ଓଡିଶାରୁ ଟିକେଟ ପାଇବା ପାଇଁ ଦୁଇଟି ସିଟ୍ କୁ ସଂରକ୍ଷିତ ରଖିଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ

Published: Jan 15, 2024, 12:48 pm IST

ଭୁବନେଶ୍ବର: ରେଳମନ୍ତ୍ର ଅଶ୍ବିନୀ ବୈଷ୍ଣବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଜଣେ ଟାଣୁଆ ତଥା ବିଶ୍ବସ୍ଥ ମନ୍ତ୍ରୀ। ମୋଦିଙ୍କର ଅତି ଘନିଷ୍ଠ ଲୋକ ବୋଲି ସମସ୍ତେ ଜାଣନ୍ତି। ତାଙ୍କର ରାଜସ୍ଥାନ ଜନ୍ମଭୂମି ହୋଇଥିଲେ ମଧ୍ୟ କର୍ମଭୂମି ହେଉଛି ଓଡିଶା। ଏହି ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ସେ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ।

ତେବେ ସେ ଏଥର ଲୋକସଭା ନିର୍ବାଚନ ଲଢିବେ। କାରଣ ପରବର୍ତ୍ତି ନୂଆ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କୌଣସି ରାଜ୍ୟସଭା ସଦସ୍ୟଙ୍କୁ ନିଆଯିବ ନାହିଁ। ସେଥିପାଇଁ ଅଶ୍ବିନୀଙ୍କୁ ଲୋକସଭା ନିର୍ବାଚନ ଲଢେଇ କରିବା ପାଇଁ କୁହାଯାଇଛି। ଆଉ ସେହି ନିର୍ଦ୍ଦେଶ ଅନୁସାରେ ଅଶ୍ବିନୀ ବର୍ତ୍ତମାନ ଓଡିଶାରେ ଡେରା ପକାଇଛନ୍ତି।

ଅଶ୍ବନୀ ବୈଷ୍ଣବ ଓଡିଶାରୁ ଟିକେଟ ପାଇବା ପାଇଁ ସେ ଦୁଇଟି ସିଟ୍ କୁ ହାତରେ ରଖିଛନ୍ତି। ଗୋଟିଏ ହେଲା କଟକ ଓ ଅନ୍ୟଟି ହେଲା ବାଲେଶ୍ବର। ଅର୍ଥାତ ସେ ଉଭୟ କଟକ ଓ ବାଲେଶ୍ବର ଆସନରୁ ଗୋଟିଏରେ ଛିଡା ହେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ତାଙ୍କର ସର୍ଭେ ଅନୁସାରେ ଉଭୟ ଆସନ ତାଙ୍କ ପାଇଁ କୁଆଡେ ସୁରକ୍ଷିତ।

ସେଥିପାଇଁ ଅଶ୍ବିନୀ ବୈଷ୍ଣବ ପୁରା ପୂର୍ବତଟ ରେଳବାଇକୁ କଟକ ଓ ବାଲେଶ୍ବର ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଜୋରଦାର କରିବା ପାଇଁ କହିଛନ୍ତି। ସେହି ଅନୁସାରେ ରେଳ ବିଭାଗ  କିଛିଦିନ ଧରି କଟକ ଏବଂ ବାଲେଶ୍ବର ଷ୍ଟେସନ ପାଇଁ ନୂଆ ନୂଆ ଉଦଘାଟନ କରିବାରେ ଲାଗିଛନ୍ତି। ଷ୍ଟେସନରେ ଦୋକାନ ଘର ଶୁଭାରମ୍ଭଠାରୁ ଆରମ୍ଭ କରି ଅନେକ ଭୂମିପୂଜନ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି।

ସେତେକି ନୁହେଁ ଉଭୟ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ଧର୍ମନୁଷ୍ଠାନଗୁଡିକୁ ମଧ୍ୟ ସେ ଦର୍ଶନ କରିବାରେ ଲାଗିଛନ୍ତି। ନିକଟରେ ସେ କଟକ ଧବଳେଶ୍ବର ସହିତ ବାଲେଶ୍ବର ରେମୁଣା ଗୋପୀନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଫେରିଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି।

ତେବେ ନରେନ୍ଦ୍ର ମୋଦୀ ରେଳମନ୍ତ୍ରୀଙ୍କ ଟିକେଟ କନଫ୍ରମ କରି ନ ଥିବାରୁ ତାହା ଏବେ ୱେଟିଂ ଲିଷ୍ଟରେ ଝୁଲି ରହିଛି।

Related posts