Categories
ବିଶେଷ ଖବର

ଏବିଭିପିର ବିଜେପିର ତିନି ନୂଆ ମୁଖ୍ୟମନ୍ତ୍ରୀ, ଆଶ୍ଚର୍ଯ୍ୟ କରିଦେବ ଆରଏସଏସର ବଡ଼ ନେତାଙ୍କ ତାଲିକା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଘୋଷଣା ହେବାର କିଛିଦିନ ପୂର୍ବରୁ ମୋହନ ଯାଦବ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରତିଷ୍ଠା ଦିବସର ୭୫ତମ ବାର୍ଷିକୀରେ ଯୋଗଦେବା ପାଇଁ ଜାତୀୟ ରାଜଧାନୀ ଆସିଥିଲେ। ଏବିଭିପିରେ ବିଜେପି ଓ ଆରଏସଏସ ନେତାଙ୍କ ଦୃଢ଼ ଭିତ୍ତିଭୂମି ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କଠାରୁ ଆରମ୍ଭ କରି କଂଗ୍ରେସ ଶାସିତ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଛାତ୍ର ଶାଖା ଏବିଭିପି ସହିତ ଛାତ୍ର ରାଜନୀତିରେ ଦିନ କାଟିଛନ୍ତି।

ଏବିଭିପିରୁ କେନ୍ଦ୍ରମନ୍ତ୍ରୀ

ବିଜେପିର ପ୍ରମୁଖ ପଦବୀରେ ଥିବା ଏବିଭିପି ଛାତ୍ର କର୍ମୀଙ୍କ ତାଲିକାରେ ରାଜନାଥ ସିଂହ, ନୀତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ଜି କିଶନ ରେଡ୍ଡୀ, ଗଜେନ୍ଦ୍ର ଶେଖାୱତ, କିରଣ ରିଜିଜୁ, ଭି ମୁରଲୀଧରନଙ୍କ ସମେତ ପ୍ରାୟ ଏକ ଡଜନ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ସେହିଭଳି ସୁନୀଲ ବଂଶଲ (ପୂର୍ଣ୍ଣକାଳୀନ ଆରଏସଏସ ପ୍ରଚାରକ), ବିଜେପି ସଂଗଠନର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକ୍ରା ଓ ଓପି ଧନକର ଏବିଭିପିରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

ଏବିଭିପି ପୃଷ୍ଠଭୂମିର ମୁଖ୍ୟମନ୍ତ୍ରୀଙ୍କ ତାଲିକା ମଧ୍ୟ ଛୋଟ ନୁହେଁ

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଭାବେ ପୁଷ୍କର ଧାମୀ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଭାବେ ଦେବେନ୍ଦ୍ର ଫଡନାଭିସ ଏବଂ ନିକଟରେ ନିଯୁକ୍ତ ହୋଇଥିବା ତିନିଜଣ ମୁଖ୍ୟମନ୍ତ୍ରୀ- ରାଜସ୍ଥାନରେ ଭଜନ ଲାଲ ଶର୍ମା, ମଧ୍ୟପ୍ରଦେଶରେ ମୋହନ ଯାଦବ ଏବଂ ଛତିଶଗଡ଼ରେ ବିଷ୍ଣୁ ଦେଓ ସାଇଙ୍କ ସମେତ ରାଜ୍ୟ ମୁଖ୍ୟ, ସମସ୍ତେ ଏବିଭିପିରୁ ସେମାନଙ୍କର ରାଜନୈତିକ ଆରମ୍ଭ କରିଛନ୍ତି। ଶିବରାଜ ସିଂହ ଚୌହାନ, ଜୟରାମ ଠାକୁର, ବିଜୟ ରୁପାନି, ତୀରଥ ସିଂ ରାୱତ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ସମେତ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏବିଭିପିରୁ ରାଜନୀତିକୁ ଆସିଛନ୍ତି। ଏବିଭିପି କର୍ମୀଙ୍କ ଉତ୍‍ଥାନ ସଂଘ ଭିତରେ ମଧ୍ୟ ଦେଖିବାକୁ ମିଳୁଛି। ଆରଏସଏସର ଏକ ବଡ଼ ଚେହେରା ହେବା ପୂର୍ବରୁ ଏହାର କାର୍ଯ୍ୟନିର୍ବାହୀ ମୁଖ୍ୟ ଦତ୍ତାତ୍ରେୟ ହୋସବଲେ ଛାତ୍ର ସଂଗଠନ ଏବିଭିପିରେ ୩୦ ବର୍ଷ ବିତାଇଥିଲେ।

