Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ଦ୍ବନ୍ଦରେ ଜିତିଲେ ଓଡିଶାର ତିନି ରାଜ୍ୟସଭା ପ୍ରାର୍ଥୀ, ଖୁବଶିଘ୍ର ନେବେ ଶପଥ

ଭୁବନେଶ୍ବର: ନିର୍ଦ୍ବନ୍ଦରେ ବିଜୟ ଲାଭ କରିଛନ୍ତି ତିନି ରାଜ୍ୟସଭା ପ୍ରାର୍ଥୀ। ସେମାନେ ହେଲେ ବିଜେଡିର ଦେବାଶୀଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆଏବଂ ବିଜେପିର ଅଶ୍ବିନୀ ବୈଷ୍ଣବ। ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। କେହି ନାମାଙ୍କନ ପତ୍ର ଦାଖଲ ନ କରିବା ଏବଂ ତିନି ଆସକୁ ତିନି ପ୍ରାର୍ଥୀ ଥିବା ଯୋଗୁଁ ବର୍ତ୍ତମାନ ଏମାନଙ୍କୁ ବିଜୟ ଘୋଷଣା କରାଯାଇଛି।

ଏହାପରେ ଏହି ବିଜୟ ପ୍ରାର୍ଥୀଙ୍କୁ ବିଧାନସଭା ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯିବ। ସେମାନେ ରାଜ୍ୟସଭାରେ ପ୍ରମାଣପତ୍ର ଦାଖଲ କରିବା ପରେ ଶପଥ ଗ୍ରହଣ କରିବେ। ଖୁବ ଶିଘ୍ର ଓଡିଶାର ତିନି ସଦସ୍ୟ ଶପଥ ନେବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ନେତାଙ୍କୁ ଗୁପ୍ତ ନିର୍ଦ୍ଦେଶ, କିଏ କେଉଁଠି କେବେ ବି ନବୀନ କିମ୍ବା ବିଜେଡିକୁ ଧନ୍ୟବାଦ ଦେବ ନାହିଁ

ଭୁବନେଶ୍ବର: ଗତ ତିନିଦିନ ଧରି ରାଜ୍ୟ ବିଜେପି ନେତାଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ତାହା ହେଲା କୌଣସି ନେତା କେଉଁଠାରେ ମଧ୍ୟ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ ନାହିଁ। ବିଶେଷ କରି ଗଣମାଧ୍ୟମକୁ ସମ୍ମୁଖୀନ ହେଉଥିବା ନେତାଙ୍କୁ ଏହି ତାଗିଦ ଜୋର କରାଯାଇଛି।

ଏଥିରେ କୁହାଯାଇଛି ଯେ, ଅଶ୍ବିନୀ ବୈଷ୍ଣବ, ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବେ। ହେଲେ ଏହି ସମର୍ଥନ ନେଇ କେହି ନବୀନ କିମ୍ବ ବିଜେଡିକୁ ଧନ୍ୟବାଦ ଦେବେ ନାହିଁ। ତେବେ ଏହାର କୌଣସି କାରଣ ନ ଥିଲେ ମଧ୍ୟ ବିଜେପି ବର୍ତ୍ତମାନ ଯେପରି କ୍ଷତିର ସମ୍ମୁଖୀନ ହୋଇଛି ଆଉ ଅଧିକା ନ ହେଉ ସେଥିପାଇଁ ଏପରି ତାଗିଦ କରାଯାଇଛି।

ଅଶ୍ବିନୀ ମଙ୍ଗଳବାର ଦିନ ଭୁବନେଶ୍ବରରେ ପହଞ୍ଚିବା ପରେ ସେ ବିମାନ ବନ୍ଦରରେ ଗଣମାଧ୍ୟମକୁ ସାକ୍ଷାତ କରିଥିଲେ। ସେ ବିଜେଡି ସମର୍ଥନ ବିଷୟରେ କିଛି କହି ନ ଥିଲେ। ହେଲେ ସେ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ସେ ରାଜ୍ୟ କାର୍ଯ୍ୟାଳୟକୁ ଆସିବା ପରେ ସବୁ ବିଧାୟକ ଏବଂ ନେତାଙ୍କୁ ମଧ୍ୟ ତାଗିଦ କରିଥିଲେ। କେହି ନବୀନ କିମ୍ବ ବିଜେଡିକୁ ଧନ୍ୟବାଦ ଦେବେ ନାହିଁ।

ବିଜେପି ଭଲ ଭାବରେ ଜାଣିଛି ଯେ, ରାଜ୍ୟସଭାରେ ଜିତିବା ପାଇଁ ସେମାନଙ୍କର ସଂଖ୍ୟା ନାହିଁ। ତଥାପି ଜଣେ ପ୍ରାର୍ଥୀଙ୍କୁ ଛିଡା କରାଇଲେ। ସେପଟେ ବିଜେଡି ମଧ୍ୟ ରାଜ୍ୟର ସ୍ବାର୍ଥ ପାଇଁ ଅଶ୍ବିନୀଙ୍କୁ ସମର୍ଥନ ଘୋଷଣା କଲା। ହେଲେ ସୌଜନ୍ୟତା ଦୃଷ୍ଟିରୁ ନା ଅଶ୍ବିନୀ ନା କୌଣସି ବିଜେପି ନେତା ଧନ୍ୟବାଦ ଦେବା ପାଇଁ ମଧ୍ୟ ସଙ୍କୋଚବୋଧ କଲେ।

ତେବେ ଏଥର ନୁହେଁ, ଗତଥର ମଧ୍ୟ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରିଥିଲା। ଯାହାଫଳରେ ସେ ରାଜ୍ୟସଭାକୁ ଯାଇ ଏକ ପାୱାରଫୁଲ ମନ୍ତ୍ରୀ ହୋଇପାରିଲେ। ଆଶ୍ଚର୍ଯ୍ୟର କଥା ସେତେବେଳେ ମଧ୍ୟ ଅଶ୍ବିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିକୁ ଧନ୍ୟବାଦଟିଏ ଦେଇ ନ ଥିଲେ। ସେତେବେଳେ ମଧ୍ୟ ଏହାକୁ ନେଇ ବେଶ ସମାଲୋଚନା କରାଯାଇଥିଲା।

ଧନ୍ୟବାଦ ଦୂରେ ଥାଉ ଅଶ୍ବିନୀ ବୈଷ୍ଣବ ଯେତେବେଳେ ଉପନିର୍ବାଚନ ପ୍ରଚାରରେ ଓଡିଶା ଆସିଲେ ସେତେବେଳେ ସେ ନବୀନଙ୍କ ଏହି ସମର୍ଥନ ବା ସହଯୋଗକୁ ସଂପୂର୍ଣ୍ଣ ଭୂଲିଗଲେ। ସେ ବିଭିନ୍ନ ନିର୍ବାଚନୀ ସଭାରେ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ସେତେବେଳେ ମଧ୍ୟ ସେ ଭୁଲିଗଲେ ଯେ, ଆଜି କାହାର ସମର୍ଥନରେ ସେ ମନ୍ତ୍ରୀ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବହୁ ଚର୍ଚ୍ଚା ପରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ବହୁ ବାଦ ବିବାଦ, ବହୁ ଚର୍ଚ୍ଚା ପରେ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ବିଜେପିର ପ୍ରାର୍ଥୀ ଭାବେ ସେ ଏହି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ଅଶ୍ବିନୀ ବିଜେପି ସଭାପତି ମନମୋହନ ସାମଲ, ବିରୋଧୀ ଦଳର ମୁଖ୍ୟସଚେତକ ମୋହନ ମାଝି ଓ ବହୁ ବିଧାୟକ ତାଙ୍କ ସାଥିରେ ଥିଲେ।

ସେ ବିଧାନସଭାରେ ରିଟର୍ଣ୍ଣି ଅଫିସରଙ୍କୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରୁଥିଲେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ବେଳେ କେହି ତାଙ୍କ ସାଥିରେ ନ ଥିଲେ। ଆଜି ନାମାଙ୍କନ ଦାଖଲର ଶେଷ ତାରିଖ। ଓଡିଶାର ତିନୋଟି ଆସନ ଖାଲି ରହୁଥିବାରୁ ବର୍ତ୍ତମାନ ତିନିଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଣୁ ଏହି ତିନି ନିଶ୍ଚିତ ନିର୍ବାଚିତ ହେବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମନମୋହନ ସାମଲ କହିଲେ ଆମେ କାହାରି ସମର୍ଥନ ମାଗି ନାହୁଁ, ଯିଏ ଦେବ ଭଲ କଥା

ଭୁବନେଶ୍ବର: ବିଜେଡି ସମର୍ଥନରେ ବିଜେପିର ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ପୁଣି ଯିବେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ହଟଚମଟ ଲାଗି ରହିଛି। ଏଥିରେ କେଉଁଦଳର କ୍ଷତି ହେବ କାହାର ଲାଭ ହେବ ଚାଲିଛି ହିସାବ ନିକାସ। ତେବେ ଏହି ଘଟଣା ପରେ ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ଆମେ କାହାର ସମର୍ଥନ ମାଗି ନାହୁଁ। ଯଦି ନିର୍ବାଚନରେ କେହି ସମର୍ଥନ ଦେଲା ଭଲ କଥା।

ସେ ଆହୁରି କହିଥିଲେ ଯେ, ଆମେ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେଇଛୁ। ଆଉ ଯଦି କେହି ପ୍ରାର୍ଥୀ ଦେବ ସେଥିରେ କାହାର କିଛି କହିବାର ନାହିଁ। ନିର୍ବାଚନରେ ଛିଡା ହେଲେ ସମସ୍ତଙ୍କର ସମର୍ଥନ ଆବଶ୍ୟକ। ସେହି ଆଶା କରି ବିଜେପି ପ୍ରାର୍ଥୀ ଦେଇଛି। ଆସନ୍ତାକାଲି ଆମେ ନାମାଙ୍କନ ପତ୍ର ଦାଖଲ କରିବୁ। ତେବେ ଆଗାମୀ ଦିନରେ ବିଜେଡି ବିଜେପି ମେଣ୍ଟ ହେବ କି କଣ ପଚାରା ଯିବାରୁ ସେ ଏହାକୁ ଖଣ୍ଡନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡି କଲା ଘୋଷଣା, ରାଜ୍ୟସଭା ନିର୍ବାଚନରେ ଅଶ୍ବିନୀ ବୈଷ୍ଣବଙ୍କୁ କରିବ ସମର୍ଥନ

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ଣବଙ୍କ ନାମ ବିଜେପି ଘୋଷଣା କରିବା ପରେ ବିଜେଡି ତାହାକୁ ସମର୍ଥନ କରିଛି। ଆଜି ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରୁଛି।

ପୂର୍ବରୁ ଏହି ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ ବିଜେଡି ତିନୋଟି ରାଜ୍ୟସଭା ଆସନରେ ଜିତିବାକୁ ଥିଲେ ମଧ୍ୟ ଦୁଇଟି ଆସନରେ ପ୍ରାର୍ଥୀ ଦେଇଥିଲା। ଫଳରେ ଅନ୍ୟ ଆସନଟି ପୂର୍ବପରି ଅଶ୍ବିନୀ ବୈଷ୍ଣବଙ୍କୁ ଦିଆଯିବ ବୋଲି ଚର୍ଚ୍ଚା ଚାଲିଥିଲା। ଯାହା ସତ ବୋଲି ପ୍ରମାଣିତ ହୋଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଘୋଷଣା ହେଲା ଅଶ୍ବିନୀ ବୈଷ୍ଣବଙ୍କ ନାମ, ହେବେ ବିଜେପିର ଓଡିଶା ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି। କେନ୍ଦ୍ରୀୟ ବିଜେପି ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶା ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରୁ ପ୍ରକାଶିତ ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ଓଡିଶାରୁ ଅଶ୍ବିନୀ ବୈଷ୍ଣବଙ୍କ ନାମ ରହିଛି।

ପୂର୍ବରୁ ବିଜେଡି ଏହି ଆସନଟି ବୈଷ୍ଣବଙ୍କୁ ଦେବା ପାଇଁ ଖାଲି ରଖିଥିଲା। କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କର ନ ଥିଲା। ଫଳରେ ସମସ୍ତେ ଆଶା କରୁଥିଲେ ଯେ, ବୈଷ୍ଣବ ପୁଣି ଥରେ ଓଡିଶାରୁ ରାଜ୍ୟସଭା ଯିବେ। ସେ ଚର୍ଚ୍ଚା ବର୍ତ୍ତମାନ ସତ ହୋଇଛି। ଆଜି ବୈଷ୍ଣବ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ପ୍ରାର୍ଥୀ ହେବେ ଅଶ୍ବିନୀ ବୈଷ୍ଣବ! ସବୁ ବିଜେପି ବିଧାୟକଙ୍କୁ ରାଜଧାନୀ ଡାକରା

ଭୁବନେଶ୍ବର: ପୁଣି ଥରେ ବିଜେଡି ସମର୍ଥନରେ ରାଜ୍ୟସଭା ପ୍ରାର୍ଥୀ ହେବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ତାହା ସତ ହେବାପରି ଲାଗୁଛି। କାରଣ ଆଜି ଭୁବନେଶ୍ବରରେ ପହଞ୍ଚୁଛନ୍ତି ଅଶ୍ବିନୀ ବୈଷ୍ଣବ। ସେହିପରି ଆଜି ଭୁବନେଶ୍ବର ଆସିବାକୁ ସମସ୍ତ ବିଜେପି ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତିନୋଟି ଆସନରୁ ବିଜେଡି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗୋଟିଏ ଆସନରେ କାହାକୁ ପ୍ରାର୍ଥୀ ଦେଇ ନାହିଁ। ସେଥିପାଇଁ ଓଡିଶା ରାଜନୀତିରେ ବିଜେଡି କାହିଁକି ପ୍ରାର୍ଥୀ ଦେଲା ନାହିଁ ବୋଲି ଚର୍ଚ୍ଚା ଚାଲିଛି। ସେହି ଆସନକୁ ବୈଷ୍ଣବଙ୍କୁ ଦେବା ପାଇଁ ରଖାଗଲା ବୋଲି ଆଲୋଚନା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କିଏ ହେବ ରାଜ୍ୟସଭାର ତୃତୀୟ ପ୍ରାର୍ଥୀ, ଆସନ୍ତାକାଲି ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରେ ବର୍ତ୍ତମାନ ବିଜେଡି ଦୁଇଜଣଙ୍କ ନାମ ଘୋଷଣା କରିସାରିଛି। ସେମାନେ ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିସାରିଛନ୍ତି। ହେଲେ ତୃତୀୟ ପ୍ରାର୍ଥୀ କିଏ ହେବ ଏ ପର୍ଯ୍ୟନ୍ତ ବିଜେଡି ଘୋଷଣା କରି ନାହିଁ।

ତିନୋଟି ଆସନ ବିଜେଡି ଜିତିବାର କ୍ଷମତା ଥିଲେ ମଧ୍ୟ କଣ ପାଇଁ ଗୋଟିଏ ଆସନ ସସପେନସ ରଖାଗଲା ତାହା ଜଣାପଡି ନାହିଁ।

ଅନ୍ୟପଟେ ଓଡିଶା ଗସ୍ତରେ ବୁଧବାର ଦିନ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ କେତେକ ରେଳ ପ୍ରକଳ୍ପର ସମୀକ୍ଷା ସହିତ ଟେଲି ଯୋଗାଯୋଗର ବୈଠକ ଅଛି। ଏଥିସହିତ ସେ ବିଜେପି ପାର୍ଟି ଅଫିସ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ତାଙ୍କର ଏହି ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଦୁଇଦିନ ଓଡିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସଭା ନାମାଙ୍କନ ସମୟ ଦୁଇ ଦିନରେ ଅର୍ଥାତ 15 ତାରିଖରେ ଶେଷ ହେବ।

ତେବେ ପୁଣି ଥରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଅଶ୍ବନୀ ବୈଷ୍ଣବ ଯିବେ ବୋଲି ସମ୍ଭାବନା ଦେଖାଦେଲାଣି।  ତେବେ ସେ ଓଡିଶା ପହଞ୍ଚିବା ପରେ ତାଙ୍କର ପ୍ରତିକ୍ରିୟା କଣ ରଖୁଛନ୍ତି ତାହାକୁ ଅପେକ୍ଷା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ, ଓଡିଶାର ରହିଛି ତିନୋଟି ଆସନ

ଭୁବନେଶ୍ବର: ଆଜି ନିର୍ବାଚନ କମିଶନର ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଆସନ୍ତା ଫେବୃୟାରୀ ୨୭ ତାରିଖରେ ହେବ ଏହି ନିର୍ବାଚନ। ସେହିପରି ନାମାଙ୍କନ ପତ୍ର ଦାଖଲ ସମୟ ହେଉଛି ଫେବୃୟାରୀ ୧୫ ତାରିଖ, ପ୍ରାର୍ଥୀପତ୍ର ଯାଞ୍ଚ ୧୬ ତାରିଖରେ ହେବ। ଫେବୃୟାରୀ ୨୦ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ତାରିଖ ରହିଛି।

ଏଥିରେ ମୋଟ ୧୫ଟି ରାଜ୍ୟର ୫୬ ଆସନରେ ନିର୍ବାଚନ ହେବ। ସେଥିମଧ୍ୟରୁ ଓଡିଶାର ୩ଟି ଆସନରେ ମଧ୍ୟ ନିର୍ବାଚନ ହେବ। ଯେଉଁ ସାଂସଦଙ୍କ ଆସନ ଖାଲି ହେଉଛି ସେମାନେ ହେଲ ଅଶ୍ବନୀ ବୈଷ୍ଣବ, ଅମର ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦ। ଉତ୍ତର ପ୍ରଦେଶରେ ସର୍ବାଧିକ ୧୦ଟି ଆସନ ଖାଲି ହେଉଥିବା ବେଳେ ବିହାର ଓ ମହାରାଷ୍ଟ୍ରରେ ୬ ଟି ଲେଖାଏଁ ଆସନ ଖାଲି ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରୁ ଟିକେଟ ପାଇବା ପାଇଁ ଦୁଇଟି ସିଟ୍ କୁ ସଂରକ୍ଷିତ ରଖିଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ

ଭୁବନେଶ୍ବର: ରେଳମନ୍ତ୍ର ଅଶ୍ବିନୀ ବୈଷ୍ଣବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଜଣେ ଟାଣୁଆ ତଥା ବିଶ୍ବସ୍ଥ ମନ୍ତ୍ରୀ। ମୋଦିଙ୍କର ଅତି ଘନିଷ୍ଠ ଲୋକ ବୋଲି ସମସ୍ତେ ଜାଣନ୍ତି। ତାଙ୍କର ରାଜସ୍ଥାନ ଜନ୍ମଭୂମି ହୋଇଥିଲେ ମଧ୍ୟ କର୍ମଭୂମି ହେଉଛି ଓଡିଶା। ଏହି ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ସେ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ।

ତେବେ ସେ ଏଥର ଲୋକସଭା ନିର୍ବାଚନ ଲଢିବେ। କାରଣ ପରବର୍ତ୍ତି ନୂଆ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କୌଣସି ରାଜ୍ୟସଭା ସଦସ୍ୟଙ୍କୁ ନିଆଯିବ ନାହିଁ। ସେଥିପାଇଁ ଅଶ୍ବିନୀଙ୍କୁ ଲୋକସଭା ନିର୍ବାଚନ ଲଢେଇ କରିବା ପାଇଁ କୁହାଯାଇଛି। ଆଉ ସେହି ନିର୍ଦ୍ଦେଶ ଅନୁସାରେ ଅଶ୍ବିନୀ ବର୍ତ୍ତମାନ ଓଡିଶାରେ ଡେରା ପକାଇଛନ୍ତି।

ଅଶ୍ବନୀ ବୈଷ୍ଣବ ଓଡିଶାରୁ ଟିକେଟ ପାଇବା ପାଇଁ ସେ ଦୁଇଟି ସିଟ୍ କୁ ହାତରେ ରଖିଛନ୍ତି। ଗୋଟିଏ ହେଲା କଟକ ଓ ଅନ୍ୟଟି ହେଲା ବାଲେଶ୍ବର। ଅର୍ଥାତ ସେ ଉଭୟ କଟକ ଓ ବାଲେଶ୍ବର ଆସନରୁ ଗୋଟିଏରେ ଛିଡା ହେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ତାଙ୍କର ସର୍ଭେ ଅନୁସାରେ ଉଭୟ ଆସନ ତାଙ୍କ ପାଇଁ କୁଆଡେ ସୁରକ୍ଷିତ।

ସେଥିପାଇଁ ଅଶ୍ବିନୀ ବୈଷ୍ଣବ ପୁରା ପୂର୍ବତଟ ରେଳବାଇକୁ କଟକ ଓ ବାଲେଶ୍ବର ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଜୋରଦାର କରିବା ପାଇଁ କହିଛନ୍ତି। ସେହି ଅନୁସାରେ ରେଳ ବିଭାଗ  କିଛିଦିନ ଧରି କଟକ ଏବଂ ବାଲେଶ୍ବର ଷ୍ଟେସନ ପାଇଁ ନୂଆ ନୂଆ ଉଦଘାଟନ କରିବାରେ ଲାଗିଛନ୍ତି। ଷ୍ଟେସନରେ ଦୋକାନ ଘର ଶୁଭାରମ୍ଭଠାରୁ ଆରମ୍ଭ କରି ଅନେକ ଭୂମିପୂଜନ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି।

ସେତେକି ନୁହେଁ ଉଭୟ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ଧର୍ମନୁଷ୍ଠାନଗୁଡିକୁ ମଧ୍ୟ ସେ ଦର୍ଶନ କରିବାରେ ଲାଗିଛନ୍ତି। ନିକଟରେ ସେ କଟକ ଧବଳେଶ୍ବର ସହିତ ବାଲେଶ୍ବର ରେମୁଣା ଗୋପୀନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଫେରିଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି।

ତେବେ ନରେନ୍ଦ୍ର ମୋଦୀ ରେଳମନ୍ତ୍ରୀଙ୍କ ଟିକେଟ କନଫ୍ରମ କରି ନ ଥିବାରୁ ତାହା ଏବେ ୱେଟିଂ ଲିଷ୍ଟରେ ଝୁଲି ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ଓଡିଶାରୁ ସାଂସଦ ହୋଇଥିବା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପିର ବିଜୟ ପରେ ବର୍ତ୍ତମାନ ସେଠାରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କଳ୍ପନାଜଳ୍ପନା ଜାରୀ ରହିଛି। ବର୍ତ୍ତମାନ ଯେଉଁମାନଙ୍କ ନାମ ଚର୍ଚ୍ଚାରେ ରହିଛି ସେମାନଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କଲେ ଅନ୍ୟ ଏକ ଗୋଷ୍ଠୀ ବା ଜାତି ଅଡୁଆ ସୃଷ୍ଟି କରିପାରନ୍ତି ବୋଲି ଭୟ ରହିଛି। ସେଥିପାଇଁ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ କିଛି ନିଷ୍ପତି କରିପାରୁ ନାହାଁନ୍ତି। ତେବେ ଏପରି ପରିସ୍ଥିତିରେ ଓଡିଶାରୁ ସାଂସଦ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନାମ ଚର୍ଚ୍ଚାକୁ ଆସିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡେ ଅଶ୍ବିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କୁହାଯାଉଛି। କେବଳ ଘୋଷଣା ବାକି ରହିଛି ବୋଲି ଚର୍ଚ୍ଚା ଚାଲିଛି। ଏହାର କାରଣରେ କୁହାଯାଇଛି ଯେ, ଅଶ୍ବିନୀ ବୈଷ୍ଣବ ଜଣେ ନିର୍ବିବାଦୀୟ ନେତା। ରାଜସ୍ଥାନର ବୈଷ୍ଣବ ବ୍ରାହ୍ମଣ ଜାତିର ହୋଇଥିବାରୁ ଏବଂ ସେ ରାଜ୍ୟ ରାଜନୀତିରେ ତାଙ୍କର ଉଭୟ ସମର୍ଥକ ଓ ବିରୋଧୀ ନ ଥିବାରୁ ସେ ହିଁ ମୁଖ୍ୟମନ୍ତ୍ରୀ ପାଇଁ ଉପଯୁକ୍ତ ହେବେ ବୋଲି ଦଳ ଚିନ୍ତା କରୁଛି।

ବର୍ତ୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦୌଡରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ବାବା ବାଲକନାଥ, ଦୀୟାକୁମାରୀ, ଗଜେନ୍ଦ୍ର ସିଂ ଶେଖାୱାତଙ୍କ ନାମ ରହିଛି। ହେଲେ ଏମାନଙ୍କ ମଧ୍ୟରୁ କାହାକୁ ବି ମୁଖ୍ୟମନ୍ତ୍ରୀ କଲେ ଅନ୍ୟ ଗୋଷ୍ଠୀ ଏବଂ ଜାତି ମଧ୍ୟରେ ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ କାହା ନାମ ଘୋଷଣା ହୋଇପାରୁ ନାହିଁ। ହେଲେ ଏସବୁ ଭିତରେ ରାଣୀ ବସୁନ୍ଧରା ରାଜେଙ୍କ ନାମ ଆଗରେ ରହିଛି।

ବସୁନ୍ଧରା ବର୍ତ୍ତମାନ ଦିଲ୍ଲୀରେ ଡେରା ପକାଇ ନେତାଙ୍କ ସମର୍ଥନ ଜୁଟାଇବାରେ ଲାଗିଛନ୍ତି। ହେଲେ ଚଳିତ ନିର୍ବାଚନରେ ବସୁନ୍ଧରାଙ୍କ ଉପରେ ବହୁ ନେତା ଅସନ୍ତୁଷ୍ଠ ହୋଇ ସ୍ବାଧୀନରୁ ପ୍ରାର୍ଥୀ ହୋଇଥିଲେ। ଏପରି ବର୍ତ୍ତମାନ ବିଧାୟକ ଭାବେ ନିର୍ବାଚନ ହୋଇଥିବା ଅନେକ ନେତା ମଧ୍ୟ ବସୁନ୍ଧାରଙ୍କ କାର୍ଯ୍ୟକଳାପ ନେଇ ସନ୍ତୁଷ୍ଠ ନାହାଁନ୍ତି। ଅନ୍ୟପଟେ ସେ ରାଜପୁତ ସମାଜର ହୋଇଥିବାରୁ ଦଳିତ ସମାଜ ବିରୋଧ କରିବାର ସମ୍ଭାବନା ରହିଛି।

ବସୁନ୍ଧରାଙ୍କ ଉପରେ କର୍ମୀ ଓ ନେତା ଅସନ୍ତୁଷ୍ଠ ଥିବାର କେନ୍ଦ୍ରୀୟ ନେତା ଜାଣିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ବେଳେ ପ୍ରଚାର କରାଗଲା ନାହିଁ। ସେଥିପାଇଁ ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ସନ୍ଦେହ ଘେରରେ ରହିଛି। ହେଲେ ଅନ୍ୟକାହାକୁ ମୁଖ୍ୟମନ୍ତ୍ରୀ କଲେ ବସୁନ୍ଧରାଙ୍କ ଏକ ବଡ ଗୋଷ୍ଠୀ ବିଭାଜନ ସୃଷ୍ଟି କରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। କାରଣ ନିର୍ବାଚନରେ ବିଜେପି ଜିତିବା ପରେ ବହୁ ବିଧାୟକ ବସୁନ୍ଧରାଙ୍କ ବାସଭବନକୁ ଯାଇ ତାଙ୍କୁ ସ୍ବାଗତ କରିଛନ୍ତି।

ଏପରି ପରିସ୍ଥିତିରେ ଅଶ୍ବିନୀ ବୈଷ୍ଣବ ନାମ ଚର୍ଚ୍ଚା ହେଉଛି ବୋଲି ଜଣାପଡିଛି। ପ୍ରଥମ କଥା ହେଲେ ସେ ହେଉଛନ୍ତି ମୂଳ ରାଜସ୍ଥାନୀ, ଜଣେ ଶାନ୍ତଶିଷ୍ଠ ନେତା। ଏପରିକି ରାଜସ୍ଥାନ ରାଜନୀତିରେ ସେ ହେଉଛନ୍ତି ଉଚ୍ଚ ଶିକ୍ଷିତ ନେତା। ସେହିପରି ତାଙ୍କ ଦକ୍ଷତାରେ ମଧ୍ୟ ଖୋଦ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଠ ଅଛନ୍ତି। ଏଥିସହିତ ସେ ମୋଦି ଶାହା ଏବଂ ନଡ୍ଡାଙ୍କ ସହିତ ବହୁ ବରିଷ୍ଠ ନେତାଙ୍କ ମଧ୍ୟରେ ସମନ୍ବୟ ରଖି କାମ କରୁଛନ୍ତି। ତେଣୁ ତାଙ୍କ ନାମ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହୋଇପାରେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଅଶ୍ବିନୀ ବୈଷ୍ଣବଙ୍କ ଏମପି ଲ୍ୟ।ଡ଼ ପାଣ୍ଠିରୁ ବାଲେଶ୍ୱର ଜିଲ୍ଲା ପାଇଁ ମୋଟ ୧ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ଵର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୁନ ମାସ ୨୦ ଏବଂ ୨୧ତାରିଖରେ ବାହାନଗା ବଜାର ଏବଂ ବାଲେଶ୍ୱର ଗସ୍ତ ସମୟରେ ଦୁର୍ଘଟଣା ସ୍ଥଳରେ ପ୍ରଥମ ସହାୟତା ଯୋଗାଇଥିବା ସ୍ଥାନୀୟ ଲୋକ, ଗ୍ରାମବାସୀ ଏବଂ ବେସରକାରୀ ସଂସ୍ଥା (ଏନଜିଓ) ମାନଙ୍କର ସଦସ୍ୟଙ୍କୁ ଭେଟିଥିଲେ। ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସେମାନେ କରିଥିବା ଉଦ୍ୟମକୁ ଶ୍ରୀ ବୈଷ୍ଣବ ପ୍ରଶଂସା କରିଥିଲେ। ସ୍ଥାନୀୟ ବାସିନ୍ଦା ମାନ୍ୟବର ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ ଏହି ଅଞ୍ଚଳ ପାଇଁ କିଛି ଦାବି ଉପସ୍ଥାପନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଦୁଇ ସପ୍ତାହ ମଧ୍ୟରେ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି ଏବଂ ଏହି ଅଞ୍ଚଳର ଉପଯୁକ୍ତ ଆଲୋକ ବ୍ୟବସ୍ଥା ଏବଂ ରାତ୍ରି ସମୟରେ ଦୃଶ୍ୟମାନ ପାଇଁ ଫ୍ଲଡ ଲାଇଟ ବ୍ୟବସ୍ଥା ସହିତ ୨ ଟି ହାଇ ମାସ୍ଟ ଲାଇଟ ପ୍ରଦାନ କରିବା ବାବଦରେ ଅର୍ଥ ବରାଦ କରାଯାଇଛି। ଏହି ଅଞ୍ଚଳର ଡ୍ରେନେଜ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନୂତନ ହ୍ୟୁମ୍ ପାଇପ୍ ସ୍ଥାପନ କାର୍ଯ୍ୟ ଜୋରସୋରରେ ଚାଲିଛି। ଟ୍ରେଞ୍ଚିଂ କାର୍ଯ୍ୟ ହୋଇସାରିଛି ଏବଂ କାର୍ଯ୍ୟ ସ୍ଥଳରେ ନିର୍ମାଣ ସାମଗ୍ରୀ ଉପଲବ୍ଧ ଅଛି ଏବଂ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ। ମାନ୍ୟବର ରେଳ ମନ୍ତ୍ରୀ ଏହି ବିକାଶମୂଳକ କାର୍ଯ୍ୟର ଯୁଦ୍ଧ କାଳୀନ ଭିତ୍ତିରେ ସମାପ୍ତି ସମ୍ବନ୍ଧରେ ଗୁରୁତ୍ୱ ଦେଇଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏମପି ଲ୍ୟ।ଡ଼ ଯୋଜନା ପାଣ୍ଠିରୁ ୧ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ଯାହାକି ପାଣ୍ଠିର ଏକ ବିଶାଳ ଅଂଶ ଅଟେ। ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ରେଳ ମନ୍ତ୍ରୀ ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବାହାନାଗା ଏବଂ ନିକଟବର୍ତ୍ତୀ ଗ୍ରାମଗୁଡିକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧ କୋଟି, ଯେଉଁଥିରେ କମ୍ୟୁନିଟି ସେଣ୍ଟର ଏବଂ ହଲ୍ ସହିତ ସୌଚାଳୟ ଏବଂ ଥଣ୍ଡା ପାନୀୟ ଜଳ ଯୋଗାଇବା, ବାସୁଳି ହାଇସ୍କୁଲ ନିକଟରେ ଶିଶୁ ପାର୍କ ଏବଂ ଜିମ୍ ନିର୍ମାଣ, ଜାତୀୟ ରାଜପଥ-୧୬ ରୁ ୯୫ ନମ୍ବର ଲେବଲ କ୍ରସିଂ ପର୍ଯ୍ୟନ୍ତ ସଂଯୋଗକରି ରାସ୍ତାର ସମ୍ପ୍ରସାରଣ ଓ ମଜବୁତ କରିବା ସାଥି ଠାରେ ସରତିରା ଗ୍ରାମ ରାସ୍ତାର ମରାମତି, ପ୍ରାଣବନ୍ଧୁ ବିଦ୍ୟାପୀଠ ଖେଳ ପଡିଆର ଉନ୍ନତି ଏବଂ ୪୨ ଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ଇତ୍ୟାଦିର ପ୍ରତିଶୃତି ପୂରଣ କରିବା ପାଇଁ ସେ ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହା ବ୍ୟତୀତ ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପାଇଁ ଉନ୍ନତ ଜୀବନ ସହାୟତା (ALS) ଆମ୍ବୁଲାନ୍ସ କ୍ରୟ ପାଇଁ ୩୫ ଲକ୍ଷ ଏବଂ ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲରେ ଗୋଟିଏ ମଡ୍ୟୁଲାର୍ ଅପରେସନ୍ ଥିଏଟର ପାଇଁ ୨୦ ଲକ୍ଷ ଟଙ୍କା ଶ୍ରୀ ବୈଷ୍ଣବଙ୍କ ଦ୍ୱାରା ମଞ୍ଜୁର କରାଯାଇଛି।

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ପଦକ୍ଷେପ ଏବଂ ନିରନ୍ତର ତଦାରଖ ସହିତ ଉପରୋକ୍ତ ପ୍ରକଳ୍ପଗୁଡିକ ଶୀଘ୍ର କାର୍ଯ୍ୟକାରୀ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ ରେଳମନ୍ତ୍ରୀଙ୍କ ତିନିଦିନିଆ ଓଡିଶା ଗସ୍ତ

ଭୁବନେଶ୍ୱର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜିଠାରୁ ତିନି ଦିନିଆ ଗସ୍ତରେ ଓଡିଶା ଆସିବେ। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ଆଜି ସନ୍ଧ୍ୟାରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କରିବା ସହ ତୀର୍ଥଯାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିବା ବିଭିନ୍ନ ସୁବିଧା ଓ ବ୍ୟବସ୍ଥା ସମୀକ୍ଷା କରିବେ।

ଜୁନ ୨୦ ତାରିଖ ପୂର୍ବାହ୍ନରେ ଶ୍ରୀ ବୈଷ୍ଣବ ପୁରୀରେ ରଥ ଯାତ୍ରା ପରିଦର୍ଶନ କରିବା ପରେ ବାଲେଶ୍ୱର ଜିଲ୍ଲା ବାହାନାଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହେବେ।

ସେ ମଧ୍ୟ ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଯାଞ୍ଚ କରିବା ସହିତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରୁ ଲୋକସଭା ପ୍ରାର୍ଥୀ ହେବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ!! ଖୋଜା ଚାଲିଛି ଜିତିବା ପରି ଆସନ

ନୂଆଦିଲ୍ଲୀ: ଓଡିଶାରୁ ଏଥର ଲୋକସଭା ନିର୍ବାଚନ ଲଢେଇ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏ ନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। କାରଣ ବର୍ତ୍ତମାନ ଯେଉଁମାନେ ରାଜ୍ୟସଭା ସଦସ୍ୟ ହୋଇ ମନ୍ତ୍ରୀ ହୋଇଛନ୍ତି ସେମାନେ ସବୁ ଲୋକସଭା ଜିତି ଆସିବାକୁ କୁହାଯାଇଛି। ଏହି ନିଷ୍ପତି କୁଆଡେ ଆରଏସଏସ ନେଇଛି ବୋଲି ଜଣାପଡିଛି।

ଫଳରେ ଅଶ୍ବିନୀଙ୍କ ପରି ଯେତେ ରାଜ୍ୟସଭା ସଦସ୍ୟ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି ସେମାନେ ସମସ୍ତେ ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ। ନଚେତ ୨୦୨୪ ରେ ସେମାନେ ଆଉ ମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଦଳ ତରଫରୁ କୁଆଡେ ରୋକଠୋକ ଜଣାଇ ଦିଆଯାଇଛି। ଫଳରେ ଅଶ୍ବିନୀଙ୍କ ପରି ପ୍ରାୟ ୨୮ ଜଣ ରାଜ୍ୟସଭା ସଦସ୍ୟ ଏଥର ନିର୍ବାଚନ ଲଢିବାକୁ ବାଧ୍ୟ।

ସେମାନଙ୍କ ମଧ୍ୟରେ ଅଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପିୟୁସ ଗୋଏଲ, ଭୂପେନ୍ଦ୍ର ଯାଦବ, ମନସୁଖ ମାଣ୍ଡଭିଆ, ଅଶ୍ବିନୀ ବୈଷ୍ଣବ, ହରଦୀପ ପୁରୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ। ଏମାନଙ୍କ ମଧ୍ୟରେ ୧୦ ଜଣ ମନ୍ତ୍ରୀ ଥିବା ବେଳେ ୧୮ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏପରି ଅଘୋଷିତ ନିର୍ଦ୍ଦେଶନାମା ଜାରୀ ପରେ ଏହି ସୁବିଧାବାଦୀ ନେତାଙ୍କ ମୁଣ୍ଡବଥା ଆରମ୍ଭ ହୋଇଯାଇଛି।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ ଉଭୟ ଓଡିଶାରୁ ଲୋକସଭା ପାଇଁ ଲଢେଇ କରିବେ। ତେବେ ପୂର୍ବରୁ ଧର୍ମେନ୍ଦ୍ର ଓଡିଶାରୁ ଛିଡା ହେବେ ବୋଲି ସ୍ପଷ୍ଟ ହୋଇସାରିଛି। ସେ ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ଛିଡା ହେବେ ବୋଲି ସେଠାରେ ଏବେଠାରୁ ପ୍ରଚାର ଆରମ୍ଭ କରି ଦେଇଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କ ପାଇଁ ଆସନ ଅଡୁଆ ହେବ ନାହିଁ। ହେଲେ ଅଶ୍ବିନୀ ବୈଷ୍ଣବ ଯଦି ଛିଡା ହେବେ ସେ କେଉଁଠାରୁ ପ୍ରାର୍ଥୀ ହେବେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସେ ଓଡିଶା ଲୋକ ନୁହଁନ୍ତି। ହେଲେ ଓଡିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀ ଥିଲେ। ତେଣୁ ତାଙ୍କ ପାଇଁ କେଉଁ ସ୍ଥାନଟି ଜିତିବା ପାଇଁ ସୁବିଧା ହେବ ସେ ନେଇ ଦଳ ତରଫରୁ ଆସନ ଖୋଜା ଚାଲିଛି। ଏ ନେଇ କେନ୍ଦ୍ରକୁ ଜଣାଇବା ପାଇଁ କୁଆଡେ ରାଜ୍ୟ ବିଜେପିକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ଜଙ୍ଗଲ ଜମିକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ଜଙ୍ଗଲ ଅନୁମୋଦନ ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଏବଂ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଜୀଙ୍କର ସହାୟତା ଯୋଗୁଁ ସଫଳ ହୋଇ ପାରିଛି । ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଥିବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୧୧୨ କିଲୋମିଟରରୁ ୧୮୦ କିଲୋମିଟର ମଧ୍ୟରେ ୬୮ କିଲୋମିଟର ରେଳ ଲାଇନ ପାଇଁ ବର୍ତ୍ତମାନ ଜଙ୍ଗଲ ଅନୁମୋଦନ ଦିଆଯାଇଛି ।

ଏହି ପ୍ରକଳ୍ପ ବଲାଙ୍ଗୀର, ସୋନପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ ଏବଂ ପଶ୍ଚିମ ଏବଂ ଉପକୂଳ ଓଡିଶା ମଧ୍ୟରେ ଆଉ ଏକ ରେଳ ସଂଯୋଗ ସ୍ଥାପନ କରିବ ।

୧୯୯୪-୯୫ ରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଥିଲା। ଜଙ୍ଗଲ ମଞ୍ଜୁରୀ ସହିତ ଅନେକ ସମସ୍ୟା ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହେଉଥିଲା। ୨୦୧୪-୧୫ ରୁ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି। ଅଦ୍ୟାବଧି, ୩୦୧ କିମି ମଧ୍ୟରୁ ୧୧୫ କିଲୋମିଟର (ଖୋର୍ଦ୍ଧା ରୋଡରୁ ନୂଆଗାଁ ପର୍ଯ୍ୟନ୍ତ ୯୦ କିଲୋମିଟର) ଏବଂ ବଲାଙ୍ଗୀରରୁ ଝରତରଭା ପର୍ଯ୍ୟନ୍ତ ୨୫ କିଲୋମିଟର) ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି ।

ଖୋର୍ଦ୍ଧା ରୋଡ଼ ପାର୍ଶ୍ୱରୁ ନୂଆଗାଁ ଠାରୁ ଦଶପଲ୍ଲା ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଝରତରଭା ଠାରୁ ଖମ୍ବେଶ୍ୱରପାଲି ପର‌୍ୟ୍ୟନ୍ତ ନିର୍ମାଣ କାର‌୍ୟ୍ୟ ଚଳିତ ଆର୍ଥିକ ବର୍ଷ ସୁଦ୍ଧା କାର‌୍ୟ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆବଶ୍ୟକ ଜମି ଏବଂ ଜଙ୍ଗଲ ମଞ୍ଜୁର ହସ୍ତାନ୍ତର କରିବାରେ ବିଳମ୍ବ ହେତୁ ପ୍ରକଳ୍ପର ମନ୍ଥର ଅଗ୍ରଗତି ହୋଇଥିଲା। ଜଙ୍ଗଲ ମଞ୍ଜୁର ଏବଂ କାର‌୍ୟ୍ୟ ଅନୁମତି ଦଶପଲ୍ଲା ଏବଂ ପୁରୁଣାକଟକ (କିମି ୧୧୨ – କିମି ୧୮୦) ମଧ୍ୟରେ ଥିବା ୧୪୬୯ ଏକର ଜଙ୍ଗଲ ଜମି ପାଇଁ ବିଚାରାଧୀନ ଥିଲା।

ମାର୍ଚ୍ଚ ୨୦୨୩ ସୁଦ୍ଧା ନୁଆଗାଓଁ ଏବଂ ଦଶପଲ୍ଲା ମଧ୍ୟରେ ୧୫.୫ କିଲୋମିଟର ଦୈର୍ଘ୍ୟ ରେଳ ସେକ୍ସନ ମଧ୍ୟରେ ୫୭ ଟି ମାଇନର୍ ଏବଂ ୩ ଟି ମେଜର ବ୍ରିଜ୍ ସହିତ ୧୫ ରୋଡ୍ ଅଣ୍ଡର ବ୍ରିଜ୍ (ଜଟଈଗ୍ଦ) ଏବଂ ୦୪ ଟି ରୋଡ୍ ଓଭର ବ୍ରିଜ୍ (ଜଙଈ) ସହିତ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ଜ୍ଝ ସେହିଭଳି, ମାର୍ଚ୍ଚ ୨୦୨୩ ସୁଦ୍ଧା ଝରତରଭା-ଖମ୍ବେଶ୍ୱରପାଲ୍ଲୀ-ସୋନପୁର (୧୧.୪୦ + ୧୦.୩୦ = ୨୧.୭୦ କିଲୋମିଟର) ଦୈର୍ଘ୍ୟ ରେଳ ସେକ୍ସନ ସମାପ୍ତ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ୧୧୨-୧୮୦ କିଲୋମିଟର ମଧ୍ୟରେ ୯୭.୫୯ ଏକର ଘରୋଇ ଜମି, ୨୬୨.୭୫ ଏକର ସରକାରୀ ଜମି ଉପଲବ୍ଧତା ସହିତ ଜଙ୍ଗଲ ଅନୁମୋଦନ ସଠିକ ସମୟରେ ମିଳିଥିଲେ ଡିସେମ୍ବର ୨୦୨୫ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷଧାର‌୍ୟ୍ୟ କରାଯାଇଥିଲା।

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର‌୍ୟ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର‌୍ୟ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି । ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଶ୍ରୀ ବୈଷ୍ଣବଙ୍କ ଅନ୍ୟତମ ଫୋକସ୍ ପ୍ରକଳ୍ପ ହୋଇଥିବାବେଳେ ଏହା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଭିତ୍ତିଭୂମି ବିକାଶରେ ସ୍ଥାନ ପାଇଅଛି।

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ଜଙ୍ଗଲ ଅନୁମୋଦନ ପ୍ରସଙ୍ଗ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ହସ୍ତକ୍ଷେପ ଏବଂ ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ଜୀ ଙ୍କ ସମର୍ଥନ ଯୋଗୁଁ ସମ୍ଭବ ହୋଇପାରିଛି।

