Categories
ଆଜିର ଖବର ଜାତୀୟ ଖବର

ସିନ୍ଦେଙ୍କ ଦଳରୁ ଇସ୍ତଫା ଦେଇପାରନ୍ତି ଶିବାଜିରାଓ ପାଟିଲ, ଏହି ଦଳରେ ହେବେ ସାମିଲ

ନୂଆଦିଲ୍ଲୀ: ଶିବଜୀରାଓ ଅଦଲରାଓ ପାଟିଲ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳରୁ ଇସ୍ତଫା ଦେଇ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପି ରେ ଯୋଗ ଦେଇପାରନ୍ତି। ସୂଚନାନୁସାରେ, ସେ ଅଜିତ ପାୱାରଙ୍କ ଏନସିପିରୁ ମହାରାଷ୍ଟ୍ରର ଶିରୁର ଆସନରୁ ଶରଦ ପାୱାରଙ୍କ ଅମୋଲ କୋହ୍ଲେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଏନସିପି ଅଜିତ ପାୱାର ଦଳର ମୁଖପାତ୍ର ତଥା ନେତା ଉମେଶ ପାଟିଲ କହିଛନ୍ତି ଯେ, ଅଜିତ ପାୱାରଙ୍କ ବିରୋଧରେ ସିନ୍ଦେ ସେନା ନେତା ବିଜୟ ଶିବତାର ବାରମ୍ବାର ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି। ତାଙ୍କୁ ତାଙ୍କ ଦଳରୁ ବହିଷ୍କାର କରିବାକୁ ଆମେ ସିଏମ ସିନ୍ଦେଙ୍କୁ କହିଛୁ। ଯଦି ସେମାନେ ଏହା ନକରନ୍ତି ତେବେ ଆମକୁ ଏନଡିଏ ମେଣ୍ଟରେ ରହିବା ଉପରେ ଚିନ୍ତା କରିବାକୁ ପଡିବ।

ଏଥି ସହିତ, ମହାଅଘାଡିରେ ମଧ୍ୟ ତିନୋଟି ଆସନରେ ଦ୍ୱନ୍ଦ୍ୱ ରହିଛି। ସୂଚନାନୁସାରେ, ଏହି ତିନୋଟି ଆସନରେ ଦଳ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ ଏବଂ ଏହି କାରଣରୁ ପ୍ରାର୍ଥୀ ତାଲିକା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏହି ଆସନଗୁଡ଼ିକ ହେଲା ସାଙ୍ଗଲି, ଦକ୍ଷିଣ ସେଣ୍ଟ୍ରାଲ ମୁମ୍ବାଇ ଏବଂ ଭବନ୍ଦୀ।

Categories
ବିଶେଷ ଖବର

କିଛି ଲୋକ ୮୪ ବର୍ଷରେ ପଦାର୍ପଣ କରୁଛନ୍ତି କିନ୍ତୁ ଅବସର ନେବାକୁ ଚାହାଁନ୍ତି ନାହିଁ: ଅଜିତ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ ୮୦ ବର୍ଷରୁ ଅଧିକ ବୟସ ହୋଇଥିଲେ ମଧ୍ୟ କିଛିଲୋକ ରାଜନୀତିରୁ ଅବସର ନେବାକୁ ଚାହାଁନ୍ତି ନାହିଁ। ଥାନେରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଅଜିତ ପାୱାର କହିଛନ୍ତି, ମହାରାଷ୍ଟ୍ର ସରକାରୀ କର୍ମଚାରୀମାନେ ୫୮ ବର୍ଷ ବୟସରେ ଅବସର ନେଇଥାନ୍ତି। ଅଧିକାଂଶ ଲୋକ ସାଧାରଣତଃ ୭୫ ବର୍ଷ ବୟସ ପରେ ନିଜର ସକ୍ରିୟ ବୃତ୍ତିଗତ ଜୀବନ ବନ୍ଦ କରିଦିଅନ୍ତି। କିନ୍ତୁ କିଛିଲୋକ ଅଛନ୍ତି (ଶରଦ ପାୱାରଙ୍କ ଭଳି) ଯେଉଁମାନେ ୮୦ ବର୍ଷ ବୟସ ଅତିକ୍ରମ କରିସାରିଛନ୍ତି ଏବଂ ବର୍ତ୍ତମାନ ୮୪ ବର୍ଷ ବୟସରେ ମଧ୍ୟ ଅବସର ପାଇଁ ପ୍ରସ୍ତୁତ ନୁହଁନ୍ତି । ଏହା ପ୍ରଥମ ଥର ନୁହେଁ ଯେ ଅଜିତ ପାୱାର ଶରଦଙ୍କ ବୟସକୁ ନେଇ କଟାକ୍ଷ କରିଛନ୍ତି ଏବଂ ଦଳୀୟ କର୍ମକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଏନସିପିରୁ ଅଲଗା ହେବା ପରେ ସେ ଶରଦ ପାୱାରଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି।

ଅଜିତ ପାୱାର ଏବଂ ତାଙ୍କ ଅନୁଗତ କିଛି ବିଧାୟକ ଗତବର୍ଷ ଜୁଲାଇରେ ସିନ୍ଦେ ଶିବସେନା-ବିଜେପି ସରକାରରେ ଯୋଗ ଦେଇଥିଲେ। ଏହାପରେ ସେ ଏନସିପିର ନାମ ଓ ନିର୍ବାଚନ ଚିହ୍ନ ଉପରେ ଦାବି କରିଥିଲେ। ଏହି ପଦକ୍ଷେପକୁ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ନିର୍ବାଚନ ଆୟୋଗରେ ଚ୍ୟାଲେଞ୍ଜ କରିଥିଲେ।

ମନୋଜ ଜାରଙ୍ଗେଙ୍କୁ ଚେତାବନୀ

ଆମେ ଏଠାରେ କାମ କରିବାକୁ ଆସିଛୁ ଏବଂ ଆମେ କାମ କରିବୁ। ଲୋକଙ୍କ ସେବା ପାଇଁ ସେ ରାଜ୍ୟ ସରକାରଙ୍କ ସହ ଯୋଗ ଦେଇଛନ୍ତି ବୋଲି ଅଜିତ ପାୱାର କହିଛନ୍ତି। ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବିରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ସାମାଜିକ କର୍ମୀ ମନୋଜ ଜାରଙ୍ଗେଙ୍କୁ ପରୋକ୍ଷରେ ଚେତାବନୀ ଦେଇ ଅଜିତ କହିଛନ୍ତି ଯେ ଆଇନକୁ କାହା ହାତକୁ ନେବାକୁ ଦିଆଯିବ ନାହିଁ।

ଚାଚାଙ୍କଠାରୁ ଦୂରତା

ଏହାର ଗୋଟିଏ ଦିନ ପୂର୍ବରୁ ପୁଣେର ସଂରକ୍ଷକ ମନ୍ତ୍ରୀ ଅଜିତ ପାୱାର ପିମ୍ପରୀ ଚିଞ୍ଚୱାଡରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ, କିନ୍ତୁ ଅଜିତ ତାଙ୍କ ଚାଚା ମଞ୍ଚରେ ଥିବାରୁ ଏଥିରେ ଯୋଗ ଦେଇନଥିଲେ। ଅଜିତ ପାୱାର ଜାଣିଶୁଣି ତାଙ୍କ ଚାଚା ଶରଦ ପାୱାରଙ୍କ ସହ ମଞ୍ଚ ଅଂଶୀଦାର ନ କରିବା ପାଇଁ ସମାରୋହରେ ଯୋଗ ଦେଇନଥିଲେ ବୋଲି ଚର୍ଚ୍ଚା ହୋଇଥିଲା।

ଏହା ପୂର୍ବରୁ ଏନସିପିରେ ବିଭାଜନ ପରେ ଅଜିତ ପାୱାର ଶରଦ ପାୱାରଙ୍କ ସହ ମଞ୍ଚ ସେୟାର କରିଥିଲେ, କିନ୍ତୁ ତାଙ୍କ ସହ କଥା ହୋଇନଥିଲେ। ଶନିବାର ପିମ୍ପରୀ ଚିଞ୍ଚୱାଡରେ ଉପସ୍ଥିତ ଥିଲେ ମଧ୍ୟ ସେ ସମ୍ମିଳନୀରୁ ଦୂରେଇ ରହିଥିଲେ।

Categories
ବିଶେଷ ଖବର

NCP କାହାର?: ଆଜି ଶୁଣାଣି କରିବେ ନିର୍ବାଚନ ଆୟୋଗ, ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ପାଇଁ ବଡ ଦିନ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ନାମ ତଥା ନିର୍ବାଚନ ଚିହ୍ନ ଉପରେ ଦାବି ସମ୍ପର୍କରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଦଳ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଆଜି ନିର୍ବାଚନ ଆୟୋଗ ଶୁଣାଣି କରିବାକୁ ଯାଉଛନ୍ତି। ଅଜିତ ପାୱାର ଭାରତ ଜନତା ପାର୍ଟି (ବିଜେପି) ସରକାରରେ ଯୋଗଦେବା ପରେ ଏହି ସମଗ୍ର ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଅଜିତ ମଧ୍ୟ ଏନସିପି ଉପରେ ନିଜର ଦାବି ରଖିଥିଲେ।

ପୁତୁରାଙ୍କ ଏହି ପଦକ୍ଷେପ ବିରୋଧରେ ଦାଦା ଶରଦ ପାୱାର ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇଥିଲେ। ବର୍ତ୍ତମାନ ଉଭୟ ଗୋଷ୍ଠୀଙ୍କୁ ନିର୍ବାଚନ ଆୟୋଗଙ୍କ ନିକଟରେ ନିଜର ମତ ଉପସ୍ଥାପନ କରିବାକୁ ପଡିବ। ଏହାପୂର୍ବରୁ ନିର୍ବାଚନ ଆୟୋଗ ଶରଦ ପାୱାର ଗୋଷ୍ଠୀ ବିରୋଧରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଅଜିତ ପାୱାର ଦଳ ଦ୍ଵାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଅଜିତ ପାୱାରଙ୍କୁ ଏନସିପି ସଭାପତି ଘୋଷିତ କରାଯିବା ଉଚିତ ଏବଂ ନିର୍ବାଚନ ଚିହ୍ନ ଆଦେଶ, ୧୯୬୮ ଅନୁଯାୟୀ ପାର୍ଟି ଚିହ୍ନ ମଧ୍ୟ ବଣ୍ଟନ କରାଯିବା ଉଚିତ।

ଏହି ପ୍ରସଙ୍ଗରେ ଶରଦ ପାୱାର କହିଛନ୍ତି ଯେ, ଏନସିପି କିଏ ପ୍ରତିଷ୍ଠା କରିଛି ଏବଂ ପାରତି କାହାର ବୋଲି ସମସ୍ତେ ଭଲଭାବେ ଜାଣିଛନ୍ତି। ଏହା ପରେ ମଧ୍ୟ ଦଳକୁ ନିଜ ହାତ ମୁଠାକୁ ନେବା ପାଇଁ ଉଦ୍ୟମ କରାଯାଉଛି। ନିଷ୍ପତ୍ତି ଯାହା ବି ହୋଇପାରେ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ମୁଁ ବିଭିନ୍ନ ଚିହ୍ନ ଉପରେ ଅନେକ ଥର ପ୍ରତିଦ୍ୱନ୍ଦ୍ୱିତା କରି ଜିତିଛି। ଏଥି ସହ ଅଜିତ ପାୱାର କହିଛନ୍ତି ଯେ, ନିର୍ବାଚନ ଆୟୋଗ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ କରାଯିବ।

ସମ୍ପୂର୍ଣ୍ଣ ଘଟଣା ଜାଣନ୍ତୁ:

ନଭେମ୍ବର ୨୦୧୯ ରେ ବିଜେପି ସହ ସରକାର ଗଠନ କରିବାରେ ତାଙ୍କର ଅସଫଳ ଉଦ୍ୟମ ପରେ ଶରଦ ପାୱାର ଅଜିତ ପାୱାରଙ୍କୁ ସମ୍ପୂର୍ଣ୍ଣ ଭାବେ ଅଲଗା କରିଦେଇଥିଲେ।

ଜୁଲାଇ ୨ ତାରିଖ ୨୦୨୩ରେ ଅଜିତ ପାୱାର ଶିବସେନା (ସିନ୍ଦେ ଗ୍ରୁପ୍) + ବିଜେପି ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ (ମୋଟ ୩୭ ଏନସିପି ବିଧାୟକ ମେଣ୍ଟରେ ଯୋଗ ଦେଇଥିଲେ)।

ଜୁଲାଇ ୫ ତାରିଖ ୨୦୨୩ରେ ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଠାରୁ ଦଳର ନିର୍ବାଚନ ଚିହ୍ନ ଏବଂ ତାଙ୍କ ଦଳର ସାଂସଦ ତଥା ବିଧାୟକଙ୍କ ସମର୍ଥନରେ ୪୦ ଟି ଆଫିଡେଭିଟ୍ ଗ୍ରହଣ କରିଥିଲେ (ଏହି ଚିଠି ଜୁନ୍ ୩୦ ତାରିଖରେ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା)।

Categories
ଆଜିର ଖବର ଜାତୀୟ ଖବର

ଜାଲନା ଘଟଣା ଦୁଃଖଦାୟକ, ଲାଠି ଚାର୍ଜ ପାଇଁ ମୁଁ କ୍ଷମା ମାଗୁଛି: ଦେବେନ୍ଦ୍ର ଫଡନାଭିସ୍

ମୁମ୍ବାଇ: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଜାଲନାରେ ମରାଠା ସଂରକ୍ଷଣ ବିରୋଧ ପ୍ରଦର୍ଶନ ସମୟରେ ପୋଲିସ ଲାଠି ଚାର୍ଜ ପାଇଁ କ୍ଷମା ମାଗିଛନ୍ତି। ପ୍ରକୃତରେ, ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ-ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଏବଂ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମୁମ୍ବାଇରେ ଏକ ବୈଠକ କରିଥିଲେ ଏବଂ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଏକ ବିବୃତ୍ତି ପ୍ରଦାନ କରିଥିଲେ।

ସାମ୍ବାଦିକ ସମ୍ମିଳନୀରେ ଫଡନାଭିସ୍ କହିଛନ୍ତି ଯେ, ଜାଲନା ଘଟଣା ଦୁଃଖଖଦାୟକ। ପୋଲିସର ଲାଟିଚାର୍ଜ ଦୁଃଖ ଖଦାୟକ। ବଳ ପ୍ରୟୋଗ ପାଇଁ କୌଣସି ସମର୍ଥନ ହୋଇପାରିବ ନାହିଁ। ଏହାପୂର୍ବରୁ ଯେତେବେଳେ ମୁଁ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଥିଲି। ସେତେବେଳେ ହଜାର ହଜାର ଆନ୍ଦୋଳନ ହୋଇଥିଲା କିନ୍ତୁ ବଳ ପ୍ରୟୋଗ କରାଯାଇନଥିଲା। ଲାଠିଚାର୍ଜ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ରାଜନୀତି କରିବା ଭୁଲ୍।

ମନ୍ତ୍ରଣାଳୟରୁ ନିର୍ଦ୍ଦେଶ ପଠାଯାଇ ନାହିଁ- ଫଡନାଭିସ୍

ବିରୋଧୀଦଳଙ୍କ ଅଭିଯୋଗ ଉପରେ ଉପ-ମୁଖ୍ୟମନ୍ତ୍ରୀ ଫଡନାଭିସ୍ କହିଛନ୍ତି ଯେ, ମନ୍ତ୍ରଣାଳୟରୁ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି କିଛି ଲୋକ କହିଛନ୍ତି। କିନ୍ତୁ ଏହା ଭୁଲ। ଲାଠି ଚାର୍ଜ ପାଇଁ ନିର୍ଦ୍ଦେଶ କେବଳ ଏସପି ଏବଂ ଡିଏସପି ଦ୍ୱାରା ଦିଆଯାଏ। ଅନ୍ୟ କାହାର ଆବଶ୍ୟକତା ନାହିଁ। ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏହି କାହାଣୀ ସୃଷ୍ଟି ହେଉଛି। ଏହା ହେଉଛି ରାଜନୀତି। ଏହା ମନେ ରଖିବା ଉଚିତ ଯେ ଆମେ ୨୦୧୮ ରେ ସଂରକ୍ଷଣ ଆଇନ ପ୍ରସ୍ତୁତ କରିଛୁ। ଏବଂ ସୁପ୍ରିମକୋର୍ଟ ଏହାକୁ ସମର୍ଥନ କରିଥିଲେ। ତାମିଲନାଡୁ ପରେ ଦେଶରେ ଏହା ଦ୍ୱିତୀୟ ନିଷ୍ପତ୍ତି ଥିଲା ଯାହାକୁ ସମର୍ଥନ କରାଯାଇଥିଲା। ଏହି ନିଷ୍ପତ୍ତି ୯ ସେପ୍ଟେମ୍ବର ୨୦୨୧ କୁ ସ୍ଥଗିତ ରଖାଗଲା।

ସଂରକ୍ଷଣ ଉପରେ ସରକାର ସକରାତ୍ମକ: ଅଜିତ ପାୱାର

ଅନ୍ୟପକ୍ଷରେ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ମୁଁ ଦୁଇ ଦିନ ଅସୁସ୍ଥ ଥିଲି। ସେଥିପାଇଁ ମୁଁ ଘରୁ ବାହାରକୁ ଆସି ନଥିଲି | କିନ୍ତୁ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଇଥିଲା। ମରାଠା ସଂରକ୍ଷଣକୁ ନେଇ ସରକାର ସକରାତ୍ମକ।

ପୁରା ଘଟଣା କ’ଣ?

ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ମନୋଜ ଜାରାଙ୍ଗେ ପାଟିଲ ମଙ୍ଗଳବାର ଠାରୁ ମରାଠା ସଂରକ୍ଷଣ ଦାବିରେ ଅନଶନ ଆରମ୍ଭ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଅଧିକାରୀମାନେ ତାଙ୍କୁ ଶୁକ୍ରବାର ଡାକ୍ତରଖାନା ନେବାକୁ ଚେଷ୍ଟା କରିଥିଲେ। ଯେଉଁଥିରେ ପ୍ରଦର୍ଶନ ହିଂସାତ୍ମକ ରୂପ ଧାରଣ କରିଥିଲା ​​ଏବଂ ପଥର ଫିଙ୍ଗା ଯାଇଥିଲା। ଜନତାଙ୍କୁ ଘଉଡାଇବା ପାଇଁ ପୋଲିସ ବିକ୍ଷୋଭକାରୀଙ୍କୁ ଲାଠି ଚାର୍ଜ କରିଥିଲା। ହିଂସା ଘଟଣାରେ ୪୦ ଜଣ ପୋଲିସ କର୍ମୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ୧୫ ଟି ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ହିଂସାତ୍ମକ ବିରୋଧ ସଂପର୍କରେ ୩୬୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Categories
ବିଶେଷ ଖବର

ଗୋଟିଏ ଦିନରେ ମୁମ୍ବାଇରେ ଆଇଏନଡିଆଇଏ ଓ ଏନଡିଏ ବୈଠକ

ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ମୁମ୍ବାଇର ଗ୍ରାଣ୍ଡ ହାୟାତ ହୋଟେଲରେ ଅନୁଷ୍ଠିତ ହେବ।

ସେପଟେ ଏନଡିଏର ମହାରାଷ୍ଟ୍ର ୟୁନିଟ ମଧ୍ୟ ସେହି ଦିନ ଅର୍ଥାତ ସେପ୍ଟେମ୍ବର ପହିଲାରେ ବୈଠକ କରିବାକୁ ଘୋଷଣା କରିଛି। ତେବେ ଏଥିରେ ମହାରାଷ୍ଟ୍ର ସରକାରରେ ଥିବା ଏକନାଥ ସିନ୍ଦେ ଗୋଷ୍ଠୀ, ଶିବସେନା, ବିଜେପି ଏବଂ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀ ସାମିଲ ହେବେ।

ଶରଦ ପାୱାର ବିରୋଧୀ ମେଣ୍ଟ ବୈଠକରେ ଯୋଗ ଦେବେ ଏବଂ ତାଙ୍କ ପୁତୁରା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଗୋଷ୍ଠୀ ଶାସକ ଦଳ ସହ ବୈଠକ କରିବେ। ଏନସିପି ଅଜିତ ପାୱାର ବିଧାୟକ ସୁନୀଲ ତଟକରେ ମଙ୍ଗଳବାର (ଅଗଷ୍ଟ ୨୯) ଏହି ସୂଚନା ଦେଇଛନ୍ତି।

ସେହି ଦିନ କାହିଁକି ?

ଅଗଷ୍ଟ ୩୧ରେ ମୁମ୍ବାଇରେ ଏକାଠି ହେବେ ବିରୋଧୀ ମେଣ୍ଟ ବିଜେପି ନେତା। ଏହି ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମେଣ୍ଟର ନେତାମାନଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିବେ। ପରଦିନ ପୂର୍ବାହ୍ନ ୧୧ଟାରେ ବୈଠକ ଆରମ୍ଭ ହେବ। ଏଥିରେ ୨୬ଟି ଦଳ ସାମିଲ ହେବେ। ସେହିପରି ଜୁଲାଇ ୧୮ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ବୈଠକରେ ସାମିଲ ହୋଇଥିବା ଉତ୍ତର-ପୂର୍ବର କିଛି ଦଳ ମଧ୍ୟ ବିରୋଧୀ ମେଣ୍ଟ ଆଇଏନଡିଆଇଏର ବୈଠକରେ ଯୋଗ ଦେବେ ବୋଲି କଂଗ୍ରେସ ଦାବି କରିଛି।

ଏଠାରେ ସୁନୀଲ ତଟକରେଙ୍କୁ ପଚରାଯାଇଥିଲା ଯେ ସେପ୍ଟେମ୍ବର ୧ରେ ଏନଡିଏ ବୈଠକ କାହିଁକି ହେଉଛି। ଗତ ମୌସୁମୀ ଅଧିବେଶନ ପୂର୍ବରୁ ଆମର ବୈଠକ ସ୍ଥିର ହୋଇଥିଲା, ତେଣୁ ବୈଠକର ସମୟକୁ ନେଇ ପ୍ରଶ୍ନ ଉଠିବା ଉଚିତ ନୁହେଁ। ଏହା ପୂର୍ବରୁ ଜୁଲାଇ ୧୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏନଡିଏ ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୮ଟି ଟିମ୍ ସାମିଲ ହୋଇଥିଲେ। ବିରୋଧୀ ମେଣ୍ଟ ଆଇଏନଡିଆଇଏର ବୈଠକର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

କ’ଣ କହିଲା କଂଗ୍ରେସ

କଂଗ୍ରେସ ନେତା ଅଶୋକ ଚୌହାନ ଗଣମାଧ୍ୟମକୁ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଂକେତ ଦେଇଛନ୍ତି ଯେ ଏହି ବୈଠକରେ କିଛି ଆଞ୍ଚଳିକ ଦଳ ମଧ୍ୟ ଯୋଗ ଦେଇପାରନ୍ତି। ବିରୋଧୀ ଦଳରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ସମ୍ପର୍କରେ ଚୌହ୍ୱାନ କହିଛନ୍ତି ଯେ ଲୋକସଭା ନିର୍ବାଚନ ଜିତିବା ପରେ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।

Categories
ବିଶେଷ ଖବର

ଏନସିପିର ନାମ ଓ ସରକାରୀ ଚିହ୍ନ ଉପରେ ନୋଟିସର ଜବାବ ଦେବାକୁ ଶରଦ-ଅଜିତଙ୍କୁ ଆଉ ୩ ସପ୍ତାହ ସମୟ

ନୂଆଦିଲ୍ଲୀ: ଦଳର ନାମ ଓ ସରକାରୀ ଚିହ୍ନ ସମ୍ପର୍କିତ ନୋଟିସର ଜବାବ ଦେବାକୁ ବୁଧବାର ନିର୍ବାଚନ ଆୟୋଗ ଜାତୀୟତାବାଦୀ କଂଗ୍ରେସ ପାର୍ଟିକୁ ଆଉ ତିନି ସପ୍ତାହ ସମୟ ଦେଇଛନ୍ତି। ଶରଦ ପାୱାର ଗୋଷ୍ଠୀ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ୪ ସପ୍ତାହ ମାଗିଥିଲେ। ସେପ୍ଟେମ୍ବର ୮ ତାରିଖରେ ଉଭୟ ପକ୍ଷଙ୍କୁ ନୋଟିସର ଜବାବ ଦେବାକୁ ପଡ଼ିବ।

ଜୁଲାଇ ୨୭ତାରିଖରେ ନିର୍ବାଚନ କମିଶନ ଉଭୟ ଅଜିତ ପାୱାର ଓ ଶରଦ ପାୱାରଙ୍କୁ ନୋଟିସ ଜାରି କରି ଅଗଷ୍ଟ ୧୭ ଅର୍ଥାତ ଆସନ୍ତାକାଲି ସୁଦ୍ଧା ଜବାବ ମାଗିଥିଲେ । ଅଜିତ ପାୱାରଙ୍କୁ ଏନସିପି ମୁଖ୍ୟଭାବେ ନିର୍ବାଚିତ କରିବା ପାଇଁ ବିଦ୍ରୋହୀ ଗୋଷ୍ଠୀସଦସ୍ୟଙ୍କ ପ୍ରସ୍ତାବ ସହିତ ୪୦ ଜଣ ସାଂସଦ, ବିଧାୟକ ଏବଂ ବିଧାୟକଙ୍କଠାରୁ ମଧ୍ୟ ନିର୍ବାଚନ କମିଶନ ସତ୍ୟପାଠ ପାଇଥିଲେ ।

ଶରଦ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ବିଦ୍ରୋହୀ ଗୋଷ୍ଠୀର ଦାବିକୁ ନିର୍ବାଚନ କମିଶନ ଗ୍ରହଣ ନ କରିବା ପର୍ଯ୍ୟନ୍ତ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ଜୁଲାଇ ୩ ତାରିଖରେ ଏକନାଥ ସିନ୍ଦେ-ଦେବେନ୍ଦ୍ର ଫଡନାଭିସ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିବା ଅଜିତ ପାୱାରଙ୍କ ସମେତ ଏନସିପିର ୯ ଜଣ ବିଧାୟକଙ୍କ ବିରୋଧରେ ପାୱାର ଗୋଷ୍ଠୀ ଅଯୋଗ୍ୟତା ପ୍ରସ୍ତାବ ଆଣିଥିଲେ ।

ତିନିଦିନ ପରେ ପାଓ୍ଵାର ଗୋଷ୍ଠୀ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ପଟେଲ ଓ ସାଧାରଣ ସମ୍ପାଦକ ସୁନୀଲ ତଟକରେଙ୍କ ସମେତ ସମସ୍ତ ୯ ଜଣ ବିଧାୟକଙ୍କୁ ବହିଷ୍କାର କରିଥିଲା । ଦିଲ୍ଲୀରେ ଅନୁଷ୍ଠିତ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟ ଏକ ଘଟଣାକ୍ରମରେ ପାୱାର ପୁଣେରେ ତାଙ୍କ ପୁତୁରା ଅଜିତ ପାୱାରଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ, ଯାହା ଉଭୟଙ୍କ ଭବିଷ୍ୟତ ଗତିବିଧିକୁ ନେଇ କଳ୍ପନାଜଳ୍ପନାକୁ ବଢାଇଦେଇଥିଲା । ଜଣେ ଶିଳ୍ପପତିଙ୍କ ଘରେ ୩ ଘଣ୍ଟା ଧରି ଏହି ବୈଠକ ହୋଇଥିଲା ।

ଏହି ବୈଠକ ସମ୍ପର୍କରେ ପଚରାଯିବାରୁ ପାଓ୍ଵାର କହିଛନ୍ତି, ଏହି ବୈଠକ କୌଣସି ଗୁପ୍ତ କଥା ନୁହେଁ । ମୋ ପୁତୁରାଙ୍କୁ ଭେଟିବାରେ କ’ଣ ଭୁଲ୍ ଅଛି ? ଯଦି କୌଣସି ପରିବାରର ଜଣେ ବରିଷ୍ଠ ବ୍ୟକ୍ତି ପରିବାରର ଅନ୍ୟ ସଦସ୍ୟଙ୍କୁ ଭେଟିବାକୁ ଚାହୁଁଛନ୍ତି, ତେବେ ଏଥିରେ କୌଣସି ଅସୁବିଧା ହେବା ଉଚିତ ନୁହେଁ । ଏନସିପି ମୁଖ୍ୟ ମଧ୍ୟ ଘୋଷଣା କରିଛନ୍ତି ଯେ ସେ କେବେ ବି ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବେ ନାହିଁ ।

ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହିସାବରେ ମୁଁ ସ୍ପଷ୍ଟ କରୁଛି ଯେ ମୋ ଦଳ (ଏନସିପି) ବିଜେପି ସହ ଯିବ ନାହିଁ । ଭାରତୀୟ ଜନତା ପାର୍ଟି ସହ କୌଣସି ସମ୍ପର୍କ ଏନସିପିର ରାଜନୈତିକ ନୀତିରେ ସନ୍ତୁଷ୍ଟ ନୁହେଁ ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର ରାଜନୀତିରେ ହଲଚଲ!, ଶରଦ-ଅଜିତ ପାୱାରଙ୍କ ବୈଠକ ପରେ ଏପରି ବିବୃତ୍ତି ଦେଲେ ସୁପ୍ରିୟା ସୁଲେ

ମୁମ୍ବାଇ: ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ବୈଠକ ପରେ ସୁପ୍ରିୟା ସୁଲେ କହିଛନ୍ତି ଯେ ତାଙ୍କ ପିତା ଏବଂ ଭାଇଙ୍କ ମଧ୍ୟରେ କ’ଣ ବାର୍ତ୍ତାଳାପ ହୋଇଛି ସେ ଜାଣି ନାହାଁନ୍ତି। ଉଲ୍ଲେଖନୀୟ କଥା ହେଉଛି, ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତ ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ଗରମ କରିଛି। ଏହା ଉପରେ କ୍ରମାଗତ ଭାବରେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଦେଖାଯାଉଛି। ଶନିବାର ଦିନ ଶରଦ ପାୱାରଙ୍କୁ ଅଜିତ ପାୱାର ଭେଟିଥିଲେ। ଏହି ବୈଠକରେ ଶରଦ ପାୱାରଙ୍କ ବିବୃତ୍ତି ମଧ୍ୟ ଆସିଛି ଏବଂ ସେ ସ୍ପଷ୍ଟ କରିଛନ୍ତି ଯେ, ମହାବିକାଶ ଅଘାଡି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏଥି ସହିତ ଅଜିତ ପାୱାର ମଧ୍ୟ ଏ ବିଷୟରେ ବିସ୍ତୃତ ଭାବେ କହିଛନ୍ତି।

ଅଜିତ ପାୱାର ମଙ୍ଗଳବାର କହିଛନ୍ତି ଯେ, ଗତ ସପ୍ତାହରେ ପୁଣେରେ ତାଙ୍କ ଦାଦା ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ ସମୟରେ କିଛି ବଡ ବିଷୟ ଆଲୋଚନା ହୋଇନଥିଲା। କୋହ୍ଲାପୁରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଏହି ବୈଠକ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ, “ପାୱାର ସାହେବ (ଶରଦ ପାୱାର) ସ୍ପଷ୍ଟ କରିସାରିଛନ୍ତି। ପରିବାର ସଦସ୍ୟଙ୍କ ବୈଠକକୁ ଗଣମାଧ୍ୟମ ବିଭିନ୍ନ ପ୍ରକାରର ପ୍ରଚାର କଋ ଦ୍ଵନ୍ଦ୍ଵ ସୃଷ୍ଟି କରୁଛି। ବୈଠକରେ କୌଣସି ଅସାଧାରଣ ଘଟଣା ଘଟିଛି ବୋଲି ଭାବିବାର କୌଣସି କାରଣ ନାହିଁ।

ଶନିବାର ପୁଣେର ଜଣେ ବ୍ୟବସାୟୀଙ୍କ ବାସଭବନରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ‘ଗୁପ୍ତ’ ବୈଠକ ପରେ ରାଜନୈତିକ ମହଲରେ ହଲଚଲ ଦେଖାଦେଇଥିଲା। ରାଷ୍ଟ୍ରବାଦୀ କଂଗ୍ରେସ ଦଳର ବରିଷ୍ଠ ନେତା ଜୟନ୍ତ ପାଟିଲ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ। କାରରେ ଲୁଚି ପରିସର ଛାଡିବା ବିଷୟରେ ପଚରାଯିବାରୁ ଅଜିତ ପାୱାର କହିଥିଲେ ଯେ, ସେ କାରରେ ନଥିଲେ। ସେ କହିଥିଲେ ଯେ, “ମୁଁ ଗୁପ୍ତରେ ଯାଇ ନଥିଲି। ମୁଁ ଜଣେ ବ୍ୟକ୍ତି ଯିଏ ମୁକ୍ତ ଭାବରେ ବୁଲୁଛି। ଲୁଚାଇବାର କୌଣସି କାରଣ ନଥିଲା … ମୁଁ ସେହି କାରରେ ନଥିଲି।

Categories
ବିଶେଷ ଖବର

ଅଜିତଙ୍କ ପରେ ଶରଦ ପାୱାର ମଧ୍ୟ ବିଜେପିରେ ଯୋଗ ଦେବେ, ଗୁପ୍ତ ମିଟିଂରେ ପୁତୁରା ଦେଲେ ୨ଟି ବଡ଼ ଅଫର!

