Categories
ଆଜିର ଖବର ରାଜ୍ୟ ଖବର

ଆଠଗଡ଼ରେ ଫିଟ୍‌ ଇଣ୍ଡିଆ ରବିବାର ସାଇକେଲ୍‌ ଶୋଭାଯାତ୍ରା

କଟକ: ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଜାତୀୟ ଉତ୍କର୍ଷ କେନ୍ଦ୍ର ଜଗତପୁର ଏବଂ କଟକ ଆଠଗଡ଼ର ଏକଲବ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଫିଟ୍‌ ଇଣ୍ଡିଆ ରବିବାର ସାଇକେଲ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ଆଠଗଡ଼ ଏକଲବ୍ୟ ଏକାଡେମୀ ଠାରୁ  ଆରମ୍ଭ ହୋଇ ଗୋପାଳପୁର ଗ୍ରାମ ଓ ଜାଗିପଡ଼ା ପିଏଚସି ଦେଇ ପୁଣି ପ୍ରାରମ୍ଭ ସ୍ଥାନରେ ଶେଷ ହୋଇଥିଲା। ଏଥିରେ ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଅଂଶଗ୍ରହଣ କରିଥିଲେ।

ଏକଲବ୍ୟ ଏକାଡେମୀର ଅଧ୍ୟକ୍ଷ ରସାନନ୍ଦ ରାଉତ, କ୍ରୀଡ଼ା ଶିକ୍ଷକ ପ୍ରମୋଦ କୁମାର ସେଠୀ, କ୍ରୀଡ଼ାବିତ ଦିନେଶ କୁମାର ସାହୁ, ସ୍ୱେଚ୍ଛାସେବୀ ରାକେଶ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଫିଟ୍‌ ଇଣ୍ଡିଆ ରବିବାର ସାଇକେଲ୍‌ ଶୋଭାଯାତ୍ରା ବିଷୟରେ ସଚେତନତା ସୃଷ୍ଟି କରିଥିଲେ।

ସୂଚନାଯୋଗ୍ୟ ‘ଫିଟ୍ ଇଣ୍ଡିଆ ଅଭିଯାନ’ ବ୍ୟାନରରେ ଡିସେମ୍ବର ୧୭ ତାରିଖରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ‘ଫିଟ୍ ଇଣ୍ଡିଆ ସାଇକେଲ ରବିବାର’ ପ୍ରୟାସ ଆରମ୍ଭ ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବହୁ ବିଜେଡି ଓ କଂଗ୍ରେସ କର୍ମିଙ୍କ ବିଜେପିରେ ଯୋଗଦାନ

ଆଠଗଡ଼: ଚଷା ଚାଷୀର ଅଞ୍ଚଳ ଆଠଗଡ଼ ଅପାର ସମ୍ଭାବନାରେ ପରିପୂର୍ଣ୍ଣ। ଏହି ମାଟି କେବେ ଇଂରେଜମାନଙ୍କୁ ଭ୍ରୁକ୍ଷେପ କରିନାହିଁ । ଅନ୍ୟାୟ ଅତ୍ୟାଚାର ଆଗରେ ମଥା ନୁଆଇଁ ନାହିଁ । କିଛି ଲୋକଙ୍କ କାରଣରୁ ଆଜି ଆଠଗଡ଼ର ବିକାଶ ହୋଇନାହିଁ । ମାତ୍ର ବିଜେପିର ଡବଲ ଇଞ୍ଜିନ ସରକାରରେ ଆଠଗଡ଼କୁ ଭୟମୁକ୍ତ ଓ ବିକଶିତ ଅଞ୍ଚଳ କରିବା ପାଇଁ ଆମେ କଟିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଠଗଡ଼ରେ ଆୟୋଜିତ ମିଶ୍ରଣ ପର୍ବରେ ଅନେକ ସମର୍ଥକଙ୍କ ଦଳରେ ସ୍ୱାଗତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଠଗଡ଼ ଗଡଜାତ ଓ ସ୍ୱାଭିମାନୀ ଅଞ୍ଚଳ। ଆଠଗଡ ଓଡ଼ିଶାର ପ୍ରମୁଖ ପେଣ୍ଠସ୍ଥଳ । ଅନ୍ୟାୟ, ଅତ୍ୟାଚାରରେ ମୁଣ୍ଡ ନୁଆଉଁ ନଥିବା ଅଞ୍ଚଳ । ବିଜେପି ସରକାରରେ ଆଇନ କେଉଁ ବିଧାୟକଙ୍କ ନିର୍ଦ୍ଦେଶରେ ଚାଲିବ ନାହିଁ। ନ୍ୟାୟ ଗରିବ ଲୋକଙ୍କ ପାଇଁ ରହିବ । ଏଠାରେ କିଛି ଲୋକ ଔଷଧ ବିକଳରେ ତାଟିଆ କମୁଡ଼ିଛନ୍ତି। ଡବଲ ଇଞ୍ଜିନର ସରକାର ଏହି ଅଞ୍ଚଳରେ ଲୋକଙ୍କୁ ନ୍ୟାୟ ଦେବା ସହ ବିକାଶ ପାଇଁ ପ୍ରତିବଦ୍ଧ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ୟାଙ୍କରୁ ଋଣ ଅଣାଯାଇ ଆଠଗଡ଼ରେ କେନାଲ ଖୋଳା ହେଲା। ଏହାଦ୍ୱାରା ଓଡ଼ିଶାର ଋଣ ଭାର ବଢିଲା କିନ୍ତୁ ଏହି ଅଞ୍ଚଳର ଚାଷୀଙ୍କ ଜମିକୁ ପାଣି ମାଡିଲା ନାହିଁ । ମହାନଦୀରେ ଆଜି ପାଣି ନଷ୍ଟ ହେଉଛି। କିନ୍ତୁ ଯଦି ସେହି ପାଣିକୁ ସୁବ୍ୟବସ୍ଥିତ ରାଯାଇପାରିବ ତେବେ ଆଠଗଡ ଚାଷୀ ବିଲରେ ସୁନା ଫଳିବ। ଡବଲ ଇଞ୍ଜିନ ସରକାରରେ ଆଠଗଡ଼ର ଚାଷ ଓ ଚାଷୀଙ୍କ ସମସ୍ୟାର ସମାଧାନ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନରେ କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡର କଳ୍ପନା ହୋଇଛି । ଏଥିପାଇଁ ପ୍ରାୟ ୬୦୦୦ କୋଟି ଟଙ୍କାର ଖର୍ଚ୍ଚ ହେବ। ଏହାର ଅଧିକ ଲାଭ ଆଠଗଡ ପାଇବ। ପୂର୍ବ ସରକାରଙ୍କ ଏଥିରେ ସହଯୋଗ ନଥିଲା। ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ,ଏହି କାମରେ ପୂର୍ବ ସରକାର ଲାଗିଥିଲେ।

ମାତ୍ର ଉପରୋକ୍ତ ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଆଠଗଡରେ ଚାଷ ଓ ଶିଳ୍ପାୟନ ବଢିବ। ଓଡ଼ିଶାର ସବୁଠୁ ବିକଶିତ ହେବ ଅଞ୍ଚଳ ହେବ ଖୋର୍ଦ୍ଧାରୁ ଆଠଗଡ। ଖୋର୍ଦ୍ଧା ସବ ଡିଭିଜନ, କଟକ ସଦର ସବ ଡିଭିଜନ, ଆଠଗଡ ସବ ଡିଭିଜନ, ଢେଙ୍କାନାଳ ସବ ଡିଭିଜନ, ବାଙ୍କୀ ସବ ଡିଭିଜନର ବିକାଶ ହେବ। ଆଠଗଡ଼ ସମେତ ସମ୍ବଲପୁର, କଟକ, ଢେଙ୍କାନାଳ, ବାଙ୍କୀ, ଜଗତସିଂହପୁରର ସଡକ ଭିତ୍ତିଭୂମି ସୁଦୃଢ ହେବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ମିଶ୍ରଣ ପର୍ବରେ କଂଗ୍ରେସ ଏବଂ ବିଜେଡି ଦଳର ନେତା, ଜନପ୍ରତିନିଧି ଓ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ଓ ବିକାଶଶୀଳ କାର୍ଯ୍ୟକୁ ସ୍ୱୀକାର କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ ଜଣାଇବା ସହ ଏହି ମିଶ୍ରଣ ପର୍ବ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ୍ କରିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ବରୀରୁ ଦେବାଶିଷ ନାୟକ, ପୁରୀରୁ ଉମାବଲ୍ଲବ ରଥ

ଭୁବନେଶ୍ବର: ଆଜି କଂଗ୍ରେସ ଓଡିଶାର ବିଧାନସଭାର ପାଞ୍ଚଟି ଆସନରେ ପ୍ରାର୍ଥି ପରିବର୍ତ୍ତନ କରିଛି। ଏଥିସହିତ ଦଳ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ଏ ପର୍ଯ୍ୟନ୍ତ ନୀଳଗିରିର ପ୍ରାର୍ଥୀ ଘୋଷଣା କରି ନ ଥିଲା। ସେହି ଅନୁସାରେ ନୀଳଗିରିର ପ୍ରାର୍ଥୀ ହୋଇଛନ୍ତି ଅକ୍ଷୟ ଆଚାର୍ଯ୍ୟ।  ଏ ନେଇ ଏଆଇସିସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଯେଉଁ ଆସନରେ ପ୍ରାର୍ଥୀ ବଦଳ ହୋଇଛି ତାହା ହେଲା

୧) ଜଳେଶ୍ୱର – ସୁଦର୍ଶନ ଦାସ
୨) ବରୀ – ଦେବାଶିଷ ନାୟକ
୩) ଆଠମଲ୍ଲିକ – ହିମାଂଶୁ ଚାଉଳିଆ
୪) ଆଠଗଡ଼- ସୁଦର୍ଶନ ସାହୁ
୫) ପୁରୀ – ଉମାବଲ୍ଲଭ ରଥ
୬) ନୀଳଗିରି – ଅକ୍ଷୟ ଆଚାର୍ଯ୍ୟ

ଗତକାଲି କଂଗ୍ରେସ ପୁରୀ ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦେଇଛି। ସେହି ଅନୁସାରେ ପୁରୀ ଲୋକସଭା ପାଇଁ ନୂଆ ପ୍ରାର୍ଥୀ ହୋଇଛନ୍ତି ଜୟ ନାରାୟଣ ପଟ୍ଟନାୟକ।

Categories
ବିଶେଷ ଖବର

ମିଶନ ଶକ୍ତିକୁ ନେଇ ଧରାପଡିଲା ଧର୍ମେନ୍ଦ୍ରଙ୍କ ମିଛ: ବିଜେଡି

ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠଗଡରେ ଯେଉଁ ଅଭିଭାଷଣ ରଖିଲେ, ସେଥିରୁ ତାଙ୍କର ନିର୍ବୋଧତା ପଦାରେ ପଡିଛି। ଦୁର୍ଭାଗ୍ୟର କଥା ଶ୍ରୀଯୁକ୍ତ ପ୍ରଧାନ କହୁଛନ୍ତି, ମିଶନ ଶକ୍ତି ତାଙ୍କ ସରକାର ସମୟରେ ଆରମ୍ଭ ହେଲା, ଯାହା ସମ୍ପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଶ୍ରୀମତୀ ସାହୁ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ଶ୍ରୀଯୁକ୍ତ ପ୍ରଧାନ ରାଜ୍ୟର ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ମାନଙ୍କୁ ଅପମାନିତ କରିଛନ୍ତି। ଯେଉଁ ମା’ ମାନେ ଗଛ ତଳେ ବସି, ମୁଠି ଚାଉଳ ଦେଇ ଏହାକୁ ଗଢିଛନ୍ତି, ତାଙ୍କ କାର୍ଯ୍ୟ ବିଷୟରେ ନଜାଣି ବକ୍ତବ୍ୟ ଦେବା ସେମାନଙ୍କ ପ୍ରତି ଅପମାନ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା।

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଆଠଗଡ ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଶୋଚନୀୟ ଅବସ୍ଥାକୁ ସୁଧାରିବାକୁ କଣ କରିଛନ୍ତି ଏବଂ ୯ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ ସମୟରେ କଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଆଠଗଡବାସୀଙ୍କୁ କହିଥିଲେ ଭଲ ହୋଇଥାନ୍ତା। କାରଣ ଖାଲି ଆଠଗଡବାସୀ ନୁହଁନ୍ତି, ସାରା ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି କାହିଁକି ଏନଏଚ-୫୫ ମରଣଯନ୍ତା ହେଲା ପରେ ମଧ୍ୟ ସେ ଚୁପ୍ ହୋଇ ରହିଛନ୍ତି।

ସେହିଭଳି ଓଡିଶାର ବିଜେପି ସାଂସଦମାନେ ଷଡଯନ୍ତ୍ର କରି ଗରିବ ଆଦିବାସୀଙ୍କୁ ମିଳିବାକୁ ଥିବା ଘର ବନ୍ଦ କରିଦେଲେ। ଆଜିର ସଭାରେ ଶ୍ରୀଯୁକ୍ତ ପ୍ରଧାନ ଏ ବାବଦରେ ପଦୁଟିଏ ମଧ୍ୟ ଉଲ୍ଲେଖ କଲେନାହିଁ। ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଏଭଳି ଅବିଚାର ନେଇ ବକ୍ତବ୍ୟ ରଖିଥିଲେ ଭଲ ହୋଇଥାନ୍ତା।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଆପଣ ଦାୟିତ୍ୱ ତୁଲାଉଛନ୍ତି। ଆଠଗଡ ଗସ୍ତ ସମୟରେ ଜବାହର ନବୋଦୟ ବିଦ୍ୟାଳୟ ଅଥବା କେନ୍ଦ୍ରୀୟ ବିଦ୍ୟାଳୟ ନେଇ ଶିଳାନ୍ୟାସ କରିଥିଲେ ଆଠଗଡବାସୀ ଉପକୃତ ହୋଇଥାନ୍ତେ। ଶିକ୍ଷାମନ୍ତ୍ରୀ ଭାବେ ଓଡିଶାର ବିଭିନ୍ନ ସ୍ଥାନ ବୁଲୁଛନ୍ତି। କହିଲେ, କେତେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ପାଇଁ ଆପଣ କି ପଦକ୍ଷେପ ନେଇଛନ୍ତି। ସଭାରେ ବିଭ୍ରାନ୍ତିକର ତଥ୍ୟ ଦେବା ବଦଳରେ ଏସବୁର ହିସାବ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଠଗଡ଼ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରି ଯାତ୍ରୀମାନଙ୍କ ନିମନ୍ତେ ଲୋକାର୍ପିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି।

ବସଷ୍ଟାଣ୍ଡର ବାକିଥିବା ସିଭିଲ, ଇଲେକ୍‌ଟି୍ରକାଲ୍‌ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ ବକେୟା ଅର୍ଥରାଶିକୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ସହିତ ଟେଣ୍ଡରରେ ସାମିଲ ହୋଇଥିବା କାର୍ଯ୍ୟ ବ୍ୟତୀତ ବସଷ୍ଟାଣ୍ଡରେ ଅଗ୍ନିନିର୍ବାପକ ବ୍ୟବସ୍ଥା, କାର୍ଯ୍ୟାଳୟର ଆସବାବପତ୍ର, ସିସିଟିଭି ଏବଂ ଜେନେରେଟର ଆଦି ବ୍ୟବସ୍ଥାର ଅତିରିକ୍ତ କାର୍ଯ୍ୟ ନିମନ୍ତେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଅତିରିକ୍ତ ବ୍ୟୟରାଶି ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକର ସୂଚନା ଅନୁଯାୟୀ ନବନିର୍ମିତ ବସଷ୍ଟାଣ୍ଡର ଯାତ୍ରୀମାନଙ୍କ ନିମନ୍ତେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପ୍ରଦାନ, ଜଗୁଆଳି ବ୍ୟବସ୍ଥା ଏବଂ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ କାର୍ଯ୍ୟଭାର ସେପେଫମ୍ବର ୨୦ ତାରିଖ ସୁଦ୍ଧା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବସଷ୍ଟାଣ୍ଡ ନିର୍ମାଣ ଯୋଗୁ ଉଚ୍ଛେଦ ଏବଂ ସ୍ଥାନାନ୍ତରିତ ହୋଇଥିବା ଦୋକାନୀମାନଙ୍କୁ ଉପଯୁକ୍ତ ଭାବରେ ଥଇଥାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ବୈଠକରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପ୍ତେଷ କୁମାର ପଟ୍ଟନାୟକ, ବାଣିଜ୍ୟ ଓ ପରିବହନ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଭାତ କୁମାର ଜେନା, ଚାରବାଟିଆ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ୱାଇଁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ଆଠଗଡ଼ରେ ରୋଟାରୀ କ୍ଲବ ଉଦ୍‌ଘାଟିତ

ଭୁବନେଶ୍ୱର: ଆଠଗଡ଼ ଶ୍ରୀରାମ ମଣ୍ଡପଠାରେ ରୋଟାରୀ କ୍ଲବ ଆଠଗଡ଼ର ଆନୁଷ୍ଠାନିକ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୨ର ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି କହିଲେ ଯେ, ସେବା କ୍ଷେତ୍ରରେ ରୋଟାରୀ ସଂସ୍ଥାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବିଶ୍ୱରୁ ପୋଲିଓ ରୋଗର ନିରାକରଣ ପାଇଁ ରୋଟାରୀର କାର୍ଯ୍ୟକ୍ରମ ବିଶ୍ୱବାସୀଙ୍କ ଦ୍ୱାରା ଆଦୃତ ହୋଇଛି। ଆଠଗଡ଼ର ସାଧାରଣ ଜନତାଙ୍କୁ ବିଶ୍ୱବାସୀଙ୍କ ସହ ଯୋଡ଼ିବାରେ ରୋଟାରୀ କ୍ଲବ ଆଠଗଡ଼ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ନୂତନ କ୍ଲବର ସଦସ୍ୟ ସଦସ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ।

ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ପୂର୍ବତନ କୁଳପତି ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ, ମାନବ ସେବା ହିଁ ମାଧବ ସେବା। ଏହି ମାନସିକତାରେ ଯଦି ଆମେ ସାଧାରଣ ଜନତାର ସେବା କରିବା, ତେବେ ଇତିହାସରେ ନିଶ୍ଚିତଭାବେ ରୋଟାରୀ କ୍ଲବ ଆଠଗଡ଼ର ନାମ ରହିବ। ରୋଟାରୀ ଏଭଳି ଏକ ସଂସ୍ଥା ଯେ, ବିଶ୍ୱରେ ବହୁ ବିଶିଷ୍ଟ ଲୋକଙ୍କ ଠାରୁ ଆରମ୍ଭ କରି ତଳେ ଥିବା ସାଧାରଣ ଜନତାଙ୍କୁ ଏକତ୍ରିତ କରିବାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଛି। ସାରା ବିଶ୍ୱରେ ରୋଟାରୀର କୋଟି କୋଟି ସଦସ୍ୟା ଓ ସଦସ୍ୟା ଉତ୍ସର୍ଗୀକୃତ ଭାବେ ସାଧାରଣ ଜନତାର ସେବା କରୁଛନ୍ତି। ନବଗଠିତ କ୍ଲବର ଉପଦେଷ୍ଟା ତଥା ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ସଭାପତି ବିଶିଷ୍ଟ ସମାଜସେବୀ, ସଂସ୍କୃତ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଆଠଗଡ଼ ମାଟିର ଐତିହ୍ୟ ଓ ଗଡ଼ଜାତ ପ୍ରଜା ଆନ୍ଦୋଳନ ଓ ଅଂଶୁପା ହ୍ରଦ ଉପରେ ନିଜର ବକ୍ତବ୍ୟ ରଖିବା ସହ ସହରର ଗ୍ରାମୀଣ ପରିବେଶ ମଧ୍ୟରେ ରୋଟାରୀ ସଂସ୍ଥାର ସେବାମୂଳକ କାର୍ଯ୍ୟକ୍ରମକୁ ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଥିଲେ।

ଆଜିର ଏହି କାର୍ଯ୍ୟକ୍ରମକୁ ଡଃ ଜ୍ଞାନେନ୍ଦ୍ର ଆରମ୍ଭ କରି ନୂତନ ସଭାପତି ମାନସ ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଚାର୍ଟର ସେକ୍ରେଟାରୀ ବରୁଣ ରାଜ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ଶିକ୍ଷକ ନିରାକାର ମହାପାତ୍ର ଅତିଥି ପରିଚୟ ଓ ରୋଟାରୀୟାନ ରବୀନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଗଭର୍ଣ୍ଣର ଶ୍ରୀ ପାଣି ସଭାପତି ଶ୍ରୀ ସାହୁଙ୍କୁ ରୋଟାରୀ ସ୍ୱୀକୃତି ପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପ୍ରଥମ ମହିଳା ଶ୍ରୀମତୀ ଝରଣା ପାଣି ଓ ଆଠଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।