Categories
ଜାତୀୟ ଖବର ବିଶେଷ ଖବର

ଦୁଇ ଦିନିଆ ଜନଜାତି ଅଭିମୁଖୀକରଣ କାର୍ଯ୍ୟକ୍ରମ ‘ଆଦି ବ୍ୟାଖ୍ୟାନ’ ଉଦ୍‌ଘାଟିତ

ନୂଆଦିଲ୍ଲୀ: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ନୂଆଦିଲ୍ଲୀରେ ଦୁଇ ଦିନିଆ ଜନଜାତି ଅଭିମୁଖୀ କାର୍ଯ୍ୟକ୍ରମ ‘ଆଦି ବ୍ୟାଖ୍ୟାନ’ କୁ ଉଦ୍‌ଘାଟନ କରିଛନ୍ତି । ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ (ଏନ୍‌ଟିଆରଆଇ) ପକ୍ଷରୁ ଜନଜାତି ପରମ୍ପରା ଓ ସଂସ୍କୃତିର ଜଟିଳତାକୁ ଗଭୀର ଭାବରେ ବୁଝିବା ଏବଂ ସେମାନଙ୍କ ଅସ୍ତିତ୍ୱ ପ୍ରତି ଥିବା ଆହ୍ୱାନ ଗୁଡ଼ିକୁ ଖୋଜି ବାହାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜନଜାତି ମାନଙ୍କ ପରିଚୟ ଏବଂ ଦେଶର ସାଂସ୍କୃତିକ ବିବିଧତା କ୍ଷେତ୍ରରେ ଜନଜାତି ମାନଙ୍କ ଅବଦାନକୁ ଖୋଜି ବାହାର କରିବା ପାଇଁ ଏହା ଏକ ପଦକ୍ଷେପ ।

ପଞ୍ଚାୟତ (ଅନୁସୂଚିତ ଅଞ୍ଚଳ ସମ୍ପ୍ରସାରଣ) (ପିଇଏସ୍‌ଏ) ଆଇନ, ୧୯୯୬, ଜଙ୍ଗଲ ଅଧିକାର ଆଇନ (ଏଫ୍‌ଆର୍‌ଏ), ୨୦୦୬, ଅନୁସୂଚିତ ଜାତି / ଜନଜାତି ଅତ୍ୟାଚାର ନିବାରଣ ଆଇନ, ୧୯୮୯ର ସୂକ୍ଷ୍ମତାକୁ ଉନ୍ମୋଚନ କରିବା ପାଇଁ ଆଦି ବ୍ୟାଖ୍ୟାନ ଜନଜାତି ସମ୍ପ୍ରଦାୟ ମାନଙ୍କୁ ଭାରତର ପରିସଂଖ୍ୟାନ ସୂଚନା ଏବଂ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ସହିତ ପରିଚିତ କରାଇବ । ଏହା ଜନଜାତି ଶାସନ ଏବଂ ଜମି ଅଧିକାରକୁ ଆକାର ଦେଉଥିବା ଆଇନଗତ ଢାଞ୍ଚା ବିଷୟରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିବ ଏବଂ ଜନଜାତି ଲୋକମାନେ ଏହାକୁ ଗଭୀର ଭାବେ ବୁଝିବା ପାଇଁ ମଞ୍ଚ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି । ଉଦଘାଟନୀ କାର୍ଯ୍ୟକ୍ରମରେ ୫ଟି ରାଜ୍ୟ (ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆସାମ) ର ମୁଣ୍ଡା ସମ୍ପ୍ରଦାୟର ପ୍ରତିନିଧିମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

ଉଦ୍‌ଘାଟନୀ ଭାଷଣ ଦେଇ ଶ୍ରୀ ଅର୍ଜୁନ ମୁଣ୍ଡା ଜନଜାତି ମାନଙ୍କ ପରିଚୟ, ସେମାନଙ୍କ ମାନ୍ୟତା ଓ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଜନଜାତି ପରିଚୟ ବଜାୟ ରଖିବା ପାଇଁ ଜନଜାତି ଭାଷା ଓ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଜନଜାତି ମାନଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ – ଜନମନ) ସମେତ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ପାଇଁ ସରକାରଙ୍କ ପ୍ରୟାସ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ ।

ଏଫଆରଏ, ୨୦୦୬ ; ପିଇଏସ୍‌ଏ, ୧୯୯୬; ଅନୁସୂଚିତ ଜାତି / ଜନଜାତି ଅତ୍ୟାଚାର ନିବାରଣ ଆଇନ, ୧୯୮୯  ଉପରେ ଆଲୋଚନାକୁ ଆଗକୁ ବଢାଇବା ପାଇଁ ଶ୍ରୀ ମୁଣ୍ଡା ଆଦି ମନ୍ଥନକୁ ପ୍ରଶଂସା କରିଥିଲେ; ଏବଂ ଜନଜାତି ସମ୍ପ୍ରଦାୟ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏନ୍‌ଟିଆରଆଇ ଭଳି ଗବେଷଣା ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଭାରତୀୟ ସମ୍ବିଧାନରେ ଜନଜାତି ମାନଙ୍କ ସମ୍ପର୍କିତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବାର ଆବଶ୍ୟକତା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜନଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ପୁନଃଦୃଷ୍ଟି ଦେବା ଓ ପୁନର୍ବିଚାର କରିବାର ଆବଶ୍ୟକତାକୁ ସେ ସ୍ୱୀକାର କରିଥିଲେ ।

