କିଛି ଲୋକ ୮୪ ବର୍ଷରେ ପଦାର୍ପଣ କରୁଛନ୍ତି କିନ୍ତୁ ଅବସର ନେବାକୁ ଚାହାଁନ୍ତି ନାହିଁ: ଅଜିତ ପାୱାର

Published: Jan 8, 2024, 8:56 am IST

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ ୮୦ ବର୍ଷରୁ ଅଧିକ ବୟସ ହୋଇଥିଲେ ମଧ୍ୟ କିଛିଲୋକ ରାଜନୀତିରୁ ଅବସର ନେବାକୁ ଚାହାଁନ୍ତି ନାହିଁ। ଥାନେରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଅଜିତ ପାୱାର କହିଛନ୍ତି, ମହାରାଷ୍ଟ୍ର ସରକାରୀ କର୍ମଚାରୀମାନେ ୫୮ ବର୍ଷ ବୟସରେ ଅବସର ନେଇଥାନ୍ତି। ଅଧିକାଂଶ ଲୋକ ସାଧାରଣତଃ ୭୫ ବର୍ଷ ବୟସ ପରେ ନିଜର ସକ୍ରିୟ ବୃତ୍ତିଗତ ଜୀବନ ବନ୍ଦ କରିଦିଅନ୍ତି। କିନ୍ତୁ କିଛିଲୋକ ଅଛନ୍ତି (ଶରଦ ପାୱାରଙ୍କ ଭଳି) ଯେଉଁମାନେ ୮୦ ବର୍ଷ ବୟସ ଅତିକ୍ରମ କରିସାରିଛନ୍ତି ଏବଂ ବର୍ତ୍ତମାନ ୮୪ ବର୍ଷ ବୟସରେ ମଧ୍ୟ ଅବସର ପାଇଁ ପ୍ରସ୍ତୁତ ନୁହଁନ୍ତି । ଏହା ପ୍ରଥମ ଥର ନୁହେଁ ଯେ ଅଜିତ ପାୱାର ଶରଦଙ୍କ ବୟସକୁ ନେଇ କଟାକ୍ଷ କରିଛନ୍ତି ଏବଂ ଦଳୀୟ କର୍ମକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଏନସିପିରୁ ଅଲଗା ହେବା ପରେ ସେ ଶରଦ ପାୱାରଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି।

ଅଜିତ ପାୱାର ଏବଂ ତାଙ୍କ ଅନୁଗତ କିଛି ବିଧାୟକ ଗତବର୍ଷ ଜୁଲାଇରେ ସିନ୍ଦେ ଶିବସେନା-ବିଜେପି ସରକାରରେ ଯୋଗ ଦେଇଥିଲେ। ଏହାପରେ ସେ ଏନସିପିର ନାମ ଓ ନିର୍ବାଚନ ଚିହ୍ନ ଉପରେ ଦାବି କରିଥିଲେ। ଏହି ପଦକ୍ଷେପକୁ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ନିର୍ବାଚନ ଆୟୋଗରେ ଚ୍ୟାଲେଞ୍ଜ କରିଥିଲେ।

ମନୋଜ ଜାରଙ୍ଗେଙ୍କୁ ଚେତାବନୀ

ଆମେ ଏଠାରେ କାମ କରିବାକୁ ଆସିଛୁ ଏବଂ ଆମେ କାମ କରିବୁ। ଲୋକଙ୍କ ସେବା ପାଇଁ ସେ ରାଜ୍ୟ ସରକାରଙ୍କ ସହ ଯୋଗ ଦେଇଛନ୍ତି ବୋଲି ଅଜିତ ପାୱାର କହିଛନ୍ତି। ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବିରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ସାମାଜିକ କର୍ମୀ ମନୋଜ ଜାରଙ୍ଗେଙ୍କୁ ପରୋକ୍ଷରେ ଚେତାବନୀ ଦେଇ ଅଜିତ କହିଛନ୍ତି ଯେ ଆଇନକୁ କାହା ହାତକୁ ନେବାକୁ ଦିଆଯିବ ନାହିଁ।

ଚାଚାଙ୍କଠାରୁ ଦୂରତା

ଏହାର ଗୋଟିଏ ଦିନ ପୂର୍ବରୁ ପୁଣେର ସଂରକ୍ଷକ ମନ୍ତ୍ରୀ ଅଜିତ ପାୱାର ପିମ୍ପରୀ ଚିଞ୍ଚୱାଡରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ, କିନ୍ତୁ ଅଜିତ ତାଙ୍କ ଚାଚା ମଞ୍ଚରେ ଥିବାରୁ ଏଥିରେ ଯୋଗ ଦେଇନଥିଲେ। ଅଜିତ ପାୱାର ଜାଣିଶୁଣି ତାଙ୍କ ଚାଚା ଶରଦ ପାୱାରଙ୍କ ସହ ମଞ୍ଚ ଅଂଶୀଦାର ନ କରିବା ପାଇଁ ସମାରୋହରେ ଯୋଗ ଦେଇନଥିଲେ ବୋଲି ଚର୍ଚ୍ଚା ହୋଇଥିଲା।

ଏହା ପୂର୍ବରୁ ଏନସିପିରେ ବିଭାଜନ ପରେ ଅଜିତ ପାୱାର ଶରଦ ପାୱାରଙ୍କ ସହ ମଞ୍ଚ ସେୟାର କରିଥିଲେ, କିନ୍ତୁ ତାଙ୍କ ସହ କଥା ହୋଇନଥିଲେ। ଶନିବାର ପିମ୍ପରୀ ଚିଞ୍ଚୱାଡରେ ଉପସ୍ଥିତ ଥିଲେ ମଧ୍ୟ ସେ ସମ୍ମିଳନୀରୁ ଦୂରେଇ ରହିଥିଲେ।

Related posts