ପିପିଲି ଉପନିର୍ବାଚନ ପ୍ରଚାରକୁ ଆସିଲେ ନାହିଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଅଛି କିଛି ଭିତିରି କାରଣ

Published: Oct 1, 2021, 5:32 pm IST

ଭୁବନେଶ୍ବର: ଶେଷ ହେଲା ପିପିଲି ଉପନିର୍ବାଚନ। ଫଳାଫଳ କଣ ହେବ ତାହା ଭିନ୍ନ କଥା। ହେଲେ ଏହି ଉପନିର୍ବାଚନ ରାଜ୍ୟ ରାଜନୀତିରେ କେତେକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି। ସେଥିରୁ ଗୋଟିଏ ହେଲା ଦେଶର ବଳିଷ୍ଠ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପିପିଲି ପ୍ରଚାରରେ ସାମିଲ ନ ହେବା।

ଅଶ୍ବିନୀ ନୂଆ ମନ୍ତ୍ରୀ ହେବା ପରେ ଏହି ପିପିଲି ଉପନିର୍ବାଚନ ଥିଲା ତାଙ୍କ ପାଇଁ ପ୍ରଥମ। ସେଥିପାଇଁ ତାଙ୍କ ନାମ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଥିଲା। ଏଥିସହିତ ଓଡିଶାର ଆଉ ଦୁଇମନ୍ତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ଥିଲା। ସେଥିରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ। ହେଲେ ଏହି ପ୍ରଚାରରୁ ନିଜକୁ ଦୂରେଇ ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଯାହାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ।

ଯେତେବେଳେ ବିଜେପିର ଷ୍ଟାର ପ୍ରଚାରକ ତାଲିକା ବାହାରିଲା ସେତେବେଳେ ଅଶ୍ବିନୀଙ୍କ ନାମକୁ ଦେଖି ପିପିଲିର ବିଜେପି କର୍ମୀ ବେଶ୍ ଉତ୍ସାହିତ ହୋଇପଡିଥିଲେ। କାରଣ ଥିଲା ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଅପେକ୍ଷା ଲୋକେ ଅଶ୍ବିନୀ ବୈଷ୍ଣବଙ୍କୁ ଅଧିକ ପସନ୍ଦ କରୁଛନ୍ତି। ସେ ଆସିଲେ ପ୍ରଚାରର ନିଶ୍ଚିତ ଗୁରୁତ୍ବ ବଢିବ ବୋଲି କର୍ମୀମାନେ ଆଶା ରଖିଥିଲେ। ହେଲେ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ତାହା ସମ୍ଭବ ହେଲା ନାହିଁ।

ଅଶ୍ବିନୀ ବୈଷ୍ଣବ ପିପିଲି ଉପନିର୍ବାଚନ ନ ଆସିବା ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ଆଲୋଚନା ଚାଲିଛି। ହେଲେ ପ୍ରକୃତ କଥା ହେଲା ଯେ ସେ ପ୍ରଚାରକୁ ଆସିଲେ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କୁ ବିରୋଧ କରିପାରିବେ ନାହିଁ। ଏପରି ଏକ ଅଡୁଆ ପରିସ୍ଥିତିରେ ପଡି ସେ ଏହି ପ୍ରଚାରକୁ ଆସିପାରିଲେ ନାହିଁ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଅଶ୍ବିନୀଙ୍କ ପାଇଁ ଆଉ ଏକ ଅସୁବିଧା ହେଲା ଯଦି କୌଣସି ଚାପରେ ଯଦି ସେ ପ୍ରଚାରରେ ଆସି ବିଜେଡି ବିରୋଧରେ କହିଥାଆନ୍ତେ ତେବେ ତାହାକୁ ଲୋକେ ଗ୍ରହଣ କରି ନ ଥାଆନ୍ତେ। କାରଣ ନବୀନଙ୍କ ଆର୍ଶିବାଦରେ ସେ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଛନ୍ତି। ତାଙ୍କ ବିରୋଧରେ କହିଥିଲେ ଲୋକେ ତାଙ୍କୁ ନିଶ୍ଚିତ ବିଶ୍ବାସଘାତକ ବୋଲି କହିବାକୁ ପଛେଇ ନଥାନ୍ତେ।

ଏସବୁ କାରଣ ନେଇ ଅଶ୍ବିନୀ ପିପିଲି ପ୍ରଚାରରୁ ନିଜକୁ ଦୂରେଇ ରଖିଲେ। ତେବେ ପ୍ରଶ୍ନ ଉଠୁଛି ଯେ, ସେ କେତେଦିନ ଏପରି ନିଜକୁ ଦୂରେଇ ରଖିବେ। କାରଣ ନିକଟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ଆସୁଛି। ଏପରି କ୍ଷେତ୍ରରେ ବିଜେପି କର୍ମି ଅଶ୍ବିନୀ ବୈଷ୍ଣବ ପ୍ରଚାର କରନ୍ତୁ ବୋଲି ଚାହିଁବେ। ସେତେବେଳେ ସେ କେତେ ଲୁଚି ରହିବେ ତାହା ସନ୍ଦେହ ସୃଷ୍ଟି କରିଛି।

Related posts