ବହୁ ପ୍ରତୀକ୍ଷିତ ଜନସାଧାରଣ କୈନ୍ଦ୍ରିକ ରେଳ ପ୍ରକଳ୍ପ ନିର୍ମାଣ ସମୟରେ ଉପୁଜୁଥିବା ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡିକୁ ଶୀଘ୍ର ସମାଧାନ ପାଇଁ ତୃଣମୂଳ ସ୍ତରରେ ବିଭିନ୍ନ ସରକାରୀ ଓ ଅନ୍ୟାନ ସଂସ୍ଥା ମାନଙ୍କ ସହିତ ସମନ୍ୱୟ ରକ୍ଷାକରି କାର‌୍ୟ୍ୟକରିବାକୁ ଶ୍ରୀ ବୈଷ୍ଣବ ରେଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଯାହା ଫଳରେ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାର‌୍ୟ୍ୟ ଶୀଘ୍ର ଶେଷ ହେବା ପାଇଁ ତୃଣମୂଳ ସ୍ତରର ସମନ୍ୱୟ ଫଳପ୍ରଦ ହେବ ବୋଲି ସେ କହିଛନ୍ତି

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଟେଲି କମ୍ୟୁନିକେସନ ବଜେଟରେ ଓଡିଶା ପାଇଁ ୫,୧୮୩ କୋଟି ଟଙ୍କା ବ୍ୟୟ ବରାଦ

ନୂଆଦିଲ୍ଲୀ: ଓଡିଶାର ଟେଲି କମ୍ୟୁନିକେସନ ବିକାଶ ପାଇଁ ମୋଟ ୫,୧୮୩ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି। ଗତକାଲି ଏ ନେଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ଏଥିପାଇଁ ଯେଉଁ ଯୋଜନା କରାଯାଇଛି ତାହା ହେଲା

ମାଓ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସଂଯୋଗ ( LWE-I) : ଯୋଜନା କରାଯାଇଥିବା ୨୬୧ ମୋବାଇଲ ଟାୱାର ମଧ୍ୟରୁ ୨୫୬ ବିକିରଣ କରୁଛି। ସମସ୍ତ ବିକିରଣ ସାଇଟଗୁଡିକ ୪ଜି କୁ ଅପଗ୍ରେଡ କରାଯାଉଛି।

ମାଓ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସଂଯୋଗ (LWE-II) : ଯୋଜନା ହୋଇଥିବା ୪୮୩ ଟି ମୋବାଇଲ ଟାୱାର ମଧ୍ୟରୁ ୫୧ ଟି ଟାୱାରକୁ ୫୧ ଟି ସୁରକ୍ଷା ସାଇଟ ଅନ୍ତର୍ଭୁକ୍ତ କରାଯାଇଅଛି ।

ପାଞ୍ଚଟି ଆକାଂକ୍ଷା ରାଜ୍ୟରେ ଜିଲ୍ଲାଗୁଡିକରେ ଅନ୍ତର୍ଭୁକ୍ତ ହୋଇନଥିବା ଗ୍ରାମ ଗୁଡିକ – ଏହି ପ୍ରକଳ୍ପ ମଧ୍ୟରେ ୨୩୭୯ ମୋବାଇଲ ଟାୱାର ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଅଛି ଯାହା ଦ୍ଵାରା ୩୯୩୩ ଗ୍ରାମ ଉପକୃତ ହେବ।

୪ଜି ମୋବାଇଲ ସେବା ପରିତୃପ୍ତ – ୨,୮୧୩ ଗ୍ରାମରେ କାର୍ଯ୍ୟ ଚାଲିଛି

ଭାରତନେଟ ପ୍ରକଳ୍ପ- ୬,୭୯୨ ଗ୍ରାମ ପଞ୍ଚାଯତ ମଧ୍ୟରୁ ୬,୭୩୮ ସମ୍ପୂର୍ଣ ହୋଇଛି।

ଆହୁରି ମଧ୍ୟ, ଭାରତନେଟ ବର୍ତମାନ ଦେଶର ସମସ୍ତ ଗ୍ରାମ ପଞ୍ଚାଯତ / ଗ୍ରାମକୁ ସଂଯୋଗ କରିବ, ଓଡିଶାର ପ୍ରାୟ ୧୩ ଟି ଗ୍ରାମ (ଜିପି ବ୍ୟତୀତ) ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାକୁ ମିଳିଥିବା ୧୦,୦୧୨ କୋଟି ଟଙ୍କା ରେଳ ବଜେଟରେ କଣ ରହିଛି ମୁଖ୍ୟାଂଶ

ନୂଆଦିଲ୍ଲୀ: ଏଥର ଓଡିଶା ପାଇଁ ରେଳବାଇ କ୍ଷେତ୍ରରେ ରେକର୍ଡ ବଜେଟ ବ୍ୟୟ ବରାଦ କରାଯାଇଛି। ଓଡିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ ୧୦,୦୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ପୂର୍ବ ବର୍ଷ ଅପେକ୍ଷା ଏଥର ପ୍ରାୟ ୧୨ ଗୁଣ ଅନୁଦାନ ଆସିଛି। ଏହି ବଜେଟରେ ଯେଉଁ ମୁଖ୍ୟାଂଶ ରହିଛି ତାହା ହେଲା

୧- ନୂଆ ଲାଇନ / ଦୋହରିକରଣ / ଗେଜ ପାରିବର୍ତନ: ୩୭ ପ୍ରକଳ୍ପ; ୪,୬୪୩ କିମି; ୫୫,୨୧୯ କୋଟି

୨-  ନୂତନ ଜନାଜାତିୟ ଗୌରବ କରିଡର ପାଇଁ ୨୮୪ କୋଟି ବ୍ୟୟ ବରାଦ

୩-  ନୂତନ ଶକ୍ତି କରିଡର ପାଇଁ ୨୮୪ କୋଟି ବ୍ୟୟ ବରାଦ

୪-  ନୂତନ ପୋର୍ଟ ସଂଯୋଗୀକରଣ ପାଇଁ ୫୭ କୋଟି ବ୍ୟୟ ବରାଦ

୫- ବାର୍ଷିକ ଅନୁପାତିକ କିମି ୨୦୨୨-୨୩ ରେ (ଜାନୁୟାରୀ-୨୦୨୩ ପର‌୍ୟ୍ୟନ୍ତ ): ୪୨୩ କୋଟି

୬- ବାର୍ଷିକ ଅନୁପାତିକ କିମି ୨୦୦୯-୧୪ ମଧ୍ୟରେ : ୫୩.୪ କୋଟି

୭- ରୋଡ ଓଭର ବ୍ରିଜ /ରୋଡ ଅଣ୍ଡର ବ୍ରିଜ ନିର୍ମାଣ ୨୦୧୪ ଠାରୁ : ୪୧୭ କୋଟି

୮- ଏକ ଷ୍ଟେସନ ଏକ ପ୍ରଡ଼କ୍ଟ ଯୋଜନା ମାଧ୍ୟମରେ ୨୮ ଷ୍ଟେସନ ଚିହ୍ନିତ। ସେଗୁଡିକ ମଧ୍ୟରେ ରହିଛି

■ ପୁରୀ: ପଟ୍ଟଚିତ୍ର ଏବଂ ପିପିଲି ଆପ୍ଲିକ, ମିଠା

■ କଟକ: ରୂପା କାରୁକାର‌୍ୟ୍ୟ, ବୟନଶିଳ୍ପ, ହସ୍ତଶିଳ୍ପ

■ ରାଉରକେଲା: ଜନଜାତିୟ ଉତ୍ପାଦ ଏବଂ ଭର୍ମୀ କମ୍ପୋଷ୍ଟ

■ କୋରାପୁଟ: କୋଟପାଡ ଶାଢୀ, ଖେଳଣା

■ ଢେଙ୍କାନାଳ: ଢୋକ୍ରା କାଷ୍ଟିଙ୍ଗ, ଜନାଜାତିୟ ଗହଣା

■ ସମ୍ବଲପୁର: ସମ୍ବଲପୁରୀ ଶାଢୀ ଓ ପୋଷାକ, ଟେରାକୋଟା

■ ଟିଟିଲାଗଡ: ବାଉଁଶ କାରୁକାର‌୍ୟ୍ୟ ଓ କାରିଗରି

୯- ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡିଶା ୫୭ ଷ୍ଟେସନ କୁ ସାମିଲ। ସେଥିପାଇଁ ୭୭୩ କୋଟି ବ୍ୟୟ ବରାଦ।

୧୦- ୧୦ ଟି ଷ୍ଟେସନରେ ଟେକନିକ୍ ଅର୍ଥନୈତିକ ଅଧ୍ୟୟନ ଆରମ୍ଭ। ସେଗୁଡିକ ହେଲା ନୂଆ ଭୁବନେଶ୍ବର, ରାୟଗଡା, ସମ୍ବଲପୁର, ଭଦ୍ରକ, ବ୍ରହ୍ମପୁର, ଯାଜପୁର କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ, ବାଲେଶ୍ଵର, ଝାରସୁଗୁଡା, ରାଉରକେଲା

୧୧- ୨୭ ଟି ଷ୍ଟେସନରେ କାଯ୍ୟ ଚାଲୁରହିଅଛି। ସେଗୁଡିକ ହେଲା ଢେଙ୍କାନାଳ, ତାଳଚେର ରୋଡ, ପାରାଦୀପ, ମଞ୍ଚେଶ୍ଵର, କେନ୍ଦୁଝରଗଡ, କୋରାପୁଟ, ଜୟପୁର, ତାଳଚେର, ଟିଟଲାଗଡ, ବଲାଙ୍ଗୀର, କେଶିଙ୍ଗା, କଣ୍ଟାବାଞ୍ଜି, ସମ୍ବଲପୁର ସିଟି, ଭାବନିପାଟନା, ଝାରସୁଗୁଡା ରୋଡ, ରେଢାଖୋଲ, ପାରଳାଖେମୁଣ୍ଡି, ବାରିପଦା, ଜଳେଶ୍ଵର, ରାଇରଙ୍ଗପୁର, ବ୍ରଜରାଜନଗର, ବଡ଼ବିଲ, ଅନୁଗୁଳ, ବାଲୁଗାଁ,

୧୨- ୫୭ ଷ୍ଟେସନକୁ ଆଧୁନିକ କରଣ କରିବା ପାଇଁ ନିଷ୍ପତି ହୋଇଛି। ସେଗୁଡିକ ହେଲା ଅନୁଗୁଳ, ବାଦାମପାହାଡ, ବଲାଙ୍ଗୀର, ବାଲେଶ୍ଵର, ବାଲୁଗାଁ, ବଡ଼ବିଲ, ବରଗଡ ରୋଡ, ବାରିପଦା, ବରପାଲି, ବେଳପାହାଡ, ବେତନଟୀ, ଭଦ୍ରକ, ଭାବନିପାଟନା, ଭୁବନେଶ୍ବର, ବିମଳାଗଡ, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦମନଯୋଡି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କରରୋଡ, ହୀରାକୁଦ, ଯାଜପୁର କେନ୍ଦୁଝର ରୋଡ, ଜଳେଶ୍ଵର, ଜରୋଲି, ଜୟପୁର, ଝାରସୁଗୁଡା, ଝାରସୁଗୁଡା ରୋଡ, କଣ୍ଟାବାଞ୍ଜି, କେନ୍ଦୁଝରଗଡ, କେଶିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ, କୋରାପୁଟ, ଲିଙ୍ଗରାଜ ଟେମ୍ପୁଲ ରୋଡ, ମଞ୍ଚେଶ୍ଵର, ମେରମଣ୍ଡଳୀ, ମୁନିଗୁଡା, ନୂଆ ଭୁବନେଶ୍ବର, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡା, ରାଉରକେଲା, ସାକ୍ଷୀ ଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ, ଟିଟିଲାଗଡ.

୧୩- କେବିକେ ଜିଲ୍ଲା – ୧୩ ଷ୍ଟେସନ ପୁନଃ ବିକାଶ ପାଇଁ ଚିହ୍ନିତ: ଟିଟିଲାଗଡ, ବଲାଙ୍ଗୀର, କଣ୍ଟାବାଞ୍ଜି, ହରିଶଙ୍କର ରୋଡ, କେଶିଙ୍ଗା, ଭାବନିପାଟନା, ରାୟଗଡା, ମୁନିଗୁଡା, ଗୁଣୁପୁର, କୋରାପୁଟ, ଜୟପୁର, ଦାମନଯୋଡି, ଖରିଆର ରୋଡ।

୧୪- ଆକାଂକ୍ଷା ଜିଲ୍ଲା- ଷ୍ଟେସନ ବିକାଶ ପାଇଁ ୧୬ ଟି ଷ୍ଟେସନ ଚିହ୍ନିତ: ଢେଙ୍କାନାଳ, ମେରାମଣ୍ଡଳୀ, ପାରଳାଖେମୁଣ୍ଡି, କେଶିଙ୍ଗା, ଭବାନୀପାଟନା, କୋରାପୁଟ, ଜୟପୁର, ଦାମନଯୋଡି, ରାୟଗଡା, ମୁନିଗୁଡା, ଗୁଣୁପୁର, ଖରିଆର ରୋଡ, ଟିଟିଲାଗଡ, ବଲାଙ୍ଗୀର, କଣ୍ଟାବାଞ୍ଜି, ହରିଶଙ୍କର ରୋଡ ରହିଛି

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ଜନସାଧାରଣଙ୍କ ହୃଦୟସ୍ପର୍ଶୀ ଅତି ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ଯାହାକି ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରାଯିବ।

ଭାରତ ବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା ଲକ୍ଷରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପରିକଳ୍ପନା ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ସ୍ଥାନ ପାଇଛି। ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାକୁ ମାନ୍ୟବର ମନ୍ତ୍ରୀ ଶିଘ୍ର କାର୍ଯ୍ୟ ସମ୍ପାଦନ ପାଇଁ ଗୁରୁତ୍ୱାରୋପ କରୁଛନ୍ତି। ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି ଯାହାକି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ।

ସେହିପରି ୧୪ କିଲୋମିଟର ଦୈର୍ଘ୍ୟ ଅନୁଗୁଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ଉପଯୋଗ ହୋଇପାରିବ ଏବଂ ଏହା ବିଭିନ୍ନ ଶିଳ୍ପ ସଂସ୍ଥା ବିଶେଷ ଭାବେ ପାୱାର ହାଉସ ମାନଙ୍କୁ ସହାୟତା ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳର ଉନ୍ନତି ସଙ୍ଗେସଙ୍ଗେ ଦେଶର ଆର୍ଥିକ ବିକାଶରେ ନୂତନ ଅଧ୍ୟାୟ ଯୋଡିବ।

ଏହା ବ୍ୟତୀତ, ବହୁ ପ୍ରତିକ୍ଷିତ ଓ ଜନସାଧାରଣଙ୍କ ପଡିରହିଥିବା ଦୀର୍ଘଦିନର ଦାବିକୁ ପୂରଣ କରିବା ପାଇଁ ବିଶେଷ ଭାବେ ରେଳ ଯାତ୍ରୀ ମାନଙ୍କ ଆକାଂକ୍ଷା ପୂରଣ ପାଇଁ ଦୁଇଟି ନୂତନ ଟ୍ରେନ ପ୍ରଚଳନ କରାଯାଉଅଛି।

ଜନସାଧାରଣଙ୍କ ଦୀର୍ଘଦିନର ଆକାଂକ୍ଷା ଥିବା ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ଏବଂ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର ଓ ଶାଲିମାର (କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନକୁ ପ୍ରଚଳନ କରାଯିବ ଯାହାକି ଯାତ୍ରୀ ମାନଙ୍କର ବହୁ ଦିନର ଆକାଙ୍କ୍ଷାକୁ ପୁରଣ କରିବ। ଏହି ଅଞ୍ଚଳର ଯାତ୍ରୀମାନଙ୍କ ସୁବିଧା ତଥା ଆରାମଦାୟକ ଯାତ୍ରା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ସେବାର ଫଳାଫଳ। ଏହାଦ୍ୱାରା ଯାତ୍ରୀମାନେ ଏଣିକି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଆଉ ମାଧ୍ୟ୍ୟବର୍ତ୍ତୀ ସ୍ଥାନରୁ ଅନ୍ୟ ପରିବହନ ଉପରେ ନିର୍ଭର କରିବେ ନାହିଁ।

ଉଭୟ ନୂତନ ଟ୍ରେନ୍ ସେମାନଙ୍କର ଉଦଘାଟନୀ ଦିବସରେ ଅର୍ଥାତ୍ ୨୯ ଡିସେମ୍ବର, ୨୦୨୨ ରେ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିବେ। ୨୦୮୩୨/୨୦୮୩୧ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ୨୦୨୩ ଜାନୁୟାରୀ ୩ ତାରିଖରୁ ସମ୍ବଲପୁର ଠାରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ଦିନମାନଙ୍କରେ ସନ୍ଧ୍ୟା ୭ ଘ.୧୦ ମି.ରେ ଛାଡି ଶାଲିମାରକୁ ଯାତ୍ରା କରିବାକୁ ଥିବାବେଳେ ଏହା ୨୦୨୩ ଜାନୁୟାରୀ ୪ ତାରିଖରୁ ଶାଲିମାର ଠାରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ମାନଙ୍କରେ ରାତ୍ରି ୯ ଘ.୨୫ ମି.ରେ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

ସେହିଭଳି, ୦୮୪୧୬/୦୮୪୧୫ ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ପୁରୀରୁ ୨୦୨୨ ଡିସେମ୍ବର ୩୧ ତାରିଖ ଠାରୁ ପ୍ରତିଦିନ ଅପରାହ୍ନ ୧ ଘ.୧୫ ମି.ରେ ଛାଡି ଜଳେଶ୍ୱର ଯାତ୍ରା କରିବ ଏବଂ ୨୦୨୩ ଜାନୁୟାରୀ ପହିଲାରୁ ଜଳେଶ୍ୱର ଠାରୁ ସକାଳ ୪ ଘ. ୫୦ ମି.ରେ ଛାଡି ପୁରୀ ଫେରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଦେଶରେ ଚାଲିବ ହାଇଡ୍ରୋଜେନ ଟ୍ରେନ, ସୋଆ ବିଶ୍ବବିଦ୍ୟାଳୟରେ କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଭାରତରେ ଆସନ୍ତା 2023 ମସିହାରେ ଆରମ୍ଭ ହେବ ହାଇଡ୍ରଜୋନ ଟ୍ରେନ ଚଳାଚଳ। ଏହା ଏପରି ଏକ ଟେକନୋଲୋଜିରେ ନିର୍ମାଣ ହେବ ଯାହା ହାଇଡ୍ରୋଜେନ ଶକ୍ତିରେ ଟ୍ରେନ ଚାଲିବ। ଏହିପରି ଏକ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଆଇଟି ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ଶିକ୍ଷା ଓ ଅନୁସନ୍ଧାନ ବା ସୋଆ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି।

ସୋଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମନ୍ତ୍ରୀ କହିଛନ୍ତି ଯେ ଏହି ନୂତନ ଧରଣର ଟ୍ରେନଟି ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ ହେବ। ବର୍ତ୍ତମାନ ବିଶ୍ବରେ ଏହି ଧରଣର ଟ୍ରେନ ଜର୍ମାନୀରେ ଚାଲିଛି। ଗତ ଅଗଷ୍ଠମାସରେ ଏହି ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। ଏହାପରେ ଭାରତ ବିଶ୍ବର ଦ୍ବିତୀୟ ହାଇଡ୍ରୋଜେନ ଟ୍ରେନ ନିର୍ମାତା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଟ୍ରେନ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଏହି ଟ୍ରେନଟିର ଡିଜାଇନିଂ ଏବଂ ଟେକନଲୋଜି ଭାରତର ବିଶେଷଜ୍ଞମାନେ ନିର୍ମାଣ କରିବେ। ସେମାନଙ୍କର କହିବା ଅନୁସାରେ ଏହି ଟ୍ରେନଟି ହାଇଡ୍ରୋଜେନ ପରି ବିଶେଷ ଇନ୍ଧନରେ ଚାଲିବ। ବର୍ତ୍ତମାନ ଟ୍ରେନଗୁଡିକ ଡିଜେଲରେ ଚାଲୁଛି। ସାଢେ ଚାରି କେଜି ଡିଜେଲରେ ଟ୍ରେନ ଯେତିକି ବାଟ ଯିବ ଏକ କିଲୋ ହାଇଡ୍ରୋଜେନ ଇନ୍ଧନରେ ଏହା ସେତିକି ବାଟ ଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ସ୍ବତନ୍ତ୍ର ଇନ୍ଧନ ପ୍ରଦୂଷଣ ମୁକ୍ତ ହେବ, ଯାହା ଭାରତ ପାଇଁ ବିଶେଷ ଭାବେ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ଗୋଟିଏ ଟ୍ରେନରେ ଯଦି ଗୋଟିଏ ହାଇଡ୍ରୋଜନ ଟ୍ୟାଙ୍କର ରୁହେ ତେବେ ତାହା ଏକ ହଜାର କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଇନ୍ଧନରେ ଟ୍ରେନଟି ଘଣ୍ଟା ପ୍ରତି 140 କିଲୋମିଟର ପର୍ଯ୍ୟନ୍ତ ଗତି କରିବ। ଏହା ଯାତ୍ରୀ ତଥା ପରିବେଷ ପାଇଁ ବେଶ ଅନୁକୂଳ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ବର୍ତ୍ତମାନର ରେଳ ସେବା ଉପରେ ମତ ରଖି କହିଛନ୍ତି ଯେ, ଭାରତ ଗତ କିଛି ବର୍ଷ ଧରି ରେଳ ଉପରେ ବେଶ ଅଗ୍ରଗତି କରିଛି। ପୂର୍ବରୁ ରେଳର ବେଗ ଘଣ୍ଟାକୁ 160 କିଲୋମିଟର ରହୁଥିଲା। ବର୍ତ୍ତମାନ ଏହାର ବେଗ 180 କିଲୋମିଟର ଘଣ୍ଟା ପ୍ରତି ରହୁଛି। ସେହିପରି ବନ୍ଦେ ଭାରତ ଏକ୍ସପ୍ରେସ 52 ସେକେଣ୍ଡରେ 100 କିମି ପହଁଚିପାରୁଛି। ଯାହା ବୁଲେଟ ଟ୍ରେନ 55 ସେକେଣ୍ଡ ନେଉଛି। ଆସନ୍ତା ସ୍ବାଧୀନତା ଦିବସରେ ଭାରତରେ ଏହି ହାଡ୍ରୋଜେନ ଟ୍ରେନ ସେବା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବହୁ ପ୍ରକଳ୍ପର ଉଦଘାଟନ ସହ ଦେଖିବେ ରଥଯାତ୍ରା

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପ ଯାଞ୍ଚ କରିବେ ଏବଂ ନୂଆଗାଁ ରୋଡ ଷ୍ଟେସନରେ ମହିପୁର-ନୂଆଗାଁ ରୋଡ ରେଳ ସେକ୍ସନ ର ଶୁଭାରମ୍ଭ କରାଇବେ।

ଏହା ସହିତ ମହିପୁର ଷ୍ଟେସନ ଠାରୁ ସେ 08429/08430 ଭୁବନେଶ୍ୱର-ମହୀପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେସିଆଲ ଟ୍ରେନକୁ ନୂଆଗାଁ ରୋଡ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଶୁଭାରମ୍ଭ କରାଇବା ସହିତ ବୋଲଗଡ ପାସେଞ୍ଜର ହଲଟ ଠାରେ ସେବା ଏକ୍ସପ୍ରେସର ରହଣୀକୁ ଏବଂ ନୂଆଗାଁ ରୋଡ ଠାରୁ ପୁରୀ ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳର ଘୋଷଣା କରିବେ।

ସନ୍ଧ୍ୟାରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ନୂତନ ଷ୍ଟେସନ ବିଲଡିଂର ଉଦଘାଟନ କରିବା ସହିତ ଭୁବନେଶ୍ୱର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସର LHB କୋଚ୍ ସହିତ ଚଳାଚଳକୁ ଶୁଭାରମ୍ଭ କରାଇବେ। ଏହା ବ୍ୟତୀତ ଖୋର୍ଦ୍ଧା ରୋଡ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଳମନ୍ତ୍ରୀ ପଟିଆ ଏବଂ ବାଣୀ ବିହାର ପାସେଞ୍ଜର ହଲଟର ନୂତନ ବିଲ୍ଡିଂର ଉଦଘାଟନ କରିବେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ଏହି ଅବସରରେ ଯୋଗଦାନ କରିବେ।

ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ, ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ଏବଂ ଶ୍ରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ନୂଆଗାଁ ରୋଡ ଷ୍ଟେସନ ଠାରେ ଏବଂ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏବଂ ସୁଶାନ୍ତ କୁମାର ରାଉତ ପ୍ରମୁଖ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ଏହି ଅବସରରେ ଯୋଗଦାନ କରିବେ ରେ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ।

ଶ୍ରୀ ବୈଷ୍ଣବ ମଧ୍ୟ ପୁରୀ ଷ୍ଟେସନ ଠାରେ ଯାତ୍ରୀମାନଙ୍କ ସୁବିଧା ନୀରିକ୍ଷଣ କରିବା ସହିତ ରଥ ଯାତ୍ରା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ଗୁଡିକର ଶୁଭାରମ୍ଭ କରିବେ | ଏହି ସୁବିଧା ଗୁଡିକ ମଧ୍ୟରେ ତୀର୍ଥଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍, ପନ୍ଦର ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଆଚ୍ଛାଦିତ ଆଶ୍ରୟସ୍ଥଳ, ଏକଜୁକେଟିଭ ଲାଉଞ୍ଜ, ମୋବାଇଲ୍ ଟିକେଟ୍ ସୁବିଧା, ବରିଷ୍ଠ ନାଗରିକ (ବୃଦ୍ଧ) / ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡି ସୁବିଧା, ଫୁଡ କୋର୍ଟ ଏବଂ ନିରାଶ୍ରୟ ଲୋକଙ୍କ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥା ଇତ୍ୟାଦି।

Categories
ଆଜିର ଖବର ଜାତୀୟ ଖବର

ଟ୍ରେନ ଦୁର୍ଘଟଣାସ୍ଥଳ ତଦାରଖ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମୃତ ସଂଖ୍ୟା ବୃଦ୍ଧି

କୋଲକାତା: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପଶ୍ଚିମବଙ୍ଗର ନୂତନ ଡୋମହାନି ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଗତକାଲି ସଂଧ୍ୟାରେ ସେଠାରେ ଗୌହାଟୀ ବିକାନେର ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣା ହୋଇଥିଲା। ମନ୍ତ୍ରୀ ଆହତ ଯାତ୍ରୀମାନଙ୍କୁ ଦେଖିବା ପାଇଁ ଡାକ୍ତରଖାନାକୁ ମଧ୍ୟ ଯାଇଥିଲେ।

ଜିଲ୍ଲା ମାଜିଷ୍ଟ୍ରେଟ ମୋଲମିତା ଗୋଦାରା ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନଅ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନ୍ୟ 40 ଜଣ ଆହତ ହୋଇଛନ୍ତି। ଏହି ସମୟରେ ଏକ ଉଚ୍ଚ ସ୍ତରୀୟ ରେଳ ସୁରକ୍ଷା କମିଟକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।