Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅମୃତପାଲ ସିଂ ଗିରଫ ହେଲେ ନା ଆତ୍ମସମର୍ପଣ କଲେ?, ଜାଣନ୍ତୁ କ’ଣ କହିଲା ପଞ୍ଜାବ ପୋଲିସ

ଚଣ୍ଡିଗଡ଼: ଅମୃତପାଲ ସିଂଙ୍କ ଗିରଫଦାରୀ ଉପରେ ପଞ୍ଜାବ ପୋଲିସର ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ, ଅମୃତପାଲଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି ଯାହା ପରେ ତାଙ୍କୁ ଏନଏସଏ ଅଧୀନରେ ଗିରଫ କରାଯାଇଛି। ଆଇଜି କହିଛନ୍ତି ଯେ, “ଆମେ ଅମୃତପାଲ ସିଂଙ୍କୁ ଅପରେସନ୍ ଚଳାଇ ସକାଳ ୬.୪୫ ରେ ଗିରଫ କରିଥିଲୁ। ଏହି ସମଗ୍ର ଅପରେସନ୍ ସମୟରେ ପଞ୍ଜାବର ଲୋକମାନେ ଶାନ୍ତି, ଆଇନ ଶୃଙ୍ଖଳା ରକ୍ଷା କରିଥିଲେ, ଏଥିପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଦେଉଛୁ। ଏହା ସହିତ ଆଇଜି ଶାନ୍ତି ବଜାୟ ରଖିବାକୁ ପଞ୍ଜାବବାସୀଙ୍କୁ ନିବେଦନ କରିଛନ୍ତି।

ପଞ୍ଜାବ ପୋଲିସର ଆଇଜି ଗିଲ କହିଛନ୍ତି ଯେ, ଆମର ନିର୍ଦ୍ଦିଷ୍ଟ ସୂଚନା ରହିଛି, ଯେଉଁଥିରେ ଆମେ ଜାଣିଥିଲୁ ଯେ ସେ ରୋଡ଼େ ଗାଁର ଗୁରୁଦ୍ୱାରରେ ଉପସ୍ଥିତ ଥିଲେ। ଗୁରୁଦ୍ୱାର ସାହେବଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଆମେ ତାଙ୍କୁ ଗିରଫ କରିଛୁ। ତାଙ୍କୁ ଗିରଫ କରିବା ପରେ ତାଙ୍କୁ ଆସାମର ଡିବ୍ରୁଗଡକୁ ପଠାଯାଇଛି। ମାସ ମାସ ଧରି ଫେରାର ଥିବା ଅମୃତପାଲ ସିଂଙ୍କୁ ଆଜି ମୋଗା ଜିଲ୍ଲାର ପଞ୍ଜାବ ପୋଲିସ ଗିରଫ କରିଛି। ଏହା ପରେ ତାଙ୍କୁ ଡିବ୍ରୁଗଡ ଜେଲକୁ ପଠାଯାଇଛି।

ଅମୃତପାଲଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଉପରେ ଏନଏସଏ ମଧ୍ୟ ଲାଗୁ କରାଯାଇଛି। ପଞ୍ଜାବ ପୋଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ତାଙ୍କ ସନ୍ଧାନରେ ନିରନ୍ତର ନିୟୋଜିତ ଥିଲେ। ଅମୃତପାଲଙ୍କୁ ଧରିବା ପାଇଁ ନେପାଳ ସୀମା ପର୍ଯ୍ୟନ୍ତ ସାରା ଦେଶରେ ଅପରେସନ୍ କରାଯାଇଥିଲା। ଏଥି ସହ ପଞ୍ଜାବ ପୋଲିସ ଅମୃତପାଲ ସିଂଙ୍କ ଗିରଫଦାରୀ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଞ୍ଜାବ ପୋଲିସକୁ ବଡ଼ ସଫଳତା: ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂ ଗିରଫ

ନୂଆଦିଲ୍ଲୀ: ଆଜି ଖଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ଅମୃତପାଲ ସିଂ ଶାହକୋଟରେ ଥିଲେ ଏବଂ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ। ଶନିବାର ଦିନ ଅମୃତପାଲ ସିଂ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଅମୃତପାଲ ସିଂହଙ୍କ କାରକୁ ପୋଲିସ ପିଛା କରିଥିଲା, କିନ୍ତୁ ସେ ଫେରାର ହେବାରେ ସଫଳ ହୋଇଥିଲା।

ପୋଲିସର ସୂଚନାନୁସାରେ ଅମୃତପାଲ ସିଂଙ୍କ ନେତୃତ୍ୱରେ ‘ୱାରିସ୍ ପଞ୍ଜାବ ଦେ’ (ଡବ୍ଲୁପିଡି) ର ୧୧୨ ସଦସ୍ୟଙ୍କୁ ଗିରଫ କରାଯାଇଛି। ଅପରେସନ ସମୟରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ପୋଲିସ କହିଛି।

ପୋଲିସ କହିଛି ଯେ, ଏପର୍ଯ୍ୟନ୍ତ .୩୧୫ ବୋରର ଗୋଟିଏ ରାଇଫଲ, ୧୨ ବୋରର ସାତ ରାଇଫଲ, ଗୋଟିଏ ରିଭଲଭର ଏବଂ ୩୭୩ କାର୍ଟ୍ରିଜ ସମେତ ନଅଟି ଅସ୍ତ୍ର ଜବତ କରାଯାଇଛି। ରବିବାର ଦିନ ପୋଲିସ କହିଛି ଯେ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ମାମଲାରେ ମଧ୍ୟ ଅମୃତପାଲ ସିଂ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି।

ଗିରଫଦାରୀକୁ ଦୃଷ୍ଟିରେ ରଖି ପଞ୍ଜାବରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଶନିବାର ସନ୍ଧ୍ୟା ଠାରୁ ଇଣ୍ଟରନେଟ୍ ବନ୍ଦ ରଖାଯାଇଛି। ପଞ୍ଜାବରେ ଇଣ୍ଟରନେଟ ଏବଂ ଏସଏମଏସ ସେବା ଉପରେ ନିଲମ୍ବନ ଅବଧି ସୋମବାର ଅପରାହ୍ନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

କେନ୍ଦ୍ରର ସତର୍କ ସୂଚନା ଜାରି: ପାକିସ୍ତାନରୁ ସୋସିଆଲ ମିଡିଆରେ କରାଯାଉଛି ଗୁଜବ ପ୍ରଚାର

ନୂଆଦିଲ୍ଲୀ: ୱାରିସ୍ ପଞ୍ଜାବ ଦେ ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସର କାର୍ଯ୍ୟାନୁଷ୍ଠାନ ଚାଲିଛି। ତାଙ୍କୁ ପଳାତକ ଘୋଷିତ କରାଯାଇଛି। ପୁରା ପଞ୍ଜାବରେ ପୋଲିସ ପ୍ରଶାସନକୁ ସତର୍କ ମୋଡରେ ରଖାଯାଇଛି। ଏଥି ସହିତ ପଞ୍ଜାବ ପୋଲିସ ଏବଂ କେନ୍ଦ୍ରୀୟ ଏଜେନ୍ସିମାନେ ସୋସିଆଲ ମିଡିଆରେ ପାକିସ୍ତାନରୁ ପଠାଯାଇଥିବା ମିଥ୍ୟା ତଥ୍ୟକୁ ବିଶ୍ୱାସ ନକରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ନକଲି ଆଇଡି ସହିତ ପାକିସ୍ତାନରେ ବସିଥିବା ଖାଲିସ୍ତାନୀ ପଞ୍ଜାବର ଲୋକଙ୍କୁ ଏଭଳି ପୋଷ୍ଟ ସହ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ପଞ୍ଜାବ ସରକାର ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ, ଅମୃତପାଲ ସିଂଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ବର୍ତ୍ତମାନ ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ।

ଇଣ୍ଟରନେଟ୍ ଏବଂ ସରକାରୀ ବସ୍ ସେବା ବନ୍ଦ:

ଅମୃତପାଲ ସିଂଙ୍କ ଗିରଫଦାରୀ ସମ୍ପର୍କରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବାବେଳେ। ଅନ୍ୟପକ୍ଷରେ ଶନିବାର ସନ୍ଧ୍ୟା ଠାରୁ ରବିବାର ୧୨ ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି। ଏହା ବ୍ୟତୀତ ପଞ୍ଜାବର ସରକାରୀ ବସ୍ ସେବା ମଧ୍ୟ ଦୁଇ ଦିନ ପାଇଁ ଅଟକି ରହିଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସୋମବାର ଏବଂ ମଙ୍ଗଳବାର ଦିନ କୌଣସି ପନବସର କୌଣସି ବସ୍ ଚଳାଚଳ କରିବ ନାହିଁ। ଅମୃତପାଲ ସମର୍ଥକଙ୍କ ଦ୍ୱାରା ଭାଙ୍ଗାରୁଜା ହେବାର ଆଶଙ୍କା ଥିବାରୁ ବସ୍ ଗୁଡିକ ଅଟକି ରହିଛି।

ଅଜନାଲା ହିଂସା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରୀୟ ଏଜେନ୍ସି ଏବଂ ବିରୋଧୀ ଦଳ କ୍ରମାଗତ ଭାବରେ ଚାପ ପକାଉଥିଲେ, ଯେଉଁଥିପାଇଁ ପଞ୍ଜାବର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଥିଲା। ଏହି ସମୟ ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଶେଷରେ, ରଣନୀତିର ଏକ ଅଂଶ ଭାବରେ ଶନିବାର ଦିନ ଅମୃତପାଲ ସିଂଙ୍କ ଉପରେ କଟକଣା ଲଗାଇବାକୁ ପଞ୍ଜାବ ପୋଲିସ ପ୍ରସ୍ତୁତି ଚଳାଇଛି। ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୁରା ଘଟଣା ସମ୍ପର୍କରେ ପଞ୍ଜାବ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି।