Categories
ଆଞ୍ଚଳିକ

ବାଣପୁର: ନରେନ୍ଦ୍ରପୁରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଦିନ ସକାଳ ୯.୩୦ ଘଟିକା ସମୟରେ ନରେନ୍ଦ୍ରପୁର ପଂଚାୟତ ଅଙ୍ଗନବାଡି କେନ୍ଦ୍ରରେ ଆଦର୍ଶ ଆରୋଗ୍ୟ ସେବା ସଦନ ଓ ହେଲଥ ଭିଲେଜ ହସ୍ପିଟାଲ ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି।

ଏହି ଶିବିରରେ ହେଲଥ ଭିଲେଜ ହସ୍ପିଟାଲର ଡାକ୍ତର ଶ୍ରୀ ରାମ ବାବୁ, ଆଦର୍ଶ ଆରୋଗ୍ୟ ସେବା ସଦନର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ସହ ମହା ପ୍ରବନ୍ଧକ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଭି. କାମେଶ୍ୱର ଆଚାରୀ, ସ୍ୱାସ୍ଥ୍ୟ ସହାୟକ ପ୍ରଦୀପ ସାହୁ ଏବଂ ଭବାନୀ ମିଶ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରି ୭୫ ଜଣ ରୋଗୀଙ୍କୁ ଚିକିତ୍ସା କରିଥିଲେ।

ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରୁଛନ୍ତି। ଶ୍ରୀ ଆଚାରୀ କହିଲେ ଏହି ସେବା କାର୍ଯ୍ୟ ପ୍ରତ୍ୟେକ ମାସରେ ଦୁଇ ଥର କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ନେଇ ଦ୍ଵନ୍ଦ୍ଵ: ସ୍ପଷ୍ଟ କଲା ମହିଳା ଓ ଶିଶୁ ବିକାଶ ବିଭାଗ

ଭୁବନେଶ୍ଵର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟଗୁଡିକ ପାଇଁ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ହେଲେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ଖୋଲା ରହିବାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ତେଣୁ ଏହାକୁ ନେଇ ରାଜ୍ୟ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଙ୍ଗନବାଡି ଖୋଲିବାକୁ ନେଇ ମହିଳା ଓ ଶିଶୁ ବିଭାଗ ଏକ ସୂଚନା ମାଧ୍ୟମରେ ଅବଗତ କରିଛି।

ସୂଚନା ଅନୁଯାୟୀ, ରାଜ୍ୟରେ ସମସ୍ତ ଅଙ୍ଗନବାଡି କେନ୍ଦ୍ର ପ୍ରତ୍ୟେକ କାର୍ଯ୍ୟ ଦିବସରେ ଖୋଲା ରହିବ। ସକାଳ ୭ ଟାରୁ ୧୦ ଟା ଯାଏଁ କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ରହିବ। କିନ୍ତୁ ଆବଶ୍ୟକ ପଡିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଅଙ୍ଗନବାଡି କେନ୍ଦ୍ରର ସମୟ ପରିବର୍ତ୍ତନ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

କାଲିଠୁ ଖୋଲିବ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ର: ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିପାରିବେ ଜିଲ୍ଲାପାଳ

ଭୁବନେଶ୍ଵର: ଆସନ୍ତାକାଲିଠାରୁ ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ଖୋଲା ହେବ। ସକାଳ ୭ ଟାରୁ ୧୦ ଟା ଯାଏଁ ଏହା ଖୋଲା ରହିବ। ହେଲେ ସ୍ଥଳ ବିଶେଷରେ ଜିଲ୍ଲାପାଳମାନେ ସମୟରେ ପରିବର୍ତ୍ତନ କରିପାରିବେ। ସେହିଭଳି ଜରୁରୀ ମନେ କଲେ ଜିଲ୍ଲାପାଳ ଛୁଟି ମଧ୍ୟ ଘୋଷଣା କରିପାରିବେ। ଏନେଇ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଥିବାରୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସୀମାରେ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇଲା ଆନ୍ଧ୍ର, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଦାବି

ଭୁବନେଶ୍ୱର: ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ମାଣିକ ପାଟଣା ଗ୍ରାମରେ ଆନ୍ଧ୍ର ପକ୍ଷରୁ ଜବରଦସ୍ତ ଆରମ୍ଭ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଦୁଇଦିନ ତଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇ ସିଲ୍ କରାଯାଇଥିଲା। ଆଜି ଆନ୍ଧ୍ର ସରକାରଙ୍କ କିଛି ଅଧିକାରୀ ଓ ସେହି ରାଜ୍ୟର ପଶୁ ସମ୍ପଦ ମନ୍ତ୍ରୀ ଆପଲା ରାଜୁ ମାଣିକ ପାଟଣା ଗ୍ରାମରେ ପହଞ୍ଚି ଉକ୍ତ କେନ୍ଦ୍ରକୁ ଖୋଲିବା ସହିତ ୫ ଜଣ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢାଇଛନ୍ତି ଓ ଅଣ୍ଡା ବାଣ୍ଟିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି।

ଆନ୍ଧ୍ର ସରକାରଙ୍କର ଏହି ଦାଦାଗିରି ଦିନକୁ ଦିନ ଅସହ୍ୟ ହୋଇ ଉଠିଲାଣି। କିଛିଦିନ ତଳେ କୋଟିଆ ଗ୍ରାମପୁଞ୍ଜର ନେରେଡ଼ିଭାଲସା ଗ୍ରାମରେ ପହଞ୍ଚି ଆନ୍ଧ୍ର ଥାନା ଅଧିକାରୀମାନେ ଲୋକଙ୍କ ଅଭିଯୋଗର ଶୁଣାଣୀ କରିଥିଲେ। ତା ପୂର୍ବରୁ ପଶୁ ଚିକିତ୍ସା ଶିବିର କରିବା ସହିତ ଚାରା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥିଲେ। କୋଟିଆ ଓ ଗଜପତି ଜିଲ୍ଲାର ମାଣିକ ପାଟଣାରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଓଡ଼ିଶାର ସ୍ୱାଭିମାନ ଉପରେ ଆକ୍ରମଣ। ମାନ୍ୟବର ସୁପ୍ରିମକୋର୍ଟ ଆନ୍ଧ୍ର ଓଡ଼ିଶା ଭିତରେ ଥିବା ବିବାଦକୁ ୬ ସପ୍ତାହ ଭିତରେ ଆପୋଶ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲା ବେଳେ ଆନ୍ଧ୍ର ସରକାର ବାରମ୍ବାର ଓଡ଼ିଶା ସୀମାକୁ ଅନୁପ୍ରବେଶ କରି ଦାଦାଗିରି ଦେଖାଇବା ଓ ଜବରଦସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇବା ଆନ୍ଧ୍ରର ଦାଦାଗିରିର ପରିଚାୟକ।

ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଆନ୍ଧ୍ରର ଦାଦାଗିରି ଉପରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅନୁରୋଧ କରିଛନ୍ତି। ସେହିଭଳି ପଶ୍ଚିମବଙ୍ଗ ସରକାର ମଧ୍ୟ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର ସୀମାରେ ପାଚେରୀ ନିର୍ମାଣ କରିବାର ଖବର ଆସିଛି। ଗୋଟିଏ ପଟେ ଆନ୍ଧ୍ର ଏବଂ ଉତ୍ତର ଦିଗରେ ପଶ୍ଚିମବଙ୍ଗଳାର ଓଡ଼ିଶାର ସୀମା ଭିତରେ ଅନୁପ୍ରବେଶକୁ ଆଦୌ ବରଦାସ୍ତ କରାଯିବ ନାହିଁ। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ବେହେରା ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଣ୍ଡା, ଛତୁଆ ପରେ ଏବେ ଚୁନା ମାଛ : ଏଣିକି ଅଙ୍ଗନବାଡି କେନ୍ଦ୍ରରେ ପିଲାକୁ ମିଳିବ ଚୁନା ମାଛ

ଭୁବନେଶ୍ୱର: ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ମିଳିବ ଚୁନା ମାଛ। ଅଙ୍ଗନଓ୍ବାଡି ପିଲାଙ୍କୁ ସୁଷମ ଖାଦ୍ୟ ଦିଆଯାଉଥିଲା। ତେବେ ପୃଷ୍ଟି ପାଇଁ ସେମାନଙ୍କୁ ଅଣ୍ଡା, ଛତୁଆ ଦିଆଯାଉଥିବା ବେଳେ ଏହି ତାଲିକାରେ ବର୍ତ୍ତମାନ ଚୁନାମାଛ ସାମିଲ୍‌ ହେବାକୁ ଯାଉଛି। ଏଣିକି ଅଙ୍ଗନଓ୍ବାଡି କେନ୍ଦ୍ରରେ 3ରୁ 6 ବର୍ଷ ବୟସର ଗର୍ଭବତୀ, ପ୍ରସୂତୀ ଓ କିଶୋରୀଙ୍କୁ ଏହା ଦିଆଯିବ। ଅଙ୍ଗନଓ୍ବାଡି ଖାଦ୍ୟ ତାଲିକାରେ ଏହାକୁ ସାମିଲ କରାଯିବ। ପାଇଲଟ ପ୍ରକଳ୍ପ ଭାବେ ପ୍ରଥମେ ମୟୂରଭଞ୍ଜ ଜିଲାରେ ଏହି ଯୋଜନା ଆରମ୍ଭ କରାଯିବ। ପରେ ଜିଲାର 50ଟି ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏ ନେଇ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭର୍ଚୁଆଲ ବୈଠକ ବସିଥିଲା । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ମତ୍ସ୍ୟ ଉତ୍ପାଦାନ, ୱାଲର୍ଡ ଫିସ୍‌ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି । ଖୁବ ଶୀଘ୍ର ସମଗ୍ର ରାଜ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ସ୍ଥିର ହୋଇଛି ।

Categories
ଆଞ୍ଚଳିକ

ପ୍ରଭାବଶାଳୀଙ୍କ ଲୋଲୁପ ଦୃଷ୍ଟିରେ ସରକାରୀ ସମ୍ପତ୍ତି: ଅଙ୍ଗନବାଡି ପାଚେରୀ ଭାଙ୍ଗିବାକୁ ଚାଲିଛି ମସୁଧା

ସମୀକ୍ଷା ବ୍ୟୁରୋ

କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଏକ ଅଙ୍ଗନବାଡ଼ୀ ପାଚେରୀକୁ ଭାଙ୍ଗିବାକୁ ସ୍ଥାନୀୟ କିଛି ପ୍ରଭାବଶାଳୀ ବ୍ୟକ୍ତି ଉଦ୍ୟମ କରୁଥିବାବେଳେ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅଭିଭାବକମାନେ ଜିଲ୍ଲାପାଳଙ୍କ  ନିକଟରେ ନିବେଦନ କରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଥାନା ଅଧିକାରୀ, ବିଡ଼ିଓ ଏବଂ ତହସିଲଦାରଙ୍କୁ ମଧ୍ୟ ଅଭିଭାବକମାନେ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ତେବେ କୋମଳମତି ଶିଶୁଙ୍କୁ ହୀନ ରାଜନୀତିର ଶିକାର କରାଯାଉଥିବାରୁ ଏହି ଘଟଣାରେ ବୁଦ୍ଧିଜୀବୀଙ୍କ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ପ୍ରକାଶଯେ, ମଙ୍ଗରାଜପୁର ଅଙ୍ଗନବାଡ଼ୀ-୨ କେନ୍ଦ୍ରରେ ସ୍ଥାନୀୟ ଅଂଚଳର କୁନିକୁନି ପିଲାମାନେ ଅଧ୍ୟୟନ କରୁଛନ୍ତି। ଏହି କେନ୍ଦ୍ର ମଧ୍ୟ ପରିଚାଳନା କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନକରି ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ଚର୍ତୁପାଶ୍ୱରେ ପାଚେରୀ ନଥିବାରୁ ଶିଶୁମାନେ ଅସୁରକ୍ଷିତ ଭାବେ ଏଠାରେ ଅଧ୍ୟୟନ କରୁଥିଲେ। ତେବେ ବ୍ଳକ ପକ୍ଷରୁ ୨ ଲକ୍ଷ ଟଙ୍କାରେ ଏହାର ପାଚେରୀ ନିର୍ମାଣ କରାଯାଇଥିଲା। ମାତ୍ର ଏହି ପାଚେରୀ ରାସ୍ତାର ବହୁ ଦୂରରେ ଥିବା ସତ୍ତ୍ବେ ଏହାକୁ ଭାଙ୍ଗିବାକୁ ଗ୍ରାମର କେତେକ ପ୍ରଭାବଶାଳୀ ବ୍ୟକ୍ତିମାନେ  କିଛିଦିନ ହେବ ଉଦ୍ୟମ ଚଳାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏନେଇ ଏକାଧିକବାର ଉଦ୍ୟମ ହୋଇଥିବା ଜଣାପଡ଼ିଛି। ତେବେ ସରକାରୀ ଅର୍ଥ ବ୍ୟୟରେ ସରକାରୀ ଜମି ଉପରେ ସରକାରଙ୍କ ଗୃହର ପାଚେରୀ ଭାଙ୍ଗିବାପାଇଁ ଏହି ବ୍ୟକ୍ତିମାନେ କେଉଁଠାରୁ ଅଧିକାର ପାଇଲେ ବୋଲି ପ୍ରଶ୍ନ ଉଠିଛି। ତପନ କୁମାର ସାହୁ, ଆଲୋକ କୁମାର ସ୍ୱାଇଁ, ଲକ୍ଷ୍ମୀଧର ସ୍ୱାଇଁ, କାଳନ୍ଦୀ ସ୍ୱାଇଁ, ପବିତ୍ର ବେହେରା, ଜଗନ ସ୍ୱାଇଁ, କବିନ୍ଦ୍ର ବେହେରା, ବୈଦ୍ୟନାଥ ରାଉତ,ରୂପକ ସ୍ୱାଇଁ,ରଶ୍ମୀତା ଦାସ,ସୁବାଷ ବେହେରା, ପ୍ରତିମା ବେହେରା ପ୍ରମୁଖ ଶତାଧିକ ଅଙ୍ଗନବାଡ଼ୀ ଶିଶୁଙ୍କ ଅଭିଭାବକ ଏବଂ ଅଭିଭାବିକା ମାନେ ଏଥିରେ ହସ୍ତକ୍ଷେପ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତଭାବେ ନିବେଦନ କରିଥିବା ଜଣାପଡ଼ିଛି। ସେହିପରିଭାବେ ଏନେଇ ସ୍ଥାନୀୟ ତହସିଳଦାର ଏବଂ ଥାନା ଅଧିକାରୀଙ୍କ ନିକଟରେ ମଧ୍ୟ ଲିଖିତଭାବେ ଆବେଦନ କରାଯାଇଥିବା ଜଣାପଡ଼ିଛି।

ତେବେ ଏହି ଅଙ୍ଗନବାଡ଼ି ପାଚେରଟି ସମ୍ପୂର୍ଣ୍ଣ ଭାବରେ ସରକାରୀ ଜାଗାରେ ରହିଛି। ଏଥିରେ କାହାର ଅସୁବିଧା ହେଉନଥିବାର ଜଣାଯାଇଛି। ଯଦି କେହି ଏହାକୁ ଭାଙ୍ଗିବାକୁ ଉଦ୍ୟମ କରନ୍ତି, ତା’ହେଲେ, ସରକାରୀ ନିୟମ ଅନୁସାରେ ଦଣ୍ଡିତ ହେବାର ପ୍ରାବଧାନ ରହିଛି। ଅପରପକ୍ଷରେ ଥାନା ଅଧିକାରୀ ଏହି କାର୍ଯ୍ୟ ନ କରିବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରଣ କରିଥିବା ଜଣାପଡିଛି। ତେବେ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ସରକାରୀ ଦଣ୍ଡାକୁ ନିଜ ନାମରେ ସ୍ଥାୟୀ ରେକର୍ଡ କରାଇନେଇଥିବାର ଜଣାଯାଇଛି। ସେହିପରି ଅନ୍ୟ କେତେକ ସରକାରୀ ଜମିରେ ସ୍ଥାୟୀ ନିର୍ମାଣ କରିଛନ୍ତି। ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ କାହିଁକି ଅଙ୍ଗନବାଡି କେନ୍ଦ୍ରର ପାଚେରୀ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।