Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଘୋଷଣା କଲେ ରିଲିଫ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ ।

ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ।

ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବନ୍ୟାଂଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି।  ଖୁରୁଧା , ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲା ଯେଉଁ ଗାଁ ମାନଙ୍କ ରେ ପାଣି ପଶିଛି ସେଠାରେ ବିପନ୍ନ ଲୋକ ମାନଙ୍କୁ 15ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲା ର ପାଣି ପଶିଥିବା ଗାଁର ଲୋକମାନଙ୍କୁ ସାତ ଦିନ ପାଇଁ ରିଲିଫ ଦିଆଯିବ। ପାଣି ଛାଡିବାର ସାତ ଦିନ ମଧ୍ୟ୍ୟ ରେ କ୍ଷୟକ୍ଷତି ଆକଳନ କରିବା ଏବଂ ତାର 15ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ, ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ନିର୍ଦ୍ଦେଶ

ପୁରୀ: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପୁରୀ ଏକ ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ବୃକ୍ଷରୋପଣ ନିମନ୍ତେ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଅସ୍ତରଙ୍ଗ ଓ କାକଟପୁର ସମେତ ଜିଲ୍ଲାର ସମସ୍ତ ସମୁଦ୍ର କୂଳିଆ ଅଞ୍ଚଳ, ବନଖଣ୍ତ-ଅଭୟାରଣ୍ୟ, ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରୋଡ,ନୂଆ ମୁହାଣ ଅଞ୍ଚଳ, ପୁରୀ- ସାତପଡା ଓ ଜାତୀୟ ରାଜପଥ ଏବଂ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳରେ ବୃକ୍ଷରୋପଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବର, ଅଶ୍ବସ୍ତ, ଆକାଶିଆ, କାଜୁ ଓ ଝାମୁ ଗଛ ଲଗାଇବା, ମୃତ୍ତିକା କ୍ଷୟ ରୋକିବା, ବାଲିବନ୍ଧ ସୁରକ୍ଷା ଏବଂ ଅସ୍ତରଙ୍ଗର ତଣ୍ତାଘର ଅଞ୍ଚଳକୁ ସମୁଦ୍ରପାଣି ପ୍ରବେଶ ରୋକିବା ନିମନ୍ତେ କିଆବାଡ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଗତବର୍ଷ ଜିଲ୍ଲାରେ ୧୭୮୩୭୫ଟି ଚାରାରୋପଣ ସହ ୧୪୬୦୦ ଚାରା ବଣ୍ଟନ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ୭୭୧.୧ ହେକ୍ଟର ଅଞ୍ଚଳରେ ୬୮୫୨୫୦ ଚାରା ରୋପଣ ନିମନ୍ତେ ଲକ୍ଷ ରଖାଯାଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ ସୂଚନା ଦେଇଥିଲେ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଡିଏଫ୍ଓ ଶ୍ରୀ ପି. ର‍ମାସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ କୁମାର ଦାସ, ୱାଟକୋ ଜେନେରାଲ ମ୍ୟାନେଜର ଶ୍ରୀ ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।