Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସ କ୍ୟାମ୍ପସ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର

ନୂଆଦିଲ୍ଲୀ: ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ଏମଓୟୁ ସମାରୋହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା. ଏସ ଜୟ ଶଙ୍କର ଏବଂ ଜାଞ୍ଜିବରର ମାନ୍ୟବର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲି ମିନ୍ୱି ଉପସ୍ଥିତ ଥିଲେ।

ଏ ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ଦ୍ୱାରା ଭାରତ ବାହାରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ପ୍ରତିଷ୍ଠା ହେବା ପାଇଁ ଯାଉଛି। ଏହା ଭାରତ ଓ ତାଞ୍ଜାନିଆ ମଧ୍ୟରେ ଥିବା ଲମ୍ବା ସମୟର ବନ୍ଧୁତ୍ୱର ପ୍ରତିଫଳନ। ଆଫ୍ରିକା ଏବଂ ଗ୍ଲୋବାଲ ସାଉଥରେ ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଉପରେ ଭାରତ ଯେଉଁ ପ୍ରାଥମିକତା ଦେଉଅଛି, ତାହାର ଏକ ବାସ୍ତବ ରୂପାୟନ।

ଆଇଆଇଟି ମାଡ୍ରାସ- ଜାଞ୍ଜିବର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ଅଧ୍ୟାୟ ଆରମ୍ଭ ହୋଇଛି। ଆଫ୍ରିକା ସହ ଜନସାଧାରଣଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାରେ ଏହି ପଦକ୍ଷେପ ଏକ ମୂର୍ତ୍ତିମନ୍ତ ପ୍ରତୀକ। ଜାତୀୟ ଶିକ୍ଷା ନୀତି ଜ୍ଞାନକୁ ଦ୍ୱିପାକ୍ଷିକ ସମ୍ପର୍କର ଏକ ପ୍ରମୁଖ ଅଂଶରେ ପରିଣତ କରିବା ସହିତ ବିଶ୍ୱର କଲ୍ୟାଣକୁ ଆଗକୁ ବଢ଼ାଇବା ପାଇଁ ମାର୍ଗ ପ୍ରଶସ୍ତ କରୁଛି।

ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନ୍ତର୍ଜାତୀୟକରଣ ଉପରେ ଗୁରୁତ୍ୱ ଦେଉଅଛି ଏବଂ ଭଲ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଅନ୍ୟ ଦେଶରେ କ୍ୟାମ୍ପସ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିବା ଦିଗରେ ଗୁତୁତ୍ୱ ଦେଉଅଛି। ତାଞ୍ଜାନିଆ ଏବଂ ଭାରତ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସ୍ୱୀକୃତି ଦେଇ, ଶିକ୍ଷାଗତ ଭାଗିଦାରୀର ସମ୍ପର୍କକୁ ଏକ ଦସ୍ତାବିଜରେ ସ୍ୱାକ୍ଷର କରି ଆନୁଷ୍ଠାନିକ ରୂପ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ତାଞ୍ଜାନିଆର ଭାରତ ହାଇକମିଶନର ବିନୟ ଶ୍ରୀକାନ୍ତ ପ୍ରଧାନ, ଆଇଆଇଟି ମାଡ୍ରାସର ଡିନ (ଗ୍ଲୋବାଲ ମ୍ୟାନେମେଣ୍ଟ) ପ୍ରଫେସର  ରଘୁନାଥନ ରେଙ୍ଗାସ୍ୱାମୀ, ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ବିଭାଗର କାର୍ଯ୍ୟକାରୀ ପ୍ରମୁଖ ସଚିବ ଖଲିଦ ମସୁଦ୍ ଓ୍ୱାଜିର୍ ଯଥାକ୍ରମେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା  ଓ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଏହି ଏମଓୟୁ ସ୍ୱାକ୍ଷର କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି ମାଡ୍ରାସର ୨୦୨୧-୨୭ ରଣନୈତିକ ଯୋଜନାର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଚେନ୍ନାଇ: ସମଗ୍ର ଭାରତବର୍ଷରେ ଥିବା ଆଇଆଇଟି ଗୁଡ଼ିକ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ଏବଂ ମାନବତା ପାଇଁ ଭବିଷ୍ୟତ ଗଠନ ରୂପକ ଏକ ମନ୍ଦିର। ସୋମବାର ଆଇଆଇଟି ମାଡ୍ରାସର ୨୦୨୧-୨୭ ରଣନୈତିକ ଯୋଜନା ଏବଂ ରାଷ୍ଟ୍ର ନିର୍ମାଣ ଓ ଶିକ୍ଷା ସହ ଜଡ଼ିତ ବିଭିନ୍ନ ଉପକ୍ରମର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ ଏମ୍ଫାସିସ୍ ସେଣ୍ଟର ଫର୍ କ୍ୱାଣ୍ଟମ ସାଇନ୍ସ ଓ କୋଟକ- ଆଇଆଇଟି ମାଡ୍ରାସ ସେଭ୍ ଏନର୍ଜି ମିଶନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଇଆଇଟି ଠାରୁ ଆମ ସମାଜର ଅନେକ ଆଶା ଓ ଆକାଂକ୍ଷା ରହିଛି। ଆଇଆଇଟିଆନ୍ସଙ୍କୁ ବିକାଶ ଏବଂ ପ୍ରଗତିର ମାର୍ଗଦର୍ଶକ ହେବାକୁ ପଡ଼ିବ। ୩ଡି ପ୍ରିଣ୍ଟିଂ ଟେକ୍ନୋଲୋଜି ଭଳି ଅନେକ ନୂଆ ଟେକ୍ନୋଲୋଜି ; ନିର୍ମାଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ଏବଂ ବିସ୍ଥାପନର ସମସ୍ୟାକୁ ଦୂର କରିବା ସହ ଗରିବଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବାରେ ସହାୟକ ହୋଇପାରିବ।

ବିଶ୍ୱର ଦାୟିତ୍ୱ ନେବା ତଥା ସମାଜ ପାଇଁ କିଛି କରିବାର ସଂସ୍କୃତି ଭାରତରେ ରହିଅଛି। ସମାଜର ଉନ୍ନତି ପାଇଁ ଭାରତର ଆଇଆଇଟି ଗୁଡ଼ିକ ଉଦ୍ଭାବନ କରିବାର ଦାୟିତ୍ୱ ନିଏ। ଆଇଆଇଟି ସାହାଯ୍ୟରେ ହିଁ ଭାରତ ୨୦୨୩ ସୁଦ୍ଧା ସ୍ୱଦେଶୀ ଜ୍ଞାନକୌଶଳରେ ୫ଜି ନେଟଓ୍ୱାର୍କ ବ୍ୟବହାର କରିବାକୁ ଯାଉଛି। ଏହା ଆମର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବ। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଟି ସଂକଳ୍ପକୁ ଗ୍ରହଣ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଭାରତକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ଏବଂ ବିକଶିତ ଭାରତର କଳ୍ପନାକୁ ସାକାର କରିବା ଦିଗରେ ଆଇଆଇଟି ମାଡ୍ରାସ ଭଳି ଶିକ୍ଷାନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଘରୋଇ ଆବଶ୍ୟକତାକୁ ପୂରଣ କରିବା ଆଇଆଇଟି ଦ୍ୱାରା ସମ୍ଭବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଟି ମାଡ୍ରାସ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜିଡିଆଇ ଇଞ୍ଜିନ ଏବଂ ଆଇଆଇଟି ମାଡ୍ରାସର ଇନକ୍ୟୁବେସନରେ ପ୍ରସ୍ତୁତ ଲୋ-କଷ୍ଟ ଭେଜିଟେବୁଲ କାର୍ଟ୍ ଲୋକାର୍ପଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କ୍ୟାମ୍ପସ ପରିସରରେ ଥିବା ୫ଜି ଟେଷ୍ଟ୍ ବେଡ୍, ଆଡଭାନ୍ସଡ ମ୍ୟାନୁଫ୍ୟାକ୍ଚରିଂ ଟେକ୍ନୋଲୋଜି ଡେଭଲପମେଣ୍ଟ ସେଣ୍ଟର, ଆଇଆଇଟି ମାଡ୍ରାସର ଷ୍ଟାଟଅପ୍ ଅଗ୍ନିକୁଲ କୋସମୋସର ରକେଟ୍ ଫ୍ୟାକ୍ଟ୍ରି, ହେଲଥ କେୟାର ଟେକ୍ନୋଲୋଜି ଇନୋଭେସନ ସେଣ୍ଟର ଏବଂ ଆଇଆଇଟି ମାଡ୍ରାସର ଇନକ୍ୟୁବେସନ ସେଲ୍ ତଥା ସୁଧା ଗୋପାଳକ୍ରିଷ୍ଣନ ବ୍ରେନ୍ ସେଣ୍ଟର ଏବଂ ୩ଡି -ପ୍ରିଣ୍ଟେଡ୍ ହାଉସ ପରିଦର୍ଶନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି ମାଡ୍ରାସରେ 5G ର ସଫଳ ପରୀକ୍ଷଣ, ଭଏସ୍ ଏବଂ ଭିଡିଓ କଲ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଚେନ୍ନାଇ: ଆଇଆଇଟି ମାଡ୍ରାସରେ 5G କଲ୍ ସଫଳତାର ସହିତ ପରୀକ୍ଷଣ ହୋଇଛି। ଏହି ଅବସରରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 5G ଭଏସ୍ ଏବଂ ଭିଡିଓ କଲ କରିଛନ୍ତି। ବିଶେଷ କଥା ହେଉଛି ନେଟୱାର୍କର ଡିଜାଇନ୍ କୁ ଭାରତରେ ବିକଶିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ତାଙ୍କ କୁ ଏବଂ ଟ୍ୱିଟର ଆକାଉଣ୍ଟରେ 5G କଲ୍ ପରୀକ୍ଷଣର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ଏହାପୂର୍ବରୁ ଅଶ୍ୱିନୀ ବୈଷ୍ଣବ ବୁଧବାର ଦିନ କହିଛନ୍ତି ଯେ, ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଭାରତର ନିଜସ୍ୱ 5G ଭିତ୍ତିଭୂମି ପ୍ରସ୍ତୁତ ହେବ। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବୈଷ୍ଣବ କହିଛନ୍ତି ଯେ, ଭାରତର ସ୍ୱଦେଶୀ ଟେଲିକମ୍ ଭିତ୍ତିଭୂମି “ବୃହତ ଆଧାରଭୂତ ପ୍ରଦୌଗିକ ଅଗ୍ରଗତି” ର ପ୍ରତିଫଳିତ କରୁଛି।

ଏହି ସମୟ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ବିଶ୍ଵର ଦେଶମାନଙ୍କୁ ମଧ୍ୟ ମୂଲ୍ୟ ଏବଂ ଗୁଣାତ୍ମକ ଲାଭ ଦୃଷ୍ଟିରୁ ଭାରତର ସ୍ୱଦେଶୀ ଟେଲିକମ୍ ଭିତ୍ତିଭୂମି ଉପରେ ସକ୍ରିୟ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

ରୋଜଗାରର ସୁଯୋଗ ସୃଷ୍ଟି ହେବ:

ଅନ୍ୟପକ୍ଷରେ, ଟେଲିକମ୍ ସଚିବ କେ ରାଜାରମନ୍ ବୁଧବାର କହିଛନ୍ତି ଯେ, 5G ସେବା ପ୍ରବର୍ତ୍ତନ ଦ୍ୱାରା ନୂତନ ଜ୍ଞାନକୌଶଳ ପାଇଁ ଉପଯୁକ୍ତ କୌଶଳ ଆବଶ୍ୟକ ହେବ, ଯାହା ଏକ ବୃହତ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଟେଲିକମ୍ ସେକ୍ଟର ସ୍କିଲ୍ କାଉନସିଲ୍ (TSSC) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜାରମନ୍ କହିଛନ୍ତି ଯେ, ଭାରତନେଟ ଠାରୁ ସ୍ପେସ୍ ଟେଲି ଯୋଗାଯୋଗ ଏବଂ 5G ରୁ ବ୍ରଡବ୍ୟାଣ୍ଡ ସେବା ପର୍ଯ୍ୟନ୍ତ ଚାକିରି ଏକ ବୃହତ ସ୍ତରରେ ସୃଷ୍ଟି ହେବ।