ଆରଏସଏସ ଏବଂ ସହଯୋଗୀ ସଂଗଠନ ଉପରେ ମଧ୍ୟ ଏବିଭିପିର ଆଧିପତ୍ୟ ରହିଛି
ସଂଘର ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର, ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର, ଆରଏସଏସର ସହ-ପ୍ରଭାରୀ ରମେଶ ଆପ୍ପା ଜୀ ଏବଂ ବିଭିନ୍ନ ୟୁନିଟର କର୍ମକର୍ତ୍ତାମାନେ ମଧ୍ୟ ଏବିଭିପିରୁ ନିଜର ସାର୍ବଜନୀନ ଜୀବନ ଆରମ୍ଭ କରିଥିଲେ। ଖାଲି ସେତିକି ନୁହେଁ, ନଡ୍ଡା, ପ୍ରଧାନ, ତାୱଡେ, ରୂପାନୀ, ଜୟରାମଙ୍କ ସମେତ ଅନେକ ବିଜେପି ନେତାଙ୍କ ପତ୍ନୀ ମଧ୍ୟ ଏବିଭିପିର। ଆଶ୍ଚର୍ଯ୍ୟର କଥା ହେଉଛି, ଏବିଭିପିରେ ନିୟୋଜିତ ବରିଷ୍ଠ କେନ୍ଦ୍ରୀୟ କର୍ମକର୍ତ୍ତାଙ୍କ ପରାମର୍ଶକ୍ରମେ ଏହି ବିବାହଗୁଡ଼ିକ ମଧ୍ୟରୁ ଅଧିକାଂଶର ସମାଧାନ ହୋଇଥିଲା ବୋଲି ଛାତ୍ର ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି।

ବିଜେପି-ଆରଏସଏସ ବାହାରେ ବି ଏବିଭିପିର ଆଧିପତ୍ୟ ରହିଛି

ଏବିଭିପିର ପ୍ରଭାବ କେବଳ ବିଜେପି ଏବଂ ଆରଏସଏସରେ ସୀମିତ ନାହିଁ, ଏହା ଶିକ୍ଷା ଜଗତରେ ବହୁତ ପଅଭାବଶାଳୀ ହୋଇଛି – ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିଠାରୁ ଆରମ୍ଭ କରି ଶିକ୍ଷା ସମ୍ବନ୍ଧୀୟ ନୀତି, ବିଶେଷକରି ମୋଦୀ ସରକାରଙ୍କ ଅଧୀନରେ ପ୍ରସ୍ତୁତ ନୂତନ ଶିକ୍ଷା ନୀତିକୁ ଏବିଭିପିରୁ ପ୍ରଫେସର ଥିବା ବ୍ୟକ୍ତିମାନେ ପ୍ରସ୍ତୁତ କରିଛନ୍ତି। ଏବିଭିପିର ବଢୁଥିବା ପ୍ରଭାବ ସମ୍ପର୍କରେ ପଚରାଯିବାରୁ ବିଜେପି ନେତା ବିନୟ ସହସ୍ରବୁଦ୍ଧେ କହିଛନ୍ତି ଯେ ଛାତ୍ର ସଂଗଠନ ଛାତ୍ର ଜୀବନକୁ ଅବଗତ କରାଇଥାଏ ଏବଂ ଯୁବମନକୁ ଶୃଙ୍ଖଳା, ସାମାଜିକ ଜୀବନ ବିଷୟରେ ପ୍ରଶିକ୍ଷଣ ଦେଇଥାଏ ଏବଂ ସମାଜ ପାଇଁ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଥାଏ। ଏହା ଲୋକମାନଙ୍କୁ ନିର୍ବାଚନ ଲଢ଼ିବା ଭଳି କାର୍ଯ୍ୟରେ ସାମିଲ ହେବାକୁ ପ୍ରେରଣା ଦେଇଥାଏ ଯେଉଁଥିରେ ସଂଘର ଅନ୍ୟାନ୍ୟ ଅନୁବନ୍ଧିତ ସଂଗଠନ ସାଧାରଣତଃ ସମ୍ପୃକ୍ତ ନୁହଁନ୍ତି।

Categories
ଆଞ୍ଚଳିକ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କ୍ୟାମ୍ପସ୍ ୟୁନିଟ୍ ସ୍ଥାପନ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସନ୍ଥକବି ଭୀମ ଭୋଇଙ୍କ ମାଟିରେ ଭୀମଭୋଇ ଡିଗ୍ରୀ କଲେଜ, ରେଢ଼ାଖୋଲରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କ୍ୟାମ୍ପସ ୟୁନିଟ ସ୍ଥାପନ କରାକରାଯାଇଛି। ଏଥିରେ ପ୍ରଦେଶ ସହ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା, ସମ୍ବଲପୁର ବିଭାଗ ୟଶବର୍ଦ୍ଧନ ତିୱାରୀ ତଥା ଜିଲ୍ଲା ସହ ସଂଯୋଜକ ସିଦ୍ଧାନ୍ତ ମାଝୀ ଉପସ୍ଥିତ ଥିଲେ ଓ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ବିଦ୍ୟାର୍ଥୀଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଛି।

ଏଥିରେ ଯୁକ୍ତ ତିନର ଛାତ୍ର ବିବେକ ମହାପାତ୍ରଙ୍କୁ ପରିସରର ସଭାପତି ନିଯୁକ୍ତି କରାଯାଇଥିବା ବେଳେ ସ୍ମୃତିଶିଖା ନନ୍ଦଙ୍କୁ ସମ୍ପାଦକ ନିଯୁକ୍ତ କରାଯାଇଛି। ଶାଶ୍ଵତ ମାଝୀ ଓ ଶୁଭେନ୍ଦୁଙ୍କୁ ସହ ସଭାପତି ନିଯୁକ୍ତ କରାଯାଇଥିବା ବେଳେ ମିଥୁନ ପ୍ରଧାନ ଓ ସଚିନ ବେହେରା ଙ୍କୁ ସହ ସମ୍ପାଦକ ଭାବରେ ରେ ନିଯୁକ୍ତ କର କରାଯାଇଛି। ସଦାଶିବ ସାହୁ, ଦିଲୀପ ପ୍ରଧାନ, ସୁଜିତ୍ ପ୍ରଧାନ, ଲିକି ପ୍ରଧାନଙ୍କୁ ଅନ୍ୟ ଗୁରୁ ଦାୟିତ୍ଵରେ ନିଯୁକ୍ତ କରାଯାଇଛି। ଏଥିରେ ଏବିଭିପିର ବହୁ ଛାତ୍ର ଯୋଗଦେଇଥିଲେ।

Categories
ଆଞ୍ଚଳିକ

ଏ.ବି.ଭି.ପି ରାଜ୍ୟ ସହ ସଂଯୋଜକ ହେଲେ ବାଲିକୁଦାର ଭବରଞ୍ଜନ

ରମେଶ ମହାନ୍ତି
ଜଗତସିଂହପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୪୫ତମ ରାଜ୍ୟ ଅଧିବେଶନ ମାର୍ଚ୍ଚ ୬, ୭ ଦୁଇଦିନ ଧରି ବ୍ରହ୍ମପୁରରେ ହୋଇଥିଲା। ଏହି ଅବସରରେ ୨୦୨୧-୨୦୨୨ ର ନୂଆ କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା। ରାଜ୍ୟ ସଭାନେତ୍ରୀ ଭାବେ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ, ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ଭବରଞ୍ଜନ ବେହେରା (ଆକାଶ) ଙ୍କୁ ରାଜ୍ୟ ସହ ସଂଯୋଜକ ଭାବେ ରାଜ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ପାଇଁ ନିର୍ବାଚିତ ହୋଇଛନ୍ତି।

ଭବରଞ୍ଜନଙ୍କ ଘର ବାଲିକୁଦା ବ୍ଲକ ରାହଣ ପଞ୍ଚାୟତରେ। ସେ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ରେ ରାଜନୀତି ବିଭାଗ ସମ୍ନାନରେ ପଢିଲା ବେଳେ ବିଦ୍ୟାର୍ଥୀ ପରିଷଦ ପାଇଁ କାର୍ଯ୍ୟ କରି ଆସୁଥିଲେ। ସେ ୨୦୧୮ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ। ବର୍ତ୍ତମାନ ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଲୋକପ୍ରଶାସନରେ ସ୍ନାତକ କରୁଛନ୍ତି।

ବର୍ତ୍ତମାନ ସେ ବାଣୀବିହାରର କ୍ୟାମ୍ପସ ୟୁନିଟ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବିଶ୍ୱର ସର୍ଵବୃହତମ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶାର ରାଜ୍ୟ ସହ ସଂଯୋଜକ ଭାବେ ନିର୍ବାଚିତ କରାଯାଇଥିବାରୁ ଜିଲ୍ଲାର ଛାତ୍ର ଛାତ୍ରୀ ସମେତ ବାଣୀବିହାରର ଛାତ୍ର ଛାତ୍ରୀଙ୍କ ତରଫରୁ ଅନେକ ଶୁଭେଚ୍ଛା ଦିଆଯାଇଛି।

Categories
ଆଞ୍ଚଳିକ

ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଏବିଭିପି ପକ୍ଷରୁ ‘ରନ ନାଚୁଣୀ ରନ’ ମାରାଥନ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଯୁବପିଢ଼ିଙ୍କ ପ୍ରେରଣାର ଉତ୍ସ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ। ଦେଶ ବିଦେଶରେ ସ୍ଵାମିଜୀଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ବହୁ ଧୁମଧାମରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନାଚୁଣୀ ଶାଖା ଦ୍ୱାରା ଏକ ମିନି ମାରାଥନ ‘ରନ ନାଚୁଣୀ ରନ’ ର ଆୟୋଜନ କରାଯାଇଥିଲା। ଏହି ମାରାଥନ ନାଚୁଣୀ ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ନାଚୁଣୀ ବଜାର ଦେଇ କଉଡ଼ିଖଣି ଛକ ନିକଟରେ ସମାପ୍ତ ହୋଇଥିଲା।

ଏହି ପ୍ରରିପ୍ରେକ୍ଷୀରେ ନାଚୁଣୀସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ଦାସ, ମୁଖ୍ୟ ବକ୍ତାରୂପେ ନାଚୁଣୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ସମନ୍ତସିଂହାର, ସମ୍ମାନିତ ଅତିଥି ଭାବେ ନାଚୁଣୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସତ୍ୟନାରାୟଣ ସୁବୁଦ୍ଧି ଓ ଏବିଭିପି ନାଚୁଣୀ କଲେଜ କ୍ୟାମ୍ପସ ୟୁନିଟ ସଭାପତି ବିପ୍ଳବ ଗୁରୁ ଯୋଗଦେଇଥିଲେ। ଅତିଥିମାନେ ସ୍ୱାମୀ ବିବେକାନନ୍ଦ ଏବଂ ମା ସରସ୍ବତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଦ୍ବୀପ ପ୍ରଜ୍ବଳନ କରିବାପରେ କାର୍ଯ୍ୟକର୍ତାଙ୍କ ଦ୍ୱାରା ପରିଷଦ ଗୀତ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଅତିଥିମାନେ ଯୁବ ଦିବସର ମହତ୍ୱ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ବିଦ୍ୟାର୍ଥୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ପରି ନିଜକୁ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ।

ପରିଶେଷରେ ‘ରନ ନାଚୁଣୀ ରନ ‘ ମିନି ମାରାଥନରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପଦକ ଏବଂ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ। ଉକ୍ତ ମାରାଥନରେ ରାକେଶ କୁମାର ସାମନ୍ତରାୟ, ବାଙ୍କାନିଧି ଜେନା ଏବଂ ଅଶୋକ କୁମାର ଜଗଦ୍ଦେବ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବ୍ୟବସ୍ଥା ପ୍ରମୁଖ ତଥା ବାଣପୁର-ବାଲୁଗାଁ ନଗର ସହ ସମ୍ପାଦକ ଶୁଭମ ତ୍ରିପାଠୀ ଏବଂ ବ୍ୟବସ୍ଥା ସହ ପ୍ରମୁଖ ତଥା ବାଣପୁର-ବାଲୁଗାଁ ନଗର ପାଠ୍ୟଚକ୍ର ପ୍ରମୁଖ ଆଶାତୀତ ସାହୁ ପରିଚାଳନା କରିଥିବାବେଳେ ଯଶକେତନ ସାହୁ, ବାଦଲ ସୁବୁଦ୍ଧି, ପ୍ରଭଞ୍ଜନ ସ୍ୱାଇଁ ଏବଂ ସତ୍ୟ ନାରାୟଣ ମହାପାତ୍ର ଆଦି କାର୍ଯ୍ୟକର୍ତା ସହଯୋଗ କରିଥିଲେ। ଅନୁରୂପ ଭାବେ ଆଜି ଏବିଭିପି ଦ୍ୱାରା ବାଣପୁରରେ ନଗର ସହ ସମ୍ପାଦକ ପ୍ରିୟାଂଶୁ ପ୍ରଧାନ ଏବଂ ଗମ୍ଭାରୀମୁଣ୍ଡା ଠାରେ ନଗର ସହ ସମ୍ପାଦକ ସୌମ୍ୟରଂଜନ ସାହୁଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ପୃଥକ ପୃଥକ ଭାବେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି।