Categories
ବିଶେଷ ଖବର

ମିଶନ ଶକ୍ତିକୁ ନେଇ ଧରାପଡିଲା ଧର୍ମେନ୍ଦ୍ରଙ୍କ ମିଛ: ବିଜେଡି

ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠଗଡରେ ଯେଉଁ ଅଭିଭାଷଣ ରଖିଲେ, ସେଥିରୁ ତାଙ୍କର ନିର୍ବୋଧତା ପଦାରେ ପଡିଛି। ଦୁର୍ଭାଗ୍ୟର କଥା ଶ୍ରୀଯୁକ୍ତ ପ୍ରଧାନ କହୁଛନ୍ତି, ମିଶନ ଶକ୍ତି ତାଙ୍କ ସରକାର ସମୟରେ ଆରମ୍ଭ ହେଲା, ଯାହା ସମ୍ପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଶ୍ରୀମତୀ ସାହୁ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଇ ଶ୍ରୀଯୁକ୍ତ ପ୍ରଧାନ ରାଜ୍ୟର ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ମାନଙ୍କୁ ଅପମାନିତ କରିଛନ୍ତି। ଯେଉଁ ମା’ ମାନେ ଗଛ ତଳେ ବସି, ମୁଠି ଚାଉଳ ଦେଇ ଏହାକୁ ଗଢିଛନ୍ତି, ତାଙ୍କ କାର୍ଯ୍ୟ ବିଷୟରେ ନଜାଣି ବକ୍ତବ୍ୟ ଦେବା ସେମାନଙ୍କ ପ୍ରତି ଅପମାନ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା।

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଆଠଗଡ ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଶୋଚନୀୟ ଅବସ୍ଥାକୁ ସୁଧାରିବାକୁ କଣ କରିଛନ୍ତି ଏବଂ ୯ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ ସମୟରେ କଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଆଠଗଡବାସୀଙ୍କୁ କହିଥିଲେ ଭଲ ହୋଇଥାନ୍ତା। କାରଣ ଖାଲି ଆଠଗଡବାସୀ ନୁହଁନ୍ତି, ସାରା ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି କାହିଁକି ଏନଏଚ-୫୫ ମରଣଯନ୍ତା ହେଲା ପରେ ମଧ୍ୟ ସେ ଚୁପ୍ ହୋଇ ରହିଛନ୍ତି।

ସେହିଭଳି ଓଡିଶାର ବିଜେପି ସାଂସଦମାନେ ଷଡଯନ୍ତ୍ର କରି ଗରିବ ଆଦିବାସୀଙ୍କୁ ମିଳିବାକୁ ଥିବା ଘର ବନ୍ଦ କରିଦେଲେ। ଆଜିର ସଭାରେ ଶ୍ରୀଯୁକ୍ତ ପ୍ରଧାନ ଏ ବାବଦରେ ପଦୁଟିଏ ମଧ୍ୟ ଉଲ୍ଲେଖ କଲେନାହିଁ। ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଏଭଳି ଅବିଚାର ନେଇ ବକ୍ତବ୍ୟ ରଖିଥିଲେ ଭଲ ହୋଇଥାନ୍ତା।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଆପଣ ଦାୟିତ୍ୱ ତୁଲାଉଛନ୍ତି। ଆଠଗଡ ଗସ୍ତ ସମୟରେ ଜବାହର ନବୋଦୟ ବିଦ୍ୟାଳୟ ଅଥବା କେନ୍ଦ୍ରୀୟ ବିଦ୍ୟାଳୟ ନେଇ ଶିଳାନ୍ୟାସ କରିଥିଲେ ଆଠଗଡବାସୀ ଉପକୃତ ହୋଇଥାନ୍ତେ। ଶିକ୍ଷାମନ୍ତ୍ରୀ ଭାବେ ଓଡିଶାର ବିଭିନ୍ନ ସ୍ଥାନ ବୁଲୁଛନ୍ତି। କହିଲେ, କେତେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ପାଇଁ ଆପଣ କି ପଦକ୍ଷେପ ନେଇଛନ୍ତି। ସଭାରେ ବିଭ୍ରାନ୍ତିକର ତଥ୍ୟ ଦେବା ବଦଳରେ ଏସବୁର ହିସାବ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Categories
ବିଶେଷ ଖବର

ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି? କାହିଁକି କିଛି ଲୋକ ଏଭଳି ପଦକ୍ଷେପ ଉପରେ କ୍ରୋଧିତ ଏବଂ ଈର୍ଷାନ୍ୱିତ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଆଜି ଏଠାରେ ଶ୍ରୀମତୀ ସାହୁ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ସେମାନଙ୍କ ଦୁଆର ମୁହଁକୁ ନେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଠାଇଛନ୍ତି। ଏଭଳି ପଦକ୍ଷେପ ଯୋଗୁଁ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ, ନବରଙ୍ଗପୁର ଏବଂ ଅନ୍ୟାନ୍ୟ ଜିଲ୍ଲାର ହଜାର ହଜାର ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ।

ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଶାସନ କରିବାକୁ ଅଭ୍ୟସ୍ତ ଲୋକମାନେ ଏହି ଅଭିନବ ପଦକ୍ଷେପକୁ ବୁଝିପାରିବେ ନାହିଁ। ମାଲକାନଗିରିର ଲୋକମାନେ ଭୁବନେଶ୍ୱର ପର୍ଯ୍ୟନ୍ତ ଆସି ସେମାନଙ୍କ ଅଭିଯୋଗ ଜଣାଇବା ସମ୍ଭବ ନୁହେଁ।

ଯେଉଁମାନେ ରାଜନୀତିରେ ନବାଗତ ଅଟନ୍ତି ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ନୁହଁନ୍ତି ସେମାନେ ଏହା ବୁଝି ପାରିବେ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ନିକଟକୁ ଯାଇ ସେମାନଙ୍କୁ ଭେଟିବା ଏବଂ ସେମାନଙ୍କ ସମସ୍ୟାକୁ ଶୁଣିବା ଏବଂ ସମାଧାନ କରିବାକୁ ପୃଥିବୀର କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପିର ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ଏମିତି ଟିପ୍ପଣୀ ଦେଲେ ବିଜେଡି ନେତ୍ରୀ

ଭୁବନେଶ୍ୱର: ଓଡିଶା ବିଜେପି ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ୨୦୧୪ ରେ ଖୋଲାଖୋଲି ଭାବେ ନବୀନ ନିବାସକୁ ଆସି ୨୦୧୪ ନିର୍ବାଚନ ପାଇଁ ବିଜେଡି ଟିକେଟ ମାଗିଥିଲେ। ୨୦୧୯ ରେ ସେ ପୁନର୍ବାର ଲୁଚିଛପି ନବୀନ ନିବାସ ଆସି ବିଜେଡି ପାର୍ଟି ଟିକେଟ ମାଗିଥିଲେ। ଆମେ ଜାଣୁ ସେ ପୁଣି ୨୦୨୪ ରେ ଲୁଚିଛପି ଆସି ବିଜେଡି ପାର୍ଟି ଟିକେଟ ମାଗିବେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଲେଖାଶ୍ରୀ ଜଣେ ଆତ୍ମ-ଘୋଷିତ ତଦନ୍ତକାରୀ ଅଧିକାରୀ ଏବଂ ଫରେନସିକ୍ ବିଶେଷଜ୍ଞ ଯାହାଙ୍କୁ ତାଙ୍କ ଦଳର କିଛି ଲୋକ ମାମଲାର ତଦନ୍ତ ଉପରେ ଆଲୋଚନା କରିବାକୁ ନିୟୋଜିତ କରିଛନ୍ତି। ସେ ଘଟଣା ସଂକ୍ରାନ୍ତରେ କିଛି ନବୁଝି ନସୁଝି ମତ ରଖନ୍ତି। ତେଣୁ ସେ ଲୋକଙ୍କ ଆଖିରେ ସବୁବେଳେ ଜୋକର ହୋଇଥାନ୍ତି।

ଜଣେ ମହିଳା ଭାବରେ ତାଙ୍କୁ କ’ଣ ତାଙ୍କ ବରିଷ୍ଠ ଦଳର ବିଧାୟକ ତଥା ବିରୋଧୀ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ର ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଯେଭଳି ମାଡ ମାରିଲେ ତାହା ଦିଶୁ ନାହିଁ କି ବୋଲି ସୁଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ସେ ଏ ବିଷୟରେ ଚୁପ୍ ରହିଛନ୍ତି କାରଣ ସେ ଭୟ କରୁଛନ୍ତି ଯେ ତାଙ୍କୁ ମଧ୍ୟ ଶ୍ରୀ ଜୟ ନାରାୟଣ ମିଶ୍ର ଚପଲରେ ମାରି ପାରନ୍ତି ଯେପରି ସେ ଓଡିଶା ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ମାରିଥିଲେ।

ଗଣମାଧ୍ୟମ ଆଗରେ ଏପରି ପୂର୍ବ ପ୍ରସ୍ତୁତ କାହାଣୀ ଉପସ୍ଥାପନ କରିବା ପୂର୍ବରୁ ଆମେ ତାଙ୍କୁ ପୋଲିସର କିଛି ତଦନ୍ତ ଏବଂ ଫରେନସିକ୍ ପାଠ୍ୟକ୍ରମ ପଢିବା ଲାଗି ଅନୁରୋଧ ସହିତ ପୋଲିସକୁ ତାହାର ତଦନ୍ତ ଏବଂ ନ୍ୟାୟପାଳିକାକୁ ସେମାନଙ୍କର କାର୍ଯ୍ୟ କରିବାକୁ ଅନୁମତି ଦିଅନ୍ତୁ ବୋଲି ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପି ମହିଳା ମୋର୍ଚ୍ଚାକୁ କଡା ଜବାବ ଦେଲେ ବିଜେଡିର ଦୁଇ ନେତ୍ରୀ, କହିଲେ ଏମିତି କଥା

ଭୁବନେଶ୍ୱର : ଓଡିଶା ବିଜେପିର ମହିଳା ମୋର୍ଚ୍ଚା ଆଜି ତାହାର ଘେରାଉ ସମୟରେ ମିଥ୍ୟା ଓ ଭିତ୍ତିହୀନ ବିବୃତି ଦେଇ ସମସ୍ତ ଲଜ୍ଜାକୁ ଅତିକ୍ରମ କରି ଅତି ନିମ୍ନ ସ୍ତରକୁ ଖସି ଆସିଛି । ଏଭଳି ଭାବେ ନିମ୍ନ ସ୍ତରକୁ ଯିବା ସମ୍ପୂର୍ଣ୍ଣ ନୂଆ ଯାହାକି ଶସ୍ତା ରାଜନୀତି ପାଇଁ ପୂର୍ବରୁ ଖେଳା ଯାଇଥିବା ସମସ୍ତ ଲଜ୍ଜାଜନକ ରାଜନୀତି ଠାରୁ ମଧ୍ୟ କମ୍ ଅଟେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଏଲିନା ଦାସ ଓ ସୁଶ୍ରୀ ଇପ୍ସିତା ସାହୁ ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାକୁ କଡା ଜବାବ ଦେଇ ଶ୍ରୀମତୀ ଦାସ ଓ ସୁଶ୍ରୀ ସାହୁ କହିଛନ୍ତି ଯେ ଓଡିଶା ବିଜେପିର ମହିଳା ମୋର୍ଚ୍ଚା ବେଶ୍ ଭଲ ଭାବେ ଜାଣିଛି ଯେ ମମିତା ମେହେର ମାମଲାରେ ଗୋଟିଏ ଏଫଆଇଆର ରୁଜୁ ହୋଇଥିବାରୁ ସମାନ ମାମଲାରେ ଆଉ ଗୋଟିଏ ଏଫଆଇଆର ହୋଇପାରିବ ନାହିଁ ।

ଏହା ଜାଣି ମଧ୍ୟ ସେମାନେ ଗତକାଲି ଭୁବନେଶ୍ୱରର କ୍ୟାପିଟାଲ ଥାନାକୁ ଆସି ଆଉ ଗୋଟିଏ ଏଫ୍‌ଆଇଆର ଦେଇଛନ୍ତି । ଏଥିରୁ ଜଣାପଡୁଛି ଯେ କିଏ କେତେ ଅଧିକ ଟିଭିରେ ମୁହଁ ଦେଖାଇବ ସେଥିପାଇଁ ବିଜେପି ନେତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିବାରୁ ସେମାନେ ଏଭଳି ନିମ୍ନ ରୁଚିର କାର୍ଯ୍ୟ କରୁଛନ୍ତି ।

ଅନୁରୂପ ଭାବେ ଏହି ଘଟଣାରେ ବିଜେପି ନେତାମାନେ ଅତି ତଳ ସ୍ତରର ରାଜନୀତି କରି କଳାହାଣ୍ଡି ଜିଲ୍ଲାର ଶିକ୍ଷାନୁଷ୍ଠାନରେ ଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।

ବିଜେଡି ପ୍ରବକ୍ତା କହିଛନ୍ତି ଯେ ସାରା ଓଡିଶା ଏପରିକି ସାରା ଭାରତ ଜାଣିଛି ଯେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଆସାମ ଭଳି ବିଜେପି ଶାସିତ ରାଜ୍ୟଗୁଡିକରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ସର୍ବାଧିକ ରହିଛି । ପ୍ରତି ମାସରେ ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ସଂଖ୍ୟା ବଢି ବଢି ଚାଲିଛି ଏବଂ ସଂଖ୍ୟାଧିକ ମାମଲାରେ ବିଜେପି ନେତାମାନେ ଜଡିତ ।

ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବିଭିନ୍ନ ମାମଲାରେ ଓଡିଶା ବିଜେପି ପୂର୍ବରୁ ଅଦାଲତର ଦ୍ୱାରସ୍ଥ ହୋଇଛି ଏବଂ ସବୁ ଘଟଣାରେ ମାନ୍ୟବର ଅଦାଲତ ସେମାନଙ୍କ ଆବେଦନକୁ ଗ୍ରହଣ କରିନାହାନ୍ତି । ସତ କ’ଣ ଜାଣିବା ସତ୍ତ୍ୱେ ଓଡିଶା ବିଜେପି ଶସ୍ତା ରାଜନୀତି କରିବାକୁ ଚେଷ୍ଟା କରିଥାଏ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ।

କଳାହାଣ୍ଡିର ଜନସାଧାରଣ ଏବଂ ଓଡିଶାବାସୀ ଓଡିଶା ବିଜେପି ମହିଳା ମୋର୍ଚ୍ଚାର ମିଥ୍ୟା ଓ ଭିତ୍ତିହୀନ ଆଚରଣକୁ ଦେଖିୁଛନ୍ତି ଏବଂ ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସେମାନେ ଯେଉଁ ନିମ୍ନ ରୁଚିର ରାଜନୀତି କରୁଛନ୍ତି ସେଥିପାଇଁ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ପ୍ରବକ୍ତା ଶ୍ରୀମତୀ ଦାସ ଓ ସୁଶ୍ରୀ ସାହୁ କହିଛନ୍ତି ।