Categories
ଆଞ୍ଚଳିକ

“ଅଙ୍କୁର” ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ଵର: ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଅଙ୍କୁର” ତରଫରୁ ଗତ ୧୫ ଅକ୍ଟୋବର ସକାଳେ ଭୁବନେଶ୍ବରର ଏନ୍ ୧ ପ୍ରାଇମେରୀ ସ୍କୁଲ ପରିସରରେ ଦୈନନ୍ଦିନ ଜୀବନରେ ଉପଯୋଗୀ ଫଳ ଚାରା ସ୍କୁଲ ପିଲାଙ୍କ ଦ୍ବାରା ରୋପଣ କରାଯାଇଥିଲା। ପିଲାଙ୍କ ଭିତରେ ପରିବେଶ ଏବଂ ପ୍ରକୃତି ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ କୋଡ଼ିଏ ବର୍ଷ ଧରି ଏ ପ୍ରକାର କାର୍ଯ୍ୟକ୍ରମ ଅଙ୍କୁର ଆୟୋଜନ କରିଆସୁଛି। ସ୍କୁଲ ପିଲା, ଶିକ୍ଷକ ଓ ଅଭିଭାବକ ଙ୍କ ମିଳିତ ଉଦ୍ୟମରେ ଗଛ ଲଗାଇବା ଓ ତାର ଯତ୍ନ ନେବାକୁ ଅଙ୍କୁର ପ୍ରାଥମିକତା ଦେଇ ଆସୁଛି।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମାନସୀ ରାଣୀ ସୁନ୍ଦରରାୟ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅତିଥି ଭାବରେ ଯୋଗଦାନ କରିଥିଲେ। ଅଙ୍କୁରର ସମ୍ପାଦକ ଚିନ୍ମୟୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବୃକ୍ଷରୋପଣ ଓ ଏହାର ଆବଶ୍ୟକତା ଉପରେ ସମ୍ୟକ ଧାରଣା ଦିଆଯାଇଥିଲା। ଅଙ୍କୁର ଫାଉଣ୍ଡେସନର କର୍ମକର୍ତ୍ତା ଓ ବିଦ୍ୟାଳୟର ଶିକ୍ଷକମାନେ ଏଥିରେ ବିଶେଷ ସହଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଙ୍କୁର ତରଫରୁ “ପକ୍ଷୀ ପାଇଁ ବସାଟିଏ” କାର୍ଯ୍ୟକ୍ରମ ଉଦ୍ଘାଟିତ

ଭୁବନେଶ୍ବର: ବ୍ୟାପକ ସହରୀକରଣ ଓ କଂକ୍ରିଟ ବଳୟ ଭିତରେ ପକ୍ଷୀମାନଙ୍କ ପାଇଁ ବସା ବାନ୍ଧିବାର ସୁଯୋଗ ସଙ୍କୁଚିତ ହୋଇଚାଲିଛି। ପକ୍ଷୀମାନଙ୍କୁ ସୁରକ୍ଷିତ ଭାବରେ ବସା ବାନ୍ଧି ରହିବାର ସୁଯୋଗ ସୃଷ୍ଟି କରିବାକୁ ରାଜଧାନୀର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ “ଅଙ୍କୁର ଫାଉଣ୍ଡେସନ” ତରଫରୁ “ପକ୍ଷୀ ପାଇଁ ବସାଟିଏ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଆଇଆରସି ଭିଲେଜ ସ୍ଥିତ ବିଏମସି ପାର୍କରେ ଆୟୋଜିତ ଏହି ଅଭିନବ କାର୍ଯକ୍ରମକୁ ୧୧, ଜୁନ ସକାଳେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ। ପକ୍ଷୀଙ୍କୁ ସୁରକ୍ଷିତ ଆବାସ ଦେବା ଲାଗି ଏହି ଯୋଜନା ସମସ୍ତଙ୍କ ଲାଗି ଅନୁକରଣୀୟ ହେବା ଉଚିତ ବୋଲି ଶ୍ରୀମତି ଦାସ କହିଥିଲେ।

