Categories
ବିଶେଷ ଖବର ମନୋରଂଜନ

ଅଭିନେତ୍ରୀ ଅନୁ ଚୌଧୁରୀ ହେଲେ ‘ସନ୍ତାନ’ ର ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର: ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସନ୍ତାନ) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ,ଏହା ଜାତୀୟ ପୁରସ୍କାର ବିଜେତା ଓଲିଉଡ୍ ଅଭିନେତ୍ରୀ  ଅନୁ ଚୌଧୁରୀଙ୍କୁ ଏହାର ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିଯୁକ୍ତ କରିଛି। ବ୍ରାଣ୍ଡ ପକ୍ଷରୁ ଆଜି ଭୁବନେଶ୍ୱରର ହୋଟେଲ୍ ନ୍ୟୁ ମାରିୟନଠାରେ ଆୟୋଜିତ ଏକ ସମାରୋହରେ ଅନୁ ଚୌଧୁରୀଙ୍କ ଅଭିନୀତ ନୂଆ ଅଡିଓ ଭିଜୁଆଲ କମର୍ସିଆଲର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।

ଏହି ଅବସରରେ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି, ‘ସନ୍ତାନ ଭଳି ଏକ ବ୍ରାଣ୍ଡ ସହଜ ଜଡିତ ହେବା ମୋ ପାଇଁ ଗର୍ବର ବିଷୟ। ଗତ ୭ ବର୍ଷ ମଧ୍ୟରେ ସନ୍ତାନ ଏହାର ‘ସାଇନ୍ସ ଫର୍ ସ୍ମାଇଲ୍‌ସ’  ଅଭିଯାନ ମାଧ୍ୟମରେ ଏକ ସମାନୁଭୂତି ଶୈଳୀରେ ସର୍ବୋତମ ଟେକ୍ନୋଲୋଜି (ବିଜ୍ଞାନ)ର ବ୍ୟବହାର କରି ଓଡିଶାର ୭୦୦୦ରୁ ଅଧିକ ଦମ୍ପତିଙ୍କ ଜୀବନରେ ଖୁସି ଆଣିପାରିଛି।

ମୁଁ ବନ୍ଧ୍ୟାପଣକୁ ନେଇ ରହିଥିବା ଗୁଜବ ଓ ଅପପ୍ରଚାରଗୁଡିକୁ ଦୂର କରିବା ପାଇଁ ଗ୍ରହଣ କରିଥିବା ରୋଗୀ ସଚେତନ କାର‌୍ୟ୍ୟକ୍ରମ ଦ୍ୱାରା ଖୁବ୍ ଅନୁପ୍ରାଣିତ ହୋଇଛି ଯାହା ମହିଳମାନଙ୍କୁ ସମସ୍ୟାକୁ ବୁଝିବା ଏବଂ ନିଜ ପରିବାରକୁ ପୂରଣ କରିବା ପାଇଁ ସେବାଗୁଡିକୁ ବ୍ୟବହାର କରିବାରେ ସାହାଯ୍ୟ କରିଛି। ମୁଁ ସନ୍ତାନର ଅଭିନବ ବୈଜ୍ଞାନିକ ସମାଧାନଗୁଡିକର ବ୍ୟବହାର ମାଧ୍ୟମରେ ମହିଳା ଓ ସେମାନଙ୍କ ପରିବାରକୁ ସଶକ୍ତ କରିବାର ମହତ୍ୱପୂର୍ଣ୍ଣ ଲକ୍ଷ୍ୟର ଅଂଶ ହେବା ପାଇଁ ଉତ୍ସାହିତ ରହିଛି।

ଏହି ଅବସରରେ ସନ୍ତାନର ସିଇଓ ରାଘବ ପଣ୍ଡା କହିଛନ୍ତି, ‘ଆମେ ବିଭିନ୍ନ ସ୍ଥାନରୁ ଲୋକଙ୍କ ଆଗ୍ରହ ପାଇଛୁ ଏବଂ ଆମେ ସମ୍ପ୍ରସାରଣର ଉକ୍ତ ସୁଯୋଗଗୁଡିକୁ ଏବେ ମୂଲ୍ୟାଙ୍କନ କରୁଛୁ।’ ସନ୍ତାନର ସହପ୍ରତିଷ୍ଠାତା ଓ କ୍ଲିନିକାଲ ଡାଇରେକ୍ଟର ଡଃ ଦୀପିକା କେଏନ୍ ପାଢୀ କହିଛନ୍ତି, ‘ଯେତେବେଳେ ବ୍ରହ୍ମପୁରରେ ପ୍ରଥମ ସେଂଟର୍ ସହିତ ଆମେ ଆରମ୍ଭ କରିଥିଲୁ, ସେତେବେଳେ  ଏହାର ସମ୍ଭାବ୍ୟତା ଉପରେ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା।

ଆମେ ନୂତନ ଟେକ୍ନୋଲୋଜି ଓ ଆବଶ୍ୟକ ସେବାକୁ ନେଇ ଆମର ନିଷ୍ପତି ଉପରେ ସ୍ଥିର ରହିଥିଲୁ ଯାହାକୁ ମୋର ହୋମ୍‌ଟାଉନ୍‌ରେ ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ ଥିଲୁ। ମୁଁ ବହୁତ ଖୁସି ଅନୁଭବ କରୁଛି ଯେ, ଆମର ମଡେଲ୍ ବିଭିନ୍ନ ସ୍ଥାନକୁ ଯାଉଛି ଏବଂ ଅଧିକରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି।’

ସେହିପରି ସନ୍ତାନ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଶନ୍ସର ପ୍ରତିଷ୍ଠାତା ଡଃ ସତିଶ ପ୍ରସାଦ ରଥ କହିଛନ୍ତି, ‘ଆମେ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ସ୍ୱାସ୍ଥ୍ୟସେବାକୁ ଅଧିକ ପହଂଚଯୋଗ୍ୟ ଓ ସୁଲଭ କରିପାରିବା। ଏହା ହିଁ ମୋ ଜୀବନର ଲକ୍ଷ୍ୟ ଅଟେ। ଆମେ ଆରମ୍ଭରେ ଆମ ସେବାକୁ ଓଡିଶାରେ ଆରମ୍ଭ କରିଥିଲୁ କାରଣ ଏହା ଆମର ଘରୋଇ ରାଜ୍ୟ ଅଟେ ଏବଂ ଆମେ ଏକ ହସ ସହିତ ସ୍ୱାସ୍ଥ୍ୟସେବାକୁ ପହଂଚଯୋଗ୍ୟ କରିବାରେ ଟେକ୍ନୋଲୋଜିର ସକାରାତ୍ମକ ଶକ୍ତିରେ ବିଶ୍ୱାସ କରୁ।’

ରାଜ୍ୟରେ (ବ୍ରହ୍ମପୁର ଓ ଭୁବନେଶ୍ୱର) ସ୍ଥିରତାର ପ୍ରଥମ ପର୍ଯ୍ୟାୟ ପରେ ସନ୍ତାନ ଏବେ ଏହାର ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀ କରୁଛି। ସନ୍ତାନ ପକ୍ଷରୁ ବେଙ୍ଗାଲୁରୁ, କର୍ଣ୍ଣାଟକ, ଅମ୍ବୁର, ତାମିଲନାଡୁରେ ନୂଆ ସେଂଟର୍‌ଗୁଡିକର ଶୁଭାରମ୍ଭ କରାଯାଇଛି । ସନ୍ତାନ  ଅନୁଗୁଳ ଓ ପଶ୍ଚିମ ଓଡିଶା ସମେତ ଦକ୍ଷିଣ ଓଡିଶାରେ ମଧ୍ୟ ନୂଆ ସେଂଟର ସ୍ଥାପନ କରିବାକୁ ଯାଉଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ପରିବର୍ତ୍ତନ ଧାରାରେ ଭାରତୀୟ ଚଳଚ୍ଚିତ୍ର

ଭୁବନେଶ୍ୱର: ସମୟ ସହ ତାଳଦେଇ ଭାରତୀୟ ଚଳଚ୍ଚିତ୍ରର ପରିବର୍ତ୍ତନ ଘଟୁଛି ଏବଂ ଭବିଷ୍ୟତରେ ଓ.ଟି.ଟି. ପ୍ଲାଟଫର୍ମକୁ ଏହା ଆସିଯିବ ବୋଲି ପ୍ରଫେସର ହିମାଂଶୁ ଖଟୁଆ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଭୁବନେଶ୍ୱର ସ୍ଥିତ  ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଆୟୋଜିତ ‘ଭାରତୀୟ ଚଳଚ୍ଚିତ୍ର-୪ସି’ ଶୀର୍ଷକ ୱେବିନାର ଆଲୋଚନାଚକ୍ରରେ ଯୋଗଦେଇ କିଟ୍ ବିଶ୍ୱବିଦ୍ୟାଳୟର ଫିଲ୍ମ ଏବଂ ଗଣମାଧ୍ୟମ ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ଖଟୁଆ ଭାରତୀୟ ଚଳଚ୍ଚିତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରି ପୌରାଣିକ ବିଷୟବସ୍ତୁରୁ ଆରମ୍ଭ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ଐତିହାସିକ, ସାମାଜିକ ଏବଂ ପ୍ରେମକାହାଣୀର ଆଧାର ପରେ ପରୀକ୍ଷାମୂଳକ କାହାଣୀରେ ପହଞ୍ଚିଛି ବୋଲି କହିଛନ୍ତି। ମୋଟ ଉପରେ ଚଳଚ୍ଚିତ୍ର ଦର୍ଶକର ଅଂଶଗ୍ରହଣ ଉପରେ ନିର୍ଭର କରୁଥିବାରୁ ଦର୍ଶକ ହଲକୁ ନ ଆସିଲେ ଚଳଚ୍ଚିତ୍ର ଶିଳ୍ପ ତିଷ୍ଠିବ ନାହିଁ ବୋଲି କହିଥିଲେ। ଚଳଚ୍ଚିତ୍ର ଶିଳ୍ପ ଟେଲିଭିଜନକୁ ଅନେକ କିଛି ଦେଇଛି ଏବଂ ଷ୍ଟୁଡିଓରୁ ବାହାରି ମୁକ୍ତ ବାତାବରଣକୁ ଆସିବା କ୍ଷେତ୍ରରେ ବୈଷୟିକ ପରିବର୍ତ୍ତନ ଓ ପ୍ରଗତିର ଭୂମିକା  ରହିଛି ବୋଲି ମଧ୍ୟ କହିଥିଲେ। ପରସ୍ପର ସହ ଲୋକଙ୍କୁ ଯୋଡିବା, ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା, ସୃଜନଶୀଳତା ଏବଂ ରୁଚି ଭାରତୀୟ ସିନେମାର ବୈଶିଷ୍ଟ୍ୟ ବୋଲି ମଧ୍ୟ କହିଥିଲେ।

