାଗରିକ କିପରି ଟିକା ନେବେ ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି।”

ପ୍ରଧାନମନ୍ତ୍ରୀ ନିକଟରେ ଝିଅମାନଙ୍କ ବିବାହ ବୟସର ପରିବର୍ତ୍ତନ ନିଷ୍ପତ୍ତି ସମ୍ପର୍କରେ ତାଙ୍କର ଉକ୍ତି ଦୋହରାଇଥିଲେ। “ ଆମେ ନିଷ୍ପତ୍ତି ନେଲୁ ଯେ ଝିଅମାନଙ୍କ ବିବାହ ଯୋଗ୍ୟ ବୟସ ପୁଅମାନଙ୍କ ଭଳି ହେବା ଦରକାର। ସେଥିପାଇଁ ଆମେ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କଲୁ, ଯାହା ଦ୍ୱାରା ସେମାନେ ପାଠପଢି ସେମାନଙ୍କ ବୃତ୍ତି ଚୟନ ପାଇଁ ଯଥେଷ୍ଟ ସମୟ ପାଇବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ନିକଟରେ ନୂତନ ଟିକାକରଣ ଶ୍ରେଣୀ ଉପରେ କହିଥିଲେ। ସେ କହିଥିଲେ ଯେ ସରକାର ସମସ୍ତ ସମ୍ବେଦନଶୀଳତା ଓ ସାବଧାନତାର ସହ ସମସ୍ତ ଆବଶ୍ୟକତାକୁ ନେଇ କାର୍ଯ୍ୟ କରୁଛନ୍ତି। ଏଣିକି ଜାନୁୟାରୀ ତିନିତାରିଖଠାରୁ ସରକାର ୧୫ରୁ ୧୮ବର୍ଷ ପିଲାମାନଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସ୍ୱାସ୍ଥ୍ୟକ୍ଷେତ୍ରରେ ନିୟୋଜିତ ବ୍ୟକ୍ତି, ସମ୍ମୁଖ ଯୋଦ୍ଧା, ଗତ ଦୁଇବର୍ଷ ଧରି କରୋନା ବିରୁଦ୍ଧ ସଂଗ୍ରାମରେ ଦେଶର ଶକ୍ତିଭାବେ ଉଭା ହୋଇଛନ୍ତି। ଜାନୁୟାରୀ ୧୦ ତାରିଖଠାରୁ ସେମାନଙ୍କୁ ପ୍ରତିଷେଧକ ମାତ୍ରା ଦିଆ ହେବା ଆରମ୍ଭ ହେବ। ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରତିଷେଧକ ମାତ୍ରା ଦିଆଯାଇପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସବ୍‌କା ସାଥ୍‌, ସବକା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ମନ୍ତ୍ରକୁ ପାଥେୟ କରି କାର୍ଯ୍ୟ କରିବାକୁ ଅଙ୍ଗୀକାରବଦ୍ଧ। “ପ୍ରତ୍ୟେକ ଦେଶର ବିଭିନ୍ନ ଆଦର୍ଶବାଦ ଅଛି, ମାତ୍ର ଆଜି ଆମ ଦେଶର ଲୋକେ ସ୍ପଷ୍ଟଭାବେ ଦୁଇଟି ଆଦର୍ଶବାଦ ଦେଖୁଛନ୍ତି । ଗୋଟିଏ ଆଦର୍ଶ ବିଳମ୍ବର ହେଉଥିବାବେଳେ ଅନ୍ୟଟି ବିକାଶର। ଯେଉଁମାନଙ୍କ ବିଳମ୍ବ ଆଦର୍ଶ ଅଛି, ସେମାନେ ପାହାଡର ବିକାଶ ନେଇ କେବେ ବି ଚିନ୍ତିନ ନୁହଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ବିଳମ୍ବ ଆଦର୍ଶ ଯୋଗୁଁ ହିମାଚଳ ଲୋକଙ୍କୁ ଅନେକ ଦିନ ଅଟଳ ଟନେଲ ପାଇଁ ଅପେକ୍ଷା କରିବାକୁ ପଡିଲା। ରେଣୁକାଜୀ ପ୍ରକଳ୍ପ ମଧ୍ୟ ତିନି ଦଶନ୍ଧି ବିଳମ୍ବିତ  ହେଲା। ସରକାରଙ୍କ ଅଙ୍ଗୀକାରବଦ୍ଧତା କେବଳ ବିକାଶ। ଅଟଳ ଟନେଲ  କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଚଣ୍ଡିଗଡରୁ ମନାଲୀ ଓ ସିମଲାକୁ ସଡକ ମଧ୍ୟ  ପ୍ରଶସ୍ତ କରା ହେଲା ବୋଲି ସେ କହିଥିଲେ।

