Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭଉଣୀ ନାରାୟଣୀଙ୍କୁ ନିମନ୍ତ୍ରଣ କରି ଅଶୋକାରୁ ଫେରିଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ଚୈତ୍ର ଶୁକ୍ଳ ଅଷ୍ଟମୀ ଅଶୋକାଷ୍ଟମୀ ଭାବରେ ମା’ ଭଗବତୀଙ୍କ ପୀଠରେ ମହାଆଡମ୍ବରରେ ପାଳିତ ହୋଇଯାଇଛି। ବାରମାସରେ ତେର ଯାତ୍ରା ମଧ୍ୟରୁ ଅଶୋକା ଯାତ୍ରା ମା’ଙ୍କର ବର୍ଷର ଶେଷ ଯାତ୍ରା। ଏହି ଦିନ ମା’ଦକ୍ଷିଣ ଦିଗ ରକ୍ଷାକାରିଣୀ ଭାଲେରୀ ପାହାଡ଼ ଖୋଲରେ ପୂଜିତା ଭଉଣୀ ନାରାୟଣୀଙ୍କ ମନ୍ଦିରକୁ ଯାତ୍ରା କରି ଅଶୋକ ଫୁଲ ଓ ପଇଡ଼ ପାଣି ଲାଗି ହୋଇ ରାତ୍ରିକାଳରେ କାକରା ପିଠା ସେବନ କରି ଶାରଦୀୟ ପର୍ବକୁ ଭଉଣୀଙ୍କୁ ନିମନ୍ତ୍ରଣ କରି ମନ୍ଦିରକୁ ଫେରିବାର ପରମ୍ପରା କାହିଁ କେଉଁ କାଳରୁ ଚଳିଆସିଥିବା ବେଳେ କିଛି ବର୍ଷ ହେବ ତାହା ବନ୍ଦ ହୋଇ ଭାଲେରୀ ପାହାଡ଼ର ପାଦ ତଳେ ଶାଳିଆ ନଦୀ କୂଳରେ ମାଳି ଗୋବିନ୍ଦ ପୁରଠାରେ ପୂଜିତ ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଗତିଶ୍ଵର ଦେବଙ୍କ ପୀଠରେ ବିଧିରକ୍ଷା ପୂର୍ବକ ଅଶୋକ। ଯାତ୍ରା ପାଳନ କରାଯାଉଛି।

ଅଷ୍ଟମୀର ସକାଳୁ ମା’ଙ୍କ ଅଙ୍ଗରାଗ ମାଜଣା , ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ ପରେଶଙ୍କୁତି ଧିପସାରି ମା’ ଯାତ୍ରା ପଡ଼ିଆକୁ ବାହାରି ଥିଲେ। ଶ୍ରୀ ଶ୍ରୀ ଗତି ଶ୍ୱରଦେବଙ୍କ ସେବାୟତ, ଗ୍ରାମବାସୀ ବୃନ୍ଦ ନିମନ୍ତ୍ରଣ ଓ ଚଉଦୋଳ ଧରି ମନ୍ଦିରକୁ ଆସିଥିଲେ। ମା’ଙ୍କ ସେବାୟତ ଚାମର ଆଲଟ ବାଜା ଘଣ୍ଟା ଘଣ୍ଟ କାହାଳୀ ବଜାଇ ଥାଟ ପଟୁଆରରେ ଦକ୍ଷେଶ୍ଵର ଦେବ, ଗୋପୀନାଥ ଦେବ ଓ ଶ୍ରୀରଙ୍କ ଦେବଙ୍କ ସହ ଦୁଲଣୀ ଶାସନର ଗୋପୀନାଥ ଦେବଙ୍କ ସହମିଶି ଯାତ୍ରା ପଡ଼ିଆକୁ ବିଜେ କରି ଗତିଶ୍ଵର ଦେବଙ୍କ ପୀଠରେ ଆସ୍ଥାନ ଗ୍ରହଣ କରିଥିଲେ। ପ୍ରଥମେ ପଣସପତ୍ର ଠୋଲାରେ ଅଶୋକ ଫୁଲ, ଓ ପଇଡ଼ଲାଗି କରାଯାଇଥିଲା। ଅସହ୍ୟ ଗରମରୁ ଶୀତଳ ଲାଗି ପାଇଁ କେବଳ ପଇଡ଼ ପହରକୁ ପହର ଧୂପବଢିଥିଲା। ରାତିରେ ମା’ଙ୍କୁ କାକରା ଧୂପ ପରେ ଯାତ୍ରା ଶେଷପୂର୍ବରୁ ମା’ନାରାୟଣୀଙ୍କୁ ଆଗାମୀ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ମନ୍ଦିରକୁ ବାହୁଡ଼ିବା ବାଟରେ ବାପ ଘର ପରିଛା ସାଆନ୍ତଙ୍କ ଦୂଆରେ ନିଶଙ୍କୁଡ଼ି ଭୋଗ ଖାଇ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରକୁ ପ୍ରବେଶ କରିଥିଲେ।

ମାଳିଗୋବିନ୍ଦପୁରର ଗ୍ରାମବାସୀ, ସ୍ଥାନୀୟ ଆରକ୍ଷୀ, ଓ ଏଣ୍ଡା ଓ ମେଣ୍ଟ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଅଶୋକାଷ୍ଟମୀରେ ମା’ଙ୍କ ଅଶୋକ ଫୁଲ ପ୍ରସାଦ ପାଇବା ସହିତ ମା’ଙ୍କୁ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ପ୍ରବଳ ଜନଗହଳୀ ହୋଇଥିଲା। ଚଳିତ ବର୍ଷର ମା’ଙ୍କରଶେଷ ଯାତ୍ରା ଅଶୋକା ଶେଷ ହୋଇ ମହାବିଷୁବରେ ଉତ୍ତରଦିଗକୁ ଯାତ୍ରା ପୁଣି ବର୍ଷର ପ୍ରଥମ ପଣାଯାତ୍ରା ଭାବରେ ପାଳନ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧି କାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଞ୍ଚଳିକ

ଅଶୋକାଷ୍ଟମୀ ଉପଲକ୍ଷେ ମା’ ଭଗବତୀଙ୍କ ଦକ୍ଷିଣ ଦିଗକୁ ଯାତ୍ରା

ସୀତାରାମ ଅଗ୍ରୱାଲ
ବାଣପୁର: କୁମାରାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଳି ଗୋବିନ୍ଦପୁର ଠାରେ ପୂଜା ପାଆନ୍ତି ପଶ୍ଚିମାଭିମୁଖୀ ଠାକୁର ଶ୍ରୀ ଶ୍ରୀ ବୁଢା ଗତିଃଶ୍ଵରଦେବ। ଉକ୍ତ ମନ୍ଦିରରେ ବୁଧବାର ପରମ୍ପରା ଅନୁଯାୟୀ ପବିତ୍ର ଅଶୋକଷ୍ଟମୀ ପର୍ବ ଖୁବ ଧୂମଧାମରେ ପାଳନ କରାଯାଇଛି। ପ୍ରଭୁ ଗତିଃଶ୍ଵର ଦେବ ଏ ଅଂଚଳର ଏକ ପ୍ରତ୍ୟେକ୍ଷ ଠାକୁର।

ପରମ୍ପରା ଅନୁଯାୟୀ ଏହି ଦିନ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ, ଶ୍ରୀ ଶ୍ରୀ ରଙ୍କନାଥ ଦେବ, ଏବଂ ମା ଭଗବତୀଙ୍କ ପିତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଗତିଃଶ୍ଵରଙ୍କ ପୀଠକୁ ଆସିଥାନ୍ତି। ତତସହିତ ଗତିଃଶ୍ୱରଙ୍କ ମୂଳ ପୀଠ କୁହାଯାଉଥିବା ଦୁଲଣୀ ଗ୍ରାମର ଗୋପୀନାଥ ଦେବଙ୍କ ଆଗମନ ହେବାରୁ ଏକ ମହାମିଳନ ପର୍ବ ଅନୁଷ୍ଠିତ ହୁଏ।

କିମ୍ବଦନ୍ତୀ ଅନୁସାରେ ମା’ ଭଗବତୀ ବର୍ଷକୁ ଚାରିଦିଗକୁ ଯାତ୍ରା କରିଥାନ୍ତି। ପୂର୍ବ କାଳରେ ମା ଦକ୍ଷିଣ ଦିଗରେ ଥିବା ଗଞ୍ଜାମ ଜିଲ୍ଲାର ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାନ୍ତି। କିନ୍ତୁ ଅଶୋକଷ୍ଟମୀ ଦିନ ମା ବାଣପୁରରୁ ନାରାୟଣୀ ମନ୍ଦିରକୁ ଯାତ୍ରା କରୁଥିବା ବେଳେ ସେବାୟତ ମାନେ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ନାରାୟଣୀ ମନ୍ଦିରର ସେବାୟତ ମାନେ ଆଉ ମା’ ଙ୍କୁ ଛାଡ଼ିବେନି। ସେହି ଭୟରେ ପଛକୁ ଫେରିବାର ପରମ୍ପରା ନ ଥିବାରୁ ରାସ୍ତା ପାର୍ଶ୍ୱରେ ବହିଯାଉଥିବା ଶାଳିଆ ନଦୀ ଭିତରେ ପଶି ଗୋବିନ୍ଦପୁରରେ ଥିବା ଗତିଃଶ୍ୱରଙ୍କ ପୀଠକୁ ସେବାୟତ ମାନେ ନେଇ ଯାଇଥିଲେ।

ସେହି ଦିନ ଠାରୁ ଏଠାରେ ଅଶୋକଷ୍ଟମୀ ପର୍ବ ପାଳନ ହୋଇ ଆସୁଅଛି। ଆଜି ପର୍ଯ୍ୟନ୍ତ ମଧ୍ୟ ଅଶୋକାଷ୍ଟମୀ ଦିନ ରାସ୍ତା ଥିଲେ ମଧ୍ୟ ସେହି ନଦୀ ଭିତରେ ପଶି ମା’ ଯାଇଥାନ୍ତି। ସେଠାରେ ରାତ୍ରି ଯାପନ କରି ଭୋର ଚାରି ଘଟିକା ସମୟରେ ମା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ଚଳିତ ବର୍ଷ ମା’ଙ୍କର ଆଗମନକୁ ଦେଖି ସକାଳ ଧୂପ, ସହ ଠାକୁର ମାନଙ୍କ ପାଖରେ ବିଭିନ୍ନ ପ୍ରକାର ଶଙ୍ଖୁଡି ଭୋଗର ବ୍ୟବସ୍ତା କରାଯାଇଥିଲା। ଦିନ ଓ ରାତି ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ବହୁ ଶ୍ରଦ୍ଧାଳୁ ମାନଙ୍କର ପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଭିଡ଼ ପରିଲକ୍ଷିତ ହୋଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମ ମାଳି ଗୋବିନ୍ଦପପୁର ଗ୍ରାମବାସୀଙ୍କ ସହଯୋଗରେ ସମ୍ପାଦନ କରାଯାଇଥିଲା।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଜି ପବିତ୍ର ଅଶୋକାଷ୍ଟମୀ, ଏହି ଦିନ ରଥରେ ପ୍ରଭୃ ଲିଙ୍ଗରାଜ କାହିଁକି ମାଉସୀମା ମନ୍ଦିର ଯାଇଥାନ୍ତି ?

ଭୁବନେଶ୍ବର, ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ। ସାରା ଓଡିଶାରେ ଏହି ପାଳିତ ହେଉ ନ ଥିଲେ ମଧ୍ୟ ପ୍ରଭୃ ଲିଙ୍ଗରାଜଙ୍କର ଏହି ଦିନଟି ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥଯାତ୍ରାକୁ ରୁକୁଣା ରଥଯାତ୍ରା ବୋଲି କୁହାଯାଇଥାଏ। ସାଧାରଣତଃ ଅଶୋକାଷ୍ଟମୀ ପରେ ପଡିଥାଏ ରାମ ନବମୀ। ପରଦିନ ରାମ ନବମୀ ପଡୁଥିବାରୁ ସାଧାରଣତଃ ଅଶୋକାଷ୍ଟମୀ ଅଶୋକ ବନ ସହିତ ଯୋଡି ହୋଇଥାଏ। ଏହି ଦିନ ମା ସୀତା ଦେବୀ ଅଶୋକ ଜଳପାନ କରି ସବୁ ଦୁଃଖ ଭୁଲିଯାଇଥିଲେ ବୋଲି ଲୋକ କଥା ରହିଛି।

ରୁକୁଣା ରଥ ଯାତ୍ରାର ମହତ୍ବ

ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ।

ପୁରାଣ ଅନୁଯାୟୀ,ରାବଣ ଦ୍ବାରା ଅପହୃତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ର ଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ି ଦ୍ୱାରା ଶିବ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ ନିଜର ଏବଂ ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ପୂର୍ବକ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନ ପୂର୍ବକ ଆଠଗୋଟି ଅଶୋକ କଢ଼ି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି ।

ଅନ୍ୟ ଏକ ମତ ଅନୁଯାୟୀ, ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା ହେତୁ କୁଳଗୁରୁ ବୈଶିଷ୍ଠଙ୍କ ପରାମର୍ଶ କ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କର ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ମନ୍ଦିର ପ୍ରତିଷ୍ଠା ପୂର୍ବକ ପୂଜା ଅର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ। ସେହି ଅନୁସାରେ ଲିଙ୍ଗରାଜମନ୍ଦିରର ଅନତି ଦୂରରେ ରହିଛି ରାମେଶ୍ବର ମନ୍ଦିର।

ତେବେ ସେହି ମନ୍ଦିରକୁ ପୂଜାଅର୍ଚ୍ଚନା କରିବା ପାଇଁ ପ୍ରଭୁ ଲିଙ୍ଗରାଜଙ୍କୁ ରାମଚନ୍ଦ୍ର ଅନୁରୋଧ କରିଥିଲେ। ଫଳେ ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିଥାନ୍ତି। ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଏବଂ ଦେବୀ ରୁକ୍ମିଣୀ ରଥାଋଢ ହୋଇ ଆସିଥାନ୍ତି।  ଏହି ରଥରେ ଦେବୀ ରୁକ୍ମିଣୀ ଆସୁଥିବାରୁ ଏହି ରଥକୁ ରୁକୁଣା ରଥ କୁହାଯାଏ ।

ରଥର ମଝିରେ ରୁକ୍ମିଣୀ, ଡାହାଣ ପାର୍ଶ୍ୱରେ ଚନ୍ଦ୍ରଶେଖର ଏବଂ ବାମ ପାର୍ଶ୍ୱରେ ବାସୁଦେବ ବିରାଜମାନ ହୁଅନ୍ତି। ଏହାପରେ ରଥଟଣା ଆରମ୍ଭ ହୋଇଥାଏ। ରଥଟଣା ସରିବା ପରେ ରଥ ଯାଇ ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରରେ ରହେ। ପ୍ରଭୁ ଲିଙ୍ଗରାଜ ସେଠାରେ ପାଞ୍ଚ ଦିନ ରହି ପୁନର୍ବାର ନିଜ ମନ୍ଦିରକୁ ବାହୁଡି ଆସନ୍ତି। ଅଶୋକାଷ୍ଟମୀ ଉତ୍ସବ ଭୁବନେଶ୍ୱର ସମେତ ନିରାକାରପୁର ନିକଟସ୍ଥ ଡିଆ ଗ୍ରାମର ଅଧୀଶ୍ୱର କପିଳେଶ୍ୱର ଓ ପୁରୀ ଜିଲ୍ଲାର ଷୋଳଶାସନ ଅର୍ନ୍ତଗତ ରାୟ ଚକ୍ରଧରପୁରର ନୀଳକଣ୍ଠେଶ୍ୱର ଦେବଙ୍କ ପିଠରେ ମଧ୍ୟ ପାଳିତ ହୁଏ।

ରୁକୁଣା ରଥ ନିର୍ମାଣ କାହାଣୀ

ଓଡ଼ିଶାର ଗେଜେଟିଅରର୍ସ-ପୁରୀ (୧୯୭୭ ମସିହା) ତଥ୍ୟାନୁଯାୟୀ ବସନ୍ତ ପଞ୍ଚମୀ ଦିନ ମନ୍ଦିରର ବାଉରୀ ସେବାକୁ ନୂତନ ବସ୍ତ୍ର ଦେଇ ରଥକାଠ ସଂଗ୍ରହ କରିବାକୁ କୁହାଯାଇଥାଏ। ସେମାନେ ଶିବରାତ୍ରିର ଆଠ ଦିନ ପୂର୍ବରୁ ଜଙ୍ଗଲକୁ ଯାଇ ସେଠାରେ ରଥକାଠ ଚୟନ ପୂର୍ବକ ପୂଜା ଅର୍ଚ୍ଚନା କରି ମନ୍ଦିରକୁ ଆଣନ୍ତି ଏବଂ ମହାଶିବରାତ୍ରୀ ପରେ ରଥ କାମ ଆରମ୍ଭ ହୁଏ । ଏହି ରଥ ଚାରିଚକ ବିଶିଷ୍ଟ ହୋଇଥିବା ବେଳେ ଏହାର ଉଚ୍ଚତା ୩୫ ଫୁଟ ହୋଇଥାଏ। ।

ରଥ ଉପରିସ୍ଥ ପତାକାରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଙ୍କିତ ହୋଇଥାଏ। ରଥର ଚାରିପାର୍ଶ୍ୱରେ ସୂର୍ଯ୍ୟ, ବରୁଣ, ଅଗ୍ନି, ଇନ୍ଦ୍ର, ଦୁର୍ଗା, ଶିବ ଯମ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି କାଠରେ ଖୋଦିତ ହୋଇଥାଏ । ରଥଯାତ୍ରା ପୂର୍ବ ଦିନ ପୁରୀରୁ ନିମନ୍ତ୍ରିତ ହୋଇ ଆସିଥିବା କ୍ଷେତ୍ରବାସୀ ବ୍ରାହ୍ମଣଙ୍କ ଦ୍ୱାରା ରଥ ମାର୍ଜନା ଓ ପବିତ୍ରକରଣ କରାଯିବା ପରେ ରଥ ଶୀର୍ଷରେ ପତାକା ଖଞ୍ଜାଯାଇଥାଏ। ଏହାକୁ ନେତ ଉତ୍ସବ କୁହାଯାଏ ।

ମରିଚି କୁଣ୍ଡ ପାଣିର ରହସ୍ୟ

ଏକାମ୍ର ପୁରାଣ ଅନୁଯାୟୀ, ଏହି ନେତ ଉତ୍ସବ ରାତିରେ କୌଣସି ବନ୍ଧ୍ୟାନାରୀ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣେ ଥିବା ମରିଚି କୁଣ୍ଡରେ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଅଶୋକାଷ୍ଟମୀ ଦିନ ପ୍ରାତଃ କାଳରେ ପ୍ରଥମେ ମନ୍ଦିରର ମଙ୍ଗଳ ଆଳତୀ, ସାହାଣ ମେଲା, ମହାସ୍ନାନ ଓ ଅନ୍ୟପୂଜା ଆଦି ସମାପନ ପରେ ପ୍ରଥମେ ରୁକୁଣା ରଥକୁ ପୂଜା କରାଯାଏ। ରଥ ପୂଜା ପାଇଁ ଏହି ମରିଚି କୁଣ୍ଡ ପାଣିକୁ ନିଆ ଯାଇଥାଏ।

ଏହି ପାଣି ରଥ ପୂଜା ପାଇଁ ନେବା ପରେ ବନ୍ଧ୍ୟାନାରୀମାନଙ୍କୁ ପାଣି କଳସ ପ୍ରଦାନ କରାଯାଇଥାଏ। ସେଥିପାଇଁ ମୁକ୍ତେଶ୍ବର ମନ୍ଦିର କମିଟ ଏହି ପାଣିକୁ ନିଲାମ କରିଥାନ୍ତି। ଅଶୋକାଷ୍ଟମୀ ରାତିରୁ ବିଭିନ୍ନ ସ୍ଥାନରୁ ନାରୀମାନେ ଏହି ପାଣିରେ ସ୍ନାନ କରି ସନ୍ତାନ ପ୍ରାପ୍ତି ଆଶାରେ ଆସିଥାନ୍ତି। ପ୍ରଥମ କଳ ପାଇଁ ପାଣିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥାଏ। ଏହାପରେ ଅନ୍ୟମାନେ ମଧ୍ୟ ନିଲାମ ଧରି ଏହି କଳସ ପାଣି ନେଇ ସ୍ନାନ କରିଥାନ୍ତି।