ମୁମ୍ବାଇ: କିଛିଦିନ ତଳେ ଅଜିତ ପାୱାର ତାଙ୍କ ସମର୍ଥକ ବିଧାୟକଙ୍କ ସହ ବିଜେପି ସହ ହାତ ମିଳାଇଥିଲେ। ଏହାପରେ ଅଜିତ ପାୱାରଙ୍କ ସମେତ ତାଙ୍କ ୯ ଜଣ ବିଧାୟକ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଭାବେ ଶପଥ ନେଇଥିଲେ। ଅଜିତ ପାୱାର ଗୋଷ୍ଠୀରେ ସାମିଲ ହେବା ପରେ ଶରଦ ପାୱାର ମଧ୍ୟ ସେମାନଙ୍କ ସହ ଯୋଗ ଦେବେ ବୋଲି ବିଜେପି ଅନୁଭବ କରିଥିଲା। କିନ୍ତୁ ଶରଦ ପାୱାର ବିଜେପି ସହ ଯିବାକୁ ସ୍ପଷ୍ଟ ମନା କରିଦେଇଥିଲେ। ଏହାପରେ ବିଜେପି ଏବେ ଏକ ନୂଆ ପଦକ୍ଷେପ ନେଇଛି। ଏହି ଅନୁଯାୟୀ ବିଜେପି ଶରଦ ପାୱାରଙ୍କୁ ଦୁଇଟି ବଡ଼ ପଦ ଅଫର କରିଛି। ଏହି ଦୁଇଟି ଅଫର ଅଜିତ ପାୱାରଙ୍କ ଜରିଆରେ ଦିଆଯାଇଛି। ବିଜେପିର ଏହି ପଦକ୍ଷେପ ମହାରାଷ୍ଟ୍ର ଓ ଦେଶର ରାଜନୀତିରେ ହଟଚମଟ ଆଣିବ ବୋଲି ଆଶା କରାଯାଉଛି। ପୁଣେରେ ଜଣେ ଶିଳ୍ପପତିଙ୍କ ଘରେ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ମଧ୍ୟରେ ବୈଠକ ହୋଇଥିଲା। ବାସ୍ତବରେ ଅଜିତ ପାୱାର ଏହି ବୈଠକକୁ ଯାଇ ଶରଦ ପାୱାରଙ୍କୁ ବିଜେପିର ଅଫର ବିଷୟରେ କହିଥିଲେ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ ଏହି ଦାବି କରିଛନ୍ତି। ଇଂରାଜୀ ଖବରକାଗଜ ଫ୍ରି ପ୍ରେସ ଜର୍ଣ୍ଣାଲ ଅନୁଯାୟୀ, ପୃଥ୍ୱୀରାଜ ଚୌହାନ ଶରଦ ପାୱାରଙ୍କୁ ବିଜେପି ଦେଇଥିବା ଅଫର ବିଷୟରେ ଖୋଲାଖୋଲିଭାବେ କହିଛନ୍ତି।

ଶରଦ ପାୱାରଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ଏବଂ ନୀତି ଆୟୋଗର ଅଧ୍ୟକ୍ଷ ପଦ ପାଇଁ ବିଜେପି ପ୍ରସ୍ତାବ ଦେଇଛି। ଅଜିତ ପାୱାରଙ୍କ ଏହି ପ୍ରସ୍ତାବକୁ ଶରଦ ପାୱାର ପ୍ରତ୍ୟାଖ୍ୟାନ କରିଛନ୍ତି। ପୁଣେସ୍ଥିତ ଶିଳ୍ପପତି ଅତୁଲ ଚୋର୍ଡିଆଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଶରଦ ପାୱାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି। ସେହି ସମୟରେ ଜୟନ୍ତ ପାଟିଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଆଲୋଚନା ଜାରି, ତୃତୀୟ ବୈଠକ

ଅଜିତ ପାୱାର କିଛି ବିଧାୟକଙ୍କ ସହ ଏନସିପିରେ ବିଦ୍ରୋହ କରିଥିଲେ। ଏହା ପରେ ମଧ୍ୟ ଅଜିତ ପାୱାର ଶରଦ ପାୱାରଙ୍କ ସହ ଯୋଗାଯୋଗ ବଜାୟ ରଖିଛନ୍ତି। ଶନିବାର ସନ୍ଧ୍ୟାରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ସାକ୍ଷାତ୍‍ ହୋଇଥିଲା, ଏହା ଥିଲା ତୃତୀୟ ବୈଠକ। କୁହାଯାଉଛି ଯେ, ଏହି ପୁଣେ ଗସ୍ତ ବର୍ତ୍ତମାନର ବୈଠକର ଏକ ଅଂଶ।

ସୁପ୍ରିୟା ସୁଲେ, ଜୟନ୍ତ ପାଟିଲଙ୍କୁ ମଧ୍ୟ ଅଫର

ପୃଥ୍ୱୀରାଜ ଚୌହାନ ଦାବି କରିଛନ୍ତି ଯେ, ଜୟନ୍ତ ପାଟିଲ ଏବଂ ସାଂସଦ ସୁପ୍ରିୟା ସୁଲେଙ୍କୁ ମଧ୍ୟ କ୍ଷମତାରେ ଯୋଗ ଦେବାକୁ ପ୍ରସ୍ତାବ ଦିଆଯାଇଛି। ନିକଟରେ ଅଜିତ ପାୱାର ଦିଲ୍ଲୀ ଯାଇଥିଲେ। ଏହି ସମୟରେ ସେ ଦିଲ୍ଲୀର ଶୀର୍ଷ ନେତାମାନଙ୍କୁ ଭେଟିଥିଲେ। ଏହି ନେତାମାନେ ଅଜିତ ପାୱାରଙ୍କୁ ଶରଦ ପାୱାରଙ୍କୁ ଏହି ପ୍ରସ୍ତାବ ଜଣାଇବାକୁ କହିଥିଲେ ବୋଲି ଜଣାପଡ଼ିଛି।

ବିଜେପି ପ୍ରଥମେ ଶିବସେନା ଓ ପରେ ଏନସିପିକୁ ଭାଙ୍ଗିଦେଇଥିଲା। ଏବେ ଶରଦ ପାୱାରଙ୍କୁ ସାଙ୍ଗରେ ନେବାକୁ ଚାହୁଁଛି ବିଜେପି। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ଭଲ ସଫଳତା ପାଇବା ପାଇଁ ବିଜେପିର ଏହା ପ୍ରୟାସ ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଶରଦ ପାୱାରଙ୍କୁ ବଡ ଝଟକା, ଅଜିତ ପାୱାରଙ୍କୁ ସମର୍ଥନ କରିବେ ନାଗାଲାଣ୍ଡର ସମସ୍ତ ୭ ଏନସିପି ବିଧାୟକ

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଆଉ ଏକ ବଡ ଝଟକା ଲାଗିଥିବା ଜଣାପଡିଛି। ବାସ୍ତବରେ, ନାଗାଲାଣ୍ଡରେ ଦଳର ସମସ୍ତ ୭ ଜଣ ବିଧାୟକ ଅଜିତ ପାୱାରଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସମସ୍ତ ୭ ଜଣ ବିଧାୟକ ଗୁରୁବାର ଦିନ କହିଛନ୍ତି ଯେ, ନାଗାଲାଣ୍ଡର ଦଳର କର୍ମୀମାନେ ଚାହୁଁଛନ୍ତି ଯେ ସେମାନେ ଅଜିତ ପାୱାରଙ୍କୁ ସମର୍ଥନ କରନ୍ତୁ।

ପ୍ରକାଶ ଯେ, ଜୁଲାଇ ଆରମ୍ଭରେ ଅଜିତ ପାୱାର ଦଳର ଆଠ ଜଣ ବିଧାୟକଙ୍କ ସହ ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମିଳିତ ମେଣ୍ଟରେ ଯୋଗଦେବାକୁ ଘୋଷଣା କରିଥିଲେ। ଅଜିତ ପାୱାରଙ୍କ ଏହି ନିଷ୍ପତ୍ତି ପରେ ଏନସିପି ଦୁଇଟି ଶିବିରରେ ବିଭକ୍ତ ହୋଇଥିଲା। ଗୋଟିଏ ଶିବିର ହେଉଛି ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ସହ ଏବଂ ଅନ୍ୟଟି ଅଜିତ ପାୱାରଙ୍କୁ ସମର୍ଥନ କରୁଛି।

Categories
ଆଜିର ଖବର ଜାତୀୟ ଖବର

ବିରୋଧୀ ଦଳର ବେଙ୍ଗାଲୁରୁ ବୈଠକର ଗୋଟିଏ ଦିନ ପରେ ଅଜିତ ପାୱାରଙ୍କୁ ଭେଟିଲେ ଉଦ୍ଧବ ଠାକରେ

ମୁମ୍ବାଇ: ଏକନାଥ ସିନ୍ଦେ ସରକାରରେ ଯୋଗଦେବା ପରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ବୁଧବାର ଏନସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଭେଟିଛନ୍ତି। ରାଜ୍ୟ ବିଧାନ ପରିଷଦ ସଦସ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୃହ ପ୍ରକ୍ରିୟାରେ ଯୋଗଦେବା ଏବଂ ବେଙ୍ଗାଲୁରୁରେ ବିରୋଧୀ ଦଳ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାର ଗୋଟିଏ ଦିନ ପରେ ଏହି ବୈଠକ ହୋଇଥିଲା।

ଅବିଭକ୍ତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଅଂଶ ଭାବରେ ଠାକରେଙ୍କ ପୂର୍ବତନ ସହଯୋଗୀ ଅଜିତ ପାୱାର ଗୋଷ୍ଠୀ ବଦଳାଇ ବିଜେପି-ଶିବସେନା ସରକାରରେ ଯୋଗଦେବା ପରେ ଏହା ଉଭୟଙ୍କ ମଧ୍ୟରେ ପ୍ରଥମ ବାର୍ତ୍ତାଳାପ ଏବଂ ଆନୁଷ୍ଠାନିକ ବୈଠକ ଥିଲା।

ବୈଠକ ପରେ ଉଦ୍ଧବ ଠାକରେ କହିଛନ୍ତି ଯେ, “ମୁଁ ଅଜିତ ପାୱାରଙ୍କୁ ଭେଟି ତାଙ୍କୁ ଅଭିନନ୍ଦନ ଜଣାଇଥିଲି। ମୁଁ ଆଶା କରୁଛି ସେ ଲୋକଙ୍କ ପାଇଁ ଠିକ୍ କାର୍ଯ୍ୟ କରିବେ। ମୁଁ ତାଙ୍କ ସହ ୨୦୧୯ ରେ ମଧ୍ୟ କାମ କରିଛି ଏବଂ ମୁଁ ତାଙ୍କ କାର୍ଯ୍ୟ ଶୈଳୀ ଜାଣିଛି।”

