Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ

ଭୁବନେଶ୍ବର: ଓଡିଆ ଦର୍ଶକଙ୍କୁ ପୁଣି ଗୋଟିଏ ସିନେମା ଭେଟି ଦେଉଛି ଜୀ ସାର୍ଥକ। ଆସନ୍ତା ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ସିନେମା ‘ପାରି କରିବେ ଭୋଳା ଶଙ୍କର’। ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ ହୋଇଛି।

ସିନେମାରେ ତିନିଟି ଗୀତ ରହିଥିବା ବେଳେ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ପ୍ରଶାନ୍ତ ପାଢ଼ୀଙ୍କ ବଳିଷ୍ଠ ସଂଗୀତ ନିର୍ଦ୍ଦେଶନାରେ ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ, ସୋହିନୀ ମିଶ୍ର, ତାରିକ ଅଜିଜ ଓ ସ୍ୱସ୍ତିକ ପ୍ରମୁଖ କଣ୍ଠଦାନ କରିଛନ୍ତି।

ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର ହେଉଛି ‘ପାରି କରିବେ ଭୋଳା ଶଙ୍କର’। ଗାଁର କାହାଣୀକୁ ନେଇ ଆଗେଇଛି ସିନେମା। ନାୟକ ଶଙ୍କର ଉପରେ ରହିଛି ମହାଦେବଙ୍କ ଆଶୀର୍ବାଦ। ପ୍ରତ୍ୟେକ ସୋମବାରରେ ନାୟକ ଶଙ୍କର ଅଦ୍ଭୁତ ଐଶ୍ୱରୀୟ ଶକ୍ତି ପ୍ରାପ୍ତ ହୁଏ। ଯାହା ସାଧାରଣ ମଣିଷ ଭାବିପାରେନି ତାହା ସେ କରିପାରେ। ତେଣୁ ଗାଁର ଛୋଟ ଠୁ ବଡ ସମସ୍ତଙ୍କର ଶଙ୍କର ଅତି ଆପଣାର।

ତେବେ ଶଙ୍କରର ଲୋକପ୍ରିୟତାକୁ ସହିପାରନ୍ତିନି ଗାଁ ଜମିଦାର ଅବିନାଶବାବୁ। ଶଙ୍କରର ବିନାଶ ପାଇଁ ଜମିଦାର ଉପାୟ ଚିନ୍ତା କରନ୍ତି। ଜମିଦାରଙ୍କ ଝିଅ ପ୍ରତ୍ନତତ୍ତ୍ୱ ଗବେଷଣାରତ ଥିବା ବେଳେ ସେଇ ଆଳରେ ଗାଁ ମନ୍ଦିର ଜମି ହଡପ କରିବାକୁ ଜମିଦାର ଅବିନାଶ ବାବୁ ଚେଷ୍ଟା କରନ୍ତି। ଯେଉଁଥିରେ ବାଧକ ସାଜେ ଶଙ୍କର। ତେବେ ରୋମାଞ୍ଚ କର କାହାଣୀକୁ ନେଇ ଆଗକୁ ସିନେମା ଗତିଶୀଳ। ଅନ୍ୟାୟର ଆୟୁଷ କେତେ ଓ ଅବିନାଶ – ଶଙ୍କରର ଛକାପଞ୍ଝାର ପରିଣତି କଣ ହେବ ତାହା ସିନେମା ଦେଖିଲେ ଜାଣିହେବ।

ପାରି କରିବେ ଭୋଳା ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ଅଜୟ ରାଉତ ପ୍ରଯୋଜନା କରିଥିବା ବେଳେ କାହାଣୀକାର ଅଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ଆସନ୍ତା ନଭେମ୍ବର ୬ ତାରିଖ ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ତଥା ବଡଓଷା ଅବସରରେ ସଂଧ୍ୟା ୬ଟା ୩୦ରେ ଜୀ ସାର୍ଥକରେ ‘ପାରି କରିବେ ଭୋଳା ଶଙ୍କର’ ଦେଖିପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ନୂଆ ଓଡିଆ ଚଳଚ୍ଚିତ୍ର ‘ତିତଲି’ର ଅଡିଓ ରିଲିଜ

ଭୁବନେଶ୍ଵର: ପୂଜା ବଜାରକୁ ସରଗରମ କରିବାକୁ ଆସୁଛି ନୂଆ ଓଡିଆ ସିନେମା ‘ତିତଲି’। ଆଜି ଏହାର ଅଡିଓ ରିଲିଜ ହୋଇଛି। ଅଞ୍ଜନେୟ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରଡକସନର ଏହା ପଞ୍ଚମ ଅବଦାନ ହୋଇଥିବା ବେଳେ ଏହି ସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି। ପୂର୍ବରୁ ଏହି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ବ୍ୟାଡଗାର୍ଲ, ଧର୍ମ, ଭୈରବ, ଦେବଦାସ ଭଳି ସିନେମା ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ‘ତିତଲି’ ମଧ୍ୟ ଦମଦାର ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

ପ୍ରେମ୍ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ‘ତିତଲି’ରେ ରହିଛି ମୋଟ ୫ଟି ଗୀତ। ଯେଉଁଥିରେ ଦିପ୍ତୀରେଖା, ସବିଶେଷ, ଅନନ୍ୟା, ଗୌରବ, ଆଶୁତୋଷ, ପ୍ରଜ୍ଞା ଏବଂ ସମୀକ୍ଷା ପ୍ରମୁଖ କଣ୍ଠଦାନ କରିଛନ୍ତି। ବସନ୍ତରାଜ ସାମଲଙ୍କ ରଚିତ ଗୀତ ଗୁଡିକ ବେଶ ଚିତାକର୍ଷକ ହୋଇଛି। ବସନ୍ତରାଜ-ପ୍ରେମ୍ ଆନନ୍ଦ୍ ଯୋଡିରେ ପ୍ରସ୍ତୁତ ଗୀତଗୁଡିକ ସିନେମାକୁ ଆହୁରି ହୃଦୟଛୁଆଁ କରିଛି।

ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କ ପ୍ରଯୋଜିତ ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି ଏସ କେ ମୁରଲୀଧରନ। ଦେବିଦତ୍ତ ମହାନ୍ତି ‘ତିତଲି’ର କାହାଣୀ ଲେଖିଛନ୍ତି। ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଏହି ସିନେମାରେ ନଜର ଆସିଛନ୍ତି। ଭିନ୍ନ ସ୍ୱାଦର ପ୍ରେମ କାହାଣୀ ସହ ମୌଳିକ ଓଡିଆ କାହାଣୀ ଏଥିରେ ଦେଖିବାକୁ ମିଳିବ। ପ୍ରଣୟ ଜେଠୀ ସିନେମାର କ୍ରିଏଟିଭ ହେଡ ରହିଥିବା ବେଳେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ସିନେମାଟି ମୁକ୍ତିଲାଭ କରିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଓଡିଆ ସିନେମା “କିସ୍‌ମିସ୍‌”ର ରିଲିଜ ହେଲା ଅଡିଓ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ତାରକା ହୋଟେଲ ଠାରେ ନୂଆ ଓଡିଆ ଚଳଚ୍ଚିତ୍ର କିସ୍‌ମିସ୍‌ର ଅଡିଓ ରିଲିଜ ଅନୁଷ୍ଠିତ ହୋଇଛି। ଝିଲିକ୍ ମୋସନ ପିକ୍‌ଚର୍ସର ବ୍ୟାନରରେ ନିର୍ମିତ ଏହି ସିନେମାରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ବେଳେ ସୁଶାନ୍ତ ମଣି ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। ଅଡିଓ ରିଲିଜ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରତିମା ଘଡାଇ , ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଜୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର, ବସନ୍ତ ନାୟକ ପ୍ରଡକ୍ସନ୍ ରପ୍ରଯୋଜକ ଟୁଟୁ ନାୟକ ଓ ସିନେମାର ନାୟକ- ନାୟିକା ସ୍ୱରାଜ ବାରିକ – ଶିବାନୀ ସଙ୍ଗିତାଙ୍କ ସହ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

କିସ୍‌ମିସ୍ ଚଳଚ୍ଚିତ୍ରରେ ମୋଟ ୪ଟି ଗୀତ ରହିଛି। ୪ଟି ଯାକ ଗୀତ ଲେଖିଛନ୍ତି ଡ. ନିର୍ମଳ ନାୟକ। “ସବୁ ଲଭ ଷ୍ଟେରୀ” ଗୀତଟିକୁ ଗାଇଛନ୍ତି ସ୍ୱୟମ୍ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତି। ସେହିପରି “ତୋ ପ୍ରେମ ଜାଲରେ” ଗୀତରେ ଶଶାଙ୍କ ଶେଖର ଓ ଅମ୍ରିତା ନାୟକ କଣ୍ଠ ଦାନ କରିଥିବା ବେଳେ “ନ ଶୁଣିଲେ ନାହିଁ ଯା” ଗୀତଟିରେ ସତ୍ୟଜିତ ପ୍ରଧାନ ଓ ଜାଗୃତି ମିଶ୍ର କଣ୍ଠ ଦାନ କରିଛନ୍ତି । ଅନ୍ୟପଟେ “ବୋଲ ବୋଲ ବୋଲ” ଗୀତଟିରେ ତାରିକ୍ ଅଜିଜ୍ ଓ ଦିପ୍ତିରେଖା ପାଢୀ କଣ୍ଠ ଦାନ କରିଛନ୍ତି।

ଅଗଷ୍ଟ ୩୧ ଗଣେଷ ପୂଜାରେ ପରଦାକୁ ଆସିବ ‘କିସ୍ ମିସ୍‌’। ପୂର୍ବରୁ ସ୍ୱରାଜ-ଶିବାନୀ ଯୋଡିଙ୍କୁ ବଡ ପରଦାରେ ଦେଖି ସାରିଛନ୍ତି ଦର୍ଶକ। ତେବେ ଏଥିରେ ଉଭୟଙ୍କ ଲଭ, ରୋମାନ୍ସ ସହ ଆକ୍ସନ ଦେଖିବାକୁ ମିଳିବ। ପ୍ରେମକୁ ନେଇ କାହାଣୀ ଆଗକୁ ବଢ଼ିଥିବା ବେଳେ ସ୍ୱରାଜ ଓ ଶିବାନୀଙ୍କ ଅଭିନୟ ମନ କିଣିନେବ। ପ୍ରିତିରାଜ, ନୀତୁ ସିଂ, ମାନିନୀ, ଲିଙ୍କନ ପଟ୍ଟନାୟକ,ସୋମେନ୍ ପୂଜାରୀ, ଧରିତ୍ରୀ ପ୍ରମୁଖ ସିନେମାରେ ସାଥୀ କଳାକାର ଭାବେ ନଜର ଆସିଛନ୍ତି। ସ୍ୱରାଜ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଦୃଷ୍ଟିହୀନ ଭାବେ ଅଭିନୟ କରିଛନ୍ତି। ଓଡିଶା ଭିତରେ ସିନେମାର ସୁଟିଂ ହୋଇଥିବା ବେଳେ କେବଳ ଗୀତ ଗୁଡିକ ଓଡିଶା ବାହାରେ ସୁଟିଙ୍ଗ୍ ହୋଇଛି। ଅନେକ ଦିନ ପରେ ଗଣେଷ ପୂଜାରେ ସିନେମା ରିଲିଜ ହେଉଥିବାରୁ ଦର୍ଶକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖାଯାଇଛି। ସାରା ଓଡିଶାର ବିଭିନ୍ନ ସିନେମା ହଲରେ ‘କିସ୍ ମିସ୍‌’ ମୁକ୍ତିଲାଭ କରିବ। ପୂର୍ବରୁ ଝିଲିକ ମୋସନ ପିକଚର୍ସ ବ୍ୟାନରରେ ରୁଦ୍ରାଣୀ, ତୋର ମୋର କଟି, ତୁ ମୋର ସିଏ ମଧ୍ୟ ପ୍ରସ୍ତୁତ ହୋଇ ମୁକ୍ତିଲାଭ ଅପେକ୍ଷାରେ ରହିଛି।