Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅନୈତିକ କାରବାର ବିରୋଧୀ ଦିବସ -୨୦୨୫ ପାଳିତ

ଖୋର୍ଦ୍ଧା: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ, ଜିଲ୍ଲାପ୍ରଶାସନ ଏବଂ ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅନୈତିକ କାରବାର ବିରୋଧୀ ଦିବସ ଆଜି ସକାଳ ୮ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ପାଳିତ ହୋଇଯାଇଅଛି। ଦିବସ ଉପଲକ୍ଷେ ସାମାଜିକ ସୁରକ୍ଷା ବିଭାଗ, ଅବକାରୀ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିରାଟ ସଚେତନତା ପଦଯାତ୍ରା ରାଲୀ ହାବେଳୀ ପଡିଆ ଠାରୁ ବାହାରି ସହର ମଧ୍ୟଦେଇ ବି ଆର ଆମ୍ବେଦକର ମାର୍ଗ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଦେଇ ପୁରୁଣା ଜିଲ୍ଲାପାଳଙ୍କ ଅଫିସ୍ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା।

ଉକ୍ତ ରାଲିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିବାଥିଲେ। ନିଶା ସେବନ ଏକ ମାନସିକ ବ୍ୟାଧି ଏଣୁ ନିଜ ମନକୁ ବିକାରଗ୍ରସ୍ତ ନକରି ସନ୍ତୁଳିତ କରି ରଖି ଗଠନ ମୂଳକ ଭାବଧାରା ଚିନ୍ତାଧାରା ଆଣିଲେ ନିଶା ବ୍ୟବହାରରୁ ମୁକ୍ତି ମିଳିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ପରିବାରର ତଥା ରାଷ୍ଟ୍ରର ଅନେକ ହିତ ସାଧିତ ହେବ ବୋଲି ଉଦବୋଧନରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ଶୁମତି ତ୍ରିପାଠୀ ଯୋଗଦେଇ ନିଶା ଅପବ୍ୟବହାର ଓ କୁପ୍ରଭାବ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲିପ କୁମାର ହିଆଲ ସଭାପତି ଭାଷଣରେ ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରି ସ୍ୱାଗତ ଭାଷଣ ପ୍ରଦାନ ସହ ତାଙ୍କର ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତହୋଇଥିଲା।

ଦିବସରେ ରାଲିରେ ଜିଲାସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ଅବକାରୀ ବିଭାଗ, ଅଗ୍ରଣୀ ଯୁବ ସଂଗଠନ ଲାଇଫ ଲାଇନ୍ ସହ ପାଖାପାଖି ଜିଲ୍ଲାର ଅନେକ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଓ ବିଭିନ୍ନ କାର୍ଯ୍ୟାନ୍ଵୟନ ସରକାରୀ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇ ବିଭିନ୍ନ ସ୍ଲୋଗାନ ଦେଇ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ଆୟୋଜିତ ନିଶା ନିବାରଣ ବିଷୟ ବସ୍ତୁ ଉପରେ ଉଚ୍ଚମାଧ୍ୟମିକ ଓ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ୧୨ଜଣ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ।

ସେହିପରି ନିଶା ସେବନ ନ କରିବା ଓ ନିଶାମୁକ୍ତ ସମାଜ ଗଠନରେ ପ୍ରଚେଷ୍ଟା ନିମିତ୍ତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ କର୍ମକର୍ତ୍ତା ଏବଂ ଅନେକ ସ୍ବେଛାସେବୀ ସଂସ୍ଥାର ସମ୍ପାଦକ, ସଭାପତି ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ।