Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରୁ ଟିକେଟ ପାଇବା ପାଇଁ ଦୁଇଟି ସିଟ୍ କୁ ସଂରକ୍ଷିତ ରଖିଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ

ଭୁବନେଶ୍ବର: ରେଳମନ୍ତ୍ର ଅଶ୍ବିନୀ ବୈଷ୍ଣବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଜଣେ ଟାଣୁଆ ତଥା ବିଶ୍ବସ୍ଥ ମନ୍ତ୍ରୀ। ମୋଦିଙ୍କର ଅତି ଘନିଷ୍ଠ ଲୋକ ବୋଲି ସମସ୍ତେ ଜାଣନ୍ତି। ତାଙ୍କର ରାଜସ୍ଥାନ ଜନ୍ମଭୂମି ହୋଇଥିଲେ ମଧ୍ୟ କର୍ମଭୂମି ହେଉଛି ଓଡିଶା। ଏହି ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ସେ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ।

ତେବେ ସେ ଏଥର ଲୋକସଭା ନିର୍ବାଚନ ଲଢିବେ। କାରଣ ପରବର୍ତ୍ତି ନୂଆ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କୌଣସି ରାଜ୍ୟସଭା ସଦସ୍ୟଙ୍କୁ ନିଆଯିବ ନାହିଁ। ସେଥିପାଇଁ ଅଶ୍ବିନୀଙ୍କୁ ଲୋକସଭା ନିର୍ବାଚନ ଲଢେଇ କରିବା ପାଇଁ କୁହାଯାଇଛି। ଆଉ ସେହି ନିର୍ଦ୍ଦେଶ ଅନୁସାରେ ଅଶ୍ବିନୀ ବର୍ତ୍ତମାନ ଓଡିଶାରେ ଡେରା ପକାଇଛନ୍ତି।

ଅଶ୍ବନୀ ବୈଷ୍ଣବ ଓଡିଶାରୁ ଟିକେଟ ପାଇବା ପାଇଁ ସେ ଦୁଇଟି ସିଟ୍ କୁ ହାତରେ ରଖିଛନ୍ତି। ଗୋଟିଏ ହେଲା କଟକ ଓ ଅନ୍ୟଟି ହେଲା ବାଲେଶ୍ବର। ଅର୍ଥାତ ସେ ଉଭୟ କଟକ ଓ ବାଲେଶ୍ବର ଆସନରୁ ଗୋଟିଏରେ ଛିଡା ହେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ତାଙ୍କର ସର୍ଭେ ଅନୁସାରେ ଉଭୟ ଆସନ ତାଙ୍କ ପାଇଁ କୁଆଡେ ସୁରକ୍ଷିତ।

ସେଥିପାଇଁ ଅଶ୍ବିନୀ ବୈଷ୍ଣବ ପୁରା ପୂର୍ବତଟ ରେଳବାଇକୁ କଟକ ଓ ବାଲେଶ୍ବର ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଜୋରଦାର କରିବା ପାଇଁ କହିଛନ୍ତି। ସେହି ଅନୁସାରେ ରେଳ ବିଭାଗ  କିଛିଦିନ ଧରି କଟକ ଏବଂ ବାଲେଶ୍ବର ଷ୍ଟେସନ ପାଇଁ ନୂଆ ନୂଆ ଉଦଘାଟନ କରିବାରେ ଲାଗିଛନ୍ତି। ଷ୍ଟେସନରେ ଦୋକାନ ଘର ଶୁଭାରମ୍ଭଠାରୁ ଆରମ୍ଭ କରି ଅନେକ ଭୂମିପୂଜନ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି।

ସେତେକି ନୁହେଁ ଉଭୟ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ଧର୍ମନୁଷ୍ଠାନଗୁଡିକୁ ମଧ୍ୟ ସେ ଦର୍ଶନ କରିବାରେ ଲାଗିଛନ୍ତି। ନିକଟରେ ସେ କଟକ ଧବଳେଶ୍ବର ସହିତ ବାଲେଶ୍ବର ରେମୁଣା ଗୋପୀନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଫେରିଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି।

ତେବେ ନରେନ୍ଦ୍ର ମୋଦୀ ରେଳମନ୍ତ୍ରୀଙ୍କ ଟିକେଟ କନଫ୍ରମ କରି ନ ଥିବାରୁ ତାହା ଏବେ ୱେଟିଂ ଲିଷ୍ଟରେ ଝୁଲି ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଟେଲି କମ୍ୟୁନିକେସନ ବଜେଟରେ ଓଡିଶା ପାଇଁ ୫,୧୮୩ କୋଟି ଟଙ୍କା ବ୍ୟୟ ବରାଦ

ନୂଆଦିଲ୍ଲୀ: ଓଡିଶାର ଟେଲି କମ୍ୟୁନିକେସନ ବିକାଶ ପାଇଁ ମୋଟ ୫,୧୮୩ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି। ଗତକାଲି ଏ ନେଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ଏଥିପାଇଁ ଯେଉଁ ଯୋଜନା କରାଯାଇଛି ତାହା ହେଲା

ମାଓ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସଂଯୋଗ ( LWE-I) : ଯୋଜନା କରାଯାଇଥିବା ୨୬୧ ମୋବାଇଲ ଟାୱାର ମଧ୍ୟରୁ ୨୫୬ ବିକିରଣ କରୁଛି। ସମସ୍ତ ବିକିରଣ ସାଇଟଗୁଡିକ ୪ଜି କୁ ଅପଗ୍ରେଡ କରାଯାଉଛି।

ମାଓ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସଂଯୋଗ (LWE-II) : ଯୋଜନା ହୋଇଥିବା ୪୮୩ ଟି ମୋବାଇଲ ଟାୱାର ମଧ୍ୟରୁ ୫୧ ଟି ଟାୱାରକୁ ୫୧ ଟି ସୁରକ୍ଷା ସାଇଟ ଅନ୍ତର୍ଭୁକ୍ତ କରାଯାଇଅଛି ।

ପାଞ୍ଚଟି ଆକାଂକ୍ଷା ରାଜ୍ୟରେ ଜିଲ୍ଲାଗୁଡିକରେ ଅନ୍ତର୍ଭୁକ୍ତ ହୋଇନଥିବା ଗ୍ରାମ ଗୁଡିକ – ଏହି ପ୍ରକଳ୍ପ ମଧ୍ୟରେ ୨୩୭୯ ମୋବାଇଲ ଟାୱାର ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଅଛି ଯାହା ଦ୍ଵାରା ୩୯୩୩ ଗ୍ରାମ ଉପକୃତ ହେବ।

୪ଜି ମୋବାଇଲ ସେବା ପରିତୃପ୍ତ – ୨,୮୧୩ ଗ୍ରାମରେ କାର୍ଯ୍ୟ ଚାଲିଛି

ଭାରତନେଟ ପ୍ରକଳ୍ପ- ୬,୭୯୨ ଗ୍ରାମ ପଞ୍ଚାଯତ ମଧ୍ୟରୁ ୬,୭୩୮ ସମ୍ପୂର୍ଣ ହୋଇଛି।

ଆହୁରି ମଧ୍ୟ, ଭାରତନେଟ ବର୍ତମାନ ଦେଶର ସମସ୍ତ ଗ୍ରାମ ପଞ୍ଚାଯତ / ଗ୍ରାମକୁ ସଂଯୋଗ କରିବ, ଓଡିଶାର ପ୍ରାୟ ୧୩ ଟି ଗ୍ରାମ (ଜିପି ବ୍ୟତୀତ) ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଟ୍ରେନ ଦୁର୍ଘଟଣାସ୍ଥଳ ତଦାରଖ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମୃତ ସଂଖ୍ୟା ବୃଦ୍ଧି

କୋଲକାତା: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପଶ୍ଚିମବଙ୍ଗର ନୂତନ ଡୋମହାନି ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଗତକାଲି ସଂଧ୍ୟାରେ ସେଠାରେ ଗୌହାଟୀ ବିକାନେର ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣା ହୋଇଥିଲା। ମନ୍ତ୍ରୀ ଆହତ ଯାତ୍ରୀମାନଙ୍କୁ ଦେଖିବା ପାଇଁ ଡାକ୍ତରଖାନାକୁ ମଧ୍ୟ ଯାଇଥିଲେ।

ଜିଲ୍ଲା ମାଜିଷ୍ଟ୍ରେଟ ମୋଲମିତା ଗୋଦାରା ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନଅ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନ୍ୟ 40 ଜଣ ଆହତ ହୋଇଛନ୍ତି। ଏହି ସମୟରେ ଏକ ଉଚ୍ଚ ସ୍ତରୀୟ ରେଳ ସୁରକ୍ଷା କମିଟକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ କୋଚ, ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆଜି ସନ୍ଧ୍ୟାରେ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ସହିତ ରାଜଧାନୀ କୋଚ ଚଳାଚଳକୁ ଭିଡିଓ କାନଫରେନସି ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।

ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ 18452/18451 ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଚଳାଚଳ କରାଇ ଅଛି | ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ ବୋଲି ରେଳ ମନ୍ତ୍ରୀ କହିଥିଲେ ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ରେଳ ଷ୍ଟେସନରେ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ଏବଂ ହାତୀଆ ଠାରେ ଜନପ୍ରତିନିଧି ମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଏହି ଅବସରରେ ସୂଚନା ଦେଇ ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଓଡ଼ିଶାରେ ରେଳ ପ୍ରକଳ୍ପ ସମ୍ପାଦନ ପାଇଁ ପାଣ୍ଠିର ଅଭାବ ନାହିଁ ଏବଂ କୌଣସି ପ୍ରକଳ୍ପ ପାଣ୍ଠିର ପ୍ରତିବନ୍ଧକ ପାଇଁ ବିଳମ୍ବ ହେବ ନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ ଶୀଘ୍ର ଶେଷ ହେବ। ସେ ମଧ୍ୟ ଖୋର୍ଦ୍ଧା ରୋଡ଼ -ବାଲାଙ୍ଗୀର ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଏହି ଉତ୍ସବରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ପ୍ରାରମ୍ଭିକ ଭାଷଣ ଓ ଧନ୍ଯବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ରେଳ କୌଶଳ ବିକାଶ ଯୋଜନାର ଶୁଭାରମ୍ଭ କଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ୫୦ ହଜାର ନେବେ ତାଲିମ

ନୂଆଦିଲ୍ଲୀ: ଶିଳ୍ପ ଅନୁକୂଳ କୌଶଳ ବିକାଶ କ୍ଷେତ୍ରରେ ପ୍ରବେଶ ସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରି ଯୁବପିଢ଼ିଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ରେଳ କୌଶଳ ବିକାଶ ଯୋଜନା ବା ଆରକେଭିଓ୍ବାଇ ର ଶୁଭାରମ୍ଭ କରିଛନ୍ତି।

ଏହି ଯୋଜନା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିଓ୍ବାଇ) ଅନ୍ତର୍ଗତ ଏକ କାର‌୍ୟ୍ୟକ୍ରମ ଭାବେ କାର‌୍ୟ୍ୟକାରୀ ହେବ। ଦେଶ ସ୍ବାଧୀନତାର ୭୫ତମ ବର୍ଷରେ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆଜି ରେଳ ଭବନ ଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି କାର‌୍ୟ୍ୟକ୍ରମରେ ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁନୀତ ଶର୍ମାଙ୍କ ସମେତ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସାରା ଦେଶରେ ରହିଥିବା ରେଳବାଇ ପ୍ରଶିକ୍ଷଣ ସଂସ୍ଥାନ ମାଧ୍ୟମରେ ବିଭିନ୍ନ ଟ୍ରେଡରେ ଯୁବକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ୭୫ଟି ପ୍ରଶିକ୍ଷଣ ସଂସ୍ଥାନର ଚୟନ କରାଯାଇଛି। ଏଥିମଧ୍ୟରେ ଓଡ଼ିଶାର ତିନୋଟି ପ୍ରଶିକ୍ଷଣ ସଂସ୍ଥାନ ରହିଛି। ସେଗୁଡ଼ିକ ହେଲେ- ଭୁବନେଶ୍ବରର ମଞ୍ଚେଶ୍ବରସ୍ଥିତ ରେଳଡବା ମରାମତି କାରଖାନା ପରିସରସ୍ଥ ବିଟିଏସ, ଅନୁଗୁଳ ରାଣୀଗୋଡ଼ାରେ ଥିବା ଇଲେକ୍ଟ୍ରିକ ଲୋକୋସେଡ୍ ଏବଂ ରାଉରକେଲାରେ ଥିବା ଇଲେକ୍ଟ୍ରିକାଲ ସିଷ୍ଟମ ଟ୍ରେନିଂ ସେଣ୍ଟର ସିଆଇ,ଏସଟିସି,ଆରଓୟୁ ଇଏସଟିସି।

ଏହି ଯୋଜନା ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହିତ ସ୍ବାବଲମ୍ବୀମାନଙ୍କର କୌଶଳକୁ ଅଧିକ ଉନ୍ନତ କରିବାରେ ସହାୟକ ହେବ। ସେହିପରି ବିଭିନ୍ନ ଠିକାଦାରମାନଙ୍କ ସହିତ କାମ କରୁଥିବା କର୍ମଜୀବୀମାନଙ୍କୁ ରି-ସ୍କିଲିଂ ଏବଂ ଅପ-ସ୍କିଲିଂ ସୁବିଧା ଯୋଗାଇ ଦେଇ କୌଶଳ ଭାରତ ଅଭିଯାନ (ସ୍କିଲ ଇଣ୍ଡିଆ ମିଶନ) କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବ।

କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ, “ଆଜି ଏକ ପବିତ୍ର ଦିବସ। ସାରା ଦେଶରେ ବିଶ୍ବକର୍ମା ପୂଜା ପାଳନ କରାଯାଉଛି। ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜୟନ୍ତୀରେ ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ରେଳ କୌଶଳ ବିକାଶ ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଉପହାର ଭାବେ ସମର୍ପି ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପର ଏକ ଅଭିନ୍ନ ଅଙ୍ଗ ହେଉଛି କୌଶଳ ବିକାଶ।

ରେଳ କୌଶଳ ବିକାଶ ଯୋଜନା ମାଧ୍ୟମରେ ୫୦ ହଜାର ଯୁବକଯୁବତୀଙ୍କୁ ତାଲିମ ଦିଆଯିବ। ଉପାନ୍ତ ଅଞ୍ଚଳରେ ରେଳ କୌଶଳ ବିକାଶ ଯୋଜନା ଆୟୋଜନ ମାଧ୍ୟମରେ ପ୍ରଶିକ୍ଷଣ ଉପରେ ସେ ଗୁରୁତ୍ବ ଦେଇଥିଲେ। ଯୁବପିଢ଼ି ଏହି ଦକ୍ଷତା ବିକାଶ ତାଲିମକୁ ଉପଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଯୋଜନାରେ ତିନି ବର୍ଷର ଅବଧି ମଧ୍ୟରେ ୫୦ ହଜାର ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରାରମ୍ଭିକ ପର‌୍ୟ୍ୟାୟରେ ୧୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷାର୍ଥୀମାନେ ଇଲେକ୍ଟ୍ରିସିଆନ, ୱେଲଡର, ମେସିନିଷ୍ଟ ଏବଂ ଫିଟର ଟ୍ରେଡରେ ୧୦୦ ଘଣ୍ଟାର ପ୍ରଶିକ୍ଷଣ ପାଇବେ। ତେବେ ଆଞ୍ଚଳିକ ଚାହିଦା ଏବଂ ଆବଶ୍ୟକତାକୁ ଆକଳନ କରି କ୍ଷେତ୍ରୀୟ ରେଳବାଇ ଏବଂ ଉତ୍ପାଦନ ୟୁନିଟଗୁଡ଼ିକ ଅନ୍ୟ ଟ୍ରେଡରେ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରିବେ। ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ଏବଂ ପ୍ରାର୍ଥୀମାନେ ଅନଲାଇନ ଆବେଦନ କରି ଏଥିରେ ଅଂଶଗ୍ରହଣ କରିପାରିବେ।

ମାଟ୍ରିକ ମାର୍କକୁ ଆଧାର କରି ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ଭାବେ ହେବ। ୧୮-୩୫ ବର୍ଷ ମଧ୍ୟରେ ମାଟ୍ରିକ ଉତ୍ତୀର୍ଣ୍ଣ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ତେବେ ପ୍ରଶିକ୍ଷଣ ପରେ ଏଥିରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ରେଳବାଇରେ ନିଯୁକ୍ତି ପାଇଁ କୌଣସି ଦାବି କରିପାରିବେ ନାହିଁ।

ବନାରସ ଲୋକୋମୋଟିଭ ଓ୍ବର୍କସ ଏହି ଯୋଜନାର ନୋଡାଲ୍ ପିୟୁ ଭାବେ ପ୍ରଶିକ୍ଷଣର ପାଠ୍ୟସୂଚୀ ବିକଶିତ କରିଛି। ପ୍ରଥମ ପର‌୍ୟ୍ୟାୟରେ ୧୦୦୦ ପ୍ରାର୍ଥୀଙ୍କ ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ଏବଂ ଆପ୍ରେଣ୍ଟିସ ଆକ୍ଟ ୧୯୬୧ ଅନୁଯାୟୀ ମିଳିଥିବା ଆପ୍ରେଣ୍ଟିସ ପ୍ରଶିକ୍ଷଣ ଠାରୁ ଏହା ପୃଥକ ହେବ।

ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଗୋଟିଏ ଉତ୍ସରେ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ୱେବସାଇଟ ବିକଶିତ କରାଯାଉଛି। ଏଥିରେ ପ୍ରଶିକ୍ଷଣ ପାଠ୍ୟସୂଚୀ, ଆବେଦନ ଆହ୍ବାନ ବିଜ୍ଞପ୍ତି, ଚୟନ ହୋଇଥିବା ପ୍ରାର୍ଥୀ, ଚୟନର ଫଳାଫଳ, ଚୂଡ଼ାନ୍ତ ଆକଳନ, ପାଠ୍ୟ ସାମଗ୍ରୀ ଏବଂ ଅନ୍ୟ ବିବରଣୀ ରହିବ। ଖୁବଶୀଘ୍ର ଅନଲାଇନ ଆବେଦନ ପାଇଁ କେନ୍ଦ୍ରୀକୃତ ୱେବସାଇଟ ଖୋଲାଯିବ।

ପ୍ରଶିକ୍ଷଣ ପରେ ପ୍ରଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ ଏବଂ ନିଜ ଟ୍ରେଡ୍ ପାଇଁ ଆବଶ୍ୟକ ଟୁଲକିଟ୍ ଯୋଗାଇ ଦିଆଯିବ। ଫଳରେ ସେମାନେ ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇପାରିବେ ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ନିଜର ପ୍ରଶିକ୍ଷଣକୁ ଉପଯୋଗ କରିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଥମ ଓଡିଶା ଗସ୍ତ ଥିଲା ଏକ ଟ୍ରେଲର, ପୁରା ଫିଲ୍ମ ବାକି ରହିଛି

ଭୁବନେଶ୍ବର, ଇତି ମଧ୍ୟରେ ଦୁଇଜଣ କେନ୍ଦ୍ର ମନ୍ତ୍ରୀ ଓଡିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଯାଇଛନ୍ତି। ହେଲେ ନୂଆ ମନ୍ତ୍ରୀଙ୍କ ଏହି ପ୍ରଥମ ଗସ୍ତ ଥିଲା ବେଶ୍ ଘଟଣା ବହୁଳ। କାରଣ ଅଶ୍ବିନୀ ବୈଷ୍ଣବ ପାୱାରଫୁଲ ମନ୍ତ୍ରୀ ହେବା ପରେ ଓଡିଶାର ପାୱାର ସୋ କରିବା। ଅନ୍ୟପଟେ ପାୱାରଫୁଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାୱାରଲେସ ହେବା ପରେ ଓଡିଶାରେ ପାୱାର ଲେସ ସୋ କୁ ନେଇ ଚାଲିଛି ଚର୍ଚ୍ଚା।

ଓଡିଶାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯେଉଁ କେତେ ଦିନ ରହିଲେ, ତାହା ପ୍ରମାଣିତ କରିଛି ଯେ ଲୋକେ ତାଙ୍କୁ କେତେ ସମର୍ଥନ କରନ୍ତି। ଏପରିକି ରାଜ୍ୟ ବିଜେପିରେ ଅନେକ ନେତା ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ଅଶ୍ବିନୀଙ୍କୁ ହୃଦୟର ସହ ସମର୍ଥନ କରିଛନ୍ତି। ଆଗକୁ ତାଙ୍କୁ ଉଭୟ ଧର୍ମେନ୍ଦ୍ର ବିରୋଧୀ ଏବଂ ସମର୍ଥକ ଆକୁଣ୍ଠ ସମର୍ଥନ କରିବେ ବୋଲି ଜଣାପଡିଛି।

ତେବେ ଦିଲ୍ଲୀର ସୁତ୍ର ଅନୁସାରେ ପ୍ରଥମ ଦିନ ଉଭୟ ଏକାଠି ଗସ୍ତ କରିବେ ବୋଲି କୁଆଡେ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ମିଳିମିଶି କାର୍ଯ୍ୟ କରୁଛନ୍ତି ବୋଲି ସମସ୍ତେ ଅନୁଭବ କରିବା ପାଇଁ ଗସ୍ତକୁ ମିଳିତ ଭାବେ କରାଯାଇଥିଲା। ଅନ୍ତତଃ ପକ୍ଷେ ଗୋଟିଏ ଦିନ ଉଭୟ ମିଳିମିଶି କାମ କରନ୍ତୁ ବୋଲି କୁହାଯାଇଥିଲା। ସେହି ଅନୁସାରେ ସେମାନେ ପ୍ରଥମ ଗସ୍ତର ପ୍ରଥମ ଦିନ ମିଳିମିଶି ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଏକାଠି ଯାଇଥିଲେ।

ହେଲେ ଦ୍ବିତୀୟ ଦିନ ଉଭୟ ଅଲଗା ହୋଇଗଲେ। ଅଶ୍ବିନୀ ବୈଷ୍ଣବ ଦକ୍ଷିଣ ଓଡିଶା ଏବଂ ପଶ୍ଚିମ ଓଡିଶା ଗସ୍ତ କରି ନିଜର ପାରାକାଷ୍ଠା ଦେଖାଇ ଦେଲେ। ଅଶ୍ବିନୀ ଏହା କରିବେ ବୋଲି ଧର୍ମେନ୍ଦ୍ର ମଧ୍ୟ ଭଲ ଭାବେ ଜାଣିଥିଲେ। ହେଲେ ତାଙ୍କ ସହିତ ଯିବା ପାଇଁ ବାରଣ କରାଯାଇଥିବାରୁ ସେ ଚୁପଚାପ ଭୁବନେଶ୍ବରରେ ନିଜର ମନ୍ତ୍ରଣାଳୟ କାର୍ଯ୍ୟରେ ବ୍ୟସ୍ତ ରହିଲେ। ନଚେତ ସେ ଏହି ସୁଯୋଗ ହାତଛଡା କରି ନ ଥାଆନ୍ତେ।

ଧର୍ମେନ୍ଦ୍ରଙ୍କଠାରୁ ଅଲଗା ହେବା ପରେ ଅଶ୍ବିନୀ ବୈଷ୍ଣବଙ୍କ ଏକାକୀ ଗସ୍ତ ଥିଲା ବେଶ୍ ଗୁରୁତ୍ବ ପୂର୍ଣ୍ଣ। କାରଣ ଓଡିଶା ବିଜେପିରେ ବିନା ଧର୍ମେନ୍ଦ୍ରରେ ଏତେ ବଡ ସଭା କରାଯାଉ ନ ଥିଲା, ଯାହା ବୈଷ୍ଣବ କରିଥିଲେ। ଦଳୀୟ କର୍ମିମାନେ  ଧର୍ମେନ୍ଦ୍ରଙ୍କ ବିନା ଆଉ କାହା ମୁଣ୍ଡ ଉପରେ ଫୁଲ ବର୍ଷା କରୁ ନ ଥିଲେ।  ହେଲେ ପ୍ରଥମ ଥର ପାଇଁ ଧର୍ମେନ୍ଦ୍ରଙ୍କୁ ଛାଡି ଅଶ୍ବିନୀ ବୈଷ୍ଣବଙ୍କ  ଉପରେ ପୁଷ୍ଟ ବୃଷ୍ଟି କରିବା ବିଜେପି ରାଜନୀତିରେ ନୂଆ ଘଟଣା ହୋଇଛି।

ଏସବୁ ସ୍ବାଗତ ସମ୍ବର୍ଦ୍ଧନା ଦୃଶ୍ୟକୁ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ବସି ଟେଲିଭିଜନରେ ଉପଭୋଗ କରୁଥିଲେ। ସେତେବେଳେ ସେ କଣ ଭାବୁଥିଲେ ତାହା କହି ହେବ ନାହିଁ। ହେଲେ ନିଶ୍ଚିତ ଠଉରେଇ ହେବ ଯେ ତାଙ୍କର ଯେଉଁ ଅଖଣ୍ଡ କ୍ଷମତା ଥିଲା ତାହା ଆଉ ନାହିଁ।  ସେତେକି ନୁହେଁ, ସେ ମଧ୍ୟ ଜାଣି ସାରିଲେଣି ଯେ, ଆଗାମୀ ଦିନରେ ଅଶ୍ବିନୀ ବୈଷ୍ଣବ ଏକାକି ଓଡିଶା ଗସ୍ତ କରି ତାଙ୍କର କ୍ଷମତା ବଢାଇ ଚାଲିବେ। ତେଣୁ ଅଶ୍ବିନୀଙ୍କ ଏହି ପ୍ରଥମ ଗସ୍ତ ଥିଲା କେବଳ ମାତ୍ର ଟ୍ରେଲର, ପୁରା ଫିଲ୍ମ ଆଗମୀ ଦିନରେ ପ୍ରଦର୍ଶିତ ହେବ ଏଥିରେ ସନ୍ଦେହ ନାହିଁ।