ହିମାଚଳରେ ବହୁ ପ୍ରତିରକ୍ଷା କର୍ମଚାରୀ ଅଛନ୍ତି। ପ୍ରତିରକ୍ଷା କର୍ମଚାରୀ ଓ ପୁରୁଣା ସଦସ୍ୟଙ୍କ ନିମନ୍ତେ ଅନେକ ପଦକ୍ଷେପ ନିଆ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ହିମାଚଳ ପ୍ରଦେଶର ପ୍ରତ୍ୟେକ ଘରେ ଦେଶରକ୍ଷା କରିଥିବା ବୀର ପୁଅଝିଅମାନେ ଅଛନ୍ତି। ଗତ ସାତବର୍ଷରେ ଦେଶର ସୁରକ୍ଷା ବୃଦ୍ଧି ପାଇଁ ଆମ ସରକାରା କରିଥିବା କାର୍ଯ୍ୟ, ସୈନିକ ଓ ଭୂତପୂର୍ବ ସୈନିକମାନଙ୍କ ପାଇଁ ନିଆଯାଉଥିବା ନିଷ୍ପତ୍ତି ଯୋଗୁଁ  ହିମାଚଳବାସୀ  ବିଶେଷ ଉପକୃତ ହୋଇଛନ୍ତି ବୋଲି ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ୯ ପର୍ଯ୍ୟଟକଙ୍କ ଗଲା ଜୀବନ: ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ୯ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଏହି ସମସ୍ତ ପର୍ଯ୍ୟଟକ ଦିଲ୍ଲୀ ଏନସିଆରରୁ ଆସିଥିଲେ। କିନ୍ନୌରର ସାଙ୍ଗଲା ଉପତ୍ୟକାରେ ହଠାତ୍ ପାହାଡ ଉପରୁ ପଥର ଖସିବା ଦ୍ଵାରା ତଳେ ପ୍ରବାହିତ ନଦୀ ଉପରେ ଥିବା ଲୁହା ବ୍ରିଜକୁ ଭାଙ୍ଗି ଦେଇଥିଲେ। ଉପସ୍ଥିତ ଅନେକ ପର୍ଯ୍ୟଟକ ଏହାର ପ୍ରଭାବରେ ମଧ୍ୟ ଆସିଥିଲେ। ଫଳରେ ଏହି ଘଟଣାରେ ୯ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗତ କିଛି ଦିନ ହେବ ପ୍ରବଳ ବର୍ଷା ପରେ ହିମାଚଳ ପ୍ରଦେଶର ଅନେକ ଜିଲ୍ଲାରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସୁଛି। ପଥର ଦ୍ୱାରା ନିକଟସ୍ଥ ଘର, ସେଓ ବଗିଚା ଏବଂ ଯାନ ପାର୍କିଂ ସ୍ଥାନଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ, ହିମାଚଳ ପ୍ରଦେଶର କିନ୍ନୌରଠାରେ ଭୂସ୍ଖଳନ ହେତୁ ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଯେଉଁମାନେ ଏଥିରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା। ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଉଛି। ସେମାନଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଉ ନାହାନ୍ତି ବୀରଭଦ୍ର ସିଂହ: ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ତୁଲାଇଛନ୍ତି ଦାୟିତ୍ଵ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ ହୋଇଯାଇଛି। ୮୭ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ବୀରଭଦ୍ର ଆଜି ଭୋର ୩ ଟା ୪୦ ମିନିଟରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଗତ ୨ ମାସ ହେଲା ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୀରଭଦ୍ର ଦୁଇ ଦୁଇ ଥର କରୋନାକୁ ପରାସ୍ତ କରିଥିଲେ।

ହେଲେ ଗତ ଦୁଇ ଦିନ ହେଲା ସେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ସେ ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ୯ ଥର ବିଧାୟକ ଭାବେ ନିର୍ବାଚିତା ହୋଇଥିଲେ।