Categories
ବିଶେଷ ଖବର

ବିଶ୍ୱର ସର୍ବ ବୃହତ ସହରୀ ସ୍ୱଚ୍ଛତା ସର୍ବେକ୍ଷଣର ଅଷ୍ଟମ ସଂସ୍କରଣ ଆରମ୍ଭ

ନୂଆଦିଲ୍ଲୀ: ବିଶ୍ୱର ସର୍ବ ବୃହତ ସହରୀ ସ୍ୱଚ୍ଛତା ସର୍ଭେ, ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ – ମେରା ସହର, ମେରୀ ପେହଚାନ୍‌ର ଅଷ୍ଟମ ସଂସ୍କରଣ ପାଇଁ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛି। ଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଓଏଚ୍‌ୟୁଏ) ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ (ଏସ୍‌ଏସ୍‌) ପାଇଁ କ୍ଷେତ୍ରୀୟ ମୂଲ୍ୟାଙ୍କନ ଆରମ୍ଭ କରିଛି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ଅଧୀନରେ ପ୍ରାୟ ୩୦୦୦ ମୂଲ୍ୟାଙ୍କନକାରୀ ୧ ଜୁଲାଇ ୨୦୨୩ ରୁ ମୂଲ୍ୟାଙ୍କନ ପାଇଁ କ୍ଷେତ୍ର ଗ୍ରହଣ କରିବେ। ମୂଲ୍ୟାଙ୍କନକାରୀମାନେ ୪୬ ଟି ସୂଚକ ଆଧାରରେ ୪୫୦୦+ ସହରର ପ୍ରଦର୍ଶନ ଅଧ୍ୟୟନ କରିବେ ଏବଂ ଏହା ଏକ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି। ୨୪ ମଇ, ୨୦୨୨ ରେ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ବର୍ଜ୍ୟ ବସ୍ତୁକୁ ସମ୍ପଦରେ ପରିବର୍ତ୍ତନ କରିବା ଏବଂ ବର୍ଜ୍ୟ ବସ୍ତୁର ପ୍ରକ୍ରିୟାକରଣ ଏବଂ ବୈଜ୍ଞାନିକ ପରିଚାଳନା ଦିଗରେ ପ୍ରସ୍ତୁତି କରିବାରେ ଶ୍ରେଷ୍ଠତ୍ୱ ଅର୍ଜନ କରିଛି।

ମୂଳତଃ ଏକ ପ୍ରତିଯୋଗିତାମୂଳକ ନିରୀକ୍ଷଣକାରୀ ଉପକରଣ ଭାବରେ ପରିକଳ୍ପିତ ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ପରିମଳ ଉଦ୍ଦେଶ୍ୟରେ ସହର ଗୁଡ଼ିକୁ ଦ୍ରୁତ ପରିମଳ ଏବଂ ବର୍ଜ୍ୟ ବସ୍ତୁ ପରିଚାଳନା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା  ପାଇଁ ୨୦୧୬ ରେ ଏମ୍‌ଓଏଚ୍‌ୟୁଏ ଅଧୀନରେ ଆରମ୍ଭ ହୋଇଥିଲା। ସହରାଞ୍ଚଳର ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ସେଗୁଡ଼ିକର ନାଗରିକ ମାନଙ୍କ ପାଇଁ ସର୍ବୋତ୍ତମ ସେବା ପ୍ରଦାନକୁ ସୁନିଶ୍ଚିତ କରିବା ନିମନ୍ତେ ସ୍ୱଚ୍ଛ ସର୍ବେକ୍ଷଣ ଏକ ପ୍ରତିଯୋଗିତାମୂଳକ ସୁସ୍ଥ ଭାବନା ସହିତ ସହର ଗୁଡିକୁ ଆକର୍ଷିତ କରିଛି। ଚଳିତ ବର୍ଷର ମୂଲ୍ୟାଙ୍କନ ସମୟରେ ଏହା ୧୦ କୋଟି ନାଗରିକଙ୍କ ସହ ଜଡିତ ହେବ ବୋଲି ଆଶା କରାଯାଉଛି, ଯାହା ଏହାକୁ ନିର୍ବିବାଦରେ ବିଶ୍ୱର ସର୍ବ ବୃହତ୍ ବାର୍ଷିକ ସହରୀ ସ୍ୱଚ୍ଛତା ସର୍ବେକ୍ଷଣରେ ପରିଣତ କରିବ। ଚାରୋଟି ତ୍ରୈମାସିକ ଅବଧିରେ ପରିଚାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ତିନି ତ୍ରୈମାସିକ ମୂଲ୍ୟାଙ୍କନ ସଫଳତାର ସହିତ ସମାପ୍ତ ହୋଇ ସାରିଛି।

