Categories
ଜାତୀୟ ଖବର ବିଶେଷ ଖବର

Train Accident: ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ମୃତ୍ୟୁ ସଂଖ୍ୟା 5, ଉଦ୍ଧାର କାର୍ଯ୍ୟ ଜାରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗୌହାଟି ବିକେନର ଏକ୍ସପ୍ରେସ ଦୁର୍ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ତଦନ୍ତ କରାଯିବ। ଏହି ତଦନ୍ତ ରେଳ ସୁରକ୍ଷା ବିଭାଗ ତରଫରୁ କରାଯିବ। ସେଥିପାଇଁ ଏକ ଉଚ୍ଚ ସ୍ତରୀୟ କମିଟ ଗଠନ କରାଯିବ ବୋଲି ଜଣାପଡଛି।

କୋଲକାତାର ଜଲପାଇଗୁଡି ଜିଲ୍ଲା ଡୋମାହାନିଠାରେ ହୋଇଥିବା ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ବାରଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 45 ଜଣ ଆହତ ହୋଇଥିବା ଜଣାପଡିଛି। ସେହିପରି 50 ଜଣ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଆହତଙ୍କ ମଧ୍ୟରୁ 10 ଜଣ ଗୁରୁତର ଅଛନ୍ତି ବୋଲି ଜଣାପଡିଛି।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୃତକଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେ ଟୁଇଟ ଯୋଗେ ସେ ସୂଚନା ଦେଇଛନ୍ତି ଯେ, ଏହି ମର୍ମନ୍ତୁଦ ଦୁର୍ଘଟଣା ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ବର୍ଗଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ଯେଉଁମାନେ ଏଥିରେ ଆହତ ହୋଇଛନ୍ତି ସେମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସାମାନ୍ୟ ଆହତ ଯାତ୍ରୀଙ୍କୁ 25 ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ରେଳମନ୍ତ୍ରୀ ଘୋଷଣା କରିଛନ୍ତି। ବର୍ତ୍ତମାନ ପାଞ୍ଚ ଜଣ ମୃତ୍ୟୁବରଣ କରିଥିଲେ ମଧ୍ୟ ପରବର୍ତ୍ତି ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି। ସେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହିତ କଥା ହୋଇଛନ୍ତି। ରେଳମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ସଂପର୍କରେ ଅବଗତ କରାଇଛନ୍ତି। ଦୁର୍ଘଟଣା ସ୍ଥଳରେ ତଦାରଖ କରିବା ପାଇଁ ରେଳମନ୍ତ୍ରୀ କୋଲକାତା ଗସ୍ତ କରିଛନ୍ତି।

ଦୁର୍ଘଟଣା ପରେ ରେଳ ସୁରକ୍ଷା ବାହିନୀ, ଏନଡିଆରଏଫ ଟିମ ଏବଂ ବିଏସଏଫ ଟିମ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ମୁଖ୍ୟତଃ ରାତି ହୋଇଯିବା ଏବଂ ବଗି ଉପରେ ବଗି ଚଢିଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡିଛି। ଗ୍ୟାସ କଟର ସାହାଯ୍ୟରେ ବଗି କଟାଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ କୋଚ, ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆଜି ସନ୍ଧ୍ୟାରେ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ସହିତ ରାଜଧାନୀ କୋଚ ଚଳାଚଳକୁ ଭିଡିଓ କାନଫରେନସି ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।

ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ 18452/18451 ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଚଳାଚଳ କରାଇ ଅଛି | ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ ବୋଲି ରେଳ ମନ୍ତ୍ରୀ କହିଥିଲେ ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ରେଳ ଷ୍ଟେସନରେ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ଏବଂ ହାତୀଆ ଠାରେ ଜନପ୍ରତିନିଧି ମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଏହି ଅବସରରେ ସୂଚନା ଦେଇ ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଓଡ଼ିଶାରେ ରେଳ ପ୍ରକଳ୍ପ ସମ୍ପାଦନ ପାଇଁ ପାଣ୍ଠିର ଅଭାବ ନାହିଁ ଏବଂ କୌଣସି ପ୍ରକଳ୍ପ ପାଣ୍ଠିର ପ୍ରତିବନ୍ଧକ ପାଇଁ ବିଳମ୍ବ ହେବ ନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ ଶୀଘ୍ର ଶେଷ ହେବ। ସେ ମଧ୍ୟ ଖୋର୍ଦ୍ଧା ରୋଡ଼ -ବାଲାଙ୍ଗୀର ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଏହି ଉତ୍ସବରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ପ୍ରାରମ୍ଭିକ ଭାଷଣ ଓ ଧନ୍ଯବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଓଡିଶା ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ମାନ୍ୟବର କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଜାନୁୟାରୀ ମାସ ୬ ତାରିଖ ଦିନ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ରାଜଧାନୀ କୋଚ ସହିତ ଚଳାଚଳକୁ ଆଭାସୀ (ଭିଡିଓ କାନଫରେନସି) ମାଧ୍ୟମରେ ଶୁଭାରମ୍ଭ କରିବେ।

ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ ୧୮୪୫୨/୧୮୪୫୧ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଚଳାଇବାକୁ ସ୍ଥିର ହୋଇଛି। ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ।

ଶ୍ରୀ ବୈଷ୍ଣବ ମଧ୍ୟ ଜାନୁୟାରୀ ୭ ତାରିଖ ଦିନ କଟକ ରେଳ ଷ୍ଟେସନ ଠାରେ ଦ୍ୱିତୀୟ ପ୍ରବେଶ ପଥର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କଟକ ଷ୍ଟେସନ ନିରୀକ୍ଷଣ କରିବେ ଏବଂ ଯାତ୍ରୀ ସୁବିଧା ସମ୍ବନ୍ଧରେ ସମୀକ୍ଷା କରିବେ।

କଟକ ରେଳ ଷ୍ଟେସନର ପ୍ରବେଶ ପଥ ବିକାଶ କାର୍ଯ୍ୟଗୁଡିକ ମଧ୍ୟରେ ପରୀକ୍ଷେତ୍ର ଅଞ୍ଚଳରେ ଦୁଇ / ତିନି / ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ରହିବ ସହିତ ଚୌଡା ସଂଯୋଗୀକରଣ ରାସ୍ତା ନିର୍ମାଣ ଅନ୍ତର୍ଭୁକ୍ତ |

ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ପ୍ରମୁଖ ଭୁବନେଶ୍ୱର ରେଳ ଷ୍ଟେସନରେ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିବେ।

ଜାନୁୟାରୀ ୭ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ, ମାନ୍ୟବର ବିଧାୟକ ମହମ୍ମଦ ମୋକିମ, ସୌଭିକ ବିଶ୍ୱାଳ ପ୍ରମୁଖ କଟକ ରେଳ ଷ୍ଟେସନରେ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିବେ।

ରେଳମନ୍ତ୍ରୀ ମଧ୍ୟାହ୍ନ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ଠାରେ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଯାତ୍ରୀବାହୀ ଟ୍ରେନକୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଅପରାହ୍ନରେ ନୀଳଗିରି, ବସ୍ତା ଏବଂ ଜଳେଶ୍ୱର ରେଳ ଷ୍ଟେସନ ଠାରେ ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ପରିଷେବାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପ୍ରଚାରକୁ ଆସିଲେ ନାହିଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଅଛି କିଛି ଭିତିରି କାରଣ

ଭୁବନେଶ୍ବର: ଶେଷ ହେଲା ପିପିଲି ଉପନିର୍ବାଚନ। ଫଳାଫଳ କଣ ହେବ ତାହା ଭିନ୍ନ କଥା। ହେଲେ ଏହି ଉପନିର୍ବାଚନ ରାଜ୍ୟ ରାଜନୀତିରେ କେତେକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି। ସେଥିରୁ ଗୋଟିଏ ହେଲା ଦେଶର ବଳିଷ୍ଠ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପିପିଲି ପ୍ରଚାରରେ ସାମିଲ ନ ହେବା।

ଅଶ୍ବିନୀ ନୂଆ ମନ୍ତ୍ରୀ ହେବା ପରେ ଏହି ପିପିଲି ଉପନିର୍ବାଚନ ଥିଲା ତାଙ୍କ ପାଇଁ ପ୍ରଥମ। ସେଥିପାଇଁ ତାଙ୍କ ନାମ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଥିଲା। ଏଥିସହିତ ଓଡିଶାର ଆଉ ଦୁଇମନ୍ତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ଥିଲା। ସେଥିରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ। ହେଲେ ଏହି ପ୍ରଚାରରୁ ନିଜକୁ ଦୂରେଇ ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଯାହାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ।

ଯେତେବେଳେ ବିଜେପିର ଷ୍ଟାର ପ୍ରଚାରକ ତାଲିକା ବାହାରିଲା ସେତେବେଳେ ଅଶ୍ବିନୀଙ୍କ ନାମକୁ ଦେଖି ପିପିଲିର ବିଜେପି କର୍ମୀ ବେଶ୍ ଉତ୍ସାହିତ ହୋଇପଡିଥିଲେ। କାରଣ ଥିଲା ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଅପେକ୍ଷା ଲୋକେ ଅଶ୍ବିନୀ ବୈଷ୍ଣବଙ୍କୁ ଅଧିକ ପସନ୍ଦ କରୁଛନ୍ତି। ସେ ଆସିଲେ ପ୍ରଚାରର ନିଶ୍ଚିତ ଗୁରୁତ୍ବ ବଢିବ ବୋଲି କର୍ମୀମାନେ ଆଶା ରଖିଥିଲେ। ହେଲେ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ତାହା ସମ୍ଭବ ହେଲା ନାହିଁ।

ଅଶ୍ବିନୀ ବୈଷ୍ଣବ ପିପିଲି ଉପନିର୍ବାଚନ ନ ଆସିବା ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ଆଲୋଚନା ଚାଲିଛି। ହେଲେ ପ୍ରକୃତ କଥା ହେଲା ଯେ ସେ ପ୍ରଚାରକୁ ଆସିଲେ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କୁ ବିରୋଧ କରିପାରିବେ ନାହିଁ। ଏପରି ଏକ ଅଡୁଆ ପରିସ୍ଥିତିରେ ପଡି ସେ ଏହି ପ୍ରଚାରକୁ ଆସିପାରିଲେ ନାହିଁ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଅଶ୍ବିନୀଙ୍କ ପାଇଁ ଆଉ ଏକ ଅସୁବିଧା ହେଲା ଯଦି କୌଣସି ଚାପରେ ଯଦି ସେ ପ୍ରଚାରରେ ଆସି ବିଜେଡି ବିରୋଧରେ କହିଥାଆନ୍ତେ ତେବେ ତାହାକୁ ଲୋକେ ଗ୍ରହଣ କରି ନ ଥାଆନ୍ତେ। କାରଣ ନବୀନଙ୍କ ଆର୍ଶିବାଦରେ ସେ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଛନ୍ତି। ତାଙ୍କ ବିରୋଧରେ କହିଥିଲେ ଲୋକେ ତାଙ୍କୁ ନିଶ୍ଚିତ ବିଶ୍ବାସଘାତକ ବୋଲି କହିବାକୁ ପଛେଇ ନଥାନ୍ତେ।

ଏସବୁ କାରଣ ନେଇ ଅଶ୍ବିନୀ ପିପିଲି ପ୍ରଚାରରୁ ନିଜକୁ ଦୂରେଇ ରଖିଲେ। ତେବେ ପ୍ରଶ୍ନ ଉଠୁଛି ଯେ, ସେ କେତେଦିନ ଏପରି ନିଜକୁ ଦୂରେଇ ରଖିବେ। କାରଣ ନିକଟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ଆସୁଛି। ଏପରି କ୍ଷେତ୍ରରେ ବିଜେପି କର୍ମି ଅଶ୍ବିନୀ ବୈଷ୍ଣବ ପ୍ରଚାର କରନ୍ତୁ ବୋଲି ଚାହିଁବେ। ସେତେବେଳେ ସେ କେତେ ଲୁଚି ରହିବେ ତାହା ସନ୍ଦେହ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର

ପେଗାସସ୍ ମାମଲା ନେଇ ରାଜ୍ୟସଭାରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ, ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର କଥିତ ଉପଯୋଗ” ନେଇ ଗଣମାଧ୍ୟମରେ ୧୮ ଜୁଲାଇ ୨୦୨୧ରେ ପ୍ରକାଶ ପାଇଥିବା ଖବର ସଂକ୍ରାନ୍ତରେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାରେ ଦେଇଥିବା ବିବୃତି ଦେଇଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ “ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର କଥିତ ଉପଯୋଗ ନେଇ ଗଣମାଧ୍ୟମରେ ୧୮ ଜୁଲାଇ ୨୦୨୧ରେ ପ୍ରକାଶ ପାଇଥିବା ଖବର ସଂକ୍ରାନ୍ତରେ ଆଜି ରାଜ୍ୟସଭାରେ ଯାହା ବିବୃତି ରଖିଲେ ତାହାର ଅବିକଳ ଓଡିଆ ରୂପାନ୍ତର ହେଲା..