ଅର୍ଥମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ଅଜିତ ପାୱାରଙ୍କୁ ରାଜ୍ୟ ତଥା ଏହାର ନାଗରିକମାନଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ ଉଦ୍ଧବ ଠାକରେ ଅନୁରୋଧ କରିଛନ୍ତି। ଶ୍ରୀ ଠାକରେ କହିଛନ୍ତି ଯେ, ମୁଁ ନିଶ୍ଚିତ ଯେ ତାଙ୍କ ପାଖରେ ରାଜକୋଷର ଚାବି ଥିବାରୁ ରାଜ୍ୟବାସୀ ସହାୟତା ପାଇବେ।

ଗତ ମାସରେ ମହାରାଷ୍ଟ୍ରରେ ରାଜନୈତିକ ଦୃଷ୍ଟିକୋଣରୁ ଏକ ବଡ଼ ପରିବର୍ତ୍ତନ ହୋଇଥିଲା ଯେତେବେଳେ ଅଜିତ ପାୱାର ଏବଂ ଅନ୍ୟ ୮ ଜଣ ଏନସିପି ବିଧାୟକ ଶିନ୍ଦେ ସରକାରରେ ଯୋଗ ଦେଇଥିଲେ। ଏହି ପଦକ୍ଷେପ ଦ୍ଵାରା ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିଲା, ଯାହା ଶରଦ ପାୱାରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।

ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରି ବିଜେପି ସହାୟତାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ଏକ ବର୍ଷ ପରେ ଏହି ବିଭାଜନ ଘଟିଥିଲା।

Categories
ଆଜିର ଖବର ଜାତୀୟ ଖବର

ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଲେ ଅଜିତ ପାୱାର ଦଳର ନେତା, ପାଦ ଛୁଇଁ ନେଲେ ଆଶୀର୍ବାଦ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଅଜିତ ପାୱାର ଦଳର ନେତା ଆଜି ଶରଦ ପାୱାରଙ୍କୁ ମୁମ୍ବାଇରେ ଭେଟିଛନ୍ତି। ଅଜିତ ପାୱାରଙ୍କ ବ୍ୟତୀତ ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଲ ଏବଂ ଅନ୍ୟ ନେତାମାନେ ଏହି ନେତାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହି ସାକ୍ଷାତ ପରେ ପ୍ରଫୁଲ୍ଲ ପଟେଲ ମୁମ୍ବାଇର ୱାଇବି ଚହ୍ଵାନ କେନ୍ଦ୍ରରେ ଗଣମାଧ୍ୟମକୁ କହିଛନ୍ତି ଯେ, ଆଜି ଅଜିତ ପାୱାର, ଛଗନ ଭୁଜବଲ ଏବଂ ଆମେ ସମସ୍ତେ ସମ୍ମାନିତ ଶରଦ ପାୱାରଙ୍କ ଆଶୀର୍ବାଦ ପାଇବାକୁ ଆସିଛୁ। ଆମେ ତାଙ୍କ ପାଦ ଛୁଇଁଲୁ ​​ଏବଂ ଦଳକୁ ଏକଜୁଟ ରଖିବାକୁ ବିଚାର କରିବାକୁ ଅନୁରୋଧ କଲୁ। ସେ କୌଣସି ଉତ୍ତର ଦେଲେ ନାହିଁ।

ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ସମୟ ମାଗି ନପାରି ଆମେ ସିଧାସଳଖ ଆସିଛୁ। ଆମେ ଜାଣିବାକୁ ପାଇଲୁ ଯେ, ଶ୍ରୀ ପାୱାର ଆସିଛନ୍ତି, ତେଣୁ ଆମେ ତାଙ୍କୁ ଭେଟିବାକୁ ଆସି ତାଙ୍କ ପାଦ ଛୁଇଁଲୁ ​​ଏବଂ ଦଳକୁ ଏକଜୁଟ ରଖିବାକୁ ବିଚାର କରିବାକୁ ଅନୁରୋଧ କଲୁ। ପାୱାର ସାହେବ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି, କେବଳ ଶାନ୍ତ ଭାବରେ ଶୁଣିଲେ।

ଅନ୍ୟପକ୍ଷରେ ଏନସିପିର ରାଜ୍ୟ ସଭାପତି ଜୟନ୍ତ ପାଟିଲ କହିଛନ୍ତି ଯେ, ଏନସିପି ଛାଡି ସରକାରରେ ଯୋଗ ଦେଇଥିବା ନଅଜଣ ମନ୍ତ୍ରୀ ହଠାତ୍ ପୱାରଙ୍କୁ ଭେଟିବାକୁ ଆସିଥିଲେ। ସମସ୍ତେ ହୃଦୟରୁ ଦୁଃଖ ପ୍ରକାଶ କରିବା ସହ ପରିସ୍ଥିତି ଉପୁଜିଥିବା ସମାଧାନ ପାଇଁ ସମାଧାନର ଅନୁରୋଧ କରିବାକୁ ଅନୁରୋଧ କରିଥିଲେ।

ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଜୟନ୍ତ ପାଟିଲ କହିଛନ୍ତି ଯେ, ଆମେ ସରକାରରେ ନାହୁଁ, କିଛି ଲୋକ ଅନ୍ୟ ପାର୍ଶ୍ୱକୁ ଯାଇଛନ୍ତି ଏବଂ ସେମାନେ ସରକାରଙ୍କୁ ସମର୍ଥନ କରିଛନ୍ତି। କିନ୍ତୁ ଆମେ ସରକାରଙ୍କୁ ସମର୍ଥନ କରିନାହୁଁ। ଆମ ପାର୍ଟିରେ ଏକ ବିଭାଜନ ହୋଇଛି.. ଏହା ସତ୍ୟ ଅଟେ। ଶରଦ ପାୱାରଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ଆମେ ସମସ୍ତେ ଶିବସେନା ଏବଂ କଂଗ୍ରେସ ସହିତ ବିଧାନସଭାରେ ବସିବୁ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଜଡିତ ମାମଲା: ପୁଣି ଏକାଠି ହେବେ ଶରଦ ପାୱାର ଏବଂ ଅଜିତ?

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଗୋଷ୍ଠୀ ମଧ୍ୟରେ ଏନସିପି ଉପରେ ଦାବିକୁ ନେଇ ବିବାଦ ଜାରି ରହିଛି। ଉଭୟ ଦଳ ନିର୍ବାଚନ ଚିହ୍ନ ଏବଂ ଏନସିପି ଉପରେ ସେମାନଙ୍କର ଅଧିକାର ସମ୍ପର୍କରେ ନିର୍ବାଚନ ଆୟୋଗରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ସମୟରେ ଖବର ମିଳିଛି ଯେ, ଶରଦ ପାୱାର ଏବଂ ଅଜିତ ପାୱାର ପୁଣି ଥରେ ଏକାଠି ହୋଇପାରନ୍ତି। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧ ତାରିଖରେ ମହାରାଷ୍ଟ୍ରର ପୁଣେରେ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ। ଏହି କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ପୁତୁରା ଅଜିତ ପାୱାର ଯୋଗଦେବେ।

ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନକାରୀ ଟ୍ରଷ୍ଟ ପକ୍ଷରୁ ପିଟିଆଇକୁ କୁହାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଆଦର୍ଶ ନେତୃତ୍ୱ ତଥା ନାଗରିକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବାର ପ୍ରୟାସ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଉଛି।

ଏଥି ସହିତ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିବା ଏନସିପିର ଶରଦ ପାୱାର ଏବଂ ଅଜିତ ପାୱାର ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ଅଂଶ ହୋଇପାରନ୍ତି। ଯଦି ଏହା ଘଟେ, NCP ରେ ବିଭାଜନ ପରେ ଏହା ପ୍ରଥମ ଥର ହେବ, ଯେତେବେଳେ ଦଦା ଏବଂ ପୁତୁରାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ।

Categories
ଆଜିର ଖବର ଜାତୀୟ ଖବର

ଶରଦ ପାୱାର ଗୋଷ୍ଠୀକୁ ବଡ ଝଟକା, ବର୍ତ୍ତମାନ ଅଜିତ ପାୱାରଙ୍କ ଦଳରେ ଯୋଗ ଦେଲେ ଏହି ବିଧାୟକ

ମୁମ୍ବାଇ: ଶରଦ ପାୱାର ଗୋଷ୍ଠୀକୁ ଆଉ ଏକ ଝଟକା ଲାଗିଛି। ଦଳରେ ବିଭାଜନ ପରେ ଶରଦ ପାୱାର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଏନସିପି ବିଧାୟକ ଏବେ ଅଜିତ ପାୱାରଙ୍କ ଶିବିରରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ରର ୱାଇ ବିଧାନସଭାର ବିଧାୟକ ମରକନ୍ଦ ପାଟିଲ ଅଜିତ ପାୱାରଙ୍କ ଦଳରେ ଯୋଗ ଦେଇଛନ୍ତି। ଆଜି ଅଜିତ ପାୱାର କ୍ୟାମ୍ପରେ ଶ୍ରୀ ପାଟିଲ ଯୋଗ ଦେଇଛନ୍ତି।

ଗଣମାଧ୍ୟମ ସୂଚନା ଅନୁଯାୟୀ ପାଟିଲ କହିଛନ୍ତି ଯେ ସେ ନିଜ ନିର୍ବାଚନମଣ୍ଡଳୀରେ ଦୁଇଟି ଚିନି କାରଖାନା ବଞ୍ଚାଇବା ପାଇଁ ଅଜିତ ପାୱାରଙ୍କ ଶିବିରରେ ଯୋଗ ଦେଇଛନ୍ତି। ଏଥି ସହିତ ୱାଇରେ ପର୍ଯ୍ୟଟନ ସହ ଜଡିତ ସମସ୍ୟାର ସମାଧାନ ହେବ ଏବଂ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ସେ ଆଶା ରଖିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଅଜିତ ପାୱାରଙ୍କ ବିଦ୍ରୋହର ଗୋଟିଏ ଦିନ ପରେ ଶରଦ ପାୱାର କରାଟ ସହର ଗସ୍ତରେ ଯାଇଥିଲେ। ଏହି ସମୟରେ ମରକନ୍ଦ ପାଟିଲ ଶରଦ ପାୱାରଙ୍କ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଗତ ରବିବାର ଦିନ ଶପଥ ଗ୍ରହଣ କରିଥିବା ଅଜିତ ପାୱାରଙ୍କ ସମେତ ନଅ ଜଣ ଏନସିପି ମନ୍ତ୍ରୀଙ୍କ ତାଲିକାରେ ତାଙ୍କ ନାମ ରହିଥିଲା ବୋଲି ବିଧାୟକ ଦାବି କରିଥିଲେ। କିନ୍ତୁ ସେ ଅଜିତ ପାୱାରଙ୍କୁ କହିଥିଲେ ଯେ, ସେ ତାଙ୍କ ସମର୍ଥକଙ୍କ ସହ କଥା ହେବେ ଏବଂ ଏହା ପରେ ହିଁ ନିଷ୍ପତ୍ତି ନେବେ। ଶନିବାର ଦିନ ସତରା ଜିଲ୍ଲାର ପାଟିଲଙ୍କ ବହୁ କର୍ମୀ ଏବଂ ସମର୍ଥକ ଅଜିତ ପାୱାରଙ୍କୁ ଭେଟିଥିଲେ।