ଏନ୍‌ଟିଆରଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ପ୍ରଫେସର ନୁପୁର ତିୱାରୀ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରି କହିଥିଲେ ଯେ ଭାରତରେ ଜନଜାତି ସମ୍ପ୍ରଦାୟ ମାନଙ୍କ ସହ ଆଲୋଚନା ଏବଂ ଯୋଗାଯୋଗକୁ ଉତ୍ସାହିତ କରିବା ପାଇଁ ଆଦି ବ୍ୟାଖ୍ୟାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ମୁଣ୍ଡା ସମାଜର ସଭାପତି ଏତୱା ମୁଣ୍ଡା କହିଛନ୍ତି ଯେ ଏଭଳି ଆଲୋଚନାଚକ୍ର ଆଦିବାସୀଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣରେ ସହାୟକ ହେବା ସହ ଭବିଷ୍ୟତ ପିଢ଼ିକୁ ମାର୍ଗଦର୍ଶନ କରିବାରେ ସହାୟକ ହେବ । ଭାରତ ମୁଣ୍ଡା ସମାଜର ଉପସଭାପତି ଶ୍ରୀମତୀ ରୂପଲକ୍ଷ୍ମୀ ମୁଣ୍ଡା ଜନଜାତି ସମାଜରେ ନାରୀ ପ୍ରଗତି ଓ ସେମାନଙ୍କ ଆହ୍ୱାନ ଉପରେ ଆଲୋକପାତ କରିଥିଲେ । ତାଙ୍କ ମତରେ ଆଦିବ୍ୟାଖ୍ୟାନ ଆଲୋଚନା ଜନଜାତି ମହିଳାଙ୍କ ମୁକ୍ତି ପାଇଁ ଏକ ମଞ୍ଚ ଭାବେ କାମ କରିପାରେ ।

ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଓଟିଏ) ଅଧୀନରେ ଆଦିବାସୀ ବିକାଶର ସର୍ବୋତ୍ତମ ଅଭ୍ୟାସ ପ୍ରଦର୍ଶନ କରାଯିବ । ଏହାବ୍ୟତୀତ କଳା ନିଧି ଏବଂ ଏନ୍‌ଟିଆରଆଇ ନେତୃତ୍ୱାଧୀନ ଜନଜାତି ସଂଗ୍ରହାଳୟ ପରିଦର୍ଶନ ଆମ ଜନଜାତି ଐତିହ୍ୟର ସାଂସ୍କୃତିକ ସମୃଦ୍ଧିର ଏକ ମୂଲ୍ୟବାନ ଝଲକ ପ୍ରଦାନ କରିବ ।

Categories
ଆଜିର ଖବର ଜାତୀୟ ଖବର

ଅର୍ଜୁନ ମୁଣ୍ଡାଙ୍କୁ ମିଳିଲା କୃଷି ମନ୍ତ୍ରଣାଳୟର ଦାୟିତ୍ୱ, ରାଜୀବ ଚନ୍ଦ୍ରଶେଖର ପାଇଲେ ଏହି ବିଭାଗ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ପ୍ରହ୍ଲାଦ ସିଂ ପଟେଲ ଏବଂ ରେଣୁକା ସିଂ ସରୁତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ବର୍ତ୍ତମାନ ନରେନ୍ଦ୍ର ସିଂ ତୋମରଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ରାଜ୍ୟ ମନ୍ତ୍ରୀର ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି। ଜଳ ଶକ୍ତି ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଅତିରିକ୍ତ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାରଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ଅର୍ଜୁନ ମୁଣ୍ଡା ପୂର୍ବରୁ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବାବେଳେ ଶୋଭା କରନ୍ଦଲାଜେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅଟନ୍ତି। ଏହା ବ୍ୟତୀତ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଅଟନ୍ତି। ଏହା ବ୍ୟତୀତ ଭାରତ ପ୍ରବୀଣ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ରାଜ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଛନ୍ତି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଆୟୁଷ କ୍ଷେତ୍ରରେ ସହଯୋଗ ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ: ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ଆଜି 7ମ ଆୟୁର୍ବେଦ ଦିବସ ମହା ସମାରୋହରେ ଆୟୋଜନ କରାଯାଇଛି। ଚଳିତ ବର୍ଷର 7ମ ଆୟୁର୍ବେଦ ଦିବସ ‘‘ପ୍ରତି ଦିନ ପ୍ରତି ଘରେ ଆୟୁର୍ବେଦ’’ ର ଥିମ ସହିତ ଆୟୋଜନ କରାଯାଇଛି ଯଦ୍ବାରା ଆୟୁର୍ବେଦର ଲାଭକୁ ବ୍ୟାପକ ଓ ତୃଣମୂଳ ସ୍ତରର ଗୋଷ୍ଠୀଙ୍କ ମଧ୍ୟରେ ସଂପ୍ରସାରିତ କରାଯାଇ ପାରିବ। ଛଅ ସପ୍ତାହ ବ୍ୟାପି ଚାଲୁଥିବା ଏହି ସମାରୋହରେ ସାରା ଦେଶରୁ ବ୍ୟାପକ ଅଂଶଗ୍ରହଣ ଦେଖା ଯାଇଛି। ଭାରତ ସରକାରଙ୍କ  26 ରୁ ଅଧିକ ମନ୍ତ୍ରଣାଳୟ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ମିଶନ ତଥା ଦୂତାବାସର ସହଯୋଗ ଦ୍ବାରା ଆୟୁଷ ମନ୍ତ୍ରଣାଳୟରର ସଂସ୍ଥାନ/ ପରିଷଦ ଦ୍ବାରା 5000 ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

କାର୍ଯ୍ୟକ୍ରମରେ ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱଲ୍‌, ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି, ଆୟୁଷ ରାଷ୍ଟ୍ର ମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ର ଭାଇ କାଲୁଭାଇ; ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଅନିଲ କୁମାର ଝା, ଆୟୁଷ ମନ୍ତ୍ରଣାଳୟର ବିଶେଷ ସଚିବ ପ୍ରମୋଦ କୁମାର ପାଠକ ଏବଂ ଏଆଇଆଇଏର ନିର୍ଦ୍ଦେଶକ ପ୍ରଫେସର ତନୁଜା ମନୋଜ ନେସାରିଙ୍କ  ସହିତ ବିଦେଶୀ ଦୂତାବାସ ଏବଂ ଡବ୍ଲୁଏଚଓ-ଏସଇଏଆରଓ ର ପ୍ରତିନିଧିମାନେ ମଧ୍ୟ ସାମିଲ୍ ହୋଇଥିଲେ।

ଉପରୋକ୍ତ ଜନସାଧାରଣଙ୍କୁ ସମ୍ବୋଧିତ କରି ସର୍ବାନନ୍ଦ ସୋନେୱାଲ୍ କହିଛନ୍ତି ଯେ ଆୟୁର୍ବେଦ ଏକ ରୋଗ ନିବାରଣ ବିଜ୍ଞାନ ଅଟେ। ଏହା ଏକ ପ୍ରାଚୀନ ଜ୍ଞାନ ଅଟେ ଏବଂ ଆମର ଗବେଷଣା ପରିଷଧ ଆୟୁଷ କ୍ଷେତ୍ରରେ କିଛି ପ୍ରଭାବଶାଳୀ ଗବେଷଣା କାର୍ଯ୍ୟ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତି ଦିନ ପ୍ରତି ଘରେ ଆୟୁର୍ବେଦ କ୍ୟାମ୍ପିଂର ଉଦ୍ଦେଶ୍ୟ ଆୟୁର୍ବେଦ ଏବଂ ଏହାର କ୍ଷମତାକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ଅଟେ। ଆୟୁର୍ବେଦ ଏବେ ବିଶ୍ବ ସ୍ତରରେ ପ୍ରସିଦ୍ଧ ହୋଇଛି ଏବଂ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ଏବଂ କଠିନ ପରିଶ୍ରମ କାରଣରୁ ହୋଇପାରିଛି।

ଅର୍ଜୁନ ମୁଣ୍ଡା ଏହି ଅବସରରେ କହିଛନ୍ତି ଯେ, ‘‘ଆୟୁର୍ବେଦ ଭାରତର ପ୍ରାଚୀନ ପରମ୍ପରା ଏବଂ ସମ୍ପଦ ଅଟେ। ଜଙ୍ଗଲରେ ରହୁଥିବା ଲୋକମାନଙ୍କ ସହଯୋଗ ଦ୍ବାରା ଆୟୁର୍ବେଦର ବିକାଶ କରାଯାଇପାରିବ। ଆୟୁର୍ବେଦ ହିଁ ଏପରି ଏକ ଚିକିତ୍ସା ବିଜ୍ଞାନ ଯାହା ରୋଗର ପ୍ରତିକାର ବିଷୟରେ କହିଥାଏ, ରୋଗ ହେବା ପରେ ଏହାର ଚିକିତ୍ସା ବିଷୟରେ ନୁହେଁ।

ଡା. ମୁଞ୍ଜପରା ମହେନ୍ଦ୍ର ଭାଇ କାଲୁଭାଇ କହିଛନ୍ତି ଯେ ଆୟୁଷ ମନ୍ତ୍ରଣାଳୟ ଦେଶରେ ସ୍ବାସ୍ଥ୍ୟର ଆୟୁଷ ପ୍ରଣାଳୀକୁ ଗତି ପ୍ରଦାନ କରିଛି ଏବଂ ଏବେ ଆୟୁର୍ବେଦକୁ 30 ଟି ଦେଶରେ ସ୍ବୀକୃତି ମିଳିସାରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆୟୁଷର ବର୍ତ୍ତମାନ ଟର୍ଣ୍ଣଓଭର 18.1 ବିଲିୟନ ଡଲାର ଅଟେ।

ମୀନାକ୍ଷି ଲେଖି କହିଛନ୍ତି ଯେ, ‘‘ଏହା ଆମର ପୂର୍ବପୁରୁଷଙ୍କ ବିଜ୍ଞାନର ପ୍ରଶଂସା କରିବାର ସମୟ ଅଟେ। 5000 ବର୍ଷ ରୁ ଅଧିକ ପୁରୁଣା ଏହି ବିଜ୍ଞାନର ସମାରୋହ, ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ତଦାରଖରେ ଆୟୁର୍ବେଦ ଦିବସର ଅବସରରେ ପାଳନ କରାଯାଉଛି। ସେମାନେ ସର୍ବଦା ଆୟୁର୍ବେଦ ବିଜ୍ଞାନକୁ ପ୍ରୋତ୍ସାହନ ଦେଇଛନ୍ତି ଏବଂ ଗତ କିଛି ବର୍ଷ ଧରି ଏହା ଶୀର୍ଷରେ ପହଞ୍ଚି ସାରିଛି।

ପ୍ରଫେସର ତନୁଜା ନୋସାରି କହିଛନ୍ତି ଯେ ‘‘ଆଇ ସପୋର୍ଟ ଆୟୁର୍ବେଦ’’ ଅଭିଯାନକୁ ସମସ୍ତଙ୍କ ଠାରୁ ଅସୀମ ସମର୍ଥନ ମିଳିଛି ଏବଂ 6 ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିଥିବା ଏହି ଦୀର୍ଘଅବଧି କାର୍ଯ୍ୟକ୍ରମରେ ଆୟୁର୍ବେଦ ଦିବସରେ ଆଧାରିତ ବିଭିନ୍ନ ସଂସ୍ଥା ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ 1.7 କୋଟିରୁ ଅଧିକ ଲୋକମାନେ ଅଂଶଗ୍ରହଣ କରିଛନ୍ତି ଏବଂ 56 ଲକ୍ଷରୁ ଅଧିକ ଲୋକ ସାମିଲ୍ ହୋଇଛନ୍ତି।

ଆୟୁଷ ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି ଯାହା ସହାୟତାରେ ଉଭୟ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ, ସମନ୍ବୟ ଏବଂ ସଂଯୋଜନା କ୍ଷେତ୍ରକୁ ଅନୁସନ୍ଧାନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ରାଜିନାମା ସ୍ବାକ୍ଷର କରାଯାଇଛି।

ଏହି ଅବସରରେ ‘ଦି ଆୟୁର୍ବେଦିକ ଫାର୍ମାକୋପିଆ ଅଫ ଇଣ୍ଡିଆ’, ‘ଦି ଆୟୁର୍ବେଦିକ ଫର୍ମୁଲାରି ଅଫ୍ ଇଣ୍ଡିଆ’ ଉପରେ ଏକ ପୁସ୍ତକର ବିମୋଚନ କରାଯାଇଛି। ଔଷଧୀୟ ବୃକ୍ଷର ସ୍ବାସ୍ଥ୍ୟ ଲାଭ ବିଷୟରେ ସଚେତନତା ସୃଜନ କରିବା ପାଇଁ, ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଅଶ୍ବଗନ୍ଧା – ଏକ ସ୍ବାସ୍ଥ୍ୟ ପ୍ରବର୍ତ୍ତକ ଉପରେ ଏକ ପ୍ରଜାତି ବିଶିଷ୍ଟ ଜାତୀୟ ଅଭିଯାନର ଶୁଭାରମ୍ଭ କରାଯାଇଛି। ପାଞ୍ଚ ଲଘୁ ଭିଡିଓ ପ୍ରତିଯୋଗୀତାର ପ୍ରଥମ ପୁରସ୍କାର ବିଜେତାମାନଙ୍କୁ କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ଦ୍ବାରା ସମ୍ମାନିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଜନଜାତି କ୍ଷେତ୍ରର ଉନ୍ନତିକରଣ ପାଇଁ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର: ଖୁବଶୀଘ୍ର ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା କାର୍ଯ୍ୟକାରୀ କରାଯିବ। ଏହା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ୪୧ଟି ମନ୍ତ୍ରଣାଳୟ ଓ ବିଭାଗର ବିଭିନ୍ନ ଯୋଜନାକୁ ସମନ୍ବିତ ଢଙ୍ଗରେ କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା ଜନଜାତି କ୍ଷେତ୍ରର ଉନ୍ନତିକରଣ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା।

କେନ୍ଦ୍ର ମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଜିଲ୍ଲାର ନଙ୍ଗଲବାହାଲି ବିକାଶନଗର ଠାରେ କୁଟିଆ କନ୍ଧ ଜନଜାତିର ଲୋକଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ମତ ବିନିମୟ କରିଥିଲେ। ଏଠାରେ ୮ଟି ପରିବାରର ୬୪ ଜଣ ଲୋକ ରହୁଛନ୍ତି। ପାହାଡ଼ ଉପରୁ ଅଣାଯାଇ ଏ ପରିବାରମାନଙ୍କୁ ଏଠାରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସେମାନଙ୍କୁ ଘର ଯୋଗାଇ ଦିଆଯାଇଛି, ସ୍ବଚ୍ଛ ଭାରତ ମିଶନ ଅଧୀନରେ ସେଠାରେ ଶୌଚାଳୟ ନିର୍ମାଣ କରାଯାଇଛି। ମନରେଗା ଯୋଜନା ମାଧ୍ୟମରେ ସେମାନଙ୍କର ରୋଜଗାର ସୁନିଶ୍ଚିତ ହୋଇଛି। ମନରେଗା ଏବଂ ସିଏଫସି ଅଧୀନରେ ସଡ଼କ ନିର୍ମାଣ କରାଯାଉଛି।

ଅନ୍ୟପକ୍ଷରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ତହସିଲ ଅନ୍ତର୍ଗତ ତଙ୍ଗନକାନା ଗ୍ରାମରେ କାର୍ଯ୍ୟ କରୁଥିବା କୁଟିଆ କନ୍ଧ ଜନଜାତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଭେଟିଥିଲେ। ଏ ମହିଳାମାନେ ଲେମନ୍‌ ଗ୍ରାସ ଚାଷ କରୁଛନ୍ତି। ଏଥିସହିତ ସେମାନେ ଏକ ଲେମନ ଗ୍ରାସ ପ୍ଲାଣ୍ଟ ପରିଚାଳନା କରୁଛନ୍ତି ତଥା ଏହାର ମାର୍କେଟିଂ ଓ ବିକ୍ରି କରୁଛନ୍ତି। କୁଟିଆ କନ୍ଧ ଜନଜାତିର ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ି ହୋଇ ସ୍ବାଭିମାନର ସହ ଟଙ୍କା ରୋଜଗାର କରୁଥିବା ଦେଖି କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମୁଣ୍ଡା କଳାହାଣ୍ଡି ଜିଲ୍ଲାର ଭଟଙ୍ଗପଦର ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟରେ ରହିଥିବା ଶିକ୍ଷା ସମ୍ବନ୍ଧୀୟ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏଠାରେ ପଢ଼ୁଥିବା ୪୦୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ୩୩୦ ଜଣ ଜନଜାତି ବର୍ଗର ଛାତ୍ରଛାତ୍ରୀ ରହିଛନ୍ତି। ଏ ସମ୍ପର୍କରେ ଜାଣି କେନ୍ଦ୍ର ମନ୍ତ୍ରୀ ଖୁସି ହୋଇଥିଲେ।

ଦୁଇ ଦିନିଆ କଳହାଣ୍ଡି ଗସ୍ତ ଅବସରରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହିତ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସମନ୍ବୟ ଆଣିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ବିଶେଷ କରି ସେ ବିଭାଗୀୟ ସମନ୍ବୟ ଉପରେ ଜୋର ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକ ସୀମିତ ନୁହେଁ ବରଂ ବ୍ୟାପକ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେବା ଆବଶ୍ୟକ। ଗ୍ରାମାଞ୍ଚଳରେ ରହିଥିବା ମୌଳିକ ସୁବିଧା ସୁଯୋଗ ଅନୁଧ୍ୟାନ କରିବା ସହିତ ସେସବୁ ଦୂର କରିବା ଲାଗି ଅଧିକ ସମର୍ପିତ ହୋଇ କାମ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ।

କଳାହାଣ୍ଡି ଜିଲ୍ଲା ଗସ୍ତ ପରେ କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏବଂ ବିଶେଷ କରି ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭାରତ ୧୪୦ଟି ଦେଶକୁ ମାଗଣା କରୋନା ଟିକା ଯୋଗାଇ ଦେଇଛି। ଏହା ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ଏକ ନୂଆ ପ୍ରଶାସନିକ ବ୍ୟବସ୍ଥା ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ପଛୁଆ ଅଞ୍ଚଳରେ ଥିବା ଅଭାବ ଅସୁବିଧା ଦୂର କରାଯାଇପାରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସ୍ବାସ୍ଥ୍ୟ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାରେ ଅନେକ ଉନ୍ନତି ଆସିପାରିଛି। ଏଥିପାଇଁ ନୀତି ଆୟୋଗଙ୍କ ପକ୍ଷରୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ଆଇଟିଡିଏ ମାଧ୍ୟମରେ ଜନଜାତି କ୍ଷେତ୍ରର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଡିଜିଟାଲ ପ୍ରଶାସନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ସବୁ ଯୋଜନାର ସହାୟତା ସିଧାସଳଖ ଭାରତର ଗ୍ରାମାଞ୍ଚଳରେ ପହଞ୍ଚାଇବା ଲାଗି ପ୍ରୟାସ ଜାରି ରହିଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ। ଭାରତ ସରକାର ଟ୍ରାଇଫେଡ୍‌ ମାଧ୍ୟମରେ ବନ୍ୟଜାତ ଉତ୍ପାଦର ବିକ୍ରିବଟା, ମାର୍କେଟ ଲିଙ୍କେଜ ଓ ପ୍ରୋତ୍ସାହନ ପାଇଁ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଥିଲେ। ବିଶେଷ କରି ବନ୍ୟଜାତ ଉତ୍ପାଦର ଜିଓ ଟ୍ୟାଗିଂ ଉପରେ ଗୁରୁତ୍ବାରୋପ କରାଯାଉଛି। ଖୁବଶୀଘ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଏକ ଟିମ୍‌ କଳାହାଣ୍ଡି ସମେତ ରାଜ୍ୟର ବିଭିନ୍ନ ଜନଜାତି ବହୁଳ ଜିଲ୍ଲା ଗସ୍ତ କରିବ। ସେଠାରେ ଜିଲ୍ଲା ପ୍ରଶାସନ ସହ ସମନ୍ବୟ ସ୍ଥାପନ କରି ବନ୍ୟଜାତ ଉତ୍ପାଦଗୁଡ଼ିକ ବିପଣନ ପାଇଁ ବ୍ୟବସ୍ଥା କରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପତଞ୍ଜଳି ସହିତ ଅର୍ଜୁନ ମୁଣ୍ଡାଙ୍କର ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ

ଦିଲ୍ଲୀ: କେନ୍ଦ୍ର ଆଦିବାସୀ/ ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଗତକାଲି ପତଞ୍ଜଳି ଯୋଗପୀଠର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଏବଂ ସହ – ପ୍ରତିଷ୍ଠାତା ଆଚାର୍ଯ୍ୟ ବାଳକ୍ରିଷ୍ଣା ଏବଂ ତାଙ୍କ ଦଳ ସହିତ ଶାସ୍ତ୍ରୀ ଭବନରେ ଏକ ବୈଠକ କରି ଆଦିବାସୀ  ବ୍ୟାପାର ମନ୍ତ୍ରଣାଳୟ ଏବଂ ପତଞ୍ଜଳି ମଧ୍ୟରେ କଲ୍ୟାଣ ଏବଂ ବିକାଶ ନିମନ୍ତେ ହୋଇଥିବା ଭାଗଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ପତଞ୍ଜଳି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସହଭାଗୀତାରେ ମନ୍ତ୍ରଣାଳୟର ଆର୍ଥିକ ସହାୟତା ପାଇଁ ସେଂଟର ଅଫ୍ ଏକ୍ସଲେନ୍ସ (ସିଓଇ) ଅଧୀନରେ ଭାଗୀଦାର ହୋଇଛି ।

ଏହି ବୈଠକରେ ପତଞ୍ଜଳି ଦ୍ୱାରା ପରିଚାଳିତ ପ୍ରକଳ୍ପର ଅଗ୍ରଗତି ରିପୋର୍ଟ, ଜନଜାତି ମାନଙ୍କ ଉପରେ ଗବେଷଣା ଏବଂ ସେମାନଙ୍କର କଲ୍ୟାଣ ସହିତ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଗଭୀର ଭାବରେ ଆଲୋଚନା କରା ଯାଇଥିଲା ।

ଏହି ଅବସରରେ କେନ୍ଦ୍ର ଜନଜାତି/ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ପତଞ୍ଜଳି ଦଳ ବୈଠକରେ ସୂଚନା ଦେଇଛନ୍ତି ଯେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପ୍ରକଳ୍ପର ଏକ ଅଂଶ ଭାବରେ ସେମାନେ ଉତରାଖଣ୍ଡର ଆଦିବାସୀ ଅଂଚଳରେ ମିଳୁଥିବା ଔଷଧୀୟ  ଉଦ୍ଭିଦ ଗୁଡିକର ସତ୍ୟତା ସହିତ ଡକ୍ୟୁମେଂଟ (ତଥ୍ୟ ପ୍ରସ୍ତୁତି) କରିବା ପାଇଁ ବ୍ୟାପକ ସର୍ଭେ କରିଛନ୍ତି । ପାରମ୍ପରିକ ଆଦିବାସୀ ପେଶାଦାରମାନେ ଭଲ ଅଭ୍ୟାସ ଅନୁସରଣ କରି ଅଧିକ ବୃତିଗତ ଢଙ୍ଗରେ ଯେପରି ଉଦ୍ଭିଦ ଜାତୀୟ ଔଷଧ ଅଭ୍ୟାସ କରିପାରିବେ ସେଥିପାଇଁ ସର୍ଭେ କରାଯାଇଥିବା ଅଂଚଳରେ ସେମାନେ ଦକ୍ଷତା ବିକାଶ କାର୍ଯ୍ୟ ମଧ୍ୟ କରୁଛନ୍ତି ବୋଲି ଦଳ ସୂଚନା ଦେଇଥିଲା । ଏହା ଦ୍ୱାରା ଉଭୟ ପକ୍ଷରେ ଜ୍ଞାନର ବଂଟନ ହୋଇଛି ଏବଂ ମନ୍ତ୍ରଣାଳୟର ନିର୍ଦ୍ଦିଷ୍ଟ ପ୍ରକଳ୍ପ ଅନୁଯାୟୀ ଡକ୍ୟୁମେଂଟେସନ୍ (ନଥୀକରଣ) ପାଇଁ ମୂଲ୍ୟବାନ ସୂଚନା ମିଳିଛି । ବର୍ତମାନ ପର୍ଯ୍ୟନ୍ତ, ପତଞ୍ଜଳିର ୬୫,୦୦୦ ଉଦ୍ଭିଦକୁ ଡକ୍ୟୁମେଂଟ (ନଥୀକରଣ) କରିବାର ଅଭିଜ୍ଞତା ରହିଛି ଏବଂ ସମୁଦାୟ ୨୦୦ଟି ଜନଜାତି ସମ୍ପ୍ରଦାୟ ସହିତ କାର୍ଯ୍ୟ ସେମାନେ କରିଛନ୍ତି ।

ଏହି ବୈଠକରେ ଆଦିବାସୀ ଗ୍ରାମ ଗୁଡିକର ସାମଗ୍ରିକ ବିକାଶ, ଆଦିବାସୀ ପିଲାମାନଙ୍କ ପାଇଁ ଶିକ୍ଷାର ଉନ୍ନତି ଏବଂ ଜୀବିକା ସୃଷ୍ଟି କରିବା ନିମନ୍ତେ ଶ୍ରୀ ଆଚାର୍ଯ୍ୟ ବାଳକ୍ରିଷ୍ଣା ନିଜର ପରାମର୍ଶ ଉପସ୍ଥାପନ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ପତଞ୍ଜଳି ଦେଶର ସେବା କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ପତଞ୍ଜଳିରେ କରା ଯାଇଥିବା ଅନୁସନ୍ଧାନ କାର୍ଯ୍ୟକୁ ଆଦିବାସୀ ଅଂଚଳର ବିକାଶରେ ବ୍ୟବହାର କରା ଯାଇପାରିବ ।  ସେ ସେମାନଙ୍କ ଦ୍ୱାରା ବିକଶିତ ଡିଜିଟାଲ୍ ପ୍ଲାଟଫର୍ମ (ମଂଚ) ଗୁଡିକର ବିସ୍ତୃତ ବିବରଣୀ ମଧ୍ୟ ଦେଇଥିଲେ, ଯାହା ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଲାଭଦାୟକ ହୋଇପାରେ । ଏହି ଅବସରରେ ଆଚାର୍ଯ୍ୟ ବାଳକ୍ରିଷ୍ଣା ଅର୍ଜୁନ ମୁଣ୍ଡାଙ୍କୁ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟ ଯୋଜନା ଉପରେ ରିପୋର୍ଟ ଏବଂ ଏକ ପୁସ୍ତକ ପ୍ରଦାନ କରିଥିଲେ ।

ଅର୍ଜୁନ ମୁଣ୍ଡା କହିଥିଲେ ଯେ, ଆଦିବାସୀ ଅଂଚଳରେ ପତଞ୍ଜଳି ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଭାବରେ କରା ଯାଇଥିବା ଏହିଭଳି କାର୍ଯ୍ୟ ପ୍ରକୃତରେ ପ୍ରଶଂସନୀୟ । ପତଞ୍ଜଳିର ପରାମର୍ଶ ଉପରେ ଗମ୍ଭୀର ଭାବରେ ଆଲୋଚନା କରିବାର ଆବଶ୍ୟକତା ରହିଛି,  ଯାହା ପାଇଁ ଏକ ସମୟସୀମା ମଧ୍ୟରେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଏକ କମିଟି ଗଠନ କରାଯିବ ବୋଲି ସେ କହିଥିଲେ । ସାରା ଦେଶର ଜନଜାତି ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟ ଏଥିରେ ଜଡିତ ହେବେ । ଅଧିକନ୍ତୁ, ଶ୍ରୀ ମୁଣ୍ଡା କହିଥିଲେ ଯେ ଆଦିବାସୀ ସମ୍ପ୍ରଦାୟ, ଆଦିବାସୀ ସଂସ୍କୃତି, ଆଦିବାସୀ ଜ୍ଞାନ ଏବଂ ପରମ୍ପରା ସମ୍ବନ୍ଧୀୟ ଜ୍ଞାନ ଆଧାରକୁ ବିସ୍ତାର କରିବା ପାଇଁ ଜନଜାତି ଅନୁସନ୍ଧାନ ପ୍ରତିଷ୍ଠାନ ଗୁଡିକ ମଧ୍ୟ ସେମାନଙ୍କ ଆଭିମୁଖ୍ୟ ମଧ୍ୟରେ ଆଦିବାସୀ  ଅଧ୍ୟୟନକୁ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଶ୍ରୀ ଅର୍ଜୁୁନ ମୁଣ୍ଡା କହିଥିଲେ ଯେ, ଔଷଧୀୟ ଯୋଜନାକୁ ବୃଦ୍ଧି କରିବା         ଏବଂ ହର୍ବାଲ୍ ଔଷଧ ପ୍ରସ୍ତୁତ କରିବାର ଅଭ୍ୟାସକୁ ବିଶେଷ କରି ଔଷଧୀୟ ଉଦ୍ଭିଦ ଗୁଡିକରେ ଥିବା ଆଦିବାସୀ ଅଂଚଳରେ ଜୀବିକା ନିର୍ବାହର ରୂପ ଦିଆଯିବା ଉଚିତ୍ ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ଯେ, ଆଦିବାସୀ ମାନଙ୍କ ମଧ୍ୟରେ ଏକ ସଚେତନତା ଅଭିଯାନ ଚଳାଇବା ଆବଶ୍ୟକ, ଯାହା ଦ୍ୱାରା ଆଦିବାସୀ ମାନେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କଲ୍ୟାଣମୂଳକ ଯୋଜନା ଗୁଡିକର ଫାଇଦା ଉଠେଇ ପାରିବେ ।

Categories
ଆଜିର ଖବର ବିଶେଷ ଖବର

ଜନଜାତି ପଂଚାୟତ ପ୍ରତିନିଧିଙ୍କ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଭୁବନେଶ୍ବର, ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜନଜାତି ବର୍ଗର ପଂଚାୟତିରାଜ ସଂସ୍ଥାନଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଏକ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଗୁରୁବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ଏଥିସହିତ “୧୦୦୦ ଜଳ ଉତ୍ସ କାର୍ଯ୍ୟକ୍ରମ” ଏବଂ ଏକ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହା ହେଉଛି ପ୍ରାକୃତିକ ଝର ତଥା ଜଳଉତ୍ସ ଗୁଡ଼ିକର ଜଳୀୟ ଓ ରାସାୟନିକଗୁଣ ଦର୍ଶାଉଥିବା ଏକ ଜିଆଇଏସ ଆଧାରିତ ମାନଚିତ୍ରର ଅନଲାଇନ ପୋର୍ଟାଲ।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂସରୁତା ଉପସ୍ଥିତ ଥିଲେ ।

ଏହି ଅବସରରେ ଓଡ଼ିଶାରେ ଜଙ୍ଗଲ ଅଧିକାର ଆଇନ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ମାନଚିତ୍ର ମଧ୍ୟ ଉନ୍ମୋଚନ କରାଯାଇଥିଲା। ଉଦଘାଟନୀ ଅଧିବେଶନ ପରେ ଏକ ବୈଷୟିକ ଅଧିବେଶନ ଆୟୋଜନ କରାଯାଇଥିଲା ଯେଉଁଥିରେ ଜନଜାତି ବିକାଶ ନମୁନା, ଜନଜାତି ଜମି ହସ୍ତାନ୍ତରଣ, ବନ ଧନ ବିକାଶ କେନ୍ଦ୍ର ଏବଂ ଜନଜାତିବିକାଶ ନବୋନ୍ମେଷ ସାମିଲ ଥିଲା ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମନ୍ତ୍ରୀ ମୁଣ୍ଡା କହିଥିଲେ ଯେ “୧୦୦୦ ଜଳ ଉତ୍ସ କାର୍ଯ୍ୟକ୍ରମ”ର ଉଦ୍ଦେଶ୍ୟ ହେଉଛି ଦେଶର ଉପାନ୍ତ ଏବଂ ଅପହଁଚ ଇଲାକାରେ ରହୁଥିବା ଜନଜାତି ସମୁଦାୟର ଲୋକମାନଙ୍କ ନିକଟରେ ସ୍ୱଚ୍ଛ ଜଳ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଇବା। ପ୍ରାକୃତିକ ଜଳଉତ୍ସକୁ ଯୋଡ଼ି ଜଳ ସଂକଟର ସମାଧାନ କରିବା ଲାଗିଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଭିତିଭୂମି ସୁବିଧା, ଚାଷଜମିକୁ ଜଳସେଚନ ସୁବିଧା, ଗୋଷ୍ଠୀ ସହଭାଗିତା ଜରିଆରେ ସାମୁଦାୟିକ ସ୍ୱଚ୍ଛତା କାର୍ଯ୍ୟକ୍ରମ, ଜନଜାତି ଲୋକମାନଙ୍କୁ ଜୀବନଜୀବିକା ଉପଲବ୍ଧ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

ସେ କହିଥିଲେ ଯେ ଜିଆଇଏସ ଆଧାରିତ ମାନଚିତ୍ରର ଅନଲାଇନ ପୋର୍ଟାଲ ଜରିଆରେ ସମସ୍ତ ତଥ୍ୟ ଅନଲାଇନ ପ୍ଲାଟଫର୍ମରେ ମିଳିପାରିବ।ବର୍ତମାନସୁଦ୍ଧା ୧୭୦ଟି ପ୍ରାକୃତିକ ଜଳ ଉତ୍ସର ତଥ୍ୟ ସ୍ପ୍ରିଙ୍ଗ ଆଟଲାସରେ ଅପଲୋଡ କରାଯାଇ ସାରିଲାଣି । ଏହି ଯୋଜନା ଅଧୀନରେ ଓଡ଼ିଶାର ତିନୋଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ ଓ ଗଜପତିର ୭୦ଜଣ ଜନଜାତି ଯୁବକଙ୍କୁ ତାଲିମ ଦିଆଯାଇଛି। ଏମାନଙ୍କୁ ସ୍ଥାନୀୟ ଜଳ ବିଜ୍ଞାନୀ ଭାବେ ପାରମ୍ପରିକ ଓ ବୈଜ୍ଞାନିକ ଜ୍ଞାନ ସହିତ ପ୍ରାକୃତିକ ଜଳଉତ୍ସ ଚିହ୍ନଟ,ମାନଚିତ୍ରଣ ଓ ସେଗୁଡ଼ିକର ପୁନରୁଦ୍ଧାର ଓ ସୁରକ୍ଷା ଲାଗି ପ୍ରଶିକ୍ଷଣ ଦିଆଯାଇଛି।

ଅନ୍ୟପକ୍ଷରେ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ମୁଣ୍ଡା କହିଥିଲେ ଯେ ସ୍ଥାନୀୟ ପ୍ରଶାସନ ସ୍ତରରେ ପଂଚାୟତିରାଜ ପ୍ରତିନିଧିମାନଙ୍କର ନିଷ୍ପତି ନେବାର କ୍ଷମତା ବୃଦ୍ଧି କରି ସେମାନଙ୍କୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମରେ ଜନଜାତିଙ୍କ ବିକାଶ ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ସମେତ ସେମାନଙ୍କ ଅଧିକାରର ସୁରକ୍ଷା ଓ ସଂରକ୍ଷଣ ତଥା ସେମାନଙ୍କ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହି କାର୍ଯ୍ୟକ୍ରମ ଦ୍ୱାରା ସରକାରୀ ନୀତି ଏବଂ କାର୍ଯ୍ୟକ୍ରମର ଯୋଜନା, କାର୍ଯ୍ୟାନ୍ୱୟନ ଏବଂ ଅନୁଧ୍ୟାନରେ ଅନୁସୂଚିତ ଜନଜାତି ପଂଚାୟତିରାଜ ପ୍ରତିନିଧି ମାନଙ୍କର ଅଧିକ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ। ବିକାଶ ପ୍ରକ୍ରିୟାରେ ସେମାନଙ୍କର ଅଧିକ ସମ୍ପୃକ୍ତି ଦ୍ୱାରା ଜନଜାତି ବିକାଶ ଲକ୍ଷ୍ୟ ଅଧିକ ମାତ୍ରାରେ ହାସଲ ହୋଇପାରିବ। ପଂଚାୟତିରାଜ ପ୍ରତିନିଧିମାନେ ସ୍ଥାନୀୟ ପ୍ରଶାସନ ସ୍ତରରେ ବିକାଶ ମୂଳକ ଯୋଜନାର କାର୍ଯ୍ୟକାରିତାରେ ସିଧାସଳଖ ସମ୍ପୃକ୍ତ ରହିପାରିଲେ ସମୁଦାୟ ଏବଂ କ୍ଷେତ୍ରୀୟ ସ୍ତରର ବିକାଶ ପ୍ରକ୍ରିୟାରେ ରହିଥିବା ଅଭାବ ଅସୁବିଧା ଦୂର କରାଯାଇ ପାରିବ। ଏହାଦ୍ୱାରା ବିଭିନ୍ନ ବିକାଶ ଏବଂ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତାରେ ଉନ୍ନତ ପରିଣାମ ମିଳିପାରିବ।

ଏହି ଯୋଜନା ଆରମ୍ଭ କରାଯିବା ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ଗତ କିଛି ମାସ ହେବ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଅନୁସୂଚିତ ଜନଜାତି ବର୍ଗର ବିଭିନ୍ନ ପଂଚାୟତିରାଜ ପ୍ରତିନିଧି, ନାଗରିକ ସମାଜ ଏବଂଜଙ୍ଗଲ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯିବା ପରେ ଏହି ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା ।