Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ସ୍ୱାମୀନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନର ୭୫ ତମ ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୧୨-୨୦୨୨) ଶ୍ରୀ ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନର ୭୫ତମ ଅମୃତ ମହୋତ୍ସବରେ ଆଭାସୀ ମାଧ୍ୟମରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନ ସହ ରହିଥିବା ସମସ୍ତଙ୍କୁ ୭୫ ବର୍ଷ ସମାପନ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସେ ମଧ୍ୟ ଏହି ଯାତ୍ରାରେ ଅଦ୍ଭୁତପୂର୍ବ ଉଦ୍ୟମ ପାଇଁ ଶାସ୍ତ୍ରୀଜୀ ମହାରାଜ ଶ୍ରୀ ଧର୍ମଜୀବାନନ୍ଦଜୀ ସ୍ୱାମୀଙ୍କ ପ୍ରଶଂସା କରିଛନ୍ତି। ଜଣେ ଭଗବାନ ଶ୍ରୀ ସ୍ୱାମୀ ନାରାୟଣଙ୍କ ନାମ ସ୍ମରଣ କରି ନବଚେତନାର ଅଭିଜ୍ଞତା ଅର୍ଜନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶର ଅମୃତକାଳରେ ଏହି ଘଟଣା ଏକ ଅଦ୍ଭୁତ ସଂଯୋଗ ବୋଲଇ ପ୍ରଧାନମନ୍ତ୍ରୀ କହିଛନ୍ତି। ଇତିହାସରେ ଏହି ପ୍ରକାର ଅନେକ ସଂଯୋଗବଶତଃ ଭାରତୀୟ ପରମ୍ପରା ଅଧିକ ଶକ୍ତିଶାଳୀ ହୋଇଥିବା ସେ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଏପରି ସଂଗମ କର୍ତ୍ତବ୍ୟ ଓ କଠିନ ପରିଶ୍ରମ, ସଂସ୍କୃତି ଓ ଉତ୍ସର୍ଗ, ଆଧ୍ୟାତ୍ମିକତା ଓ ଆଧୁନିକତା ଯୋଗୁ ସମ୍ଭବ ହୋଇଛି ବୋଲି କହିଥିଲେ। ଭାରତ ସ୍ୱାଧୀନ ହେବା ପରେ ପ୍ରାଚୀନ ଭାରତୀୟ ଶିକ୍ଷା ପଦ୍ଧତିର ପୁନରୁଦ୍ଧାର ଓ ଏହାର ଅବହେଳାକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ। ଯେତେବେଳେ ପୂର୍ବ ସରକାରମାନେ ଏଥିରେ ବିଫଳ ହେଲେ। ଜାତୀୟ ଋଷି ଓ ଆଚାର୍ଯ୍ୟଗଣ ଏହାର ମଙ୍ଗ ଧରିଥିଲେ। “ସ୍ୱାମୀ ନାରାୟଣ ଗୁରୁକୁଳ ଏହି ‘ସୁଯୋଗ୍ୟ’ର ଏକ ଉଦାହରଣ” ବୋଲି ଶ୍ରୀ ମୋଦୀ କହିଥିଲେ। ସ୍ୱାଧୀନତା ସଂଗ୍ରାମ ଆଦର୍ଶର ମୁଳଦୂଆ ଉପରେ ପ୍ରତିଷ୍ଠାନ ବିକଶିତ ହୋଇଛି।

“ପ୍ରକୃତ ଜ୍ଞାନର ପ୍ରସାର ହେଉଛି ସବୁଠାରୁ ଗୁରୁତ୍ୱପୂରର୍ଣ୍ଣ କାର୍ଯ୍ୟ ଓ ଏହା ବିଶ୍ୱରେ ଭାରତୀୟ ଜ୍ଞାନ ଓ ଶିକ୍ଷାର ନିଷ୍ଠା ଭାବେ ରହି ଭାରତୀୟ ସଭ୍ୟତାର ମୁଳଦୂଆ ସ୍ଥାପନ କରିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯଦିଓ ଗୁରୁକୁଳ ବିଦ୍ୟା ପ୍ରତିଷ୍ଠାନ ମାତ୍ର ସାତ ଜଣ ବିଦ୍ୟାର୍ଥୀଙ୍କୁ ନେଇ ରାଜକୋଟରେ ଆରମ୍ଭ ହୋଇଥିଲା ଆଜି ଏହାର ୪ଠଟି ଶାଖା ରହିଛି ଓ ସାରା ବିଶ୍ୱର ହଜାର ହଜାର ବିଦ୍ୟାର୍ଥୀ ଏଥିପ୍ରତି ଆକୃଷ୍ଟ ହେଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ ଯେ ଗତ ୭୫ ବର୍ଷ ମଧ୍ୟରେ ଗୁରୁକୁଳ ବିଦ୍ୟାର୍ଥୀମାନଙ୍କ ମନ ଓ ହୃଦୟର ବିକାଶ କରିଛି, ଯାହା ଫଳରେ ସାମଗ୍ରିକ ଉନ୍ନତି ସେମାନଙ୍କର ହୋଇପାରିବ। “ଇସ୍ରୋ ଓ ବାର୍କରେ ବୈଜ୍ଞାନିକ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଉତ୍ସର୍ଗୀକୃତ ବିଦ୍ୟାର୍ଥୀ ଠାରୁ ଆରମ୍ଭ କରି ଗୁରୁକୁଳ ଦେଶର ପ୍ରତି କ୍ଷେତ୍ରକୁ ପରିପୁଷ୍ଟ କରିଛି” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଗୁରୁକୁଳ ଉପରେ ଆଲୋକପାତ କରି କହିଥିଲେ ଯେ ଯେଉଁଠାରେ ଜଣେ ଗରୀବ ବିଦ୍ୟାର୍ଥୀ ଠାରୁ ମାତ୍ର ଟଙ୍କାଏ ଫିସ୍ ନିଆଯାଏ ସେଠାରେ ତାକୁ ଶିକ୍ଷାପ୍ରାପ୍ତି ଅନେକ ସହଜ ହୋଇଥାଏ।

ଭାରତୀୟ ପରମ୍ପରାର ଜ୍ଞାନକୁ ସର୍ବୋଚ୍ଚ ଜୀବନ ଲକ୍ଷ୍ୟ ଭାବେ ବିବେଚନା କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବିଶ୍ୱର ଅନ୍ୟାନ୍ୟ ଭାଗ ସେମାନଙ୍କ ଶାସକ ବଂଶକୁ ନେଇ ପରିଚିତ ହୋଇଥାନ୍ତି, ଭାରତୀୟ ପରିଚୟ ଏହାର ଗୁରୁକୁଳ ସହିତ ଥାଏ। “ଆମର ଗୁରୁକୁଳଗୁଡ଼ିକ ନିରପେକ୍ଷତା, ସମନତା, ଯତ୍ନ ଓ ସେବା ମନୋଭାବର ପ୍ରତିନିଧିତ୍ୱ ଶହ ଶହ ବର୍ଷ କରିଆସିଛନ୍ତି” ବୋଲି ସେ କହିଥିଲେ। ନାଳନ୍ଦା ଓ ତକ୍ଷଶିଳା ଭାରତୀୟ ପ୍ରାଚୀନ ଗୌରବ ସହ ସମତୁଲ ବୋଲି ସେ ସ୍ମରଣ କରାଇ ଦେଇଥିଲେ।

“ଆବିଷ୍କାର ଓ ଗବେଷଣା ଭାରତୀୟ ଜୀବନଧାରାର ଅବିଚ୍ଛେଦ୍ୟ ଅଙ୍ଗ । ଆତ୍ମ-ଆବିଷ୍କାରରୁ ପ୍ରଭୁସତ୍ତା, ଆୟୁର୍ବେଦରୁ ଆଧ୍ୟାତ୍ମ ସମାଜ ବିଜ୍ଞାନରୁ ସୌର ବିଜ୍ଞାନ, ଗଣିତରୁ ଧାତୁ ବିଜ୍ଞାନ ଓ ଶୂନ୍ୟରୁ ଅସୀମ, ଗବେଷଣା ଓ ନୂତନ ଉପସଂହାର ପ୍ରତ୍ୟେକ କ୍ଷେଥ୍ରରେ ଟଣାଯାଇଛି। ଭାରତ ତିମିରାଚ୍ଛନ୍ନ ଯୁଗରେ ମାନବତାକୁ ଦେଖାଇଥିବା ଆଲୋକବର୍ତ୍ତିକା ବିଶ୍ୱର ଆଧୁନିକ ବିଜ୍ଞାନ ପାଇଁ ବାଟ କଢ଼ାଇଥିଲା” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଲିଙ୍ଗଗତ ସମାନତା ଓ ଭାରତୀୟ ଗୁରୁଗୁଳ ପଦ୍ଧତିର ସମ୍ବେଦନଶୀଳତା ଉପରେ ଆଲୋକପାତ କରିବା ସହ ‘କନ୍ୟା ଗୁରୁକୁଳ’ ଆରମ୍ଭ କରିଥିବାରୁ ସ୍ୱାମୀନାରାୟଣ ଗୁରୁକୁଳର ପ୍ରଶଂସା କରିଥିଲେ =।

ପ୍ରଧାନମନ୍ତ୍ରୀ ଶିକ୍ଷା ପଦ୍ଧତି ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଭାରତରେ ଉଜ୍ଜ୍ୱଳ ଭବିଷ୍ୟତର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିବା ସହ ସ୍ୱାଧୀନତାର ଅମୃତ କାଳରେ ଦେଶ ଶିକ୍ଷାର ଭିତ୍ତିଭୂମି ଓ ନୀତିକୁ ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ଦ୍ରୁତ ଗତିରେ ସୁଦୃଢ଼ କରିବାକୁ ଯାଉଛି ବୋଲି କହିଥିଲେ =। ଦେଶରେ ଆଇଆଇଟି, ଆଇଆଇଆଇଟିଏସ, ଆଇଆଇଏମଏସ ଓ ଏଆଇଏମଏସ ସଂଖ୍ୟା ଅନେକ ବୃଦ୍ଧି ପାଇଛି ଓ ୨୦୧୪ ମସିହା ପୂର୍ବାବସ୍ଥାକୁ ତୁଳନା କଲେ ଦେଶରେ ମେଡିକାଲ କଲେଜ ସଂଖ୍ୟା ଶତକଡ଼ା ୬୫ ଭାଗ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ ଦେଶର ନୂତନ ଶିକ୍ଷାନୀତି ଭବିଷ୍ୟତକୁ ଲକ୍ଷ୍ୟ ରଖି ପ୍ରସ୍ତୁତ ହୋଇଛି। ଏହାଫଳରେ ନୂତନ ପିଢ଼ି ଏକ ନବୀନ ପଦ୍ଧତିରେ ଶିକ୍ଷା ଗ୍ରହଣ କରିବେ ଓ ତାହା ସେମାନଙ୍କୁ ଦେଶର ଆଦର୍ଶ ନାଗରିକ ଭାବେ ଗଢ଼ିତୋଳିବା। ଆଗାମୀ ୨୫ ବର୍ଷରେ ମୁନିଋଷିମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। “ଆଜି ଭାରତରେ ସଂକଳ୍ପ ନୂତନ ଓ ସେଗୁଡ଼ିକ ସାକାର କରିବା ପାଇଁ ଉଦ୍ୟମ ହେଉଛି। ଆଜି ଭାରତ ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଭୋକାଲ ଫର ଲୋକାଲ, ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ଓ ଏକ ଭାରତ ଶ୍ରେଷ୍ଠ ଭାରତ ଲକ୍ଷ୍ୟ ନେଇ ଆଗେଇ ଚାଲିଛି।

ଏହିସବୁ ସାମାଜିକ ପରିବର୍ତ୍ତନ ଓ ସମାଜ ସଂସ୍କାର ପ୍ରକଳ୍ପରେ ସବକା ପ୍ରୟାସ ଦେଶର କୋଟି କୋଟି ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ପ୍ରଧାନମନ୍ତ୍ରୀ ଗୁରୁକୁଳର ବିଦ୍ୟାର୍ଥୀମାନଙ୍କୁ ଉତ୍ତର ପୂର୍ବାଞ୍ଚଳକୁ ଅନୁନ୍ୟ ୧୫ ଦିନ ଗସ୍ତରେ ଯାଇ ସେଠାକାର ଅଧିବାସୀଙ୍କ ସହ ମିଶି ଦେଶକୁ ଆହୁରି ମଜବୁତ କରିବାକୁ ନିବେଦନ କରିଥିଲେ। ସେ ମଧ୍ୟ ବେଟୀ ବଚାଓ ଓ ପରିବେଶ ସୁରକ୍ଷା ଭଳି ବିଷୟର ଅବତାରଣା କରି ଏକ ଭାରତ ଶ୍ରେଷ୍ଠ ଭାରତକୁ ମଜବୁତ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। “ମୁଁ ନିଶ୍ଚିତ ଯେ ସ୍ୱାମୀ ନାରାୟଣ ଗୁରୁକୁଳ ବିଦ୍ୟା ପ୍ରତିଷଠାନମ ଭଳି ଅନୁଷ୍ଠାନ ଭାରତର ସଂକଳ୍ପ ଯାତ୍ରାକୁ ଅଧିକ ମଜବୁତ କରିବ” ବୋଲି କହି ସେ ତାଙ୍କର ଅଭିଭାଷଣ ସମାପ୍ତି ଘଟାଇଥିଲେ।

ପୃଷ୍ଠଭୂମୀ:

ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନ ୧୯୪୮ ମସିହାରେ ଗୁରୁଦେବ ଶାସ୍ତ୍ରୀଜୀ ମହାରାଜ ଧର୍ମାଜୀବାନନ୍ଦଜୀ ସ୍ୱାମୀଙ୍କ ଦ୍ୱାରା ରାଜକୋଟରେ ପ୍ରତିଷ୍ଠା କରାଯାଇଥିଲା। ଏହି ସଂସ୍ଥାନ ସମ୍ପ୍ରସାରିତ ହୋଇ ବର୍ତ୍ତମାନ ବିଶ୍ୱରେ ଏହାର ୪ଠଟି ଶାଖା ରଖିଛି। ଏହା ୨୫ ହଜାରରୁ ଊଦ୍ଧ୍ୱର୍ ବିଦ୍ୟାର୍ଥୀଙ୍କୁ ବିଦ୍ୟାଳୟ, ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ଶିକ୍ଷା ପ୍ରଦାନ କରିଆସୁଛି।

Categories
ଆଜିର ଖବର ଜାତୀୟ ଖବର

ସଂସଦରେ ‘ରାଷ୍ଟ୍ରୀୟ ଏକତା ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନିର୍ଣ୍ଣୟ ନେବାର କ୍ଷମତା ଓ ଦୃଢ ଇଚ୍ଛାଶକ୍ତି ସମସ୍ତଙ୍କୁ ପ୍ରଭାବିତ କରିବା ସହ ନିରନ୍ତର ପ୍ରେରଣା ଦେଉଛି। ଦେଶର କଲ୍ୟାଣ ପାଇଁ ବଡ଼ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ପଟେଲଙ୍କ କର୍ତ୍ତବ୍ୟ ଓ ନେତୃତ୍ୱ ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ସଂସଦରେ ଆୟୋଜିତ ‘ରାଷ୍ଟ୍ରୀୟ ଏକତା ଦିବସ’ କାର୍ଯ୍ୟକ୍ରମ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ଏକତା ପାଇଁ ଦୌଡ’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ସଂସଦର ସେଣ୍ଟରାଲ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ଆସିଥିବା ଯୁବଶକ୍ତିଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ନିକଟରେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବନ୍ଧିତ କରି ବଡ ସଂକଳ୍ପ, ବଡ ସ୍ୱପ୍ନ ଉପରେ କାମ କରିବା ପାଇଁ ଆଗ୍ରହ କରିଛନ୍ତି। ଆମକୁ କେବଳ ଭାରତ ନୁହେଁ ବରଂ ବିଶ୍ୱ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ହେବ। ଆଜିର ଯୁବପିଢି କେବଳ ଭାରତ ନୁହଁ ବରଂ ବିଶ୍ୱର ନେତୃତ୍ୱ ନେବ।

ଯେଉଁ ଲୋକମାନେ ଆମକୁ ୨୫୦ ବର୍ଷ ପର୍ଯ୍ୟନ୍ତ ଶାସନ କଲେ, ଆଜି ସେମାନେ ଆମ ଠାରୁ ବହୁତ ପଛରେ ଅଛନ୍ତି। ଅମୃତ ମହୋତ୍ସବର ଏହି କାଳଖଣ୍ଡରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ରୂପରେ ଉଭା ହୋଇଛି। ଆଜି ଦେଶର ଯୁବଶକ୍ତିକୁ ବୈଶିକ କଲ୍ୟାଣର ଏକ ନୂଆ ରଚନା କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆସନ୍ତା ୨୫ ବର୍ଷରେ ଆମେ ଆମର କର୍ତ୍ତବ୍ୟକୁ ପାଳନ କରିବା ସହ ଆମକୁ ଭାରତକୁ ଶ୍ରେଷ୍ଠ ଏବଂ ଅଧିକ ମଜଭୂତ୍ ବନାଇବାକୁ ହେବ। ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନ ସର୍ଦ୍ଦାର ପଟେଲ ହିଁ ଦେଖିଥିଲେ। ଏକବିଂଶ ଶତାବ୍ଦୀର ଭାରତକୁ ନେଇ ଆମେ ଗର୍ବିତ ଓ ଏହାକୁ ଗଢିବାରେ ସର୍ଦ୍ଦାର ପଟେଲଙ୍କ ସବୁଠୁ ବଡ ଯୋଗଦାନ ରହିଛି। ଦେଶ ଯେତେବେଳେ ଅମୃତ ମହୋତ୍ସବ ପାଳନ କରୁଛି ସେ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଳ୍ପନା ଓ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ମାର୍ଗଦର୍ଶନରେ ଲୋକତନ୍ତ୍ରର ଏହି ମନ୍ଦିରରେ ରାଷ୍ଟ୍ର ନାୟକଙ୍କୁ ସ୍ମରଣ କରିବାର ଏକ ନୂଆ ପରମ୍ପରା ଆରମ୍ଭ କରାଯାଇଛି।

ସେହିପରି ଜାତୀୟ ଏକତା ଦିବସରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ଏକତା ପାଇଁ ଦୌଡ’ର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ପରେ ଦେଶକୁ ଏକାଠୀ କରିବା ଏବଂ ଆଜିର ଭାରତକୁ ଏକ୍ କରିବାରେ ପଟେଲଙ୍କ ରାଜନୈତିକ ଇଚ୍ଛାଶକ୍ତି ଓ ନେତୃତ୍ୱ କ୍ଷମତାର ଅତୁଳନୀୟ ଯୋଗଦାନ ରହିଛି। ପଟେଲଙ୍କ ଯୋଗଦାନ କେବଳ ଭାରତକୁ ସ୍ୱାଧୀନତା ଦେବାରେ ସୀମିତ ନଥିଲା ବରଂ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅମୃତ ମହୋତ୍ସବର ସମୟ ଓ ରାଷ୍ଟ୍ରୀୟ ଏକତା ଦିବସର ଅବସରରେ ସର୍ଦ୍ଦାର ପଟେଲଙ୍କ ଭୂମିକା, ତାଙ୍କ ନେତୃତ୍ୱ ଏବଂ ଇଚ୍ଛାଶକ୍ତି ଓ ତାଙ୍କ ଉପରେ ହେଉଥିବା ଚର୍ଚ୍ଚାକୁ ଆଗକୁ ବଢାଇବା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ଆଗାମୀ ପିଢିମାନେ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ପ୍ରଗତିରେ ତାଙ୍କର ଯୋଗଦାନକୁ ଜାଣିପାରିବେ ଓ ପଟେଲଙ୍କ ଭଳି ମହାନୁଭବଙ୍କ ଜୀବନ ଏବଂ ରାଷ୍ଟ୍ର କଲ୍ୟାଣର ସଂକଳ୍ପ ଦ୍ୱାରା ପ୍ରେରିତ ହେବେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକତା ପାଇଁ ଦୌଡରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ସିଂହଙ୍କ ସହ କୁଳସଚିବ, ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ଅଧିକାରୀ, ପ୍ରଶାସନିକ କର୍ମଚାରୀ, କେନ୍ଦ୍ରୀୟ ବିଦ୍ୟାଳୟ, ସିବିଏସଏଇ ସ୍କୁଲ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବଲ୍ଲଭ ଭାଇ ପଟେଲ ଚେଷ୍ଟ ଇନଷ୍ଟିଚ୍ୟଟ ପରିସରରେ ପଟେଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ରକ୍ତଦାନ ଅମୃତ ମହୋତ୍ସବ ଉଦ୍ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ

ଦିଲ୍ଲୀ: “ରକ୍ତଦାନ ଏକ ମହତ୍ କାର୍ଯ୍ୟ ଅଟେ ଏବଂ ଆମର ସମୃଦ୍ଧ ସଂସ୍କୃତି ଏବଂ ସେବା ଓ ସହଯୋଗର ପରମ୍ପରାକୁ ଲକ୍ଷ୍ୟ କରି, ମୁଁ ସମସ୍ତ ନାଗରିକଙ୍କୁ ଦେଶବ୍ୟାପୀ ଅନୁଷ୍ଠିତ ବୃହତ୍ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ – ରକ୍ତଦାନ ଅମୃତ ମହୋତ୍ସବରେ ଯୋଗଦେଇ ରକ୍ତ ଦାନ କରିବା ପାଇଁ ଆହ୍ୱାନ କରୁଛି। ରକ୍ତଦାନ କେବଳ ଏକ ଜାତୀୟ ଆବଶ୍ୟକତାକୁ ପୂରଣ କରି ନଥାଏ, ଏହା ସମାଜ ଏବଂ ମାନବତା ନିମନ୍ତେ ଏକ ମହାନ ସେବା ଅଟେ।” କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ କରିବା ଅବସରରେ ଏହା କହିଥିଲେ।

ସ୍ୱେଚ୍ଛାକୃତ ରକ୍ତଦାନର ମହତ୍ୱକୁ ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, “ଆଜାଦୀର ଅମୃତ ମହୋତ୍ସବ ପାଳନର ଏକ ଅଂଶ ବିଶେଷ ହେଉଛି “ରକ୍ତଦାନ ଅମୃତ ମହୋତ୍ସବ”। ନିୟମିତ ଭାବେ ପାରିଶ୍ରମିକ ନନେଇ ସ୍ୱେଚ୍ଛାକୃତ ରକ୍ତ ଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରକ୍ତ କିମ୍ବା ଏହାର ଉପାଦନ ଗୁଡିକର (ସମ୍ପୂର୍ଣ୍ଣ ରକ୍ତ/ପ୍ୟାକ୍ ହୋଇଥିବା ଲାଲ୍ ରକ୍ତ କଣିକା/ପ୍ଲାଜ୍ମା/ପ୍ଲାଟଲେଟ୍) ଉପଲବ୍ଧତା, ପହଂଚ ଯୋଗ୍ୟ, ସୁଲଭ ଏବଂ ନିରାପଦ ବୋଲି ସୁନିଶ୍ଚିତ କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି।

୨୦୨୧ ପରିସଂଖ୍ୟାନ ଅନୁଯାୟୀ, ଭାରତର ବାର୍ଷିକ ରକ୍ତ ଆବଶ୍ୟକତା ପ୍ରାୟ ୧.୫ କୋଟି ୟୁନିଟ୍ ଅଟେ। ପ୍ରତି ଦୁଇ ସେକେଣ୍ଡରେ, ଭାରତରେ କେହି ନା କେହି ରକ୍ତ ଆବଶ୍ୟକ କରିଥାନ୍ତି ଏବଂ ଆମ ତିନି ଜଣଙ୍କ ଭିତରୁ ଜଣେ ସାରା ଜୀବନ ଭିତରେ ଥରେ ନିଶ୍ଚିତ ରୂପରେ ରକ୍ତ ଆବଶ୍ୟକ କରିଥାନ୍ତି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। “ବୈଷୟିକ ଜ୍ଞାନ କୌଶଳର ଅଗ୍ରଗତି ସତ୍ତ୍ୱେ , ଏବେ ସୁଦ୍ଧା ରକ୍ତ ପାଇଁ କୌଣସି ବିକଳ୍ପ ନାହିଁ ଏବଂ ୧ ୟୁନିଟ୍ ରକ୍ତ ତିନି ଜଣଙ୍କର ଜୀବନ ରକ୍ଷା କରି ପାରିବ” ବୋଲି ଡଃ ମାଣ୍ଡବୀୟ ସୂଚନା ଦେଇଥିଲେ।

ଡଃ ମାଣ୍ଡବୀୟ ରକ୍ତ ଦାନ ଶିବିରରେ ରକ୍ତଦାତା ମାନଙ୍କୁ ଦେଖା କରିଥିଲେ ଏବଂ ସେମାନଙ୍କର ରକ୍ତଦାନ ଭଳି ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ରକ୍ତ ଦାନକୁ ନେଇ ରହିଥିବା କପୋଳକଳ୍ପିତ କଥାକୁ ଦୂର କରି ଡଃ ମାଣ୍ଡବୀୟ କହିଥିଲେ ଯେ ଜଣେ ବ୍ୟକ୍ତିଙ୍କର ଶରୀରରେ ୫ -୬ ଲିଟର ରକ୍ତ ଥାଏ ଏବଂ ସେ ପ୍ରତି ୯୦ ଦିନ (୩ ମାସ)ରେ ଥରେ ରକ୍ତ ଦାନ କରି ପାରିବେ।” ଶରୀରରେ ବହୁତ ଶୀଘ୍ର ରକ୍ତ ସୃଷ୍ଟି ହୋଇ ଯାଇଥାଏ ; ୨୪ – ୪୮ ଘଂଟା ଭିତରେ ରକ୍ତ ପ୍ଲାଜ୍ମା ପୁଣି ସୃଷ୍ଟି ହୋଇଯାଏ, ପ୍ରାୟ ୩ ସପ୍ତାହରେ ଲାଲ୍ ରକ୍ତ କଣିକା ଗୁଡିକ ତିଆରି ହୁଏ ଏବଂ କିଛି ମୁହୂର୍ତ୍ତ ଭିତରେ ପ୍ଲାଟଲେଟ୍ସ ଏବଂ ଶ୍ୱେତ ରକ୍ତ କଣିକା ତିଆରି ହୋଇ ଯାଇଥାଏ।

ସାରା ଦେଶରେ ଚାଲିଥିବା ଏହି ଅଭିଯାନକୁ କେନ୍ଦ୍ରୀକୃତ ରକ୍ତ ବ୍ୟାଙ୍କ ପରିଚାଳନା ସୂଚନା ପ୍ରଣାଳୀ, ଇ – ରକ୍ତ କୋଷ ପୋର୍ଟାଲ ସମର୍ଥନ ପ୍ରଦାନ କରୁଛି, ଯାହା ରକ୍ତ ଦାତା ମାନଙ୍କର ଜାତୀୟ ଭଣ୍ଡାର ଆକାରରେ କାର୍ଯ୍ୟ କରିବ। ଏହା ରକ୍ତଦାତା ମାନଙ୍କର ଏକ ମଜଭୁତ ରେକର୍ଡକୁ ସୁନିଶ୍ଚତ କରିବ ଏବଂ ଆବଶ୍ୟକ ପଡିଲେ ରକ୍ତର ଉପଲବ୍ଧତାରେ ମଧ୍ୟ ଦ୍ରୁତ ଗତି ଆଣିବ।

Categories
ବିଶେଷ ଖବର

ଭାରତ ମାନଚିତ୍ର ତିଆରି କଲେ ୮୩୩୫ ଲୋକ, ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ୟୁକେରେ ପାଇଲା ସ୍ଥାନ

ଇନ୍ଦୋର: ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବାପରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମଧ୍ୟପ୍ରଦେଶର ଇନ୍ଦୋରରେ ୮୩୩୫ ଲୋକ ମିଳିତ ଭାବେ ଭାରତର ମାନଚିତ୍ର ପ୍ରସ୍ତୁତ କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଯାହା ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ୟୁକେରେ ପଞ୍ଜିକୃତ ହୋଇଛି। ଦେଶର ସବୁଠାରୁ ସ୍ଵଚ୍ଛ ସହର ମଧ୍ୟରେ ଇନ୍ଦୋର ଏକ ନମ୍ବର ସ୍ଥାନରେ ରହିଛି। ସେନାର ଯବାନମାନଙ୍କ ସହିତ ଅନେକ ସାମାଜିକ ସଂଗଠନର ସଦସ୍ୟ ଏବଂ ସଫାଇକର୍ମୀ ଏହି ରେକର୍ଡ ପ୍ରସ୍ତୁତ କରିଛନ୍ତି।

ସକାଳ ୮ ଟାରୁ ଇନ୍ଦୋରର ଦିବ୍ୟ ଶକ୍ତିପୀଠରେ ଲୋକମାନଙ୍କର ସମାବେଶ ଆରମ୍ଭ ହୋଇଥିଲା। ଧଳା ପୋଷାକ ପିନ୍ଧି ଲୋକମାନେ ଭୂମିରେ ନିର୍ମିତ ଭାରତର ମାନଚିତ୍ରରେ ନିଜ ସ୍ଥାନରେ ଠିଆ ହେବାକୁ ଲାଗିଲେ, ସେମାନେ ମୁଣ୍ଡରେ ଗେରୁଆ, ଧଳା, ସବୁଜ ଏବଂ ନୀଳ ରଙ୍ଗର କ୍ୟାପ୍ ପିନ୍ଧିଥିଲେ। ଦେଶର ସ୍ଵଚ୍ଛ ସହରରେ ଯେତେବେଳେ ମାନବ ଶୃଙ୍ଖଳା ମାଧ୍ୟମରେ ଭାରତର ମାନଚିତ୍ର ପ୍ରସ୍ତୁତ କରି ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଉଦ୍ୟମ କରାଯାଏ, ସେତେବେଳେ କେବଳ ଆମର ସଫାଇକର୍ମୀମାନେ ଏହାର ଆଧାର ହୋଇପାରିବେ। ତେଣୁ ଏହି ମାନଚିତ୍ରର ରୂପରେଖ (ସୀମା) ସହରର ପରିମଳ କର୍ମଚାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ପୂର୍ବ ବିଶ୍ଵ ରେକର୍ଡକୁ ଭାଙ୍ଗିବା ପାଇଁ ତିନି ହଜାର ଲୋକଙ୍କ ସହ ଏକ ମାନଚିତ୍ର ପ୍ରସ୍ତୁତ କରିବା ଆବଶ୍ୟକ ଥିଲା, କିନ୍ତୁ ଉତ୍ସାହ ଏତେ ଥିଲା ଯେ ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ସହରର ବିଭିନ୍ନ ସାମାଜିକ ତଥା ଶିକ୍ଷାନୁଷ୍ଠାନ, ଏନଜିଓ ଏବଂ ଶିଳ୍ପପତି ତଥା ସେନା କର୍ମଚାରୀ ମୋଟ ୮୩୩୫ ଲୋକ ଦିବ୍ୟା ଶକ୍ତିପୀଠରେ ଏକାଠି ହୋଇଥିଲେ। ଏହି ସ୍ଥାନରେ ଲାଇଭ୍ ବ୍ୟାଣ୍ଡ ଦେଶଭକ୍ତ ଗୀତ ଗାଉଥିଲେ ଏବଂ ଏହି ଉତ୍ସାହିତ ​​ବାତାବରଣ ମଧ୍ୟରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଥିଲା। ଆଜାଦୀ କି ଅମୃତ ମହୋତ୍ସବକୁ ସହର ପାଇଁ ସ୍ମରଣୀୟ କରିବା ତଥା ତ୍ରିରଙ୍ଗାର ମହତ୍ତ୍ୱକୁ ଲୋକଙ୍କୁ ବୁଝାଇବା ପାଇଁ ଜ୍ଵାଲା ମହିଲା ସମିତିର ଏହି ପ୍ରୟାସ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ୟୁକେରେ ରେକର୍ଡ କରାଯାଇଥିଲା।

ଏହି ଅବସରରେ ସାଂସଦ ଶଙ୍କର ଲାଲୱାନୀ, ରାଜ୍ୟସଭା ସାଂସଦ କବିତା ପାଟିଦାର, ବିଜେପି ନଗର ସଭାପତି ଗୌରଭ ରଣଦିବେଙ୍କ ସହ ଜ୍ଵାଲାର ପ୍ରତିଷ୍ଠାତା ଡକ୍ଟର ଦିବ୍ୟା ଗୁପ୍ତା, ସେନା ଅଧିକାରୀ ଲେ.ଟି. ଜେନେରାଲ ଅନନ୍ତନାରାୟଣ ପତାକା ଉତ୍ତୋଳନ କରିଥିଲେ ଏବଂ ସେଠାରେ ଉପସ୍ଥିତ ହଜାର ହଜାର ଲୋକ ଜାତୀୟ ସଂଗୀତ ଗାନ କରିଥିଲେ।

ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ୟୁକେ ପ୍ରତିନିଧୀ ବିକ୍ରମ ତ୍ରିବେଦୀ କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଏତେ ସଂଖ୍ୟକ ଲୋକଙ୍କୁ ଏକାଠି କରି ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏକ ବଡ଼ ସଫଳତା। ସାଂସଦ ଲାଲୱାନି କହିଛନ୍ତି ଯେ, ସ୍ୱଚ୍ଛତା ଦୃଷ୍ଟିରୁ ଆମେ କ୍ରମାଗତ ଭାବରେ ଏକ ନମ୍ବରରେ ରହିଥିବାବେଳେ ଏଭଳି ବିଶ୍ୱ ରେକର୍ଡ ସୃଷ୍ଟି କରିବା ଆମ ପାଇଁ ଗର୍ବର ବିଷୟ।

ଜ୍ଵାଲାର ପ୍ରତିଷ୍ଠାତା ଡକ୍ଟର ଦିବ୍ୟା ଗୁପ୍ତା କହିଛନ୍ତି ଯେ, ସହରରେ ସବୁଜୀମା ବୃଦ୍ଧି କରିବାକୁ ଆମେ ଏହି ଅବସରରେ ଫଳଗୁଡିକର ମଞ୍ଜିରେ ଭର୍ତ୍ତି ହଜାର ହଜାର ବେଲୁନ୍ ଉଡାଇଛୁ। ଏଗୁଡିକ ମଞ୍ଜି ବଲ ପରି କାର୍ଯ୍ୟ କରିବ ଏବଂ ଯେଉଁଠାରେ ବେଲୁନ୍ ଫାଟିବ, ଉଦ୍ଭିଦଗୁଡିକ ବୃଦ୍ଧି ହେବାର ସମ୍ଭାବନା ରହିବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଦେଶଭକ୍ତିର ଭାବନା ଏବଂ ଲୋକମାନଙ୍କ ମଧ୍ୟରେ ସେମାନଙ୍କର ତ୍ରିରଙ୍ଗା ପ୍ରତି ସମ୍ମାନ। ଏହି ଅବସରରେ ସମାଜରେ ସମସ୍ତଙ୍କୁ ସମାନ ଅଧିକାର ଦେବା ଲକ୍ଷ୍ୟରେ ନେତ୍ରହୀନ ଏବଂ ଭିନ୍ନକ୍ଷମ ପିଲାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବରେ ଅନ୍ତର୍ଭୁକ୍ତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜବୁତ୍ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଅମୃତ ମହୋତ୍ସବ ଅବସରରେ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେଇ ସୁସ୍ଥ ରହିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏହି ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଆଜି ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଦେଶ ଓ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦ୍ରୁତ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କୋଭିଡ଼୍ ଲଢ଼େଇର ମାତ୍ର ୧୮ ମାସ ମଧ୍ୟରେ ୨୦୦ କୋଟିରୁ ଅଧିକ ଟିକାକରଣ କରାଇ ଭାରତ ସାରା ବିଶ୍ୱରେ ଇତିହାସ ରଚିଛି, ଯାହା ଖୁସିର ବିଷୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷ ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ଭାରତ ଆଜି ସମଗ୍ର ବିଶ୍ୱରେ ଏହି ବିରାଟ ବଡ଼ ସଫଳତା ହାସଲ କରିପାରିଛି । ନିରାପଦ ଏବଂ ପ୍ରଭାବଶାଳୀ କୋଭିଡ଼ ଟିକା ଉପଲବ୍ଧ କରାଇ ଆମ ଦେଶ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବା ସଙ୍ଗେସଙ୍ଗେ ତ୍ୱରିତ ଟୀକାକରଣ ପ୍ରକ୍ରିୟାକୁ ନିଶ୍ଚିତ କରିଛି । ଏହାର ସଫଳତା ପଛରେ ଦେଶର ଲକ୍ଷ ଲକ୍ଷ ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ବୈଜ୍ଞାନିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି ଏବଂ ଏଥିପାଇଁ ଆମେ ସମସ୍ତେ ତାଙ୍କ ପାଖରେ ଋଣୀ ।

ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ତରଫରୁ ପ୍ରଥମେ କୋଭିଡର ଦୁଇଟି ଡୋଜ୍ ଏବଂ ଏବେ ବୁଷ୍ଟର ଡୋଜ୍ ମାଗଣାରେ ଦିଆଯାଉଛି । ବୁଷ୍ଟର ଡୋଜ୍ ଦେବା ପାଇଁ ଅମୃତ କାଳରେ ଜୁଲାଇ ୧୫ରୁ ୭୫ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ଟିକାକରଣ କରାଯାଉଛି । କିନ୍ତୁ କୋଭିଡ଼ ବୁଷ୍ଟର ଡୋଜ୍ ନେବା କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡ଼ିଶାର ହାର କମ ଅଛି । ଓଡ଼ିଶାର ୮୭ ପ୍ରତିଶତ ନାଗରିକ ଏ ପର୍ଯ୍ୟନ୍ତ ବୁଷ୍ଟର ଡ଼ୋଜ୍ ଟିକା ନେଇ ନାହାନ୍ତି ।

ଅଗଷ୍ଟ ୪ ତାରିଖ ସୁଦ୍ଧା ଓଡ଼ିଶାରେ ୩ କୋଟି ୨୩ ଲକ୍ଷ ନାଗରିକ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ ଟିକା ନେଇସାରିଛନ୍ତି । କେବଳ ୪୨ ଲକ୍ଷ ୩୪ ହଜାର ଜଣ ବୁଷ୍ଟର ଡୋ଼ଜ୍ ନେଇଛନ୍ତି । ରାଜ୍ୟର ୬ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ଜଗତସିଂପୁର, ସୁନ୍ଦରଗଡ଼, ପୁରୀ ଏବଂ ଅନୁଗୁଳରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି । ରାଜ୍ୟର ୮ଟି ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ ନାଗରିକ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି ।

ଏବେ ବର୍ଷାଋତୁରେ କୋଭିଡ଼ ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ତିଆରି ହୋଇଛି । ଏହି କୋଭିଡ୍ ମହାମାରୀକୁ ପ୍ରତିହତ କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଟୀକା । ତେଣୁ ଯେଉଁମାନେ ପ୍ରିକସନ ଡୋଜ୍ ନେବା ପାଇଁ ଯୋଗ୍ୟ, ସେମାନେ କାଳ ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ଯାଇ ଡୋଜ୍ ନିଅନ୍ତୁ । ବୁଷ୍ଟର ଡୋଜ୍ ନେଇ ନ ଥିବା ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରନ୍ତୁ । ନିଜ ପରିବାର, ସମାଜ, ରାଜ୍ୟ ତଥା ଦେଶକୁ ସୁରକ୍ଷିତ ରଖନ୍ତୁ । ବୁଷ୍ଟର ଡୋଜ ନେଇ ସ୍ୱାସ୍ଥ୍ୟକର୍ମୀ ଓ ବୈଜ୍ଞାନିକଙ୍କ ପରିଶ୍ରମକୁ ଉଚିତ୍ ସମ୍ମାନ ଦେବା । କୋଭିଡ଼ ବିରୁଦ୍ଧରେ ଆମ ଲଢ଼େଇକୁ ଆହୁରି ବ୍ୟାପକ କରିବା ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବକୁ ସଗୌରବେ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ନାଗରିକଙ୍କୁ ଆହ୍ୱାନ କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୭୫ ଦିନିଆ- ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍‌ ୧୫ ଜୁଲାଇ ୨୦୨୨ ଠାରୁ ୭୫ ଦିନିଆ – ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ଅନ୍ତର୍ଗତ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ବୁଷ୍ଟର ଡୋଜ୍‌ ଟିକା ଦିଆଯିବ। ଆଜାଦୀ କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶବିଶେଷ ସ୍ୱରୂପ ଏହି ସ୍ୱତନ୍ତ୍ର କୋଭିଡ ଟିକାକରଣ ଅଭିଯାନକୁ ‘ମିଶନ୍‌ ମୋଡ’ରେ କାର୍ଯ୍ୟକାରୀ କରାଯିବ। ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ୍‌ ଟିକା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏହି ବିଶେଷ ଅଭିଯାନ କାର୍ଯ୍ୟକାରୀ ହେବାକୁ ଯାଉଛି।

ଏଥିପାଇଁ ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସଚିବ ଏବଂ ଏନଏଚଏମ ଏମଡିମାନଙ୍କୁ ନେଇ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଅଧ୍ୟକ୍ଷତା କରିଥିଲେ। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦେବା ଏବଂ ସେମାନଙ୍କୁ ବୁଷ୍ଟର ଡୋଜ୍‌ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ଏକ ବ୍ୟାପକ ଏବଂ ମହତ୍ବାକାଂକ୍ଷୀ ପୂର୍ଣ୍ଣ କୋଭିଡ ୧୯ ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିବେଦନ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ବ ବୟସର ହିତାଧିକାରୀମାନଙ୍କ ମଧ୍ୟରେ ବୁଷ୍ଟର ଡୋଜ ଟିକାକରଣ ପ୍ରତିଶତ ଖୁବ୍‌ କମ୍‌ (୮%) ରହିଛି। ସେହିପରି ୬୦ ବର୍ଷ ଏବଂ ତଦୁର୍ଦ୍ଧ୍ବ ବୟସର ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହା ମାତ୍ର ୨୭% ରହିବା ଚିନ୍ତାର ବିଷୟ। ୧୮ ବର୍ଷରୁ ଅଧିକ ବୟସର ନାଗରିକମାନଙ୍କୁ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ବୁଷ୍ଟର ଡୋଜ୍‌ ଦେବା ଲାଗି ଭାରତ ସରକାର ଏକ ସ୍ୱତନ୍ତ୍ର ଅଭିଯାନ ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’ ଆରମ୍ଭ କରିଛନ୍ତି। ଏହି ଅଭିଯାନ ୧୫ ଜୁଲାଇ ଠାରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୫ ଦିନ ଧରି ଜାରି ରହିବ। ୧୮ ବର୍ଷରୁ ଅଧିକ ସବୁ ବ୍ୟକ୍ତି ଯେଉଁମାନେ ଦ୍ବିତୀୟ ଡୋଜ୍‌ ଟିକା ନେବାର ୬ ମାସ (୨୬ ସପ୍ତାହ) ପୂରଣ କରିସାରିଛନ୍ତି ସେମାନେ ବୁଷ୍ଟର ଡୋଜ୍‌ ନେବା ଲାଗି ଯୋଗ୍ୟ ହୋଇପାରିବେ।

୭୫ ଦିନିଆ ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’କୁ ଏକ ‘ଜନ ଅଭିଯାନ’ ଆକାରରେ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ନିବେଦନ କରାଯାଇଛି। ଏଥିପାଇଁ ବ୍ୟାପକ ଜନ ସଚେତନତା ଏବଂ ଶିବିର ଆୟୋଜନ ଆଭିମୁଖ୍ୟ ନେଇ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। ଉତ୍ତରାଖଣ୍ଡର ଚାରଧାମ ଯାତ୍ରା, ଜମ୍ମୁ କଶ୍ମୀର ଅମରନାଥ ଯାତ୍ରା, ଉତ୍ତର ଭାରତର ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ କାଉଁରିଆ ଯାତ୍ରା ସହିତ ସବୁ ବଡ଼ ମେଳା ଏବଂ ଜନସମାରୋହ ସ୍ଥଳୀରେ ବିଶେଷ ଟିକାକରଣ ଶିବିର ଆୟୋଜନ ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟାଳୟ ପରିସର (ସରକାରୀ ଏବଂ ଘରୋଇ), ଶିଳ୍ପ ପ୍ରତିଷ୍ଠାନ, ରେଳ ଷ୍ଟେସନ, ଆନ୍ତଃରାଜ୍ୟ ବସ୍‌ ଷ୍ଟାଣ୍ଡ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟସ୍ଥଳୀ ଟିକାକରଣ ଶିବିର ଆୟୋଜନ ଲାଗି ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କୁହାଯାଇଛି। ଏପରି ସବୁ ବିଶେଷ ଟିକାକରଣ ଶିବିରରେ କୋୱିନ ଜରିଆରେ ବାଧ୍ୟତାମୂଳକ ଭାବେ ଟିକାକରଣ କରାଯିବ ଏବଂ ଟିକାକରଣ ପ୍ରମାଣପତ୍ର ଯୋଗାଇ ଦିଆଯିବ।

ଏହି ଅଭିଯାନକୁ ସଫଳ କରିବା ଲାଗି ଜିଲ୍ଲା/ବ୍ଲକ/ସିଭିସି ସ୍ତରରେ ମହତ୍ବାକାଂକ୍ଷୀ ଟିକାକରଣ ଅଧିବେଶନ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସବୁ ଯୋଗ୍ୟ ଜନସଂଖ୍ୟାଙ୍କୁ ଯେପରି ବୁଷ୍ଟର ଡୋଜ୍‌ ଟିକା ଦିଆଯିବ ତାହା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦିଆଯାଇଛି। ଛାପା, ବୈଦ୍ୟୁତିକ, ସାମାଜିକ ଏବଂ ଅନ୍ୟ ଗଣମାଧ୍ୟମ ଜରିଆରେ ଏହି ଅଭିଯାନ ସମ୍ପର୍କରେ ଆଗୁଆ ବ୍ୟାପକ ସଚେନତା ସୃଷ୍ଟି କରିବା ଲାଗି ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କୁହାଯାଇଛି। ରାଜ୍ୟ ସ୍ତରରେ ଅଭିଯାନର ପ୍ରଗତି ସମ୍ପର୍କରେ ନିୟମିତ ସମୀକ୍ଷା କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ସଚିବମାନଙ୍କୁ ଅନୁରୋଧ କରାଯାଇଛି।

ଉପଲବ୍ଧ କୋଭିଡ ଟିକାର ଡୋଜ୍‌କୁ ଠିକ୍‌ ସମୟରେ ଉପଯୋଗ କରିବା ଲାଗି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଛି। କୌଣସି ସରକାରୀ କିମ୍ବା ଘରୋଇ କେନ୍ଦ୍ରରେ କୋଭିଡ ଟିକା ଯେପରି ନଷ୍ଟ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। କୋଭିଡ ଟିକା ଏକ ଗୁରୁତ୍ବପୂର୍ଣ୍ଣ ଜାତୀୟ ସମ୍ବଳ ହୋଇଥିବାରୁ ୭୫ ଦିନର ସ୍ୱତନ୍ତ୍ର ଅଭିଯାନ ପାଇଁ ଯୋଗ୍ୟ ଜନସଂଖ୍ୟା ସମୂହଙ୍କ ଟିକାକରଣ ଆବଶ୍ୟକତା ଆକଳନ କରିବା ସହିତ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ଲାଗି ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି।

ଏହାଫଳରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଆବଶ୍ୟକତା ଅନୁଯାୟୀ ଯଥେଷ୍ଟ ସଂଖ୍ୟାରେ କୋଭିଡ ଟିକାର ଡୋଜ୍‌ ଯୋଗାଇ ଦିଆଯାଇ ପାରିବ। ଏହି ଟିକାକରଣ ଅଭିଯାନରେ ପ୍ରଥମ ଏକ୍ସପାଏରୀ, ପ୍ରଥମ ଆଉଟ୍‌ ନୀତି କାର୍ଯ୍ୟକାରୀ କରାଯିବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱ ଏକାଦଶ ବିରୋଧରେ ଖେଳିବ ଟିମ୍ ଇଣ୍ଡିଆ, ପାକିସ୍ତାନର ଖେଳାଳିଙ୍କ ସାମିଲକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ପରେ ଅମୃତ ମହୋତ୍ସବ ଦେଶରେ ପାଳନ କରାଯାଉଛି। ଏହି ମ୍ୟାଚରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରିବାକୁ ସରକାର ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି। ଏହି ମ୍ୟାଚ୍ ଭାରତ ଏବଂ ବିଶ୍ୱ ଏକାଦଶ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଅଗଷ୍ଟ ୨୨ ତାରିଖରେ ଅନୁଷ୍ଠିତ ହୋଇପାରେ। ଏହି ମ୍ୟାଚ୍ ରେ, ଗୋଟିଏ ପାର୍ଶ୍ୱରେ ଆପଣଙ୍କ ଦେଶର ଏକ ଦଳ ଏବଂ ଅନ୍ୟ ପଟେ ବିଶ୍ଵର ଖେଳାଳୀ ଦଳ ଗଠନ ହେବ।

ଗଣମାଧ୍ୟମ ଅନୁଯାୟୀ ଏହି ପ୍ରସ୍ତାବ ବିସିସିଆଇକୁ ପଠାଯାଇଛି। ଏହି ପ୍ରସ୍ତାବରେ ମ୍ୟାଚ୍ ପ୍ରସ୍ତୁତି ସହିତ ଏହାର ସଂଗଠନ ବିଷୟରେ ବୋର୍ଡକୁ ଅନୁରୋଧ କରାଯାଇଛି। ଏହି ପ୍ରସ୍ତାବକୁ ସଂସ୍କୃତି ମନ୍ତ୍ରଣାଳୟ ପଠାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟିମ୍ ଇଣ୍ଡିଆ ଜିମ୍ବାୱେ ସହିତ ଅଗଷ୍ଟ ୧୮ ତାରିଖରୁ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ଦିନିକିଆ ସିରିଜ୍ ଖେଳିବ। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଖେଳାଳିମାନେ ଜିମ୍ବାୱେ ଗସ୍ତରେ ଯିବେ। ଏଭଳି ପରିସ୍ଥିତିରେ ଖେଳାଳିଙ୍କ ଉପଲବ୍ଧତା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହେବ। ଏଥି ସହିତ ପାକିସ୍ତାନର ଖେଳାଳିଙ୍କ ଉପରେ ସନ୍ଦେହ ରହିଛି। ପାକିସ୍ତାନୀ ଖେଳାଳିଙ୍କ ଉପଲବ୍ଧତା ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

ଭାରତ ଏକାଦଶ- ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱି.କି), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା, ଯୁଜବେନ୍ଦ୍ର ଚହଲ ଏବଂ ଭୁବନେଶ୍ୱର କୁମାର।

ବିଶ୍ୱ ଏକାଦଶ- ଡେଭିଡ ୱାର୍ନର, ଜୋସ ବଟଲର (ୱି.କି), କେନ ୱିଲିୟମସନ (ଅଧିନାୟକ), ଗ୍ଲେନ ମ୍ୟାକ୍ସୱେଲ, ଡେଭିଡ ମିଲର, ଲିଆମ ଲିଭିଙ୍ଗଷ୍ଟୋନ, ଶାକିବ ଅଲ ହାସନ, ଟ୍ରେଣ୍ଟ ବୋଲ୍ଟ, ପ୍ୟାଟ କମିନ୍ସ, କାଗିସୋ ରାବାଡା, ରସିଦ ଖାନ

Categories
ଆଜିର ଖବର ରାଜ୍ୟ ଖବର

ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ବାଇକ୍ ରାଲି

କନ୍ଦର୍ପ ବେହେରା
ରେଢାଖୋଲ: ସ୍ୱାଧୀନତାରେ ୭୫ ବର୍ଷ ପାଳନ ଉପଲକ୍ଷେ ଦେଶରେ ଅମୃତ ମହୋତ୍ସବର ଜାଗରଣ ସୃଷ୍ଟି କରିବା ନିମନ୍ତେ ରେଢାଖୋଲରେ ଏକ ବାଇକ୍ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ସର୍ବଭାରତୀୟ କ୍ରୀଡାଭାରତୀ ଆନୁକୁଲ୍ୟରେ କ୍ରିଡା ଶିକ୍ଷକ ନରେନ୍ଦ୍ର କୁମାର ଦେହୁରୀଙ୍କ ତତ୍ୱାବଧାନରେ ରେଢାଖୋଲ ଭୀମଭୋଇ ଛକଠାରୁ ଏକ ବାଇକ୍ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ବାଇକ୍ ରାଲିରେ କ୍ରିଡା ଶିକ୍ଷକ ପ୍ରକାଶ ଚନ୍ଦ୍ର ପଣ୍ଡା, ସୁକାନ୍ତ ପ୍ରଧାନ, ଜୀବନାନନ୍ଦ ବେହେରା, ରଞ୍ଜନ କୁମାର ସାହୁ, କୁମୁଦ ବନ୍ଧୁ ସାହୁ, ବିରେନ୍ଦ୍ର ବେହେରା, ଆଶିଷ କୁମାର ବିଶ୍ୱାଳ ଓ ବିଜ୍ଞାନ ଶିକ୍ଷକ ଦୁଃଖିଶ୍ୟାମ ପ୍ରଧାନ ପ୍ରମୁଖ ବାଇକ୍ ରାଲିରେ ବଇଣ୍ଡା ପର୍ଯ୍ୟନ୍ତ ଯାଇଥିଲେ। ଏହି ବାଇକ୍ ରାଲିକୁ ରେଢାଖୋଲ ଏନ୍‌ଏସିର ଅଧ୍ୟକ୍ଷ ଶିବରାମ ସାହୁ ଉଦ୍ଘାଟନ କରିଥିଲେ।

ସମ୍ବଲପୁରରୁ ଆସୁଥିବା ଅନ୍ୟଏକ ବାଇକ୍ ରାଲି ଦଳକୁ ରେଢାଖୋଲରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ବାଇକ୍ ରାଲିରେ ଯାଉଥିବା ବେଳେ ନିକଟସ୍ଥ ରାଜପଥ ରେ ଥିବା ସ୍ୱାଧୀନତା ସଂଗ୍ରାମୀ, ଶହୀଦ ମାନଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ସହ ସେମାନଙ୍କ ଦେଶ ପ୍ରତି ଥିବା ବଳିଦାନ ଓ ତ୍ୟାଗ ସଂପର୍କରେ ସ୍ମୃତିଚାରଣ କରାଯାଉଥିଲା।