“ମାନନୀୟ ଅଧ୍ୟକ୍ଷ ମହୋଦୟ,

ମୁଁ କିଛି ଲୋକମାନଙ୍କର ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର ଦୁରୂପଯୋଗ ସହ ଜଡ଼ିତ ଖବର ସଂକ୍ରାନ୍ତର ବିବୃତି ଦେବା ଲାଗି ଛିଡ଼ା ହୋଇଛି। ୧୮ ଜୁଲାଇ, ୨୦୨୧ରେ ଏକ ୱେବ ପୋର୍ଟାଲରେ ଅତ୍ୟନ୍ତ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଥିଲା। ଏହି ଖବର ମାଧ୍ୟମରେ ଅନେକଗୁଡ଼ିଏ ଗମ୍ଭୀର ଅଭିଯୋଗ ଅଣାଯାଇଛି।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଗଣମାଧ୍ୟମରେ ଏହି ଖବର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆସିଛି। ଏହାକୁ କେବଳ ମାତ୍ର ଏକ ସଂଯୋଗ ବୋଲି କୁହାଯାଇପାରିବ ନାହିଁ। ପୂର୍ବରୁ ମଧ୍ୟ ଏପରି ଭାବେ ପେଗାସସ ସ୍ପାଏୱେରର ହ୍ବାଟ୍ସଆପରେ ଦୂରୁପଯୋଗ ସଂକ୍ରାନ୍ତରେ ଦାବି କରାଯାଇଥିଲା। ଏହି ଦାବିର କୌଣସି ତଥ୍ୟାତ୍ମକ ଆଧାର ନଥିଲା ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମେତ ସମସ୍ତ ସ୍ଥାନରେ ସମ୍ପୃକ୍ତ ପକ୍ଷ ଏହାକୁ ଖାରଜ କରି ଦେଇଥିଲେ। ୧୮ଜୁଲାଇ ୨୦୨୧ରେ ଏ ସଂକ୍ରାନ୍ତରେ ପ୍ରକାଶ ପାଇଥିବା ଖବର ଭାରତର ଗଣତନ୍ତ୍ର ଏବଂ ଏହାର ସୁଦୃଢ଼ ସଂସ୍ଥାଗୁଡ଼ିକର ଗରିମାକୁ କ୍ଷତିଗ୍ରସ୍ତ କରିବା ଉଦ୍ଦେଶ୍ୟରେ ପ୍ରକାଶିତ କରାଯାଇଛି।

ଏହି ଖବରକୁ ବିସ୍ତୃତ ଭାବେ ପଢ଼ିନଥିବା ଲୋକମାନଙ୍କୁ ଆମେ ଦୋଷ ଦେଇପାରିବା ନାହିଁ। ମୁଁ ସଦନର ସମସ୍ତ ସମ୍ମାନିତ ସଦସ୍ୟମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଏହି ପ୍ରସଙ୍ଗରେ ସମସ୍ତ ତଥ୍ୟ ଓ ତର୍କକୁ ସେମାନେ ଗଭୀର ଭାବେ ଯାଞ୍ଚ କରନ୍ତୁ। ଏହି ଖବରର ଆଧାରରେ ଏକ ଡାଟାବେସ ରହିଛି ଯାହା ପାଖରେ କଥିତ ଭାବେ ୫୦ ହଜାର ଫୋନ ନମ୍ବରରୁ ଲିକ୍ ହୋଇଥିବା ଡାଟା ରହିଛି। ଅଭିଯୋଗ କରାଯାଉଛି ଯେ ଏହି ଫୋନ ନମ୍ବରଗୁଡ଼ିକ ଯେଉଁ ବ୍ୟକ୍ତିମାନଙ୍କର, ସେମାନଙ୍କ ଉପରେ ନଜର ରଖାଯାଉଛି। କିନ୍ତୁ ରିପୋର୍ଟରେ ଏହା କୁହାଯାଇଛି ଯେ :

ଡାଟାବେସ୍ ଫୋନ ନମ୍ବର ମିଳିବା ଫଳରେ ଫୋନ ପେଗାସସ ସ୍ପାଇୱେର ଦ୍ବାରା ପ୍ରଭାବିତ ହୋଇଛି କିମ୍ବା ଏହା ଉପରେ କୌଣସି ସାଇବର ଆକ୍ରମଣ ହୋଇଛି ବୋଲି ପ୍ରମାଣିତ ହେଉ ନାହିଁ।

କୌଣସି ଫୋନର ବୈଷୟିକ ବିଶ୍ଳେଷଣ କରାନଯାଇ ସେଥିରେ ସାଇବର ଆକ୍ରମଣର ପ୍ରୟାସ ସଫଳ ହୋଇଛି କି ନାହିଁ କହିବା ଠିକ୍ ହେବ ନାହିଁ।

ସେଥିପାଇଁ ଏହି ରିପୋର୍ଟ ସ୍ବତଃ ଏହା ପ୍ରମାଣିତ କରୁଛି ଯେ ଡାଟା ବେସ୍ରେ ଫୋନ ନମ୍ବର ମିଳିବାର ଅର୍ଥ ସେମାନଙ୍କ ଉପରେ କୌଣସି ପ୍ରକାରର ଗୁପ୍ତ ନଜର ଯେ ରଖାଯାଇଛି ତାହା ପ୍ରମାଣିତ କରୁନାହିଁ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏ ସଂକ୍ରାନ୍ତରେ ଏହି ଜ୍ଞାନକୌଶଳର ମାଲିକାନା ଥିବା ଏନଏସଓର ବୟାନ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ। ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ :

ଏନଏସଓ ଗ୍ରୁପ୍ ଏହା ବିଶ୍ବାସ କରିଥାଏ ଯେ ଆପଣମାନେ କରିଥିବା ଦାବି-ଏଚଏଲଆର ଲୁକଅପ୍ ସର୍ଭିସେସ ଭଳି ମୌଳିକ ସୂଚନାରୁ ତଥ୍ୟ ଲିକ୍ ହେବା-ଏକ ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା ଉପରେ ଆଧାରିତ। ସୂଚୀଭୁକ୍ତ ଉପଭୋକ୍ତାମାନେ ପେଗାସସ୍ କିମ୍ବା ଏନଏସଓର ଅନ୍ୟ କୌଣସି ଉତ୍ପାଦର ଶିକାର ହେବା ସହିତ ଏହାର କୌଣସି ସମ୍ପର୍କ ନାହିଁ।

ଏହି ସେବା ଯେକୌଣସି ବ୍ୟକ୍ତିଙ୍କୁ ଯେକୌଣସି ସମୟରେ ଉପଲବ୍ଧ, ଯାହାର ସାଧାରଣ ପ୍ରୟୋଗ ସରକାରୀ ସଂସ୍ଥା ଏବଂ ଘରୋଇ କମ୍ପାନୀଗୁଡ଼ିକ ସାରା ବିଶ୍ବରେ କରୁଛନ୍ତି। ଗୋପନୀୟ ଭାବେ ନଜର ରଖାଯିବା କିମ୍ବା ଏନଏସଓ ସହିତ ନିଶ୍ଚିତ ଭାବେ ଏହି ତଥ୍ୟର କୌଣସି ସମ୍ପର୍କ ନାହିଁ। ତେଣୁ ଗୁପ୍ତ ଭାବେ ନଜର ରଖାଯିବା ଲାଗି ଏହି ତଥ୍ୟ ଉପଯୋଗ କରାଯିବା ଦାବି ସମ୍ପୂର୍ଣ୍ଣ ଭାବେ ଆଧାରହୀନ ଅଟେ।

ଏନଏସଓ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ଦେଶଗୁଡ଼ିକର ନାମ ପେଗାସସର ଉପଭୋକ୍ତା ସୂଚୀରେ ଦର୍ଶାଯାଇଛି, ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭୁଲ ଏବଂ ଏଗୁଡ଼ିକ ମଧ୍ୟରୁ ଅନେକ ଦେଶ ସେମାନଙ୍କର ଉପଭୋକ୍ତା ନୁହନ୍ତି। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଏହାର ଅଧିକାଂଶ ଉପଭୋକ୍ତା ହେଉଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର।

ତେଣୁ ଏହା ସ୍ପଷ୍ଟ ଯେ ଏନଏସଓ ପକ୍ଷରୁ ପ୍ରକାଶିତ ଖବରରେ କରାଯାଇଥିବା ଦାବିଗୁଡ଼ିକୁ ଖଣ୍ଡନ କରାଯାଇଛି।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଭାରତରେ ଗୁପ୍ତ ନଜର ରଖାଯିବା ସଂକ୍ରାନ୍ତରେ ଏକ ନିର୍ଦ୍ଧାରିତ ପ୍ରୋଟୋକଲ ରହିଛି। ବିରୋଧୀ ଦଳରେ ଥିବା ମୋର ସହଯୋଗୀ ଏବଂ ଯେଉଁମାନେ ଅନେକ ବର୍ଷ ଧରି ସରକାରରେ ଥିଲେ, ସେମାନେ ନିଶ୍ଚିତ ଭାବେ ଏହି ପ୍ରୋଟୋକଲ ସମ୍ପର୍କରେ ସୂଚନା ପାଇଥିବେ। ସେମାନେ ଅନେକ ବର୍ଷ ଧରି ସରକାରରେ ଥିଲେ, ସେଥିପାଇଁ ସେମାନେ ଏହା ଜାଣିଥିବେ ଯେ କୌଣସି ପ୍ରକାରରେ କାହା ଉପରେ ନଜର ରଖାଯିବା, ଆଇନଗତ ନିୟନ୍ତ୍ରଣ ବିନା ସମ୍ଭବ ନୁହେଁ।

ଭାରତରେ ଏକ ନିର୍ଦ୍ଧାରିତ ପ୍ରକ୍ରିୟା ରହିଛି, ଯାହା ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ବାର୍ତ୍ତାଗୁଡ଼ିକୁ ଆଇନଗତ ଭାବେ ପ୍ରତିରୋଧ (ଇଣ୍ଟରସେପ୍ସନ) କରାଯାଇଥାଏ ଏବଂ ଏହା କେବଳ ଜାତୀୟ ସୁରକ୍ଷା ଭଳି କାରଣ, ବିଶେଷ କରି କୌଣସି ସାର୍ବଜନୀନ ବିପତ୍ତି କିମ୍ବା ଜନ ସୁରକ୍ଷା ବିଷୟରେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ସଂସ୍ଥା ଦ୍ବାରା କରାଯାଇଥାଏ।

ଇଲେକ୍ଟ୍ରୋନିକ୍ସ ବାର୍ତ୍ତାଗୁଡ଼ିକର ଆଇନଗତ ପ୍ରତିରୋଧ ଅନୁରୋଧ ଭାରତୀୟ ଟେଲିଗ୍ରାଫ ଆଇନ, ୧୮୮୫ର ଧାରା ୫(୨) ଏବଂ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୯ ଅନ୍ତର୍ଗତ କରାଯାଇଥାଏ। ନଜର ରଖାଯିବା କିମ୍ବା ପ୍ରତିରୋଧର ସମସ୍ତ ମାମଲା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଅନୁମୋଦିତ କରାଯାଇଥାଏ। ଆଇଟି (ପ୍ରୋସିଜ୍ୟୋର ଆଣ୍ଡ ସେଫ୍ଗାର୍ଡସ ଫର ଇଣ୍ଟରସେପ୍ସନ, ମନିଟରିଂ ଆଣ୍ଡ ଡିକ୍ରିପ୍ସନ ଅଫ ଇନଫରମେସନ) ନିୟମାବଳୀ, ୨୦୦୯ ବଳରେ ଏହି କ୍ଷମତା ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ସମିତି ରୂପରେ ଏଠାରେ ନିରୀକ୍ଷଣର ଏକ ନିର୍ଦ୍ଧାରିତ ବ୍ୟବସ୍ଥା ରହିଛି। ରାଜ୍ୟ ସରକାରଙ୍କ ସ୍ତରରେ ଏପରି ବିଷୟର ନିରୀକ୍ଷଣ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ସମିତି କରିଥାଏ। ଯେଉଁ ଲୋକମାନେ ଏପରି ଘଟଣାରେ ପୀଡ଼ିତ, ସେମାନଙ୍କୁ ନ୍ୟାୟ ଦେବା ଲାଗି ଆଇନଗତ ବ୍ୟବସ୍ଥା ରହିଛି।
ସେହିପରି କୌଣସି ପ୍ରକାରରେ କାହା ଉପରେ ନଜର ରଖାଯିବା କିମ୍ବା ପ୍ରତିରୋଧ କରାଯିବା କାର‌୍ୟ୍ୟ ଆଇନଗତ ପ୍ରକ୍ରିୟା ମାଧ୍ୟମରେ କରାଇବା ଲାଗି ଏହି ପ୍ରକ୍ରିୟାରେ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଏବଂ ସଂସ୍ଥାଗୁଡ଼ିକ ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଶେଷରେ, ମୁଁ କହିବାକୁ ଚାହୁଁଛି ଯେ :

● ଏହି ରିପୋର୍ଟର ପ୍ରକାଶକ କହିଛନ୍ତି ଯେ, ରିପୋର୍ଟରେ ଦିଆଯାଇଥିବା ଫୋନ ନମ୍ବର ଉପରେ ନଜର ରଖାଯାଉଥିଲା ବୋଲି କୁହାଯାଇପାରିବ ନାହିଁ।
● ଯେଉଁ କମ୍ପାନୀର ଜ୍ଞାନକୌଶଳକୁ କଥିତ ଭାବେ ଦୁରୂପଯୋଗ କରାଯାଉଥିବା କୁହାଯାଉଛି, ସେହି କମ୍ପାନୀ ମଧ୍ୟ ଏହି ଦାବିକୁ ସ୍ପଷ୍ଟ ଭାବେ ଖାରଜ କରିଛି।
● ଦୀର୍ଘ ସମୟ ଧରି ଦେଶରେ ପ୍ରତିଷ୍ଠିତ ଆଇନଗତ ପ୍ରକ୍ରିୟା ଏହା ସୁନିଶ୍ଚିତ କରୁଛି ଯେ କୌଣସି ପ୍ରକାରର ବେଆଇନ ନଜର ରଖାଯିବା ସମ୍ଭବ ନୁହେଁ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏହି ବିଷୟକୁ ତର୍କସଙ୍ଗତ ଦୃଷ୍ଟିକୋଣରୁ ଦେଖିଲେ ଏହା ଜଣାପଡ଼ୁଛି ଯେ ଏପରି ଚାଞ୍ଚଲ୍ୟକର ବିଷୟର କୌଣସି ସତ୍ୟତା ନାହିଁ।
ଧନ୍ୟବାଦ, ମାନନୀୟ ଅଧ୍ୟକ୍ଷ ମହୋଦୟ।”

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବର୍ତ୍ତମାନ ଓଡିଶା ବିଜେପିର ପୋଷ୍ଟର ବଏ କିଏ ହେବ, ଅଶ୍ବିନୀ ନା ଧର୍ମେନ୍ଦ୍ର, ଚିନ୍ତାରେ ଦଳର ନେତା

ଭୁବନେଶ୍ବର, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଶ୍ବିନୀ ବୈଷ୍ଣବଙ୍କ କ୍ଷମତା ବୃଦ୍ଧି ଏବଂ ଧର୍ମେନ୍ଦ୍ରଙ୍କ ଶକ୍ତିହ୍ରାସ ପରେ ଚିନ୍ତାରେ ରାଜ୍ୟ ବିଜେପି। କାରଣ ହେଲା ବର୍ତ୍ତମାନ ଓଡିଶାର ବିଭିନ୍ନ ପୋଷ୍ଟର ବ୍ୟାନରରେ ବିଜେପିର ମୁଖ୍ୟ ଆକର୍ଷଣରେ କିଏ ରହିବ। ଏ ନେଇ ଦଳ ଭିତରେ ଚାଲିଛି ଘଣ୍ଟାଚକଟା ।

ପୂର୍ବରୁ ଶକ୍ତିଶାଳୀ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କର ଓଡିଶା ବିଜେପିରେ ଅଖଣ୍ଡ କ୍ଷମତା ଥିଲା। ସେହି ଆଧାରରେ ସେ ଓଡିଶା ବିଜେପିର ଅଘୋଷିତ ସୁପ୍ରିମୋ ଭାବେ କାର୍ଯ୍ୟ କରୁଥିଲେ। ବିଜେପିର ସମସ୍ତ କାର୍ଯ୍ୟକ୍ରମର ପ୍ରଚାର ପତ୍ରରେ ଧର୍ମେନ୍ଦ୍ର ମୁଖ୍ୟ ଆକର୍ଷଣ ହୋଇଛନ୍ତି। ଅନେକ ପୋଷ୍ଟର ଏବଂ ହୋଡିଂସରେ ଧର୍ମେନ୍ଦ୍ରଙ୍କ ବଡମୁଣ୍ଡ ଏବଂ ରାଜ୍ୟର ଅନ୍ୟ ନେତାମାନଙ୍କ ଛୋଟ ମୁଣ୍ଡ ରହୁଥିଲା। ତାଙ୍କୁ ଧରି ବର୍ତ୍ତମାନ ବିଜେପି ରାଜ୍ୟରେ ରାଜନୀତି କରୁଛି।

ତେବେ ବର୍ତ୍ତମାନ ଅଶ୍ବିନୀ ବୈଷ୍ଣବ ପାୱାରଫୁଲ ମନ୍ତ୍ରୀ ହେବା ପରେ ତାଙ୍କୁ ପୋଷ୍ଟରବଏ କରାଯିବ କି ନାହିଁ ସେହି ଚିନ୍ତା ବିଜେପି ନେତାଙ୍କୁ ଘାରିଛି। ହେଲେ ଅଶ୍ବିନୀଙ୍କୁ ନେଇ ଓଡିଶା ବିଜେପି ପାଇଁ ଦୁଇଟି ବଡ ଅଡୁଆ ରହିଛି। ତାହା ହେଲା ସେ ହେଉଛନ୍ତି ରାଜ୍ୟ ଶାସକ ଦଳ ବିଜେଡିର ସମର୍ଥିତ ସାଂସଦ। ତେଣୁ ତାଙ୍କୁ ପୋଷ୍ଟର ବଏ କଲେ ଲୋକେ ଏହାକୁ କେତେଦୂର ଗ୍ରହଣ କରିବେ ସେ ନେଇ ସନ୍ଦେହ ରହିଛି।

ଦ୍ବିତୀୟରେ ତାଙ୍କୁ ଓଡିଶାର ଲୋକେ ଭଲ ଭାବେ ଜାଣନ୍ତି ନାହିଁ। ଏପରିକି ସେ ଓଡିଶା ରାଜନୀତିରେ ସକ୍ରିୟ ରହିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଅନ୍ୟ ଏକ ବଡ କଥା ହେଲା ଯେ, ଅଶ୍ବିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ତଥା ବିଜେଡି ବିରୋଧରେ କେବେ କିଛି କହିପାରିବେ ନାହିଁ। ତେଣୁ ବିଜେଡିକୁ ଯେଉଁ ମାଡ ମାରିବ ବୋଲି ବିଜେପି ଭାବିଛି ତାହା ଅଶ୍ବିନୀଙ୍କ ଦ୍ବାରା ହୋଇପାରିବ ନାହିଁ।

ଏସବୁକୁ ନେଇ ବିଜେପି ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଯାଇଛି। ଅଶ୍ବିନୀଙ୍କୁ ପୋଷ୍ଟର ବଏ କଲେ କିଛି ଲାଭ ହେବ ନାହିଁ ବୋଲି ଦଳ ଭାବୁଛି। ହେଲେ ସେ କେନ୍ଦ୍ରରେ ଜଣେ ପାୱାରଫୁଲ ମନ୍ତ୍ରୀ ହୋଇଥିବାରୁ ତାଙ୍କୁ ପୁରା ବାଇପାଶ ମଧ୍ୟ କରିପାରିବ ନାହିଁ। ଫଳରେ ବର୍ତ୍ତମାନ କଣ କରାଯିବ ସେ ନେଇ ଚିନ୍ତାରେ ପଡିଯାଇଛି ବିଜେପି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଜନ୍ମଦିନ

ଭୁବନେଶ୍ବର, ଆଜି ହେଉଛି କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଜନ୍ମଦିନ। ସେ ରାଜସ୍ଥାନର ଯୋଧପୁରରେ 1970 ମସିହା ଜୁଲାଇ 18 ତାରିଖରେ ଜନ୍ମଗ୍ରହଣ କରିଛନ୍ତି। ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ତେବେ ମୋଦି ମନ୍ତ୍ରୀମଣ୍ଡଳରେ ତିନୋଟି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହେବା ପରେ ସେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି।

1994 ବ୍ୟାଚ ଓଡିଶା କ୍ୟାଡରର ଏହି ଆଇଏଏସ ଅଧିକାରୀ ଓଡିଶାରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଭାବେ ପରିଚିତ ଅଶ୍ବିନୀ ଅଟଳବିହାରୀ ବାଜେପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ଏହାପରେ ଆଇଏଏସ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଇ କରର୍ପୋରେଟ ସେକ୍ଟରରେ କାମ କରୁଥିଲେ। ବର୍ତ୍ତମାନ ସେ ଦେଶରେ ଜଣେ ଶକ୍ତିଶାଳୀ ମନ୍ତ୍ରୀ ଭାବେ ପରିଚିତ ହୋଇପାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ରେଳ ପ୍ରକଳ୍ପ ସମୀକ୍ଷା କରି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ, ନୂଆ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ନୂଆ ରେକର୍ଡ କରିଛନ୍ତି। ତାହା ହେଲା ସେ ଆଜି ରାତି 12 ଟା ପର୍ଯ୍ୟନ୍ତ ସମୀକ୍ଷା ବୈଠକ କରିଛନ୍ତି। ବିଶେଷ କରି ଓଡିଶାର 25ଟି ରେଳ ପ୍ରକଳ୍ପ ଉପରେ ଏହି ସମୀକ୍ଷା ବୈଠକ କରିଥିଲେ।

ଆଜି ବିଭାଗୀୟ ଅଧିକାରୀଙ୍କୁ ଓଡିଶାର ରେଳ ପ୍ରକଳ୍ପର ସ୍ଥିତି ବିଷୟରେ ଅବଗତ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଅଧିକାରୀମାନେ ସମସ୍ତ ରେକର୍ଡ ନେଇ ତାଙ୍କ ଅଫିସରେ ହାଜର ହୋଇଥିଲେ। ତେବେ ଏହି ସମୀକ୍ଷା ଶେଷ ହେବା ବେଳକୁ ରାତି 12 ବାଜି ଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ବନାମ ବୈଜୟନ୍ତ: ଆସାମ ବେଳେ ତମେ ସ୍ବାଗତ କରି ନ ଥିଲ, ଏବେ ମୁଁ କାହିକି ଶୁଭେଚ୍ଛା କରିବି !

ଭୁବନେଶ୍ବର, ନିକଟରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ଓଡିଶାର ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଉଛି। କାରଣ ଏଥର ଓଡିଶାର ତିନିଜଣ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା, ଅଶ୍ବିନୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବା ଅନ୍ୟତମ କାରଣ। ସେଥିପାଇଁ ଦଳମତ ନିର୍ବିଶେଷରେ ଏହି ତିନିଜଣଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି। ହେଲେ ଆଶ୍ଚର୍ଯ୍ୟର କଥା ଟୁଇଟରେ ସବୁବେଳେ ସକ୍ରିୟ ଥିବା ବୈଜୟନ୍ତ ପଣ୍ଡା କାହାକୁ ବି ସ୍ବାଗତ କରି ନାହାଁନ୍ତି। ନା ଧର୍ମେନ୍ଦ୍ର, ନା ଅଶ୍ବିନୀ କିମ୍ବା ନା ବିଶେଶ୍ବର।

ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଓଡିଶାର ଏହି ତିନି ଜଣ ମନ୍ତ୍ରୀଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ସହିତ ବିଜେଡିର କେତେକ ନେତା ମଧ୍ୟ ସ୍ବାଗତ କରିଛନ୍ତି। ବିଜେପି ଦଳର ପ୍ରାୟ ସମସ୍ତ ନେତା ମଧ୍ୟ ଏହି ତିନିଜଣଙ୍କୁ ସ୍ବାଗତ କରିଛନ୍ତି। ହେଲେ ବୈଜୟନ୍ତ ପଣ୍ଡା ପୁରା ନିରବକୁ ନେଇ ଦଳ ଭିତରେ ଚାଲିଛି ଆଲୋଚନା।

