Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପ୍ରତ୍ୟାହାର ହେବ ଆମେରିକା ସେଓ ଉପରେ ଅତିରିକ୍ତି ଶୁଳ୍କ: ଭାରତୀୟଙ୍କ ଉପରେ ପଡିବ କି ପ୍ରଭାବ?

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବହୁଦିନ ଧରି ବିଳମ୍ବିତ ହୋଇ ପଡ଼ି ରହିଥିବା ଛଅଟି ବିଶ୍ୱ ବାଣିଜ୍ୟ ସଂଗଠନ ବିବାଦର ଆପୋସ ସମାଧାନ ଲାଗି ଦୁଇ ଦେଶ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ବିବାଦଗୁଡ଼ିକର ସମାଧାନ ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି କ୍ରମରେ ଆମେରିକାରୁ ଆମଦାନୀ କରାଯାଉଥିବା ସେଓ ସମେତ ଆଠଟି ଉତ୍ପାଦ ଉପରୁ ଭାରତ ଅତିରିକ୍ତ ଶୁଳ୍କ ପ୍ରତ୍ୟାହାର କରିବ। ଭାରତର ଏହି ପଦକ୍ଷେପ ଫଳରେ ଆମେରିକା ବଜାରକୁ ଭାରତୀୟ ଇସ୍ପାତ ଓ ଆଲୁମିନିୟମ ରପ୍ତାନି ନିମନ୍ତେ ମାର୍ଗପ୍ରଶସ୍ତ ହେବ।

ଏହି ନିଷ୍ପତ୍ତି ଦ୍ୱାରା ଘରୋଇ ସେଓ ଉତ୍ପାଦନକାରୀଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ଏଥିସହିତ ପ୍ରିମିୟମ ବଜାର ସ୍ତରରେ ପ୍ରତିଯୋଗିତା ବୃଦ୍ଧି ପାଇବ ଯାହାଫଳରେ ଉପଭୋକ୍ତାଙ୍କ ପାଇଁ ଉଚିତ୍‌ ମୂଲ୍ୟରେ ଉନ୍ନତ ଗୁଣବତ୍ତା ସୁନିଶ୍ଚିତ ହୋଇପାରିବ।

ଏହି ଶୁଳ୍କ ପ୍ରତ୍ୟାହାର କରିବା ପରେ ଆମେରିକାର ସେଓ ଅନ୍ୟ ଦେଶମାନଙ୍କର ସେଓ ସହିତ ସମାନ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବ।

ସରକାରଙ୍କ ଏହି ନିଷ୍ପତ୍ତି ସ୍ୱତନ୍ତ୍ର ବଜାର ପର୍ଯ୍ୟାୟ ଓ ନିର୍ଦ୍ଦିଷ୍ଟ ଚାହିଦା ରହିଥିବା ପ୍ରିମିୟମ ଗୁଣବତ୍ତା ବିଶିଷ୍ଟ ସେଓ ଆମଦାନୀକୁ ସୁନିଶ୍ଚିତ କରିବ।

୨୦୧୯ରେ ଭାରତର କେତେକ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦ ଉପରେ ଆମେରିକା ଶୁଳ୍କ ବୃଦ୍ଧି କରିବା ପରେ ଏହାର ପ୍ରତିଶୋଧମୂଳକ ପଦକ୍ଷେପ ସ୍ୱରୂପ ଆମେରିକୀୟ ସେଓ ଉପରେ ୨୦% ଅତିରିକ୍ତ ଶୁଳ୍କ ଲାଗୁ କରାଯାଇଥିଲା। ଆମେରିକା ସମେତ ଅନ୍ୟ ଦେଶର ସେଓ ଉପରେ ଲାଗୁ ହେଉଥିବା ୫୦% ସବୁଠୁ ପସନ୍ଦଯୋଗ୍ୟ ରାଷ୍ଟ୍ର (ଏମଏଫଏନ) ଶୁଳ୍କରେ କୌଣସି ହ୍ରାସ କରାଯାଇନାହିଁ, ବରଂ ଏହା ପୂର୍ବପରି ବଳବତ୍ତର ରହିବ।

