Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଏବଂ ଗୋଆ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଓ ଗୋଆ ଗସ୍ତ କରିବେ। ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ପହଞ୍ଚି ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହ ଦର୍ଶନ କରିବେ। ମନ୍ଦିରରେ ସେ ମଧ୍ୟ ନବନିର୍ମିତ ଧାଡିି ଦର୍ଶନ ପରିସରକୁ ଉଦ୍‌ଘାଟନ କରିବେ। ପ୍ରାୟ ଅପରାହ୍ନ ଦୁଇଟା ବେଳେ, ପ୍ରଧାନମନ୍ତ୍ରୀ ନୀଳୱାଣ୍ଡେ ଆନିକଟରେ ଜଳପୂଜନ କରିବା ସହ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଅପରାହ୍ନ ପ୍ରାୟ ୩ଟା ୧୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଶିରିଡିଠାରେ ଏକ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ସେ ସ୍ୱାସ୍ଥ୍ୟ, ରେଳ, ସଡକ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ପ୍ରାୟ ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ପ୍ରାୟ ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଗୋଆ ପହଂଚି ୩୭ତମ ଜାତୀୟ କ୍ରୀଡାକୁ ଉଦ୍‌ଘାଟନ କରିବେ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିରିଡିଠାରେ ଉଦ୍‌ଘାଟିତ ହେବାକୁ ଥିବା ନୂତନ ଧାଡି ଦର୍ଶନ ପରିସର ଭବନ ଅତ୍ୟାଧୁନିକ ଢାଞ୍ଚାରେ ଆରାମ ଦାୟକ ପ୍ରତୀକ୍ଷା ସ୍ଥଳଭାବେ ନିର୍ମିତ ହୋଇଛି । ଏଥିରେ କେତେଗୁଡିଏ ପ୍ରତୀକ୍ଷାଳୟ ରହିଛି ଯେଉଁଥିରେ ଦଶ ହଜାରରୁ ଅଧିକ ଭକ୍ତ ଏକା ସମୟରେ ଦର୍ଶନ ପାଇଁ ଅପେକ୍ଷା କରିପାରିବେ । ଏଥିରେ ବାତାନୁକୂଳୀତ ଜନ ସୁବିଧା ଯଥା ଆସବାବପତ୍ର ରଖିବା ଘର, ଶୌଚାଳୟ, ବୁକିଂ କାଉଣ୍ଟର, ପ୍ରସାଦ କାଉଣ୍ଟର, ସୂଚନା କେନ୍ଦ୍ର ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଅକ୍ଟୋବର ୨୦୧୮ରେ ଏହି ନୂତନ ଧାଡି ଦର୍ଶନ ପରିସରର ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ନୀଲୱାଣ୍ଡେ ଡ୍ୟାମର ୮୫ କିଲୋମିଟର ଦୀର୍ଘ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏଥି ଯୋଗୁଁ ଅହମ୍ମଦନଗର ଜିଲ୍ଲାରୁ ଛଅ ଓ ନାସିକରୁ ଗୋଟିଏ, ଏହିପରି ମୋଟ ସାତଟି ତହସିଲରେ ୧୮୨ଟି ଗ୍ରାମର ଜନସାଧାରଣ ପାଇପ୍ ଯୋଗେ ପାଣି ପାଇ ଉପକୃତ ହେବେ । ନୀଲୱାଣ୍ଡେ ଡ୍ୟାମ କାର୍ଯ୍ୟ ୧୯୭୦ରେ ଆରମ୍ଭ କରାଯାଇଥିବାବେଳେ ଏହା ୫୧୭୭ କୋଟି ଟଙ୍କାରେ ସମ୍ପୂର୍ଣ୍ଣ ହୋଇଛି ।

ଜନସାଧାରଣଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଯୋଗୁଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମହାରାଷ୍ଟ୍ରର ୮୬ଲକ୍ଷରୁ ଅଧିକ କୃଷକ ସୁବିଧା ପାଇବେ । ସେମାନଙ୍କୁ ବାର୍ଷିକ ଛଅହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ମଧ୍ୟ କେତେକ ବିକାଶମୂଳକ ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେଗୁଡିକ ମଧ୍ୟରେ ଅହମ୍ମଦନଗର ସିଭିଲ ହସ୍‌ପିଟାଲରେ ଆୟୁଷ ହସପିଟାଲ, କୁର୍ଦୁୱାଡୀ-ଲାଟୁର ରୋଡ ୧୮୬ କିଲୋମିଟର ଦୀର୍ଘ ରେଳପଥ ବିଦ୍ୟୁତୀକରଣ, ଜଳଗାଓଁରୁ ଭୂଷାବଲ ମଧ୍ୟରେ ୨୪.୪୬ କିଲୋମିଟର ତୃତୀୟ ଓ ଚତୁର୍ଥ ରେଲପଥ, ଏନଏଚ୍‌-୧୬୬ ସାଙ୍ଗିଲିରୁ ବୋରଗାଓଁ ଚାରିଲାଇନ ବିଶିଷ୍ଟ ସଡକ, ଭାରତୀୟ  ‌ତୌଳ ନିଗମର ମନମାଡ ଟର୍ମିନାଲରେ ଅତିରିକ୍ତ ସୁବିଧା ଅର୍ନ୍ତଭୁର୍କ୍ତ ।

ପ୍ରଧାନମନ୍ତ୍ରୀ ମଧ୍ୟ ଅହମ୍ମଦନଗର ସିଭିଲ ହସ୍‌ପିଟାଲରେ ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଶାଖାର ଶିଳାନ୍ୟାସ କରିବେ ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଓ ସ୍ୱାମୀତ୍ୱ କାର୍ଡ ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରିବେ ।

ଗୋଆରେ ପ୍ରଧାନମନ୍ତ୍ରୀ- ପ୍ରଧାନମନ୍ତ୍ରୀ ତାଙ୍କ ନେତୃତ୍ୱରେ ଦେଶର କ୍ରୀଡା ସଂସ୍କୃତିରେ ବିଶାଳ ପରିବର୍ତ୍ତନ ଘଟିଛି। ନିରବଚ୍ଛିନ୍ନ ସରକାରୀ ପ୍ରୋତ୍ସାହନ ଯୋଗୁଁ କ୍ରୀଡାବିତ୍‌ମାନଙ୍କ କ୍ରୀଡ ନୈପଣ୍ୟ ଆର୍ନ୍ତଜାତିକ ସ୍ତରରେ ଛୁଇଁଛି । କ୍ରୀଡାବିତମାନଙ୍କ ଉତ୍ତମ ପ୍ରଦର୍ଶନକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ସ୍ଥାନରେ ଜାତୀୟ କ୍ରୀଡାମାନ ଅନୁଷ୍ଠିତ ହେଉଛି ।

ପ୍ରଧାନମନ୍ତ୍ରୀ ଗୋଆର ମାଓଗାଓଁ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ୨୬ତାରିଖ ଦିନ ୩୭ତମ ଜାତୀୟ କ୍ରୀଡାର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ଅଂଶଗ୍ରହଣକାରୀ କ୍ରୀଡାବିତମାନଙ୍କୁ ମଧ୍ୟ ସମ୍ବୋଧନ କରିବେ ।

ପ୍ରଥମଥର ନିମନ୍ତେ ଗୋଆରେ ଏହି ଜାତୀୟ କ୍ରୀଢା ଅନୁଷ୍ଠିତ ହେଉଛି । ଏହା ଅକ୍ଟୋବର ୨୬ରୁ ନଭେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶବ୍ୟାପୀ ୧୦ହଜାରରୁ ଅଧିକ ଖେଳାଳି ଏଥିରେ ଅଂଶଗ୍ରହଣ କରୁଥିବାବେଳେ ୪୩ଟି ବିଭିନ୍ନ ପ୍ରକାର ଖେଳ ୨୮ଟି ସ୍ଥାନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Categories
ଆଜିର ଖବର ଜାତୀୟ ଖବର

ବଦଳିଲା ‘ଅହମ୍ମଦନଗର’ର ନାମ: ଅହିଲ୍ୟା ବାଇ ହୋଲକର ନାମରେ ନାମିତ କଲେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲା ବର୍ତ୍ତମାନ ଅହିଲ୍ୟା ବାଇ ହୋଲକର ନାମରେ ପରିଚିତ ହେବ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ଆଜି ଅହିଲ୍ୟା ବାଇ ହୋଲକରଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ଜିଲ୍ଲାର ନାମ ବଦଳାଇବାକୁ ଦାବି ଲଗାତାର କରାଯାଉଥିଲା। ମୁଖ୍ୟମନ୍ତ୍ରୀ ସିନ୍ଦେ ଆଜି ଅହିଲ୍ୟା ବାଇଙ୍କ ଜନ୍ମସ୍ଥାନରେ ପହଞ୍ଚିଥିଲେ। ତାଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ। ସମ୍ପ୍ରତି ଔରଙ୍ଗାବାଦର ନାମ ‘ଛତ୍ରପତି ସମ୍ଭାଜିନଗର’ ଏବଂ ଓସମାନାବାଦକୁ ‘ଧାରାଶିବ’ ନାମରେ ନାମିତ କରାଯାଇଛି।

ପ୍ରକାଶ ଯେ, ଇନ୍ଦୋର ବିମାନବନ୍ଦରର ନାମ ‘ଦେବୀ ଅହିଲ୍ୟା ବାଇ ହୋଲକର ବିମାନବନ୍ଦର’ ନାମିତ କରାଯାଇଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର (ସୋଲାପୁର) ର ଦୁଇଟି ବିଶ୍ୱବିଦ୍ୟାଳୟର ନାମକରଣ ଅହିଲ୍ୟା ବାଇ ହୋଲକରଙ୍କ ନାମରେ କରାଯାଇଛି। ତାଙ୍କ ସ୍ମୃତିରେ ଅନେକ ରାସ୍ତା, କୋଠା, ସର୍ବସାଧାରଣ ସ୍ଥାନ ନାମିତ ହୋଇଛି।

ଅହିଲ୍ୟା ବାଇ ହୋଲକର କିଏ?:

ଅହିଲ୍ୟା ବାଇ ହୋଲକର (୧୭୨୫-୧୭୯୫) ଅହମ୍ମଦନଗର ଜିଲ୍ଲାର ଚୌଣ୍ଡି ଗାଁର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ ମାଲୱା ରାଜ୍ୟର ରାଣୀ ହୋଇଥିଲେ (୧୭୬୭ ରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ)। ପିଲାଦିନରୁ ସେ ଲୋକଙ୍କୁ ସାହାଯ୍ୟ କରିବାର ଇଚ୍ଛା ରଖିଥିଲେ। କମ ବୟସରେ ଖଣ୍ଡେରାଓଙ୍କୁ ବିବାହ କରିଥିଲେ। ସେ ୧୭୩୩ ମସିହାରେ ବିବାହ କରିଥିଲେ। ୧୭୫୪ ମସିହାରେ ଖଣ୍ଡେରାଓ ଯୁଦ୍ଧ ସମୟରେ ବୀରଗତି ପ୍ରାପ୍ତ ହୋଇଥିଲା। ପରେ ଅହିଲ୍ୟାଦେବୀଙ୍କୁ ହୋଲକର ସାମ୍ରାଜ୍ୟର ନେତୃତ୍ଵ ହସ୍ତାନ୍ତର କରାଯାଇଥିଲା। ସେ ଭାରତ ଇତିହାସର ସର୍ବୋତ୍ତମ ରାଣୀମାନଙ୍କ ମଧ୍ୟରୁ ଜଣେ ବିବେଚିତ ହୋଇଥିଲେ। ଦେଶର ବିଭିନ୍ନ ସ୍ଥାନରେ ଅନେକ ଧର୍ମଶାଳା ନିର୍ମାଣ ପାଇଁ ଅହିଲ୍ୟା ବାଇ ହୋଲକରଙ୍କୁ ଏହି ଶ୍ରେୟ ଦିଆଯାଇଛି। ସେ ୧୩ ଅଗଷ୍ଟ ୧୭୯୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦାରିଦ୍ର୍ୟ ଜନିତ ସମସ୍ୟା: ନବଜାତ ଶିଶୁପୁତ୍ରକୁ ପ୍ରାୟ ୨ ଲକ୍ଷରେ ବିକ୍ରି କରିଦେଲା ମା’

ଥାନେ: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଶିରିଡି ସହରରେ ଦାରିଦ୍ର୍ୟତା ହେତୁ ଜଣେ ମହିଳା ନିଜର ତିନି ଦିନର ଶିଶୁକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ମହିଳାଜଣଙ୍କ ମୁମ୍ବାଇର ଜଣେ ବ୍ୟକ୍ତିଙ୍କୁ ୧.୭୮ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ବୁଧବାର ପୋଲିସ ଏହି ସୂଚନା ଦେଇଛି। ନଭେମ୍ବର ୭ ତାରିଖରେ ଥାନାର ଡୋମ୍ବିଭଲି ସହରର ମନପଡା ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଏଫଆଇଆର ଦାଖଲ କରାଯାଇଛି। ଏହି ମାମଲାରେ ପୋଲିସ ମହିଳାଙ୍କୁ, ପିଲା କିଣିଥିବା ବ୍ୟକ୍ତିଙ୍କୁ ଏବଂ ଅନ୍ୟ ଚାରି ଜଣଙ୍କୁ ଅଟକ ରଖିଛି।

ମନପଡା ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ମହିଳା ପ୍ରସବ ପରେ ଶିଶୁର ଯତ୍ନ ନେବା ସ୍ଥିତିରେ ନଥିଲେ। ଏହା ପରେ ସେ ପିଲାଟିକୁ ବିକ୍ରୟ କରିବା ପାଇଁ ଗ୍ରାହକ ଖୋଜିବା ଆରମ୍ଭ କରିଥିଲେ। ସମ୍ପୃକ୍ତ ମହିଳାଙ୍କୁ ଏହି କାର୍ଯ୍ୟରେ ତିନିଜଣ ମହିଳା ସାହାଯ୍ୟ କରିଥିଲେ। ତା’ପରେ ସେମାନେ ଶିଶୁଟିକୁ ମୁଲୁଣ୍ଡରେ ରହୁଥିବା ବ୍ୟକ୍ତିଙ୍କ ନିକଟରେ ବିକ୍ରୟ କରିବାକୁ ଚୁକ୍ତି କରିଥିଲେ। ଅନ୍ୟ ଅଭିଯୁକ୍ତଙ୍କ ସହାୟତାରେ ଶିଶୁର ମା’ କୌଣସି ଆଇନଗତ ଔପଚାରିକତା ବିନା ପିଲାଟିକୁ ୧.୭୮ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କରୋନା ୱାର୍ଡରେ ଅଗ୍ନିକାଣ୍ଡ ଯୋଗୁଁ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ମୁମ୍ବାଇ: ଆଜି ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଅହମ୍ମଦନଗର ଜିଲ୍ଲା ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଅଗ୍ନିକାଣ୍ଡ ହସ୍ପିଟାଲର କରୋନା ୱାର୍ଡରେ ଆରମ୍ଭ ହୋଇଥିଲା। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଯେଉଁମାନେ ଅବହେଳା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ମୃତ୍ୟୁବରଣ କରିଥିବା ସମସ୍ତ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ। ସକାଳ ପ୍ରାୟ ସାଢେ ୧୦ ଟା ବେଳେ ଆଇସିୟୁରେ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ଆଇସିୟୁ ୱାର୍ଡରେ ନିଆଁ ଲାଗିବା ସମୟରେ ୧୭ ଜଣ ରୋଗୀ ଚିକିତ୍ସିତ ହେଉଥିଲେ, ସେମାନଙ୍କ ମଧ୍ୟରୁ ଦଶ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନି। କିନ୍ତୁ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ନିଆଁକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନିଆଯାଇଛି। ଏହି ଘଟଣା ପରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ କହିଛନ୍ତି, “ଅହମ୍ମଦନଗରରେ ଥିବା ସରକାରୀ ଡାକ୍ତରଖାନାର ଆଇସିୟୁ ୟୁନିଟରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଡାକ୍ତରଖାନାର ‘ଅଗ୍ନି ଅଡିଟ୍’ ହୋଇଛି କି ନାହିଁ ଆମେ ଯାଞ୍ଚ କରିବୁ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୃତକଙ୍କ ସମ୍ପର୍କୀୟଙ୍କୁ ସରକାର ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।