ମିଶନ ଶକ୍ତିକୁ ନେଇ ଧରାପଡିଲା ଧର୍ମେନ୍ଦ୍ରଙ୍କ ମିଛ: ବିଜେଡି

Published: Oct 15, 2023, 7:49 am IST

ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠଗଡରେ ଯେଉଁ ଅଭିଭାଷଣ ରଖିଲେ, ସେଥିରୁ ତାଙ୍କର ନିର୍ବୋଧତା ପଦାରେ ପଡିଛି। ଦୁର୍ଭାଗ୍ୟର କଥା ଶ୍ରୀଯୁକ୍ତ ପ୍ରଧାନ କହୁଛନ୍ତି, ମିଶନ ଶକ୍ତି ତାଙ୍କ ସରକାର ସମୟରେ ଆରମ୍ଭ ହେଲା, ଯାହା ସମ୍ପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଶ୍ରୀମତୀ ସାହୁ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ଶ୍ରୀଯୁକ୍ତ ପ୍ରଧାନ ରାଜ୍ୟର ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ମାନଙ୍କୁ ଅପମାନିତ କରିଛନ୍ତି। ଯେଉଁ ମା’ ମାନେ ଗଛ ତଳେ ବସି, ମୁଠି ଚାଉଳ ଦେଇ ଏହାକୁ ଗଢିଛନ୍ତି, ତାଙ୍କ କାର୍ଯ୍ୟ ବିଷୟରେ ନଜାଣି ବକ୍ତବ୍ୟ ଦେବା ସେମାନଙ୍କ ପ୍ରତି ଅପମାନ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା।

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଆଠଗଡ ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଶୋଚନୀୟ ଅବସ୍ଥାକୁ ସୁଧାରିବାକୁ କଣ କରିଛନ୍ତି ଏବଂ ୯ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ ସମୟରେ କଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଆଠଗଡବାସୀଙ୍କୁ କହିଥିଲେ ଭଲ ହୋଇଥାନ୍ତା। କାରଣ ଖାଲି ଆଠଗଡବାସୀ ନୁହଁନ୍ତି, ସାରା ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି କାହିଁକି ଏନଏଚ-୫୫ ମରଣଯନ୍ତା ହେଲା ପରେ ମଧ୍ୟ ସେ ଚୁପ୍ ହୋଇ ରହିଛନ୍ତି।

ସେହିଭଳି ଓଡିଶାର ବିଜେପି ସାଂସଦମାନେ ଷଡଯନ୍ତ୍ର କରି ଗରିବ ଆଦିବାସୀଙ୍କୁ ମିଳିବାକୁ ଥିବା ଘର ବନ୍ଦ କରିଦେଲେ। ଆଜିର ସଭାରେ ଶ୍ରୀଯୁକ୍ତ ପ୍ରଧାନ ଏ ବାବଦରେ ପଦୁଟିଏ ମଧ୍ୟ ଉଲ୍ଲେଖ କଲେନାହିଁ। ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଏଭଳି ଅବିଚାର ନେଇ ବକ୍ତବ୍ୟ ରଖିଥିଲେ ଭଲ ହୋଇଥାନ୍ତା।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଆପଣ ଦାୟିତ୍ୱ ତୁଲାଉଛନ୍ତି। ଆଠଗଡ ଗସ୍ତ ସମୟରେ ଜବାହର ନବୋଦୟ ବିଦ୍ୟାଳୟ ଅଥବା କେନ୍ଦ୍ରୀୟ ବିଦ୍ୟାଳୟ ନେଇ ଶିଳାନ୍ୟାସ କରିଥିଲେ ଆଠଗଡବାସୀ ଉପକୃତ ହୋଇଥାନ୍ତେ। ଶିକ୍ଷାମନ୍ତ୍ରୀ ଭାବେ ଓଡିଶାର ବିଭିନ୍ନ ସ୍ଥାନ ବୁଲୁଛନ୍ତି। କହିଲେ, କେତେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ପାଇଁ ଆପଣ କି ପଦକ୍ଷେପ ନେଇଛନ୍ତି। ସଭାରେ ବିଭ୍ରାନ୍ତିକର ତଥ୍ୟ ଦେବା ବଦଳରେ ଏସବୁର ହିସାବ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Related posts