ଉଭୟ ଶରଦ ପାୱାର ଏବଂ ଅଜିତ ପାୱାର ତାଙ୍କ ପାଇଁ ପ୍ରିୟ ହୋଇଥିବାରୁ ଏହି ନିଷ୍ପତ୍ତି ନେବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ବିଧାୟକ କହିଛନ୍ତି। ଏହା ଏକ କଷ୍ଟସାଧ୍ୟ ନିଷ୍ପତ୍ତି ବୋଲି ବିଧାୟକ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଦ୍ରୋହ ପରେ ଜୁନିଅର ପାୱାରଙ୍କ ବଢୁଛି ଶକ୍ତି!, ଶରଦ ପାୱାରଙ୍କ ଶିବିରରେ ହଲଚଲ

ମୁମ୍ବାଇ: ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ବିଦ୍ରୋହ ପରେ ବର୍ତ୍ତମାନ ବିଧାୟକଙ୍କ ପକ୍ଷ ବଦଳିବା ଖେଳ ଆରମ୍ଭ ହୋଇଛି। ଶରଦ ପାୱାର କ୍ୟାମ୍ପ ଏହାର ବିଦ୍ରୋହୀ ବିଧାୟକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କୁ ଶାନ୍ତ କରିବାକୁ ଉଦ୍ୟମ ଚାଲିଥିବାବେଳେ ଅଜିତ ପାୱାର ମଧ୍ୟ ଅବଶିଷ୍ଟ ବିଧାୟକମାନଙ୍କୁ କ୍ଷମତାକୁ ଆସିବାକୁ ଆମନ୍ତ୍ରଣ କରୁଛନ୍ତି। ତଥାପି, ଛୋଟ ପାୱାରଙ୍କ ହାତରେ ଅଧିକ ଶକ୍ତି ଦୃଶ୍ୟମାନ ହେଉଛି। ଏହି ସମୟରେ, ଶରଦ ପାୱାର କ୍ୟାମ୍ପର ଅନ୍ୟ ଜଣେ ବିଧାୟକ ପକ୍ଷ ପରିବର୍ତ୍ତନ କରିବାକୁ ସୂଚାଇ ଦେଇଛନ୍ତି। ବିଧାୟକ ରାଜେନ୍ଦ୍ର ଶିଙ୍ଗନେ କହିଛନ୍ତି ଯେ, ଯଦି ଅଜିତ ପାୱାର ବୁଲଢାଣା ଜିଲ୍ଲା ବ୍ୟାଙ୍କକୁ ସାହାଯ୍ୟ କରନ୍ତି, ତେବେ ମୁଁ ତାଙ୍କୁ ସମର୍ଥନ କରିପାରିବି।

ଶିଙ୍ଗନେଙ୍କ ବ୍ୟତୀତ ମକରନ୍ଦ ପାଟିଲ ମଧ୍ୟ ଜୁଲାଇ ୫ ତାରିଖରେ ଅନୁଷ୍ଠିତ ବୈଠକରେ ଶରଦ ପାୱାରଙ୍କ ସାଥିରେ ଥିଲେ, ସେ ଏବେ ଅଜିତ ପାୱାରଙ୍କ ସହ ଅଛନ୍ତି ବୋଲି ଘୋଷଣା କରିଛନ୍ତି। ଅର୍ଥାତ୍ ପୁତୁରା ଅଜିତ ପାୱାର କ୍ରମାଗତ ଭାବରେ ଦାଦାଙ୍କ ପରିବାରରେ ଫାଟ ସୃଷ୍ଟି କରୁଛନ୍ତି। ଏମାନଙ୍କ ବ୍ୟତୀତ ଏନସିପି ନେତା କିରଣ ଲାହମେଟେ ମଧ୍ୟ ଶରଦ ପାୱାରଙ୍କ ସଭାରେ ହାଜର ହୋଇଥିଲେ, କିନ୍ତୁ ସେ ମଧ୍ୟ ଅଜିତ ପାୱାରଙ୍କୁ ଭେଟିଛନ୍ତି। ଯାହା ପରେ ବିଶ୍ୱାସ କରାଯାଏ ଯେ ଅଜିତ ପାୱାର ଏହି ଡିଲକୁ ନଷ୍ଟ କରିଛନ୍ତି ଏବଂ ସେ ମଧ୍ୟ ଏହି ବିଧାୟକମାନଙ୍କୁ ନିଜ ପକ୍ଷକୁ ଟାଣି ଆଣିବେ।

ସେହିଭଳି ସମସ୍ତ ବିଧାୟକଙ୍କୁ ମନାଇବା ଏବଂ ସେମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ନାଶିକର ଦେବଲାଲିର ବିଧାୟକ ସରୋଜ ଅହିରେ ଏବେ ବି ଡାକ୍ତରଖାନାରେ ଅଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାଁନ୍ତି। ସୁପ୍ରିୟା ସୁଲେ ତାଙ୍କୁ ଭେଟିଥିବାବେଳେ ଛଗନ ଭୁଜବଲ ମଧ୍ୟ ତାଙ୍କ ଅବସ୍ଥା ବିଷୟରେ ଜାଣିବା ପାଇଁ ପହଞ୍ଚିଥିଲେ।

ସେପଟେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ବିଧାୟକଙ୍କ ପକ୍ଷ ବଦଳାଇବାକୁ ନେଇ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଏନସିପି ନେତାଙ୍କ ‘ଦୁର୍ନୀତି’ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଇଛନ୍ତି। ନାଶିକ୍ ଜିଲ୍ଲାର ୟେବଲା ଠାରେ ଏକ ରାଲିକୁ ସମ୍ବୋଧିତ କରି ପାୱାର କହିଛନ୍ତି ଜେ, “ପ୍ରଧାନମନ୍ତ୍ରୀ ମୋଦୀଙ୍କର ସମସ୍ତ ସରକାରୀ ଯନ୍ତ୍ରପାତି ଅଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡିତ କରିବା ଉଚିତ୍ ବୋଲି ସେ ଦାବି କରିଛନ୍ତି।”

Categories
ବିଶେଷ ଖବର

ଅଜିତଙ୍କୁ ଛାଡି ଶରଦ ପାୱାରଙ୍କ ହାତ ଧରିଲେ ଏହି ଏମଏଲଏ, ୫ ଦିନରେ ପକ୍ଷ ବଦଳାଇଲେ ଏତେ ବିଧାୟକ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ଚାଲିଥିବା ଅସ୍ଥିରତା ବନ୍ଦ ହେବାର ନାମ ନେଉନାହିଁ। ଅଜିତ ପାୱାର ଏବଂ ଶରଦ ପାୱାର ଦଳରେ ବିଧାୟକଙ୍କ ଆସିବା ଯିବା ଲାଗିରହିଛି। ବର୍ତ୍ତମାନ ଆଉ ଜଣେ ବିଧାୟକ ଅଜିତ ପାୱାରଙ୍କ ଦଳରୁ ସିନିୟର ପାୱାରଙ୍କ ଦଳକୁ ଫେରିଛନ୍ତି। ମରକନ୍ଦ ଯାଦବ ପାଟିଲ ହେଉଛନ୍ତି ତୃତୀୟ ବିଧାୟକ ଯିଏକି ଏକ ସପ୍ତାହ ମଧ୍ୟରେ ଅଜିତ ପାୱାରଙ୍କ ଦଳ ଛାଡିଛନ୍ତି। ତାଙ୍କ ପୂର୍ବରୁ ପୁତୁରା ଦଳ ଛାଡି ଦଦାଙ୍କ କ୍ୟାମ୍ପକୁ ରାମରାଜେ ନାୟକ-ନିମ୍ବଲକର ଏବଂ ଦୀପକ ଚହ୍ଵାନ ଫେରିଛନ୍ତି।

ମରକନ୍ଦ ଯାଦବ ପାଟିଲ ମହାରାଷ୍ଟ୍ରର ସତରା ଜିଲ୍ଲାର ୱାଇ ବିଧାନସଭା ଆସନରୁ ବିଧାୟକ ଅଟନ୍ତି। ତାଙ୍କ ପଥ ଅନୁସରଣ କରି ଶତାଧିକ ମରକନ୍ଦଙ୍କ ସମର୍ଥକ ମଧ୍ୟ ଶରଦ କ୍ୟାମ୍ପକୁ ଫେରିଛନ୍ତି। ଯାଦବଙ୍କ ପୂର୍ବରୁ ରାମରାଜେ ନାୟକ-ନିମ୍ବଲକର ଏବଂ ଦୀପକ ଚହ୍ଵାନ ଶୁକ୍ରବାର ଦିନ ଶରଦ ପାୱାର ଗୋଷ୍ଠୀକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ।

ଅନ୍ୟପକ୍ଷରେ ଶରଦ ପାୱାର ଦଳର କିରଣ ଲାମହାଟେ ଅଜିତଙ୍କ କ୍ୟାମ୍ପକୁ ଆସିଛନ୍ତି। କିରଣ ତୃତୀୟ ଥର ପାଇଁ ପ୍ରତ୍ୟାବର୍ତ୍ତନ କରି ଅଜିତଙ୍କ ଦଳରେ ଯୋଗ ଦେଇଛନ୍ତି। ପ୍ରଥମେ ପୁତୁରାଙ୍କ ଗୋଷ୍ଠୀରେ ଯୋଗ ଦେଇଥିଲେ, ଦୁଇ ଦିନ ପରେ ଦାଦାଙ୍କ ପାର୍ଶ୍ୱରେ ଯୋଗ ଦେଇଥିଲେ ଏବଂ ପରେ ପୁତୁରାଙ୍କ ନିକଟକୁ ଫେରିଆସିଲେ। ଜୁଲାଇ ୨ ତାରିଖରେ ଅଜିତଙ୍କ ଶପଥ ଗ୍ରହଣ ପରେ ଶରଦଙ୍କ ଦଳକୁ କିରଣ ଯାଇଥିଲେ। ବର୍ତ୍ତମାନ ଅଜିତଙ୍କ କ୍ୟାମ୍ପକୁ ଫେରିଛନ୍ତି। ଅଜିତଙ୍କ ଶପଥ ଗ୍ରହଣ ସମୟରେ ସେ ସେଠାରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଶରଦ ପାୱାର ନା ଅଜିତ ପାୱାର, କିଏ ଏନସିପିର ସୁପ୍ରିମୋ?, ସର୍ଭେରେ ମିଳିଲା ଆଶ୍ଚର୍ଯ୍ୟଜନକ ଉତ୍ତର