ଚଳଚ୍ଚିତ୍ର ଜଗତ ସମ୍ପର୍କରେ ଭଲଭାବରେ ଧାରଣା ନ ଥିବା ଲୋକମାନେ ଏହି ଶିଳ୍ପ ଭିତରକୁ ପ୍ରବେଶ କରୁଥିବାରୁ ଫିଲ୍ମ ଦେଖିବା ପ୍ରତି ଲୋକଙ୍କର ଆଗ୍ରହ କମିଯାଉଛି ବୋଲି ଓଡିଆ ଚଳଚ୍ଚିତ୍ର ତାରକା ଅନୁ ଚୌଧୁରୀ କହିଛଛନ୍ତି। ଏକ ଗଣମାଧ୍ୟମ ଭାବରେ ଏଥିରେ ଏକକାଳୀନ ଅନେକ ଲୋକଙ୍କର ଭୂମିକା ରହୁଥିବାରୁ ସମସ୍ତଙ୍କର ସମନ୍ୱୟ ରକ୍ଷା କରାଗଲେ ଚଳଚ୍ଚିତ୍ର ଲୋକପ୍ରିୟ ହୋଇପାରିବ ବୋଲି ସେ ମତ ଦେଇଥିଲେ।

ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ କାନ୍‌ସ ଚଳଚ୍ଚିତ୍ର ଉତ୍ସବରେ ଭାରତର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଚୈତନ୍ୟ ପ୍ରସାଦ ଆଲୋଚନା ପ୍ରସଙ୍ଗରେ କହିଛନ୍ତି। ଲୋକଙ୍କୁ ପରସ୍ପର ସହିତ ଯୋଡିବା, ସକାରାତ୍ମକ ସୂଚନା ଦେବା,ସୃଜନଶୀଳତାର ପରିପ୍ରକାଶ ଏବଂ ଲୋକଙ୍କ ରୁଚି ମୁତାବକ ଭାରତୀୟ ଚଳଚ୍ଚିତ୍ର ଗୁଡିକ ନିର୍ମିତ ହେଉଥିବାରୁ ବିଶ୍ୱସ୍ତରରେ ଏଗୁଡିକ ଏକ ବ୍ରାଣ୍ଡ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ଶ୍ରୀ ପ୍ରସାଦ କହିଥିଲେ।

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନାର ପ୍ରସଙ୍ଗ ସମ୍ପର୍କରେ ସୂଚନା ଦେଇ ସାମାଜିକ ପରିବର୍ତ୍ତନର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଚଳଚ୍ଚିତ୍ର ସହାୟକ ହୋଇଥାଏ ବୋଲି କହିଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କର ଆଲୋଚନାର ପ୍ରସଙ୍ଗ ଉପରେ ରହିଥିବା ମନ୍ତବ୍ୟ ଉଦ୍ଧାର କରି ଦେଶକୁ ଯୋଡି ରଖିବାରେ, ଯୋଗାଯୋଗକୁ ଦୃଢ କରିବାରେ ତଥା ଲୋକଙ୍କୁ ରୁଚି ମୁତାବକ ଶିକ୍ଷା ଦେବାରେ ଚଳଚ୍ଚିତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ସାମ୍ବାଦିକ ପ୍ରାଚୀ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କର ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ୱେବିନାର ଆଲୋଚନାଚକ୍ରରେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ପତ୍ରସୂଚନା କାର୍ଯ୍ୟାଳୟର ଅଧିକାରୀଗଣଙ୍କ ସମେତ ବହୁ ଚଳଚ୍ଚିତ୍ର ପ୍ରେମୀ ଯୋଗଦେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମାର୍ଚ୍ଚ ୧୪ରୁ ଜୀ ସାର୍ଥକରେ ଆସୁଅଛି ଅନୁ ଚୌଧୁରୀଙ୍କ ଅଭିନିତ ମେଗା ଧାରାବାହିକ “ସର୍ବଜିତା ଅନୁ”