ଆମେରିକୀୟ ସେଓ ଉପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ ହେବା ପରେ ବିଗତ ପାଞ୍ଚଟି ଆର୍ଥିକ ବର୍ଷରେ ବିଶ୍ୱରୁ ହେଉଥିବା ସେଓ ଆମଦାନୀ ପରିମାଣ ୨୩୯-୩୦୫ ନିୟୁତ ଆମେରିକୀୟ ଡଲାର (କେବଳ ୨୦୨୧-୨୨ ଆର୍ଥିକ ବର୍ଷକୁ ଛାଡ଼ି ଯେତେବେଳେ ଏହା ୩୮୫ ନିୟୁତ ଆମେରିକୀୟ ଡଲାର ଥିଲା) ମଧ୍ୟରେ ସ୍ଥିର ରହିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଆମେରିକାରୁ ୧୪୫ ନିୟୁତ ଆମେରିକୀୟ ଡଲାର (୧୨୭,୯୦୮ ଟନ୍‌) ସେଓ ଆମଦାନୀ ହୋଇଥିବା ବେଳେ ୨୦୨୨-୨୩ରେ ଏହା ୫.୨୭ ନିୟୁତ ଡଲାର (୪,୪୮୬ ଟନ୍‌)କୁ ହ୍ରାସ ପାଇଛି।

ଆମେରିକୀୟ ସେଓ ଉପରେ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ ହେବା କାରଣରୁ ଆମେରିକୀୟ ସେଓ ବଜାର ଅଂଶକୁ ଅନ୍ୟ ଦେଶମାନେ ଅକ୍ତିଆର କରି ନେଇଥିଲେ। ଆମେରିକାକୁ ବାଦ୍‌ ଦେଲେ ଅନ୍ୟ ଦେଶରୁ ଆମଦାନୀ କରାଯାଉଥିବା ସେଓ ପରିମାଣ ୨୦୧୮-୧୯ରେ ୧୬୦ ନିୟୁତ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ ୨୦୨୨-୨୩ ଆର୍ଥିକ ବର୍ଷରେ ୨୯୦ ନିୟୁତ ଆମେରିକୀୟ ଡଲାରରେ ପହଞ୍ଚିଥିଲା, ଯେଉଁଥିରୁ ବଜାର ସ୍ଥିତି ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥାଏ। ତୁର୍କୀ, ଇଟାଲୀ, ଚିଲି, ଇରାନ ଓ ନ୍ୟୁଜିଲାଣ୍ଡ ଆଦି ଦେଶ ଭାରତକୁ ଶୀର୍ଷ ସେଓ ରପ୍ତାନିକାରୀ ଦେଶ ଭାବେ ପରିଗଣିତ ହୋଇଥାନ୍ତି ଯେଉଁମାନେ ଆମେରିକା ବଜାରର ଅଂଶ ହାସଲ କରି ନେଇଥିଲେ।

ଏହାବ୍ୟତୀତ ୮ ମେ ୨୦୨୩ରେ ଡିଜିଏଫଟି ପକ୍ଷରୁ ଦ୍ୱାରା ବିଜ୍ଞପ୍ତି ସଂଖ୍ୟା ୫/୨୦୨୩ ମାଧ୍ୟମରେ ଭୂଟାନକୁ ଛାଡ଼ି ସବୁ ଦେଶ ପାଇଁ ୫୦ ଟଙ୍କା ପ୍ରତି କିଲୋଗ୍ରାମ ଏମଆଇପି (ସର୍ବନିମ୍ନ ଆମଦାନୀ ମୂଲ୍ୟ) ଲାଗୁ କରି ଆଇଟିସି(ଏଚଏସ)୦୮୦୮୧୦୦୦ ଅଧୀନରେ ସେଓ ପାଇଁ ଆମଦାନୀ ନୀତିରେ ସଂଶୋଧନ କରାଯାଇଥିଲା।

ଆମେରିକା ସେଓ ଉପରେ ଅତିରିକ୍ତ ଶୁଳ୍କ ଲାଗୁ ହେବା ପରେ ପ୍ରିମିୟମ ବଜାର ପର୍ଯ୍ୟାୟରେ ତୁର୍କୀ, ବ୍ରାଜିଲ, ନ୍ୟୁଜିଲାଣ୍ଡ, ଇଟାଲୀ ଆଦି ଦେଶ ଏହାର ବଜାର ଅଂଶକୁ ଅକ୍ତିଆର କରି ନେଇଥିଲେ।