ମୁମ୍ବାଇ: ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିରେ ବିଦ୍ରୋହ ପରେ ଉଭୟ ଗୋଷ୍ଠୀ (ଶରଦ ପାୱାର ଏବଂ ଅଜିତ ପାୱାର) ଦଳ ଉପରେ ନିଜର ଦାବି ରଖିଛନ୍ତି। ଏହି ସମୟରେ, ସି-ଭୋଟର ଏବିପି ପକ୍ଷରୁ ଏକ ସର୍ଭେ କରାଯାଇଛି।

ସର୍ବେକ୍ଷଣରେ, ଲୋକଙ୍କୁ ପଚରାଯାଇଥିଲା ଯେ ଆପଣଙ୍କ ଅନୁଯାୟୀ, ଏନସିପିର ପ୍ରକୃତ ମୁଖ୍ୟ କିଏ? ଏହା ଉପରେ ଅଧିକାଂଶ ଲୋକ ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ନାମ ନେଇଥିଲେ। ସର୍ଭେ ଅନୁଯାୟୀ ୬୬ ପ୍ରତିଶତ ଲୋକ କହିଛନ୍ତି ଯେ, ଶରଦ ପାୱାର ହେଉଛନ୍ତି ଏନସିପିର ପ୍ରକୃତ ମୁଖ୍ୟ।

ସି-ଭୋଟର ସର୍ଭେରେ ଜଡିତ ୨୫ ପ୍ରତିଶତ ଲୋକ କହିଛନ୍ତି ଯେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ହେଉଛନ୍ତି ଏନସିପିର ପ୍ରକୃତ ମୁଖ୍ୟ। ବାସ୍ତବରେ ସାଂସଦ ପ୍ରଫୁଲ୍ଲ ପଟେଲ ଦାବି କରିଛନ୍ତି ଯେ, ଆମେ ଜୁନ ୩୦ ତାରିଖରେ ହୋଇଥିବା ସଭାରେ ଅଜିତ ପାୱାରଙ୍କୁ ଆମର ନେତା ଭାବେ ମନୋନୀତ କରିଛୁ।

ଏହି ସର୍ଭେରେ କିଛି ଲୋକ ଜଡିତ ଥିଲେ ଯେଉଁମାନେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ କାହାର ନାମ ରଖିନଥିଲେ। ସର୍ବେକ୍ଷଣ ଅନୁଯାୟୀ, ନଅ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ବର୍ତ୍ତମାନ ଏ ବିଷୟରେ କିଛି କହିପାରିବେ ନାହିଁ।

ପ୍ରଫୁଲ୍ଲ ପଟେଲ ଶୁକ୍ରବାର ଦିନ କହିଛନ୍ତି ଯେ, ଦଳ ଭାଙ୍ଗି ନାହିଁ। ଆମେ ସର୍ବସମ୍ମତି କ୍ରମେ ଅଜିତ ପାୱାରଙ୍କୁ ବିଧାନସଭା ତଥା ସାଂଗଠନିକ ୟୁନିଟ୍ ଦ୍ଵାରା ଜୁନ୍ ୩୦ ତାରିଖରେ ଦଳର ସଭାପତି ଭାବରେ ନିଯୁକ୍ତ କରିଛୁ। ଅଜିତ ପାୱାରଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ ସେ ୪୦ ରୁ ଅଧିକ ବିଧାୟକଙ୍କ ସହମ୍ମତି ସହିତ ନିର୍ବାଚନ ଆୟୋଗ (ଇସିଆଇ) ରେ ଏକ ଆବେଦନ କରିଛନ୍ତି। ଦଳର ନାମ ଏବଂ ଚିହ୍ନ ଦାବି କରାଯାଇଛି।

ପ୍ରଫୁଲ୍ଲ ପଟେଲଙ୍କ ଦାବିକୁ ଶରଦ ପାୱାର କହିଛନ୍ତି ଯେ, ଯଦି କେହି କହୁଛନ୍ତି ଯେ ସେ ଏନସିପିର ସଭାପତି, ତେବେ ତାଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ। ମୁଁ NCP ର ମୁଖ୍ୟ ଅଟେ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର ରାଜନୀତି: ଶରଦ ପାୱାରଙ୍କୁ ହଟାଇ ଦଳର ସଭାପତି ହେଲେ ଅଜିତ ପାୱାର

ମୁମ୍ବାଇ: ଏନସିପିର ରାଜନୈତିକ ଲଢେଇ ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ଅଜିତ ପାୱାର ଦଳ ଶରଦ ପାୱାରଙ୍କୁ ଏନସିପି ରାଷ୍ଟ୍ରୀୟ ସଭାପତି ପଦରୁ ହଟାଇ ଅଜିତ ପାୱାରଙ୍କୁ ନୂତନ ରାଷ୍ଟ୍ରୀୟ ସଭାପତି କରିଛନ୍ତି। ନିର୍ବାଚନ ଆୟୋଗଙ୍କୁ ଲେଖାଯାଇଥିବା ଚିଠିରେ ଏହା ଉଲ୍ଲେଖ କରାଯାଇଛି। ଏହାପୂର୍ବରୁ ଅଜିତ ପାୱାର କହିଥିଲେ ଯେ, ଶରଦ ପାୱାର ତାଙ୍କ ଦଳର ସଭାପତି।

ସୂଚନାନୁସାରେ, ଜୁନ୍ ୩୦ ତାରିଖରେ ୪୦ ଏନସିପି ବିଧାୟକଙ୍କ ସମର୍ଥନ ପତ୍ର ସହିତ ଅଜିତ ପାୱାରଙ୍କୁ ଏନସିପି ସଭାପତି କରିବା ବିଷୟରେ ସୂଚନା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା। ଯାହାକୁ ଜୁଲାଇ ୫ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କୁ ମିଳିଥିଲା।

ସୂଚନାନୁସାରେ, ଜୁଲାଇ ୩ ତାରିଖରେ ନିର୍ବାଚନ ଆୟୋଗ ଜୟନ୍ତ ପାଟିଲ (ଶରଦ ପାୱାର ଦଳ) ଙ୍କ ଠାରୁ ଏକ ଚିଠି ମଧ୍ୟ ପାଇଥିଲେ। ଯେଉଁଥିରେ କୁହାଯାଇଛି ଯେ, ଅଜିତ ପାୱାରଙ୍କ ସହ ଶପଥ ନେଇଥିବା ୯ ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା କାର୍ଯ୍ୟାନୁଷ୍ଠାନ କରାଯାଉ। ଏଭଳି ପରିସ୍ଥିତିରେ ଯଦି ଅଜିତ ପାୱାରଙ୍କ ଦାବି ଉପରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଶୁଣାଣି କରନ୍ତି, ତା’ହେଲେ ତାଙ୍କ ପକ୍ଷ ଶୁଣିବା ବିନା ଶୁଣାଣି ହେବା ଉଚିତ ନୁହେଁ।

Categories
ଆଜିର ଖବର ଜାତୀୟ ଖବର

NCP ବନାମ NCP: ଅଜିତ ପାୱାରଙ୍କ ମଞ୍ଚରେ ୨୯ ଏବଂ ଶରଦ ପାୱାରଙ୍କ ସହ ୧୪ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏନସିପିରେ ବିଭାଜନ ପରେ ଉଭୟ ଶରଦ ପାୱାର ଏବଂ ଅଜିତ ପାୱାର ଦଳ ଆଜି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଏକ ବୈଠକ ଡାକିଛନ୍ତି। ଏକାସାଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଜିତ ପାୱାରଙ୍କ ମଞ୍ଚରେ ୨୯ ଜଣ ବିଧାୟକ ନଜର ଆସିଛନ୍ତି। ସେପଟେ ୧୪ ଜଣ ବିଧାୟକ ଏବଂ ୪ ସାଂସଦ ଶରଦ ପାୱାରଙ୍କ ମଞ୍ଚରେ ଯୋଗ ଦେଇଛନ୍ତି।

ଏନସିପି ନେତା ତଥା ଅଜିତ ପାୱାର ଦଳର ମନ୍ତ୍ରୀ ଛଗନ ଭୁଜବଲ କହିଛନ୍ତି ଯେ, ୪୦ ରୁ ଅଧିକ ବିଧାୟକ ଏବଂ ଏମଏଲସି ଆମ ସହ ଅଛନ୍ତି। ଶପଥ ନେବା ପୂର୍ବରୁ ଆମେ ସମସ୍ତେ କଠିନ ପରିଶ୍ରମ କରିଛୁ। ଆମେ ସେପରି ଶପଥ ନେଇ ନାହୁଁ।

Categories
ଆଜିର ଖବର ଜାତୀୟ ଖବର

ଅଜିତ ପାୱାରଙ୍କୁ ଝଟକା: ଘରକୁ ଫେରିଲେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିବା ୨ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରରେ ବଡ ରାଜନୈତିକ ଅସ୍ଥିରତା ପରେ ୟୁ-ଟର୍ନର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅଜିତ ପାୱାରଙ୍କ ସହ ବିଦ୍ରୋହ କରିଥିବା ଦୁଇ ଜଣ ବିଧାୟକ ଘରକୁ ଫେରିଛନ୍ତି। ଅଜିତ ପାୱାରଙ୍କ ସମର୍ଥକ ବିଧାୟକ ଦିଲୀପ ମୋହିତ ପାଟିଲ ଆଜି ଦାବି କରିଛନ୍ତି ଯେ, କୌଣସି କାରଣ ନକହି ଅଜିତ ପାୱାର ଗତକାଲି ବିଧାୟକଙ୍କ ଦସ୍ତଖତ ନେଇଛନ୍ତି। ଆମେ ତାଙ୍କ ପଦକ୍ଷେପ ସହିତ ସହମତ ନୁହଁ।

ରବିବାର ଦିନ ଶପଥ ଗ୍ରହଣ ସମାରୋହରେ ଦିଲୀପ ମୋହିତ ପାଟିଲ ଉପସ୍ଥିତ ଥିଲେ। ଦିଲୀପଙ୍କ ବ୍ୟତୀତ, ବିଦ୍ରୋହର ପରଦିନ ଏନସିପି ବିଧାୟକ ମକରନ୍ଦ ପାଟିଲ ମଧ୍ୟ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ହାଜର ହୋଇଥିଲେ। ରବିବାର ଦିନ ଶପଥ ଗ୍ରହଣ ସମାରୋହରେ ମକରନ୍ଦ ପାଟିଲ ଯୋଗ ଦେଇଥିଲେ ଏବଂ ଆଜି ଶରଦ ପାୱାରଙ୍କ କାରରେ ବସିଥିବାର ନଜର ଆସିଥିଲେ।

ବିଦ୍ରୋହୀ ବିଧାୟକଙ୍କ ଉପରେ ଏନସିପିର କାର୍ଯ୍ୟାନୁଷ୍ଠାନ:

ଏହି ସମୟରେ ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିପି ସେମାନଙ୍କୁ ବରଖାସ୍ତ କରିଛି। ମହାରାଷ୍ଟ୍ର ଏନସିପି ସଭାପତି ଜୟନ୍ତ ପାଟିଲ କହିଛନ୍ତି ଯେ, ଦଳର ପ୍ରତୀକ ବ୍ୟବହାର କରିବାକୁ କାହାକୁ ଅନୁମତି ଦିଆଯାଇ ନାହିଁ, ଯଦି ଏପରି କରାଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସମଗ୍ର ରାଜ୍ୟ ଭ୍ରମଣ କରିବାକୁ ଯାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଦ୍ରୋହୀ ନେତାଙ୍କ ବିରୋଧରେ ଏନସିପିର କାର୍ଯ୍ୟାନୁଷ୍ଠାନ: ଅଜିତଙ୍କ ସମେତ ଅନ୍ୟ ନେତା ଦଳରୁ ବହିଷ୍କୃତ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସରଗରମ ପରେ ଉତ୍ତେଜନା ଜାରି ରହିଛି। ବର୍ତ୍ତମାନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଦଳରୁ ବହିଷ୍କାର କରିଛି। ଏହି ବିଧାୟକମାନଙ୍କୁ ବରଖାସ୍ତ କରି ଏନସିପିର ମହାରାଷ୍ଟ୍ର ୟୁନିଟ୍ ସଭାପତି ଜୟନ୍ତ ପାଟିଲ କହିଛନ୍ତି ଯେ, ଦଳର ପ୍ରତୀକ ବ୍ୟବହାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜୟନ୍ତ ପାଟିଲଙ୍କ ଏହି ନିଷ୍ପତ୍ତି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମର୍ଥନ ମିଳିଛି। ତାଙ୍କ ନିଷ୍ପତ୍ତିକୁ ଆମେ ସମର୍ଥନ କରିବୁ ବୋଲି ଶରଦ ପାୱାର କହିଛନ୍ତି। ଆମେ ଏକ ନୂତନ ସଂଗଠନ ଛିଡା କରିବୁ। ସେ କହିଛନ୍ତି ଯେ, “ସେଥିପାଇଁ ମୁଁ ଚିନ୍ତିତ ନୁହେଁ କାରଣ ଏହା ମୋ ପାଇଁ ଦୁଇ-ତିନିଥର ଘଟିଛି। ରାଜ୍ୟରେ ଆମର ସଂଗଠନ ଶକ୍ତିଶାଳୀ।”

ଶରଦ ପାୱାର କହିଛନ୍ତି ଯେ, “ଥରେ ମୁଁ ବିଦେଶ ଗଲା ପରେ ଅନେକ ଲୋକ ଦଳ ଛାଡିଥିଲେ, ମୁଁ ଚିନ୍ତିତ ନଥିଲି। ଅଜିତ ପାୱାରଙ୍କ ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ତାଙ୍କ କଥାର କୌଣସି ଗୁରୁତ୍ୱ ନାହିଁ। ଲୋକଙ୍କ ସମର୍ଥନ ଆମ ଉପରେ ରହିଛି।

ପ୍ରକାଶ ଥାଉକି ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣାକ୍ରମ ଦେଖିବାକୁ ମିଳିଥିଲା। ଅଜିତ ପାୱାର ଏନସିପି ବିରୋଧରେ ବିଦ୍ରୋହ କରିଥିଲେ ଏବଂ ମହାରାଷ୍ଟ୍ରରେ ବିଜେପି-ସିନ୍ଦେ ମିଳିତ ସରକାର ସହ ହାତ ମିଳାଇଥିଲେ। ସେ ପୂର୍ବ ଦିନ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ ଆଉ ଆଠ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

ଅଜିତ ପାୱାରଙ୍କ ସହ ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ମଧ୍ୟରେ ଛଗନ ଭୁଜବଲ, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ତଟକେରେ, ଧର୍ମାରାଓ ଅତ୍ରାମ, ଅନିଲ ପାଟିଲ ଏବଂ ସଞ୍ଜୟ ବନସୋଡେ ଅଛନ୍ତି। କେବଳ ଏତିକି ନୁହେଁ ଅଜିତ ପାୱାର ମଧ୍ୟ ଏନସିପି ଉପରେ ଦାବି କରି କହିଥିଲେ ଯେ ଆମେ କେବଳ ଏନସିପି ନାମରେ ଆଗାମୀ ସମସ୍ତ ନିର୍ବାଚନ ଲଢିବୁ।

Categories
ବିଶେଷ ଖବର

ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ନମ୍ବର ଗେମ୍ କ’ଣ? ବିଜେପିର ଦୁଇ ହାତରେ ଲଡୁ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ଏକ ନୂଆ ଝଡ ସୃଷ୍ଟି ହୋଇଛି। ଶିବସେନାର ଏକନାଥ ସିନ୍ଦେ, ଏନସିପିକୁ ଦୁଇ ଭାଗରେ ବିଭକ୍ତ କରି ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିଛନ୍ତି। କୁହାଯାଉଛି ଯେ, ଏହି ଖେଳ ଏପରି ଭାବରେ ଖେଳାଯାଇଥିଲା ଯେ, ରାଜନୀତିର ଜଣେ ଅଭିଜ୍ଞ ଖେଳାଳି ଶରଦ ପାୱାର ଏ ବିଷୟରେ କୌଣସି ସୂଚନା ପାଇ ନଥିଲେ। ମୋଟାମୋଟି ଭାବେ, ଶିବସେନା ପରେ ଏନସିପିରେ ବିଭାଜନରୁ କେବଳ ଗୋଟିଏ ଦଳକୁ ବଡ଼ ଲାଭ ମିଳିଛି ଏବଂ ସେଇଟା ହେଉଛି ବିଜେପି। ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପରେ ଏହା ବିଜେପି ପାଇଁ ଏକ ଲାଭଜନକ ଚୁକ୍ତି ଭାବେ ବିବେଚନା କରାଯାଉଛି। ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ନମ୍ବର ଖେଳ କେତେ ବଦଳିଛି ଆସନ୍ତୁ ଜାଣିବା…..

ବିଜେପିକୁ ମିଳିଲା ଶକ୍ତି:

ସମସ୍ତ ରାଜ୍ୟ ପରି ମହାରାଷ୍ଟ୍ରରେ ମଧ୍ୟ ବିଜେପି ଆଞ୍ଚଳିକ ଦଳର ସହାୟତାରେ କ୍ଷମତାକୁ ଆସିବା ପାଇଁ କାର୍ଯ୍ୟ କରିଥିଲା। ବର୍ତ୍ତମାନ ପରିସ୍ଥିତି ଏପରି ଯେ, ବିଜେପି ସବୁଠାରୁ ଶକ୍ତିଶାଳୀ ସ୍ଥିତିରେ ଦେଖାଯାଉଛି ଏବଂ ଅନ୍ୟ ସମସ୍ତ ଦଳ ଖରାପ ଭାବରେ ଛିନ୍ନଛତ୍ର ହୋଇଯାଇଛନ୍ତି। ବିଶେଷ କଥା ହେଉଛି ଯଦି ଅଯୋଗ୍ୟତା ଖଣ୍ଡା ସିନ୍ଦେ ଦଳ ଉପରେ ଝୁଲି ରହିଥାଏ ଏବଂ ସରକାର ପାଇଁ କୌଣସି ବିପଦ ଥାଏ, ତେବେ ଅଜିତ ପାୱାରଙ୍କ ସହାୟତାରେ ବିଜେପି ନିଜ ସରକାର ବଜାୟ ରଖିପାରିବ।

ଏହା ହେଉଛି ବିଜେପିର ନମ୍ବର ଗେମ୍:

ନମ୍ବର ଗେମ୍ ବିଷୟରେ କହିବାକୁ ଗଲେ, ବିଜେପିର ମହାରାଷ୍ଟ୍ରରେ ସ୍ୱାଧୀନ ଏବଂ ଛୋଟ ଦଳ ସମେତ ମୋଟ ୧୨୬ ବିଧାୟକ (ନିଜସ୍ୱ ୧୦୫) ଅଛନ୍ତି। ଯେଉଁଥିରେ ଶିନ୍ଦେ ଶିବିରର ୪୦ ଜଣ ବିଧାୟକ ଯୋଗ ଦେବା ପରେ ଏହି ସଂଖ୍ୟା ୧୬୬ ହୋଇଯାଇଛି। ଏଥି ସହିତ ଅଜିତ ପାୱାରଙ୍କ ସହ ୩୦ ଜଣ ବିଧାୟକ ମଧ୍ୟ ଏହି ମିଳିତ ମଞ୍ଚରେ ଯୋଗ ଦେଇଛନ୍ତି। ଏହି କ୍ଷେତ୍ରରେ, ଏହି ସଂଖ୍ୟା ୧୯୬ ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ସିନ୍ଦେ ଦଳକୁ ହଟାଇଲେ ମଧ୍ୟ ଅଜିତ ପାୱାର ଏବଂ ତାଙ୍କ ସମର୍ଥକ ବିଧାୟକଙ୍କ ସହ ବିଜେପି ୧୫୬ (୧୨୬ + ୩୦) ସଂଖ୍ୟାରେ ରହିବ। ଏହାର ଅର୍ଥ ସଂଖ୍ୟାଗରିଷ୍ଠତା ଅପେକ୍ଷା ୧୧ ଜଣ ଅଧିକ ବିଧାୟକ ରହିବେ। ଏଭଳି ପରିସ୍ଥିତିରେ ଅଜିତ ପାୱାରଙ୍କ ବିଦ୍ରୋହ ବିଜେପି ପାଇଁ ବଡ ଲାଭଦାୟକ ହେବ।

ବାକି ଦଳଗୁଡିକରେ କେତେ ବିଧାୟକ ଅଛନ୍ତି?:

୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ମୋଟ ୪୪ ଜଣ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ, ଶିବସେନାର ୫୬ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ସହ ଯାଇଛନ୍ତି, ତେଣୁ ଶିବସେନାର ମାତ୍ର ୧୬ ଜଣ ବିଧାୟକ ବାକି ରହିଛନ୍ତି। ବର୍ତ୍ତମାନ NCP ର ମୋଟ ୫୩ ବିଧାୟକଙ୍କ ମଧ୍ୟରୁ ୩୦ ଜଣ ବିଧାୟକ ପକ୍ଷ ପରିବର୍ତ୍ତନ କରିଛନ୍ତି। ଏଭଳି ପରିସ୍ଥିତିରେ ଏନସିପିର ସଂଖ୍ୟା ୨୩ କୁ ହ୍ରାସ ପାଇଛି। କୁହାଯାଉଛି ଯେ, ଅଜିତ ପାୱାରଙ୍କ ସାଥିରେ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ଏଭଳି ପରିସ୍ଥିତିରେ ଏନସିପି ସଂଖ୍ୟା ଆହୁରି ହ୍ରାସ ହୋଇପାରିବ। ସାମ୍ପ୍ରତିକ ପରିସ୍ଥିତିରେ, ଯଦି ତିନୋଟି ଦଳର ସଂଖ୍ୟା (ଶିବସେନା, କଂଗ୍ରେସ ଏବଂ ଏନସିପି) ଯୋଗ କରାଯାଏ, ତେବେ ବର୍ତ୍ତମାନ କେବଳ ୮୩ ଜଣ ବିଧାୟକ MVA ମେଣ୍ଟରେ ଦେଖାଯାଉଛନ୍ତି।