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ପାଇଁ ନୂତନ ତୃତୀୟ ତ୍ରୈମାସିକ ଚଳିତ ବର୍ଷ ପ୍ରବର୍ତ୍ତିତ ହୋଇଥିଲା ଏବଂ ରାଜ୍ୟ / ସହରଗୁଡିକ ସେମାନଙ୍କର କାର୍ଯ୍ୟକଳାପ ଏବଂ ପ୍ରସ୍ତୁତିର ସ୍ତରକୁ ବୃଦ୍ଧି କରି ସର୍ଭେ ପାଇଁ ପ୍ରସ୍ତୁତ ହୋଇଥିଲେ। ଗତ ଦୁଇ ମାସ ମଧ୍ୟରେ ସମଗ୍ର ଦେଶରେ ଉତ୍କଟ ଗ୍ରୀଷ୍ମ ଲହରୀ ପରିସ୍ଥିତିକୁ ଏଡାଇ ଚତୁର୍ଥ ତ୍ରୈମାସିକୀ ବର୍ତ୍ତମାନ ୨୦୨୩ ମସିହା ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଛି।

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ର ଚତୁର୍ଥ ତଥା ଅନ୍ତିମ ତ୍ରୈମାସିକୀ, ଯାହା ସବୁଠାରୁ କଠୋର ତଥା ପ୍ରତୀକ୍ଷିତ, ତାହାକୁ ଏମ୍‌ଓଏଚ୍‌ୟୁଏର ସଚିବ ମନୋଜ ଯୋଶୀ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଭାରମ୍ଭ କରି କହିଛନ୍ତି ଯେ “ସ୍ୱଚ୍ଛ ସର୍ବେକ୍ଷଣର ବିଗତ ୭ ବର୍ଷ ସ୍ୱଚ୍ଛ ଭାରତ ମିଶନର ମୁଖ୍ୟ ଆକର୍ଷଣ ହୋଇ ରହିଛି ଏବଂ ଆମକୁ ମଧ୍ୟ ଚଳିତ ବର୍ଷ ଏହାକୁ ଜାରି ରଖିବାକୁ ପଡିବ। ଛୋଟ ଏବଂ ମଧ୍ୟମ ଆକାରର ସହରଗୁଡିକ ପାଇଁ ଏହାକୁ ସହଜ ଏବଂ ଉପଯୋଗୀ କରିବାକୁ ଆମେ ଉଦ୍ୟମ ଜାରି ରଖିଛୁ ଯାହା ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ ପରିମଳର ଉନ୍ନତିକରଣ ପାଇଁ ଏକ ପରିଚାଳନା ଉପକରଣ ଭାବରେ ଅବ୍ୟାହତ ରହିବ। ମଣିଷମାନେ ପ୍ରବେଶ କରି ପରିଷ୍କାର କରୁଥିବା ଗର୍ତ୍ତ (ମ୍ୟାନ୍‌ହୋଲ୍‌)କୁ ମେସିନ୍ ଗର୍ତ୍ତରେ ରୂପାନ୍ତରିତ କରିବା ଉପରେ ଗୁରୁତ୍ୱ ଦେଇ ଏମ୍‌ଓଏଚ୍‌ୟୁଏର ସଚିବ ସଫାଇ ମିତ୍ର ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ ବିଷୟରେ କହିବାକୁ ଯାଇ ସେ ଏହାର ଉତ୍ସରେ ପୃଥକୀକରଣ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ସେ ଆଶାବାଦୀ ଥିଲେ ଯେ ପରିମଳ କ୍ଷେତ୍ରରେ ଉନ୍ନତ ହେବା ପାଇଁ ଏହି ସର୍ବେକ୍ଷଣ ସହର ଗୁଡ଼ିକୁ ଉତ୍ସାହିତ କରିବ।

 