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ଚିର ପରିଚିତ ନାମ ଅନୁ ଚୌଧୁରୀ। ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନରେ କରିବେ କମାଲ। ଦୀର୍ଘ ୨ ଦଶନ୍ଧି ଧରି ୬୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅନୁ। ତାଙ୍କର ସୁନ୍ଦର ଅଭିନୟ ଓ ନୃତ୍ୟରେ ଜନତା ହୋଇଛନ୍ତି ମନ୍ତ୍ରମୁଗ୍ଧ। ସେ ଯେ, କେବଳ ଓଲିଉଡରେ ଚର୍ଚ୍ଚିତା ତାହା ନୁହେଁ, ବେଙ୍ଗଲୀ, ତେଲଗୁ ଏବଂ ହିନ୍ଦୀ ଫିଲ୍ମସରେ ମଧ୍ୟ ଦର୍ଶକ ଦେଖିଛନ୍ତି ତାଙ୍କ ଅଭିନୟ। ଗ୍ଲାମର ଇଣ୍ଡଷ୍ଟ୍ରିରେ ବେଶ୍ ସୁନାମ ଅର୍ଜନ କରିଥିବା ଅନୁଙ୍କୁ ୨୦୦୫ ମସିହାରେ ଫିଲ୍ମ ଶାଶୂଘର ଚାଲିଯିବିରେ ଆକର୍ଷଣୀୟ ଅଭିନୟ ପାଇଁ ମିଳିଥିଲା ଓଡିଶା ରାଜ୍ୟ ଫିଲ୍ମ ପୁରସ୍କାର। ନାୟିକା ଅନୁ ପୁଣି ଆସୁଛନ୍ତି ଦର୍ଶକଙ୍କ ହୃଦୟରେ ଘର କରିବାପାଇଁ। ଜୀ ସାର୍ଥକର ମେଗା ଧାରାବାହିକ ସର୍ବଜିତା ଅନୁରେ ଲିଡ ରୋଲରେ ଆସୁଛନ୍ତି ଅନୁ ଚୌଧୁରୀ।

ଜୀ ସାର୍ଥକ ସଦା ସର୍ବଦା ତାର ଦର୍ଶକ ମାନଙ୍କ ପାଇଁ ମନପସନ୍ଦର ଧାରାବାହିକ ନେଇ ଆସିଥାଏ। ଓଡିଆ କଳା, ସଂସ୍କୃତି ଓ ଚାଲିଚଳନକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି ଜୀ ସାର୍ଥକ। ଏହି ଧାରାରେ ସାମିଲ ହେବାକୁ ଯାଉଛି ମେଗା ଧାରାବାହିକ “ସର୍ବଜିତା ଅନୁ”।

ଆଗରୁ “କେମିତି କହିବି କହ”ରେ ସୁପରଷ୍ଟାର ସିଦ୍ଧାନ୍ତ ଓ “ଦାଦାଗିରି”ରେ ଅନୁଭବଙ୍କ ଜଲୱା ପରେ ଏବେ “ସର୍ବଜିତା ଅନୁ”ରେ ଦର୍ଶକ ଦେଖିବେ ଏଭରଗ୍ରିନ୍ ନାୟିକା ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ। ଆସନ୍ତା ୧୪ ତାରିଖ ଠାରୁ ସନ୍ଧ୍ୟା ୮ ଟାରେ ଏହି ମେଗା ଧାରାବାହିକ ପ୍ରସାରଣ ଆରମ୍ଭ ହେବ। ଏହାକୁ ନେଇ ଦର୍ଶକଙ୍କ ଭିତରେ ରହିଛି ଅନେକ ଉତ୍କଣ୍ଠା ରହିଛି। ପୂର୍ବ ସିରିଏଲ୍ ପରି “ସର୍ବଜିତା ଅନୁ” ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ଆବଶ୍ୟକତାକୁ ପୁରଣ କରିବ ବୋଲି କହିଛନ୍ତି ଜୀ ସାର୍ଥକ ଚ୍ୟାନେଲ ମୁଖ୍ୟ ଶ୍ରୀ ଅର୍ଘ୍ୟ ରାୟ ଚୌଧୁରୀ।