ଉତ୍ସବର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ ଏହି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଦିଗରେ ଏକ ବଡ ପଦକ୍ଷେପ ବୋଲି କହିଥିଲେ।

ଆଗାମୀ ଦିନରେ ପକ୍ଷୀଙ୍କ ବସା ଓ ଆହାର ଯୋଗାଇବାକୁ ରାଜଧାନୀର ବିଭିନ୍ନ ପାର୍କରେ ଏହି କାର୍ଯକ୍ରମକୁ ସମ୍ପ୍ରସାରିତ କରାଯିବ ବୋଲି ଅଙ୍କୁର ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଥିଲେ। ରାଜଧାନୀ ସମେତ ରାଜ୍ୟରେ ଏହାକୁ ଏକ ଜନ ଆଂଦୋଳନର ରୂପ ଦେବାକୁ ଆମେ ପ୍ରୟାସ କରିବୁ ବୋଲି ଶ୍ରୀମତୀ ପଣ୍ଡା ଏହି ଅବସରରେ ଘୋଷଣା କହିଥିଲେ।

କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରରାୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଅନେକ ବରିଷ୍ଠ ନାଗରିକ ଓ ସଂଗଠକ ଏଥିରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅୟସ୍କାନ୍ତ ମିଶ୍ର, ସୁମିତ୍ରା ପାଢୀ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଅଙ୍କୁର ତରଫରୁ ବସ୍ତିପିଲାଙ୍କ ସହ ହୋଲି ଉତ୍ସବ

ଭୁବନେଶ୍ବର: ଅଙ୍କୁର ଫାଉଣ୍ଡେସନ ତରଫରୁ ଗତ ମାର୍ଚ୍ଚ ୧୮ ତାରିଖ ରେ ହୋଲି ଉତ୍ସବ ପାଳିତ ହୋଇଛି। ଏକ ନିଆରା ଆୟୋଜନରେ ଫାଉଣ୍ଡେସନ ତରଫରୁ ବସ୍ତିରେ ରହୁଥିବା ପିଲାଙ୍କ ସହିତ ରଙ୍ଗ ଖେଳ କରା ଯାଇଥିଲା। ପିଲାଙ୍କୁ ହୋଲି ଖେଳିବା ପାଇଁ ରଙ୍ଗ ଓ ପିଚକାରୀ ଉପହାର ଦେବାସହ ସୁରକ୍ଷିତ ଓ ସୁନ୍ଦର ହୋଲି ପାଳନ ର ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା।

ଆଇଆରସି ଭିଲେଜ ପାଖ ବସ୍ତି ର ପିଲାମାନେ ଏହି ସମାରୋହ ଏବଂ କର୍ମଶାଳାରେ ଯୋଗ ଦେଇଥିଲେ। ପ୍ରତି ବର୍ଷ ପିଲାମାନଙ୍କ ବୌଦ୍ଧିକ ଶକ୍ତିର ବିକାଶ ପାଇଁ ଅଙ୍କୁର ତରଫରୁ ଏମିତି ଅନେକ ସୃଜନଶୀଳ କାର୍ଯ୍ୟକ୍ରମ କରା ଯାଇଥାଏ। ହୋଲି ଉତ୍ସବ ମାଧ୍ୟମରେ ଏକ ସୁସ୍ଥ ଏବଂ ସୁନ୍ଦର ଶିଶୁ ସମାଜ ଗଠନ ଆମ ଲକ୍ଷ୍ୟ ବୋଲି ଅଙ୍କୁର ର ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଛନ୍ତି। ଏହି ଉତ୍ସବ ମାଧ୍ୟମରେ ସବୁ ବର୍ଗର ଶିଶୁ ଙ୍କ ମଧ୍ୟରେ ସମାନତାର ବାର୍ତ୍ତା ପହଞ୍ଚାଇବା ଆମର ଉଦ୍ଦେଶ୍ୟ ବୋଲି ଅଙ୍କୁର ତରଫରୁ କୁହାଯାଇଛି।