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ସୂଚକ ଗୁଡ଼ିକ ଭିନ୍ନ ଭିନ୍ନ ଲୋକଙ୍କ ଦ୍ୱାରରୁ ଆବର୍ଜନା ସଂଗ୍ରହ, ଶୂନ୍ୟ ବର୍ଜ୍ୟ ବସ୍ତୁ କାର୍ଯ୍ୟକ୍ରମ, ଦିବ୍ୟାଙ୍ଗ ଅନୁକୂଳ ଶୌଚାଳୟ, ଉନ୍ନତ ପ୍ଲାଷ୍ଟିକ୍ ବର୍ଜ୍ୟ ବସ୍ତୁ ପରିଚାଳନା ଏବଂ ବ୍ୟାକ୍‌ଲେନ୍ସ ସଫା କରିବା ସମ୍ବନ୍ଧୀୟ ମାନଦଣ୍ଡ ଗୁଡିକ ଉପରେ ଧ୍ୟାନ ଦେଇଥାଏ, ଯେଉଁ କ୍ଷେତ୍ରରେ ଏହି ବର୍ଷ ମାର୍କ ବୃଦ୍ଧି କରାଯାଇଛି। ‘ମ୍ୟାନ୍‌ହୋଲ୍ ଗୁଡିକୁ ‘ମେସିନ୍ ହୋଲ୍‌’ ରେ ପରିଣତ କରିବା ଉପରେ ଗୁରୁତ୍ୱ ଦେଇ ସଫାଇ ମିତ୍ରଙ୍କ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହି ଉପାଦାନ ଅଧୀନରେ ୨ ଗୁଣ ମାର୍କ ବୃଦ୍ଧି କରାଯାଇଛି। ଆବର୍ଜନାରୁ ଆଶ୍ଚର୍ଯ୍ୟଜନକ ଉଦ୍ୟାନର ନୂତନ ସୂଚକ ୨% ଗୁରୁତ୍ୱର ସହିତ ଆରମ୍ଭ କରାଯାଇଛି। ସ୍ୱଚ୍ଛ ଟୁଲିପ୍‌, ମୁଖ୍ୟତଃ ୧ ଲକ୍ଷରୁ ଅଧିକ ଜନ ସଂଖ୍ୟା ବିଶିଷ୍ଟ ସହର ପାଇଁ ଏସ୍‌ଏସ୍ ୨୦୨୩ କୁ ଏକ ନୂତନ ସୂଚକ ଭାବରେ ପ୍ରବେଶ କରିଛି। ଏହା ବ୍ୟତୀତ, ରେଡ୍ ସ୍ପଟ୍ସ (ବାଣିଜ୍ୟିକ / ଆବାସିକ ଅଞ୍ଚଳରେ ଛେପ ପକାଇବା) କୁ ମଧ୍ୟ ସର୍ବସାଧାରଣ ସ୍ଥାନଗୁଡିକ ସଫା କରିବା ସମୟରେ ଏକ ନୂତନ ସୂଚକ ଭାବରେ ଯୋଗ କରାଯାଇଛି। ଆର୍‌ଆର୍‌ଆର୍‌ର ପଦୋନ୍ନତି – କେନ୍ଦ୍ର ଗୁଡ଼ିକର କାର୍ଯ୍ୟକାରିତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷ ସହର ଗୁଡିକରେ ଥିବା ସମସ୍ତ ବର୍ଜ୍ୟବସ୍ତୁ ଚିକିତ୍ସା ସୁବିଧା ଗୁଡ଼ିକର ବିସ୍ତୃତ ବୈଷୟିକ ମୂଲ୍ୟାଙ୍କନ ପାଇଁ ୪୦% ଗୁରୁତ୍ୱ ସୂଚିତ କରାଯାଇଛି।

ସହର ପରିଷ୍କାର ପରିଚ୍ଛନ୍ନତାର ବିଭିନ୍ନ ମାନଦଣ୍ଡ ଉପରେ ନାଗରିକଙ୍କ ଠାରୁ ଟେଲିଫୋନ୍ ଯୋଗେ ମତାମତ ସଂଗ୍ରହ ସହିତ ୨୪ ମେ’, ୨୦୨୨ ରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ଆରମ୍ଭ କରା ଯାଇଥିଲା। ୮ ବର୍ଷରେ ନାଗରିକଙ୍କ ଧାରଣା ଏବଂ ଯୋଗଦାନ ସ୍ୱଚ୍ଛ ପଡ଼ୋଶୀ, ସ୍ୱଚ୍ଛ ଡ୍ରେନ୍‌, ସ୍ୱଚ୍ଛ ବଜାର କ୍ଷେତ୍ର ଇତ୍ୟାଦିରେ ପ୍ରତିଫଳିତ ହୋଇଛି। ପରିମଳ ସର୍ବେକ୍ଷଣରେ ଦକ୍ଷତା ଏବଂ ସ୍ୱଚ୍ଛତା ଆଣିବା ପାଇଁ ଭୋଟ୍ ଫର୍ ମାଇଁ ସିଟି ଆପ୍‌, ଭୋଟ୍ ଫର ମାଇଁ ସିଟି ପୋର୍ଟାଲ୍‌, ମାଇଗଭ୍ ଆପ୍‌, ସ୍ୱଚ୍ଛତା ଆପ୍ ଏବଂ କ୍ୟୁଆର୍ କୋଡ୍ ଭଳି ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ନାଗରିକଙ୍କ ମତାମତ ସଂଗ୍ରହ କରା ଯାଇଥାଏ। ଆପଣଙ୍କର ମତାମତ ଦେବାକୁ ଏହି କ୍ୟୁଆର୍ କୋଡ୍‌କୁ ସ୍କାନ୍ କରନ୍ତୁ! ନାଗରିକମାନେ ସେମାନଙ୍କର ମତାମତ ୧ ଜୁଲାଇ, ୨୦୨୩ରୁ ଦେବା ଆରମ୍ଭ କରି ପାରିବେ। ବର୍ଷ ବର୍ଷ ଧରି ରାଜ୍ୟ ସରକାର, ନଗର ପ୍ରଶାସନ ଏବଂ ଏହି ସର୍ଭେରେ ଭାଗ ନେବାକୁ ଜନସାଧାରଣଙ୍କ ଉତ୍ସାହ ସହିତ ନାଗରିକ ମାନଙ୍କ ମତାମତ ନିରନ୍ତର ଭାବରେ ସଂଗ୍ରହ କରାଯାଉଛି।

ଗୁଣବତ୍ତା ସୁନିଶ୍ଚିତତା ଉପରେ ଧ୍ୟାନ ଦେବା ଏବଂ ମତାମତ ଏବଂ ଅଭିଯୋଗଗୁଡିକ ସ୍ୱଚ୍ଛ ସର୍ବେକ୍ଷଣ ପ୍ରକ୍ରିୟାରେ ସନ୍ନିବେଶିତ ହେବା ପାଇଁ ମୂଲ୍ୟାଙ୍କନ ଏଜେନ୍ସି କିଛି ବାଧ୍ୟତାମୂଳକ ନିୟମ ପ୍ରଦାନ କରିଥାଏ। ସର୍ଭେ ଆରମ୍ଭ କରିବା ପୂର୍ବରୁ ଅନ୍ – ଫିଲ୍ଡ ମୂଲ୍ୟାଙ୍କନକାରୀ ଦଳଗୁଡିକ ପ୍ରକ୍ରିୟା ଏବଂ ଉପକରଣଗୁଡ଼ିକ ଉପରେ ତାଲିମପ୍ରାପ୍ତ, ପ୍ରମାଣ ପାଇଁ ଦୁଇଟି ସ୍ତରର ଗୁଣାତ୍ମକ ଯାଞ୍ଚ କରାଯାଇଥାଏ ଏବଂ ପ୍ରୋଟୋକଲ ଗୁଡିକ ଯାଞ୍ଚ କରିବା ପାଇଁ ମୂଳ ଦଳ ଦ୍ୱାରା ଅଚାନକ କ୍ଷେତ୍ର ପରିଦର୍ଶନ କରା ଯାଇଥାଏ। ସର୍ବେକ୍ଷଣର ନିରବଚ୍ଛିନ୍ନ କାର୍ଯ୍ୟ ନିଶ୍ଚିତ କରିବାକୁ ଏମ୍‌ଓଏଚ୍‌ୟୁଏ ଗୁଣାତ୍ମକ ପଦକ୍ଷେପ ଗ୍ରହଣ କରିଛି। ଟୁଲ୍‌କିଟ୍ ସମ୍ବନ୍ଧୀୟ ତଥା ମୂଲ୍ୟାଙ୍କନ ଇତ୍ୟାଦି ପାଇଁ ରାଜ୍ୟ/ସହରଗୁଡିକ ନିମନ୍ତେ ଏକ ଜାତୀୟ ଦଳକୁ ଏକ ଯୋଗାଯୋଗ ବିନ୍ଦୁ ଭାବରେ ନିର୍ଦ୍ଦିଷ୍ଟ ରୂପରେ ନିଯୁକ୍ତ କରାଯାଇଛି। ମନ୍ତ୍ରଣାଳୟ ମଧ୍ୟ ମୂଲ୍ୟାଙ୍କନ ପ୍ରକ୍ରିୟା ତଦାରଖ ପାଇଁ ବିଭିନ୍ନ ସହରକୁ ଏକ କେନ୍ଦ୍ରୀୟ ଦଳ ପଠାଇବ।

ସ୍ୱଚ୍ଛ ସର୍ବେକ୍ଷଣ ସହରୀ ଦୃଶ୍ୟପଟ୍ଟର ପରିବର୍ତ୍ତନ ଏବଂ ରୂପାନ୍ତରଣର ରାସ୍ତା ଖୋଲିଛି। ଏହା ବର୍ତ୍ତମାନ ଏକ ପ୍ରେରଣାଦାୟକ ଉପକରଣରେ ପରିଣତ ହୋଇଛି ଏବଂ ରାଜ୍ୟ/ ସହରଗୁଡିକ ପାଇଁ ଗର୍ବର ବିଷୟ ଭାବରେ ଚିହ୍ନଟ ହୋଇଛି । ଅଳିଆ ମୁକ୍ତ ସହର ଗଠନ କରିବାର ଲକ୍ଷ୍ୟ ସହିତ, ପରିବର୍ତ୍ତନକୁ ଉତ୍‌ପ୍ରେରିତ କରିବାର ସମୟ ଆସିଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଅନ୍ତର୍ଜାତୀୟ ଯୋଗ ଦିବସର ଅଷ୍ଟମ ସଂସ୍କରଣ: “ଯୋଗ ଫର ହ୍ୟୁମାନିଟି”କୁ ଥିମ୍ ଭାବେ ଚୟନ

ଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସର (ଆଇଡିୱାଇ) ଅଷ୍ଟମ ସଂସ୍କରଣ “ଯୋଗ ଫର ହ୍ୟୁମାନିଟି”/ “ମାନବତା ପାଇଁ ଯୋଗ”କୁ ଥିମ୍ (ବିଷୟ) ଭାବରେ ନେଇ ପାଳନ କରାଯିବ। ଆୟୁଷ ମନ୍ତ୍ରଣାଳୟ ୨୧ ଜୁନ୍ ୨୦୨୨ରେ ଭାରତ ଏବଂ ସମଗ୍ର ବିଶ୍ୱରେ ଆୟୋଜିତ ହେବାକୁ ଯାଉଥିବା ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୨ ନିମନ୍ତେ ଏହି ବିଷୟକୁ ଚୟନ କରିଛନ୍ତି। ଆଇଡିୱାଇ ୨୦୨୨ର ପ୍ରଦର୍ଶନର ମୁଖ୍ୟ କାର୍ଯ୍ୟକ୍ରମ କର୍ଣ୍ଣାଟକର ମହୀଶୂରରେ ଆୟୋଜିତ କରାଯିବ। କୋଭିଡ୍ – ୧୯ ମହାମାରୀ ସମୟରେ ଆୟୋଜିତ ଗତ ବର୍ଷର ଆଇଡିୱାଇର ବିଷୟ “ଯୋଗ ଫର ୱେଲନେସ୍‌”/ “ସୁସ୍ଥତା ପାଇଁ ଯୋଗ” ରହିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର “ମନ୍ କି ବାତ୍‌” ସମ୍ବୋଧନରେ ଏହି ଥିମ୍ (ବିଷୟ) ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ବର୍ଷର ଆଇଡିୱାଇ ନିମନ୍ତେ ବିଷୟକୁ ବହୁତ ବିଚାର – ବିମର୍ଶ/ ପରାମର୍ଶ ପରେ ଚୟନ କରାଯାଇଛି ଏବଂ ଏହା ଉଚିତ୍ ଢଙ୍ଗରେ ଚିତ୍ରିତ କରିବାର ଅଛି ଯେ, କିଭଳି କୋଭିଡ୍ – ୧୯ ମହାମାରୀ ଚରମ ସୀମାରେ ପହଂଚିଥିବା ସମୟରେ, ଯନ୍ତ୍ରଣାକୁ କମ୍ କରିବା କ୍ଷେତ୍ରରେ ଯୋଗ ମାନବତାର ସେବା କରିଛି ଏବଂ ପୁଣି ଥରେ ମୁଣ୍ଡ ଟେକୁଥିବା ପୋଷ୍ଟ କୋଭିଡ୍‌ରେ ଭୌଗୋଳିକ – ରାଜନୈତିକ ଦୃଶ୍ୟପଟ୍ଟରେ  ମଧ୍ୟ ଏହା କରୁଣା, ଦୟା ମାଧ୍ୟମରେ ଲୋକ ମାନଙ୍କୁ ଏକାଠି କରିବ, ଏକତାର ଭାବନାକୁ ପ୍ରୋତ୍ସାହିତ କରିବ ଏବଂ ସାରା ବିଶ୍ୱରେ ଲୋକ ମାନଙ୍କ ମଧ୍ୟରେ ସହନଶୀଳତା ସୃଷ୍ଟି କରିବ।

କେନ୍ଦ୍ର ଆୟୁଷ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ, ସର୍ବାନନ୍ଦ ସୋନୋୱାଲ କହିଥିଲେ ଯେ ଆମର ପ୍ରଧାନମନ୍ତ୍ରୀ ଏହି ବର୍ଷର ଆଇଡିୱାଇ ଥିମ୍‌କୁ “ମାନବତା ନିମନ୍ତେ ଯୋଗ” ଭାବରେ ଘୋଷଣା କରିଛନ୍ତି। ଯେମିତିକି ଆମେ ଜାଣିଛେ ଯେ, ଯୋଗ ଏମିତି ଏକ ଅଭ୍ୟାସ ଅଟେ, ଯାହା ଭିତରୁ ଆନନ୍ଦ, ସୁସ୍ଥତା ଏବଂ ଶକ୍ତି ଆଣିଥାଏ ଏବଂ ଏହା ବ୍ୟକ୍ତିର ଅନ୍ତର୍ନିହିତ ଚେତନା ଏବଂ ବାହ୍ୟ ଜଗତ ମଧ୍ୟରେ ନିରନ୍ତର ସମ୍ବନ୍ଧର ଭାବନାକୁ ଗଭୀର କରିଥାଏ। ଆଇଡିୱାଇ ୨୦୨୨ ଏହି ବିଷୟକୁ ଉପଯୁକ୍ତ ଭାବରେ ପ୍ରଚାରିତ କରିବା କ୍ଷେତ୍ରରେ ସଫଳ ହେବ।

ମାନବତା ନିମନ୍ତେ ଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରି, ଚଳିତ ବର୍ଷ ବିଶେଷ ରୂପରେ ଦିବ୍ୟାଙ୍ଗ ଲୋକ ମାନଙ୍କ ପାଇଁ, ତୃତୀୟ ଲିଙ୍ଗର ବ୍ୟକ୍ତି ବିଶେଷ, ମହିଳା ଏବଂ ଶିଶୁ ମାନଙ୍କ ନିମନ୍ତେ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ମାନବିକ ମୂଲ୍ୟବୋଧ ହେଉଛି ବିଦ୍ୟାଳୟ ଗୁଡିକରେ ଯୋଗ ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଚଳିତ ବର୍ଷ ଆମର ଗ୍ରାମ/ ଗ୍ରାମ ପଂଚାୟତ  ଗୁଡିକରେ ମଧ୍ୟ ଅଧିକରୁ ଅଧିକ ଭାଗୀଦାରୀ ରହିବ, କାରଣ ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) ସାମାନ୍ୟ ଯୋଗ ପ୍ରୋଟୋକଲ୍ (ସିୱାଇପି) ର ଅଭ୍ୟାସ ଏବଂ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରୁ ଅଛନ୍ତି ଏବଂ ଆଶା ରହିଛି ଯେ ଆଇଡିୱାଇ ୨୦୨୨ରେ ଲକ୍ଷ ଲକ୍ଷ ପରିମାଣରେ ଗ୍ରାମର ଲୋକମାନେ ଅଂଶଗ୍ରହଣ କରିବେ।

ଅନ୍ତର୍ଜାତୀୟ ଯୋଗ ଦିବସର ଅଷ୍ଟମ ସଂସ୍କରଣରେ ଅନେକ ଜିନିଷ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ, ସେଥି ମଧ୍ୟରୁ “ଗାର୍ଡିଅନ୍ ରିଙ୍ଗ” ନାମକ ଏକ ଯୋଗ ଏକ ଅଭିନବ କାର୍ଯ୍ୟକ୍ରମ ଅଟେ, ଯାହା ସୂର୍ଯ୍ୟଙ୍କର ଗତିକୁ ପ୍ରଦର୍ଶିତ କରିବ, ଯୋଗ କରୁଥିବା ଲୋକ ମାନଙ୍କର ଭାଗୀଦାରୀ ସୂର୍ଯ୍ୟଙ୍କର ଗତି ଭଳି ରହିବ, ବିଭିନ୍ନ ଦେଶରୁ, ଅର୍ଥାତ୍ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆଡକୁ ଗତିଶୀଳ ହେବ। ଏହା ଏକ ଅଦ୍ଭୁତ ରିଲେ ଯୋଗ ଷ୍ଟ୍ରିମିଂ କାର୍ଯ୍ୟକ୍ରମ ହେବ, ଯାହା ଡିଡି ନ୍ୟାସନାଲ୍‌ରେ ସିଧା ପ୍ରସାରଣ କରାଯିବ।

ଯେମିତିକି ଦେଶ “ଆଜାଦୀର ଅମୃତ ମହୋତ୍ସବ” ମଧ୍ୟ ପାଳନ କରୁଛି,  ତେଣୁ ୭୫ଟି ଜାତୀୟ ସ୍ତରରେ ପ୍ରତିଷ୍ଠିତ ସ୍ଥାନରେ ମଧ୍ୟ ୨୧ ଜୁନ୍‌ରେ ବହୁତ ବଡ ଆକାରରେ ସିୱାଇପିର ପ୍ରଦର୍ଶନ କରାଯିବ, ଯେତେବେଳେ କି ସମ୍ବନ୍ଧିତ ରାଜ୍ୟ ମଧ୍ୟ ନିଜର ପସନ୍ଦ ଅନୁସାରେ  ୭୫ଟି ମହତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଏହି ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ କରିବେ।

ମୋରାରଜୀ ଦେଶାଇ ଜାତୀୟ ଯୋଗ ସଂସ୍ଥାନର ସହଯୋଗରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ୨୦୨୨)ର ଅଷ୍ଟମ ସଂସ୍କରଣକୁ କିଛି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ କରାଯାଉଛି। ୧୩ ମାର୍ଚ୍ଚ ୨୦୨୨ରେ ଯୋଗ ଦିବସର ୧୦୦ ଦିନର ଓଲଟା ଗଣନା (କାଉଂଟ୍‌ଡାଉନ୍‌) ନିମନ୍ତେ ଏକ କାର୍ଯ୍ୟକ୍ରମ ପାଳନ କରାଯାଇଛି, ଯେଉଁଥିରେ ସାରା ବିଶ୍ୱରେ ୧୩ ମାର୍ଚ୍ଚରୁ ୨୧ ଜୁନ୍‌, ୨୦୨୨ ପର୍ଯ୍ୟନ୍ତ ପାଳନ କରାଯିବାକୁ ଥିବା ଯୋଗ ଦିବସର ୧୦୦ ଦିବସରେ, ୧୦୦ ସହରରେ ଏବଂ ୧୦୦ ସଙ୍ଗଠନରେ ଅଭିଯାନ ଆରମ୍ଭ କରାଯାଇଥିଲା। ନୂଆଦିଲ୍ଲୀର ଲାଲକିଲ୍ଲାରେ ୭୫ ଦିବସୀୟ କାଉଂଟ୍‌ଡାଉନ୍ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଛି। ୫୦ ତମ ଦିବସରେ କାଉଂଟଡାଉନ୍ ଆସାମର ଶିବସାଗରରେ ପାଳନ କରା ଯାଇଥିଲା ଏବଂ ୨୫ତମ ଦିବସର କାଉଂଟ୍‌ଡାଉନ୍ ହାଇଦ୍ରାବାଦ, ତେଲେଙ୍ଗାନାରେ ପାଳନ କରାଯାଇଥିଲା।