ରାଜ୍ୟ ବିଜେପିର ଜଣେ ଟାଣୁଆ ନେତାଙ୍କ କହିବା କଥା ଯେ, ବୈଜୟନ୍ତ ଏଥର କୁଆାଡେ ମନ୍ତ୍ରୀ ହେବେ ବୋଲି ବେଶ୍ ଚେଷ୍ଠା କରିଥିଲେ। ଏପରିକି ବହୁ ଜାତୀୟ ଟିଭି ଚ୍ୟାନେଲରେ ସେ ମନ୍ତ୍ରୀ ହେଉଛନ୍ତି ବୋଲି ପ୍ରଚାର ମଧ୍ୟ କରାଇଥିଲେ। ସେତେବେଳେ କେତେକ ଚ୍ୟାନେଲ ଏପରି ପ୍ରଚାର କଲେ ଯେ, ଲାଗିଲା ବୈଜୟନ୍ତ ମନ୍ତ୍ରୀ ହୋଇସାରିଛନ୍ତି।  ହେଲେ ମୋଦି ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କଲେ ନାହିଁ। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ଅଶ୍ବିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁଙ୍କୁ ମନ୍ତ୍ରୀ ମଣ୍ଡଳରେ ନିଆଗଲା।

ଏହାକୁ ନେଇ ବୈଜୟନ୍ତ କୁଆଡେ ଭାରି ଖପ୍ପା। ତାଙ୍କୁ ନ ନେଲେ ନାହିଁ, ଧର୍ମେନ୍ଦ୍ରଙ୍କୁ ପୁଣି ମନ୍ତ୍ରୀ ମଣ୍ଡଳରେ ସାମିଲ କରିବାକୁ ନେଇ ତାଙ୍କୁ ଆହୁରି ବାଧିଛି। ସେଥିପାଇଁ ଧର୍ମେନ୍ଦ୍ରଙ୍କ ପାଇଁ ବୈଜୟନ୍ତ କାହାକୁ ହେଲେ ଶୁଭେଚ୍ଛା ଜଣାଇଲେ ନାହିଁ। ନୂଆ ମନ୍ତ୍ରୀମଣ୍ଡଳ ଦିନ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକରେ ବୈଜୟନ୍ତ ଟୁଇଟରରେ ଶୋକ ପ୍ରକାଶ କରିଛନ୍ତି। ହେଲେ ସଂଧ୍ୟାରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ସେ ଚୁପ ରହିଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କୁ ବୈଜୟନ୍ତ ସ୍ବାଗତ ନ କରିବାର ପଛରେ ଆଉ ଏକ କାରଣ ମଧ୍ୟ ରହିଛି ବୋଲି କୁହାଯାଉଛି। ତାହା ହେଲା ଆସାମ ନିର୍ବାଚନରେ ବିଜେପିର ସଫଳତା ନେଇ  ଧର୍ମେନ୍ଦ୍ର ପ୍ରଧାନ ସେତେବେଳେ ମୋଦିସାହାଙ୍କଠାରୁ ଆରମ୍ଭ କରି ଆସାମର ତଳ ସ୍ତର ନେତାଙ୍କୁ ଧନ୍ୟବାଦ ଦେଲେ। ହେଲେ ଆସାମ ପ୍ରଭାରୀ ବୈଜୟନ୍ତ ନାମ ସେଥିରେ ନ ଥିଲା। ସେଥିପାଇଁ ବିଜେପି ଭିତରେ କୁହାକୁହି ହେଉଛନ୍ତି ଯେ, ‘ଆସାମ ନିର୍ବାଚନରେ ମୋତେ ଧନ୍ୟବାଦ ଦେଇ ନ ଥିଲ, ତମେ ମନ୍ତ୍ରୀ ହେଲେ ମୁଁ କାହିଁକି ଶୁଭେଚ୍ଛା ଜଣାଇବି।’

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଶ୍ବିନୀ ବୈଷ୍ଣବ ହେଲେ କେନ୍ଦ୍ର ମନ୍ତ୍ରୀ, କିନ୍ତୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମିଳିଲା ଶୁଭେଚ୍ଛା, କାହିଁକି ?

ଭୁବନେଶ୍ବର, ଅଶ୍ବିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କେତେକ ଲୋକ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଶୁଭେଚ୍ଛା କରୁଛନ୍ତି। ସୌମ୍ୟବାବୁଙ୍କୁ ଫୋନ କରି କହୁଛନ୍ତି, ଆପଣ କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା।

ସୌମ୍ୟବାବୁ ଏପରି ଫୋନ କଲ ପାଇ ସେଦିନ ଆଉ ସମ୍ଭାଳିପାରିଲେ ନାହିଁ। ସମସ୍ତଙ୍କୁ ମୁଁ ଅଶ୍ବିନୀ ବୈଷ୍ଣବ ନୁହେଁ ବୋଲି କହି କହି ବ୍ୟସ୍ତ ହେଲେ। ସାଧାରଣତଃ ଯେ କେହି ମନ୍ତ୍ରୀ ହେଲେ ଚିହ୍ନା ଅଚିହ୍ନା ଲୋକେ ଶୁଭେଚ୍ଛା ଦେଇଥାନ୍ତି। ହେଲେ ଲୋକେ ଅଶ୍ବିନୀବାବୁଙ୍କ ଶୁଭେଚ୍ଛା ନ କରି ତାଙ୍କୁ ଶୁଭେଚ୍ଛା କରିବାକୁ ନେଇ ଖୋଦ ସୌମ୍ୟବାବୁ ମଧ୍ୟ ଆଶ୍ଚର୍ଯ୍ୟ ହେଲେ।

ଏହିପରି ବାରମ୍ବାର ଶୁଭେଚ୍ଛା କଲ ଆସିବା ପରେ ସୌମ୍ୟବାବୁ ନିଜେ ମଧ୍ୟ ଏହା ପଛର କାରଣ କଣ ଜାଣିବା ପାଇଁ ଇଚ୍ଛୁକ ହେଲେ। ଯେଉଁମାନେ ଫୋନ କରି ତାଙ୍କୁ ଶୁଭେଚ୍ଛା ଜଣାଇଲେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପଚାରିଲେ ମୋତେ କାହିଁକି ଫୋନ କରୁଛ। ଏହାର ଉତ୍ତରେ ସୌମ୍ୟବାବୁ ଯାହା ଶୁଣିଲେ ସେଥିରେ ତାଙ୍କୁ ମୁଣ୍ଡ ଖରାପ ହୋଇ ଯାଇଥିଲା।

ଘଟଣାଟି ହେଲା ଯେ, ରାଜ୍ୟ ସରକାରଙ୍କ ଡାଇରୀରେ ସମସ୍ତ ବିଧାୟକ ତଥା ସାଂସାଦଙ୍କ ଠିକଣା ସହିତ ଫୋନ ନମ୍ବର ଛପାଯାଇଥାଏ। ଏଥର ଡାଇରୀରେ ପୂର୍ବରୁ ରାଜ୍ୟସଭା ସାଂସଦ ଥିବା ସୌମ୍ୟବାବୁଙ୍କ ନାମକୁ କାଟି ଅଶ୍ବିନୀ ବୈଷ୍ଣବଙ୍କ ନାମ ଛପାଯାଇଛି। ହେଲେ ଦୁର୍ଭାଗ୍ୟବସତଃ ନାମ ବଦଳିଛି ସିନା ସୌମ୍ୟବାବୁଙ୍କ ଠିକଣା ଓ ଫୋନ ନମ୍ବର ବଦଳା ଯାଇ ନାହିଁ। ଫଳରେ ଡାଇରୀରୁ ଯେଉଁମାନେ ଅଶ୍ବିନୀବାବୁଙ୍କ ନମ୍ବର ଖୋଜି ପାଇଛନ୍ତି ସେମାନେ ସୌମ୍ୟବାବୁଙ୍କ ନମ୍ବରକୁ କଲ କରିଛନ୍ତି।

ତେବେ ଏହି ଘଟଣାଟି ଆଜି ଖୋଦ ସୌମ୍ୟବାବୁ ତାଙ୍କର ‘ସମ୍ବାଦ’ ଖବର କାଗଜରେ  ଲୋକ ଲୋଚନକୁ ଆଣିଛନ୍ତି। ଆମ ଘରର ହାଲଚାଲରେ ସେ ନିଜେ ଏହି କଥାକୁ ଉଲ୍ଲେଖ କରିଛନ୍ତି। ଅଶ୍ବିନୀ ବୈଷ୍ଣବଙ୍କ ସଂପର୍କରେ ତାଙ୍କର ଏହି ଲେଖା ଭିତରେ ରହିଛି ଏହି ଭୁଲ ଫୋନ ନମ୍ବର ଘଟଣା।

ଘଟଣାଟିକୁ ସୌମ୍ୟବାବୁ କିପରି ଗ୍ରହଣ କରିଛନ୍ତି ତାହା ଭିନ୍ନ କଥା। କିନ୍ତୁ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ଓଡିଶା ସରକାରୀ ଅଧିକାରୀଙ୍କ ଖାମଖିଆଲି ନିତି। ଜଣେ ଭିଆଇପିଙ୍କ ସଂପର୍କରେ ତଥ୍ୟ ଦେବା ବେଳେ ଡାଇରୀ ପ୍ରସ୍ତୁତ କରୁଥିବା ଅଧିକାରୀମାନେ କେତେ ସତର୍କ ଅଛନ୍ତି ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡିଛି। ବର୍ତ୍ତମାନ ସୌମ୍ୟବାବୁ ଘଟଣାଟିକୁ ପଦାକୁ ଆଣିବାରୁ ଏହି ଭୁଲ ଜଣାପଡିଲା। ତେବେ ଏମିତି ଆହୁରେ କେତେକ ଭିଭିଆଇପିଙ୍କ ତଥ୍ୟ ଭୁଲ ନ ଥିବ ତାହା କହି ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଓଡିଶା ସାଂସଦ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ, ଆଜି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସାଂସଦ ଅଶ୍ବିନୀ ବୈଷ୍ଣବ। ଆଜି 12 ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଅଶ୍ବିନୀ ବୈଷ୍ଣବ 6 ନମ୍ବର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ କ୍ୟାବିନେଟରେ ଏକ ଗୁରୁତ୍ବ ପୂର୍ଣ୍ଣ ବିଭାଗ ମିଳିବ ବୋଲି ଜଣାପଡିଛି।

ଅଶ୍ବିନୀଙ୍କ ପୂର୍ବରୁ ଯେଉଁ ପାଞ୍ଚ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେମାନେ ହେଲେ ନାରାୟଣ ରାଣେ- ମହାରାଷ୍ଟ୍ର, ସର୍ବନନ୍ଦ ସୁନୱାଲ- ବିଧାୟକ ଆସାମ,ଡାକ୍ତର ବିରେନ୍ଦ୍ର କୁମାର- ମଧ୍ୟପ୍ରଦେଶ,ଜ୍ୟୋତିରଦିତ୍ୟ ସିନ୍ଧିଆ- ମଧ୍ୟପ୍ରଦେଶ , ରାମଚନ୍ଦ୍ର ପ୍ରତାପ ସିଂ- ଜେଡିୟୁ, ବିହାର

Categories
ଆଜିର ଖବର ଜାତୀୟ ଖବର

ଓଡିଶାର ଅଶ୍ବିନୀ ବୈଷ୍ଣବ ହେବେ କ୍ୟାବିନେଟ ମନ୍ତ୍ରୀ, ମିଳିବ ବଡ ଗୁରୁତ୍ବପୂର୍ଣ୍ଣ ବିଭାଗ

ନୂଆଦିଲ୍ଲୀ, ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହିତ ମୋଟ 12 ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ 31 ଜଣ ଶପଥ ନେବେ। ତେବେ ଅଶ୍ବିନୀଙ୍କୁ କେଉଁ ବିଭାଗ ମିଳିବ ତାହା ଆଜି ରାତିରେ ଜଣାପଡିବ। ତେବେ ତାଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଲିବ ବୋଲି ଜଣାପଡିଛି। ଆଜି ସଂଧ୍ୟା 6 ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବ।

ପୂର୍ବରୁ ସମୀକ୍ଷାରେ ପଢିଥିଲେ, ଅଶ୍ବିନୀ ବୈଷ୍ଣବ ହେବେ ମନ୍ତ୍ରୀ