ବଦଳିଲା ‘ଅହମ୍ମଦନଗର’ର ନାମ: ଅହିଲ୍ୟା ବାଇ ହୋଲକର ନାମରେ ନାମିତ କଲେ ମୁଖ୍ୟମନ୍ତ୍ରୀ ସିନ୍ଦେ

Published: May 31, 2023, 6:33 pm IST

ମୁମ୍ବାଇ: ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲା ବର୍ତ୍ତମାନ ଅହିଲ୍ୟା ବାଇ ହୋଲକର ନାମରେ ପରିଚିତ ହେବ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ଆଜି ଅହିଲ୍ୟା ବାଇ ହୋଲକରଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ଜିଲ୍ଲାର ନାମ ବଦଳାଇବାକୁ ଦାବି ଲଗାତାର କରାଯାଉଥିଲା। ମୁଖ୍ୟମନ୍ତ୍ରୀ ସିନ୍ଦେ ଆଜି ଅହିଲ୍ୟା ବାଇଙ୍କ ଜନ୍ମସ୍ଥାନରେ ପହଞ୍ଚିଥିଲେ। ତାଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ। ସମ୍ପ୍ରତି ଔରଙ୍ଗାବାଦର ନାମ ‘ଛତ୍ରପତି ସମ୍ଭାଜିନଗର’ ଏବଂ ଓସମାନାବାଦକୁ ‘ଧାରାଶିବ’ ନାମରେ ନାମିତ କରାଯାଇଛି।

ପ୍ରକାଶ ଯେ, ଇନ୍ଦୋର ବିମାନବନ୍ଦରର ନାମ ‘ଦେବୀ ଅହିଲ୍ୟା ବାଇ ହୋଲକର ବିମାନବନ୍ଦର’ ନାମିତ କରାଯାଇଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର (ସୋଲାପୁର) ର ଦୁଇଟି ବିଶ୍ୱବିଦ୍ୟାଳୟର ନାମକରଣ ଅହିଲ୍ୟା ବାଇ ହୋଲକରଙ୍କ ନାମରେ କରାଯାଇଛି। ତାଙ୍କ ସ୍ମୃତିରେ ଅନେକ ରାସ୍ତା, କୋଠା, ସର୍ବସାଧାରଣ ସ୍ଥାନ ନାମିତ ହୋଇଛି।

ଅହିଲ୍ୟା ବାଇ ହୋଲକର କିଏ?:

ଅହିଲ୍ୟା ବାଇ ହୋଲକର (୧୭୨୫-୧୭୯୫) ଅହମ୍ମଦନଗର ଜିଲ୍ଲାର ଚୌଣ୍ଡି ଗାଁର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ ମାଲୱା ରାଜ୍ୟର ରାଣୀ ହୋଇଥିଲେ (୧୭୬୭ ରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ)। ପିଲାଦିନରୁ ସେ ଲୋକଙ୍କୁ ସାହାଯ୍ୟ କରିବାର ଇଚ୍ଛା ରଖିଥିଲେ। କମ ବୟସରେ ଖଣ୍ଡେରାଓଙ୍କୁ ବିବାହ କରିଥିଲେ। ସେ ୧୭୩୩ ମସିହାରେ ବିବାହ କରିଥିଲେ। ୧୭୫୪ ମସିହାରେ ଖଣ୍ଡେରାଓ ଯୁଦ୍ଧ ସମୟରେ ବୀରଗତି ପ୍ରାପ୍ତ ହୋଇଥିଲା। ପରେ ଅହିଲ୍ୟାଦେବୀଙ୍କୁ ହୋଲକର ସାମ୍ରାଜ୍ୟର ନେତୃତ୍ଵ ହସ୍ତାନ୍ତର କରାଯାଇଥିଲା। ସେ ଭାରତ ଇତିହାସର ସର୍ବୋତ୍ତମ ରାଣୀମାନଙ୍କ ମଧ୍ୟରୁ ଜଣେ ବିବେଚିତ ହୋଇଥିଲେ। ଦେଶର ବିଭିନ୍ନ ସ୍ଥାନରେ ଅନେକ ଧର୍ମଶାଳା ନିର୍ମାଣ ପାଇଁ ଅହିଲ୍ୟା ବାଇ ହୋଲକରଙ୍କୁ ଏହି ଶ୍ରେୟ ଦିଆଯାଇଛି। ସେ ୧୩ ଅଗଷ୍ଟ ୧୭୯୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Related posts