ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ୍)ର ସାମର୍ଥ୍ୟ ବୃଦ୍ଧି ଓ ସ୍ୱଦେଶୀକରଣ ପ୍ରକ୍ରିୟାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଯୋଡ଼ିହୋଇଛି। ପ୍ରତିରକ୍ଷା ସଂସ୍ଥା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ଏଚ୍ଏଏଲ୍-ହାଲ୍) ଭାରତୀୟ ବାୟୁସେନାକୁ ପ୍ରଥମ ୩ଟି ସ୍ୱଦେଶୀ ‘HTT-40’ ବେସିକ୍ ଟ୍ରେନର୍ ବିମାନ ହସ୍ତାନ୍ତର କରିଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବିମାନକୁ ‘ଅଙ୍କୁର’ ନାମରେ ନାମିତ କରାଯାଇଛି।
ଏହି ବିମାନଗୁଡ଼ିକୁ ହାଇଦ୍ରାବାଦ ନିକଟସ୍ଥ ଏୟାରଫୋର୍ସ ଏକାଡେମୀରେ ନୂତନ ପାଇଲଟ୍ମାନଙ୍କ ପ୍ରାରମ୍ଭିକ ଉଡ଼ାଣ ତାଲିମ ପାଇଁ ନିୟୋଜିତ କରାଯିବ। ତେବେ ନୂତନ ପାଇଲଟ୍ମାନଙ୍କର ସମ୍ପୂର୍ଣ୍ଣ ତାଲିମ ପ୍ରକ୍ରିୟା ଆରମ୍ଭ ହେବା ପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିପାରେ। ଏଥିପାଇଁ ପ୍ରଥମେ ୨୫ରୁ ୩୦ଟି ବିମାନକୁ ନେଇ ଏକ ସ୍କ୍ୱାଡ୍ରନ୍ ବା ବେଡ଼ା ପ୍ରସ୍ତୁତ କରାଯିବା ସହ ଫ୍ଲାଇଂ ଇନ୍ସଟ୍ରକ୍ଟରମାନଙ୍କୁ ବିଶେଷ ତାଲିମ ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ, ପ୍ରଥମ HTT-40 ବିମାନର ଡେଲିଭରି ଗତ ସେପ୍ଟେମ୍ବର ୧୮ରେ ବେଙ୍ଗାଲୁରୁଠାରେ ସମ୍ପନ୍ନ ହୋଇଥିଲା।
ଭାରତୀୟ ପ୍ରତିରକ୍ଷା ବାହିନୀର ପ୍ରାରମ୍ଭିକ ତାଲିମ ଆବଶ୍ୟକତାକୁ ଆଖିଆଗରେ ରଖି ଏହି ବିମାନକୁ ୫୭ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ହାଲ୍ ମଧ୍ୟରେ ମୋଟ ୭୦ଟି HTT-40 ବିମାନ ପାଇଁ ଚୁକ୍ତି ହୋଇଥିବା ବେଳେ ଏହି ହସ୍ତାନ୍ତର ସେହି ପ୍ରକ୍ରିୟାର ଶୁଭାରମ୍ଭ ଅଟେ।
ଉଲ୍ଲେଖଯୋଗ୍ୟ, ସ୍ୱଦେଶୀ ଟ୍ରେନର୍ ବିମାନରେ ଭାରତୀୟ ପାଇଲଟ୍ମାନେ ତାଲିମ ନେବା ଏହା ପ୍ରଥମ ନୁହେଁ। ଏହାପୂର୍ବରୁ ବାୟୁସେନା ହାଲ୍ ନିର୍ମିତ ‘HPT-32 ଦୀପକ’ ବିମାନ ବ୍ୟବହାର କରିସାରିଛି। ଏହାବ୍ୟତୀତ ହାଲ୍ ବାୟୁସେନାକୁ ସ୍ୱଦେଶୀ ଯୁଦ୍ଧବିମାନ ‘ତେଜସ୍’ ଏବଂ ‘ଧ୍ରୁବ’ ହେଲିକପ୍ଟର ସଫଳତାର ସହ ଯୋଗାଇ ସାରିଛି।


